ଯେଉଁ ଗାଁରେ ପାଞ୍ଚଦିନ ବିନା ବସ୍ତ୍ରରେ ରୁହନ୍ତି ମହିଳା

ବିବିଧତାର ଦେଶ ଭାରତ। ଏଠି ଅନେକ ପ୍ରଥା ଓ ପରମ୍ପରା ରହିଛି। ତେବେ କିଛି ଅନ୍ଧବିଶ୍ବାସ ମଧ୍ୟ ଅଛି ଯାହାକୁ ପିଢ଼ି ପରେ ପିଢ଼ି ମାନିଆସୁଛନ୍ତି ଏବଂ କାଳକ୍ରମେ ଏହାକୁ ଏକ ପରମ୍ପରାର ନାମ ଦିଆଯାଉଛି। ନିଜ ସ୍ବାମୀ, ପିଲା ଓ ପରିବାର ପାଇଁ ନିଜକୁ କଷ୍ଟ ଦେଇ ସବୁକିଛି ସହି ବ୍ରତ ପାଳନ ପାଇଁ ସବୁବେଳେ ସବୁସମୟରେ ସ୍ବଇଚ୍ଛାରେ ଅାଗଭର ହୋଇ ରହିଥାଏ ନାରୀଟିଏ। ‌େ‌ତବେ ପୃଥିବୀରେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ଅଜବ ପରମ୍ପରାକୁ ପାଥେୟ କରି ସେଠାକାର ଅଧିବାସୀମାନେ ଜୀବନଯାପନ କରିଥାନ୍ତି। ସେମିତି ଗୋଟେ ଅଦ୍ଭୁତ ପ୍ରଥାକୁ ମାନି ଚଳୁଥିବା ଗୋଟେ ‌ଗାଁ ଭାରତରେ ବି ଅବସ୍ଥିତ ବୋଲି ଜାଣି ଆପଣମାନେ ଆଶ୍ଚର୍ଯ୍ୟ ହେବେ।

ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟି ପା‌ଦଦେଶରେ ଅବସ୍ଥିତ ଏହି ଗାଁର ନାମ ହେଉଛି ପିଣି। ଯେଉଁଠାରେ ଅନେକ ଶତାବ୍ଦୀ ଧରି କଡ଼ାକଡ଼ି ଭାବେ ଏହି ପରମ୍ପରା ଚାଲିଆସୁଛି। ପରମ୍ପରା ଅନୁସାରେ ବର୍ଷର ପାଞ୍ଚ ଦିନ ମହିଳାମାନେ ବିନା ‌େପାଷାକରେ ରୁହନ୍ତି। ଏହି ପାଞ୍ଚଦିନ ପିଣି ଗାଁକୁ ବାହାର ଅଞ୍ଚଳର ଲୋକଙ୍କ ପ୍ରବେଶ ଉପରେ ଶକ୍ତ ପ୍ରତିବନ୍ଧକ ରହିଥାଏ। ମହିଳାମାନେ ମଧ୍ୟ ଘରୁ ପଦାକୁ ବାହାରନ୍ତି ନାହିଁ। ଖାଲି ମହିଳାମାନେ ନୁହନ୍ତି, ପୁରୁଷମାନେ ମଧ୍ୟ ଏହି ସମୟରେ କିିଛି ନିୟମ ପାଳନ କରିଥାନ୍ତି। ଏହି ୫ ଦିନର ଅବଧି ଭିତରେ ସେମାନେ ଆମିଷ ଭୋଜନ କିମ୍ବା ମଦ୍ୟପାନ କରନ୍ତି ନାହିଁ। ଖାଲି ସେତିକି ନୁହେଁ, ଏହି ପାଞ୍ଚଦିନ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହୁଏନାହିଁ କି ମୁହଁ ଚାହାଁଚାହିଁ ବି ହୁଏନାହିଁ। ଏପରିକି ସ୍ବାମୀ ସ୍ତ୍ରୀ ପରସ୍ପରକୁ ଦେଖି ହସନ୍ତି ମଧ୍ୟ ନାହିଁ। ଏହି ନିୟମକୁ ସଠିକ୍‌ ଭାବେ ପାଳନ ନ କଲେ ଉକ୍ତ ବ୍ୟକ୍ତିଙ୍କର ଅମଙ୍ଗଳ ହୁଏ ଏବଂ ଭଗବାନ ସେମାନଙ୍କ ଉପରେ କ୍ରୋଧିତ ହୁଅନ୍ତି ବୋଲି ସ୍ଥାନୀୟ ଲୋକେ ମତ ଦିଅନ୍ତି। ଶ୍ରାବଣ ମାସରେ ପାଞ୍ଚଦିନ ଏହି ନିୟମକୁ ପାଳନ କରିବା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଅନିବାର୍ଯ୍ୟ।

ଗ୍ରାମବାସୀଙ୍କ ମତାନୁସାରେ, କିଛି ଶତାବ୍ଦୀ ପୂର୍ବେ ତାଙ୍କ ଗାଁକୁ ରାକ୍ଷସମାନେ କବ୍‌ଜା କରିନେଇଥିଲା‌। ରାକ୍ଷସମାନେ ସୁନ୍ଦର ‌ବେଶ ପୋଷାକରେ ସଜ୍ଜିତ ଗାଁର ସୁନ୍ଦରୀ ବିବାହିତା ମହିଳାଙ୍କୁ ସାଥୀରେ ନେଇଯାଉଥିଲେ। ରାକ୍ଷସମାନଙ୍କ କବଳରୁ ଗାଁ ଲୋକଙ୍କୁ ମୁକ୍ତ କରିବା ପାଇଁ ଲାହୁଆ ଘୋଣ୍ଡ୍‌ ନାମକ ଏକ ଦେବତା ଅବତାର ନେଲେ ଏବଂ ରାକ୍ଷସମାନଙ୍କୁ ଯୁଦ୍ଧରେ ପରାସ୍ତ କରି ସେମାନଙ୍କ ଅତ୍ୟାଚାରରୁ ଗ୍ରାମବାସୀଙ୍କୁ ରକ୍ଷା କଲେ। ଗାଁ ଲୋକ ଏବେ ବି ବିଶ୍ବାସ କରନ୍ତି ଯେ, ମହିଳାମାନେ ଯଦି ସୁନ୍ଦର ପୋଷାକ ପିନ୍ଧନ୍ତି ତେବେ ଆଜିବି ରାକ୍ଷସର କୁଦୃଷ୍ଟି ସେମାନଙ୍କ ଉପରେ ପଡ଼ିପାରେ। ଏଣୁ ଏଥିଲା‌ଗି ମହିଳାମାନେ ବିନା ପୋଷାକ‌େର ଏବେବି ରହିବାର ପ୍ରଥା ଚାଲିଆସୁଛି। ଏହି ସମୟ ମଧ୍ୟରେ ଯେଉଁ ମହିଳା ନିଜ ଶରୀରକୁ ଢାଙ୍କିବାକୁ ଚାହାନ୍ତି ତେବେ ସେ ପଶମ ତିଆରି ଏକ ପଟକାର (ଏକ ସ୍କାର୍ପ ସଦୃଶ) ବ୍ୟବହାର କରନ୍ତି। ଏହି ପାଞ୍ଚଦିନ ସେମାନେ ସ୍ବାଧୀନ ଭାବେ ଚଳିପାରନ୍ତି ବୋଲି ‌କିଛି ମହିଳା ମତ ଦିଅନ୍ତି। ତେବେ ଆଜିର ଆଧୁନିକ ସମାଜରେ ଅନେକ ମହିଳା ଏହି ଅନ୍ଧବିଶ୍ବାସକୁ ଆଖିବୁଜି ବିଶ୍ବାସ କରୁଥିବା ବେଳେ କିଛି ଶିକ୍ଷିତ ମହିଳା ଏହି ପ୍ରଥାକୁ ବିରୋଧ ମଧ୍ୟ କରୁଛନ୍ତି। ହେଲେ ଅନେକ ବିରୋଧ ସତ୍ତ୍ବେ ଏହି ପରମ୍ପରାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇପାରିନାହିଁ।

ସମ୍ବନ୍ଧିତ ଖବର