ସଭ୍ୟତାର ଅନାଚାର

କହିବାର ଅଛି - ଦାଶ ବେନହୁର

‘ସଭ୍ୟ’ ବୋଲି କହିଲେ ଆମେ ଦୁଇଗୋଟି କଥାକୁ ବୁଝୁ। ଗୋଟିଏ ହେଉଛି କୌଣସି ଅନୁଷ୍ଠାନ ବା ସଭାର ସଦସ୍ୟ ଓ ଅନ୍ୟଟି ହେଉଛି ଶିଷ୍ଟ, ମାର୍ଜିତ ତଥା ସୁରୁଚିସମ୍ପନ୍ନ କେହି ବ୍ୟକ୍ତି। ସେଇଥିରୁ ସଭ୍ୟତା। ଯେମିତି ସାଧୁରୁ ସାଧୁତା।

ଏମିତି ନୁହେଁ ଯେ ଯିଏ ଧନୀ ସେ ସଭ୍ୟ, ଆଉ ଯେ ଗରିବ ସେ ଅସଭ୍ୟ। ଯିଏ ଗୋରା ସେ ସଭ୍ୟ ଏବଂ ଯେ ରଙ୍ଗରେ କଳା କି ବାଦାମୀ ସେ ସଭ୍ୟ ନୁହେଁ। ଏ ପରିକି ସହରରେ ଥିବା ମଣିଷଗୁଡ଼ିକ ସଭ୍ୟ ଓ ଗାଆଁ ଗହଳରେ ଥିବା ଲୋକଗୁଡ଼ିକ ଅସଭ୍ୟ ଏବଂ ସହର ତଥା ଗାଆଁଗଣ୍ଡାରୁ ଦୂରରେ ଜଙ୍ଗଲରେ ବାସ କରୁଥିବା ନର-ନାରୀ ଆହୁରି ଅସଭ୍ୟ।

ଅଥଚ ଆମେ ସେଇଭଳି ଭାବୁ।

ସଚରାଚର ଧନ ସାଉଁଟୁ ନ ଥିବା କଳା ଜଙ୍ଗଲବାସୀଙ୍କୁ ଆମେ ସଭ୍ୟତାର ଆଲୋକ ଠାରୁ ଅନେକ ଦୂରରେ ଅଛନ୍ତି ବୋଲି କହିଥାଉ। ଏ ଭାବନା କେବଳ ଏଇଠି ଓଡ଼ିଶା ବା ଭାରତରେ ଅଛି ବୋଲି ନୁହେଁ, ସାରା ଏସିଆ, ଇଉରୋପ୍‌, ଆମେରିକା ସବୁଆଡ଼େ ଏ ହୀନ ବିଚାର ପରିବ୍ୟାପ୍ତ। ମଣିଷ ଇତିହାସରେ ଏ କଥାଟି ଆରମ୍ଭରୁ ଏ ଯାଏ ଘାଆ ଭଳି ରହିଛି। ସତେ ଯେମିତି କୌଣସି ମଲମ ନାହିଁ ଶୁଖୁ ନ ଥିବା ଏ ଘାଆରୁ ବର୍ତ୍ତିବାକୁ! ଆପଣାକୁ ସଭ୍ୟ କହି ବଡ଼େଇ କରୁଥିବା ଦେଶମାନେ ଯେ ଏଥିରୁ ମୁକ୍ତ ତାହା ଆଦୌ ସତ୍ୟ ନୁହେଁ। ସେଇଥିଲାଗି ଗୋରା ପୁଲିସ୍ କଳାଲୋକଟିର କୌଣସି ଆକୁତି ନ ଶୁଣି ବେକରେ ଆଣ୍ଠୁମାଡ଼ି ବସିଯାଏ, ତା’କୁ ମାରିବା ଯାଏ। ଅପରପକ୍ଷରେ ଘଟଣାଟିର ଭୟାବହତାକୁ ଉପଲବ୍‌ଧି କରି ଦେଶର ରାଷ୍ଟ୍ରପତିଙ୍କୁ ଜାନୁପାତ କରି କ୍ଷମା ମାଗିବାକୁ ପଡ଼େ ସବୁ କଳାଲୋକଙ୍କ ପାଖରେ। ଦେଶ ସାରା ନାରା ଚାଲେ, ‘‘ବ୍ଲାକ୍ ଲାଇଭ୍‌ସ ମ୍ୟାଟର୍’’, ‘‘ୱି ଅଲ୍ ବ୍ଲିଡ୍ ଦ’ ସେମ୍ କଲର୍’’, ‘‘ମାଇଁ ସ୍କିନ୍ ଇଜ୍ ନଟ୍ ଏ ସିନ୍’’। ‘‘କଳାଲୋକ ବି ମଣିଷ’’, ‘‘ସବୁ ମଣିଷ ଦେହର ରକ୍ତ ଲାଲ୍’’, ‘‘ମୋ ଦେହର ଚମରଙ୍ଗ କୌଣସି ପାପ ଯୋଗୁଁ ହୋଇନାହିଁ।’’ ସାରା ପୃଥିବୀରେ ନିଜକୁ ଏକ ନମ୍ବର ସଭ୍ୟ ଦେଶ ବୋଲି କହୁଥିବା ଭୂଖଣ୍ଡର ସାମ୍ପ୍ରତିକ ଚିତ୍ର ଏଇଆ।

ତେବେ ସଭ୍ୟ କିଏ? ସଭ୍ୟତା କ’ଣ?

ଅକ୍ଷର ଶିଖିଥିବା, ମାନପତ୍ରଧାରୀ ବା ଡିଗ୍ରିଧାରୀ କହୁଛି ମୁଁ ଶିକ୍ଷିତ, ମୁଁ ସଭ୍ୟ। ଯେ ପଢ଼ିଜାଣିନି ସେ ସଭ୍ୟ ନୁହେଁ ବୋଲି ଅନେକଙ୍କର ମତ। ପଢ଼ିଜାଣିନି ମାନେ ଶିଷ୍ଟତା ଜାଣିନି।

ଏଇଠି ଘଟଣାଟିଏ ଉଦ୍ଧାରଯୋଗ୍ୟ। ପାଠପଢ଼ୁଆ ବାବୁ ଜଣେ ସରକାରୀ ଚାକର ହୋଇ ଆଦିବାସୀ ଅଞ୍ଚଳରେ ନିଯୁକ୍ତି ପାଇଲେ। କଳା ଆଦିବାସୀ ଜଣେ କିଛି ପଦାର୍ଥ ବିକିବାକୁ ବାଟ କଡ଼ରେ ବସିଥିଲା। ବାବୁ ସେଠି ଓହ୍ଲେଇ ତା’ଠାରୁ ଜିନିଷ କିଣିଲେ। କହିଲେ, ‘‘କିରେ! ଜିନିଷ ଠିକ୍‌ରେ ଦେଉଛୁଟି? ଠକୁନୁ ତ?’’ ଆଦିବାସୀଟି ମୁଣ୍ଡ ତଳକୁ କରି କହିଲା, ‘‘ବାବୁ! ମୁଁ କ’ଣ ପାଠ ପଢ଼ିଚି ଯେ ଠକିପାରିବି?’’

ବାବୁଙ୍କର ଅକଲ୍ ଗୁଡୁମ୍। ସଭ୍ୟତାର କଳାଧୂଆଁ ଉଡ଼େଇ ବାଇକ୍ ଛୁଟେଇ ସେ ଚାଲିଆସିଲେ ସେଠୁ। ଏ ଉପାଖ୍ୟାନରେ କିଏ ମାର୍ଜିତ କିଏ ଅମାର୍ଜିତ? ସଭ୍ୟ କିଏ ଅସଭ୍ୟ କିଏ?

ଏଇ ଯେ ଚିମ୍‌ନି, ସାଇଲେନ୍‌ସର୍, ଏକ୍‌ଝଷ୍ଟ୍ ପାଇପ୍‌ର କଳାଧୂଆଁ, ନଈରେ କଳାପାଣି, ଆକାଶରେ ବାଷ୍ପଜନିତ ଦାରୁଣ ଅସଙ୍ଗତି, ମାଟିରେ ଅମ୍ଳ, ସମୁଦ୍ରରେ ଆବର୍ଜନା ସେ ସବୁ କିଏ ଦେଇଛି କାହାକୁ? ଯେଉଁ ବ୍ୟକ୍ତି ଓ ଦେଶ ଯେତେ ଅଧିକ ସଭ୍ୟ ବୋଲି ଛାତିରେ ଫଳକ ଝୁଲେଇଛି ତା’ର ଅବଦାନ ଏ ଦିଗରେ ସବୁଠାରୁ ବେଶି। କିଏ ଶିଷ୍ଟ, କିଏ ଅଶିଷ୍ଟ? ସଭ୍ୟ ଦେଶଟିଏ ନିଜକୁ ପ୍ରଥମ ପୃଥିବୀର ବୋଲି କହି ତୃତୀୟ ବିଶ୍ବର ମାଂସପେଶୀହୀନ ଜନପଦରେ ଆଣି ସଭ୍ୟ-ସହଯୋଗ ନାଆଁରେ କଳ କାରଖାନା ଭରି ଦେଉଛି। ସେ ଚିକ୍କଣ ଗୋରା, ଆଉ ଏମାନେ ଅସଭ୍ୟ କଳା।

ଏ କଥା ଆଜିର ନୁହେଁ। ସଭ୍ୟତା ନାଆଁରେ କେଉଁ ଅନାଦି କାଳରୁ ମଣିଷ ଗୁଡ଼ିଏ ଅନାଚାର ହିଁ ଭରିଦେଇଛି ଆପଣା ବିଚାରବୋଧରେ। ଜଙ୍ଗଲରେ ଶିକାର ଓ ସଂଗ୍ରହର ଜୀବନଧାରା ପରେ ଯେବେଠାରୁ ସେ ତଥାକଥିତ ସଭ୍ୟତାର ପାଲରେ ପଡ଼ିଛି ସେବେଠାରୁ ଜଘନ୍ୟ ଦାସତ୍ବ ପ୍ରଥାଟିକୁ ଚଳେଇ ଆସିଚି। ମଣିଷ ଆଉ ଗୋଟିଏ ମଣିଷ ଭିତରେ ପଶୁକୁ ହିଁ ଦେଖିଛି। ତା’କୁ ଜନ୍ତୁଟିଏ ଭଳି ପଣ୍ୟ କରିଛି। ବିକିଛି, କିଣିଛି। ଗୃହପାଳିତ, କ୍ଷେତ୍ରପାଳିତ ପଶୁ କରି ବ୍ୟବହାର କରିଛି।

ସେ ଅନାଚାର ଏବେ ବି ବଳବତ୍ତର।

ସେଇ ଏକା ଜାତି। ଏକା ଭୂଖଣ୍ଡର ଲୋକ। ଧର୍ମ ବି ଏକ। ରଙ୍ଗ ମଧ୍ୟ ଭିନ୍ନ ନୁହେଁ। ଅଥଚ ଜଣେ ଚାହେଁ ଆଉ ଅନେକଙ୍କୁ ଗୃହପାଳିତ ପଶୁ କରି ରଖିବ। ଗୃହପାଳିତ ଶବ୍ଦଟି ଏଠାରେ ଠିକ୍ ନୁହେଁ। କୁକୁର, ବିଲେଇଙ୍କ ଭଳି ଗୃହପାଳିତ ପଶୁଙ୍କୁ ତ ଆମେ ଜୀବନଧନ କରୁ ହେଲେ ଦାସମାନଙ୍କୁ? ଦାସମାନେ ଜଙ୍ଗଲୀ ପଶୁ। ଖୁଆଡ଼ରେ ରହିବାକୁ ଯୋଗ୍ୟ।

ଯେଉଁଦିନୁ ଆମେ ସାମାଜିକ ବ୍ୟବସ୍ଥାରେ ଉପର ତଳ କରି ମଣିଷଙ୍କୁ ଥାକ ଥାକ କରି ସଜେଇଲୁ ସେଇଦିନୁ ଏ ଅନାଚାରର ଜନ୍ମ। ଇତିହାସ କହେ ଯେ ମେସୋପୋଟାମିଆରେ ପହିଲା ସଭ୍ୟତାର ସୂର୍ଯ୍ୟାଲୋକ ପଡ଼ିଥିଲା। ମନୁଷ୍ୟମାନେ କୁଆଡ଼େ ପ୍ରଥମେ ସେଇଠି ସଭ୍ୟଜନୋଚିତ ସୁନ୍ଦର, ସୁସଂହତ, ଶୃଙ୍ଖଳିତ, ମାର୍ଜିତ ଆଚରଣ ଆରମ୍ଭ କରିଥିଲେ। ଆଶ୍ଚର୍ଯ୍ୟର କଥା ସେଇଠି ହିଁ ଶ୍ରୀଗଣେଶ ହୋଇଥିଲା ଦାସତ୍ବର କରୁଣ ପରମ୍ପରା। ପରବର୍ତ୍ତୀ କାଳରେ ଉନ୍ନତ ରୋମ୍-ସାମ୍ରାଜ୍ୟ ଠାରୁ ଆରମ୍ଭ କରି ସବୁ ପ୍ରାଚୀନ ସଭ୍ୟ ଭୂମିଖଣ୍ଡରେ ଏହା ପାଲଟିଥିଲା ସାଧାରଣ କଥା। ଗୋଟାଏ ସମୟରେ ତ ଧର୍ମକୁ ମୂଳ କରି ଖ୍ରୀଷ୍ଟିଆନ୍ ଓ ମୁସଲମାନ ସମ୍ପ୍ରଦାୟ ସୁଯୋଗମାତ୍ରେ ପରସ୍ପରକୁ ଦାସତ୍ବ ଶୃଙ୍ଖଳରେ ବାନ୍ଧିବାକୁ ବୀରତ୍ବର ପରାକାଷ୍ଠା ବୋଲି ବିଚାର କରୁଥିଲେ। ରୋମୀୟମାନଙ୍କର ଦାସତ୍ବରୁ ମୁକୁଳିବା ଲାଗି ଇଜିପ୍‌ଟରୁ ଖସି ନିଜ ଇହୁଦୀ ଲୋକଙ୍କୁ ଧରି ମୋଜେସ୍‌ଙ୍କର ଯେ ପ୍ରାଣପାତୀ ସଂଘର୍ଷ ଓ ପଳାୟନ ତାହା ଏବେ ବି ଅନେକଙ୍କର ଚେତନାକୁ ଆନ୍ଦୋଳିତ କରେ। ଦାସତ୍ବର କରୁଣ କାହାଣୀ ଆଜିଯାଏ ପ୍ଳାବିତ ହୋଇ ରହିଛି। ହାରିଏଟ୍‌ ବେଚର୍‌ ଷ୍ଟୋ’ଙ୍କ ‘‘ଅଙ୍କଲ୍ ଟମ୍‌ଙ୍କ କ୍ୟାବିନ୍’’ ଏବେ ବି ଜୀବନ୍ତ। ସବୁଠି ଅଛନ୍ତି ଟମ୍‌ମାନେ ଓ ସବୁ ଦେଶରେ ସେ ଭଳି କ୍ୟାବିନ୍‌ଗୁଡ଼ିକର ଅଭାବ ନାହିଁ।
ସାରା ଜଗତ୍‌ ଆଜି ଘୋଷଣା କରିଛି ଯେ ଦାସତ୍ବ ପ୍ରଥା ଅନ୍ୟାୟ ଓ ଆଇନଗତ ଭାବେ ନିଷିଦ୍ଧ। ହେଲେ ଆଇନ କ’ଣ ଆଚରଣକୁ ବଦଳେଇ ପାରେ? କଠିନ ଆଇନ ହୁଏ’ତ ଆଚରଣକୁ ଅଟକେଇପାରେ ହେଲେ ବଦଳେଇବ କେମିତି? ଏଇ ବଦଳେଇବା ହିଁ ସଭ୍ୟତାର କାମ। ହେଲେ ସଭ୍ୟତା କ’ଣ ସବୁଠାରେ ସଭ୍ୟ ହୋଇ ପାରିଚି? ଆଜି ପୃଥିବୀରେ ଅନେକ ସଭ୍ୟତା ଅସଭ୍ୟ ଅନାଚାରରେ ସବୁଠାରୁ ଅଧିକ ଲିପ୍ତ। ବିଜ୍ଞାନାଗାରରେ ପ୍ରାଣଘାତୀ ଭୂତାଣୁ ସୃଷ୍ଟି କରି ପୃଥିବୀକୁ ନିର୍ମୂଳ କରିବାର ଆଚରଣ କେଉଁ ସଭ୍ୟତାର ମାପକାଠି ଅବା?

ମଣିଷ ପ୍ରଗତି କରୁଛି। ଜଙ୍ଗଲରୁ ସହରକୁ ଆସିଛି। ଅସଭ୍ୟ ଜୀବନବୋଧରୁ ସଭ୍ୟତାର ଇମାରତ୍ ଗଢ଼ିଛି। କେଉଁ ସଭ୍ୟତା ଗଢ଼ିଛି ସେ?

ଆନ୍ତର୍ଜାତିକ ସ୍ତରରେ ମଣିଷକୁ ପଣ୍ୟ କରିବାର ପ୍ରଚେଷ୍ଟା ଏବେ ମଧ୍ୟ ବଳବତ୍ତର। ଗୋଟିଏ ପରିସଂଖ୍ୟାନରୁ ଜଣାଯାଏ ଯେ କେବଳ ୨୦୧୩ରେ ବିଶ୍ବର ପାଖାପାଖି ଚାରିକୋଟି ଲୋକ ଦାସତ୍ବରେ ଥିଲେ। ସେଥିରୁ ଅଧିକାଂଶ ଏସିଆ ମ‌ହାଦେଶର। ୧୯୮୩ରୁ ୨୦୦୫ ଭିତରେ ସୁଦାନରେ ଯେ ଗୃହଯୁଦ୍ଧ ସଂଗଠିତ ହୋଇଥିଲା ତହିଁରେ ଅଧିକାଂଶ ‌ନାଗରିକ ଦାସତ୍ବ ଫାଶରେ ବନ୍ଧା ହୋଇଥିଲେ। ପଶ୍ଚିମ ଆଫ୍ରିକାର କୋକୋଆ କ୍ଷେତରେ ଦାସତ୍ବ ଶୃଙ୍ଖଳରେ ବନ୍ଧାପଡ଼ିଥିବା ଛୋଟ ଛୋଟ ପିଲାମାନେ ହିଁ କାମ କରନ୍ତି। ଗତ ଶତାବ୍ଦୀରୁ କୁଆଡ଼େ ଦାସତ୍ବ କାରଣରୁ ବିଶ୍ବ ଅର୍ଥନୀତିରେ ଏକ ଲକ୍ଷ ପଚାଶ ହଜାର କୋଟି ଟଙ୍କାର ଲାଭ ହୋଇଛି। ଧନ୍ୟ କହିବ ଏ ଅର୍ଥନୀତିର ହିସାବକୁ।
ଚଳନ୍ତି ସମୟର ସଭ୍ୟତାକୁ ଦାସତ୍ବ ଆଧାରରେ ଟିକେ ଅଧିକ ଦେଖିବା ଦରକାର। ଏବେ ଯେଉଁଠି ଯେଉଁଠି ସାମରିକ ଶାସନ ସେଇଠି ସେଇଠି ଦାସତ୍ବର ଦ୍ରୁମମାନେ ମାତ୍ରାଧିକ ମୁଣ୍ଡ ଟେକୁଛନ୍ତି। ସାମ୍ପ୍ରତିକ ସ୍ଥଳ, ଜଳ, ଆକାଶରେ ଉପୁଜିଥିବା ଗମନାଗମନର ସୁବିଧା ଏ ଅନାଚାରକୁ ଆହୁରି ପ୍ରସାରିତ କରିଛି। ୨୦୧୯ରେ ବିଶ୍ବର ଚାରିକୋଟିରୁ ଅଧିକ ଦାସ ବା ସ୍ଲେଭ୍‌ମାନଙ୍କ ଭିତରୁ ପଚିଶ ଭାଗ ହେଉଛନ୍ତି ପିଲା। ସେଥିରୁ ଏକଷଠି ଭାଗ ବିପଦଜନକ କାମରେ ନିଯୁକ୍ତ। ଅନ୍ୟ ପଟେ ମୂଳ ଚାରିକୋଟି ଲୋକଙ୍କ ଭିତରୁ ଅଠତିରିଶ ଭାଗ ମହିଳା ଜୋର୍‌ଜବରଦସ୍ତ ବିବାହ ବନ୍ଧନରେ ବନ୍ଧା। ସଭ୍ୟ ପୃଥିବୀ ନିତି ଏ ମହିଳାମାନଙ୍କ ଅଭିଶାପକୁ ନେଇ ବଞ୍ଚୁଛି। ଦାସ ପାଲଟିଥିବା ପିଲାମାନେ ଏବେ କେତେ କେତେ ଶିଶୁ-ସୈନିକ, ଶିଶୁ-ଯୌନକର୍ମୀ।

ଧନ୍ୟ କହିବ ଆଜିର ସଭ୍ୟ ପୃଥିବୀକୁ। ଧନ୍ୟ କହିବ ସଭ୍ୟ ମଣିଷର ଶିଷ୍ଟ ବିଚାରଧାରାକୁ। ଆମ ଭାରତୀୟମା‌ନଙ୍କର ମନେଥିବ ଯେ ଏକଦା ଫିରିଙ୍ଗିମାନେ ଭାରତୀୟଙ୍କୁ ଅସଭ୍ୟ ନେଟିଭ୍ କହି ଆସିଥିଲେ ସଭ୍ୟ କରିବାକୁ। ତା’ଙ୍କ ବିବେକ କହିଲା, ଆହା ଅସଭ୍ୟଗୁଡ଼ାକ କେଡ଼େ ଖାଲରେ ପଡ଼ିଛନ୍ତି, ତାଙ୍କୁ ସଭ୍ୟ କରିବା ଆମର ଆଲୋକିତ କର୍ତ୍ତବ୍ୟ। ଏଇଠି ପଢ଼ି ଏଇଠି ମଣିଷ ହୋଇଥିବା ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ରୁଡ୍‌ୟାର୍ଡ କିପ୍‌ଲିଙ୍ଗ୍ ବି ସଭ୍ୟତାର ‌ଛାଟ କିଛି କମ୍ ମାରିନାହାନ୍ତି। ୱିନ୍‌ଷ୍ଟନ୍ ଚର୍ଚ୍ଚିଲ୍ ତ ହିନ୍ଦୁଧର୍ମକୁ ଏକ ବର୍ବର, ଅସଭ୍ୟ ଧର୍ମ ବୋଲି କହିଦେଲେ।

ଏ କଥା ସତ, ଯେ କୌଣସି ସମାଜରେ ଭଲ ମନ୍ଦ ମିଶି କରି ଥାଏ। ଆଜି ଯାହା ଭଲ କାଲି ସେଥିରେ ମଇଳା ଜମି ଅପରିଷ୍କାର ହୋଇଯାଏ। ସଭ୍ୟତାର କାମ ହେଲା ତା’କୁ ପରିଶୁଦ୍ଧ କରିବା। ଅମାର୍ଜିତକୁ ମାର୍ଜିତ କରିବା। ଅଶି‌ଷ୍ଟକୁ ଶିଷ୍ଟ କରିବା। ଅସାଧୁ ଭିତରେ ସାଧୁତା ଆଣିବାର ପ୍ରୟାସ କରିବା।

ଅତୀତରେ ସାରା ବିଶ୍ବରେ ସଭ୍ୟତା ନାମରେ ଇଉରୋପୀୟ ଦେଶମାନେ ହିଁ ଏସିଆ, ଆମେରିକା, ଆଫ୍ରିକା ଆଦି ପ୍ରକାଣ୍ଡ ଇଲାକାକୁ କବଳିତ କରି ସେଥିରେ ଯେଉଁ ଅନାଚାରର ବୀଜ ବପନ କରିଥିଲେ ତାହା ଲଟି ହୋଇ ଆଜି ସବୁଆଡ଼େ ଅଛି। ଇଂଲଣ୍ଡ୍, ଫ୍ରାନ୍‌ସ, ଜର୍ମାନୀ, ଇଟାଲି, ସ୍ପେନ୍, ପର୍ତ୍ତୁଗାଲ୍, ହଲାଣ୍ଡ୍ ଭଳି ଦେଶଗୁଡ଼ିକ ସବୁଆଡ଼େ ଉପନିବେଶ ବସେଇ ଏ ଦାସତ୍ବକୁ ପରିବର୍ଦ୍ଧିତ କରିଥିଲେ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

କୁଆଡ଼େ ସଭ୍ୟତାର ଆଲୋକ ଦେବାକୁ ଆସିଥିଲେ ଇଂରେଜମାନେ। ଭାରତ କଥା ଛାଡ଼, ଓଡ଼ିଶାରେ ପଶୁ ପଶୁ ସେମାନେ ଜମିଦାରଙ୍କ ଖଜଣା ବଢ଼େଇଥିଲେ; ଖଚୁଆ ଖଞ୍ଜିଥିଲେ; ଲୁଣମରା ବନ୍ଦ କରି ନିମକ୍-ଇ-ମାହାଲ ଖୋଲିଥିଲେ; ବୁଣାକାରମାନଙ୍କର ବୃଦ୍ଧାଙ୍ଗୁଷ୍ଠି କାଟିଥିଲେ; ପୁରୀଯାତ୍ରୀଙ୍କ ଉପରେ ଟିକସ ବସେଇଥିଲେ; ଅଣଓଡ଼ିଆ କର୍ମଚାରୀ ଆଣି ଖୁନ୍ଦି ଦେଇଥିଲେ କନ୍ଦି ବିକନ୍ଦି; ପାଇକ, ବ୍ରହ୍ମାତ୍ତର, ଦେବୋତ୍ତର ଜାଗିରିମାନ ଉଚ୍ଛେଦ କରିଥିଲେ; ନୂଆ ଆଇନ କରି ଖଜଣା ରୁପା ଟଙ୍କାରେ ଦାବି କରିଥିଲେ ପାରମ୍ପରିକ କଉଡ଼ି ବ୍ୟବସ୍ଥାକୁ ବାତିଲ୍ କରି; ପୁଣି ଅନାଦେୟ ପରିସ୍ଥିତିରେ ଜମିଦାରିଗୁଡ଼ିକୁ ସେତେବେଳକା ଗମନାଗମନ-ଦୁରୂହ କଲିକତାରେ ଶାଗମାଛ ଦରରେ ନିଲାମ କରି ଅଣଓଡ଼ିଆଙ୍କୁ ବିକି ଦେଇଥିଲେ। ଏକମାତ୍ର ମେରିଆବଳି ପ୍ରଥା ଉ‌ଚ୍ଛେଦ ଛଡ଼ା ଆଉ କେଉଁ କଥାଟି ଏଥିରୁ ସଭ୍ୟ ତଥା ଶି‌ଷ୍ଟ ଆଚରଣର ଅନ୍ତର୍ଭୁକ୍ତ ହୋଇପାରିବ?
ଏବେ ଆମେ ସ୍ବାଧୀନ ତଥା ସଭ୍ୟ ଆଚରଣରେ ଆଗକୁ ଆଗେଇ ଚାଲିଛୁ ବୋଲି ଦାବି କରୁଛୁ। ହେଲେ କେଉଁ ସଭ୍ୟତା ଗଢ଼ୁଛୁ ଆମେ? ଆମମାନଙ୍କର ଆଚରଣ କ’ଣ ସତରେ ଶିଷ୍ଟ ଓ ମାର୍ଜିତ? ସରକାରୀ ଓ ବେସରକାରୀ ସ୍ତରରେ ଆମେ କେତେ ସର୍ବୋଦୟରେ ଅଛୁ? ସର୍ବୋଦୟ ନ ଥିଲେ ସଭ୍ୟତା ଆସିବ କେଉଁଠୁ?

ପ୍ରତିଟି ବ୍ୟକ୍ତି ନିଜକୁ ବେପାରୀ କରିବାରେ ମସଗୁଲ୍। ସାମାଜିକ ଗଣମାଧ୍ୟମ ଓ ସମସ୍ତଙ୍କ ହାତରେ ମୋବାଇଲ୍ ସମକାଳର ମଣିଷମାନଙ୍କୁ ଏକ ନୂଆ ଶକ୍ତି ଦେଇଛି। ଜାଣିବା ଓ ଜଣାଇବାର ସୁଯୋଗ ଅକଳ୍ପନୀୟ ଭାବେ ବିକଶିତ ହୋଇଛି। ହେଲେ ସଭ୍ୟତାର ଏ ନୂଆପଣ ମଣିଷକୁ ଅଧିକ ସମୂହକାମୀ କରିଛି ନା’ ସ୍ବାର୍ଥପର କରିଛି? ଆମେ ସାମାଜିକ ଗଣମାଧ୍ୟମରେ ନିଜର ଡିଣ୍ଡିମ ପିଟୁଛୁ ନା ସାମୂହିକ ସମସ୍ୟା-ସମାଧାନର ବାଟ ଖୋଜୁଛୁ? ସାମୂହିକ ହିତର ଅର୍ଥ ନୁହେଁ ଗୋଟିଏ ସାମୂହିକ ଅନୁଷ୍ଠାନ ଗଢ଼ି ସେଥିରେ ନିଜ ପାଇଁ ପ୍ରଚାରମଣ୍ଡପ ତିଆରି କରିବା। ଜନହିତକର କାର୍ଯ୍ୟ ନାଆଁରେ ସରକାରୀ ତହବିଲର ଅର୍ଥକୁ ସୁଯୋଗ ସହଯୋଗ କହି ‘‘ଦାସ-ଭୋଟର’’ ଗଢ଼ିବା ଏକ ଚରମ ଗଣତାନ୍ତ୍ରିକ ଅସଭ୍ୟତା।

ସଭ୍ୟତା କେବଳ ବ୍ୟକ୍ତି ବା ସମୂହର କଥା ନୁହେଁ। ସମୟର କଥା ମଧ୍ୟ। ଆଜିର ଅସଭ୍ୟତା କାଲିର ସମୟକୁ ଯେ ଆହୁରି ଅଧିକ ଅସଭ୍ୟ କରି ରଖିବ ଏଥିରେ ଅସ୍ବୀକାର କରିବାର କ’ଣ ଅଛି?

କହିବାର ଅଛି- ସଭ୍ୟତା ନାମରେ ଅନାଚାର ରୋକିବା ଆମ ସମସ୍ତଙ୍କର ସମକାଳୀନ ବ୍ୟକ୍ତିଗତ ତଥା ସାମୂହିକ ପରମ କର୍ତ୍ତବ୍ୟ। ନଚେତ୍ ସାରା ସଭ୍ୟତା ହିଁ ଅନାଚାରୀ ପାଲଟିଯିବ। ଆମେ ଅସଭ୍ୟ ବୋଲାଇବା।

[email protected]

ସମ୍ବନ୍ଧିତ ଖବର