ଗୋଟିଏ ତରୁଣ ମିଠା

ଶୁଭ୍ରାଂଶୁ ପଣ୍ଡା

ମିଠା କଥା ପଡ଼ିଲେ ଉତ୍ତରକୁ ଆଉ ପିଠା କଥା ପଡ଼ିଲେ ଦକ୍ଷିଣକୁ ଅନାଉଥିବା ଖାଦ୍ୟ ରସିକମାନେ ସମ୍ଭବତଃ ଜାଣନ୍ତିନାହିଁ ଯେ ଶହଶହ ବର୍ଷ ଧରି ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମଣୋହିରେ ଶହେ ପ୍ରକାର ପିଠା ଆଉ ମିଠା ଖାଇ ଆସୁଛନ୍ତି। ଆମ ପରମ୍ପରା ସହ ମିଠା ଆଉ ପିଠାର ସମ୍ପର୍କ କାହିଁ କେତେ କାଳର। ଆମର ପ୍ରତିଟି ପର୍ବପର୍ବାଣି ଭିନ୍ନ ଭିନ୍ନ ମିଠା ଆଉ ପିଠା ସହ ସଂପୃକ୍ତ। ତେବେ ଛେନାପୋଡ଼ କୌଣସି ପର୍ବପର୍ବାଣି ସହ ଆଦୌ ଜଡ଼ିତ ନୁହେଁ। ଏହାର ପ୍ରସ୍ତୁତି ଶୈଳୀରୁ ଏହା ଏକ ପିଠା ଭଳି ଜଣାପଡ଼ୁଥିବା ବେଳେ ସ୍ବାଦ ଦୃଷ୍ଟିରୁ ଏହା ମିଠା ତାଲିକାରେ ବି ଶୋଭାପାଏ। ସବୁଠୁ ତରୁଣ ମିଠା ‘ଛେନାପୋଡ଼’ ପାଇଁ ଆମ ପାଞ୍ଜିରେ ସିନା ତିଥିଟିଏ ନାହିଁ, କିନ୍ତୁ ଉତ୍ସାହୀ ଖାଦ୍ୟ ରସିକ ଏହା ପାଇଁ ତାରିଖଟିଏ ଧାର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ଠାରୁ ଏପ୍ରିଲ ୧୧ ତାରିଖକୁ ‘ଛେନାପୋଡ଼ ଦିବସ’ ଭାବେ ପାଳନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଉତ୍ସାହ ଓ ଆବେଗର ଏକ ଆନ୍ଦୋଳନ ଦାନା ବାନ୍ଧିଛି।

ଛେନାପୋଡ଼ ପ୍ରଥମେ କେଉଁ ତାରିଖରେ ତିଆରି ହୋଇଥିଲା ସେ ନେଇ କାହା ପାଖରେ କିଛି ତଥ୍ୟ ନାହିଁ। ତେବେ ଏହାର ସ୍ରଷ୍ଟା ଭାବେ ପରିଚିତ ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ମିଷ୍ଟାନ୍ନ ବ୍ୟବସାୟୀ ସୁଦର୍ଶନ ସାହୁଙ୍କର ଜନ୍ମ ହୋଇଥିଲା ୧୯୩୦ ମସିହା ଏପ୍ରିଲ ୧୧ ତାରିଖରେ। ମାତ୍ର ୧୭ ବର୍ଷ ବୟସରେ ନୟାଗଡ଼ର ଦଶପଲ୍ଲା ବଜାରରେ ସେ ଏକ ଛୋଟ ଜଳଖିଆ ଦୋକାନ ଆରମ୍ଭ କରିଥିଲେ ଯାହା ପରେ ନୟାଗଡ଼କୁ ସ୍ଥାନାନ୍ତରିତ ହୋଇଥିଲା। ନିଜ ଦୋକାନରେ ଅଜାଣତରେ ବେଶ୍‌ ଆକସ୍ମିକ ଭାବେ ସେ ଛେନାପୋଡ଼ର ଉଦ୍ଭାବନ କରିଥିଲେ। ଦିନେ ମିଠା ପାଇଁ ବ୍ୟବହୃତ ହେବାକୁ ଥିବା କିଛି ବଳକା ଛେନା ନଷ୍ଟ ନ ହେବା ପାଇଁ ସେ ଗୁଡ଼ ଗୋଳାଇ ଚୁଲି ଉପରେ ରଖି ଦେଇଥିଲେ। ମୂଷା, ଅସରପା ଆଦିଙ୍କ ହାବୁଡ଼ରୁ ରକ୍ଷା କରିବା ପାଇଁ ଏହି ଛେନାକୁ ଶାଳପତ୍ରରେ ଗୁଡ଼ାଇ ପାତ୍ର ଭିତରେ ରଖି ଢାଙ୍କୁଣି ଘୋଡ଼ାଇ ଦେଇଥିଲେ ଓ ଉପରେ ଅଧାଜଳା କାଠଖଣ୍ଡେ ଥୋଇ ଦେଇଥିଲେ। ପରଦିନ ସକାଳେ ଆସି ଦୋକାନ ଖୋଲିବା ବେଳକୁ ସୁଦର୍ଶନ ଦେଖନ୍ତି- ତଳୁ ଚୁଲି ପାଉଁଶ ନିଆଁ ଓ ଉପରୁ ତତଲା ଢାଙ୍କୁଣିର ଚାପରେ ଗୁଡ଼ଗୋଳା ଛେନାତକ ଦରପୋଡ଼ା ହୋଇଯାଇଛି। ଛେନାତକ ନଷ୍ଟ ହେଲା ଭାବି ସେ ଫିଙ୍ଗିଦେବା ଆଗରୁ ଖଣ୍ଡେ ଆଣି ପାଟିରେ ଦେଇ ଦେଖନ୍ତି ତ ବେଶ୍‌ ସୁଆଦିଆ ଲାଗୁଛି।
ଛେନାରୁ ଆକସ୍ମିକ ଭାବେ ପ୍ରସ୍ତୁତ ଏ ମିଠା ପ୍ରତି ସୁଦର୍ଶନଙ୍କ ଆଗ୍ରହ ବଢ଼ିଲା ଓ ସେ ପରଦିନ ଉପରେ ଓ ତଳେ ରଡ଼ନିଆଁ ଦେଇ ପୁଣି ଘରକୁ ଚାଲିଗଲେ। ଏଥର ଆସିବାବେଳକୁ ଛେନାପୋଡ଼ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇ ରହିଥିଲା। ବାରମ୍ବାର ପରୀକ୍ଷାନିରୀକ୍ଷା ପରେ ଶେଷରେ ନିଜର ଗ୍ରାହକଙ୍କ ପାଇଁ ପୋଡ଼ା ଛେନାର ଏ ନୂଆ ଦରବଟି ପରଶିଦେଲେ ସୁଦର୍ଶନ। ଗୁଡ଼ ବଦଳରେ ସେ ଏଥିରେ ଚିନି ବ୍ୟବହାର କଲେ। ଛେନାଗଜା, ରସଗୋଲା ଆଦି ମିଠା ଖାଇବାରେ ପୂର୍ବରୁ ଅଭ୍ୟସ୍ତ ଓଡ଼ିଆଙ୍କର ଏ ମିଠା ପ୍ରତି ଆଗ୍ରହ ବଢ଼ିଲା। ନୟାଗଡ଼ର ସୀମା ଡେଇଁ ଏ ମିଠା ଦେଶ ଓ ବିଦେଶରେ ପହଞ୍ଚିଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓଡ଼ିଶା ଗସ୍ତ ସମୟରେ ଏ ମିଠା ଖାଇ ଏହାର ପ୍ରଶଂସାରେ ଶତମୁଖ ହୋଇଥିଲେ। ନୟାଗଡ଼ ଆସିଲେ ଅଥବା ସେଇବାଟ ଦେଇ ଯିବାବେଳେ ଖାଦ୍ୟପ୍ରେମୀ ବିଜୁ ପଟ୍ଟନାୟକ ସୁଦର୍ଶନଙ୍କ ଛେନାପୋଡ଼ ଖାଇବାର ଲୋଭ ସମ୍ବରଣ କରିପାରୁ ନ ଥିଲେ।

ଗୋଟିଏ ଭୁଲ୍‌ରୁ ଜନ୍ମ ନେଇଥିବା ଏ ମିଠା ଯେ ଖୁବ୍ କମ୍‌ ସମୟ ମଧ୍ୟରେ ଏତେ ସୁଆଦିଆ ଓ ଲୋକପ୍ରିୟ ହୋଇପାରେ, ଏହା ସୁଦର୍ଶନ ସାହୁ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। ଆଜି ଓଡ଼ିଶା ବାହାରେ ଓଡ଼ିଆ ଖାଦ୍ୟ ପରଶାଯିବାବେଳେ ରାନ୍ଧୁଣିଆ ଛେନାପୋଡ଼ ତିଆରି କରିବାକୁ ଆଦୌ ଭୁଲନ୍ତିନାହିଁ। ଭାରତ ବାହାରେ ବିଭିନ୍ନ ଖାଦ୍ୟ ପ୍ରଦର୍ଶନୀରେ ମଧ୍ୟ ଭାରତୀୟ ଖାଦ୍ୟଙ୍କ ଭିଡ଼ ଭିତରେ ସଦର୍ପେ ନିଜର ଭିନ୍ନତା ପ୍ରତିପାଦିତ କରିପାରିଛି ଛେନାପୋଡ଼। ନୟାଗଡ଼ର ଏ ତରୁଣ ମିଠାଟି ଓଡ଼ିଶାର ମିଠା ଓ ପିଠା ପରମ୍ପରାକୁ ଏକ ନୂଆ ପରିଚୟ ଦେଇଛି। ଛେନାପୋଡ଼ର ପ୍ରସିଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପରିଚାଳିତ ଦୁଗ୍‌ଧ ଉତ୍ପାଦନକାରୀ ସଂସ୍ଥା ଓମ୍‌ଫେଡ୍‌ ଅଧିକ ଦିନ ରହିପାରୁଥିବା ବାୟୁନିରୋଧୀ ପ୍ୟାକେଟ୍‌ରେ ଛେନାପୋଡ଼ ବିକ୍ରି କରୁଛି। ଓଡ଼ିଶା ଓ ମୁମ୍ବାଇର ଦୁଇଟି ଘରୋଇ ଦୁଗ୍‌ଧ ଉତ୍ପାଦନକାରୀ ସଂସ୍ଥା ମଧ୍ୟ ଛେନାପୋଡ଼କୁ ଦେଶ ଓ ଦେଶ ବାହାରେ ପହଞ୍ଚାଇଛନ୍ତି।

ଓଡ଼ିଆ ଜାତି ଖାଦ୍ୟ ପ୍ରତି ନିଜର ଦୁର୍ବଳତା ପାଇଁ ବେଶ୍‌ ଜଣାଶୁଣା। ଏ ଜାତିର ଦେବତା ଷାଠିଏ ପଉଟି ଆହାର କରନ୍ତି; ପୋଡ଼ ପିଠା ଟିକେ ପେଟକୁ ନ ଗଲେ ତାଙ୍କର ରଥ ଚକ ଗଡ଼େନାହିଁ, ସୁଆଦିଆ ପଣା ହାଣ୍ଡିଏ ଅଧର ନ ଛୁଇଁଲା ଯାଏଁ ସିଏ ଦେଉଳବିଜେକୁ ମନ ବଳାନ୍ତିନାହିଁ, ଅଭିମାନୀ ପତ୍ନୀଙ୍କ ମନ ଜିଣିବାକୁ ସେ ରସଗୋଲା ଧରି ଉଭାହୁଅନ୍ତି, ଚିତାଲାଗି ଅମାବାସ୍ୟାରେ ଚିତଉ ପିଠାଟିଏ ଖାଇବାକୁ ସେ ଟାକି ବସିଥାଆନ୍ତି। ଏମିତି ଜଣେ ଭୋଗ-ସରାଗିଆ ଠାକୁରଙ୍କୁ ମୁଣ୍ଡରେ ବସାଇଥିବା ଓଡ଼ିଆ ଜାତି ପିଠା ଆଉ ମିଠା ଖାଇବା ପାଇଁ ନାନାଦି ବାହାନାର ଭିଆଣ କରିଛି। ସେ ଭିଆଣରେ ଆଜି ଛେନାପୋଡ଼ ଯୋଡ଼ି ହୋଇଛି। ୨୦୧୬ ନଭେମ୍ବର ୨୩ ତାରିଖରେ ଇହଧାମ ତ୍ୟାଗ କରିଥିବା ସୁଦର୍ଶନ ସାହୁଙ୍କ ସ୍ମୃତିରେ ଆରମ୍ଭ ହୋଇଛି ଛେନାପୋଡ଼ ଦିବସ। ଏ ଦିବସ କେବଳ ମାତ୍ର ଏକ ଉତ୍ସବ ମଧ୍ୟରେ ସୀମିତ ନ ହୋଇ ଆନ୍ଦୋଳନରେ ପରିଣତ ହେଉ। ଆମ ଶ୍ରୀମନ୍ଦିରରେ ଲାଗି ହେଉଥିବା ଖଜାକୁ ବିହାର ଓ ରସଗୋଲାକୁ ବଙ୍ଗଳା ନିଜର ବୋଲି ଦାବି କରୁଥିବାବେଳେ ଛେନାପୋଡ଼ର ଭିନ୍ନ ଦାବିଦାର ଏଯାଏଁ ଆବିର୍ଭୂତ ହୋଇନାହାନ୍ତି। ଏହାର ଜିଆଇ ମାନ୍ୟତା ହାସଲ କରିବାକୁ ସରକାରୀ କଳ ଓ ନାଗରିକ ସମାଜ ଉଦ୍ୟମ କରିବା ପାଇଁ ଏହା ହିଁ ଉଚିତ ସମୟ।
(ପ୍ରଥମ ଛେନାପୋଡ଼ ଦିବସ)
ମୋ: ୯୩୩୮୬୫୫୮୪୫

ସମ୍ବନ୍ଧିତ ଖବର