ସାମାନ୍ୟ କଥନ: ନାରୀ ହିଁ ଜନ୍ମଦାତ୍ରୀ

ପ୍ରୀତୀଶ ଆଚାର୍ଯ୍ୟ

ମାନବ ସମାଜ ପ୍ରାଗ୍‌ଐତିହାସିକ କାଳରୁ ପରୁଷତାନ୍ତ୍ରିକ। ଏହା ପଛରେ ପ୍ରୁମଖ ପ୍ରମାଣ ହେଲା ଯେ ସମାଜ ଓ ସଭ୍ୟତାର ନିର୍ମାଣରେ ନାରୀ ତୁଳନାରେ ସର୍ବଦା ପୁରୁଷର କାର୍ଯ୍ୟକୁ ଅଧିକ ମହତ୍ତ୍ବପୂର୍ଣ୍ଣ ବୋଲି ମନେ କରାଯାଏ। ‌ପ୍ରକୃତି କେବେ ଏଭଳି ଏକ ଅସାମ୍ୟ ବ୍ୟବସ୍ଥା ସୃଷ୍ଟି କରି ନ ପାରେ! ଯେଉଁଭଳି ଭାବେ ଉଭୟଙ୍କ ମଧ୍ୟରେ ସଂଖ୍ୟା ଅନୁପାତ ପ୍ରାୟ ସମାନ, ସେହିଭଳି ଭାବେ ଉଭୟଙ୍କ ସାମାଜିକ ଯୋଗଦାନ ମଧ୍ୟ ଭାରସାମ୍ୟପୂର୍ଣ୍ଣ ହେବା ଉଚିତ ବୋଲି ଅନୁମାନ କରିହୁଏ।
ପ୍ରାଚୀନ ପ୍ରସ୍ତର ଯୁଗରେ ମଣିଷ ନିଜେ ଖାଦ୍ୟ ଉତ୍ପାଦନ କରୁ ନ ଥିଲା; ପଶୁ ଶିକାର ଏବଂ ବଣ୍ୟ ଖାଦ୍ୟ ସଂଗ୍ରହ ଥିଲା ତା’ ଜୀବନଧାରଣର ଏକମାତ୍ର ମାଧ୍ୟମ। ଏହି ଅବଧି ଥିଲା ଖୁବ୍ ଦୀର୍ଘ; ୬୦ ଲକ୍ଷ ବର୍ଷରୁ ଆରମ୍ଭ କରି ପ୍ରାୟ ଖ୍ରୀଷ୍ଟପୂର୍ବ ଦଶ ହଜାର ପର୍ଯ୍ୟନ୍ତ। ଏହି ଅବଧିରେ ସ୍ବାଭାବିକ ଭାବେ ବଣ୍ୟ ପଶୁ ଶିକାର ତୁଳନାରେ ବଣ୍ୟ ଖାଦ୍ୟ ସଂଗ୍ରହର ଅନୁପାତ ଥିଲା ଅଧିକ, କାରଣ ପଥର ଓ ବୃକ୍ଷ ଡାଳ ବ୍ୟତୀତ ମଣିଷ ହାତରେ ଅନ୍ୟ ‘ଅସ୍ତ୍ର-ଶସ୍ତ୍ର’ ନ ଥିଲା। ଫଳରେ ବଣ୍ୟ ପଶୁ ଶିକାର ବିପଦପୂର୍ଣ୍ଣ ଏବଂ କାଠିକର ଥିଲା। ସେତେବେଳେ ଶିକାର ଥିଲା ପୁରୁଷର ଏବଂ ଖାଦ୍ୟ ସଂଗ୍ରହ ଥିଲା ପ୍ରାୟତଃ ନାରୀର ଦାୟିତ୍ବ! ନୂତନ ପ୍ରସ୍ତର ଯୁଗରେ, ପ୍ରାୟ ୧୦,୦୦୦ ଖ୍ରୀ.ପୂ. ତଳେ ମଣିଷ ଖାଦ୍ୟ ଉତ୍ପାଦନ କଥା ଶିଖିଲା ଏବଂ ଏଥିପାଇଁ ଶିକ୍ଷିକା ହେଲା ନାରୀ। ଏହି ଦାବି ପଛରେ ଯୁକ୍ତି ହେଲା ଯେ ସନ୍ତାନର ଜନ୍ମ ଏବଂ ପରିପାଳନ ନିମନ୍ତେ ନାରୀ କୌଣସି ପଥର ଗୁହାରେ ସାମୟିକ ଭାବେ ବିଶ୍ରାମ ଓ ବିରତି ନେଉଥିବ ନିଶ୍ଚୟ। ସମୟାନ୍ତରେ ପଥର ‘ଗୁହା’ରୁ ଝାଟିମାଟିର ‘ଗୃହ’ର ସୃଷ୍ଟି ହେଲା, ଯାହା ପରିକଳ୍ପନା କରିଥିବ ନାରୀ, କାରଣ ନାରୀ ସକାଶେ ତାହା ଅଧିକ ଆବଶ୍ୟକ ଥିଲା; ହେଲେ ପୁରୁଷର ବଳିଷ୍ଠ ହାତ ବିନା ତାହା ଗଢ଼ିବା ସମ୍ଭବ ହୋଇ ନଥାନ୍ତା। ପଥର ଗୁହାରେ ଅବକାଶ ବିତାଇବା ବେଳେ ନାରୀ ନିଜ ଆଖପାଖରେ ଅଙ୍କୁରିତ ହେଉଥିବା ଗଛଲତାର ଜୀବନ-ଚକ୍ରକୁ ନିକଟରୁ ନିରୀକ୍ଷଣ କରିଥିବ; ନିଜ ସନ୍ତାନର ପୋଷଣ ଓ ତା’ର ପ୍ରତିପାଳନ କଲାବେଳେ ଗଛଲତାର ପରିପୋଷଣ ମଧ୍ୟ କରିବା ଆରମ୍ଭ କରିଥିବ। ଏଥିରୁ ଜନ୍ମ ନେଇଥିବ କୃଷିର ଅବଧାରଣା। ପ୍ରାରମ୍ଭିକ ଖଣ୍ଡରେ କୃଷିର ଅର୍ଥ ହେଲା ବଣ୍ୟ ଗଛଲତାର ପୋଷଣ, ଯାହାକୁ ଆଜିର ସମୟରେ ଉଦ୍ୟାନ-କୃଷି ବୋଲି କୁହାଯାଉଛି। ସମୟ କ୍ରମେ ପୁରୁଷର ସ‌ହଯୋଗରେ କୃଷି ବିସ୍ତାରିତ ଏବଂ ସଂପ୍ରସାରିତ ହୋଇଛି। ନୂତନ ପ୍ରସ୍ତର ଯୁଗର ବୈଶିଷ୍ଟ୍ୟ ହେଲା କୃଷିର ଆରମ୍ଭ, ଯାହାର ଆଦ୍ୟକର୍ତ୍ତ୍ରୀ ହେଲା ନାରୀ। ଏହି ସମୟରେ ପଥରକୁ ନିଜ ଆବଶ୍ୟକତା ଅନୁସାରେ ଲମ୍ବା, ଚଉଡ଼ା, ଧାରୁଆ, ଗୋଲିଆ, ସରୁଆ କରିବା କାର୍ଯ୍ୟ ଆରମ୍ଭ ହେଲା ସେହି ପଥର ଗୁହାର କ୍ଷୁଦ୍ର ପରିବେଶରେ। ତା’ ପଛରେ ପରିକଳ୍ପନା ମଧ୍ୟ ଥିବ ନାରୀର; କାରଣ ଗୁହାରେ ଅବସ୍ଥାନ କରିବା ସ୍ଥିତିରେ ତାକୁ ଏ ଦିଗରେ ଚିନ୍ତନ ସକାଶେ ଅବକାଶ ମିଳିଥିବ। ଅନ୍ୟପକ୍ଷରେ ସେହି ଅବଧିରେ ଶାରୀରିକ-ସୁରକ୍ଷା ଏବଂ ଖାଦ୍ୟ-ସୁରକ୍ଷା ନିମନ୍ତେ ପୁରୁଷ ନିରନ୍ତର ଚଳମାନ ସ୍ଥିତିରେ ରହୁଥିଲା। ତେଣୁ ଆତ୍ମରକ୍ଷା ଲାଗି ହେଉ ବା କୌଣସି ଗଛ ଲଗାଇବା ସକାଶେ ଭୂମି କର୍ଷଣ କରିବା ଲାଗି ହେଉ ପଥରରେ ହତିଆର ନିର୍ମାଣ ଚିନ୍ତା ନାରୀ ହିଁ କରିଥିବ।
ନୂତନ ପ୍ରସ୍ତର ଯୁଗର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ବଣ୍ୟ ପଶୁକୁ ପୋଷ୍ୟ କରିବା। ଏହାକୁ ବଣ୍ୟ ଗଛଲତାକୁ ପୋଷ୍ୟ କରିବା ସହିତ ତୁଳନା କରାଯାଏ ଏବଂ ଉଭୟର ଆରମ୍ଭ କାଳ ସମକାଳୀନ! ବଣ୍ୟ ପଶୁ ମଧ୍ୟରେ ମଧ୍ୟ-ଏସିଆରେ କୁକୁରର ପୋଷ୍ୟ ହେବା ପ୍ରଥମ (ପ୍ରାୟ ୧୨,୦୦୦ ଖ୍ରୀ.ପୂ.) ବୋଲି କୁହାଯାଏ। ପ୍ରାଚୀନ ପ୍ରସ୍ତର ଯୁଗର ଶେଷ ଅବଧିରେ ମଣିଷ ତାକୁ ଶିକାରର ସାହାଯ୍ୟକାରୀ ଭାବେ ସମ୍ଭବତଃ ପୋଷ୍ୟ କରିଥିଲା। ଛେଳି, କୁକୁଡ଼ା ଓ ମେଣ୍ଢା ହେଲେ ଅନ୍ୟ ଆଦ୍ୟକାଳୀନ ‌େପାଷ୍ୟଜୀବ। ସମ୍ଭବତଃ, ଗୁହାରେ ଅବସ୍ଥାନ କରୁଥିବା ନାରୀ ପ୍ର‌ଥମେ ସେମାନଙ୍କୁ ନିଜ ପ୍ରସ୍ତୁତ ଖାଦ୍ୟରୁ କିଛି କିଛି ଭୋଜନ ରୂପେ ଦେଇ ବଶ ଓ ପୋଷ୍ୟ କରିଥିଲା। ପଶୁ ପୋଷ୍ୟ ହେଲାପରେ ମଣିଷକୁ ଅଧିକ ଖାଦ୍ୟ-ସୁରକ୍ଷା ମିଳିଲା। ପୁରୁଷ ତେଣିକି ନୂଆ ନୂଆ ବଣ୍ୟ ଜୀବକୁ ପୋଷ୍ୟ କଲା; ପଶୁ ପାଳନ କାର୍ଯ୍ୟ ବିସ୍ତାରିତ ହେଲା। ସମୟ କ୍ରମେ ପଥର ଏବଂ କାଠ ତଥା ଅସ୍ଥି ନିର୍ମିତ ବିଭିନ୍ନ ସାମଗ୍ରୀ ଏବଂ ଅସ୍ତ୍ର-ଶସ୍ତ୍ରର ନିର୍ମାଣ ହେଲା, ଯାହା ହାତୀ ଭଳି ବିଶାଳକାୟ ପ୍ରାଣୀକୁ ମଧ୍ୟ ପୋଷ୍ୟ କରିବାରେ ସହାୟକ ହେଲା।
ମାନବ ସଭ୍ୟତାକୁ ନାରୀର ଅନ୍ୟ ଏକ ଅପୂର୍ବ ଦାନ ହେଲା ଚିତ୍ରାଙ୍କନ ଏବଂ ଗୁମ୍ଫା କଳାକୃତି। ଗୁହା କୋଣରେ ଅବସ୍ଥାନ କାଳରେ ସେ ସନ୍ତାନର ପରିପାଳନ, ଗଛଲତାର ପ୍ରତିପାଳନ ଏବଂ କେତୋଟି ଅହିଂସ୍ର ଜୀବଙ୍କୁ ପାଳିତ କରିବା ଅବସରରେ ମଣିଷ ଭିତରେ ଥିବା ସ୍ବାଭାବିକ ସୃଜନ କଳାକୁ ମଧ୍ୟ ରଙ୍ଗ-ରୂପ ପ୍ରଦାନ କରିଥିଲା। ଏହି ଚିତ୍ରଗୁଡ଼ିକ ମୁଖ୍ୟତଃ ଶୈଳାଶ୍ରୟ ଏବଂ ଗୁମ୍ଫାମାନଙ୍କରେ ଦେଖାଯାଏ। ଏଥି‌ରୁ ଆଦିମାନବର ସୃଜନଶୀଳତା, କଳ୍ପନା, ଧର୍ମବିଶ୍ବାସ, ଜୀବନଧାରଣ ପ୍ରଣାଳୀ ଏବଂ ପ୍ରକୃତି ସହ ମଣିଷର ନିବିଡ଼ତା ସମ୍ବନ୍ଧରେ ଧାରଣା କରିହୁଏ। ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ବିକ୍ରମଖୋଲ, କଳାହାଣ୍ଡିର ଗୁଡ଼ହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ଯୋଗୀମଠ ଠାରେ ଶୈଳଚିତ୍ରର ଅବଶେଷ ମିଳିଛି। ଏହା ଓଡ଼ିଶାରେ ପ୍ରାଗ୍‌ଐତିହାସିକ ମାନବର ବସତିକୁ ତଥ୍ୟଯୁକ୍ତ କରେ।
ଏ କଥା ସତ ଯେ କେବଳ ମାନବ ସନ୍ତାନର ନୁହେଁ; କୃଷି, ପଶୁପାଳନ ଏବଂ କଳାକୃତିର ଜନ୍ମଦାତ୍ରୀ ମଧ୍ୟ ହେଲା ନାରୀ, ଯାହାକୁ ବିସ୍ତାରିତ ଏବଂ ସଂପ୍ରସାରିତ କରିଛି ପୁରୁଷ। ପୁରୁଷର ଦୃଢ଼ ସହଯୋଗ ବିନା ଏ ସବୁ କାର୍ଯ୍ୟ ହୁଏତ ‘ଗୁହା’ କୋଣରେ ଆବଦ୍ଧ ରହିଯାଇଥାନ୍ତା! ଏ ସବୁର ଜନ୍ମଦାତ୍ରୀ ଭାବରେ ନାରୀକୁ ‘ଗୁହା’‌ କୋଣରେ ଅବଦ୍ଧ (ଅବସ୍ଥାନ) ହୋଇ ରହିବାକୁ ପଡ଼ିଲା। ସେହି ବିରତି ବିନା ସେ ଏ ସବୁ ପ୍ରତି ସ୍ବାଭାବିକ ଭାବରେ ଆକୃଷ୍ଟ ହୋଇପାରି ନଥାନ୍ତା! ତେଣୁ, କୌଣସି କୃତିର ପ୍ରାରମ୍ଭ ମୂଳରେ ଯଦି ନାରୀ, ଉକ୍ତ କୃତିର ବିସ୍ତାର ଓ ପ୍ରସାର ପଛରେ ରହେ ପୁରୁଷ- ଏହା ପ୍ରକୃତିର ନିୟମ। ଯଦି ପୁରୁଷ ତୁଳନାରେ ନାରୀର ସାମଗ୍ରିକ ଯୋଗଦାନକୁ ହେୟ ମଣା ନ ଯାଏ, ତେବେ ‘ନାରୀ ଆଗ ନା ପୁରୁଷ’ ଭଳି ତର୍କ ମୂଲ୍ୟହୀନ ହୋଇପଡ଼ିବ! ସମାଜ ଓ ସଭ୍ୟତାର ଅନ୍ୟ ସମସ୍ତ ସ୍ତରରେ ମଧ୍ୟ ଏହି ବିଚାର ପ୍ରାସଙ୍ଗିକ!
[email protected]

ସମ୍ବନ୍ଧିତ ଖବର