‘ଇଣ୍ଡିଆ’ ମେଣ୍ଟ ଦ୍ବାରା ୧୪ ଜଣ ଟିଭି ‘ଆଙ୍କର’ଙ୍କ କାର୍ଯ୍ୟକ୍ରମକୁ ବର୍ଜନ ଘୋଷଣା ଦ୍ବାରା ସୃଷ୍ଟି ହୋଇଥିବା ଅଶାନ୍ତି ଉପରେ ଆମର ମତ ନେବା ଆଗରୁ ପ୍ରାୟ ଶହେ ବର୍ଷ ତଳେ ଲିଖିତ ସହିଦ ଭଗତ ସିଂହଙ୍କ ପରାମର୍ଶ ପଢ଼ିବା ଉଚିତ। ତାହା ହେଲା: ‘ଖବରକାଗଜର ପ୍ରକୃତ କର୍ତ୍ତବ୍ୟ ହେଉଛି- ଶିକ୍ଷା ଦେବା, ଲୋକଙ୍କ ମନରୁ ସଂକୀର୍ଣ୍ଣ ମନୋଭାବ ପରିହାର କରାଇବା, ସାମ୍ପ୍ରଦାୟିକ ଭାବନାକୁ ଦୂର କରିବା, ପାରସ୍ପରିକ ବୁଝାମଣା ବୃଦ୍ଧି କରାଇବା ଏବଂ ଭାରତର ଏକ ସାଧାରଣ ନାଗରିକତା ସୃଷ୍ଟି କରାଇବା। କିନ୍ତୁ ସେମାନେ ଅଜ୍ଞତା ପ୍ରଚାର କରିବା, ସଂକୀର୍ଣ୍ଣ ଚିନ୍ତାଧାରା ପ୍ରସାର କରାଇବା, ସାମ୍ପ୍ରଦାୟିକ ପରିବେଶ ସୃଷ୍ଟି କରି ଲଢ଼େଇ ଝଗଡ଼ା କରାଇବା ଏବଂ ଭାରତର ସାଧାରଣ ନାଗରିକତାକୁ ନଷ୍ଟ କରିବାକୁ ନିଜର ମୂଳ କର୍ତ୍ତବ୍ୟ କରିଦେଇଛନ୍ତି। ଭାରତର ବର୍ତ୍ତମାନ ଅବସ୍ଥା ଅନୁଧ୍ୟାନ କଲାବେଳେ ଆଖିରୁ ଲହୁର ଲୁହ ଝରିବା ଆରମ୍ଭ ହେଉଛି ଏବଂ ମନରେ ପ୍ରଶ୍ନ ଉଠୁଛି କି ‘ଭାରତର କ’ଣ ହେବ?’’ (କୀର୍ତ୍ତି ପତ୍ରିକାର ୧୯୨୮ ଜୁନ୍ ସଂସ୍କରଣରେ ପ୍ରକାଶିତ ଲେଖା)
ଯଦି ଆଜିର ଭାରତୀୟ ଗଣମାଧ୍ୟମକୁ ଭଗତ ସିଂହଙ୍କ ଏହି କଷଟି ପଥରରେ ମପାଯାଏ, ତେବେ ଏହା ଅତ୍ୟନ୍ତ ନିରାଶାଜନକ ହେବ। ଏକ ସାଧାରଣ ରାଷ୍ଟ୍ରୀୟତା ସୃଷ୍ଟି କରିବାର ଦାୟିତ୍ବ ନେବା ତ ଦୂରର କଥା, ଆଜିର ଭାରତୀୟ ଗଣମାଧ୍ୟମ ନିରପେକ୍ଷତା ଓ ବାସ୍ତବତାର ସର୍ବନିମ୍ନ ମାପଦଣ୍ଡ ନିକଟରେ ସୁଦ୍ଧା ପହଞ୍ଚି ପାରିବ ନାହିଁ। ଟିଭି ଚ୍ୟାନେଲଗୁଡ଼ିକର ଅବସ୍ଥା ଏଠାରେ ସବୁଠାରୁ ଖରାପ। ନିକଟରେ ଦେଶର ବରିଷ୍ଠ ସାମ୍ବାଦିକ ଏନ୍. ରାମ କହିଛନ୍ତି ଯେ ଭାରତର ନ୍ୟୁଜ୍ ଟେଲିଭିଜନ୍ ସମଗ୍ର ବିଶ୍ବରେ ସବୁଠାରୁ ଖରାପ ଓ ବିପଦପୂର୍ଣ୍ଣ ବ୍ୟବସାୟରେ ପରିଣତ ହୋଇଯାଇଛି। ବିଶ୍ବର ୧୮୦ ଦେଶରେ ଗଣମାଧ୍ୟମର ସ୍ବାଧୀନତା ମାପୁଥିବା ବିଶ୍ବ ପ୍ରେସ ଫ୍ରିଡମ୍ ଇଣ୍ଡେକ୍ସରେ ଭାରତ ୨୦୧୪ରେ ୧୪୦ତମ ସ୍ଥାନରେ ରହିଥିଲା ବେଳେ ଚଳିତ ବର୍ଷ ୧୬୧ତମ ସ୍ଥାନକୁ ଖସିଆସିଛି, ଯାହା ପାକିସ୍ତାନଠୁ ବି ତଳେ ରହିଛି।
ବିଦେଶର ମୂଲ୍ୟାଙ୍କନ କଥା ଛାଡ଼ି ଦିଆଯାଉ। ସମ୍ପ୍ରତି ଦେଶର ଏକ ଜଣାଶୁଣା ସର୍ବେକ୍ଷଣ ପ୍ରତିଷ୍ଠାନ ସିଏସ୍ଡିଏସ୍ ଦ୍ବାରା ଦେଶର ୨୦୬ ଜଣ ସାମ୍ବାଦିକଙ୍କର ଏକ ଗୋପନୀୟ ସର୍ବେକ୍ଷଣ ହୋଇଥିଲା। ଏଥିରେ ୮୨ ପ୍ରତିଶତ ସାମ୍ବାଦିକ କହିଛନ୍ତି ଯେ, ସେମାନଙ୍କର ଗଣମାଧ୍ୟମ ସଂଗଠନ ନିରପେକ୍ଷ ନୁହେଁ, ବରଂ ଗୋଟିଏ ଦଳକୁ ସମର୍ଥନ କରେ। ଏହା କୌଣସି ଲୁଚାଛପା କଥା ନୁହେଁ। ନିକଟରେ ନିଜ ଚ୍ୟାନେଲ୍ରେ ଜଣେ ବଡ଼ ‘ଆଙ୍କର’ଙ୍କୁ ନିଯୁକ୍ତ କରିବା ପରେ ଜଣେ ଚ୍ୟାନେଲ୍ ମାଲିକ ସାର୍ବଜନୀନ ଭାବେ ଘୋଷଣା କରିଛନ୍ତି କି, ପ୍ରଧାନମନ୍ତ୍ରୀ ଲୋକପ୍ରିୟ ହୋଇଥିବାରୁ ସେ ତାଙ୍କ ଚ୍ୟାନେଲ୍ରେ ମଧ୍ୟ ରାଜୁତି କରିବେ। ନିକଟ ଅତୀତର ସଂପୃକ୍ତ ସାମ୍ବାଦିକଙ୍କ କେତେକ କାର୍ଯ୍ୟକ୍ରମର ଶୀର୍ଷକ ହେଉଛି ଏହିପରି: ‘ଲାଲ କିଲ୍ଲାରୁ ଘୋଷଣା, ମୋଦୀ ଜିତିଲେ ୨୪ର ମଇଦାନ?’, ‘ବିରୋଧୀମାନଙ୍କ ଉପରେ ମୋଦୀଙ୍କ ଆକ୍ରମଣ’, ‘ମୋଦୀଙ୍କ ଯାଦୁରେ ଦୁନିଆ ଚକିତ’... ଇତ୍ୟାଦି ଇତ୍ୟାଦି। ଅନ୍ୟ ଏକ ଚ୍ୟାନେଲ୍ର ମାଲିକ ତଥା ସମ୍ପାଦକ ପ୍ରଧାନମନ୍ତ୍ରୀଙ୍କର ଏକ ସାକ୍ଷାତକାର ନେଲା ପରେ ତାଙ୍କୁ ଏକ ସାର୍ବଜନୀନ ମଞ୍ଚରୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଏବଂ ତାଙ୍କର ଚ୍ୟାନେଲ୍ ମୋଦୀଙ୍କ ସହ ଛିଡ଼ା ହୋଇଥିବେ। ଏଥିରୁ ସ୍ପଷ୍ଟ ଯେ, ନିରପେକ୍ଷତାର ଅଭିନୟ ସୁଦ୍ଧା ଏବେ ଆଉ କରାଯାଉ ନାହିଁ।
ପ୍ରଶ୍ନ ହେଉଛି- ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ? ବିଶେଷ କରି ସେତେବେଳେ ଯେତେବେଳେ ସେମାନଙ୍କ ଉପରେ ଶାସନ କଳର ଆଶୀର୍ବାଦ ରହିଛି। ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ପ୍ରେସ୍ କାଉନ୍ସିଲ ଗଠନ କରାଯାଇଥିବା କଥା କୁହାଯାଉଛି, ମାତ୍ର ତାହା ଏହି ପ୍ରଶ୍ନ ଉପରେ କୌଣସି ପଦକ୍ଷେପ ନେଇପାରୁନାହିଁ। ସମ୍ପାଦକମାନଙ୍କ ସଂଗଠନ ହେଉଛି ଏଡିଟର୍ସ ଗିଲ୍ଡ, କିନ୍ତୁ ଏହାର କୌଣସି କ୍ଷମତା ନାହିଁ। ଟିଭି ତାହାର ଆତ୍ମନିୟନ୍ତ୍ରଣ ପାଇଁ ଇଣ୍ଡିଆନ୍ ବ୍ରୋଡକାଷ୍ଟର ଆଣ୍ଡ୍ ଡିଜିଟାଲ ଆସୋସିଏସନ୍ ନାମରେ ଏକ ସଂଗଠନ କରିଛି। ତାହାର ଅବସ୍ଥା ଏଇଆ ଯେ, ତାହା ଖୋଲାଖୋଲି ଭାବେ ଏହି ଘୃଣା ପ୍ରସାରକାରୀ ଆଙ୍କରମାନଙ୍କ ସପକ୍ଷରେ ବିବୃତି ଦେଉଛି। ଘୃଣା ପ୍ରସାର କରୁଥିବା ଆଙ୍କର ଓ ଚ୍ୟାନେଲ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ଦଳୀୟ ନିରପେକ୍ଷତାକୁ ଜଳାଞ୍ଜଳି ଦେବା ଠାରୁ ବଡ଼ ବିପଦ ହେଉଛି ଦେଶରେ ସାମ୍ପ୍ରଦାୟିକ ଘୃଣା ଓ ହିଂସା ବିସ୍ତାର କରିବାରେ ଟିଭି ଗଣମାଧ୍ୟମର ଭୂମିକା। ଏଠାରେ ପୁଣି ଥରେ ସହିଦ ଭଗତ ସିଂହଙ୍କୁ ସ୍ମରଣ କରିବା ପ୍ରାସଙ୍ଗିକ ହେବ। ସେହି ସମାନ ଆଲେଖ୍ୟରେ ସେ ଲେଖିଛନ୍ତି, ‘ସାମ୍ବାଦିକତାର ବୃତ୍ତି ବହୁତ ଉଚ୍ଚରେ ବୋଲି ଏକଦା ବିବେଚନା କରାଯାଉଥିଲା। ଆଜି ତାହା ଅତ୍ୟନ୍ତ ଦୂଷିତ ହୋଇଯାଇଛି। ସେହି ଲୋକମାନେ ପରସ୍ପର ବିରୋଧରେ ବିରାଟ ବିରାଟ ଶୀର୍ଷକ ଦେଇ ଲୋକଙ୍କ ଭାବନାକୁ ଉସୁକାଉଛନ୍ତି ଏବଂ ପରସ୍ପରର ମୁଣ୍ଡ ଫଟାଫଟି ଚଳାଇଛନ୍ତି। ସ୍ଥାନୀୟ ଖବରକାଗଜ କୌଣସି ବଡ଼ ଲେଖା ଲେଖିବା କାରଣରୁ କେବଳ ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ଅନେକ ସ୍ଥାନରେ ଦଙ୍ଗା ଘଟିଛି।’ ଆଜି ଭଗତ ସିଂହଙ୍କର କଥା ଅନେକ ଟିଭି ଚ୍ୟାନେଲ୍ ଓ ଆଙ୍କରମାନଙ୍କ ପାଇଁ ସଂପୂର୍ଣ୍ଣ ପ୍ରଯୁଜ୍ୟ। ‘ନ୍ୟୁଜ୍ଲଣ୍ଡ୍ରି’ ନାମକ ଏକ ସଂସ୍ଥା ବିଭିନ୍ନ ଟିଭି ଆଙ୍କରଙ୍କ ତିନିମାସର କାର୍ଯ୍ୟକ୍ରମ ଉପରେ ଏକ ଅଧ୍ୟୟନ କରିଥିଲା। ଦେଖାଗଲା କି, ଏହି ଆଙ୍କରମାନଙ୍କ ଭିତରୁ ଅଧିକାଂଶ ଆଙ୍କରଙ୍କ କାର୍ଯ୍ୟକ୍ରମର ପ୍ରାୟ ଅଧାଅଧି ପ୍ରସଙ୍ଗ କେବଳ ହିନ୍ଦୁ-ମୁସଲମାନ ବିବାଦ ଉପରେ ଆଧାରିତ। ଏକ-ଚତୁର୍ଥାଂଶ କାର୍ଯ୍ୟକ୍ରମ ବିରୋଧୀ ଦଳମାନଙ୍କ ଉପରେ ଆକ୍ରମଣ କରିବା ଏବଂ ମାତ୍ର ଏକ-ଚତୁର୍ଥାଂଶ କାର୍ଯ୍ୟକ୍ରମରେ ଦେଶର ଅବଶିଷ୍ଟ ଯାବତୀୟ ପ୍ରସଙ୍ଗଗୁଡ଼ିକୁ ଉତ୍ଥାପନ କରିବାର ଦାୟିତ୍ବ ତୁଲାଇ ଦିଆଯାଇଥିଲା। ହିନ୍ଦୁ-ମୁସଲମାନ ସମ୍ପର୍କ ପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଏହି ଆଙ୍କର ଓ ଚ୍ୟାନେଲ୍ ମାନଙ୍କ ଭାଷା ଏତେ ଅସନ୍ତୁଳିତ ଯେ ତାହା ହିଂସାର ନିଆଁରେ ଘିଅ ଢାଳିବାର କାମ କରିଥାଏ। ପରିସ୍ଥିତି ଏପରି ହେଲା ଯେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କୁ ଏହି ପ୍ରବୃତ୍ତି ନେଇ ଟିପ୍ପଣୀ ଦେବାକୁ ପଡ଼ିଲା, ‘ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ହିଂସା ଉଦ୍ରେକକାରୀ ବୟାନବାଜିର ମଞ୍ଚ ପାଲଟିଛନ୍ତି। ପ୍ରେସ ସ୍ବାଧୀନତା ଗୁରୁତ୍ବପୂର୍ଣ୍ଣ, କିନ୍ତୁ ନୀତି ନିୟମ ବିନା ଟିଭି ଚ୍ୟାନେଲଗୁଡ଼ିକ ଘୃଣା ଭାଷଣର ମାଧ୍ୟମ ପାଲଟିଛନ୍ତି।’
ପ୍ରଶ୍ନ ହେଉଛି- ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ? ବିଶେଷ କରି ସେତେବେଳେ ଯେତେବେଳେ ସେମାନଙ୍କ ଉପରେ ଶାସନ କଳର ଆଶୀର୍ବାଦ ରହିଛି। ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ପ୍ରେସ୍ କାଉନ୍ସିଲ ଗଠନ କରାଯାଇଥିବା କଥା କୁହାଯାଉଛି, ମାତ୍ର ତାହା ଏହି ପ୍ରଶ୍ନ ଉପରେ କୌଣସି ପଦକ୍ଷେପ ନେଇପାରୁନାହିଁ। ସମ୍ପାଦକମାନଙ୍କ ସଂଗଠନ ହେଉଛି ଏଡିଟର୍ସ ଗିଲ୍ଡ, କିନ୍ତୁ ଏହାର କୌଣସି କ୍ଷମତା ନାହିଁ। ଟିଭି ତାହାର ଆତ୍ମନିୟନ୍ତ୍ରଣ ପାଇଁ ଇଣ୍ଡିଆନ୍ ବ୍ରୋଡକାଷ୍ଟର ଆଣ୍ଡ୍ ଡିଜିଟାଲ ଆସୋସିଏସନ୍ ନାମରେ ଏକ ସଂଗଠନ କରିଛି। ତାହାର ଅବସ୍ଥା ଏଇଆ ଯେ, ତାହା ଖୋଲାଖୋଲି ଭାବେ ଏହି ଘୃଣା ପ୍ରସାରକାରୀ ଆଙ୍କରମାନଙ୍କ ସପକ୍ଷରେ ବିବୃତି ଦେଉଛି। ଘୃଣା ପ୍ରସାର କରୁଥିବା ଆଙ୍କର ଓ ଚ୍ୟାନେଲ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ଏଭଳି ପରିସ୍ଥିତିରେ ଗଣମାଧ୍ୟମର ମର୍ଯ୍ୟାଦା ନିର୍ଦ୍ଧାରଣ କରିବାର ଦାୟିତ୍ବ ଜନସାଧାରଣ ଓ ନାଗରିକ ସଂଗଠନମାନଙ୍କୁ ନେବାକୁ ପଡ଼ିବ। ହୁଏତ ରବୀଶ କୁମାରଙ୍କ କଥା ମାନି ଟିଭି ଦେଖିବା ବନ୍ଦ କରିଦେବାକୁ ହେବ କିମ୍ବା ବାଛି ବାଛି ସବୁଠୁ ଘୃଣ୍ୟ ଆଙ୍କର ଓ ଚ୍ୟାନେଲ୍କୁ ବର୍ଜନ କରିବାକୁ ହେବ। ଏହା ଛଡ଼ା ଆଉ କୌଣସି ଉପାୟ ବାକି ନାହିଁ। କୌଣସି ଆଙ୍କର କି କୌଣସି ଚ୍ୟାନେଲ କି କୌଣସି ଦଳର ପରିଣତି କ’ଣ ହେବ, ପ୍ରଶ୍ନ ତାହା ନୁହେଁ। ପ୍ରଶ୍ନଟି ହେଉଛି- ଯାହା ସହିଦ ଭଗତ ସିଂହ ପଚାରିଥିଲେ: ‘ଯଦି ଏହି ଗଣମାଧ୍ୟମକୁ ଏପରି ମୁକ୍ତ ଛାଡ଼ିଦିଆଯାଏ, ତେବେ ଭାରତର ଅବସ୍ଥା କ’ଣ ହେବ?’
ଅଧ୍ୟକ୍ଷ, ସ୍ବରାଜ ଇଣ୍ଡିଆ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/5465465fshsfhfhf.jpg)