ମିହିର ପ୍ରତାପ ଦାସ

Advertisment

ମହାଭାରତ ଯୁଦ୍ଧ ଉପରାନ୍ତେ ଗାନ୍ଧାରୀଙ୍କର ଅଭିଶାପକୁ ମଥାପାତି ଗ୍ରହଣ କରି ଶ୍ରୀକୃଷ୍ଣ ଛତିଶ ବର୍ଷ ପରେ ଦ୍ୱାରକାକୁ ଫେରିଥିଲେ। ନାରାୟଣୀ ସେନାରେ ଅନେକ ଯାଦବ ବୀର ନିହତ ହୋଇଥିଲେ। ଦ୍ୱାରକାରେ ଅଭିଜ୍ଞ ଲୋକଙ୍କର ସଂଖ୍ୟା ନ୍ୟୂନ ହୋଇ ଯାଇଥିଲା। ନବଯୁବକ, କିଶୋର ବର୍ଗ ମୁଖିଆ ସାଜି ଉଚ୍ଛୃଙ୍ଖଳ ହୋଇଯାଇଥିଲେ। ସାମାଜିକ ଶାଳୀନତାର ପରମ୍ପରା ଲୋପ ପାଇଯାଇଥିଲା। ମଦ, ନିଶା ଦ୍ରବ୍ୟରେ ସବୁ ପୁରୁଷ ଓ ଅଧିକାଂଶ ନାରୀ ଡୁବି ରହିଥିଲେ। ‌େଯୗନ ଅପରାଧ, ନାରୀ ଅପହରଣ ସ୍ପଷ୍ଟ ଦିବାଲୋକରେ ଯାଦବଗଣ ଓ ଏପରିକି ଶ୍ରୀକୃଷ୍ଣଙ୍କ ପୁତ୍ରମାନେ କରି ଚାଲିଥିଲେ। କୋକୁଆ ଭୟ ଦ୍ୱାରକା ନାଗରିକଙ୍କୁ ବିଚଳିତ କରିବାରେ ଲାଗିଲା। କୃଷ୍ଣ ପୁତ୍ର ଶାମ୍ବ କେତେକ ତପସ୍ୱୀମାନଙ୍କୁ ଲାଂଛନା ଦେଇ ଦ୍ୱାରକାକୁ ଅଭିଶାପଗ୍ରସ୍ତ କରିଦେଇଥିଲେ। ନିଶା, ହିଂସା ଓ ନାରୀ ଆସକ୍ତି ଯୋଗୁଁ ଶେଷରେ ଯାଦବ ବଂଶ ହଣାକଟା ହୋଇ ନାଶ ଗଲେ। ଏହା ମହାଭାରତ କାବ୍ୟର ମୂଷଳ ପର୍ବରେ ବର୍ଣ୍ଣିତ। 
ତେବେ, ଗଲା ତିନି ମାସର ଖବର କାଗଜ, ଟେଲିଭିଜନ ଓ ସାମାଜିକ ଗଣମାଧ୍ୟମକୁ ଦେଖିଲେ ଅନୁଭବ କରି ହେଉଛି ଯେ ଓଡ଼ିଶାରେ ବାଲେଶ୍ୱର ଠାରୁ ରାୟଗଡ଼ା, ସମ୍ବଲପୁରରୁ ଜଗତସିଂହପୁର ପର୍ଯ୍ୟନ୍ତ ସର୍ବତ୍ର ମୂଷଳ ପର୍ବର ଦୃଶ୍ୟ ଅଭିନୀତ ହେଉଛି। ସବୁଠି କୋକୁଆ ଭୟ; କେଉଁ ଛାତ୍ରୀ ଅାତ୍ମାହୁତି ଦେଉଛି, କେଉଁଠାରେ ସ୍କୁଲ ଛାତ୍ରୀଙ୍କୁ କେହି ଅଗ୍ନି ସଂଯୋଗ କରିଦେଲାଣି, କେହି ବିଷ ଖାଇଲାଣି ତ ପୁଣି କିଏ ଅପହୃତା ହେଲାଣି। ସୁତରାଂ, ଏତିିକି ବେଳେ ଶ୍ରୀକୃଷ୍ଣଙ୍କର ବାଣୀ ଗୁଞ୍ଜରିତ ହୋଇଯାଉଛି “ଜଳେ ଦ୍ୱାରକା ନାଶ ଯିବ”। ଅତୀତରେ ମଧ୍ୟ ନାରୀ ଜାତିକୁ ଅବହେଳା, ଅପମାନ, ନିର୍ଯାତନା ଦିଆଯାଉଥିଲା। ରାମାୟଣରେ ସୀତା ଅପହରଣ, ମହାଭାରତରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଏ ସଂଦର୍ଭରେ ଅବିମୋଚନୀୟ ଦୃଷ୍ଟାନ୍ତ ହୋଇ ରହିଆସିଛି। ରାମାୟଣରେ ଧୋବଣୀକୁ ଧୋବାର ପ୍ରହାର ଏବଂ ଧୋବଣୀର ବିଳାପ ଏବଂ ତହିଁରୁ ଉତ୍ପନ୍ନ ବିବାଦ ପରିପ୍ରେକ୍ଷୀରେ ସୀତାଙ୍କ ଅରଣ୍ୟ ନିର୍ବାସନ ହେଉଛି ସାଧାରଣ ପରିବାରରୁ ନେଇ ରାଜ ପରିବାର ପର୍ଯ୍ୟନ୍ତ ନାରୀମାନଙ୍କ ସ୍ଥିତିର ଉଦାହରଣ। ମଧ୍ୟଯୁଗୀୟ ଅନ୍ଧକାରକୁ ଆହୁରି ଘନୀଭୂତ କରିଥିଲା ସତୀ ପ୍ରଥା ଏବଂ ବିଧବାମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ। ରାଜା ରାମମୋହନ ରାୟଙ୍କ ଭଳି ସମାଜ ସଂସ୍କାରକଙ୍କ ଉଦ୍ୟମରେ ବ୍ରିଟିସ ଶାସନ କାଳରେ ଅଣାଯାଇଥିବା କେତେକ ଆଇନ ହେତୁ ଏଭଳି ଆନୁଷ୍ଠାନିକ ଓ ଔପଚାରିକ ନାରୀ ନିର୍ଯାତନାରେ ଅନ୍ତ ହେବାକୁ ଲାଗିଲା। ମହାତ୍ମା ଗାନ୍ଧୀ ଉପଲବ୍‌ଧି କରିଥିଲେ ଯେ ସ୍ବାଧୀନତା ସଂଗ୍ରାମରେ ପୁରୁଷମାନଙ୍କ ସହିତ ନାରୀମାନେ ସମ ଭାବେ ଅଂଶ ଗ୍ରହଣ କରିବା ଉଚିତ। ସତ କହିଲେ ତାହା ଏକ ସମୟ ଖଣ୍ଡ ଯାହା ଅନେକ ମହୀୟସୀ ଭାରତୀୟ ନାରୀଙ୍କୁ ଦେଖିଥିଲା, ଯେଉଁମାନେ ଘରର ଅର୍ଗଳିରୁ ବାହାରି ଆସି ସାମାଜିକ ଉନ୍ନତିରେ ମହତ୍ତ୍ବପୂର୍ଣ୍ଣ ଅବଦାନ ରଖିଥିଲେ। ସ୍ବାଧୀନତା ପରେ ହୋଇଥିବା ପ୍ରଥମ ନିର୍ବାଚନରୁ ଭାରତୀୟ ମହିଳାମାନେ ଭୋଟ ଦାନର ଅଧିକାର ପାଇଥିଲେ, ଯାହା ହେଉଛି ଦୃଷ୍ଟାନ୍ତମୂଳକ। କାରଣ ଆମେରିକା ଭଳି ତଥାକଥିତ ବିକଶିତ ଗଣତନ୍ତ୍ରରେ ମହିଳାମାନେ ବହୁ ବିଳମ୍ବରେ ଭୋଟ ଦାନର ଅଧିକାର ପାଇଥିଲେ, ଯେଉଁଥି ଲାଗି ମହିଳାମାନଙ୍କୁ ଦୀର୍ଘକାଳୀନ ଆନ୍ଦୋଳନ କରିବାକୁ ପଡ଼ିଥିଲା। ଶେଷରେ ସଂବିଧାନରେ ସଂଶୋଧନ କରାଯାଇ ୧୯୨୦ ମସିହାରେ ମହିଳାଙ୍କୁ ଭେଟ ଦେବାର ଅଧିକାର ମିଳିଲା। କିନ୍ତୁ ଅପର ପକ୍ଷରେ ଭାରତୀୟ ସଂବିଧାନ ମୂଳରୁ ମହିଳାମାନଙ୍କୁ ରାଜନୈତିକ ରୂପେ ଶକ୍ତିଶାଳୀ କରିଥିଲେ ହେଁ ଭାରତୀୟ ସମାଜରେ ନାରୀମାନେ ଅବଳା, ନିର୍ଭରଶୀଳ ଓ ହେୟ ବୋଲି ବିବେଚିତ ହେବାରେ ଲାଗିଥିଲେ, ଯେଉଁ ଧା‌ରଣା ଏବେ ସୁଦ୍ଧା ଅନେକାଂଶରେ ବଳବତ୍ତର ରହିଛି। 
କହିବା ବାହୁଲ୍ୟ, ମହାଭାରତର ମୂଷଳ ପର୍ବ ହେଉଛି ଏକ ଦର୍ପଣ। ଏହା ଦେଖାଏ ଯେ ବ୍ୟଭିଚାର ଏବଂ ଉଚ୍ଛୃଙ୍ଖଳତା ଦ୍ବାରା ଏକ ସଭ୍ୟତା ଓ ନଗର କିଭଳି ଲୋପ ପାଇଗଲା, ଯାହାକୁ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ନିଜ ବଂଶ ଓ ରାଜ୍ୟ ହୋଇଥିବା ସତ୍ତ୍ବେ ରକ୍ଷା କରି ପାରି ନ ଥିଲେ। ତେଣୁ ଏବେ ଚିନ୍ତା କରିବାର ସମୟ ଉପନୀତ ଯେ ମୂଷଳ ପର୍ବର ଅଇନାରେ ଦେଖି ସମସ୍ତେ ନିଜକୁ ସଜାଡ଼ିବାର ଅବକାଶ ସୃଷ୍ଟି ହେଲାଣି କି? ଉତ୍ତର ସରଳ। ଏବେ ଠାରୁ ଆଚରଣ ଓ ଦୃଷ୍ଟିଭଙ୍ଗୀ ନ ବଦଳାଇଲେ ବିନାଶ ଅବଶ୍ୟମ୍ଭାବୀ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୮୬୩୫୨୮