ମାନବ ସଂସ୍କୃତିର ପରିଭାଷା

ଯାଜ୍ଞସେନୀ ସାହୁ

ସଂସ୍କୃତି ଶବ୍ଦଟି ସହିତ ରକ୍ଷଣଶୀଳ ମନୋବୃତ୍ତିର ସଂପର୍କ ଅଛି ବୋଲି ମନେ ହୋଇଥାଏ। ଏହାକୁ ସତ୍ୟ ସାବ୍ୟସ୍ତ କରିବା ଭଳି ଦେଖିବାକୁ ମିଳେ ଯେ ସଂସ୍କୃତି ରକ୍ଷା କରିବା ପାଇଁ ଦଳବଦ୍ଧ ଭାବେ ହିଂସା ପ୍ରମତ୍ତ ଲୋକେ ବାହାରନ୍ତି। ବେଳେବେଳେ ଏଥି ଲାଗି ରକ୍ତପାତ ମଧ୍ୟ ହୁଏ। କିନ୍ତୁ ପ୍ରଶ୍ନ ଉଠେ ଯେ ସଂସ୍କୃତି କ’ଣ ରୁଢ଼ିବାଦୀ ରକ୍ଷଣଶୀଳତାକୁ ବୁଝାଏ ନା ଏହା ଏକ ପରିବର୍ତ୍ତନଶୀଳ ପ୍ରବହମାନ ଧାରା? ଇଂରେଜୀରେ ଏକ ଧାଡ଼ି ରହିଛି ଯାହା କହିଥାଏ- Culture is Made, Unmade, Remade; ଯାହାର ଅର୍ଥ ସଂସ୍କୃତିକୁ ଗଢ଼ାଯାଏ, ଭଙ୍ଗାଯାଏ ଓ ପୁଣି ଗଢ଼ାଯାଏ। ତାହା ହେଲେ ସଂସ୍କୃତିକୁ ରକ୍ଷଣଶୀଳମାନେ ସେମାନଙ୍କ ମତ ଅନୁସାରେ ପରିଭାଷିତ କରିବାକୁ ବ୍ୟଗ୍ର କାହିଁକି?
ଦିନ ଥିଲା ବାଲ୍ୟବିବାହ ଓ ସତୀଦାହ ଭଳି ପ୍ରଥାକୁ ମଧ୍ୟ ଆମ ସଂସ୍କୃତିର ଅଂଶ ବୋଲି ଧରି ନିଆଯାଇଥିଲା। କିନ୍ତୁ ଆଜି ତାହା ଅଦୃଶ୍ୟ। ଅବଶ୍ୟ ଏଥି ଲାଗି ରାଜା ରାମ ମୋହନ ରାୟଙ୍କ ଭଳି ସଂସ୍କାରକମାନଙ୍କ ଅବଦାନ ଓ ତ୍ୟାଗ ଅତୁଳନୀୟ। କିନ୍ତୁ ଏହା ଦେଖାଇଛି ଯେ ସଂସ୍କୃତି ସ୍ଥିର ନୁହେଁ, ପରିବର୍ତ୍ତନଶୀଳ।

କିନ୍ତୁ ଏଭଳି ପରିବର୍ତ୍ତନକୁ ପରଂପରାବାଦୀମାନେ ଗ୍ରହଣ କରନ୍ତି ନାହିଁ। ସେମାନେ ଏହାକୁ ଆଧୁନିକତାର ଉଗ୍ର ପ୍ରଭାବ ବୋଲି କହନ୍ତି; ‌ଯେଉଁମାନଙ୍କ ମତରେ ଯାହା ବି କିଛି ଆଧୁନିକ; ତାହା ସଂସ୍କୃତି ପରିପନ୍ଥୀ ଓ ବର୍ଜନୀୟ। ଆଜିକାର ଯୁବ ବର୍ଗଙ୍କ କଥାବାର୍ତ୍ତା, ହାବଭାବ ଓ ରଙ୍ଗଢଙ୍ଗ ବିଷୟରେ କଟାକ୍ଷ ଶୁଣିବାକୁ ମିଳେ ଯେ ଏମାନେ ବିଦେଶୀ ହେଇଗଲେଣି। ପାଶ୍ଚାତ୍ୟ ସଭ୍ୟତା ଆଜିକାର ତରୁଣ ତରୁଣୀମାନଙ୍କୁ ଗ୍ରାସ କରିସାରିଛି। ଏମାନଙ୍କ ଏଭଳି ବେଶପୋଷାକ ଆମ ସଂସ୍କୃତିକୁ ନଷ୍ଟ କରିସାରିଲାଣି- ଇତ୍ୟାଦି ଇତ୍ୟାଦି। ଏଣୁ ଆଜିକାର ତରୁଣ ବର୍ଗଙ୍କ ବୁଦ୍ଧି, ଦକ୍ଷତା, ବିଚକ୍ଷଣତା, ସାମର୍ଥ୍ୟ ଓ ସମ୍ଭାବନା ସବୁ କିଛି ସେମାନଙ୍କ ଟି ସାର୍ଟ ଓ ଜିନ୍‌ସ ତଳେ ଢାଙ୍କି ହୋଇ ରହିଯାଏ। ‘ଜିମ୍‌’ରୁ ବାହାରୁଥିବା ଯୁବକମାନେ ନିଜ ଶରୀର ଓ ସ୍ବାସ୍ଥ୍ୟର ଯତ୍ନ ନେଇ ଏକ ସୁସଂହତ ଜୀବନ ଶୈଳୀ ଆପଣାଉଥିବା କଥା କୁହା ନ ଯାଇ କୁହାଯାଏ ଏମାନେ ସମସ୍ତେ ଗୁଣ୍ଡା ହେବାକୁ ବାହାରିଲେଣି। ଏମାନଙ୍କ ଆଦର୍ଶ ସଲମାନ ଖାଁ! ମହିଳାମାନଙ୍କ କ୍ଷେତ୍ରରେ ତ ଏ ପ୍ରକାର କଟାକ୍ଷ ଆହୁରି ତୀବ୍ର। ପର୍ଦା ପଛରେ ରହୁଥିବା ଭାରତୀୟ ନାରୀ ହାତେ ଓଢ଼ଣା ଥିବା ଶାଢ଼ି ବାଟ ଦେଇ ଏବେ ପୁରୁଷମାନଙ୍କ ତୁଲ୍ୟ ପୋଷାକ ପିନ୍ଧିବାର ସ୍ଥିତିରେ ପହଞ୍ଚିବା ଲାଗି ଯେତିକି ସଂଘର୍ଷ କରିଛନ୍ତି ତାହାର ପଟାନ୍ତର ନାହିଁ। ନାରୀମାନେ ଉଚ୍ଚ ଶିକ୍ଷିତା ହେବା, ଚାକିରି କରିବା ବା ଆତ୍ମନିର୍ଭରଶୀଳ ହେବା ଏବଂ ସମସ୍ତ ପୁରୁଷ ଅଧିକୃତ ଦୁର୍ଗରେ ପ୍ରବେଶ କରିବାର ମହାନ ଯାତ୍ରା ପଥରେ ତଥାକଥିତ ପରଂପରାବାଦୀଙ୍କ ଦ୍ବାରା ସୃଷ୍ଟ ପ୍ରତିବନ୍ଧର ଯେତିକି ସାମନା କରିଛନ୍ତି, ତାକୁ ଗଣତି କରିବା ସହଜ ନୁହେଁ। ଏବେ ମଧ୍ୟ ଯଦି ଜଣେ ଯୁବତୀ ପୁରୁଷଙ୍କ ଅସଦାଚରଣର ଶିକାର ହୁଏ, ତେବେ ତାର ବେଶ ପୋ‌ଷାକ, ହାବଭାବ ଓ ପାଠପଢ଼ାକୁ କାରଣ ଭାବେ ଦର୍ଶାଯାଏ। ପୁଣି ବିସ୍ମୟର କଥା ଅନେକ ରୁଢ଼ିବାଦୀ ମହିଳା ମଧ୍ୟ ପୁରୁଷମାନଙ୍କ ସହିତ ତାଳ ଦେଇ ଐକ୍ୟ ତାନ ସୃଷ୍ଟି କରନ୍ତି।

କହିବା‌େର ଦ୍ବିଧା ନାହିଁ ଯେ ଭାରତୀୟ ସଂସ୍କୃତି ମହାନ। ସେହିଭଳି ଅନ୍ୟାନ୍ୟ ଦେଶର ସଂସ୍କୃତିରେ ମଧ୍ୟ ମହାନତା ରହିଛି। ଯେଉଁ ସଂସ୍କୃତି ବାହାର ସଂସ୍କୃତିର ଉପଯୋଗକ୍ଷମ ବିଭାବକୁ ଗ୍ରହଣ କରିପାରେ, ସେହି ସଂସ୍କୃତି ଅଧିକ ଚଳଚଞ୍ଚଳ ଓ ପ୍ରବାହକ୍ଷମ ହୋଇଥାଏ, ଯେମିତି ଏକ କ୍ଷୀଣ ଜଳଧାର ଗଙ୍ଗୋତ୍ରୀ ବିଭିନ୍ନ ଜଳଧାରକୁ ତାର ପ୍ରବାହ ପଥରେ ଗ୍ରହଣ କରି ବିଶାଳ ଗଙ୍ଗା ନଦୀରେ ପରିଣତ ହୋଇଥାଏ। କେବଳ ବେଶ ପୋଷାକ ନୁହେଁ ଖାଦ୍ୟ ସଂସ୍କୃତି ନେଇ ମଧ୍ୟ ଶୁଣାଯାଏ ଯେ ଆଜିକାଲିର ପିଲାମାନେ ବିଦେଶୀ ଖାଦ୍ୟ ସଂସ୍କୃତି ଦ୍ବାରା ଆସକ୍ତ। ଏହା ଖରାପ ନୁହେଁ। କିନ୍ତୁ ଏହା ସହିତ ଯଦି ଆମେ ନିଜ ଖାଦ୍ୟକୁ ଭଲ ପାଇ ବିଦେଶରେ ତାର ପ୍ରଚାର ପ୍ରସାର କରିପାରିବା ତେବେ କ୍ଷତି କେଉଁଠି? ତେଣୁ ଯଦି କୁହାଯାଆନ୍ତା ଯେ ବାହାରର ସଂସ୍କୃତିକୁ ଆପଣାଅ, କିନ୍ତୁ ନିଜ ସଂସ୍କୃତିର ଗରିମାକୁ ଭୁଲି ଯାଅନାହିଁ ବା ବାହାରେ ତାର ପ୍ରଚାର ଓ ପ୍ରସାର କର; ତେବେ ତାହା ଯୁବକଯୁବତୀମାନଙ୍କ ଦ୍ବାରା ଅଧିକ ଗ୍ରହଣୀୟ ହୋଇପାରନ୍ତା।

ବିଖ୍ୟା‌ତ ଲେଖକ ସଲମାନ ରସଦି ତାଙ୍କ ପୁସ୍ତକ ‘ଇମାଜିନାରି ହେମଲ୍ୟାଣ୍ଡ’ରେ ଠାଏ କହିଛନ୍ତି ଯେ ମଣିଷ ଈଶ୍ବର ତିଆରି କରେ ଓ ସେହି ଈଶ୍ବରର ସୁରକ୍ଷା ଲାଗି ଯୁଦ୍ଧ ଲଢ଼େ। ସଂସ୍କୃତି ଲାଗି ମଧ୍ୟ ଏହା ପ୍ରଯୁଜ୍ୟ। କିନ୍ତୁ ଏଥିରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ଯୁଦ୍ଧ ହେଉଛି ଅହଂକାର ଏବଂ ସଂକୀର୍ଣ୍ଣତାର ପ୍ରତୀକ। ସେଥି ଲାଗି ଈଶ୍ବର ସମଗ୍ର ମାନବ ଜାତି ଲାଗି ଏକ ନ ହୋଇ ବଣ୍ଟା ହୋଇଯାଇଛନ୍ତି। ସଂସ୍କୃତିର ଅବସ୍ଥା ମଧ୍ୟ ସେମିତି ହୋଇଛି। ଯେଉଁଦିନ ଏ ସଂକୀର୍ଣ୍ଣତାକୁ ଅତିକ୍ରମ କରାଯାଇପାରିବ, ସେହି ଦିନ ମାନବ ଜାତି ଲାଗି ଗୋଟିଏ ମାନବ ସଂସ୍କୃତି ଦୃଶ୍ୟମାନ ହେବ ଏବଂ ତାହା ମାନବତାର ମୂଲ୍ୟବୋଧ ବୃଦ୍ଧିରେ ସହାୟକ ହେବ।

ସେମିଳିଗୁଡ଼ା, କୋରାପୁଟ
ମୋ- ୭୦୦୮୧୫୩୭୯୩

ସମ୍ବନ୍ଧିତ ଖବର