ଦର୍ପଣ: ଗ୍ରାମୀଣ ପାରିଶ୍ରମିକ ଓ ଦରବୃଦ୍ଧି

ସେଣ୍ଟର୍‌ ଫର ମନିଟରିଙ୍ଗ୍‌ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ)ର ତଥ୍ୟ ଅନୁସାରେ ଗ୍ରାମାଞ୍ଚଳରେ ପାରିଶ୍ରମିକ ହ୍ରାସ ପାଇବା ସହିତ ଉଚ୍ଚ ଦରବୃଦ୍ଧିର ଧାରା ଏକ ଚିନ୍ତାଜନକ ଦୁଃସ୍ଥିତି ସୃଷ୍ଟି କରିଛି। ଏ ବର୍ଷ ଫେବ୍ରୁଆରି ପୂର୍ବ ୨୭ ମାସ ମଧ୍ୟରୁ ୨୫ ମାସରେ ଗ୍ରାମାଞ୍ଚଳର ବାସ୍ତବ ପାରିଶ୍ରମିକ ସଂକୁଚିତ ହୋଇଆସିଛି। ଗତ ଫେବ୍ରୁଆରି ମାସରେ ପାରିଶ୍ରମିକ ସଂକୋଚନ ହାର ସର୍ବାଧିକ ୩.୧%ରେ ପହଞ୍ଚିଛି। ଫେବ୍ରୁଆରି ପୂର୍ବ ଚାରି ମାସ ଏହି ପାରିଶ୍ରମିକ ହାରରେ ତୀବ୍ର ସ୍ଖଳନ ଘଟି ଦରବୃଦ୍ଧିର ଯନ୍ତ୍ରଣାକୁ ବହୁଗୁଣିତ କରିଦେଇଛି। ୨୦୨୩ ନଭେମ୍ବରରୁ ୨୦୨୪ ଫେବ୍ରୁଆରି ମଧ୍ୟରେ ଗ୍ରାମୀଣ ଶ୍ରମିକମାନେ ୭.୧%ରୁ ୭.୫% ହାରରେ ଦରବୃଦ୍ଧିର ସମ୍ମୁଖୀନ ହୋଇଛନ୍ତି। ୨୦୧୯ ମାର୍ଚ୍ଚରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଅଧିକାଂଶ ମାସ ଗ୍ରାମାଞ୍ଚଳର ଦରବୃଦ୍ଧି ହାର ସହରାଞ୍ଚଳଠାରୁ ଅଧିକ ରହିଆସିଛି। ଗତ ଦୁଇ ବର୍ଷର ଟ୍ରାକ୍ଟର, ଓ ଚାରି ବର୍ଷର ଦୁଇଚକିଆ ବିକ୍ରିରୁ ମଧ୍ୟ ଗ୍ରାମାଞ୍ଚଳରେ ଦରବୃଦ୍ଧିର ପ୍ରଭାବ ପରିଲକ୍ଷିତ ହୋଇଛି। ଗତ ବର୍ଷ ଜାନୁଆରି-ମାର୍ଚ୍ଚ ଚଉଠ ତୁଳନାରେ ଏ ବର୍ଷର ପ୍ରଥମ ଚଉଠରେ ଟ୍ରାକ୍ଟରର ହୋଲ୍‌ସେଲ୍‌ ବିକ୍ରି ୨୩% ହ୍ରାସ ପାଇଛି। ସେହିପରି ଗ୍ରାମାଞ୍ଚଳରେ ଅଧିକ ବିକ୍ରି ହେଉଥିବା କମ୍ ମୂଲ୍ୟର ଦୁଇଚକିଆ ମଡେଲ୍‌ଗୁଡ଼ିକର ହୋଲ୍‌ସେଲ୍‌ ବିକ୍ରିର ବାର୍ଷିକ ବୃଦ୍ଧି ହାର ଚାରି ବର୍ଷ ହେଲା ବିଯୁକ୍ତାତ୍ମକ ରହିଆସିଛି। ୨୦୨୪ ଆର୍ଥିକ ବର୍ଷର ଦ୍ବିତୀୟ ଚଉଠରେ ଗ୍ରାମୀଣ ଖାଉଟିଦ୍ରବ୍ୟ ବିକ୍ରି ପୂର୍ବ ବର୍ଷର ସମାନ ଅବଧି ତୁଳନାରେ ମାତ୍ର ୦.୫% ବଢ଼ିଛି, ଯାହା ପୂର୍ବ ଆଠଟି ଚଉଠରେ ସର୍ବନିମ୍ନ। ଲୋକନୀତି-ସିଏସ୍‌ଡିଏସ୍‌ ଦ୍ବାରା ନିକଟରେ କରାଯାଇଥିବା ମତଦାତା ସର୍ବେକ୍ଷଣରୁ ମଧ୍ୟ ସ୍ପଷ୍ଟ ହୋଇଛି ଯେ ଗ୍ରାମାଞ୍ଚଳର ୭୨% ଅଂଶଗ୍ରହଣକାରୀ ଦରଦାମକୁ ନେଇ ଚିନ୍ତିତ। ଲୋକମାନଙ୍କ ଲାଗି ବେକାରି ପରେ ଦରବୃଦ୍ଧି ହେଉଛି ଦ୍ବିତୀୟ ବଡ଼ ପ୍ରସଙ୍ଗ।

ସମ୍ବନ୍ଧିତ ଖବର