ଏବେ ମାଣ୍ଡିଆ ଦିବସ ପାଳନ ଅବସରରେ ଦେଖୁଛି ପିଲାଦିନର କିଛି ଘଟଣା ଦୀର୍ଘ କାଳ ପରେ ଆଜି ବାସ୍ତବତାରେ ପରିଣତ ହେବାରେ ଲାଗିଛି। ଏହାକୁ ଆକସ୍ମିକ ବୋଲି କୁହାଯାଇ ନ ପାରେ, ବରଂ ଏକ ଦାୟିତ୍ବବୋଧର ପରିଚାୟକ ଭଳି ମନେ ହୁଏ।
ମୋର ଠିକ୍ ମନେ ଅଛି, ପିଲା ଦିନେ ମା’ ମୋତେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦେଲା ବେଳେ ମୁଁ ପ୍ରାୟତଃ ନାକ ଟେକୁଥିଲି। ମାଣ୍ଡିଆର ପୋଷକ ତତ୍ତ୍ବକୁ ବୁଝିବାରେ ବିଫଳ ସେବର ‘ଗଜମୂର୍ଖ’ଟି ପରବର୍ତ୍ତୀ ଜୀବନରେ ଏହି ପୁଷ୍ଟି-ଶସ୍ୟର ବ୍ୟାପକ ପ୍ରଚାର-ପ୍ରସାର ପାଇଁ ସରକାରୀ ସ୍ତରରେ ସୁଯୋଗ ପାଇବା ବିଷୟ ମୋତେ ଆମୋଦିତ କରୁଛି। ପିଲା ଦିନେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ମୋ ଶରୀରର ପୁଷ୍ଟି ସାଧନ ଲାଗି ଅତ୍ୟନ୍ତ ଆବଶ୍ୟକ ଥିଲା, ତାହା ଏବେ ମୁଁ ଠିକ୍ ଉପଲବ୍ଧି କରିପାରୁଛି। ପୁଣି ମାଣ୍ଡିଆ ଯେ ମୋର ବୌଦ୍ଧିକତାର ପରିପ୍ରକାଶ ସହିତ ପୁଷ୍ଟିହୀନତା ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ତାହା ମଧ୍ୟ ମୁଁ ଅନୁଭବ କରିପାରୁଛି।
ନିକଟ ଅତୀତରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS)ରେ ପ୍ରକାଶିତ ତଥ୍ୟ ଭାରତରେ କୁପୋଷଣର ପ୍ରାଦୁର୍ଭାବକୁ ସୂଚିତ କରୁଛି। ଦେଶର ଭବିଷ୍ୟତ ହେବାକୁ ଯାଉଥିବା ଶିଶୁଟି ଯଦି କୁପୋଷଣ ଯୋଗୁଁ ଶାରୀରିକ ଭାବେ ଅନଗ୍ରସର ହୁଏ କିମ୍ବା ମୃତ୍ୟୁବରଣ କରେ, ତେବେ ତାହା ଦେଶର ଭବିଷ୍ୟତ ପାଇଁ ଅଶୁଭଙ୍କର। ତେଣୁ, ନୂତନ ଓ ଉଜ୍ଜ୍ବଳ ଭବିଷ୍ୟତ୍ ଗଠନ ଦିଗରେ ଆମେ ସମସ୍ତେ ଜଣେ ଜଣେ ଆଗ ଧାଡ଼ିର ସୂତ୍ରଧର ସାଜିବା ଉଚିତ।
ତେବେ ପ୍ରଶ୍ନ ଉଠେ, ଆମେ କିପରି ଭାବରେ ଏହି କାର୍ଯ୍ୟକୁ ସମ୍ପାଦନ କରିବା? ସୁତରାଂ, ଭ।ରତ ଭଳି ଏକ ବିକାଶୋନ୍ମୁଖୀ ଦେଶର ବିବିଧତା ତଥା ଆଞ୍ଚଳିକ ବୈଷମ୍ୟକୁ ଆଖି ଆଗରେ ରଖି ଏକ ସର୍ବଜନାଦୃତ ସୁଦୂରପ୍ରସାରୀ ନୀତି ନିର୍ଦ୍ଧାରଣ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ଅଧିକନ୍ତୁ କୋଭିଡ୍ ମହାମାରୀ ସମଗ୍ର ବିଶ୍ବକୁ କବଳିତ କରିଥିବା ବେଳେ ଏହାର ଭୟାବହତାରୁ ମୁକ୍ତି ନିମନ୍ତେ ବ୍ୟକ୍ତି ଶରୀରରେ ରୋଗ ପ୍ରତିରୋଧକାରୀ ଶକ୍ତି ହିଁ ଏକମାତ୍ର ଆୟୁଧ। କଥାରେ ଅଛି, ‘ପ୍ରତ୍ୟେକ ସମସ୍ୟା ଏକ ସୁଯୋଗ ଲାଗି ଅବକାଶ ସୃଷ୍ଟି କରେ।’ ଅତଏବ ଖାଦ୍ୟ ମାଧ୍ୟମରେ କିପରି ଶରୀରରେ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବା ସେ େନଇ ପ୍ରତ୍ୟେକ ମଣିଷ ଯତ୍ନବାନ ହେବ ଉଚିତ। ଫଳରେ ଧାନ, ଗହମ, ମକା ଭଳି ମୁଖ୍ୟ ଖାଦ୍ୟ ପରିବର୍ତ୍ତେ ମଣିଷ ପୁଷ୍ଟି-ଶସ୍ୟକୁ ବିକଳ୍ପ ଖାଦ୍ୟ ଭାବରେ ଗ୍ରହଣ କରିବା ପାଇଁ ଆଗେଇ ଆସିବା ଦରକାର।
ଆମ ଦେଶରେ ଜଳବାୟୁ, ମୃତ୍ତିକା ଓ ଖାଦ୍ୟ ଚାହିଦାକୁ ଦେଖି ଆଞ୍ଚଳିକ ଭିତ୍ତିରେ ଅନେକ ପ୍ରକାରର ପୁଷ୍ଟି-ଶସ୍ୟ ଚାଷ କରାଯାଇଥାଏ, ଯଥା- ବାଜରା (Pearl Millet), ମାଣ୍ଡିଆ (Finger Millet), କାଙ୍ଗୁ (Foxtai। Millet), କୋଦ (Kodo Millet), ସୁଆଁ (Little Millet), ଯଅ (Jowar) ଇତ୍ୟାଦି। ଯଦିଓ ଏହିସବୁ ଶସ୍ୟ ଅଦ୍ୟାବଧି ମୁଖ୍ୟ ଖାଦ୍ୟ ରୂପେ ପରିଗଣିତ ହୋଇ ନାହାନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କରି ସଚେତନ ଓ ସ୍ବଚ୍ଛଳ ମଧ୍ୟବିତ୍ତ ବର୍ଗ ନିଜର ଖାଦ୍ୟ ଥାଳିରେ ଏଭଳି ପୁଷ୍ଟି-ଶସ୍ୟର ଅବଶ୍ୟକତାକୁ ଉପଲବ୍ଧି କଲେଣି।
ପୁଷ୍ଟି-ଶସ୍ୟ ଜାତୀୟ ଖାଦ୍ୟରେ ଭରପୂର ମାତ୍ରାରେ ପୁଷ୍ଟିସାର, ଜୀବନିକା, ଖଣିଜ ଲବଣ, ଲୌହ, କ୍ୟାଲସିଅମ, ତନ୍ତୁ ଆଦି ରହିଛି। ବାଜରାରେ ଅଧିକ ଲୌହ ଏବଂ କ୍ଷୀର ଠାରୁ ଦୁଇ ଗୁଣ ଅଧିକ ସ୍ନେହସାର ଥିବାରୁ ଏହା ଏକ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ଭାବରେ ଗ୍ରହଣୀୟ ହେବା ଉଚିତ। ମାଣ୍ଡିଆରେ ମଧ୍ୟ ଦୁଗ୍ଧ ଠାରୁ ତିନି ଗୁଣ ଅଧିକ କ୍ୟାଲସିୟମ ଅଛି। ‘କୋଦ’ରେ ଗହମ ଓ ମକା ଅପେକ୍ଷା ତିନି ଗୁଣ ଏବଂ ଧାନ ଠାରୁ ଦଶ ଗୁଣ ଅଧିକ ଖାଦ୍ୟ ତନ୍ତୁ ରହିଛି, ଯାହାକି ଖାଦ୍ୟ ହଜମରେ ସାହାଯ୍ୟ କରେ। ଏହି ଶସ୍ୟଗୁଡ଼ିକ ନିମ୍ନ ଗ୍ଲାଇସେମିକ୍ ସୂଚକାଙ୍କ ଓ ଗ୍ଲୁଟେନ୍ମୁକ୍ତ ଗୁଣ ଯୋଗୁଁ କର୍କଟ ରୋଗ, ରକ୍ତହୀନତା, ଭିଟାମିନ-ବି’ର ଅଭାବ, ମଧୁମେହ ଜନିତ ସମସ୍ୟା ଇତ୍ୟାଦିର ଆଶଙ୍କାକୁ କମାଇବା ସହ ଏହାର ନିରାକରଣରେ ସାହାଯ୍ୟ କରିଥାନ୍ତି। ଏଗୁଡ଼ିକ ଅସ୍ଥିକୁ ମଜଭୁତ କରିବା ସହିତ ଶରୀରର ଓଜନ ହ୍ରାସ କରିଥାନ୍ତି, ଶରୀରରେ ଥିବା କ୍ଷତିକାରକ କୋଲେଷ୍ଟେରଲ (LDL)କୁ କମାଇଥାନ୍ତି, ତେଣୁ ହୃଦ୍ଘାତର ଭୟ କମିଥାଏ। ଏହି ସମସ୍ତ ଗୁଣଧାରୀ ପୁଷ୍ଟି-ଶସ୍ୟକୁ ‘ପୌଷ୍ଟିକତାର ଶକ୍ତିକେନ୍ଦ୍ର’ (powerhouse of nutrition) ବୋଲି କୁହାଯାଏ।
ଏକ କଠୋର ବାସ୍ତବତା ହେଲା ସବୁଜ ବିପ୍ଳବର ସୁଖଦ ଅନୁଭୂତି ପାଇଁ ଆମକୁ ବହୁ ମୂଲ୍ୟ ଦେବାକୁ ହୋଇଛି- ଭୂତଳ ଜଳ ସ୍ତର ହ୍ରାସ ପାଇଛି, ପରିବେଶ ଓ ଜୈବ-ବିବିଧତା ନଷ୍ଟ ହୋଇଛି, ମୃତ୍ତିକାର ସ୍ୱାସ୍ଥ୍ୟରେ ଅବନତି ଘଟିଛି, ମରୁଭୂମି ସୃଷ୍ଟି ହେବାର ଲକ୍ଷଣମାନ ପ୍ରକାଶ ପାଇଛି। ଏହା ସହିତ ବିଶ୍ବ ଉତ୍ତାପ ବୃଦ୍ଧି ସହ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟି କୃଷି କ୍ଷେତ୍ରରେ ଅନିମନ୍ତ୍ରିତ ଦୁର୍ବିପାକ ଘଟି ଚାଲିଛି। ତେଣୁ ବେଳୁ ହିଁ ସାବଧାନ ନୀତିକୁ ଆମ ସମସ୍ତଙ୍କୁ ଅପଣାଇବାକୁ ହେବ, ନଚେତ ଆଗାମୀ ପିଢ଼ିକୁ ଆମେ ଏକ ଧାରଣକ୍ଷମ ପରିସଂସ୍ଥାନ (sustainable ecosystem) ହସ୍ତାନ୍ତର କରି ପାରିବାନାହିଁ।
ଏ ସମସ୍ତ ପୃଷ୍ଠଭୂମିକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ପରିବେଶ ଅନୁକୂଳ ପୁଷ୍ଟି-ଶସ୍ୟଗୁଡ଼ିକ ବିଷୟ ସ୍ବତଃ ମନକୁ ଆସିଯାଆନ୍ତି, ଯାହା ଶୁଷ୍କ ଓ ବର୍ଷା-କ୍ଳିଷ୍ଟ ଅଞ୍ଚଳରେ ଉତ୍ପନ୍ନ ହୋଇପାରେ ଏବଂ ସେଭଳି ଅଞ୍ଚଳର ଚାଷୀମାନଙ୍କ ରୋଜଗାର ତଥା ପୁଷ୍ଟି ସାଧନରେ ସହାୟକ ହୋଇଥାଏ।
୨୦୩୦ ମସିହା ସୁଦ୍ଧା ପୃଥିବୀକୁ କ୍ଷୁଧାମୁକ୍ତ କରିବାକୁ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି। ଏହା ବ୍ୟତୀତ ୧୭ଟି ସତତ ବିକାଶ ଲକ୍ଷ୍ୟ (SDG)ର ମଧ୍ୟ େଘାଷଣା କରାଯାଇଛି। ଏହି ୧୭ଟି ଲକ୍ଷ୍ୟ ମଧ୍ୟରୁ ପ୍ରାୟ ୬ଟି, ଯେମିତି କି ଶିକ୍ଷା, ସ୍ୱାସ୍ଥ୍ୟ, ନିରନ୍ତର କୃଷି, ପୁଷ୍ଟିସାଧନ, ମହିଳା ସଶକ୍ତୀକରଣ ଓ ଜଳବାୟୁ ପରିବର୍ତ୍ତନ ଭଳି ଲକ୍ଷ୍ୟ ପୁଷ୍ଟି-ଶସ୍ୟ ଦ୍ବାରା ପୂରଣ କରାଯାଇପାରିବ। ସୁତରାଂ, ଏହାକୁ ନଜରେର ରଖି ଭାରତ ସରକାର ଜାତୀୟ ଖାଦ୍ୟ ନିରାପତ୍ତା ମିସନ ମାଧ୍ୟମରେ ପୁଷ୍ଟି-ଶସ୍ୟର ଚାଷ ଓ ଖାଦ୍ୟ ରୂପେ ବହୁଳ ବ୍ୟବହାରକୁ ଲୋକାଭିମୁଖୀ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ମଧ୍ୟ ଏହି ପୁଷ୍ଟି-ଶସ୍ୟର ପାରିବେଶିକ ଉପାଦେୟତା, ପୌଷ୍ଟିକ ଗୁଣ ଓ ଲୋକ ସଂସ୍କୃତି ସହ ଥିବା ସଂଶ୍ଳିଷ୍ଟତାକୁ ସମ୍ମାନ ଦେଇ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିଶୁ ପୃଷ୍ଟିହୀନତା ଦୂରୀକରଣ, ପରିବାରର ଖାଦ୍ୟ ତଥା ପୌଷ୍ଟିକ ନିରାପତ୍ତା ଏବଂ ଆର୍ଥିକ ସ୍ୱାବଲମ୍ବନଶୀଳତା ଆଦି ହାସଲ କରିବା ଉଦ୍ଦେଶ୍ୟରେ ୨୦୧୭ ମସିହାରୁ ‘ଓଡ଼ିଶା ମିଲେଟ୍ସ ମିସନ’ କାର୍ଯ୍ୟକାରୀ ହୋଇ ଆସୁଛି। ଓଡ଼ିଶା ସରକାରଙ୍କର ଏହି ପଦକ୍ଷେପ କେନ୍ଦ୍ର ସରକାର ଏବଂ ଜାତିସଂଘ ପରିଚାଳିତ ଅନୁଷ୍ଠାନମାନଙ୍କ ଦ୍ବାରା ଏକ ଆଦର୍ଶ ପଦକ୍ଷେପ ଭାବେ ପ୍ରଶଂସାଭାଜନ ଓ ଅନ୍ୟ ରାଜ୍ୟମାନଙ୍କ ଦ୍ବାରା ଅନୁକରଣୀୟ ହୋଇପାରିଛି।
୨୦୨୩ ମସିହାକୁ ‘ଆନ୍ତର୍ଜାତିକ ପୁଷ୍ଟି-ଶସ୍ୟ ବର୍ଷ’ ଭାବେ ଜାତିସଂଘ ଦ୍ବାରା ଘୋଷଣା କରାଯିବାରେ ଭାରତର ଅବଦାନ ଅଧିକ। କାରଣ ଏଥି ଲାଗି ଭାରତ ପ୍ରସ୍ତାବ ଦେଇଥିଲା। ଏଭଳି ଫସଲ ସହିତ ଓଡ଼ିଶାର ଚାଷୀଙ୍କ ସାଂସ୍କୃତିକ ସଂପର୍କ, ଏହାର ସ୍ବାସ୍ଥ୍ୟଗତ ଉପାଦେୟତା, ଏହି ଫସଲର ଜଳବାୟୁ ସହିଷ୍ଣୁତା କାରଣରୁ ଏହା ରାଜ୍ୟର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ସଶକ୍ତ କରିବାର ସମ୍ଭାବନା ଉଜ୍ଜ୍ବଳ। ଏଣୁ ୨୦୨୩ ମସିହାର ଜାତିସଂଘ ଦ୍ବାରା ସ୍ଥାପିତ ଲକ୍ଷ୍ୟକୁ ଆମ ଦେଶ ଓ ରାଜ୍ୟ ପୂରଣ କରିବାର ଆଶା ଖୁବ୍ ଭଲ।
ଓଡ଼ିଶା ସରକାର ନଭେମ୍ବର ୧୦ ତାରିଖ (ମାର୍ଗଶିର ମାସ ପ୍ରଥମ ଗୁରୁବାର)କୁ ‘ମାଣ୍ଡିଆ ଦିବସ’ (ପୁଷ୍ଟି-ଶସ୍ୟ ଦିବସ) ରୂପେ ଘୋଷଣା କରିଛନ୍ତି। ଏଣିକି ପ୍ରତି ବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ରୂପେ ପାଳନ କରାଯିବା ନେଇ ନୀତି ନିର୍ଦ୍ଧାରିତ ହୋଇଛି। ଏହି ଦିବସ ପାଳନ ପାଇଁ ମାସ୍କଟ୍ ରୂପେ ‘ମିଲି’ର ଆବିର୍ଭାବ ଘଟିଛି। ଆଶା, ଓଡ଼ିଶାର ପ୍ରତ୍ୟେକ ଗୃହିଣୀଙ୍କ ପାଖରେ ଓ ସେମାନଙ୍କ ରୋଷେଇ ଘରେ ପୁଷ୍ଟି-ଶସ୍ୟକୁ ପହଞ୍ଚାଇବାରେ ‘ମିଲି’ ନିଶ୍ଚିତ ଭାବରେ ପ୍ରେରଣାଦାୟକ ହେବ।
ପ୍ରମୁଖ ଶାସନ ସଚିବ
କୃଷି ଓ କୃଷକ ସଶକ୍ତୀକରଣ ବିଭାଗ
ଅନ୍ତଃସ୍ବର; ପୁଷ୍ଟି-ଶସ୍ୟ ମାଣ୍ଡିଆ କାହିଁକି?
ଅରବିଂଦ କୁମାର ପାଢ଼ୀ
/sambad/media/post_attachments/wp-content/uploads/2022/11/5s4h65s46h54fh64fsh5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)