୧୯୯୯ ମସିହା କଥା। ରାତି ଅଧ। ଗୁଣୁପୁର ସବ୍ଡିଭିଜନର ସବ୍କଲେକ୍ଟର, ଜଣେ ଯୁବ ଆଇ.ଏ.ଏସ୍. ଅଫିସର୍ ଖବର ପାଇଲେ ସେରେଙ୍ଗା ଗାଁର ଆଦିବାସୀମାନେ ମେଳି କରିେବ ବୋଲି ଏକାଠି ହେଉଛନ୍ତି। ଉତ୍ତେଜନା ଭରପୂର। ହାତରେ ଅସ୍ତ୍ର, ଶସ୍ତ୍ର, ମଶାଲ। ପାଖ ଗାଁକୁ ଯାଇ, ସେଠିକାର ଗ୍ରାମବାସୀଙ୍କୁ ଆକ୍ରମଣ କରିବେ। ନିଷ୍ପତ୍ତି ନେଇଛନ୍ତି, ତାଙ୍କର ଘରଦ୍ବାର ପୋଡ଼ିଦେବେ। ଉତ୍ତେଜନାର କାରଣ? ସେମାନଙ୍କ ଗୋଷ୍ଠୀର ଝିଅଟିକୁ ନେଇ ଅନ୍ୟ ଗାଁଟିର ପୁଅଟିଏ ପଳାଇ ଯାଇଛି। ଅନ୍ୟ ଗାଁଟି ଭିନ୍ନ ସଂପ୍ରଦାୟର। ଏଣୁ ଆଦିବାସୀମାନଙ୍କର ସମ୍ମାନ, ମର୍ଯ୍ୟାଦାକୁ ଆଘାତ ଲାଗିଛି। ସେମାନେ ପ୍ରତିଶୋଧ ଚାହାନ୍ତି।
ଆଜିଠୁ ଚବିଶ ବର୍ଷ ତଳର ଗୁଣୁପୁର। ରାତି ଅଧରେ ନା ଆଲୁଅ ଅଛି, ନା ମୋବାଇଲ୍ ଫୋନ। ପୁଲିସ୍, ଆଇନ୍, କାନୁନ୍ର ବ୍ୟବସ୍ଥା କାଁ ଭାଁ। ଯୁବ ସବ୍କଲେକ୍ଟର ଜିପ୍ରେ ବସି ଘଟଣାସ୍ଥଳକୁ ନିଜେ ବାହାରି ପଡ଼ିଲେ। ଓଡ଼ିଶା ବାହାରୁ ଆସିଥା’ନ୍ତି। ଏଠିକାର ଜାଗା, ଲୋକ, ସଂସ୍କୃତି, ଅାଚାର, ବିଚାର, ଭାଷା ସବୁକିଛି ନୂଆ। ଗାଡ଼ି ଚାଲିଛି। ଘନ ଜଙ୍ଗଲ, ଅନ୍ଧାର। ଗାଡ଼ି ଆଲୁଅରେ କେବଳ ଅଙ୍କାବଙ୍କା ଘାଟି ରାସ୍ତା, ମୋଡ଼। ଆସୁଛି, ଅନ୍ଧାରରେ ହଜି ଯାଉଛି। ଯୁବ ଅଫିସର୍ ଜଣକ କର୍ତ୍ତବ୍ୟର ଆହ୍ବାନରେ ବାହାରି ପଡ଼ିଛନ୍ତି ସତ, କିନ୍ତୁ ଘଟଣାସ୍ଥଳରେ ପହଞ୍ଚିବା ପରେ କରିବେ କ’ଣ? କଥାଟି ଭାବି ମନ ଆନ୍ଦୋଳିତ। କାହାକୁ ପଚାରିବେ, କିଏ ଉପଦେଶ ଦେବ ଏପରି ଅସମୟ ପରିସ୍ଥିତିରେ। ଅନଭିଜ୍ଞ ଅଫିସର୍ ଜଣକ ନିର୍ବିବାକ ଜିପ୍ ଡ୍ରାଇଭରଙ୍କୁ ପଚାରିଲେ, ‘‘ଇଲିସି, ପହଞ୍ଚିବା ପରେ ଆମକୁ କ’ଣ କରିବାକୁ ହେବ?’’ ଇଲିସି ବିଶୋଇ ସତେକି ଜାଣିଥିଲେ, ଏପରି ପ୍ରଶ୍ନଟି ଆସିବ। ସାହେବଙ୍କ ମୁହଁକୁ ନ ଅନାଇ, ସଂକ୍ଷିପ୍ତରେ କହିଲେ, ‘‘ଗବା ଗବା’’। ଅଫିସର୍ ଜଣକ ବୁଝି ନ ପାରି, ପୁଣି ଥରେ ପଚାରିଥିବା ପ୍ରଶ୍ନଟି ଦୋହରାଇଲେ। ଜିପ୍ର ଷ୍ଟିଅରିଙ୍ଗ୍କୁ ଗୋଟିଏ ବଙ୍କା ରାସ୍ତାକୁ ମୋଡୁ ମୋଡୁ ଇଲିସି ବିଶୋଇ ପୁଣି କହିଲେ, ଗବା, ଗବା। ସଉରା ଭାଷାରେ, ବସ, ବସ। ପହଞ୍ଚିବା ମାତ୍ରେ ଘଟଣାକୁ ଆୟତ୍ତ କରିବାକୁ ଚେଷ୍ଟା ନ କରି ପ୍ରଥମେ କହିବେ, ଗବା, ଗବା। ସାଧାରଣ ଶୁଣା ଯାଉଥିବା ଉପଦେଶଟି ଅଫିସର୍ଙ୍କ ମନକୁ ଛୁଇଁଗଲା। ଗାଡ଼ି ପହଞ୍ଚିଲା ମାତ୍ରେ ଗାଁଟି ଯାକ ଲୋକ, ହାତରେ ଟାଙ୍ଗିଆ, ଧନୁଶର, ଠେଙ୍ଗା, ମଶାଲ ନେଇ ଘେରିଗଲେ। ସମସ୍ତଙ୍କୁ ହାତଯୋଡ଼ି ଅଫିସର୍ ଜଣକୁ ଅନୁରୋଧ କଲେ, ଗବା, ଗବା। ଏବଂ ନିଜେ ମାଟିରେ ବସିଗଲେ।
ଉତ୍ତେଜନାର ପରିସ୍ଥିତିରେ ହଠାତ୍ ଅସ୍ବାଭାବିକ ନିରବତା। ମୁଖିଆମାନେ ମୁହଁ ଚାହାଁଚାହିଁ ହେଲେ। ଅନ୍ୟମାନେ ଇତଃସ୍ତତଃ। ତା’ପରେ ଜଣେ ଜଣେ ହୋଇ ସମସ୍ତେ ଧୀରେ ଧୀରେ ବସିଗଲେ। ନିଜ ଅପମାନ କଥା କହିଲେ। ଏମିତିରେ ମଧ୍ୟ ଆର ଗାଁ ସାଙ୍ଗରେ ଆଗରୁ ଶତ୍ରୁତା ଥିଲା। କେଡ଼େବଡ଼ ସାହସ ସେ ପିଲାର, ଯିଏ ଆମ ଝିଅ ସାଙ୍ଗରେ ସଂପର୍କ ଗଢ଼ି, ତାକୁ ସାଙ୍ଗରେ ନେଇ ଫେରାର୍ ହୋଇଯାଇଛି? ଗବା, ଗବାରୁ ଏଥର ଆରମ୍ଭ ହେଲା ବୁଝାମଣା କଥା। ମୁଖିଆମାନେ ଥଣ୍ଡା ହେବା ଆରମ୍ଭ ହେଲେ। ଏତେ ରାତିରେ ଜିପ୍ ଗାଡ଼ି ଧରି ଜିଲ୍ଲା ପ୍ରଶାସନର ହାକିମ ନିଜେ ଆସିଛନ୍ତି! ସକାଳ ପାହାନ୍ତରେ ଉଚିତ୍ ତଦନ୍ତ, ବିଚାର, ନିଶାପ ନିଶ୍ଚୟ ହେବ। ମେଳିର ଆବଶ୍ୟକତା ଆଉ ନାହିଁ। ଅପମାନର ପ୍ରତିଶୋଧ ପାଇଁ ଆଇନକୁ ନିଜ ହାତକୁ ନେବାର ଆବଶ୍ୟକତା ନାହିଁ।
୧୯୯୯ର ସେଇ ଅନଭିଜ୍ଞ ଯୁବ ଅଫିସର୍ ଆଜି ରାଜ୍ୟ ସରକାରଙ୍କର ପ୍ରମୁଖ ଶାସନ ସଚିବ, ସଂଜୟ ସିଂହ। ତାଙ୍କ ଦାୟିତ୍ବରେ ତିନି ତିନିଟି ବିଭାଗ। ଏତେ ବର୍ଷ ପରେ ବି ଡ୍ରାଇଭର ଇଲିସିଙ୍କର ଉପଦେଶ ମନେ ରଖିଛନ୍ତି। ପ୍ରଶାସକ ହେବାକୁ ଗଲେ କ୍ଷମତାର ପ୍ରଦର୍ଶନ ନୁହେଁ, ମଣିଷକୁ ଆଶ୍ବସ୍ତ କରିବାକୁ ପଡ଼ିବ, ତା’ ମନର କଥାକୁ ବୁଝିବାକୁ ପଡ଼ିବ। ତା’କୁ ଭରସା ଦେବାକୁ ପଡ଼ିବ। ମନ ବଦଳାଇବା ଆଗରୁ ତା’ର ହୃଦୟ ଛୁଇଁବାକୁ ପଡ଼ିବ। ଆଉ ସବୁଠାରୁ ବଡ଼ କଥା, ପ୍ରଥମେ ତା’କୁ ସମ୍ମାନର ସହିତ କହିବାକୁ ପଡ଼ିବ, ବସ, ବସ।
ସେଇ ୧୯୯୯ ମସିହାର ଅନ୍ୟ ଏକ ଘଟଣା। ପୁରୀ ସହର। ନଭେମ୍ବର ମାସ। ଚାରିଆଡୁ ଘନ କଳା ମେଘ ଘୋଟି ଆସୁଛି। ପବନର ବେଗ ବଢ଼ି ବଢ଼ି ଚାଲିଛି। ସାଧାରଣ ଝଡ଼ ନୁହେଁ, ସୁପର ସାଇକ୍ଲୋନ୍। ସତେକି ଆକାଶ କଳା ନାଗସାପ ହୋଇ ଫଣା ଟେକିଛି। ସେ ସମୟର ପାଣିପାଗ ବିଭାଗର ଏପରି ସାଧନ ନ ଥିଲା ଯେ ବେଶ୍ ପୂର୍ବରୁ କହିଦେଇ ପାରିବେ, କେତେ ଜୋର୍ରେ ବାତ୍ୟା ଆସିବ, କେଉଁଠି ତାହା ଭୂଭାଗ ଛୁଇଁବ। ଇତିମଧ୍ୟରେ ବର୍ଷା ଆରମ୍ଭ ହୋଇଗଲାଣି। ଲୋକବାକ କେହି କେଉଁଠି ଦିଶୁ ନାହାନ୍ତି। ପୁରୀର ସେତେବେଳକାର ନବନିଯୁକ୍ତ ପୁଲିସ ଅଫିସର୍ ଜଣକ ଚାରିଆଡ଼େ ଚାହିଁଲେ। ମନକୁ ଆସିଲା ଗୋଟିଏ କଥା। ହୋଇପାରନ୍ତି ନିଜେ ଆଇ.ପି.ଏସ୍. ଅଫିସର୍; କିନ୍ତୁ ଏ ବେଳ କ୍ଷମତା, ପ୍ରତିପତ୍ତିର ନୁହଁ। ଏ ବେଳ ଅଭିଜ୍ଞତାର। ନିଜ ଅଧୀନସ୍ଥ କର୍ମଚାରୀମାନଙ୍କୁ ଜଣ ଜଣ କରି ସେ ପଚାରିଲେ, ଏପରି ବିପତ୍ତିର ସାମନା କିପରି କରିବା?
ଉପରିସ୍ଥ ଅଧିକାରୀ, ପୁଣି ଅଧସ୍ତନ କର୍ମଚାରୀଙ୍କୁ ଉପଦେଶ ମାଗୁଛନ୍ତି? ସମସ୍ତେ ନିଜ ନିଜ ଅଭିଜ୍ଞତାରୁ ଯେତିକି ଜାଣିଥିଲେ, କହିଲେ। ପାଳି ପଡ଼ିଲା, ୱାୟାରଲେସ୍ କନେଷ୍ଟବଳ ଗୋବିନ୍ଦ ମହାନ୍ତିଙ୍କର। ସେ କହିଲେ, ସାଇକ୍ଲୋନ୍ ଘୂର୍ଣ୍ଣିବାତ୍ୟା ପରି ଘୋର ବିପତ୍ତି ପରେ ମଣିଷ ଯେତେବେଳେ ସବୁ ଦିଗରୁ ଅସହାୟ, ବିପନ୍ନ ହୋଇପଡ଼େ, ତା’ର ଏକମାତ୍ର ବାଟ ହେଲା ପରସ୍ପର ସଙ୍ଗେ ଯୋଗାଯୋଗ, ସଂଚାର। କିଏ କେଉଁଠି, କି ବିପଦରେ ରହିଛି, ନ ଜାଣିଲେ, ସାହାଯ୍ୟ ପହଞ୍ଚିବ କିପରି? ଆଉ େସହି ଘଡ଼ିସନ୍ଧି ସମୟରେ ଜୀବନ ମରଣର ତଫାତ ଆଣିପାରେ କେବଳ ଭି.ଏଚ୍.ଏଫ୍. ୱାୟାରଲେସ୍ ସେଟ୍ଗୁଡ଼ିକ। ଗୋବିନ୍ଦ କହିଲେ, ସାର୍, ସବୁତକ ଭି.ଏଚ୍.ଏଫ୍. ସେଟ୍ ଆଣ୍ଟେନାତକ ଆଗ ଖୋଲି ଆଣିବାକୁ ପଡ଼ିବ। ସମସ୍ତେ ଆଚମ୍ବିତ। ଇଏ କି ପ୍ରକାର କଥା? ଗୋବିନ୍ଦ ବୁଝାଇଲେ, ହୁ ହୁ ବାତ୍ୟା ମାଡ଼ି ଆସିଲେ, ଆଗ ଆଣ୍ଟେନା ବାଡ଼ିତକ ଭାଙ୍ଗି ଉଡ଼ାଇ ନେବ। ଧୂଳିସାତ୍ କରିଦେବ। ଆଣ୍ଟେନା ସାଙ୍ଗେ ସାଙ୍ଗେ ଟାଣିଦେବା। ଯୁବ ପୁଲିସ ଅଫିସର୍ ଉପଲବ୍ଧି କଲେ, କେତେବଡ଼ ବୁଦ୍ଧି ଦେଲେ ଜଣେ କନେଷ୍ଟବଳ। ସାଙ୍ଗେ ସାଙ୍ଗେ ଆଦେଶ ଗଲା, ପ୍ରତ୍ୟେକ ଆଣ୍ଟେନା ବାଡ଼ି ଖୋଲିଦିଅ। ଆଉ ଠିକ୍ ଯେପରି କହିଥିଲେ ଗୋବିନ୍ଦ ମହାନ୍ତି, ସେଇଆ ହିଁ ହେଲା। ବିଂଶ ଶତାବ୍ଦୀ ଭାରତର ସବୁଠାରୁ ଭୟଙ୍କର ଘୂର୍ଣ୍ଣିଝଡ଼ ୧୮୦ କିଲୋମିଟର ବେଗରେ ସବୁକିଛି ଉଡ଼ାଇ ନେବା ପରେ ମଧ୍ୟ ଭି.ଏଚ୍.ଏଫ୍ର ସଂଚାର ବ୍ୟବସ୍ଥାକୁ ଧ୍ବଂସ କରି ପାରିଲା ନାହିଁ।
ସେ ଦିନର ସେଇ ଯୁବ ପୁଲିସ ଅଫିସର୍ ଆଜିର କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ। ତାଙ୍କର ନେତୃତ୍ବରେ, ପୁଲିସ କମିସନରେଟ୍ରେ ଅଛନ୍ତି ୯୨୦୦ ପୁଲିସ ଓ ଗୃହରକ୍ଷୀ ଯେଉଁମାନେ କଟକ-ଭୁବନେଶ୍ବର ମହାନଗରୀର ୩୫ ଲକ୍ଷ ବାସିନ୍ଦାଙ୍କର ନିରାପତ୍ତା ଦାୟିତ୍ବରେ। ମୋ’ ସାଙ୍ଗରେ ନିଜର ସେହି ପୁରୁଣା କାହାଣୀ କହୁ କହୁ କ୍ଷଣଟିଏ ରହିଗଲେ। ପଚାରିଲି କ’ଣ ହେଲା? ଧୀରେ ଧୀରେ କହିଲେ, ଗୋବିନ୍ଦ ମହାନ୍ତି ଉପରକୁ ଉଠି ଉଠି ଆସିଷ୍ଟାଣ୍ଟ ସବ୍ଇନ୍ସପେକଟର ହୋଇଥିଲେ। ନିଜର ପରିବାର ନ ଥିଲା। ବିବାହ କରି ନ ଥିଲେ। ବିଭାଗର ସମସ୍ତେ କହୁଥିଲେ, ଚାକିରିକୁ ବାହା ହୋଇଛନ୍ତି। ଦୁଃଖର କଥା, ଏଇ ସେ ଦିନ ବିଜୁଳି ଆଘାତରେ ଅଚାନକ ଚାଲିଗଲେ।
ପ୍ରତ୍ୟେକ ସଫଳ ବ୍ୟକ୍ତି ସେ ସରକାରୀ ଅଧିକାରୀ ହୁଅନ୍ତୁ ବା କରପୋରେଟ୍ ଏକ୍ଜ୍ୟୁକ୍ଟିଭ୍, ତାଙ୍କର ସାଫଲ୍ୟର ଗୋଟିଏ ଅସାଧାରଣ ଦିଗ ରହିଛି। ସେମାନେ ନିଜ ଅଧସ୍ତନ କର୍ମଚାରୀଙ୍କୁ ହେୟ ଦୃଷ୍ଟିରେ ଦେଖନ୍ତି ନାହିଁ। ସେମାନଙ୍କୁ ସହକର୍ମୀ ବୋଲି ଗ୍ରହଣ କରନ୍ତି। ସେମାନଙ୍କ ବୟସ, ଅଭିଜ୍ଞତାକୁ ସମ୍ମାନ ଦିଅନ୍ତି। ଉପରେ ଲେଖା ଯାଇଥିବା କାହାଣୀ ଦ୍ବୟ ଶୁଣିବାର ଗୋଟିଏ ପୃଷ୍ଠଭୂମି ରହିଛି। କିଛି ମାସ ତଳେ, କେତେଜଣ ଯୁବ ଅଫିସର୍ମାନଙ୍କ ସାଙ୍ଗରେ ଆଳାପ ହୋଇଥିଲା। ମତେ ସେମାନେ କହିଲେ, ଟ୍ରେନିଂ ସମୟ ତ ସରି ଆସିଲା। ଅଳ୍ପ କେତୋଟି ଦିନ ପରେ ଜିଲ୍ଲାମାନଙ୍କୁ, ହୁଏତ କେଉଁ ଅପହଞ୍ଚ ଜାଗାକୁ ବଦଳି ନିର୍ଦ୍ଦେଶ ଆସିଯିବ। ସେଠି ପହଞ୍ଚି, ଆମେ ଅଧୀନସ୍ଥ କର୍ମଚାରୀମାନଙ୍କ ସାଙ୍ଗରେ କାମ କରିବୁ। କହନ୍ତୁ ତ, କିପରି ଭାବରେ ତାଙ୍କୁ ଆମେ ଆଜ୍ଞାବହ କରି ପାରିବୁ? କିପରି ଭାବରେ ତାଙ୍କୁ ଅନୁଶାସନକୁ ଆଣି ପାରିବୁ? ପ୍ରଶ୍ନଟିମାନ ଗଭୀର। ନିଜ ଅଭିଜ୍ଞତାରୁ ସମାଧାନ ନ ଖୋଜି, ମୁଁ ଠିକ୍ କରିଥିଲି ସଂଜୟ, ସୌମେନ୍ଦ୍ରଙ୍କୁ ପଚାରିବି।
ସେ ଦିନର ସେହି ପରାମର୍ଶ ବେଳେ ସଂଜୟ ମତେ କହିଥିଲେ ତାଙ୍କର ସୂତ୍ର। ସମସ୍ତଙ୍କ ସାଙ୍ଗରେ ଦେଖା ହେବେ। ସମସ୍ତଙ୍କ ସାଙ୍ଗରେ ମିଶିବାର ଆଗ୍ରହ ରଖିବେ। ସହକର୍ମୀଙ୍କର କଥାଟିକୁ ମନ ଦେଇ ଶୁଣିବେ, କଥାକୁ ଗୁରୁତ୍ବ ଦେବେ। ମନେ ରଖିବାକୁ ପଡ଼ିବ, ଆମେ ସରକାରୀ କର୍ମଚାରୀ, ସାଧାରଣ ମଣିଷର ସମସ୍ୟାର ସମାଧାନ କରିବାକୁ ଆସିଛୁ। ଏଣୁ ଆମକୁ ନମନୀୟ ହେବାକୁ ପଡ଼ିବ। କେବଳ ମୁଁ ଯାହା ଭାବୁଛି ତାହା ହିଁ ଠିକ୍, ଏପରି ମାନସିକତା ରଖିଲେ ଚଳିବ ନାହିଁ। ଶେଷତଃ, ସମସ୍ୟାର ସମାଧାନ କରିବା ପାଇଁ, ଦୃଢ଼ତାର ସହିତ ବିଚାର, ନିର୍ଣ୍ଣୟ କରିବାକୁ ହେବ। ଏହି ସବୁରୁ ହିଁ ସହକର୍ମୀମାନଙ୍କର ଆନୁଗତ୍ୟ ମିଳିଥାଏ। ସୌମେନ୍ଦ୍ର ପ୍ରିୟଦର୍ଶୀ କହିଲେ, ଦେଖନ୍ତୁ ନିଜର ପ୍ରତିପତ୍ତି, କ୍ଷମତା ଦେଖାଇ ଆମେ କେବେହେଲେ ସବୁଦିନ ପାଇଁ ସହକର୍ମୀମାନଙ୍କର ସମ୍ମାନାସ୍ପଦ ହୋଇ ପାରିବା ନାହିଁ।
ସେହି ଅଫିସର୍ ହିଁ ସମ୍ମାନାସ୍ପଦ ହୁଅନ୍ତି, ଯିଏ ସହକର୍ମୀମାନଙ୍କୁ ସମ୍ମାନର ଆଖିରେ ଦେଖନ୍ତି। ତା’ର ଅର୍ଥ ନୁହେଁ ଅନୁଶାସନ ବଜାୟ ରଖିବା ନାହିଁ, ଅନୈତିକ କାର୍ଯ୍ୟକଳାପକୁ ଆଡ଼େଇ ଯିବା, ଅଣଦେଖା କରିବା। ମନେ ରଖିବାକୁ ହେବ, ଜଣେ ପ୍ରଶାସନିକ ଅଧିକାରୀ ଚାକିରିର ପ୍ରଥମରୁ ହିଁ ସମସ୍ତଙ୍କ ନଜରରେ ଥା’ନ୍ତି। ପ୍ରଥମରୁ ହିଁ ସମସ୍ତେ ତଉଲି ଦେଖନ୍ତି, ଏଇ ଅଫିସର୍, କେଉଁ ଉପାଦାନରେ ଗଢ଼ା। ଅଫିସର୍ଙ୍କୁ କାମ ଜଣା କି ନାହିଁ? ମଣିଷଟିର ବ୍ୟକ୍ତିଗତ ଚରିତ୍ର କିପରି? ଆମେ ତ ଖାକି କର୍ମଚାରୀ। ସମସ୍ତେ ଭାବନ୍ତି କେବଳ ରୢାଙ୍କ୍ ଦେଖି, ‘‘କମାଣ୍ଡ-କଣ୍ଟ୍ରୋଲ’’ରେ ସବୁ କାମ ହୁଏ। ପ୍ରକୃତରେ କିନ୍ତୁ କଥାଟି ସଂପୂର୍ଣ୍ଣ ଅଲଗା। ସେହି ଅଧିକାରୀ ହିଁ ଆନୁଗତ୍ୟ ପାଇଥାଏ ଯିଏ ସଫଳତାର ଶ୍ରେୟ ସହକର୍ମୀମାନଙ୍କୁ ବାଣ୍ଟିଦେଇ, ସେମାନଙ୍କର ସମସ୍ୟାକୁ ନିଜର କରିନିଏ।
ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା