ନିଜ ପଦ ଓ ପ୍ରଭାବର ବ୍ୟବହାର କରି ଝିଅମାନଙ୍କ ସହ ଅସଦ୍‌ ଆଚରଣ କରିବାର ଆରୋପ ଉଠିଛି। କୌଣସି ରାଜନୈତିକ ଦଳର ଖେଳାଳି ଏପରି ଦୋଷାରୋପ କରିନାହାନ୍ତି, ବରଂ କ୍ରୀଡ଼ା ଜଗତ୍‌ର ଖେଳାଳିମାନେ ଏପରି ଅଭିଯୋଗ ଆଣିଛନ୍ତି। ସିଧାସଳଖ ନାମ ନେଇ ସେହି ବ୍ୟକ୍ତିଙ୍କ ମୁହଁ ଉପରେ ସେମାନେ ଅଭିଯୋଗ କରିଛନ୍ତି। ସେହି ମହାଶୟ ହେଉଛନ୍ତି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ। ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ତରର ଏମିତି ଅନେକ ସଂସ୍ଥା ରହିଛି, ଯେଉଁଠି କାହା ବିରୋଧରେ ଅଭିଯୋଗ ଆସୁ ଆସୁ ସଂପୃକ୍ତ ମହାଶୟଙ୍କର ଛୁଟି କରିଦିଆଯାଇଥାଏ। ତା’ ପରେ ମାମଲା ଅଦାଲତକୁ ଯାଏ ଏବଂ ରାୟକୁ ଅପେକ୍ଷା କରାଯାଏ। ଏହା ହେଉଛି ସାଧାରଣ ପ୍ରକ୍ରିୟା, ଯାହାକୁ ଗ୍ରହଣ କରିଥିଲେ ହୁଏତ ମାମଲାଟି ଜଟିଳ ହେବାରୁ ବଞ୍ଚି ଯାଇଥାଆନ୍ତା। ମାତ୍ର, ହେଲା କ’ଣ? ଝିଅମାନେ ଧାରଣା ଦେଇ ଚାଲିଲେ ଏବଂ ଏପଟେ କୋଳାଶ୍ରିତ ଗଣମାଧ୍ୟମ ଘଟଣାକୁ ଏକଦମ ଅନ୍ଧକାରରେ ରଖିଲେ।

Advertisment

ଅଭିଯୋଗକାରୀମାନଙ୍କୁ ପ୍ରତି କ୍ଷେତ୍ରରେ ଭୁଲ୍‌ ଓ ଖରାପ ପ୍ରମାଣିତ କରିବା ଲାଗି ଚେଷ୍ଟା କରାଗଲା। ଭୟଭୀତ ସରକାରଙ୍କ ଭୟଭୀତ ପ୍ରତିନିଧି ପି. ଟି. ଉଷା ଏହି ସମୟରେ ଥରେ ସେହି ଝିଅମାନଙ୍କ ପାଖରେ ପହଞ୍ଚିଗଲେ, ଆଉ ସେଠାରୁ ଏମିତି ଦୌଡ଼ିଲେ ଯେ ଫେରି ଚାହିଁଲେ ନାହିଁ। ତା’ ପରେ ରାଜଧାନୀ ରାଜରାସ୍ତାରୁ ଝିଅମାନଙ୍କୁ ଟାଣି ନିଆଗଲା, ମାଡ଼ ମରାଗଲା, ସେମାନଙ୍କ ଉପରେ ନାନା ପ୍ରକାର ଦୋ‌ଷ ଲଦାଗଲା। ଅଭିଯୁକ୍ତ ଜଣକ ଝିଅମାନଙ୍କୁ ଧମକ ଦେଲେ, ଭଲମନ୍ଦ କରି କହିଲେ। ଗଣମାଧ୍ୟମ ସେମାନଙ୍କୁ ବଦନାମ କରିବାକୁ ଲାଗିଗଲା। କୋଳାଶ୍ରିତ ଗଣମାଧ୍ୟମର ସବୁଠୁ ବଡ଼ ଭୟ ହେଲା ସରକାର ସେମାନଙ୍କୁ କୋଳରୁ ଓହ୍ଲାଇ ଦେବେ! ଏହା ସିଧାସଳଖ ବଳାତ୍କାର ମାମଲା କି ନୁହେଁ କହିବା କଷ୍ଟ, କାରଣ କାହାଣୀ ତ ସେତେବେଳେ ସାମନାକୁ ଆସିବ ଯେତେବେଳେ ତାହା ଖୋଲିବାକୁ ଅନୁମତି ମିଳିବ! ସରକାର ଆଖି-କାନ ବନ୍ଦ କରି ଦେଇଛନ୍ତି ଏବଂ ଏପରି କୌଶଳ ଚଲାଇଛନ୍ତି ଯେ ଝିଅମାନଙ୍କର ଶକ୍ତି ଶେଷ ହୋଇଯିବ। ଏପରି କାହିଁକି ହେଉଛି?

ଏଇଥିପାଇଁ ଯେ, କ୍ଷମତା ଓ ରାଜନୀତି ଦୁଇଟି ଯାକ ହେଉଛି ଏଇ ସରକାରଙ୍କ ପ୍ରତିଟି ପଦକ୍ଷେପର ମୂଳାଧାର। ସେଥିପାଇଁ ଖେଳାଳି ଖେଳରେ ଜିତନ୍ତୁ କି ନେତା ନିର୍ବାଚନରେ, ପ୍ରତ୍ୟେକଟିରେ ନିଜର ଭାଗୀଦାରିକୁ ସୁନିଶ୍ଚିତ କରାଯାଇଥାଏ। ପ୍ରଧାନମନ୍ତ୍ରୀ ତାଙ୍କୁ ନିଜ ପାଖକୁ ଡକାଇ ନିଜର ବଡ଼ପଣ ଦେଖାଇବାରେ କେବେ ଅବହେଳା କରନ୍ତି ନାହିଁ। ଭୂରି ଭୂରି ସେମାନଙ୍କ ପ୍ରଶଂସା ଗାନ କରାଯାଏ। କିନ୍ତୁ ଯେତେବେଳେ ଦିଲ୍ଲୀ କିମ୍ବା କର୍ଣ୍ଣାଟକରେ ନିର୍ବାଚନରେ ପରାଜୟ ଘଟିଥାଏ ଅଥବା ମହିଳା ଖେଳାଳିମାନେ ନିଜ ଅସୁବିଧା ସମ୍ପର୍କରେ ଅଭିଯୋଗ କରନ୍ତି, ସେତିକି ବେଳେ ସେହି ପ୍ରଶଂସା ଗାନକାରୀମାନେ ଏକଦମ ନିରବ ରହନ୍ତି। ସେତେବେଳେ ଜଣାପଡ଼େ ସତେ ଯେମିତି ପ୍ରଧାନମନ୍ତ୍ରୀ ଅନ୍ୟ ଏକ ଗ୍ରହର ପ୍ରାଣୀ, ଯାହାଙ୍କ ପାଖରେ ଏଠାକାର ପବନ ବି ପହଞ୍ଚି ପାରୁନାହିଁ।
କୁସ୍ତି ଯୋଦ୍ଧାମାନେ ଜାଣନ୍ତି ନାହିଁ ଯେ ରିଙ୍ଗ୍‌ର କୌଶଳ ଓ ରାଜନୀତିର କୌଶଳ ମଧ୍ୟରେ ଏକ ମୌଳିକ ପାର୍ଥକ୍ୟ ରହିଛି। ତେବେ ଖେଳ ଖେଳରେ ଖେଳ ମନ୍ତ୍ରୀ ପାଲଟିଥିବା ଅନୁରାଗ ଠାକୁରଙ୍କୁ ବି ଏ କଥା ଜଣାନଥିଲା ଯେ ରାସ୍ତାରେ ସ୍ଲୋଗାନ ଦେବା ଏବଂ ଗମ୍ଭୀର ଆଲୋଚନାରେ ଭାଗ ନେବା ମଧ୍ୟରେ ପାର୍ଥକ୍ୟ କ’ଣ! ତେଣୁ ସ୍ଥିତି ଦୟନୀୟ ହୋଇପଡ଼ିଲା। କୁସ୍ତି ଯୋଦ୍ଧାମାନଙ୍କୁ ମାଡ଼ ମାରି ଜନ୍ତର-ମନ୍ତରରୁ ତଡ଼ି ଦିଆଯିବା ପରେ ସେମାନଙ୍କୁ ‘ଖାପ’ର ଜାଲରେ ପକାଇବାକୁ ନରେଶ ଟିକାୟତଙ୍କୁ ଅଣାଗଲା। ନରେଶ ଟିକାୟତଙ୍କର ସ୍ଥାନ କୋଉଠି? ନା କୃଷକମାନଙ୍କ ପାଖରେ ନା ସଂଗଠନରେ! ସେହି ମୂଳବିହୀନ ବ୍ୟକ୍ତିଙ୍କୁ ଗୋପନରେ ଗୃହମନ୍ତ୍ରୀଙ୍କ ଦରବାରରେ ଛିଡ଼ା କରାଗଲା। ଗଙ୍ଗା କୂଳରୁ ଉଠି ନରେଶ ଟିକାୟତଙ୍କୁ ଅନୁସରଣ କରି ଗୃହମନ୍ତ୍ରୀଙ୍କୁ ଭେଟିବାରେ କୁସ୍ତିଯୋଦ୍ଧାଙ୍କ ଯୁକ୍ତି ଯାହା ବି ହେଉ; ତାହାକୁ ଗୁପ୍ତ ରଖାଗଲା କାହିଁକି? ଏପରିକି କୁସ୍ତି ଯୋଦ୍ଧାମାନେ ଗୃହମନ୍ତ୍ରୀଙ୍କ ଆଗରେ ଯାହା କହିଲେ ଏବଂ ତାଙ୍କ ଠାରୁ ଯାହା ସବୁ ଶୁଣିଲେ, ସେ କଥା ମଧ୍ୟ ଏ ଯାଏ ପ୍ରକାଶ କରିନାହାନ୍ତି। କିନ୍ତୁ ଆମେ ଜାଣିବାକୁ ପାଇଛୁ ଯେ ଗୃହମନ୍ତ୍ରୀ ସମସ୍ତଙ୍କୁ ଅନୁରାଗ ଠାକୁରଙ୍କ ପାଖକୁ ପଠାଇ ଦେଇଥିଲେ, ଯେଉଁଠାରୁ ବହୁତ ଅପମାନଜନକ ଭାବେ ସେମାନଙ୍କୁ ବିଦା କରାଯାଇଥିଲା। ତେଣୁ ଦେଶବାସୀଙ୍କୁ ବୁଝାଇବା ଲାଗି ଉଦ୍ୟମ କରାଯାଉଛି ଯେ ସେମିତି କିଛି ଘଟିନାହିଁ, ଝିଅମାନେ ଅଯଥାରେ ତିଳକୁ ତାଳ କରି ବିବାଦ ସୃଷ୍ଟି କରୁଛନ୍ତି! ବାହାରୁ ଯେଉଁ ଛୋଟମୋଟ କଥାଗୁଡ଼ିକ କାନରେ ପଡୁଛି, ସେଥିରୁ ବୁଝା ପଡୁଛି କି ବ୍ରିଜଭୂଷଣ ଶରଣ ସିଂହଙ୍କ କାର୍ଯ୍ୟକାଳ ଏବେ ସରିବାକୁ ବସିଛି। ଏମିତି ତ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଶାସନରେ ତାଙ୍କ ବ୍ୟତୀତ ଆଉ କାହାର କାର୍ଯ୍ୟକାଳ ଅସୀମ ନୁହେଁ! ସେଥିପାଇଁ ବ୍ରିଜଭୂଷଣଙ୍କୁ ଇସାରା କରାଯାଇଥିଲା ଯେ ଆସନ ଖାଲି କରିଦିଅ। ନା ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ, ନା କ୍ଷମା ମାଗିବାକୁ ପଡ଼ିବ, ନା ତାଙ୍କ ବିରୋଧରେ ମକଦ୍ଦମା ଚାଲିବ ନା ତାଙ୍କୁ ଗିରଫ କରାଯିବ! ମାମଲାକୁ ଏମିତି ଢଙ୍ଗରେ ନିଆଗଲା ଯେମିତି କି କିଛି ଗୋଟେ ଭୁଲ୍‌ ବୁଝାମଣା ହୋଇଥିଲା ଯାହା ପ୍ରଧାନମନ୍ତ୍ରୀଙ୍କ ଇସାରାରେ ଦୂର ହୋଇଗଲା। ମହିଳାମାନଙ୍କ ଶାରୀରିକ ଶୋଷଣରେ କ’ଣ ଅଛି! ସେଭଳି ଅଭିଯୋଗ ତ ନିତିଦିନିଆ କଥା। କୁସ୍ତି ସଂଘରେ ବ୍ରିଜଭୂଷଣଙ୍କ ସମ୍ପର୍କୀୟମାନେ ଜୋକ ପରି ଲାଗି ରହିଥିବା ଦେଖାଯାଏ। କୁହାଗଲା ଯେ ସଂଘର ନିର୍ବାଚନରେ ସେମାନଙ୍କ ମଧ୍ୟରୁ କେହି ଛିଡ଼ା ହେବେ ନାହିଁ। ଏବେ ଦେଖନ୍ତୁ, ସେମାନେ ସମସ୍ତେ ଦଳର କେତେ ଅନୁଶାସିତ ସୈନିକ, ପ୍ରଧାନମନ୍ତ୍ରୀଙ୍କ ପ୍ରତି କେତେ ଉତ୍ସର୍ଗୀକୃତ ଭକ୍ତ, ଯିଏ ଏକ ସାମାନ୍ୟ ଇସାରାରେ ନିଜର ସମଗ୍ର ସାମ୍ରାଜ୍ୟକୁ ଛାଡ଼ିଦେଲେ! ତାଙ୍କ ଭଳି ବ୍ୟକ୍ତିଙ୍କ ବିରୋଧରେ ଝିଅମାନେ କିପରି ଗର୍ହିତ ଅଭିଯୋଗ କରିପାରୁଛନ୍ତି! ତେବେ ମନ ଦୁଃଖ ନାହିଁ, ଆମରି ଝିଅ ତ! ସେମାନେ କୁପଥରେ ଚାଲିଯାଇଥିଲେ ବୋଲି କ’ଣ ତାଙ୍କୁ ଘରକୁ ଫେରାଇ ନିଆଯିବ ନାହିଁ! ଭାରତୀୟ ସଂସ୍କୃତି ବୋଲି କିଛି ତ ଅଛି! ମାମଲାକୁ ସେଇଠି ସାରିଦେବା ଦରକାର।

କୁସ୍ତି ଯୋଦ୍ଧା ଝିଅମାନେ ଏବେ କ’ଣ କରିବେ? ଏଇ ଆଖଡ଼ାରେ ପରାସ୍ତ ହେବା ପରେ ସେମାନେ ସେଇ ଆଖଡ଼ାକୁ କ’ଣ ଫେରିଯାଇ ପାରିବେ? କିଏ ସେମାନଙ୍କୁ ଫେରିବାକୁ ଦେବ? ସେଇ ଅନୁରାଗ ଠାକୁରଙ୍କ ଠାରୁ ତ ଅନୁମତି ନେବାକୁ ପଡ଼ିବ। ସେଇ ମେରି କମ୍‌ ବା ପି.ଟି. ଉଷାଙ୍କ ସୁପାରିସ ଦରକାର ହେବ। ତେଣୁ ସେମାନଙ୍କ ପାଇଁ ଉଭୟ ଆଖଡ଼ା ବନ୍ଦ ହୋଇଗଲା। ଯେଉଁମାନେ ସମାଜରେ ଖେଳିବାର କୌଶଳ ଜାଣନ୍ତି ନାହିଁ, ସେମାନଙ୍କୁ ସର୍ବଦା ଏପରି ପରାସ୍ତ ହେବାକୁ ପଡ଼ିଥାଏ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ