ବିଶ୍ବ ଗୁରୁ!

‘ଗୁରୁ’ ଶବ୍ଦର ଅର୍ଥ ପାଶ୍ଚାତ୍ୟ ଦୃଷ୍ଟିରେ ଥିବା ଭଳି କେବଳ ମାତ୍ର ଶିକ୍ଷା-ଦାତା ଶିକ୍ଷକ ନୁହେଁ, ଭାରତୀୟ ପରିଭାଷାରେ ଏହାର ଅର୍ଥ ଗଭୀର ଓ ବ୍ୟାପକ ଏବ˚ ଲୌକିକ ଭାବେ ଗୁରୁଙ୍କୁ ମାର୍ଗ ଦର୍ଶକ ବୋଲି କୁହାଯାଇପାରେ। ସୁତରା˚, ‘ଜି-୨୦’ର ନେତୃତ୍ବ ନେଉଥିବା ଭାରତ ଯଦି ନିଜକୁ ବାସ୍ତବରେ ବିଶ୍ବଗୁରୁରେ ପରିଣତ କରିବାର ଏକ ସୁଯୋଗକୁ ଦେଖି ପାରୁଥାଏ, ତେବେ କହିବା ବାହୁଲ୍ୟ ଯେ ତାକୁ ଏକ ମାର୍ଗଦର୍ଶକ ତୁଲ୍ୟ ଦୂରଦୃଷ୍ଟିସ˚ପନ୍ନ ଏବ˚ ବିବେଚନାପୂର୍ଣ୍ଣ ଆଚରଣ କରିବାକୁ ହେବ ଯହିଁରେ ଦଳୀୟ ରାଜନୈତିକ ମତାଦର୍ଶରୁ ଊର୍ଦ୍ଧ୍ବକୁ ଉଠି କିଛି ନିଷ୍ପତ୍ତି ମଧୢ ନେବାକୁ ପଡ଼ିପାରେ।

ଗଲା ୧ ତାରିଖ ଠାରୁ ଭାରତ ଯେଉଁ ଏକ ମର୍ଯ୍ୟାଦାବନ୍ତ ଦାୟିତ୍ବ ସହିତ ବିଶ୍ବ ସମୁଦାୟ ସମ୍ମୁଖରେ ଉପନୀତ ହୋଇଛି, ତାହା ହେଲା ‘ଜି-୨୦’ (ଊଣେଇଶଟି ରାଷ୍ଟ୍ର ସହିତ ୟୁରୋପୀୟ ସ˚ଘ) ଗୋଷ୍ଠୀର ଅଧୢକ୍ଷତା। ଉଲ୍ଲେଖଯୋଗ୍ୟ ଯେ ଏହି ସ˚ଗଠନରେ ଅନ୍ତର୍ଭୁକ୍ତ ବିକଶିତ ଏବ˚ ବୃହତ୍‌ ଅର୍ଥନୀତି ସ˚ପନ୍ନ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଆୟ ଏବ˚ ବାଣିଜ୍ୟିକ କାରବାର ହେଉଛି ସମଗ୍ର ପୃଥିବୀର ଆୟ ଓ ବାଣିଜ୍ୟର ୮୦ ପ୍ରତିଶତ। ସେହି ଦୃଷ୍ଟିରୁ ଏଭଳି ଏକ ଅତ୍ୟନ୍ତ ପ୍ରଭାବଶାଳୀ ଗୋଷ୍ଠୀର ନେତୃତ୍ବ ନେବା ଭାରତ ସକାଶେ ଅତ୍ୟନ୍ତ ସମ୍ମାନସୂଚକ ହୋଇଥିବା ସହିତ ଅତ୍ୟନ୍ତ ଦାୟିତ୍ବପୂର୍ଣ୍ଣ ମଧୢ। କିନ୍ତୁ ଏହା ଏକ ବାସ୍ତବତା ଯେ କୋଭିଡ୍‌ ପାନ୍‌ଡେମିକ୍‌ ଏବ˚ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ କାରଣରୁ ସୃଷ୍ଟ ଆର୍ଥିକ ମାନ୍ଦାବସ୍ଥା ଏବ˚ ସନ୍ଦେହର ବାତାବରଣ ବା ଏହି ଯୁଦ୍ଧ ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବରେ ରୁଷିଆ ଉପରେ ଜାରି କରାଯାଇଥିବା ଅତ୍ୟନ୍ତ କଠୋର ଆର୍ଥିକ କଟକଣା ଓ ସେ ନେଇ ମତାନୈକ୍ୟ ଅଥବା ପ୍ରଭୁତ୍ବ ପ୍ରମାଣ ସକାଶେ ଆମେରିକା ଏବ˚ ଚୀନ ମଧୢରେ ମା˚ସପେଶୀ ଚାଳନାର ପ୍ରତିଦ୍ବନ୍ଦ୍ବିତାଜନିତ ତିକ୍ତତା ଇତ୍ୟାଦି ମିଶି ଯାଇ ଏହି ଗୋଷ୍ଠୀର ନେତୃତ୍ବକୁ ଅତ୍ୟନ୍ତ ଆହ୍ବାନଭରା କରିବ; କାରଣ ଏହି ସବୁ କାରଣରୁ ଏହି ଗୋଷ୍ଠୀର ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧୢରେ ମନୋମାଳିନ୍ୟ ସୃଷ୍ଟି ହୋଇଛି। ଏଭଳି ଏକ ସ୍ଥିତିରେ ବିଭିନ୍ନ ଶୀର୍ଷ ସ୍ତରୀୟ ସମ୍ମିଳନୀଗୁଡ଼ିକୁ ପ୍ରତିନିଧିମାନଙ୍କ ବିନା ଅନୁପସ୍ଥିତିରେ ଆୟୋଜନ କରାଯିବା ଏକ ଅତ୍ୟନ୍ତ କଷ୍ଟକର ବ୍ୟାପାରରେ ପରିଣତ ହୋଇପାରେ। ବିଦାୟୀ ଅଧୢକ୍ଷ ରାଷ୍ଟ୍ର ଇଣ୍ତୋନେସିଆ ଏଭଳି ଅସ୍ବସ୍ତିକର ଅନୁଭୂତିର ପ୍ରତ୍ୟକ୍ଷ କରି ସାରିଛି। ସୁତରା˚, ଭାରତ ଲାଗି ଯେ ଏକ ବନ୍ଧୁର ପଥ ଅତିକ୍ରମ କରିବାର ସମ୍ଭାବନା ରହିଛି, ଏହା ହୃଦ୍‌ବୋଧ କରି ହୁଏ।

ସ୍ବାଭାବିକ ଭାବେ ମୋଦୀ ସରକାର ଏହି ଦାୟିତ୍ବକୁ ଅତ୍ୟନ୍ତ ଅର୍ଥପୂର୍ଣ୍ଣ କରିବାର ପ୍ରଚେଷ୍ଟା କରିବେ; ଯାହାର ଆଭାସ ମିଳିଛି ଗଲା ୧ ତାରିଖରେ ଦେଶର ପ୍ରାୟ ସମସ୍ତ ପ୍ରମୁଖ ସମ୍ବାଦପତ୍ରର ସ˚ପ୍ରଦକୀୟ ପୃଷ୍ଠାରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଲିଖିତ ଅଗ୍ରଲେଖରୁ। ଅତି ପ୍ରାଚୀନ କାଳରୁ ଭାରତର ସାମାଜିକ-ସା˚ସ୍କୃତିକ ଆଦର୍ଶକୁ ପରିସ୍ଫୁଟ କରି ଆସିଥିବା ସେହି ଚିରନ୍ତନ ମୂଲ୍ୟବୋଧ ସ˚ପନ୍ନ ବାକ୍ୟ ‘ବସୁଧୈବ କୁଟୁମ୍ବକମ୍‌’ (ସମଗ୍ର ବସୁଧା ମୋ ପରିବାର)ରେ କିଞ୍ଚିତ ସ˚ପ୍ରସାରଣ ଘଟାଇ ଅଧୢକ୍ଷ ରାଷ୍ଟ୍ର ଭାବେ ଭାରତର ଆଭିମୁଖ୍ୟକୁ ଯେଉଁ ରୂପ ପ୍ରଦାନ କରାଯାଇଛି, ତାହା ହେଲା ‘ଗୋଟିଏ ବସୁଧା, ଗୋଟିଏ ପରିବାର ଏବ˚ ଗୋଟିଏ ଭବିଷ୍ୟତ୍‌।’ କହିବା ନିଷ୍ପ୍ରୟୋଜନ ଯେ ଏହି ଆଦର୍ଶରେ ଉଦ୍‌ବୁଦ୍ଧ କରାଇବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ମୁହୁର୍ମୁହୁ ବିଦେଶ ଗସ୍ତମାନ କରିବାକୁ ହେବ ଏବ˚ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧୢରେ ରହିଥିବା ବିଭିନ୍ନ ପ୍ରକାର ଅସହମତିକୁ ଦୂର କରିବାକୁ ହେବ; ଯାହା ପ୍ରକାରାନ୍ତରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବର ପରାକାଷ୍ଠାକୁ ମଧୢ ପ୍ରମାଣିତ କରିବ।

ତେବେ, ଭାରତର ଅଧୢକ୍ଷତାରେ ‘ଜି-୨୦’ ଯେଉଁ ସବୁ କ୍ଷେତ୍ରରେ ଅଗ୍ରଗତି ହାସଲ କରିବା ଦିଗରେ ପ୍ରୟାସ କରିବ, ସେଗୁଡ଼ିକ ହେଲେ ବିଶ୍ବକୁ କବଳିତ କରିଥିବା ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା, ପାନ୍‌ଡେମିକ୍‌ ଏବ˚ ଯୁଦ୍ଧ କାରଣରୁ ବିଭ୍ରାଟଗ୍ରସ୍ତ ଯୋଗାଣ ଶୃଙ୍ଖଳରେ ସୁଧାର, ବିଶ୍ବ ତାପମାତ୍ରା ବୃଦ୍ଧିରେ ବିରାମ ଲଗାଇବାର ପ୍ରୟାସ ଏବ˚ ଯୁଦ୍ଧର ଅବସାନ ଇତ୍ୟାଦି। ଖାଦ୍ୟ, ଶକ୍ତି, ସାର ଏବ˚ ଔଷଧ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣକୁ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରଖି ତହିଁରେ ନିରନ୍ତରତା ସୃଷ୍ଟି କରିବା ଭାରତର ପ୍ରୟାସର କେନ୍ଦ୍ରରେ ରହିବ। କେବଳ ସେତିକି ନୁହେଁ, ଏସୀୟ, ଆଫ୍ରିକୀୟ ଏବ˚ ଲାଟିନ୍‌-ଆମେରିକୀୟ ରାଷ୍ଟ୍ରମାନଙ୍କୁ ଧାରଣ କରିଥିବା ‘ଦକ୍ଷିଣ ଗୋଲାର୍ଦ୍ଧ’ର ଗୁରୁତ୍ବକୁ ପ୍ରତିପାଦନ କରିବା ଲାଗି ଭାରତ ଚଳାଇ ଆସିଥିବା ଉଦ୍ୟମ ଏବ˚ ସୃଷ୍ଟି କରିଥିବା ବ୍ୟାାଖ୍ୟାନ (ନାରେଟିଭ୍‌)କୁ ଦୃଢ଼ତା ପ୍ରଦାନରେ ଭାରତର ଅଧୢକ୍ଷ ପଦ ଏକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବ। ଉଲ୍ଲେଖ ଥାଉ କି ‘ଉତ୍ତର ଗୋଲାର୍ଦ୍ଧ’ (ବିକଶିତ ରାଷ୍ଟ୍ର ଅବସ୍ଥିତ ଥିବା ପୃଥିବୀର ଉପର ଅ˚ଶ)ର ଐକାନ୍ତିକ ପ୍ରଭାବ ଦ୍ବାରା ପରିଚାଳିତ ଜାତିସ˚ଘ ତଥା ଅନ୍ୟାନ୍ୟ ଆନ୍ତର୍ଜାତିକ ସ˚ଗଠନମାନ ଯେ ଅହମିକାଗ୍ରସ୍ତ ଏବ˚ ସେମାନେ ହେୟ ମଣୁଥିବା ‘ଦକ୍ଷିଣ ଗୋଲାର୍ଦ୍ଧ’ର ରାଷ୍ଟ୍ରଗୁଡ଼ିକର ପଦଚିହ୍ନ ଏହି ସବୁ ସ˚ଗଠନରେ ସ୍ପଷ୍ଟ ହେବାର ସମୟ ଉପନୀତ; ଏଭଳି ଏକ ସ˚ସ୍କାରଧର୍ମୀ ବ୍ୟାଖ୍ୟାନ ସହିତ ଭାରତ ପ୍ରୟାସ ଚଳାଇ ଆସିଛି।

ତେବେ, ଏଥିରେ ମଧୢ ସନ୍ଦେହ ନାହିଁ ଯେ ଏହି ଦାୟିତ୍ବ ଗ୍ରହଣ କଲା ପରେ ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ଆନ୍ତର୍ଜାତିକ ଦୃଷ୍ଟି ନିବଦ୍ଧ ରହିବ। ଅନେକଙ୍କ ମତରେ ଏଭଳି ସ୍ଥଳେ ସା˚ପ୍ରତିକ ଭାରତରେ ଦୃଶ୍ୟମାନ ହେଉଥିବା ସା˚ପ୍ରଦାୟିକ ଉଦ୍‌ବେଳନ ଅଥବା ବିଭିନ୍ନ ଗାଣତାନ୍ତ୍ରିକ ଏବ˚ ସା˚ବିଧାନିକ ଅନୁଷ୍ଠାନର ଅବକ୍ଷୟର ଅଭିଯୋଗକୁ ନେଇ ଉଭୟ ଦେଶ ଏବ˚ ବିଦେଶରେ ସୃଷ୍ଟ ଉଚ୍ଚାଟ ଭାରତ ସକାଶେ ଅତ୍ୟନ୍ତ ଅସ୍ବସ୍ତିକର ହେବ। ସୁତରା˚, ସରକାରଙ୍କ ନିଷ୍ପତ୍ତିମାନ ଯେ ଅତ୍ୟନ୍ତ ସତର୍କତା ଓ ସ˚ଯମର ଅପେକ୍ଷା ରଖେ, ତାହା କହିବା ବାହୁଲ୍ୟ ମାତ୍ର। ବର୍ତ୍ତମାନ ଭାରତ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଉଥିବା ଅନେକ ଜାତୀୟ ଏବ˚ ଅନ୍ତର୍ଜାତୀୟ ନିଷ୍ପତ୍ତି ପାଶ୍ଚାତ୍ୟ ଗଣମାଧୢମରେ କଟୁ ସମାଲୋଚନାର ଶରବ୍ୟ ହେବାରେ ଲାଗିଛନ୍ତି, ଯାହାକୁ ଭାରତ ସରକାର ପାଶ୍ଚାତ୍ୟ ଉଦାରବାଦୀ ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ସୁସ˚ଗଠିତ ଚକ୍ରାନ୍ତ ବୋଲି ଅଭିହିତ କରିଥାଆନ୍ତି। ଏହି କାରଣରୁ ଭାରତ ସରକାର ତାଙ୍କ ନିଜ ପକ୍ଷକୁ ପ୍ରା˚ଜଳ କରିବା ସକାଶେ ବିଧିବଦ୍ଧ ଉଦ୍ୟମ ଆରମ୍ଭ କଲେଣି। କିନ୍ତୁ, ଏହା ସତ୍ତ୍ବେ ସରକାରଙ୍କୁ ଅଯଥା ବିବାଦ ଆମନ୍ତ୍ରଣ କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବା ଏକାନ୍ତ ଆବଶ୍ୟକ, କାରଣ ‘ଜି-୨୦’ର ଅଧୢକ୍ଷ ଭାବେ ଏହା ଅଧିକ ଅଡୁଆଜନକ ସ୍ଥିତି ସୃଷ୍ଟି କରିବ।

ଏହି ପରିପ୍ରେକ୍ଷୀରେ ଅନେକ ପର୍ଯ୍ୟବେକ୍ଷକ କହିଥାନ୍ତି ଯେ ଭାରତକୁ ମିଳିଥିବା ଏହି ମର୍ଯ୍ୟାଦା ବିଜେପି ଦ୍ବାରା ଦଳୀୟ ଭାବମୂର୍ତ୍ତି ବିକାଶରେ ବିନିଯୁକ୍ତ ହେବ। ଏହାର ପ୍ରମାଣ ବର୍ତ୍ତମାନ ଠାରୁ ମିଳି ସାରିଲାଣି; କାରଣ ଇଣ୍ତୋନେସିଆରେ ଆୟୋଜିତ ଗଲା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବ ଏବ˚ ପ୍ରଭାବ ତଥା ବର୍ତ୍ତମାନ ସେ ଲାଭ କରିଥିବା ନେତୃତ୍ବର ସୁଯୋଗକୁ ଉପଜୀବ୍ୟ କରି ଗୁଜରାଟ ନିର୍ବାଚନ ପ୍ରଚାର ବେଳେ ଯେଉଁ ବ୍ୟାଖ୍ୟାନମାନ ସୃଷ୍ଟି କରାଯାଇଛି, ତହିଁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ବିଶ୍ବ ନେତା ଏବ˚ ତାଙ୍କ ନେତୃତ୍ବରେ ଭାରତକୁ ଏକ ବିଶ୍ବଗୁରୁ ରୂପରେ ଦର୍ଶାଯାଉଛି। ପ୍ରକାଶ ଥାଉ କି ଆସନ୍ତା ବର୍ଷ ନଅଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ଏବ˚ ତା’ ପର ବର୍ଷ ଦେଶ ସାଧାରଣ ନିର୍ବାଚନର ପ୍ରତ୍ୟକ୍ଷ କରିବ। ସୁତରା˚, ‘ଜି-୨୦’ର ନେତୃତ୍ବ ନେବା ଅବସରରେ ପ୍ରାୟ ବର୍ଷ ସାରା ଭାରତ ଉତ୍ସବାୟିତ ରହି ଯେଉଁ ଏକ ଉତ୍ସାହପ୍ରଦ ବାତାବରଣ ସୃଷ୍ଟି କରିବ, ତହିଁରୁ ବିଜେପିର ଭାଗ୍ୟ ଯେ ଅଧିକ ଚମକିବାର ସୁଯୋଗ ସୃଷ୍ଟି ହେବ, ତାହା କହିବା ଅନାବଶ୍ୟକ। କାରଣ ବିଜେପି ଦ୍ବାରା ସୃଷ୍ଟ ବ୍ୟାଖ୍ୟାନ କହିବା ଶୁଣାଯାଉଛି ଯେ ପାନ୍‌ଡେମିକ୍‌ କାଳରେ ୧୪୦ କୋଟି ଜନସ˚ଖ୍ୟା ବିଶିଷ୍ଟ ଭାରତ ଭଳି ଏକ ବହୁ ଆୟାମୀ ରାଷ୍ଟ୍ରକୁ ସମ୍ଭାଳି ତା’ର ଅର୍ଥନୈତିକ ପ୍ରଗତିକୁ ବଳବତ୍ତର ରଖିପାରିଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ସମଗ୍ର ପୃଥିବୀ ଯେ ସମ୍ମାନ ପ୍ରଦାନ କରେ, ତା’ର ପ୍ରମାଣ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିବା ‘ଜି-୨୦’ର ଅଧୢକ୍ଷ ପଦ ଏବ˚ ତାଙ୍କ ନେତୃତ୍ବରେ ଭାରତ ବିଶ୍ବ ଗୁରୁ ଭାବେ ଅବତୀର୍ଣ୍ଣ ହେବ। ସ୍ବାଭାବିକ ଭାବେ ଏହି ବ୍ୟାଖ୍ୟାନ ଅସ˚ଖ୍ୟ ଭାରତୀୟଙ୍କୁ ପ୍ରଭାବିତ କରିବ।

‘ଗୁରୁ’ ଶବ୍ଦର ଅର୍ଥ ପାଶ୍ଚାତ୍ୟ ଦୃଷ୍ଟିରେ ଥିବା ଭଳି କେବଳ ମାତ୍ର ଶିକ୍ଷା-ଦାତା ଶିକ୍ଷକ ନୁହେଁ, ଭାରତୀୟ ପରିଭାଷାରେ ଏହାର ଅର୍ଥ ଗଭୀର ଓ ବ୍ୟାପକ ଏବ˚ ଲୌକିକ ଭାବେ ଗୁରୁଙ୍କୁ ମାର୍ଗ ଦର୍ଶକ ବୋଲି କୁହାଯାଇପାରେ। ସୁତରା˚, ‘ଜି-୨୦’ର ନେତୃତ୍ବ ନେଉଥିବା ଭାରତ ଯଦି ନିଜକୁ ବାସ୍ତବରେ ବିଶ୍ବଗୁରୁରେ ପରିଣତ କରିବାର ଏକ ସୁଯୋଗକୁ ଦେଖି ପାରୁଥାଏ, ତେବେ କହିବା ବାହୁଲ୍ୟ ଯେ ତାକୁ ଏକ ମାର୍ଗଦର୍ଶକ ତୁଲ୍ୟ ଦୂରଦୃଷ୍ଟିସ˚ପନ୍ନ ଏବ˚ ବିବେଚନାପୂର୍ଣ୍ଣ ଆଚରଣ କରିବାକୁ ହେବ ଯହିଁରେ ଦଳୀୟ ରାଜନୈତିକ ମତାଦର୍ଶରୁ ଊର୍ଦ୍ଧ୍ବକୁ ଉଠି କିଛି ନିଷ୍ପତ୍ତି ମଧୢ ନେବାକୁ ପଡ଼ିପାରେ।

ସମ୍ବନ୍ଧିତ ଖବର