ଷାଠିଏ ବର୍ଷ ତଳର…

ଅଭିଲେଖ - ଉଦୟନାଥ ଷଡ଼ଙ୍ଗୀ

୧୯୨୭ କି ୨୮ ମସିହା।

ଉଚ୍ଚ ସରକାରୀ ପଦବିରୁ ଅବସର ଗ୍ରହଣ କରି ସ୍ୱର୍ଗତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ କଟକରେ ଅବସ୍ଥାନ କରୁଥାନ୍ତି। ସେ କେବଳ ଦକ୍ଷ ଉଚ୍ଚ ବିଚାରକ ନ ଥିଲେ ଉତ୍କଳ ସମ୍ମିଳନୀର ଜଣେ ବଡ଼ପଣ୍ଡା, ଦେଶ ମିଶ୍ରଣ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଏବଂ ସଂସ୍କାରକ, ସମାଜସେବୀ, ଓଡ଼ିଆ ସାହିତ୍ୟପ୍ରେମୀ ଥିଲେ। ତାଙ୍କ ଓଡ଼ିଆ ପ୍ରାଣତାର ଗୋଟିଏ ସୁନ୍ଦର ଦୃଷ୍ଟାନ୍ତ ମନେ ପଡୁଛି।

ସେ ସମୟରେ ଉଚ୍ଚ ଶିକ୍ଷିତ ବ୍ରାହ୍ମ ସମାଳ ଗୋଷ୍ଠୀର ଯୁବକମାନେ ବଙ୍ଗୀୟ ବ୍ରାହ୍ମ ସମାଜ ପରିବାରର କନ୍ୟାମାନଙ୍କୁ ବିବାହ କରୁଥିଲେ। କନ୍ୟା ପ୍ରଭାବରେ ସେ ପରିବାରରେ ସାଧାରଣତଃ ବଙ୍ଗୀୟ ଭାଷା ପ୍ରଚଳିତ ହୋଇଯାଉଥିଲା; ମାତ୍ର ଲକ୍ଷ୍ମୀନାରାୟଣ ବାବୁ ବଙ୍ଗୀୟ ମହିଳାଙ୍କୁ ବିବାହ କରିଥିଲେ ମଧ୍ୟ ତାଙ୍କ ପରିବାରର ଭାଷା ଥିଲା ଖାଣ୍ଟି ଓଡ଼ିଆ।

ଅବସର ଗ୍ରହଣ ପରେ ସେ ଯେପରି ସୁସ୍ଥ ସବଳ ଥିଲେ, ସେହିପରି କର୍ମଠ ଥିଲେ ଓ ସର୍ବଦା କୌଣସି ନା କୌଣସି କାର୍ଯ୍ୟରେ ଲାଗିପଡୁଥିଲେ। ବର୍ଷୀୟାନ ସାହିତ୍ୟିକ ଶ୍ରୀଯୁକ୍ତ କାଳିଦୀଚରଣ ପ୍ରାଣିଗ୍ରାହୀ ତାଙ୍କ ସଂପର୍କରେ ଲେଖିଛନ୍ତି-

‘‘କେବଳ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଭାବରେ ନୁହନ୍ତି, ସମାଜ ସଂସ୍କାରକ ରୂପେ ଏବଂ ଜଣେ କର୍ମଠ ପୁରୁଷ ରୂପେ ଲକ୍ଷ୍ମୀନାରାୟଣ ବାବୁ ଖ୍ୟାତି ଅର୍ଜନ କରିଥାନ୍ତି। ଓଡ଼ିଆମାନଙ୍କ ମଧ୍ୟରେ ଜଣେ ସୁସ୍ପଷ୍ଟ ବଳିଷ୍ଠ ନିରଳସ କର୍ମଠ ପୁରୁଷ ରୂପେ ଓ ଶ୍ରଦ୍ଧା ସେ ଆକର୍ଷଣ କରୁଥିଲେ, ସେଥି ସଙ୍ଗେ ତାଙ୍କର ସାଧୁତା ଓ ବ୍ୟାବହାରିକ ସୌଜନ୍ୟ ମଧ୍ୟ ଲକ୍ଷ୍ୟ କରିବାର ବିଷୟ।’’

ଲକ୍ଷ୍ମୀନାରାୟଣ ବାବୁ ବସି ରହିବାର ଲୋକ ନଥିଲେ। ଅବସର ଗ୍ରହଣ ପରେ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ଗଢ଼ିଲେ “ଓଡ଼ିଆ ସାହିତ୍ୟ ପ୍ରଚାର ସଂଘ’’। ସେତେବେଳେ କେବଳ କଟକ ଟ୍ରେଡିଂ କମ୍ପାନି ବ୍ୟତୀତ ଆଉ କୌଣସି ସାହିତ୍ୟ ପ୍ରକାଶନ ସଂସ୍ଥା ନଥିଲା। ଟ୍ରେଡିଂ କମ୍ପାନି ମଧ୍ୟ ଅର୍ଥାଭାବରୁ କୌଣସି ବଡ଼ ବହି ପ୍ରକାଶ କରିବାକୁ ସମର୍ଥ ନ ଥିଲା। କଟକରେ ଆଉ ଯେ କେତୋଟି ପ୍ରକାଶନ ସଂସ୍ଥା ଥିଲା, ସେମାନେ କେବଳ ପୁରାଣ, ଭାଗବତ ଓ ରୀତି ଯୁଗୀୟ କାବ୍ୟ, ଛାନ୍ଦ ପୁସ୍ତକ ଖଣ୍ଡେ ଖଣ୍ଡେ ପ୍ରକାଶ କରୁଥିଲେ।

ଯୁଗୋପଯୋଗୀ ସାହିତ୍ୟ ପ୍ରସାର ଓ ନବଯୁଗର ଲେଖକମାନଙ୍କୁ ଉତ୍ସାହିତ କରିବା ହିଁ ଥିଲା ଓଡ଼ିଆ ସାହିତ୍ୟ ପ୍ରଚାର ସଂସ୍ଥାର ଏକମାତ୍ର ଉଦ୍ଦେଶ୍ୟ। ସେ ଯୁଗର ପ୍ରଖ୍ୟାତ ସାହିତ୍ୟିକ, ବାଗ୍ମୀ ‘ଉତ୍କଳ ସାହିତ୍ୟ’ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ବିଶ୍ବନାଥ କର ଲକ୍ଷ୍ମୀନାରାୟଣ ବାବୁଙ୍କର ପରାମର୍ଶଦାତା। ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ପ୍ରୁଫ୍‌ ସଂଶୋଧନ କରିବା ପାଇଁ ବିଶ୍ୱନାଥ ବାବୁଙ୍କ ନିର୍ଦ୍ଦେଶରେ ଏହି ଲେଖକ ଉପରେ ଦାୟିତ୍ୱ ଦିଆଗଲା।

ମୁଁ ଆଉ ଗୋଟିଏ ପ୍ରେସ୍‍ର କର୍ମଚାରୀ, ତେଣୁ ସ୍ଥିର ହେଲା, ରବିବାର କିମ୍ବା ଛୁଟି ଦିନମାନଙ୍କରେ ତୁଳସୀପୁରସ୍ଥ ଲକ୍ଷ୍ମୀନାରାୟଣ ବାବୁଙ୍କ ବାସଭବନକୁ ଯାଇ କାର୍ଯ୍ୟ କରିବାକୁ ହେବ। ବହୁତ ଗୁଡ଼ିଏ ଫର୍ମାରପ୍ରୁଫ୍ ଆସିଗଲେ ଅପରାହ୍ନ ୫ଟା ପରେ ଯାଇ କିଛି ସମୟ କାମ ଚାଲିବ।

ମୁଁ ଯେଉଁ ସମୟରେ ଯାଏ ନା କାହିଁକି, ଅଧିକାଂଶ ସମୟରେ ଦେଖେ ଦୁଇଜଣ ସୌମ୍ୟଦର୍ଶନ କିଶୋର ହତା ଭିତରେ ଥିବା ବଡ଼ ବାମ୍ଫୀରୁ ପାଣି ଉଠାଇ ବଗିଚାରେ ଢ଼ାଳୁଛନ୍ତି। ଘରକୁ ଲାଗି ପ୍ରଶସ୍ତ ବଗିଚା। ନାନା ପ୍ରକାର ଫଳ ଓ ଫଳ ଗଛରେ ପରିପୂର୍ଣ୍ଣ। ପିଲା ଦୁହେଁ ବଡ଼ ବାଲ୍‌ଟିରେ ପାଣି ଉଠାଇବାରେ ବ୍ୟସ୍ତ। ଚାରି ପାଞ୍ଚଘଣ୍ଟା ଧରି ଅନବରତ କାର୍ଯ୍ୟ ଲାଗିରହିଥାଏ। ପ୍ରୁଫ୍ ଦେଖିବା ଛାଡ଼ି ମୁଁ ବାରମ୍ବାର ଅଫିସ୍ ଘରର ଝରକା ବାଟେ ସେହି ଦିଗକୁ ଅନାଇ ପିଲା ଦୁହିଁଙ୍କର କାର୍ଯ୍ୟକଳାପ ଦେଖେ।

ଗ୍ରୀଷ୍ମ ଋତୁରେ କଟକରେ ପ୍ରବଳ ତାତି। ଖଣ୍ଡିଏ ହାଫ୍ ପ୍ୟାଣ୍ଟ ଓ ଗଞ୍ଜି ପିନ୍ଧିଥିବା ପିଲା ଦୁଇଟିଙ୍କର ଅବିଶ୍ରାମ କଠିନ ପରିଶ୍ରମ। ଝାଳ ବୋହି ପିଠି ପାଖ ଗଞ୍ଜି ଦେହରେ ମିଶି ଯାଇଥାଏ। ପିଲା ଦୁଇଟି ଯେ ଘରର ଚାକର ନୁହଁନ୍ତି, ତା ଅନୁମାନ କରିବା ଖୁବ ସହଜ।

ଲକ୍ଷ୍ମୀନାରାୟଣବାବୁଙ୍କ କଥାଗୁଡ଼ାକ ଶ୍ରୋତାଙ୍କ କାନକୁ ଟିକିଏ କଟୁ ଶୁଣାଯାଏ, ମନକୁ ଦବାଇ ଦିଏ। ସ୍ବର ରୁକ୍ଷ, ସବୁ ସମୟରେ କ୍ରୋଧାନ୍ବିତ ବୋଲି ଯେ କେହି ମନେକରିବ, ସେଥିପାଇଁ ଆଳାପ କରିବାକୁ ସଂକୋଚ ଲାଗେ।

ପିଲାଦୁଇଟିଙ୍କର ଅବସ୍ଥା ଦେଖି ମନରେ ଦୁଃଖ ହେଉଥାଏ। ଦିନେ ଆଉ ସମ୍ଭାଳି ପାରିଲି ନାହିଁ। ଡ଼ରିହରି ପଚାରି ଦେଲି, ଏ କୋମଳ ପିଲାଦୁଇଟିଙ୍କୁ ଏତେ କଷ୍ଟ ଦିଆଯାଉଛି କାହିଁକି?

ସଙ୍ଗେ ସଙ୍ଗେ ତୀକ୍ଷଣ ସ୍ବରରେ ଉତ୍ତର ମିଳିଲା, କାମ କରିବେ ନାହିଁ ତ, ଖାଇବେ କାହିଁକି? ରଜାରାଜୁଡ଼ା ଘରର ପିଲା ନୁହନ୍ତି ଯେ ଏଇଦିନୁ ଅଏସରେ ବଢ଼ି, କୁସଙ୍ଗରେ ପଡ଼ି, ମଦ ମାଇକିନିଆରେ ବୁଡ଼ି ଜୀବନ କଟାଇବେ? ତାଗିଦା କରିଦେଇଛି, କାମ ବନ୍ଦ ତ ଖାଇବା ବନ୍ଦ।

ଚୁପ୍ ହୋଇ ମୁହଁ ତଳକୁ ପୋତି ବସି ରହିଲି। ଭାବୁଥାଏ କି ନିଷ୍ଠୁର ହୃଦୟ।

ଅପେକ୍ଷାକୃତ ନରମ ଗଳାରେ ପୁଣି କହିଲେ, ‘‘ଜାଣିଶୁଣି ତାଙ୍କୁ ଏ କାମ ଦେଇଛି ମୁଁ। କାମ କଲେ ଖାଇବେ। ଏଠାରେ ବସି ଗତିବିଧି ନିରୀକ୍ଷଣ କରୁଛି। ଏହି ସମୟରୁ ଶୃଙ୍ଖଳା ନ ଶିଖିଲେ, ଶାରୀରିକ ଶ୍ରମ ନ କଲେ, ଭବିଷ୍ୟତ ଜୀବନ ମାଟି ହୋଇଯିବ ସିନା ସେ କ’ଣ ଆଉ ମଣିଷ ହେବେ?’’

ମନରେ ଖେଳିଗଲା, ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମର କଡ଼ା କଟକଣା। ଯେଉଁଦିନ ଯେ କିଛି କାମ ନ କରିବ, ସେ ଦିନ ତାର ପଡ଼ି ବନ୍ଦ, ସେ ଯେତେ ଆମ୍ଭୀୟ କି ସ୍ନେହ-ଶ୍ରଦ୍ଧାଭାଜନ ହୋଇଥାଉ ପଛକେ।

ସେତେବେଳେ ପିଲା ଦୁଇଟିର ନାମ ଜାଣି ନ ଥିଲି। ଜାଣିଲି ବହୁତ ଦିନ ପରେ।

କଟକ ସହରକୁ ପ୍ରଥମ ହୋଇ ଗୋଟିଏ ଉଡ଼ାଜାହାଜ ଆସିଲା। ବାଲିଯାତ୍ରା ପଡ଼ିଆରେ ଅଦିନିଆ ବାଲିଯାତ୍ରାର ଭିଡ଼। ସହରର ଆବାଳ-ବୃଦ୍ଧ-ବନିତା ବିଶେଷତଃ ସ୍କୁଲ କଲେଜ ଛାତ୍ରମାନଙ୍କର ସମାବେଶ। ସମସ୍ତଙ୍କର ବ୍ୟାକୁଳ ଆଗ୍ରହ ଟିକିଏ ଏହି ଅଦ୍ଭୁତ ଯନ୍ତ୍ରରେ ହାତମାରି ନିଜକୁ କୃତାର୍ଥ ମନେକରିବେ। ମାତ୍ର ଚାରିକଡ଼ରେ ପ୍ରାୟ ଦଶହାତ ଦୂରରେ ପୋଲିସ୍ ଘେରାଉ। ହାତରେ ପିତ୍ତଳ ଗୋବ ବସା ଠେଙ୍ଗୁଣି। କିଏ ବା ଘେରାଉ ଭିତରକୁ ପଶିବାକୁ ସମର୍ଥ ହେବ? ସାହସ କରିବ?

ଜଣେ ପିଲା କିନ୍ତୁ ଅସୀମ ସାହସ ଦେଖାଇଲା, ପୁଲିସ ଆଖିରେ ଧୂଳି ଦେଇ ଯାଇ ଇଞ୍ଜିନ୍ ପାଖରେ ହାଜର। ଦୀର୍ଘ ଡେଣା ଧରିବାକୁ ହାତ ବଢ଼ାଉଛି। ଗୋଟିଏ ସ୍କୁଲ ଛାତ୍ରର ଏତେ ଦିମାକ୍!

ପୁଲିସ ସେଠାରୁ ଟାଣି ଆଣିଲେ।

ଶୁଣାଗଲା, ପିଲାଟି ସହପାଠୀଙ୍କ ଗହଣରେ ପ୍ରତିଜ୍ଞା କରୁଛି, ବଡ଼ପାଟିରେ, ବୋଧହୁଏ ପୁଲିସ ଲୋକଙ୍କୁ ଶୁଣାଇବା ପାଇଁ, ‘‘ମୁଁ ନିଶ୍ଚୟ ଉଡ଼ାଜାହାଜ ଚଲାଇ ଏହି ପଡ଼ିଆକୁ ଆସିବି। ଦେଖିବି, କେଉଁ ପୁଲିସ ମୋତେ ଅଟକାଇ ପାରିବ?’’

ସେ ଦିନର ସେହି ପିଲା ଦୁହେଁ ହେଉଛନ୍ତି, ଓଡ଼ିଶା ପ୍ରସିଦ୍ଧ ଖେଳୁଆଡ଼ ଶ୍ରୀ ଜର୍ଜ ପଟ୍ଟନାୟକ ଓ ଭାରତ ପ୍ରସିଦ୍ଧ ରାଜନୀତିଜ୍ଞ ଶ୍ରୀ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ପଟ୍ଟନାୟକ।

ପିଲାଙ୍କ ଭବିଷ୍ୟତ ମନ୍ତ୍ର “ମାଟି ହେବେ କି ମଣିଷ ହେବେ’ – ତାହା ବର୍ତ୍ତମାନ ସ୍ବର୍ଗରେ ରହି ବୁଝିପାରୁଥିବେ।

ପରେ ଜାତୀୟ କବି ବୀରକିଶୋର ଦାସଙ୍କଠାରୁ ଗୋଟିଏ ଗପ ଶୁଣିଲି। ପଣ୍ଡିତ ଗୋପବନ୍ଧୁ ଦାସ ବନ୍ୟାବିପନ୍ନ ଅଞ୍ଚଳକୁ ଚୂଡ଼ା ଚାଉଳ ଧରି ଡଙ୍ଗାରେ ଯାଉଥିଲେ, ସଙ୍ଗରେ କେତେଜଣ ତରୁଣ ଛାତ୍ର-ସେଚ୍ଛାସେବକ। ପୂର୍ଣ୍ଣଗଭା ନଦୀ, ସ୍ରୋତର ବେଗ ପ୍ରବଳ, ଉପରେ ଜୋର ପବନ ଓ ତୁହାକୁ ତୁହା ବର୍ଷା। ପରମୁହୂର୍ତ୍ତରେ ଅସହ୍ୟ ଟାଣ ପାଣିଖରା।

ଗୋପବନ୍ଧୁଙ୍କ ମୁଣ୍ଡକୁ ଖରା, ବର୍ଷାରୁ ରକ୍ଷା କରିବା ପାଇଁ ଜଣେ ସ୍ୱେଚ୍ଛାସେବକ ପଛରେ ବସି ଛତାଟିଏ ଧରିଥାଏ। ପବନ ଜୋରରେ ଖୋଲା ଛତାଟି ନିମିଷକ ମଧ୍ୟରେ ଉଡ଼ିଯାଇ ପାଣିରେ ପଡ଼ିଲା। ସ୍ରୋତ ମୁହଁରେ ଭାସି ଭାସି ଦୂରକୁ ଚାଲିଗଲା। ଡ଼ଙ୍ଗା ଆରୋହୀମାନଙ୍କର ଏହା ହୃଦ୍‌ବୋଧ ହେବା ପୂର୍ବରୁ ଜଣେ ତରୁଣ ପାଣିକୁ ଡେଇଁ ପଡ଼ିବାର ଦେଖାଗଲା। ସେ ବେଗରେ ପହଁରି ପହଁରି ଯାଇ ଛତାଟି ଧରିଲା ଏବଂ ସ୍ରୋତ କାଟି ଡଙ୍ଗା ପାଖକୁ ଆସିଲା। ସମସ୍ତ ଆରୋହୀଙ୍କର ଚକ୍ଷୁ ଅପଲକ, ଜିଭ ଅସ୍ଥିର, ଚିନ୍ତା କମ୍ପମାନ। ଡଙ୍ଗା ପାଖ ହୋଇଯିବାରୁ ସେଚ୍ଛାସେବକମାନେ ତାକୁ ଧରି ଉପରକୁ ଉଠାଇ ଆଣିଲେ। ପଣ୍ଡିତ ଗୋପବନ୍ଧୁଙ୍କ ଚକ୍ଷୁର ଲୋତକଧାର ଅମାନିଆ ହୋଇ ଉଠୁଥାଏ।

ସ୍ୱେଚ୍ଛାସେବକମାନେ ଧରାଧରି କରି ଉପରକୁ ଟେକି ଆଣିଲେ। ପିଲାଟିର ମୁହଁରେ ତୃପ୍ତିର ହସ, ମାତ୍ର ପଣ୍ଡିତ ଗୋପବନ୍ଧୁଙ୍କ ମୁହଁ କ୍ରୋଧରେ ଜରଜର। ରାଗ ତମ ତମ ସ୍ବରରେ ନାମ ପଚାରିଲେ।
‘‘ବିଜୟାନନ୍ଦ ପଟ୍ଟନାୟକ’’
ପୁଣି ପ୍ରଶ୍ନ – ‘‘କାହା ପୁଅ?’’
ଲକ୍ଷ୍ମୀନାରାୟଣ ପଟ୍ଟନାୟକ।’’
ବନ୍ଧୁଙ୍କ ପୁଅ ଜାଣି ମୁହୂର୍ତ୍ତେ ଥକ୍‌କା ମାରି ଚାହିଁ ରହିଲେ ପଣ୍ଡିତ ମହାଶୟ।

ଶାନ୍ତ କଣ୍ଠରେ ଅଥଚ ରାଗତମ ସ୍ବରରେ ପଚାରିଲେ, “ମୋ ସାଙ୍ଗରେ ଆସିଛ, ମୋ ଦାୟିତ୍ବରେ ବାପା ଛାଡ଼ି ଦେଇଛନ୍ତି। ଏ ଯେଉଁ ସାହସ କଲ, ଯଦି କିଛି ଦୁର୍ଘଟଣା ଘଟିଯାଇଥାନ୍ତା, ମୁଁ ବାପାଙ୍କୁ କିପରି ମୁହଁ ଦେଖାଇଥାନ୍ତି। କି କୈଫିୟତ ଦେଇଥାନ୍ତି? ସାମାନ୍ୟ ଛତାଟା ପାଇଁ।’’

ସଙ୍ଗେ ସଙ୍ଗେ ଉତ୍ତର ମିଳିଲା ସେହି ହସ ହସ ମୁହଁରେ, ସାମାନ୍ୟ ଛତା ନ ହୋଇ ଯଦି ଆମ ଭିତରୁ କେହି ଖସି ପଡ଼ିଥାନ୍ତା? ଯଦି ଆପଣ?

ସବୁ କ୍ରୋଧ ପାଣିଫାଟି ଗଲା। ସମସ୍ତେ ନିର୍ବାକ।

ବାମ୍ଫୀରୁ ପାଣି ବାଲଟି ଉଠାଉଥିବା ସେହି ଅକ୍ଲାନ୍ତ ପରିଶ୍ରମୀ ପିଲାର ସାହସ ତାଙ୍କୁ ଆଉଥରେ ଦେଖିବା ପାଇଁ ମନକୁ ଉତ୍ତଳ କଲା। ସେତେବେଳକୁ ଲକ୍ଷ୍ମୀନାରାୟଣ ବାବୁ ପାରଳାଖେମୁଣ୍ଡିର ଦେୱାନ। ଆନନ୍ଦ ଭବନରେ ଆଉ କେହି ପରିଚିତ ନାହାନ୍ତି। କି ଉଦ୍ଦେଶ୍ୟରେ ଯିବି, କଅଣ ବା ପରିଚୟ ଦେବି?

ତଥାପି ତୁଳସୀପୁର ଗଲି। ଆନନ୍ଦଭବନ ହତା ଭିତରେ ପଶିଲି। ଆଉ ସାହସ ହେଲାନାହିଁ – ଫେରି ଆସିଲି।

ଡାକ୍ତର ଜର୍ଜ ପଟ୍ଟନାୟକ ମୋର ଏଇ ଅନୁଭୂତି କାହାଠାରୁ ଶୁଣି ଥରେ ଫୋନ୍ କରିଥିଲେ। କହିଲେ, ‘‘ସେତେବେଳେ ବାପା ଆମକୁ ଏଭଳି କଡ଼ା ଶାସନରେ ପାଳି ନ ଥିଲେ ଆଜି କଅଣ ଆମେ ଏ ସ୍ତରକୁ ଆସିଥାନ୍ତୁ?’’

ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଚାନ୍ଦା ସଂଗ୍ରହ କରାଯାଉଥାଏ। ସେ ପର୍ଯ୍ୟନ୍ତ କେବଳ ଦୁଇଜଣ ବିଶିଷ୍ଟ ବଦାନ୍ୟ ବ୍ୟକ୍ତି ପ୍ରତ୍ୟେକେ ଏକ ହଜାର ଟଙ୍କା ଦାନର ପ୍ରତିଶ୍ରୁତି ଦେଇଥାନ୍ତି। ବାକି ପାଞ୍ଚ ଦଶ ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କା ପର୍ଯ୍ୟନ୍ତ ପନ୍ଦର ହଜାର ଟଙ୍କା ସଂଗ୍ରହ ହୋଇଥାଏ। ପରିକଳ୍ପନା ଥାଏ, ଯେକୌଣସି ମତେ ପଚିଶ ହଜାର ଟଙ୍କା ସଂଗ୍ରହ କରି କଟକରେ ଗୋଟିଏ ମାର୍ବଲ ପ୍ରତିମୂର୍ତ୍ତି ରଖାଯିବ।

କଲିକତା ଯାଇ ବିଜୁବାବୁଙ୍କୁ ତାଙ୍କ ଅଫିସ୍‌ରେ ଦେଖା କଲୁ। ଖୁସି ହେଲେ, ଉତ୍ସାହ ଦେଲେ। ଚାନ୍ଦାଖାତା ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିନେଲା ପରେ ଖାତାରେ କଅଣ ଲେଖିଲେ। ତା’ପରେ ଖାତାଟି ବଢ଼ାଇ ଦେଉ ଦେଉ ପରାମର୍ଶ ଦେଲେ, ପ୍ରତିମୂର୍ତ୍ତିଟି ଯେପରି ଦୁର୍ଭିକ୍ଷ ପ୍ରପୀଡ଼ିତ ଜରାଜୀର୍ଣ୍ଣ ନ ହୁଏ।

ଖାତାରେ ତାଙ୍କର ଦାନର ପରିମାଣ ଦେଖିନେଇ ଉତ୍ତର ଦେଲି, ଆମର କଳ୍ପନା ଥିଲା, ଗୋଟିଏ ମାର୍ବଲ ମୂର୍ତ୍ତି; କିନ୍ତୁ ବ୍ରୋଞ୍ଜ ମୂର୍ତ୍ତି ତିଆରି କରାଯିବ।

ତାଙ୍କର ଦାନ ଥିଲା ପାଞ୍ଚ ହଜାର।

ତାହାପରେ ହିନ୍ଦୁସ୍ତାନ ମଟରସ୍‌ର କଲିକତା ଅଫିସ୍‌କୁ ଯାଇଥିଲୁ। ଖାତାର ସମସ୍ତ ପୃଷ୍ଠା ଦେଖିସାରି କର୍ମକର୍ତ୍ତା କହିଲେ ‘‘ଓଡ଼ିଶାର ବିରଳା ପାଞ୍ଚ ହଜାର ଟଙ୍କା ଦେଲେଣି। ଆମେ ଆଉ କେତେ ଦେବୁ?’’

‘ଓଡ଼ିଶାର ବିରଳା’ କଥାଟା ଶୁଣି ଗର୍ବରେ ଅନ୍ତର ଫୁଲି ଉଠିଲା। ଉତ୍ତର ଦିଆଗଲା, “ଭାରତର ବିରଳାଙ୍କଠାରୁ ନିଶ୍ଚୟ ତାଠାରୁ ଅଧିକ ଆଶାକରିବୁ।”

ହସି ହସି ସେ ସେହି ପାଞ୍ଚ ହଜାର ଟଙ୍କା ଲେଖିଥିଲେ।

ପରିକଳ୍ପନା ପଚିଶ ହଜାର ଟଙ୍କା ସ୍ଥାନରେ ମୋଟ ପଇଁଚାଳିଶ ହଜାର ସଂଗ୍ରହ କରିବାକୁ ସମିତି ସମର୍ଥ ହୋଇଥିଲା। ତା ଫଳରେ କଟକରେ ଗୋଟିଏ ବ୍ରୋଞ୍ଜର ଏବଂ ପୁରୀ ଓ ସମ୍ବଲପୁରରେ ଗୋଟିଏ ଗୋଟିଏ ମାର୍ବଲ ପଥରର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ପ୍ରଥମ ପାଞ୍ଚହଜାର ଟଙ୍କା ଦାନର ପ୍ରେରଣା ହିଁ ଏହା ମୂଳରେ ଅଛି ବୋଲି ନିଶ୍ଚିତ ବିଶ୍ୱାସ।

ସୌଜନ୍ୟ: ‘ଅନନ୍ୟ’ ପୁସ୍ତକ

ସମ୍ବନ୍ଧିତ ଖବର