‘ଡାଭସ ମେନ୍‌’ ଓ ଅଗଣିତ ଦରିଦ୍ର

ନୀଳମାଧବ ମହାନ୍ତି

ନିକଟରେ ପ୍ରକାଶ ପାଇଥିବା ତଥ୍ୟ (ଏପ୍ରିଲ ମାସର ବ୍ଲୁମ୍‌ବର୍ଗ ବିଲେନିଅର ଇଣ୍ତେକ୍‌ସ) ଅନୁସାରେ ଭାରତର ଜଣାଶୁଣା ଶିଳ୍ପପତି ଗୌତମ ଆଦାନି ବର୍ତ୍ତମାନ ବିଶ୍ବର ଦଶ ଜଣ ଅତିଶୟ ଧନୀ ବ୍ୟକ୍ତି ବା ସେଣ୍ଟି-ବିଲେନିଅର (ଶହେ ବିଲିଅନ ଡଲାର୍‌ ବା ୭,୫୪,୩୯୦ କୋଟି ଟଙ୍କାରୁ ଅଧିକ)ମାନଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ସେହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ଏଲନ୍‌ ମସ୍କ୍‌ (ଟେସ୍‌ଲା) ଓ ଅନ୍ୟମାନଙ୍କ ମଧୢରେ ଜେଫ୍‌ ବେଜୋସ୍‌ (ଆମାଜନ), ଵାରେନ୍‌ ବୁଫେଟ୍‌ (ବରକ୍‌ସାୟାର ହାଥ‌େଵ) ଓ ବିଲ୍‌ ଗେଟ୍‌ସ (ମାଇକ୍ରୋସଫ୍‌ଟ) ଆଦି ରହିଛନ୍ତି। ରିଲାଏନ୍‌ସର ମାଲିକ ମୁକେଶ ଅମ୍ବାନିଙ୍କ ବ୍ୟକ୍ତିଗତ ସମ୍ପତ୍ତି ୯୭ ବିଲିଅନ ଡଲାର୍‌ ହୋଇଥିବାରୁ ସେ ବିଲେନିଅର୍‌ଙ୍କ ତାଲିକାରେ ଏକାଦଶ ସ୍ଥାନରେ ଅଛନ୍ତି।

ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନର ପୂର୍ବତନ ପ୍ରଫେସର ସାମୁଏଲ ହଟି˚ଟନ ୨୦୦୪ ମସିହାରେ ଏହି (କତିପୟ) ଅତି ଧନୀ ବ୍ୟକ୍ତିମାନଙ୍କୁ ‘ଡାଭସ ମେନ୍‌’ର ଆଖ୍ୟା ଦେଇଥିଲେ। ପ୍ରତ୍ୟେକ ବର୍ଷ ଜାନୁଆରି ମାସରେ ସୁଇଜରଲାଣ୍ଡ୍‌ର ଡାଭସ ସ୍କି ପର୍ଯ୍ୟଟନ ସ୍ଥଳରେ ବିଶ୍ବର ବଡ଼ ବଡ଼ କୋଟିପତି ଓ ଅର୍ବପତିମାନଙ୍କର ସମାବେଶ (ଵାର୍ଲଡ୍‌ ଇକୋନୋମିକ ଫୋରମ୍‌)ରେ ଏହି ବ୍ୟକ୍ତିମାନେ ସକ୍ରିୟ ଭାଗ ନେଇ ନିଜ ନିଜ ମଧୢରେ ବ୍ୟାବସାୟିକ ସମ୍ପର୍କ ବା ‘ନେଟ୍‌ଵାର୍କ’ ସ୍ଥାପନ କରିଥାଆନ୍ତି। ତା’ ଛଡ଼ା ଏମାନଙ୍କର ବୈଶିଷ୍ଟ୍ୟ ହେଲା ଯେ ପ୍ରତ୍ୟେକେ ବିଭିନ୍ନ ଦେଶମାନଙ୍କରେ ଧନ ସମ୍ପତ୍ତି ସୃଷ୍ଟି କରି ପୃଥିବୀ ବ୍ୟାପୀ ବ୍ୟବସାୟ କରନ୍ତି ଓ ନିଜକୁ ନିର୍ଦ୍ଦିଷ୍ଟ କୌଣସି ଦେଶର ନ ହୋଇ ଆନ୍ତର୍ଜାତିକ ସ୍ତରର ନାଗରିକ ବୋଲି ବିବେଚନା କରନ୍ତି। ଏହି ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରି ‘ନ୍ୟୁୟର୍କ ଟାଇମ୍‌ସ୍‌’ ଖବରକାଗଜର ଅର୍ଥନୈତିକ ସମ୍ବାଦଦାତା ପିଟର ଗୁଡ୍‌ମେନ, ତାଙ୍କ ସଦ୍ୟ ପ୍ରକାଶିତ ବହି ‘ଡାଭସ ମେନ୍‌’ରେ କହିଚନ୍ତି ଯେ ଏହି ‘ଡାଭସ ମେନ୍‌’ମାନେ ପ୍ରଚଳିତ ଅର୍ଥ ବ୍ୟବସ୍ଥା, ଗଣତନ୍ତ୍ର ତଥା କର୍ମଚାରୀମାନଙ୍କୁ ନିଜର ଲକ୍ଷ୍ୟ ସାଧନ ପାଇଁ ବ୍ୟବହାର କରି ସ୍ବାର୍ଥପର ଭାବରେ ପ୍ରଚୁର ଧନ ସ˚ଗ୍ରହ କରିବାରେ ସଫଳ ହୋଇଛନ୍ତି। ଆହୁରି ଦୁଃଖର କଥା ଯେ ୨୦୨୦ ମସିହାରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ମହାମାରୀରେ ପୃଥିବୀ ସାରା ସାଧାରଣ ଲୋକେ ମୃତ୍ୟୁ ଏବଂ ଉତ୍କଟ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିବା ବେଳେ ବିଭିନ୍ନ ଦେଶର କୋଟିପତିମାନେ ସେହି କୋଭିଡ୍‌-୧୯ର ସୁବିଧା ନେଇ ନିଜର ଧନ ସମ୍ପତ୍ତି ବହୁ ଗୁଣ ବଢ଼ାଇବାରେ ସମର୍ଥ ହୋଇଥିଲେ। ବ୍ରିଟେନ୍‌ର ଅକ୍‌ସଫାମ ଦ୍ବାରା ଜାନୁଆରି ୨୦୨୨ରେ ପ୍ରକାଶିତ ରିପୋର୍ଟ (ଇନ୍‌ୟୁକେଲିଟି କିଲ୍‌ସ) ଅନୁସାରେ କରୋନା ମହାମାରୀ ଆରମ୍ଭ ହେବା ଠାରୁ ପୃଥିବୀର ଦଶ ଜଣ ସବୁଠାରୁ ଧନୀ ଲୋକ ସେମାନଙ୍କର ଧନକୁ ଦୁଇ ଗୁଣ କରିବାକୁ ସମର୍ଥ ହୋଇଛନ୍ତି। ସେହି ସମୟରେ ବିଶ୍ବର ୯୯ ପ୍ରତିଶତ ଲୋକଙ୍କର ଆୟ କମି ଯାଇଥିଲା, ୧୬୦ ନିୟୁତ ଲୋକ ଗରିବ ଶ୍ରେଣୀକୁ ଖସି ଆସିଥିଲେ ଓ ପ୍ରାୟ ୧୭ ନିୟୁତ ଲୋକ ମୃତ୍ୟୁବରଣ କରିଥିଲେ। ଆମର ଏକ ଧାରଣା ଯେ ସମାଜରେ ଧନୀ ଲୋକମାନଙ୍କର ସମ୍ପତ୍ତି ବଢ଼ିଲେ ଅନ୍ୟମାନଙ୍କୁ ଅର୍ଥନୈତିକ ସୁବିଧା ମିଳିବ; କିନ୍ତୁ ପିଟର ଗୁଡମେନ୍‌ଙ୍କ ମତରେ ଏହା ହେଉଛି ଗୋଟିଏ ‘ମହାଜାଗତିକ ପ୍ରତାରଣା।’ ପ୍ରକୃତରେ ଧନୀ ପୁଞ୍ଜିପତିମାନଙ୍କର ସମ୍ପତ୍ତି ଠୁଳ କରିବାର ଆଗ୍ରହ ସମାଜର ଅନ୍ୟ ବର୍ଗର ଲୋକମାନଙ୍କର ସାମର୍ଥ୍ୟକୁ ଦୁର୍ବଳ କରିଥାଏ। ସେମାନଙ୍କର କାର୍ଯ୍ୟକଳାପ ଦ୍ବାରା ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ମଧୢରେ ଆର୍ଥିକ ଅସମାନତା ବଢ଼ି ଚାଲେ। ପ୍ୟାରିସ୍‌ରେ ଅବସ୍ଥିତ ଵାର୍ଲଡ୍‌ ଇନ୍‌ୟୁକେଲିଟି ଲ୍ୟାବ୍‌ ଦ୍ବାରା ପ୍ରତି ବର୍ଷ ପ୍ରକାଶିତ ଵାର୍ଲଡ୍‌ ଇନ୍‌ୟୁକେଲିଟି ରିପୋର୍ଟ-୨୦୨୨ ଅନୁସାରେ ପୃଥିବୀର ଜନସ˚ଖ୍ୟାର ନିମ୍ନତମ ୫୦ ପ୍ରତିଶତ ଲୋକଙ୍କର ବିଶ୍ବ ଆୟରେ ମାତ୍ର ୮ ପ୍ରତିଶତ ଭାଗ ଥିଲା, ଯେତେବେଳେ କି ଉଚ୍ଚତମ ୧୦ ପ୍ରତିଶତ ଲୋକେ ଆୟର ୫୨ ପ୍ରତିଶତର ଭାଗୀଦାର ଥିଲେ ଓ ସର୍ବାଧିକ ଧନଶାଳୀ ୧ ପ୍ରତିଶତ ଲୋକେ ୧୯ ପ୍ରତିଶତ ଅ˚ଶ କବ୍‌ଜା କରିଥିଲେ।

ସେହିପରି ଧନ ସମ୍ପତ୍ତି ବିତରଣରେ ମଧୢ ଧନୀ ଲୋକମାନଙ୍କର ପ୍ରାଧାନ୍ୟ ଆହୁରି ନଗ୍ନ ଭାବରେ ଦେଖାଯାଇଛି। ଜନସ˚ଖ୍ୟାର ନିମ୍ନତମ ୫୦ ପ୍ରତିଶତ ଲୋକେ ବିଶ୍ବ ଧନ ସମ୍ପତ୍ତିର କେବଳ ୨ ପ୍ରତିଶତର ଭାଗୀଦାର ଥିଲେ, ଅନ୍ୟପକ୍ଷରେ ଉଚ୍ଚତମ ୧୦ ପ୍ରତିଶତ ଲୋକ ୭୬ ପ୍ରତିଶତ ଧନର ମାଲିକ ଥିଲେ ଓ ସର୍ବୋତ୍ତମ ୧ ପ୍ରତିଶତ ଧନୀ ଲୋକମାନେ ବିଶ୍ବ ଧନ ସମ୍ପତ୍ତିର ୩୮ ପ୍ରତିଶତ ଦଖଲ କରିଥିଲେ।

ଆମ ଦେଶ, ଭାରତବର୍ଷରେ ମଧୢ ଏହି ପ୍ରକାରର ଅସମାନତା ପରିଲକ୍ଷିତ ହୁଏ। ଆମ ଦେଶର ୧୦ ପ୍ରତିଶତ ଧନୀ ଓ ଉଚ୍ଚତମ ୧ ପ୍ରତିଶତ ଜାତୀୟ ଆୟର ଯଥାକ୍ରମେ ୫୭ ପ୍ରତିଶତ ଓ ୨୨ ପ୍ରତିଶତର ଅଧିକାରୀ ଥିଲେ; ଅପର ପକ୍ଷରେ ନିମ୍ନତମ ୫୦ ଭାଗ ଲୋକ ୧୩ ପ୍ରତିଶତର ଅଧିକାରୀ ଥିଲେ। ସେହିପରି ଧନ ସମ୍ପତ୍ତି ମାଲିକାନାରେ ଉଚ୍ଚ ୧୦ ପ୍ରତିଶତ ଓ ଉଚ୍ଚତମ ୧ ପ୍ରତିଶତ ଲୋକଙ୍କର ଭାଗ ଥିଲା ଯଥାକ୍ରମେ ୬୫ ପ୍ରତିଶତ ଓ ୩୩ ପ୍ରତିଶତ; ନିମ୍ନତମ ୫୦ ପ୍ରତିଶତ ଲୋକ ଜାତୀୟ ସଂପତ୍ତିର କେବଳ ୬ ପ୍ରତିଶତ ଅ˚ଶୀଦାର।

କରୋନା-ଜନିତ ଆର୍ଥିକ ସମସ୍ୟା ଓ ସାଧାରଣ ଦାରିଦ୍ର୍ୟ ବୃଦ୍ଧି ମଝିରେ କିନ୍ତୁ ଆମ ଦେଶରେ କୋଟିପତିମାନଙ୍କର ସ˚ଖ୍ୟା ବଢ଼ି ଚାଲିଛି। ଆନ୍ତର୍ଜାତିକ ହୁରୁନ ସ˚ସ୍ଥାର କଳନା ଅନୁସାରେ କରୋନା ମହାମାରୀ ଚାଲିଥିବା ସତ୍ତ୍ବେ ୨୦୨୦ରେ ୫୦ ଜଣ ଓ ୨୦୨୧ ମସିହାରେ ୩୮ ଜଣ ନୂଆ ଅର୍ବପତି ସୃଷ୍ଟି ହୋଇଥିଲେ ଓ ଅଧିକା˚ଶ ଅତିଶୟ ଧନୀମାନେ ନିଜ ସମ୍ପତ୍ତି ବଢ଼ାଇବାକୁ ସମର୍ଥ ହୋଇଥିଲେ। ଫୋର୍ବସ୍‌ ମାଗାଜିନ ଅନୁସାରେ ୨୦୨୧ ମସିହାର ଅକ୍‌ଟୋବରରେ ଭାରତର ସର୍ବାଧିକ ଧନୀ ୧୦୦ ପରିବାରର ସାମୂହିକ ଧନ ୭୭୫ ବିଲିଅନ ଡଲାର୍‌ ଥିଲା, ଯହିଁରୁ ପ୍ରାୟ ୨୫୭ ବିଲିଅନ ଡଲାର୍‌ ବୃଦ୍ଧି ବିଗତ ୧୨ ମାସରେ ହିଁ ହୋଇଥିଲା।

ବିଶ୍ବର ଅନ୍ୟ ଦେଶମାନଙ୍କ ଭଳି ଭାରତରେ ମଧୢ କତିପୟ କୋଟିପତିଙ୍କ ହାତରେ ଧନ ଠୁଳ ହେବା ଦ୍ବାରା ରାଜନୈତିକ ଶକ୍ତି ମଧୢ ଏହି ଅତି ଧନୀ ଲୋକଙ୍କୁ କେନ୍ଦ୍ର କରି ଘୂରୁଛି। ବିଭିନ୍ନ ସରକାରୀ ନୀତି ନିୟମରେ ଏହି ବର୍ଗଙ୍କ ସ୍ବାର୍ଥ ରକ୍ଷା ଆଭିମୁଖ୍ୟ ପ୍ରତିଫଳିତ ହେଉଛି। ଏହା ଯେ ସମାଜର ଅର୍ଥନୈତିକ ଦୃଢ଼ତା ଓ ବିକାଶ ତଥା ନିରପେକ୍ଷତା ପାଇଁ କ୍ଷତିକାରକ, ଏଥିରେ ସନ୍ଦେହ ନାହିଁ। ସେଥିପାଇଁ ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କର କର୍ତ୍ତବ୍ୟ ହେଲା କ୍ରମିକ ଭାବ‌େର ପ୍ରଗତିଶୀଳ କର ଧାର୍ଯ୍ୟ ଦ୍ବାରା ଆର୍ଥିକ ଅସମାନତାର ଉପଶମ କରିବା ଓ ନିମ୍ନ ବା ଗରିବ ଶ୍ରେଣୀର ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ନିରାପତ୍ତାର ସୁରକ୍ଷା ପାଇଁ ଅର୍ଥ ଖର୍ଚ୍ଚ କରିବା। ଏହି ସମ୍ବନ୍ଧରେ ସାଧାରଣ ନାଗରିକମାନେ ମଧୢ ସଚେତ ରହିବା ଆବଶ୍ୟକ।

[email protected]

ସମ୍ବନ୍ଧିତ ଖବର