ଓଡ଼ିଶାର ସ୍ୱାଭିମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସ। ୧୯୦୩ ମସିହା, ଅର୍ଥାତ୍ ଆଜିକୁ ୧୨୧ ବର୍ଷ ପୂର୍ବେ ସେ ଉତ୍କଳ ସମ୍ମିଳନୀର ଆବାହନ କରିଥିଲେ। ମଧୁସୂଦନ ଦାସଙ୍କୁ ଆଧୁନିକ ଓଡ଼ିଶାର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ମଧୁସୂଦନ ଦାସ ନୁହନ୍ତି, ଓଡ଼ିଶା ମାଟି ତାଙ୍କ ପରି ବହୁ ମହାନ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି, ଯାହାଙ୍କର ଦାୟାଦ ହିସାବରେ ଆମେ ନିଜକୁ ଧନ୍ୟ ମନେ କରୁଛୁ। ଓଡ଼ିଶା ମା’ର ଏହି ଯୋଗ୍ୟ ସନ୍ତାନମାନେ ତାଙ୍କର ରାଜ୍ୟ ପାଇଁ ନିଜ ନିଜ ମାନସପଟରେ ସ୍ୱପ୍ନମାନ ଆଙ୍କିଥିଲେ। ବହୁ ବାଧାବିଘ୍ନ ଅଭାବ ଅନଟନ ସତ୍ତ୍ୱେ ଦେଶ ପାଇଁ, ଜାତି ପାଇଁ, ଉଚ୍ଚ ଅଭିଳାଷ ଥିଲା, ଦୂରଦୃଷ୍ଟି ଥିଲା। ଦୂରଦୃଷ୍ଟି ବା ଭବିଷ୍ୟତର ସ୍ୱପ୍ନକୁ ଇଂରେଜୀ ଭାଷାରେ କୁହାଯାଏ ‘ଭିଜନ୍’ ଏବଂ ଏପରି ମହାନ ବ୍ୟକ୍ତିଙ୍କୁ ‘ଭିଜନାରୀ’ ଆଖ୍ୟା ଦିଆହୁଏ।
ଭିଜନ୍ ଶବ୍ଦଟିର ଉତ୍ପତ୍ତି ଲାଟିନ୍ ଶବ୍ଦ ‘ଭିଡେରେ’ରୁ। ଏହାର ଅର୍ଥ, ଦେଖି ପାରିବାର କ୍ଷମତା। କିନ୍ତୁ ଗଭୀରତର ଅର୍ଥ ହେଲା, ଅସାଧାରଣ ଦୃଷ୍ଟିଶକ୍ତି ଯାହା ବୁଦ୍ଧିମତ୍ତା ସହ ସଂଯୋଗିତ। ଅନେକ କ୍ଷେତ୍ରରେ ଏପରି ଏକ ବିଶେଷ ଗୁଣର ଅଧିକାରୀଙ୍କର ଅତି-ଭୌତିକ ଦୃଷ୍ଟିଶକ୍ତି ଥାଏ ଯାହା ବଳରେ ସେମାନେ ଗୋଟିଏ ଅନାଗତ ଭବିଷ୍ୟତର ଛବି ମଧ୍ୟ ପରିଷ୍କାର ଦେଖିପାରନ୍ତି। ଆମେରିକାନ୍ ଫ୍ୟୁଚରୋଲୋଜିଷ୍ଟ୍ ଜୋଏଲ୍ ବାରକର୍ଙ୍କ କହିବା କଥା, ଏହି ‘ଭିଜନ୍’ ବା ଭବିଷ୍ୟତର ସ୍ୱପ୍ନ ଦେଖି ପାରିବାର କ୍ଷମତା, ଯେ କୌଣସି ନେତୃପଦବାଚ୍ୟ ବ୍ୟକ୍ତିଙ୍କର ବିଶେଷ ଭାବରେ ରହିବା ଦରକାର। ଗୋଟିଏ ଦେଶର ସାଧାରଣ ମଣିଷକୁ ଭବିଷ୍ୟନ୍ମୁଖୀ କରି ତୋଳିବାର ଦାୟିତ୍ୱ ନ ଗ୍ରହଣ କଲେ, ଜଣେ ନେତୃପଦବାଚ୍ୟ ହୋଇପାରିବ ନାହିଁ। ବର୍ତ୍ତମାନ କଥା ହେବା ଏପରି ବ୍ୟକ୍ତିମାନଙ୍କ ଚାରିତ୍ରିକ ବିଶେଷତ୍ୱ ବିଷୟରେ। ଉତ୍କଳଗୌରବ ମଧୁସୂଦନଙ୍କ ଠାରୁ ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକଙ୍କ ପରି ‘ଭିଜନାରୀ’ ବ୍ୟକ୍ତିମାନଙ୍କର ପ୍ରଥମ ଗୁଣଟି ହେଲା, ପୁରାତନକୁ ତ୍ୟାଗ କରି ଭବିଷ୍ୟତକୁ ସ୍ୱାଗତ କରି ପାରିବାର ଆତ୍ମବିଶ୍ୱାସ। ଯାହା ପୁରାତନ ତାହା ହୁଏତ ଆମର ବହୁତ ପ୍ରିୟ, କିନ୍ତୁ ତାହାକୁ ଧରି ରଖିବାକୁ ଯାଇ ତାହାର ବେଡ଼ି ଶୃଙ୍ଖଳରେ ଆବଦ୍ଧ ହୋଇଗଲେ, ଆମେ ଆଗକୁ ବଢ଼ିପାରିବା ନାହିଁ। ଏକ ଦିଗରେ ଆମ ଇତିହାସ ଆମକୁ ପରିଚିତି ଦେଇଥାଏ, ଅନ୍ୟ ଦିଗରେ ଇତିହାସର ଦାସତ୍ୱରେ ବନ୍ଧା ପଡ଼ିଗଲେ ବ୍ୟକ୍ତି ହେଉ ବା ଜାତି, ସେ ଭବିଷ୍ୟତର ଯାତ୍ରୀ ହୋଇପାରେ ନାହିଁ। ସ୍ମୃତିସର୍ବସ୍ୱ ବ୍ୟକ୍ତି ପକ୍ଷରେ ସ୍ୱପ୍ନ ଦେଖିବା ସମ୍ଭବ ନୁହେଁ। ବୋଇତଟିଏ ନଦୀ ପାର ହେବାକୁ ଗଲେ, ତାହାକୁ ଆଗ କୂଳ ଛାଡ଼ିବାକୁ ହୁଏ। କିନ୍ତୁ ଗୋଟିଏ ଜାତିର ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବାର ପ୍ରୟାସ ମନକୁ ଆଣିବା ମାତ୍ରେ ମନ ଆତଙ୍କିତ ହୋଇଯାଏ। ଭବିଷ୍ୟତ ପାଇଁ ନକ୍ସାଟିର ସବୁକିଛି ଟିକିନିଖି ଜଣା ନ ଥିଲେ, ଆମେ ଆଗକୁ ଯିବାର ପ୍ରୟାସ କିପରି କରି ପାରିବା? ଯେଉଁ ପଥର ସଂପୂର୍ଣ୍ଣ ବିବରଣୀ ନାହିଁ, ଯେଉଁ ପଥରେ ଜଣା ଠାରୁ ଅଜଣା ଅଧିକ, ସେ ପଥର ପଥିକ ହେଲେ ଯେ ଅଜଣା ବିପଦ, ସଂକଟର ସମ୍ଭାବନା ରହିଛି! ଭାବିବାର କଥା, ୧୯୪୨ ମସିହାରେ ମହାତ୍ମା ଗାନ୍ଧୀ ଯଦି ଏପରି ଭାବନା ମନକୁ ଆଣିଥାନ୍ତେ, ଆଜି ମଧ୍ୟ ହୁଏତ ଆମେ ପରାଧୀନତାର ବେଡ଼ି ଶୃଙ୍ଖଳରେ ଆବଦ୍ଧ ରହିଥାନ୍ତେ। ମହାତ୍ମାଙ୍କର ‘ଭାରତ ଛାଡ଼’ େସ୍ଲାଗାନରେ ଏକ ପ୍ରାଞ୍ଜଳ ଭବିଷ୍ୟତର ସ୍ପଷ୍ଟ ଚିତ୍ର ନ ଥିଲା। ଥିଲା କେବଳ ସ୍ୱାଧୀନତାର ସ୍ୱପ୍ନ। କିନ୍ତୁ ପ୍ରଶ୍ନ ଉଠେ, ବର୍ତ୍ତମାନର ବାସ୍ତବତାରୁ ବିଚ୍ୟୁତ ହୋଇ ଭବିଷ୍ୟତର ବାଟ ଚାଲିବା କ’ଣ ସତରେ ସମ୍ଭବ? ଏହିଠାରେ କହି ରଖିବା ଦରକାର, ପୃଥିବୀରେ ଦୁଇ ରକମର ମଣିଷ ଅଛନ୍ତି। ଅଧିକାଂଶ ମଣିଷ ପାଦ ବଢ଼ାଇବା ଆଗରୁ ବାଟ ଖୋଜନ୍ତି। ମହାତ୍ମା ଗାନ୍ଧୀ ବାଟ ଖୋଜି ନ ଥିଲେ, ବାଟ କାଢ଼ିଥିଲେ। ନୂତନ ମାର୍ଗ ସୃଷ୍ଟି କରି ଜାତିକୁ କହିଲେ, ଆସ, ଏଇ ବାଟରେ ଚାଲିବା।
ନିଜ ବ୍ୟକ୍ତିଗତ ଜୀବନ ହେଉ ବା ସାମାଜିକ ସତ୍ତା ହେଉ, ଯେବେବି କୌଣସି ନୂତନର ସ୍ୱପ୍ନ ଆସେ, ଆମେ ତ୍ରସ୍ତ ହୋଇପଡୁ। ଚାରିଆଡ଼କୁ ଚାହିଁ, ଶୂନ୍ୟତା ଦେଖୁ। ନାହିଁ ନାହିଁରେ ହୃଦୟ ଆନ୍ଦୋଳିତ ହୋଇଯାଏ। ପ୍ରତ୍ୟେକ ଜିନିଷ ପାଇଁ ଧନ, ଜନ ବଳର ଆବଶ୍ୟକତା ନିଶ୍ଚୟ ରହିଛି, କିନ୍ତୁ ସେଥିପ୍ରତି ପ୍ରଥମରୁ ଯଦି ଜଣେ ବିହ୍ୱଳିତ ହୋଇପଡ଼େ, ତା’ ପକ୍ଷରେ ଆଗକୁ ପାଦ ରଖିବା ଅସମ୍ଭବ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପାଖରେ କ’ଣ ଥିଲା? ପୁରୀର ଗୋଟିଏ ମଠରୁ, ପୁରୁଣା ଛାପା ମେସିନ ଖଣ୍ଡେ କିଣି ସତ୍ୟବାଦୀରୁ ‘ସମାଜ’ ଖବରକାଗଜ ଆରମ୍ଭ କରିଥିଲେ। ଭାରତରତ୍ନ ମଦର ଟେରେସା ଆର୍କ୍ବିସପ୍ଙ୍କ ଠାରୁ ପଚିଶ ଟଙ୍କାର ସାହାଯ୍ୟ ଧରି ମିସନାରୀ ଅଫ୍ ଚ୍ୟାରିଟି ଗଢ଼ିଥିଲେ। ସେଇ ମଣିଷଟି ହିଁ ସ୍ୱପ୍ନ ଦେଖିପାରେ, ଯିଏ ‘ନାହିଁ ନାହିଁରେ’ ବନ୍ଧା ନୁହେଁ, ଯିଏ ‘ଅଛି ଅଛିରେ’ ବିଶ୍ୱାସ ରଖେ। କିନ୍ତୁ ଅନୁଷ୍ଠାନ, ଜାତି ଗଢ଼ିବାକୁ ଗଲେ, କେବଳ ସ୍ୱପ୍ନ ଦେଖିଲେ ହେବ ନାହିଁ, ସ୍ୱପ୍ନକୁ ସମ୍ଭାବନାରେ ରୂପାନ୍ତିରତ କରିବାକୁ ହେବ ଏବଂ ସମ୍ଭାବନାକୁ ସାକାର କରିବାକୁ ପଡ଼ିବ। ଆଉ ସ୍ୱପ୍ନ ସାକାର କରିବାକୁ ଯାଇ, ମଣିଷ ଯଦି ବିଫଳ ହୋଇଯାଏ, ତା’ ହେଲେ କ’ଣ ହେବ? କଥାଟି ଭାବିବା ମାତ୍ରେ ବିଫଳତାର ଭୟ ଗ୍ରାସ କରେ। ମନରେ ଘୋଟିଯାଏ ଅମାବାସ୍ୟାର ଅନ୍ଧାର। ସେଇ ମୁହୂର୍ତ୍ତରେ ମଣିଷଟି ହାରିଯାଏ। ତେବେ ମହାନ ଜନନାୟକମାନଙ୍କର ଜୀବନ କାହାଣୀ ଦେଖିଲେ, ଗୋଟିଏ ଜିନିଷ ପରିଷ୍କାର ହୋଇଉଠେ। ଏହି ବ୍ୟକ୍ତିମାନେ ଭବିଷ୍ୟତ୍ର ‘ବ୍ଲୁ ପ୍ରିଣ୍ଟ୍’ ତିଆରି କଲାବେଳେ ଅସଫଳ ହେବାର ସମ୍ଭାବନାକୁ ମନରେ ସ୍ଥାନ ଦେଇ ନ ଥିଲେ। ଯେଉଁ ବଢ଼େଇ କୋଣାର୍କ ମନ୍ଦିର ଗଢ଼ିଥିଲେ, ସେ ବିଫଳତାର ସାମାନ୍ୟତମ ସମ୍ଭାବନାକୁ ପ୍ରଶ୍ରୟ ଦେଇ ନ ଥିଲେ। ପରବର୍ତ୍ତୀ ସମୟରେ, ସାଗରର ଲହଡ଼ି ଆସି ପଥର ପରେ ପଥର ଟାଣିନେଲା, କିନ୍ତୁ ବିନ୍ଧାଣୀର ସ୍ୱପ୍ନକୁ ଭାଙ୍ଗି ପାରିଲା ନାହିଁ।
ମହାନଦୀର ନରାଜ ଘାଟରୁ ବଙ୍ଗୋପସାଗର। ବଙ୍ଗୋପସାଗର ବକ୍ଷ ଚିରି, ମାସ ମାସ, ପାଲ ଭିଡ଼ି, ଆହୁଲା ଟାଣି, ଦିନର ଖରା ଆଉ ରାତିର ଅନ୍ଧାର ଭେଦି ଯେଉଁ ଓଡ଼ିଆ ବଣିକ ଜାଭା ସୁମାତ୍ରା ପାରି କରୁଥିଲା, ସେ ଯଦି ସଫଳତା ଆଉ ବିଫଳତାର ତର୍ଜମାରେ ପଡ଼ିଯାଇଥାନ୍ତା, ଆମେ ଆଜି ବାଲିଯାତ୍ରାର ସମାରୋହ ଦେଖୁ ନଥାନ୍ତେ।
ସ୍ୱପ୍ନ ଦେଖିବାର କ୍ଷମତା ହାସଲ କରିବାକୁ ହେଲେ ଆଉ ଗୋଟିଏ ଗୁଣକୁ ନିଜର କରିବାକୁ ହୁଏ। ଭବିଷ୍ୟତ ମାତ୍ରେ ଅନାଗତ। ଜନମାନସର ଶବ୍ଦକୋଷରେ ଅନାଗତ ଶବ୍ଦର ଅର୍ଥ, ଅଧିକାଂଶ ସମୟରେ, ଯାହା ଅସମ୍ଭବ ମାତ୍ର। ସମାଜର ତଥାକଥିତ ପୁରୋଧାମାନଙ୍କୁ ବର୍ତ୍ତମାନ ହିଁ ଅଧିକ ସୁହାଇଥାଏ। ବର୍ତ୍ତମାନର ଅସ୍ତିତ୍ୱରେ ତାଙ୍କର ସ୍ୱାର୍ଥ ନିହିତ। ଏଇଥିପାଇଁ, ଯୁଗଯୁଗ ଧରି ନୂତନର ଆହ୍ୱାନ କରିଥିବା ବ୍ୟକ୍ତିକୁ ସମାଜ ବାସନ୍ଦ କରିଥିବାର ଅନେକ ଦୃଷ୍ଟାନ୍ତ ରହିଛି।
ହଜାର ହଜାର ବର୍ଷ ଧରି ମାନବ ଜାତିର ଧାରଣା ଥିଲା, ପୃଥିବୀ ସ୍ଥିର ନିଶ୍ଚଳ ଏବଂ ସୂର୍ଯ୍ୟ ଚନ୍ଦ୍ର ତାହା ଚାରିପଟେ ଘୂରି ବୁଲୁଛନ୍ତି। ଗାଲିଲିଓ ଯେଉଁ ଦିନ କହିଲେ, ପୃଥିବୀ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଛି, ତାଙ୍କୁ ଗଭୀର ସମାଲୋଚନାର ଶିକାର ହେବାକୁ ପଡ଼ିଲା। ତାଙ୍କୁ ସମାଜ ସନ୍ଦେହର ଆଖିରେ ଦେଖିଲା। ତାଙ୍କୁ ବାସନ୍ଦ କରି ଦିଆହେଲା। ମାନବ ଇତିହାସରେ, ଯେବେ ବି କୌଣସି ବ୍ୟକ୍ତି ନୂତନତାର ସନ୍ଦେଶ ଆଣିଛି, ତାହାକୁ ଅନେକ କ୍ଷେତ୍ରରେ ମିଳିଛି ଉତ୍ପୀଡ଼ନ ଏବଂ ଅତ୍ୟାଚାର। ଲୋକପ୍ରିୟତାର ଉପାସକମାନେ ଦୈନନ୍ଦିନ ଲୋକମତ ବାହାରକୁ ଯାଇପାରନ୍ତି ନାହିଁ। ଯିବାର ସାହସ ନ ଥାଏ। ଭବିଷ୍ୟତ୍ର ସ୍ୱପ୍ନ ଦେଖିବାକୁ ଦମ୍ଭ ଦରକାର।
ନିଜ ପାଇଁ ଭିଜନ୍ଟିଏ ଗଢ଼ିବା ଆଉ ଦେଶ, ଜାତି, ସମାଜ ପାଇଁ ସାମଗ୍ରିକ ସ୍ୱପ୍ନଟିଏ ଦେଖିବା ମଧ୍ୟରେ ଗୋଟିଏ ବିରାଟ ତଫାତ ରହିଛି। ବ୍ୟକ୍ତିଗତ ସ୍ୱପ୍ନର ସାଫଲ୍ୟର ଅଧିକାରୀ କେବଳ ମୁଁ। କିନ୍ତୁ ସାମୂହିକ ସ୍ୱପ୍ନର ପରବର୍ତ୍ତୀ ଅଧ୍ୟାୟରେ, ମୋ ପାଇଁ ସ୍ଥାନଟିଏ ନ ରହିବାର ଆଶଙ୍କା ରହିପାରେ। ସାମୂହିକ ସଫଳତାରେ ଯଦି ବ୍ୟକ୍ତି ବିଫଳତା ଆସିଯାଏ, ତେବେ ସ୍ୱପ୍ନଟି ଦୁଃସ୍ୱପ୍ନ ହୋଇପଡ଼େ। ଆମେ ଆଖି ମେଲି ଦେଉ। ବ୍ୟସ୍ତ ହେଇପଡୁ। ଅଚାନକ ସତେ କି ଭୁଲ୍ ଟ୍ରେନ୍ରେ ବସି ଯାଇଛୁ। କିନ୍ତୁ ଆମରି ଭିତରେ ଉତ୍କଳମଣିଙ୍କର ଉଦାହରଣ ରହିଛି, ଯିଏ ଦେଶବାସୀଙ୍କର ଭବିଷ୍ୟତ କାମନା କରି କହିଛନ୍ତି, ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’। ଅନ୍ଧ କବି ଭୀମଭୋଇ କହିଛନ୍ତି, ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ। ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’। ସଂକୀର୍ଣ୍ଣ ସ୍ୱାର୍ଥ, ଉତ୍ତରଜୀବିତା ଆଉ ଜାତି ପାଇଁ ସ୍ୱପ୍ନ ଦେଖିବା ମଧ୍ୟରେ ରହିଛି ଆକାଶ ପାତାଳର ପାର୍ଥକ୍ୟ।
ଗୋଟିଏ ରାଜ୍ୟ ପାଇଁ ସାମୂହିକ ସ୍ୱପ୍ନ ଦେଖିବା କୌଣସି ଛୋଟ ପର୍ଦ୍ଦାର ବିଷୟବସ୍ତୁ ନୁହେଁ। ସେଇ ସ୍ୱପ୍ନଟି ହିଁ ଯଥାର୍ଥ, ଯାହା ବଡ଼ ପର୍ଦ୍ଦାର, ବିସ୍ମୟକର ଭବିଷ୍ୟତ ପାଇଁ ଚିତ୍ରଟିଏ। ସ୍ୱପ୍ନ ସାକାର କରିବାକୁ ଯାଇ ପଥଭ୍ରଷ୍ଟ ହେବାର ସମ୍ଭାବନା ଥାଏ। କ୍ରିଷ୍ଟୋଫର୍ କଲମ୍ୱସ୍ ମଧ୍ୟ ଦିନେ ପଥଭ୍ରଷ୍ଟ ନାବିକ ଥିଲେ। ଆସିବାକୁ ଚାହିଁଥିଲେ ଭାରତବର୍ଷ। ପହଞ୍ଚିଲେ ଆମେରିକା।
ଭବିଷ୍ୟତର ସ୍ୱପ୍ନ ଦେଖିବାକୁ ହେଲେ ସାଂପ୍ରତିକ ସମାଜ ଚେତନାକୁ ପ୍ରଶ୍ନର କାଠଗଡ଼ାରେ ଠିଆ କରାଇବାକୁ ହୁଏ। ସେ ସ୍ୱପ୍ନ ସାକାର କରିବାକୁ ଯେ ସମସ୍ତେ ଆପଣାଛାଏଁ ଚାଲି ଆସିବେ, ତାହା ନୁହଁ। ସେଇଥିପାଇଁ ତ କବିଗୁରୁ ରବୀନ୍ଦ୍ରନାଥ ଠାକୁର ଲେଖି ଯାଇଛନ୍ତି, ‘ଯଦି ତୋର ଡାକ ଶୁନେ କେଉ ନ ଆସେ, ତବେ ଏକଲା ଚଲୋରେ’। ସ୍ୱପ୍ନକୁ ସାକାର କରିବାକୁ ଗୋଟିଏ ମଣିଷ, ଗୋଟିଏ ପାଦ ଆଗେଇବା ପରେ ହିଁ ସାଧାରଣ ଜନମାନବ ଆଗେଇ ଆସେ, ହାତ ଧରେ, ଅଣ୍ଟାଭିଡ଼େ ଆଉ ସେଇ ସାଧାରଣ ମଣିଷର ବଳରେ ଏକ ଅସାଧାରଣ ଭବିଷ୍ୟତର ବାଟ ଖୋଲିଯାଏ।
ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା
କାଲି ପାଇଁ କଥାଟିଏ: ସ୍ୱପ୍ନର କାରିଗର
ସୁବ୍ରତ ବାଗ୍ଚୀ
/sambad/media/post_attachments/wp-content/uploads/2024/02/fhsfhsfhhfhs.jpg)