ଭାରତୀୟ ସମ୍ବାଦପତ୍ର ଓ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ବିଖ୍ୟାତ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ବାହାଘରର ଆଖିଝଲସା ସଚିତ୍ର ବିବରଣୀ ଭିତରେ ଲୁଚିଯାଇଥିବା ଗୋଟିଏ କ୍ଷୁଦ୍ର ସମ୍ବାଦ ଅଧିକାଂଶ ପାଠକଙ୍କୁ ଆମୋଦିତ କରିବ। ସେ ଖବରଟି ହେଲା ଗତ ୧୪ ତାରିଖ ରାତିରେ ମୁମ୍ବାଇର ଜଣେ ଚୋର ଗୋଟିଏ ଘରୁ ଟେଲିଭିଜନ ସେଟ୍ ସହ ଆଉ କିଛି ଜିନିଷ ନେଇଯିବା ପରେ ଜାଣିବାକୁ ପାଇଲା ଯେ ସେ ଯୋଉ ଘରୁ ଚୋରି କରିଛି ତାହା ମହାରାଷ୍ଟ୍ରର ବିଖ୍ୟାତ କବି ନାରାୟଣ ସୁର୍ଭେଙ୍କ ଘର। ଏଭଳି ଜଣେ ବଡ଼ ମଣିଷଙ୍କ ଘରୁ ଚୋରି କରିବାର ଅପରାଧ ତା’ ମନରେ ଏମିତି ଗ୍ଳାନିବୋଧ ସୃଷ୍ଟି କଲା ଯେ ସେ ଖଣ୍ଡିଏ ଚିଠି ଲେଖି ଟେଲିଭିଜନ ସେଟ୍ଟି ସହ ଅନ୍ୟାନ୍ୟ ଜିନିଷ ନେଇ ସେଇ ଘରେ ରଖିଦେଇ ଆସିଲା। ମରାଠୀ କବି ନାରାୟଣ ସୁର୍ଭେଙ୍କ ଘରେ ରହୁଥିବା ତାଙ୍କ ଝିଅ ଊଷା ଓ ଜ୍ବାଇଁ ଗଣେଶ ଗାରେ ଘରକୁ ଫେରିବା ପରେ ଏ ଘଟଣା ଲୋକଲୋଚନକୁ ଆସିଲା। ସେମାନେ ଦଶ ଦିନ ପାଇଁ ବାହାରକୁ ଯାଇଥିଲେ। ସେଇ ସୁଯୋଗରେ ଚୋରଟି ତାଙ୍କ ଘରୁ ଜିନିଷ ଚୋରି କରିଥିଲା। ଚୋରଟି ଚିଠିରେ ଲେଖିଥିଲା, ‘‘ମୁଁ ଜାଣି ନ ଥିଲି ଯେ ଏହା କବି ନାରାୟଣ ସୁର୍ଭେଙ୍କ ଘର। ଏବେ ଏଗୁଡ଼ିକ ରଖିଦେଇ ଯାଉଛି। ମୋ କାମ ପାଇଁ ମୁଁ ଖୁବ୍ ଦୁଃଖିତ।’’
ଦଳିତ କବି ନାରାୟଣ ସୁର୍ଭେଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ସେ କୌଣସି ଆନୁଷ୍ଠାନିକ ଶିକ୍ଷା ପାଇ ନ ଥିଲେ ସୁଦ୍ଧା ସାଧନା ବଳରେ ଆପଣାକୁ ପ୍ରତିଷ୍ଠିତ କରିଥିଲେ। ନିଜର ଜୀବନକାଳ ଭିତରେ ସେ ଏତେ ବିଖ୍ୟାତ ହୋଇପାରିଥିଲେ ଯେ ଭାରତ ସରକାର ତାଙ୍କୁ ୨୦୧୦ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ସେହିବର୍ଷ ଅଗଷ୍ଟରେ ତାଙ୍କର ପରଲୋକ ହୋଇଥିଲା। ସେତେବେଳେ ତାଙ୍କୁ ୮୩ ବର୍ଷ। ମରାଠୀ ଦଳିତ ସାହିତ୍ୟରେ ନାରାୟଣଙ୍କ ପ୍ରସିଦ୍ଧି ଅଭୂତପୂର୍ବ। ଏହି କବି ଜଣକ ପିତାମାତା ଛେଉଣ୍ଡ କିଶୋରର ଭାଗ୍ୟ ନେଇ ବଢ଼ିଥିଲେ ଏବଂ ପିଲାଦିନ ମୁମ୍ବାଇ ସହରର ସଡ଼କ-ଗଳିରେ ବିତେଇଥିଲେ। ଜୀବନର ଏହି ସଂଘର୍ଷ ତାଙ୍କୁ ସାଧାରଣ ମଣିଷର ନିକଟବର୍ତ୍ତୀ କରିଥିଲା, ଯାହାର ଅନୁଭବ ତାଙ୍କ କବିତାରେ ଫୁଟି ଉଠିଥିଲା। ଏଭଳି ଜଣେ କବିଙ୍କ ସମ୍ବନ୍ଧରେ ଚୋର ଜଣକ ନିଶ୍ଚୟ କେବେ ନା କେବେ କିଛି ଶୁଣିଥିବ, ଯାହାହିଁ ତା’ର ହୃଦୟ ପରିବର୍ତ୍ତନର କାରଣ।
ଏହି ଖବରଟି ପଢ଼ିବା ବେଳେ କିଛି ମାସ ତଳର ଆଉ ଗୋଟିଏ ଘଟଣା କଥା ମନେ ପଡ଼ିଗଲା। ଆମେରିକାର ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ୍ ମେଡିସିନ୍ର ପ୍ରଫେସର ମିସେସ୍ ରୁଥ୍ ଗଟ୍ସମାନ୍ ସେଠି ଏଭଳି ଏକ ମହତ କାମ କରିଛନ୍ତି ଯାହା ଆଗରୁ କେହି କରି ନ ଥିଲେ। ମିସେସ୍ ଗଟ୍ସମାନ୍ ଏହି ମେଡିକାଲ କଲେଜକୁ ୧ ବିଲିଅନ୍ ଡଲାର୍ ବା ବର୍ତ୍ତମାନର ଭାରତୀୟ ମୂଲ୍ୟରେ ପ୍ରାୟ ୮ ହଜାର ୪ ଶହ କୋଟି ଟଙ୍କା ଦାନ କରିଛନ୍ତି। ତାଙ୍କର ଦାନ ପରିମାଣ ଯେମିତି ଆଖି ଝଲସେଇ ଦେବା ଭଳି ଏକ ସଂଖ୍ୟା, ତାହା ପଛରେ ଥିବା ଉଦ୍ଦେଶ୍ୟ ସେହିଭଳି ହୃଦୟକୁ ଆଲୋକିତ କରିଦେବା ଭଳି ପ୍ରସଙ୍ଗ। ଏହି ଟଙ୍କା ଦାନ ଦେବାର କାରଣ, ସେ ଚାହାନ୍ତି ନ୍ୟୁୟର୍କରେ ପ୍ରତିଷ୍ଠିତ ଏହି ମେଡିକାଲ କଲେଜରେ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀମାନେ ସଂପୂର୍ଣ୍ଣ ମାଗଣାରେ ଡାକ୍ତରୀ ଶିକ୍ଷା ଲାଭ କରିବାର ସୁଯୋଗ ପାଆନ୍ତୁ। ଉଲ୍ଲେଖ ନିଷ୍ପ୍ରୟୋଜନ, ଆଗରୁ ଆମେରିକାର କୌଣସି ବଦାନ୍ୟ ବ୍ୟକ୍ତି କୌଣସି ଏକ ମେଡିକାଲ କଲେଜକୁ ଏତେ ବଡ଼ ପରିମାଣର ଅର୍ଥ ଦାନ ଦେଇ ନ ଥିଲେ। ମିସେସ୍ ଗଟ୍ସମାନ୍ଙ୍କ ଇଚ୍ଛା ମୁତାବକ ଆସନ୍ତା ଅଗଷ୍ଟ ମାସରୁ ଆରମ୍ଭ ହେଉଥିବା ଶିକ୍ଷାବର୍ଷ ପାଖରୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଦେୟମୁକ୍ତ କରାଯାଇଛି। ମିସେସ୍ ରୁଥ୍ ଲେଭି ଗଟ୍ସମାନ୍ଙ୍କର ଜନ୍ମ ୧୯୩୦ରେ। ସେ ଜଣେ ଆମେରିକୀୟ ପ୍ରଫେସର। କିଛିଦିନ ସେ ଏହି ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ୍ ମେଡିସିନ୍ ଟ୍ରଷ୍ଟର ଅଧ୍ୟକ୍ଷା ଥିଲେ। ସେ ବଲଟିମୋର ଫ୍ରେଣ୍ଡସ୍ ସ୍କୁଲରୁ ଓ ପରେ କଲମ୍ବିଆ ବିଶ୍ବବିଦ୍ୟାଳୟରୁ ମନସ୍ତତ୍ତ୍ବରେ ପାଠ ପଢ଼ିବା ପରେ ୧୯୬୮ରେ ଆଲବର୍ଟ ଆଇନଷ୍ଟାଇନ ମେଡିକାଲ କଲେଜରେ ମୂଲ୍ୟାୟନ ଓ ପୁନର୍ବାସନ ବିଭାଗରେ ଯୋଗଦେଇଥିଲେ। ପ୍ରଥମରୁ ତାଙ୍କ ଭିତରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଆଗ୍ରହଟି ଥିଲା। ତାଙ୍କ ସ୍ବାମୀ ଡାଭିଡ ଗଟ୍ସମାନ୍ଙ୍କର ୨୦୨୨ରେ ପରଲୋକ ହୋଇଯାଇଛି ଓ ତାଙ୍କର ତିନିଟି ପିଲା ଅଛନ୍ତି। ସ୍ବାମୀ ଡାଭିଡ ସଂସାରରୁ ବିଦାୟ ନେବା ପୂର୍ବରୁ ତାଙ୍କ ସମସ୍ତ ଜମାରାଶି ଓ ସଂପତ୍ତି ପତ୍ନୀଙ୍କ ନାମରେ ହସ୍ତାନ୍ତର କରିବା ସହିତ ଉଲ୍ଲେଖ କରିଥିଲେ, ମୋ ପତ୍ନୀ ଯେଉଁଭଳି ଭାବେ ଏହି ଅର୍ଥ ବ୍ୟୟ କରିବାକୁ ଚାହିଁବେ ସେ ସେହିଭଳି କରିବେ। ସ୍ବାମୀଙ୍କର ଏହି ଶେଷଇଚ୍ଛାକୁ ପତ୍ନୀ କାର୍ଯ୍ୟରେ ଲଗେଇଛନ୍ତି ଏବଂ କହିଛନ୍ତି, ମୋ ସ୍ବାମୀ ଯେଉଁଠି ଥାଆନ୍ତୁ ନା କାହିଁକି ମୋର ଏ ନିଷ୍ପତ୍ତିରେ ଖୁସି ହେଉଥିବେ। ଆଲବର୍ଟ ଆଇନଷ୍ଟାଇନ ମେଡିକାଲ କଲେଜର ଛାତ୍ରଛାତ୍ରୀମାନଙ୍କ ଆନନ୍ଦ ଏବେ କହିଲେ ନ ସରେ। କର୍ତ୍ତୃପକ୍ଷଙ୍କର ଏ ଘୋଷଣା ଶୁଣୁ ଶୁଣି ସେମାନେ ନାଚି ଉଠିଥିଲେ। ଭାରତ ପରି ଆମେରିକାରେ ମଧ୍ୟ ମେଡିକାଲ ପାଠପଢ଼ା ଏକ ବ୍ୟୟବହୁଳ କାରବାର। ଏ ଦୃଷ୍ଟିରୁ ଟ୍ୟୁସନ ଦେୟ ଛାଡ଼ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଘଟଣା। ଏହି ପରିପ୍ରେକ୍ଷୀରେ ମନକୁ ପ୍ରଶ୍ନ ଆସେ, ମିସେସ୍ ଗଟ୍ସମାନ୍ ଆମେରିକାରେ ଯେଉଁ କାର୍ଯ୍ୟ କଲେ ଭାରତରେ କେହି ସେପରି କାହିଁକି କରୁ ନାହାନ୍ତି? ହୁଏତ ଜଣେ କେହି ଗୋଟିଏ କଲେଜରେ ଏହା ଆରମ୍ଭ କଲେ କ୍ରମେ ଅନ୍ୟ ବଦାନ୍ୟ ବ୍ୟକ୍ତିଗଣ ତାହାକୁ ଅନୁସରଣ କରନ୍ତେ। ଭାରତରେ ଡାକ୍ତରୀ ଶିକ୍ଷା ଦିନକୁ ଦିନ ଅତ୍ୟନ୍ତ ମହଙ୍ଗା ହୋଇଚାଲିଛି। ତାହାର ଅପକାରିତା ମଧ୍ୟ ଭାରତୀୟ ସମାଜ ଭୋଗୁଛି, ଯାହା ସମସ୍ତେ ଜାଣନ୍ତି।
ମୁମ୍ବାଇର ଚୋର ପ୍ରସଙ୍ଗକୁ ଆମେ ଆଉ ଫେରିବାକୁ ଚାହୁଁ ନାହୁଁ। ସେ କିଛି ଦୟା କରିନାହିଁ, ତା’ର ଭୁଲ୍ର ସଂଶୋଧନ କରିଛି। ଯୋଉ ମଣିଷପଣିଆର ଆଲୋକକୁ ତା’ର ଅନ୍ଧକାର ଚେହେରା ଢାଙ୍କି ଦେଇଥିଲା ତାହା ଆଉଥରେ ଜଳି ଉଠିଛି। ମାତ୍ର ଆମେରିକାର ମିସେସ୍ ଗଟ୍ସମାନ୍ଙ୍କ ବିରଳ ବଦାନ୍ୟତା ନିଶ୍ଚୟ ଆମକୁ ଚିନ୍ତା କରିବାକୁ ପ୍ରଣୋଦିତ କରେ। କାହିଁକି ଜଣେ ଜଣେ ବ୍ୟକ୍ତି ଏପରି ବଦାନ୍ୟ ହୋଇଥାଆନ୍ତି, ଯିଏ ନିଜ ପିଲାପିଲି ବା ପରିବାର କଥା ଭୁଲି ନିଜର ସର୍ବସ୍ବ ମଣିଷ ସମାଜ ଲାଗି ଦାନ କରିଦେଇ ଥାଆନ୍ତି? ଏ ଗୁଣଟି ସବୁ ମଣିଷଙ୍କ ଭିତରେ ଥାଏ ନା ଲକ୍ଷ ଲକ୍ଷ ଶାମୁକା ଭିତରୁ କେତୋଟି ଶାମୁକାରେ ମୁକ୍ତା ଥିବା ଭଳି କାହାରି କାହାରି ଭିତରେ ରହିଥାଏ? ଭାରତୀୟ ପୁରାଣରେ କର୍ଣ୍ଣ ଓ ହରିଶ୍ଚନ୍ଦ୍ର ପ୍ରଭୃତି ରାଜାଙ୍କ ଦାନୀପଣିଆ କଥା ଆମେ ପଢ଼ିଛନ୍ତି। ମାତ୍ର ବାସ୍ତବ ଜୀବନରେ ଏଭଳି ବହୁ କମ୍ ଘଟଣା ଆମେ ପ୍ରତ୍ୟକ୍ଷ କରିଛନ୍ତି। ଓଡ଼ିଶା କ୍ଷେତ୍ରରେ ତ ଏହା ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ। (ଅବଶ୍ୟ ଓଡ଼ିଶାର ସୁବ୍ରତ ବାଗ୍ଚୀ ଓ ସୁସ୍ମିତା ବାଗ୍ଚୀ ଓଡ଼ିଶାରେ ହସ୍ପିଟାଲ୍ ଓ ଅନ୍ୟାନ୍ୟ ଅନୁଷ୍ଠାନ ପ୍ରତିଷ୍ଠା ଲାଗି ପ୍ରାୟ ୫୦୦ କୋଟି ଦାନ କରିବା ଏକ ବିରଳ ବ୍ୟତିକ୍ରମ।)
ସାଧାରଣ ମଣିଷ ଓ ଦାନୀ ମଣିଷଙ୍କ ଭିତରେ ଗୋଟିଏ ମୌଳିକ ପାର୍ଥକ୍ୟ ଥାଏ। ସାଧାରଣ ମଣିଷ ପ୍ରଥମେ ନିଜ ସୁଖ, ସୁବିଧା, ସ୍ବାଚ୍ଛନ୍ଦ୍ୟ ଆଦିର କଥା ଭାବିଥାନ୍ତି। ନିଜର ଭଲମନ୍ଦକୁ ଗୁରୁତ୍ବ ଦେଇଥାନ୍ତି। ଦୟାର୍ଦ୍ର ମଣିଷ ଅନ୍ୟମାନଙ୍କର ସୁଖ ଦୁଃଖକୁ ଅଗ୍ରାଧିକାର ଦେଇଥାଅାନ୍ତି। ଏମିତି ଦେଖିବାକୁ ଗଲେ କେବଳ ଯେ ମଣିଷ ଭିତରେ ଅନ୍ୟର କଥା ଚିନ୍ତା କରିବାର ଆଗ୍ରହ ଥାଏ ତାହା ନୁହେଁ। କେତେକ ପକ୍ଷୀ, ମହୁମାଛି, ମୂଷା ଓ ସିଂପାଞ୍ଜିଙ୍କ ଭିତରରେ ମଧ୍ୟ ଅନ୍ୟକୁ ସାହାଯ୍ୟ କରିବାର ଗୁଣ ଦେଖିବାକୁ ମିଳିଥାଏ। ତେବେ ମଣିଷ କ୍ଷେତ୍ରରେ ଏହି ଗୁଣ ଅଧିକ ଦେଖିବାକୁ ମିଳେ। ଅନ୍ୟର ଦୁଃଖରେ ଦୁଃଖୀ ହେବା ବା ଅନ୍ୟ ପ୍ରତି ସହାନୁଭୂତି ପ୍ରକାଶ କରିବା ଏକ ସହଜାତ ମାନବିକ ଗୁଣ। ମାତ୍ର ସବୁ ମଣିଷଙ୍କ କ୍ଷେତ୍ରରେ ଏହା ସମାନ ପରିମାଣରେ ଦେଖିବାକୁ ମିଳେ ନାହିଁ। ମଣିଷ ସମାଜରେ ନର, ରାକ୍ଷସ ଓ ଦେବତା ଏପରି ତିନି ପର୍ଯ୍ୟାୟର ପ୍ରାଣୀ ଦେଖାଯାଆନ୍ତି। ଯିଏ ନିଜେ ବଞ୍ଚେ ଓ ଅନ୍ୟମାନଙ୍କୁ ବଞ୍ଚିବାକୁ ଦିଏ ସିଏ ସାଧାରଣ ମଣିଷ। ଯିଏ ଭାବେ କେବଳ ସେ ବଞ୍ଚିବ ଏବଂ ତା’ ପାଇଁ ପ୍ରୟୋଜନ ହେଲେ ଅନ୍ୟମାନେ ପଛେ ମରନ୍ତୁ, ସେ ମଣିଷ ରୂପରେ ଥିଲେ ମଧ୍ୟ ପ୍ରକୃତରେ ରାକ୍ଷସ। ଆଉ ଯେଉଁମାନେ ବିଚାର କରନ୍ତି ଯେ ସେମାନଙ୍କ ଜୀବନ ପଛେ ନର୍କରେ ପଡୁ ମାତ୍ର ଅନ୍ୟମାନେ ଉଦ୍ଧାର ପାଆନ୍ତୁ, ସେମାନେ ହେଉଛନ୍ତି ଦେବତା ପର୍ଯ୍ୟାୟର। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନେ ଦାନ କରନ୍ତି ସେମାନେ ସୁଖ ଓ ପରିପୂର୍ଣ୍ଣତା ଲାଭ କରନ୍ତି। ଅନ୍ୟ ଦିଗରେ ଲୋଭୀମାନେ ଅସଂପୂର୍ଣ୍ଣ ଦୁଃଖପୂର୍ଣ୍ଣ ଜୀବନ ବଞ୍ଚନ୍ତି। ଦାନୀ ନିରହଙ୍କାର ହେବା ଆବଶ୍ୟକ, ନ ହେଲେ ତାହା ଲୋକଦେଖାଣିଆ ହୋଇଥାଏ।
ମଣିଷ ଭିତରେ ଅନ୍ୟାନ୍ୟ ଗୁଣ ପରି ଦାନ କରିବାର ଗୁଣ ପ୍ରଥମେ ପରିବାର ଭିତରୁ ଜଣେ ଶିକ୍ଷା ପାଇଥାଏ। ଜଣେ ବ୍ୟକ୍ତି କିଭଳି ପରିବେଶରେ ଚଳୁଛି, କେଉଁମାନଙ୍କ ସହିତ ବନ୍ଧୁତା ସ୍ଥାପନ କରୁଛି ଏବଂ କି ପ୍ରକାର କଥା ଶୁଣୁଛି ବା ଅଧ୍ୟୟନ କରୁଛି ତାହା ଉପରେ ତା’ର ମାନସିକତା ନିର୍ଭରଶୀଳ। ଭଲ ସଂସର୍ଗ, ଉତ୍ତମ ସାନ୍ନିଧ୍ୟ, ମୂଲ୍ୟବୋଧଭିତ୍ତିକ ସାହିତ୍ୟ ମଣିଷକୁ ଗଢ଼ିବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି। ଆଜି ଯଦି ଭାରତୀୟ ଜୀବନରୁ ସମାନୁଭୂତି, ସହାନୁଭୂତି, କରୁଣା ଇତ୍ୟାଦି ଗୁଣର ହ୍ରାସ ଘଟୁଛି ସେଥିପାଇଁ ଆମର ପରିବାର, ଶିକ୍ଷାବ୍ୟବସ୍ଥା ଓ ସାମାଜିକ ମୂଲ୍ୟବୋଧ ଦାୟୀ। ତାତ୍କାଳିକ ଲାଭ ଓ ଭୋଗର ଆଶା ମଣିଷକୁ ସଂକୀର୍ଣ୍ଣ କରିଦିଏ। ପର ପିଢ଼ିର ଉଚ୍ଚଶିକ୍ଷା ପାଇଁ, ଆଗାମୀ ପ୍ରଜନ୍ମର ସବୁଜ ସମାଜ ପାଇଁ ଅଥବା ପରମ୍ପରାର ସୁରକ୍ଷା ପାଇଁ ନିଜକୁ ନିଃଶେଷ କରିଦେବା ଲାଗି ପ୍ରୟୋଜନ ପଡ଼େ ପ୍ରଶସ୍ତମନା ବିଚାରଧାରା। ସେଥିପାଇଁ ମଣିଷ କଂକ୍ରିଟ ବଣରୁ ଦୂରେଇ ଯାଇ ପ୍ରକୃତିମେଳରେ କିଛି କିଛି ସମୟ ଅତିବାହିତ କରିବା ଦରକାର। ପ୍ରକୃତିର ଗଛଲତା, ନଦୀ, ଝରଣା, ଫୁଲଫଳ ଓ ମହୁମାଛି ଠାରୁ ଆରମ୍ଭ କରି ସୂର୍ଯ୍ୟକିରଣ ଓ ଜ୍ୟୋତ୍ସ୍ନା କୌଣସି ପ୍ରତିଦାନ ଆଶା ନ ରଖି ଆମକୁ ଦାନ ଦେଇ ଚାଲିଛନ୍ତି। ତାହା ମଣିଷ ଅନୁଶୀଳନ କରିବା ଦରକାର। ଯେନତେନ ପ୍ରକାରେଣ, ଅନ୍ୟମାନଙ୍କୁ ପଛକୁ ଠେଲି ଆଗକୁ ବଢ଼ିଯିବା ବା ଶୀର୍ଷରେ ପହଞ୍ଚିବା ହିଁ ଲକ୍ଷ୍ୟ- ଏ କଥା ଶିକ୍ଷା ଦେଉଥିବା ଶିକ୍ଷା ବ୍ୟବସ୍ଥା ଆଦର୍ଶ ମଣିଷ ସୃଷ୍ଟି କରିବ କିଭଳି? ଭାରତରେ ଧନୀ ବହୁତ, ଏଠାରେ ଥିବା ଜଣେ ଜଣେ ଧନୀ ଲୋକଙ୍କ ପାଖେ ଯାହା ସମ୍ବଳ ଅଛି ତାହା ଗୋଟେ ଗୋଟେ ବ୍ଲକ୍ ବା ଜିଲ୍ଲାର ଦାୟିତ୍ବ ନେଇଯାଇପାରିବ। ମାତ୍ର ଭାରତରେ ମିସେସ୍ ରୁଥ୍ ଗୋଟେସମ୍ୟାନଙ୍କ ଭଳି ମହିଳା କାହାନ୍ତି? ସେ ମଧ୍ୟ ଭାବି ପାରିଥାଆନ୍ତେ ଯେ ତାଙ୍କର ତିନିଟି ପିଲା ଅଛନ୍ତି, ସେମାନଙ୍କ ପାଇଁ ଧନସଂପତ୍ତି ରଖିଦେଇ ଯିବେ। ମାତ୍ର ତାଙ୍କ ପରି ଲୋକ ଆଗେ ଅନ୍ୟ କଥା ଭାବନ୍ତି, ପରେ ନିଜ ପିଲାପିଲିଙ୍କ କଥା।
୨୦୨୩ ମସିହାରେ ଭାରତର ଯେଉଁ ବଦାନ୍ୟ ଧନୀ ବ୍ୟକ୍ତିମାନେ ବଡ଼ ପରିମାଣର ଦାନ କରିଥିଲେ ସେମାନଙ୍କର ତାଲିକା ୱେବ୍ସାଇଟ୍ରେ ଉପଲବ୍ଧ। ସେମାନଙ୍କ ମଧ୍ୟରୁ ସବା ଉପରେ ଥିଲେ ଶିବ ନାଦର ଓ ପରିବାର, ସେମାନେ ଦାନ କରିଥିଲେ ୨,୦୪୨ କୋଟି ଟଙ୍କା। ଶିବ ନାଦରଙ୍କ କଂପାନି ହେଉଛି ଏଚ୍ସିଏଲ୍ ଟେକ୍ନଲଜିସ୍। ଉଇପ୍ରୋ କଂପାନିର ଆଜିମ ପ୍ରେମଜୀ ପରିବାର ଦାନ କରିିଥିଲେ ୧,୭୭୪ କୋଟି ଟଙ୍କା। ମୁକେଶ ଅମ୍ବାନୀ ପରିବାରର ଦାନ ପରିମାଣ ଥିଲା ୩୭୬ କୋଟି ଟଙ୍କା। କୁମାର ମଙ୍ଗଳମ ଓ ପରିବାର ଦାନ କରିଥିଲେ ୨୮୭ କୋଟି ଟଙ୍କା, ଗୌତମ ଅାଦାନୀ ପରିବାର ୨୮୫ କୋଟି, ବଜାଜ ପରିବାର ୨୬୪ କୋଟି, ଅନିଲ ଅଗ୍ରଵାଲ ପରିବାର ୨୫୧ କୋଟି, ଇନ୍ଫୋସିସ୍ର ନନ୍ଦନ ନିଲକେନି ଦାନ କରିଥିଲେ ୧୮୯ କୋଟି, ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସାଇରସ୍ ଏ. ପୁନାଵାଲା ଦାନ କରିଥିଲେ ୧୭୯ କୋଟି, ଏବଂ ନନ୍ଦନ ନିଲକେନିଙ୍କ ପତ୍ନୀ ରୋହିଣୀ ନିଲକେନି ଦାନ କରିଥିଲେ ୧୭୦ କୋଟି। ଏହି ତାଲିକାରେ ଟାଟା କଂପାନିର ନାମ ନ ଥିଲେ ମଧ୍ୟ ଟାଟା ଗ୍ରୁପ୍ର ପ୍ରତିଷ୍ଠାତା ଜାମ୍ସେଦଜୀ ଟାଟାଙ୍କୁ ବିଂଶ ଶତାବ୍ଦୀର ସର୍ବୋତ୍ତମ ଦାନବୀର ଭାବରେ ଗ୍ରହଣ କରାଯାଇଥାଏ। ୨୦୨୧ରେ ପ୍ରକାଶିତ ଏଦେଲଗିଭ୍ ଫାଉଣ୍ଡେସନ୍ ଆଣ୍ଡ୍ ହୁରୁନ୍ ରିପୋର୍ଟ ଅନୁସାରେ ଟାଟା ଗ୍ରୁପ୍ର ପ୍ରତିଷ୍ଠାତା ବିଭିନ୍ନ ସମୟରେ ଦାନକୁ ମିଶାଇ ମୋଟ ୮,୨୯,୭୩୪ କୋଟି ଟଙ୍କା ଦାନ କରିଥିଲେ। ବିଲ୍ ଗେଟ୍ସ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଥିଲେ।
ଏକଥା ସମସ୍ତେ ଜାଣନ୍ତି, ଅସମତୁଲ ସମାଜରେ କୌଣସି ବର୍ଗ ସୁଖରେ ରହିପାରନ୍ତି ନାହିଁ। ଦରିଦ୍ରମାନେ କ୍ଷୁଧା ଯୋଗୁଁ ରାତିରେ ଶୋଇପାରନ୍ତି ନାହିଁ। ଦରିଦ୍ରମାନେ ଚେଇଁଛନ୍ତି ଜାଣି ଧନୀମାନେ ଶାନ୍ତିରେ ନିଦ୍ରା ଯାଇପାରନ୍ତି ନାହିଁ। ଅନ୍ୟପକ୍ଷରେ ଯେଉଁମାନେ ସମାଜରୁ ବ୍ୟାଧି, କ୍ଷୁଧା ଓ ନିରକ୍ଷରତା ଦୂର କରିବା ପାଇଁ ସତ୍ମାର୍ଗରେ ଅର୍ଜନ କରିଥିବା ଧନ ଦାନ ଦେଇଚାଲନ୍ତି ସେମାନେ ପ୍ରତିଷ୍ଠା, ଗୌରବ ସହ ସୁଖ ଓ ଶାନ୍ତି ଲାଭ କରିଥାନ୍ତି। ସେମାନଙ୍କୁ ଈଶ୍ବର ଭିନ୍ନ ଭିନ୍ନ ମାର୍ଗରେ ଅର୍ଥ ଯୋଗାନ୍ତି। ଏକ ଭାରତୀୟ କଥା ଅନୁସାରେ ଧରମଦାସ ନାମକ ଜଣେ ଧର୍ମପରାୟଣ ବଦାନ୍ୟ ବ୍ୟକ୍ତି ଥିଲେ ଯିଏ ତାଙ୍କ ପାଖକୁ ସାହାଯ୍ୟ ପାଇଁ ଆସୁଥିବା କାହାରିକୁ ଖାଲି ହାତରେ ଫେରାଇ ଦେଉନଥିଲେ। ତାଙ୍କ ପାଖେ ସବୁବେଳେ ଲୋକଙ୍କ ଭିଡ଼ ରହୁଥିଲା। କ୍ରମେ ସେ କପର୍ଦ୍ଦକଶୂନ୍ୟ ହୋଇଗଲେ, ମାତ୍ର ଲୋକମାନେ ତଥାପି ଆସିବାରେ ଲାଗିଥାନ୍ତି। ଧରମଦାସ ଈଶ୍ବରଙ୍କୁ ପ୍ରାର୍ଥନା କଲେ। ଈଶ୍ବର ସ୍ବପ୍ନାଦେଶ ଦେଲେ, ତୁମେ କାଲି ଗୋଟେ ବୁଢ଼ାକୁ ପାଖ ମନ୍ଦିର ସାମ୍ନା ଗଛମୂଳେ ପାଇବ। ତା’ ପାଖରେ ଗୋଟେ ଲାଠି ଥିବ। ତୁମେ ତାକୁ ସେଥିରେ ପାହାରେ ପକାଇଲେ ସେ ମରିଯିବ। ତା’ପରେ ତା’ର ଦେହ ସୁନା ଗଦା ପାଲଟିଯିବ। ତୁମେ ତାକୁ ଆଣି କାମରେ ଲଗେଇବ। ପରଦିନ ଧରମଦାସ ଯାଇ ମନ୍ଦିର ପାଖ ଗଛମୂଳେ ବୃଦ୍ଧଙ୍କୁ ଦେଖିଲେ। ତାଙ୍କ ପାଖେ ଲାଠିଟିଏ ଥିଲା। ମାତ୍ର ସେ ତାକୁ ଉଠେଇ ବୃଦ୍ଧଙ୍କୁ ପିଟି ପାରିଲେ ନାହିଁ। ଶେଷକୁ ବ୍ୟସ୍ତ ହୋଇ ବୃଦ୍ଧ କହିଲେ, ‘ଅପେକ୍ଷା କରିଛ କ’ଣ? କାମ ସାରି ସୁନାତକ ନେଇଯାଅ।’ ଧରମଦାସ କହିଲେ, ‘ନା, ମୁଁ ପଛେ ଦାନ ନଦେଇ ଦୁର୍ନାମ ମୁଣ୍ଡେଇବି, ଅଧର୍ମ କାମ କରିପାରିବି ନାହିଁ। କ୍ଷମା କରନ୍ତୁ।’ ବୃଦ୍ଧ ଖୁସିରେ ତାଙ୍କ ହାତରେ ସେ ଲାଠି ଓ ବୋହୁଥିବା ଅଖା ଝୁଲା ଧରେଇଦେଇ ଅଦୃଶ୍ୟ ହୋଇଗଲେ। ଧରମଦାସ ଦେଖିଲେ ସେ ଅଖାଟି ସୁନାରେ ଭର୍ତ୍ତି। ଯିଏ ନ୍ୟାୟୋଚିତ ମାର୍ଗରେ ଧନ ଅର୍ଜନ କରି ସମାଜକୁ ଦାନ ଦେଇଚାଲେ ତାକୁ ଈଶ୍ବର ସହାୟତା କରନ୍ତି, ଏହା ଏହି କଥାର ତାତ୍ପର୍ଯ୍ୟ। ଆମେରିକାର ମିସେସ୍ ରୁଥ୍ ଗଟ୍ସମାନ୍ ମଣିଷ ସମାଜ ପାଇଁ ଏକ ଉଜ୍ଜ୍ବଳ ଉଦାହରଣ। ଆଶା ରଖାଯାଉ, ଭାରତୀୟମାନଙ୍କୁ ମଧ୍ୟ ଏଭଳି ଉଦାହରଣ ପ୍ରତ୍ୟକ୍ଷ କରିବାର ଅବକାଶ ଜୁଟିବ।
ମୋ: ୯୪୩୭୦୭୭୨୮୮
ଓଡ଼ିଶା ଡାଏରି: ଉଜ୍ଜ୍ବଳ ଉଦାହରଣ
ଗୌରହରି ଦାସ