ମୃତ୍ୟୁ ବେଳକୁ ଗ୍ରୀକ ବୀର ଆଲେକଜାଣ୍ଡରଙ୍କ ବୟସ ହୋଇଥିଲା ମାତ୍ର ତେତିଶ ବର୍ଷ। ପୃଥିବୀକୁ ଅଧିକାର କରିବା ଲାଗି ସେ ଆଦ୍ୟ ତାରୁଣ୍ୟରେ ଦିଗ୍‌ବିଜୟରେ ବାହାରିଥିଲେ। 
କିନ୍ତୁ ଏମିତି କ’ଣ ହେଲା ଯେ ସେ ତାଙ୍କ ଅନ୍ତିମ କ୍ଷଣରେ ବୀତସ୍ଫୃହ ହୋଇ ପାଖ ଲୋକଙ୍କୁ କହି ଦେଇଗଲେ ଯେ ଶ୍ମଶାନକୁ ବୁହା ହେବା ବେଳେ ତାଙ୍କ ଦୁଇ ହାତ ଯେମିତି ବାହାରକୁ ଝୁଲି ରହେ ଏବଂ ଲୋକେ ଦେଖନ୍ତୁ ଯେ ପରିଶେଷରେ ଆଲେକଜାଣ୍ଡର ଖାଲି ହାତରେ ବାହୁଡ଼ିଗଲା! 
ସତ କଥା ହେଲା ଆଲେକଜାଣ୍ଡରଙ୍କ ଚୈତନ୍ୟ ଉଦୟ କରାଇଥିଲେ ଦାର୍ଶନିକ ଡିଓଜିନସ, ଯିଏ ଏକ ପାଗଳ ଭିକାରି ଭଳି ଗୋଟିଏ ନଦୀ କୂଳରେ ରହୁଥିଲେ, କିନ୍ତୁ ଥିଲେ ପରମାନନ୍ଦରେ! ପ୍ରଥମ ଦିଗବିଜୟ ଯାତ୍ରା ଆରମ୍ଭ କଲା ବେଳେ ଆଲେକଜାଣ୍ଡର ତାଙ୍କୁ ଭେଟିଥିଲେ। ସେତିକି ବେଳେ ଡିଓଜିନସ କହିଥିଲେ ଯେ ସମ୍ରାଟ ହୋଇ ବି ତୁମେ ଆହୁରି ଅଧିକ ଚାହୁଛ? ସେଥି ଲାଗି ଦିଗ୍‌ବିଜୟରେ ବାହାରିଛ! ଏହାର ଅର୍ଥ ସବୁ କିଛି ଥାଇ ବି ତୁମ ପ୍ରକୃତରେ ଜଣେ ଭିକାରି ଭଳି। ଏହି କଥା ଆଲେକଜାଣ୍ଡରଙ୍କୁ ଛୁଇଁ ଯାଇଥିଲା। ମୃତ୍ୟୁ ପୂର୍ବରୁ ଆଲେକଜାଣ୍ଡର ଦ୍ବିତୀୟ ଥର ଲାଗି ଦିଗ୍‌ବିଜୟରେ ବାହାରିଲେ। ପୁଣି ଡିଓଜିନସଙ୍କ ସହିତ ସାକ୍ଷାତ। ପୁଣି ସେହି କଥା। ଏଥର ଆଲେକଜାଣ୍ଡର ବିବ୍ରତ ହୋଇଗଲେ। ସେ କହିଲେ- ଏହା ମୋର ଶେଷ ଯୁଦ୍ଧ ଯାତ୍ରା। ଏହା ପରେ ତୁମ କଥା ମାନିବି। ବୋଧହୁଏ ଏଥର ଡିଓଜିନସଙ୍କ କଥା ତାଙ୍କୁ ଭେଦି ଯାଇଥିଲା।
କିନ୍ତୁ ଡିଓଜିନସ କହିଲେ- ଏ ଯାତ୍ରାରୁ କେହି କ’ଣ କେବେ ଫେରେ?
ନିରବରେ ଛିଡ଼ା ହୋଇ ରହିଲେ ଆଲେକଜାଣ୍ଡର। ମେଲାଣି ନେବା ପୂର୍ବରୁ ପଚାରିଲେ- ସତରେ ତୁମର କ’ଣ କୌଣସି ଇଚ୍ଛା ବା କାମନା ନାହିଁ ଡିଓଜିନସ?
ଡିଓଜିନସ କହିଲେ- ଗୋଟିଏ ଇଚ୍ଛା ଅଛି। ସୁନ୍ଦର କଅଁଳ ଖରାରେ ମୁଁ ସେକି ହେଉଥିଲି। ତୁମେ ଛିଡ଼ା ହୋଇ ଛାଇ କରିଦେଇଛ। ଏବେ ଟିକେ ଘୁଞ୍ଚ ଯାଆନ୍ତ କି ମୋ ଉପରେ ଖରା ପଡ଼ନ୍ତା!
ଦିଗ୍‌ବିଜୟ ଯାତ୍ରାରେ ଚାଲିଗଲେ ଆଲେକଜାଣ୍ଡର। କିନ୍ତୁ ଡିଓଜିନସ କହିଥିବା ଭଳି ସେ ଆଉ ଫେରିଲେ ନାହିଁ।