୧୯୬୦ ମସିହାର ରୋମ ଅଲିମ୍ପିକ୍ସ ଘଟଣାବହୁଳ ଥିଲା; ଯେମିତି କି ପ୍ରଥମ ଥର ପାଇଁ ଟେଲିଭିଜନ ଜରିଆରେ ଏହି ଖେଳର ସିଧା ପ୍ରସାରଣ କରାଯାଇଥିଲା। ସେମିତି ୧୮ ବର୍ଷ ବୟସରେ ମହମ୍ମଦ ଅଲ୍ଲୀ ମୁଷ୍ଟିଯୁଦ୍ଧରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ, ପାକିସ୍ତାନ ପ୍ରଥମ ହକି ସ୍ବର୍ଣ୍ଣ ପାଇଥିଲା, ଭାରତର ମିଲଖା ସିଂହ ବିଶ୍ୱ ରେକର୍ଡ ଅତିକ୍ରମ କରି ସୁଦ୍ଧା ଚତୁର୍ଥ ସ୍ଥାନରେ ରହିବାକୁ ବାଧ୍ୟ ହୋଇଥିଲେ। ତେବେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ଉଲ୍ଲେଖନୀୟ ଥିଲା କୋଡ଼ିଏ ବର୍ଷ ବୟସ୍କ ପୋଲିଓ ପୀଡ଼ିତ ୱିଲମା ରୁଡ୍ଲଫ ଦୌଡ଼ ପ୍ରତିଯୋଗିତାରେ ତିନିଟି ସ୍ୱର୍ଣ୍ଣ ପଦକ ଜିଣିବା ଏବଂ ବିଶ୍ୱର କ୍ଷିପ୍ରତମ ମହିଳା ଭାବେ ମାନ୍ୟତା ଲାଭ କରିିବା। ପାଞ୍ଚ ବର୍ଷ ବୟସରୁ ୱିଲମା ପୋଲିଓ ଆକ୍ରାନ୍ତ ହୋଇଯାଇଥିଲେ। କିନ୍ତୁ ସାଧନା ବଳରେ ସେ ମାନବ ସାମର୍ଥ୍ୟ ଅତିକ୍ରମୀ ଦୃଷ୍ଟାନ୍ତରେ ପରିଣତ ହୋଇଥିଲେ। ପ୍ରଥେମ, ୧୯୫୬ ମସିହାର ସିଡ୍ନି ଅଲିମ୍ପିକ୍ସରେ ସେ ଭାଗ ନେଇଥିଲେ। ସେହି ଟୁର୍ନାମେଣ୍ଟରେ କୃଷ୍ଣକାୟା ୱିଲମା ଆମେରିକୀୟ ଜାତୀୟ ୪୦୦ ମିଟର ରିଲେ ଦଳର ସଦସ୍ୟ ଭାବେ ବ୍ରୋଞ୍ଜ ପଦକ ପାଇଥିଲା।
ୱିଲମାଙ୍କ ପୂର୍ବରୁ ଅବଶ୍ୟ କେତେକ ଦିବ୍ୟାଙ୍ଗ ଖେଳାଳି ଅଲିମ୍ପିକ୍ସରେ ପ୍ରତିଦ୍ୱନ୍ଦ୍ବିତା କରି ଉତ୍କର୍ଷ ପ୍ରମାଣିତ କରିବା ସହିତ ପଦକ ମଧ୍ୟ ହାସଲ କରିଥିଲେ। ସେମିତି ଜଣେ ଥିଲେ ଜର୍ଜ ଏଇଜର୍, ଯିଏ ବାଲ୍ୟ କାଳରେ ରେଳ ଦୁର୍ଘଟଣାରେ ନିଜର ବାମ ଗୋଡ଼ ହରାଇଥିଲେ। ସେ ଥିଲେ ଜର୍ମାନ୍ ବଂଶୋଦ୍ଭବ ଆମେରିକା ବାସିନ୍ଦା। ଜିମନାଷ୍ଟିକ୍ ପ୍ରତି ତାଙ୍କର ପ୍ରବଳ ଆକର୍ଷଣ ହେତୁ ସେ କୃତ୍ରିମ କାଠ ଗୋଡ଼ ଲଗାଇ ଅଭ୍ୟାସ କରିବାକୁ ଲାଗିଥିଲେ ଏବଂ ୧୯୦୪ ମସିହା ସେଣ୍ଟ ଲୁଇ (ଆମେରିକା) ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ସୁଯୋଗ ପାଇଥିଲେ। ସଫଳତା ସ୍ବରୂପ ତାଙ୍କୁ ମିଳିଥିଲା ଗୋଟିଏ ଦିନରେ ଛଅଟି ସ୍ୱର୍ଣ୍ଣ ପଦକ। ୧୯୦୯ ମସିହା ପର୍ଯ୍ୟନ୍ତ ଅର୍ନ୍ତଜାତୀୟ କ୍ରୀଡ଼ା କ୍ଷେତ୍ରରେ ସେ ସକ୍ରିୟ ରହିଥିଲେ। ପେସାରେ ସେ ଥିଲେ ଜଣେ ଲାଇବ୍ରେରିଆନ୍। ସେମିତି ୧୯୨୮ ମସିହା ଆମ୍ଷ୍ଟର୍ଡାମ୍ (ସ୍ବିଡେନ) ଅଲିମ୍ପିକ୍ସରେ ମୁଷ୍ଟି ଯୁଦ୍ଧରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଇଟାଲୀର କାର୍ଲୋ ଓରଲାଣ୍ଡିଙ୍କ ଶ୍ରବଣ ଶକ୍ତି ନ ଥିଲା। ପ୍ରକାଶ ଥାଉ କି ମୁଷ୍ଟିଯୁଦ୍ଧରେ ଉତ୍ତମ ଶ୍ରବଣ ଶକ୍ତି ଅତ୍ୟାବଶ୍ୟକ, ଯେଉଁ ଅକ୍ଷମତାକୁ ପଛରେ ପକାଇ ସେ ୧୫ ବର୍ଷ କାଳ ପୃଥିବୀର ବିଭିନ୍ନ ଦେଶରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ଶହେ ଥର ବିଜୟୀ ହୋଇଥିଲେ। ସଡ଼କ ଦୁର୍ଘଟଣା ହେତୁ ବାମ ଗୋଡ଼ର ଆଣ୍ଠୁ ତଳକୁ ହରାଇଥିବା ହଙ୍ଗେରୀ ଦେଶର ଅଲିଭର ହାଲାସି ଥିଲେ ନିଜ ଦେଶର ପୋଲୋ ଦଳର ଜଣେ ତାରକା ସଦସ୍ୟ। ସେ ୧୯୨୮ ମସିହାର ହଙ୍ଗେରୀ ଅଲିମ୍ପିକ୍ସରେ ରୌପ୍ୟ ଏବଂ ୧୯୩୨ ଓ ୧୯୩୬ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଥିଲେ। ସେମିତି ଏକ ବୋମା ବିସ୍ଫୋରଣରେ ଡାହାଣ ହାତ ହରାଇଥିବା ହଙ୍ଗେରୀୟ ସୈନିକ କାର୍ଲୋସ ଟ୍ରାକାସ ଥିଲେ ଜଣେ ସୁଦକ୍ଷ ବନ୍ଧୁକ ଚାଳନାକାରୀ। ଡାହାଣ ହାତର ଅନୁପସ୍ଥିତିରେ ଏଣିକି ବାମ ହାତରେ ଅଭ୍ୟାସ କରି ଲକ୍ଷ୍ୟ ଭେଦ କରିବା ତାଙ୍କର ଧ୍ୟେୟ ହୋଇ ଉଠିଲା। ୧୯୪୮ ଓ ୧୯୫୨ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେମିତି ଏକ ଉଦାହରଣ ହେଲେ ପକ୍ଷାଘାତ ଆକ୍ରାନ୍ତ ଡେନମାର୍କ ମହିଳା ଲିସ୍ ହାର୍ଟେଲ୍। ସେ ଘୋଡ଼ା ଦୌଡ଼ର କରାମତି ଦେଖାଇ ୧୯୫୨ ଓ ୧୯୫୬ ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇଥିଲେ। ଶେଷ ପର୍ଯ୍ୟନ୍ତ ସେ କିନ୍ତୁ ନିଜେ ଘୋଡ଼ା ଉପରେ ଚଢ଼ି ବସି ପାରୁ ନ ଥିଲେ କି ଘୋଡ଼ା ପିଠିରୁ ଓହ୍ଲାଇ ପାରୁ ନ ଥିଲେ। ଶ୍ରବଣ ଶକ୍ତି ରହିତ ଯୁକ୍ତରାଷ୍ଟ୍ର ଆମେରିକାର ସନ୍ତରଣକାରୀ ଜେଫରି ଫ୍ଲୋଟ ୧୯୮୪ ମସିହା ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସରେ ଦୁଇ ଶହ ମିଟର ରିଲେ ଦଳର ସଦସ୍ୟ ଭାବେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ। ସେମିତି ଡାହାଣ ହାତ ବିନା ଜନ୍ମ ଲାଭ କରିଥିବା ଆମେରିକାର ଜିମ୍ ଆବେର୍ଟ ୧୯୯୨ ବାର୍ସିଲୋନା ଅଲିମ୍ପିକ୍ସରେ ବେସ୍ବଲ୍ ଦଳରେ ଖେଳି ସ୍ୱର୍ଣ୍ଣ ପଦକର ଅଧିକାରୀ ହୋଇଥିଲେ।
ଜଣେ ତାରକା ଦିବ୍ୟାଙ୍ଗ ଖେଳାଳି ହେଉଛନ୍ତି ଓସ୍କାର ପିଷ୍ଟୋରିଅସ୍। ତାଙ୍କୁ ‘ବ୍ଲେଡ୍ ରନର୍’ ଭାବେ ସଂବୋଧିତ କରାଯାଉଥିଲା। ତାଙ୍କର ଦୁଇଟିଯାକ ଗୋଡ଼ ଆଣ୍ଠୁ ତଳକୁ ନ ଥିଲା। ସେ କାର୍ବନ୍ ଫାଇବର୍ ଦ୍ବାରା ପ୍ରସ୍ତୁତ କୃତ୍ରିମ ଗୋଡ଼ ଲଗାଇ କ୍ଷିପ୍ର ଦୌଡ଼ ସ୍ପର୍ଦ୍ଧାରେ ଖେଳୁଥିଲେ। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସର ୪୦୦ ମିଟର ଦୌଡ଼ରେ ସେ ସେମି ଫାଇନାଲ୍ରେ ପ୍ରବେଶ କରିଥିଲେ। ନିଜ ପ୍ରେମିକାଙ୍କ ହତ୍ୟାର ଅଭିଯୁକ୍ତ ଭାବେ ସେ ଏବେ ଜେଲରେ ଅଛନ୍ତି ଏବଂ ତାଙ୍କର ସମ୍ଭାବନାମୟ ଖେଳାଳି ଜୀବନର ଆପାତତଃ ଅନ୍ତ ଘଟିଛି। ସେମିତି ତରବାରୀ ଚାଳନା ସ୍ପର୍ଦ୍ଧାରେ ୧୯୮୮ ମସିହା ସିଓଲ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇଥିବା ହଙ୍ଗେରୀର ପାଲ୍ ସଜେଙ୍କର୍ ହ୍ବିଲ ଚେୟାରରେ ବସି ଖେଳନ୍ତି। ସେ ମଧ୍ୟ ଜଣେ ବିଶ୍ବ ଚାଂପିଅନ।
ଉପରେ ପ୍ରଦତ୍ତ ଖେଳାଳିମାନେ ହେଉଛନ୍ତି କିଛି ସ୍ମରଣୀୟ ଉଦାହରଣ। ଶାରୀରିକ ଭିନ୍ନକ୍ଷମ ହୋଇଥିବା ସତ୍ତ୍ବେ ଅଲିଂପିକ୍ସ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେଇ ସଫଳତା ଲାଭ କରିଥିବା ଅତିମାନବୀୟ ସାମର୍ଥ୍ୟର ଅଧିକାରୀ ଖେଳାଳିଙ୍କ ତାଲିକା ବେଶ୍ ଦୀର୍ଘ, ଯେଉଁଥି ଲାଗି ଏହି ସ୍ଥାନ ନିଅଣ୍ଟ!
ମୋ: ୯୯୩୭୮୬୩୫୨୮
ଅଲିମ୍ପିକ୍ସରେ ଦିବ୍ୟାଙ୍ଗ ଖେଳାଳି
ମିହିର ପ୍ରତାପ ଦାସ
/sambad/media/post_attachments/wp-content/uploads/2024/07/shsfhfhfhsf.jpg)