ରାତି ପାହିଲେ ୨୦୨୪ ମସିହାର ଅଲିମ୍ପିକ୍ସ ସରିବ। ଶୁଣିବାକୁ ମିଳିବ ବିଦାୟ ପ୍ୟାରିସ୍ ଓ ଚାଲ ଯିବା ଲସ୍ ଏଞ୍ଜେଲେସ୍। ଅଲିମ୍ପିକ୍ସ କ୍ରୀଡ଼ା ଜଗତର ମହାକୁମ୍ଭ ଭାବେ ପରିଗଣିତ। ଆଦୃତି, ଆବେଦନ, ଚର୍ଚ୍ଚା ଓ ଜନପ୍ରିୟତା ଦୃଷ୍ଟିରୁ ଖେଳର ସ୍ଥାନ ଧର୍ମ, ରାଜନୀତି, ଚଳଚ୍ଚିତ୍ର, ବିଜ୍ଞାନ ଓ ପ୍ରଯୁକ୍ତି ସମ ଏବଂ ଏପରିକି କେତେକଙ୍କ ମତରେ ଏ ସବୁର ସମ୍ମିଳିତ ଶକ୍ତିକୁ ମଧ୍ୟ ଟପିଯିବାର ସାମର୍ଥ୍ୟ ରହିଛି ଖେଳର। କାରଣ ଖେଳ ଖାଲି ଖେଳ ନୁହେଁ। ଯେତେବେଳେ ୨୦୦୪ରେ ଗ୍ରୀସ୍ର ଏଥେନ୍ସରେ ଅଲିମ୍ପିକ୍ ଅନୁଷ୍ଠିତ ହୋଇଥିଲା ସେତେବେଳେ ଲାଗିଥିଲା ସତେ ଯେମିତି ଏଥେନ୍ସ ଓ ସ୍ପାର୍ଟା ଏକାକାର ହୋଇଗଲେ। ମନ ଓ ଦେହର ସଂପର୍କ ଭଳି ଏଥେନ୍ସ ଓ ସ୍ପାର୍ଟାର ସଂପର୍କ। ଏଥେନ୍ସ କହିଲେ ମୁଖ୍ୟତଃ ବୁଝାଯାଉଥିଲା କଳା, ସଂସ୍କୃତି, ସାହିତ୍ୟ, ଦର୍ଶନ, ବିଜ୍ଞାନ, ସଂପାନ, ଶାସନ ଓ ରାଜନୀତି। ଆଉ ସ୍ପାର୍ଟା ଥିଲା ବୀରତ୍ବ, ଶୌର୍ଯ୍ୟ, କୁସ୍ତି, ବ୍ୟାୟାମଶାଳା, ଭାରୋତ୍ତୋଳନ, ଦୌଡ଼ ଓ କଠୋର ସଂଯମର ପୀଠ। ହେଲେ ଖାଲି ଖେଳ ଯେମିତି କାଳ ହୁଏ, କେବଳ କଳା ସେମିତି ଭୋଳା କରାଏ। ସେଥିପାଇଁ ସବୁବେଳେ ଲୋଡ଼ା ଏଥେନ୍ସ ଓ ସ୍ପାର୍ଟାର ମେଳ, ଅଡିଟୋରିଅମ୍ ଓ ଷ୍ଟାଡିଅମ୍ର ସନ୍ଧି। ପ୍ୟାରିସ୍ ଅନେକ ମାତ୍ରାରେ ଏଥେନ୍ସ ସହ ତୁଳନୀୟ। ଆଉ ପ୍ୟାରିସ୍ରେ ଅଲିମ୍ପିକ୍ସ ମାନେ ପ୍ୟାରିସ୍ରେ ଉଭୟ ଏଥେନ୍ସ ଓ ସ୍ପାର୍ଟାର ଅବତରଣ- ଉଦ୍ଘାଟନୀ ଉପଲକ୍ଷେ ସେନ୍ ନଦୀ ବକ୍ଷରେ ଓ ଉଦ୍ଯାପନୀ ଅବସରରେ ଜାତୀୟ ଷ୍ଟାଡିଅମ୍ ପ୍ରାଙ୍ଗଣରେ। ଶହେ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ପ୍ୟାରିସ୍କୁ ଆଉ ଏକ ଅଲିମ୍ପିକ୍ସ ଆୟୋଜନ ସକାଶେ।
ଇତିହାସ ଓ ଜନ୍ମ ଜାତକ ଖେଳେଇ ସମସ୍ତେ କହିପାରିବେ ଯେ ଅଲିମ୍ପିକ୍ସର ଉତ୍ପତ୍ତିସ୍ଥଳ ହେଉଛି ଗ୍ରୀସ୍। ଗ୍ରୀକ୍ମାନେ ପରସ୍ପରକୁ ମାରିବାକୁ ଭଲ ପାଉଥିଲେ; ହେଲେ ସେମାନେ ମରାମରି ସହିତ ଅନ୍ୟ ଖେଳ ବି ଖେଳୁଥିଲେ। ଯେତେବେଳେ ଅଲିମ୍ପିକ୍ସ ହେଉଥିଲା ସେତେବେଳେ ସେମାନେ ଯୁଦ୍ଧଫୁଦ୍ଧ କଥା ଭୁଲି ଯାଉଥିଲେ। ଖେଳିଲା ବେଳେ ସଭିଏଁ ଫୁଙ୍ଗୁଳା ହୋଇ ଖେଳୁଥିଲେ। ପୋଷାକ କହିଲେ ଯାହା ତେଲ ମଖା ଚିକ୍ଚିକ୍ ଚମ। ବିଜେତାମାନଙ୍କୁ ସୁନା, ରୁପା ଓ ବ୍ରୋଞ୍ଜ୍ର କୌଣସି ପଦକ ମିଳୁ ନ ଥିଲା। ପଦକ ବଦଳରେ ମିଳୁଥିଲା ଅଲିଭ୍ ପତ୍ରର ହାର ଓ ମୁକୁଟ ଏବଂ ଅଲିଭ୍ ତେଲ ଭର୍ତ୍ତି ପାତ୍ର। ପୁଣି ଜୀବନସାରା ମାଗଣା ଖାଦ୍ୟର ବ୍ୟବସ୍ଥା। ଏ ସବୁ ସାଙ୍ଗକୁ ପଡ଼ୋଶୀମାନଙ୍କ ପ୍ରଶଂସା ଓ ସମ୍ମାନ। ପ୍ରଥମ ଅଲିମ୍ପିକ୍ ବିଜେତାଙ୍କ ନା ଥିଲା କୋରେବସ୍। ସିଏ ପର ଘରେ ରୋଷେଇ କାମ କରି ନିଜର ଗୁଜୁରାଣ ମେଣ୍ଟଉଥିଲେ। ସେବେକାର ପ୍ରଥମ ଅଲିମ୍ପିକ୍ସରେ ସିଏ ଏତେ ଜୋର୍ରେ ଦୌଡ଼ିଥିଲେ ଯେ ଅନ୍ୟ ପ୍ରତିଦ୍ବନ୍ଦ୍ବୀମାନେ କାହିଁ କେତେ ପଛରେ ରହିଯାଇଥିଲେ। ଏପରିକି ପ୍ରବଳ ପ୍ରତାପୀ ଉତ୍ତରା ପବନର ବେଗ ତାଙ୍କ ଠାରୁ ହାର୍ ମାନିଥିଲା। ଏକ ସାମୂହିକ ଚେତନା ଓ ଅସ୍ମିତାର ଉତ୍ସବ ଥିଲା ଅଲିମ୍ପିକ୍ସ। ଗ୍ରୀକ୍ମାନେ ଅଲିମ୍ପିକ୍ସରେ ଭାଗ ନେଇ ଖେଳୁଥିବା ବେଳେ କହୁଥିଲେ- ଆମେ ପରସ୍ପରକୁ ଘୃଣା କରୁ, ପରସ୍ପର ସହ ଲଢୁ; ଏ ସବୁ ସତ୍ତ୍ବେ ଆମେ ସଭିଏଁ ଗ୍ରୀକ୍। ମହିଳା, କ୍ରୀତଦାସ ଓ ବିଦେଶୀମାନେ ଭାଗ ନେଇପାରୁ ନ ଥିଲେ ଗ୍ରୀକ୍ ଅଲିମ୍ପିକ୍ସରେ। ସେମିତି ଗ୍ରୀକ୍ ଗଣତନ୍ତ୍ରରେ ମଧ୍ୟ। ଅବଶ୍ୟ ସମୟ କ୍ରମେ ସ୍ପାର୍ଟା ପାଖ ୟୁରୋଟାସ୍ ନଈରେ ଓ ଏଥେନ୍ସ ସମୀପବର୍ତ୍ତୀ ସେଫିସସ୍ ନଦୀରେ ଅନେକ ନୂଆ ପାଣି ବହିଗଲାଣି। ଆଧୁନିକ ଅଲିମ୍ପିକ୍ସ ସମାବେଶୀ ସଂସ୍କୃତି ଓ ଗଣତନ୍ତ୍ରୀକରଣର ଆଉ ଏକ ନମୁନା ପାଲଟିଗଲାଣି।
ଅନ୍ୟ େକତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଓସ୍କାର୍, ଗ୍ରାମି ଓ େନାବେଲ୍ ଯାହା କ୍ରୀଡ଼ା କ୍ଷେତ୍ରରେ ଅଲିମ୍ପିକ୍ସ ଅତି କମ୍ରେ ତାହା। ଶରୀର, ମନ ଓ ଆତ୍ମାର ସଂଗମ ଯୋଗୁଁ ଯେଉଁ ଚରମ ଉତ୍କର୍ଷ ସମ୍ଭବ ହୁଏ ତାହା ଅଲୌକିକ ଲାଗୁଥିଲେ ମଧ୍ୟ ସତ କୁହୁକର ଓ ବାସ୍ତବ ପ୍ରଦର୍ଶନର ଅବତାର ଧାରଣ କରି ଉଭା ହୁଏ ଅଲିମ୍ପିକ୍ସ ସମୟରେ। ଯେଉଁଠି ଓ ଯେତେବେଳେ ମଣିଷ ପକ୍ଷୀ ପ୍ରାୟ ଉଡ଼ିପାରେ, ପୋକ ଭଳି ଚଢ଼ିପାରେ, ବିଜୁଳି ସମ ଗତି କରିପାରେ, ଅଶ୍ବ ବେଗରେ ଦୌଡ଼ିପାରେ, ମତ୍ସ୍ୟ ସଦୃଶ ସନ୍ତରଣ କରିପାରେ, ଦେହକୁ ମନ ବେଶ ଦେଇ ଅପୂର୍ବ ଭାରସାମ୍ୟ ରଖିପାରେ, ନିଜ ରକ୍ତରେ ନିଅଁା ଲଗେଇ ଲଢ଼ିପାରେ, ଅହିଂସ ତେଣ୍ଟା ଫୋପାଡ଼ିପାରେ, ଧାତବ କଇଁଛ ଘୂରାଇପାରେ, ତୀର ଭିଡ଼ିପାରେ ଏବଂ ମନ-ମୁନ-ଧ୍ୟାନ-ଚଇତନ ମିଶେଇ ଅସାଧ୍ୟ ସାଧନ କରିପାରେ। କାରଣ, ଲକ୍ଷ୍ୟ ହେଲା- ବଳ, ବେଗ, ଡିଅଁା, ଖେପା ଓ ପହଞ୍ଚ ଆଦି ଦ୍ବାରା ଦ୍ରୁତତର, ଉଚ୍ଚତର ଓ ଦୃଢ଼ତର ସାବ୍ୟସ୍ତ ହେବା। ଯେଉଁଠି ପଦକ ବୋଇଲେ ଧାତବ ଉପାଦାନ ପ୍ରସ୍ତୁତ ଉତ୍ପାଦ ମାତ୍ର ନୁହେଁ; ବରଂ ପରିଶ୍ରମ, ଏକାଗ୍ରତା, ଇଚ୍ଛାଶକ୍ତି ଓ ଦୃଢ଼ସଂକଳ୍ପର ରକ୍ତ, ଝାଳ ଓ ରସ ସମ୍ଭବ ସ୍ବୀକୃତି। ଏମିତିରେ ତ ଏଥରକ ପ୍ୟାରିସ୍ରେ ପ୍ରଦାନ କରାଯାଇଥିବା ପଦକ ପ୍ରସ୍ତୁତିରେ ଆଇଫେଲ୍ ଟାୱାର୍ର ଧାତବ ଉପାଦାନର ଅଣୁ କିୟଦଂଶ ଗର୍ଭିତ ହୋଇଥିଲା। ଧାତବ ଉପାଦାନ ନୁହେଁ, ବରଂ ଐତିହ୍ୟର ଉପାଦାନ।
ବୌଦ୍ଧିକ ବିଚାର ବିମର୍ଶ ଅନୁରାଗୀ କାଟର ବ୍ୟକ୍ତିବିଶେଷ କହିଥାନ୍ତି କ୍ରୀଡ଼ା ହେଉଛି ରକ୍ତପାତ ରହିତ ଯୁଦ୍ଧ ଓ ରାଜନୀତି। ୧୯୮୦ ମସିହାରେ ଆମେରିକା ଓ ସେଇ ଶିବିରର ମିତ୍ର ରାଷ୍ଟ୍ରଗଣ ମସ୍କୋ ଅଲିମ୍ପିକ୍ସ ବର୍ଜନ କରିଥିଲେ। ପ୍ରତ୍ୟୁତ୍ତରରେ ତତ୍କାଳୀନ ସୋଭିଏତ୍ ଦେଶ ଓ ମିତ୍ର ଗୋଷ୍ଠୀ ୧୯୮୪ରେ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ବର୍ଜନ କରିଥିଲେ। ବିଶ୍ବଯୁଦ୍ଧ କାରଣରୁ ୧୯୧୬, ୧୯୪୦ ଓ ୧୯୪୪ ମସିହାରେ ଅଲିମ୍ପିକ୍ସ ବାତିଲ ହୋଇଥିଲା। ୧୯୬୪ ମସିହାରେ ବର୍ଣ୍ଣବିଦ୍ବେଷ ଓ ଦକ୍ଷିଣ ଆଫ୍ରିକା ବାସନ୍ଦ ପ୍ରସଙ୍ଗ ନେଇ ଘୋର ବିବାଦ ଉପୁଜିଥିଲା। ଏଥରକ ୟୁକ୍ରେନ୍ ଆକ୍ରମଣ ଓ ଦଖଲ କାରଣରୁ ରୁଷୀୟ ଖେଳାଳିଙ୍କୁ ରୁଷ୍ର ଖେଳାଳି ଭାବେ ପ୍ୟାରିସ୍େର ଭାଗ ନେବାକୁ ମନା କରାଯାଇଥିଲା; କିନ୍ତୁ ସେମାନେ ନିରପେକ୍ଷ ବ୍ୟକ୍ତି ଭାବେ ଭାଗ ନେବାକୁ ଚାହିଁଲେ କିଛି ବାରଣ ନ ଥିଲା। ପ୍ୟାରିସ୍ ପୂର୍ବବର୍ତ୍ତୀ ଟୋକିଓ ଅଲିମ୍ପିକ୍ସ ୨୦୨୦ ମସିହାରେ ହେବାର ଥିଲା। କୋଭିଡ୍ ମହାମାରୀ କାରଣରୁ ତାହା ବର୍ଷେ ଘୁଞ୍ଚିଗଲା। ଦର୍ଶକ ଗ୍ୟାଲେରୀ ଥିଲା ଖଁା ଖଁା। କରୋନା ନିରୋଧକ ନିରାପଦ ଜୈବ-ବଳୟ ଅତ୍ୟାଧୁନିକ ପ୍ରଯୁକ୍ତି କୌଶଳ ସହାୟତାରେ ମନୋରମ ହୋଇପାରିଥିଲେ ବି ବେଶ୍ କରୁଣ ଜଣାପଡୁଥିଲା। କାରଣ ସେଠି ଦେଖିବାକୁ କେହି ନ ଥିଲେ। ଟୋକିଓ ଅଲିମ୍ପିକ୍ସର ଦୃଶ୍ୟ ଅବାସ୍ତବ, ଅବାନ୍ତର ଓ ଉଦ୍ଭଟ ନ ହେଲେ ବି ନିହାତି ଅତିବାସ୍ତବ ବା ହାଇପର୍-ରିଅଲ୍ ଲାଗୁଥିଲା। ଅଲିମ୍ପିକ୍ସର ପ୍ରଚାର-ପ୍ରସାର କ୍ଷେତ୍ରରେ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ବିବରଣୀକୁ ଜୀବନ୍ତ, ଅନ୍ତରଙ୍ଗ ଓ ବିଶ୍ବସ୍ତ କରିବାକୁ ସେମାନେ ଅନେକ କଷ୍ଟ ସ୍ବୀକାର କରନ୍ତି। ଯେମିତି ଏଥରକ ପ୍ୟାରିସ୍ରେ କରିଥିଲେ ଏକଦା ଏଇ କାଗଜରେ କାମ କରିଥିବା ସମ୍ବିତ ମହାପାତ୍ର। ଦିନେ ଦିନେ ତାଙ୍କୁ ଟ୍ରେନ୍ରେ ୨୦୦ କି.ମି., ଟ୍ରେନ୍ରୁ ଓହ୍ଲେଇ ଚାଲି ଚାଲି ୧୧ କି.ମି. ଦୂରତା ଅତିକ୍ରମ କରିବାକୁ ପଡୁଥିଲା- ପୁଣି ଖାଇବାକୁ ପଡୁଥିଲା ଖାଲି ଭାତ ଓ ଅାଳୁ।
ପ୍ୟାରିସ୍େର ଆମ ଦେଶର ଅଂଶଗ୍ରହଣ ଓ ସଫଳତା ଦୃଷ୍ଟିରୁ ଦୁଇ ଜଣ ମହିଳାଙ୍କ ଉଲ୍ଲେଖ ବିନା ଆଲୋଚନା ନିଶ୍ଚୟ ଅସଂପୂର୍ଣ୍ଣ। ସଂଯୋଗ କ୍ରମେ ଦୁହେଁ ହରିଆନାର। ଛୋଟିଆ ରାଜ୍ୟ ହରିଆନା; କିନ୍ତୁ କୀଡ଼ା କ୍ଷେତ୍ରରେ କେତେ ଆଗରେ! ଏକଦା ହରିଆନାର କପିଳ ଦେବ କ୍ରିକେଟ୍ରେ ଅଲ୍ରାଉଣ୍ଡର୍ ଭାବେ ଅତି ଶୀର୍ଷକୁ ଯାଇପାରିଥିଲେ ଓ ହରିଆନା ହରିକେନ୍ର ଖ୍ୟାତି ଲାଭ କରିଥିଲେ। ମନୁ ଭାକର୍ ପିସ୍ତଲ ଚାଳନା/ସୁଟିଂରେ ଦୁଇଟି କାଂସ୍ୟ ପଦକ ଲାଭ କରିଛନ୍ତି। ଗଲା ଅଲିମ୍ପିକ୍ସ ବେଳେ ଟୋକିଓ ଠାରେ ତାଙ୍କ ପ୍ରଦର୍ଶନରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପରେ ସିଏ ଭାବିଥିଲେ ଖେଳ ପୂରା ଛାଡ଼ିଦେବେ। ସିଏ ଖାଲି ସ୍ପାର୍ଟାର ନୁହନ୍ତି; ସିଏ ମଧ୍ୟ ଏଥେନ୍ସର। ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରସିଦ୍ଧ ଲେଡି ଶ୍ରୀରାମ କଲେଜରେ ସିଏ ରାଜନୀତି ବିଜ୍ଞାନ ଛାତ୍ରୀ ଥିଲେ ଓ ପରେ ପଞ୍ଜାବ ବିଶ୍ବବିଦ୍ୟାଳୟରେ ଲୋକ ପ୍ରଶାସନର ଛାତ୍ରୀ ହେଲେ। ପ୍ୟାରିସ୍ରୁ ଭାରତ ଫେରିଲା ପରେ ସିଏ କହିଛନ୍ତି- ତିନି ମାସ ପାଇଁ ସିଏ କ୍ରୀଡ଼ା ପ୍ରଶିକ୍ଷଣରୁ ବିରତି ନେଇ ଯୋଗରେ ମନୋନିବେଶ କରିବେ। ଯୋଗ ଅସଲରେ ହାତ ଓ ଗୋଡ଼ର ସର୍କସ୍ ନୁହେଁ। ଏହା ଦେହ ସହ ମନର ମିଶାଣ ଓ ମିଳନ ଯାହା ଅନେକ ଉଦ୍ବେଗ, ଚାପ ଓ ଅବସାଦର ସରଳ ତଥା ଜୈବିକ ସମାଧାନ ଯୋଗାଇଦିଏ।
ନିଜ ଦେହର ଓଜନ ଶହେ ଗ୍ରାମ୍ ମାତ୍ର ଅଧିକ ଜଣାପଡ଼ିବାରୁ ଭିନେଶ ଫୋଗଟଙ୍କୁ ପଚାଶ କେ.ଜି. ବର୍ଗର କୁସ୍ତିରେ ଭାଗନେବା ପାଇଁ ଅଯୋଗ୍ୟା ଘୋଷିତ କରାଗଲା; ଯଦିଓ ସିଏ ସେମିଫାଇନାଲ୍ ଜିତି ସାରିଥିଲେ, ସେ ପର୍ଯ୍ୟାୟରେ ସିଏ ବିଶ୍ବ ବିଜୟିନୀ ୟୁଇ ଶୁଶାକିଙ୍କୁ ହରାଇଥିଲେ ଏବଂ ସ୍ବର୍ଣ୍ଣ ପଦକ ପାଇବେ ବୋଲି ସବୁ ମହଲ ଆକଳନ କରୁଥିଲା। କିନ୍ତୁ ତାଙ୍କ ଜୀବନଯାତ୍ରାର ନିକଟ ଅତୀତର ଅନେକ ଅଘଟଣ ଭଳି ପ୍ୟାରିସ୍ରେ ପୁଣି ଅଘଟଣ ଘଟିଲା। ବ୍ୟବସ୍ଥା ବିରୋଧରେ ପ୍ରତିବାଦ କରି ସିଏ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରେ ବସିଥିଲେ, ଅନଶନ କରିଥିଲେ, ପଥପ୍ରାନ୍ତରେ ଚାଳିଶ ଦିନ ଖୋଲା ଆକାଶ ତଳେ ଶୋଇ ରହିଥିଲେ, ପୁଲିସ୍ର ଦୌରାତ୍ମ୍ୟର ସମ୍ମୁଖୀନ ହୋଇଥିଲେ, ଆଇନଗତ ହସ୍ତକ୍ଷେପ ଚାହିଁଥିଲେ ଏବଂ ଅତିଷ୍ଠ ହୋଇ ଥରେ କହିଥିଲେ ନିଜର ସବୁ ପଦକ ଗଙ୍ଗା ନଦୀର ଜଳ ଭିତରକୁ ନିକ୍ଷେପ କରିବେ। କାହା ବିରୋଧରେ ତାଙ୍କ ଲଢ଼େଇ ସେ ବିଷୟରେ କାହାକୁ ଅଛପା ନାହିଁ। ଖେଳାଳି ଜଣେ କ୍ରୀଡ଼ାଙ୍ଗନ ଓ ତାଲିମ କ୍ଷେତ୍ର ବାହାରେ ପ୍ରତିରୋଧ-ବିରୋଧ-ପ୍ରତିବାଦ କରିବାକୁ ଯଦି ବାଧ୍ୟ ହୁଅନ୍ତି ସେଥିପାଇଁ ସିଏ ଦାୟୀ ନୁହନ୍ତି। ଅନିଚ୍ଛା ସତ୍ତ୍ବେ ସେଥିରେ ତାଙ୍କର ଅନେକ ସମୟ ଓ ଉର୍ଜା ଖର୍ଚ୍ଚ ହୋଇଯାଏ। ଭିନେଶ ଫୋଗଟ କୁସ୍ତିରୁ ଅବସର ଘୋଷଣା କରି ନିଜ ମା’କୁ ଯାହା ଜଣାଇଛନ୍ତି ତାହା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ଓ ବହୁ ସନ୍ଦେଶମୟ- କୁସ୍ତି ମତେ ହରେଇ ଦେଲା (କୁସ୍ତିରେ ହାରିବା ଅଲଗା କଥା ନିଶ୍ଚୟ); ତୋ ସ୍ବପ୍ନ ସ୍ବପ୍ନରେ ରହିଗଲା ଓ ଆଉ ଖେଳିବାକୁ ମୋତେ ବଳ-ସାହସ କୁଆଡୁ ମିଳିବ! ମୋତେ କ୍ଷମା କରିବେ। ମୁଁ ସମସ୍ତଙ୍କ ପାଖରେ ଋଣୀ।
ଅଲିମ୍ପିକ୍ସ ଭଳି ପ୍ରତିଯୋଗିତାରେ ସାଫଲ୍ୟ ଗୋଟିଏ ଦିନ ବା ରାତି ଆଧାରିତ ଚମତ୍କାରିତାର ପରିପ୍ରକାଶ ନୁହେଁ। ତାହା ଏକ ନିରବଚ୍ଛିନ୍ନ ଐତିହାସିକ ଧାରା ଓ ପ୍ରୟାସର ଅନ୍ତିମ ପରିଣତି। ଜେସି ଓଏନ୍ସ ଜଣେ କିଂବଦନ୍ତି କ୍ରୀଡ଼ାବିତ୍। ୧୯୩୬ ମସିହାର ବର୍ଲିନ୍ ଅଲିମ୍ପିକ୍ସରେ ସେ ଚାରିଟି ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। କୃଷ୍ଣକାୟ ଓଏନ୍ସ ଆହୁରି ହିଟ୍ଲର୍ଙ୍କ ‘‘ପୂର୍ବାଗ୍ରହୀ ଅତିକଥା’’କୁ ଅପ୍ରମାଣିତ କରିଥିଲେ। ନିଜ ସଫଳତାର ରହସ୍ୟ ସଂପର୍କରେ ସିଏ ଏକଦା ଏକ ପ୍ରଶ୍ନର ଉତ୍ତରରେ କହିଥିଲେ- ଏଇ ୧୦.୩ ସେକେଣ୍ଡ୍ ପାଇଁ ମୁଁ ମୋର ସାରା ଜୀବନ ଉତ୍ସର୍ଗ କରିଦେଇଛି। ଓଏନ୍ସ ଓ ଭିନେଶମାନଙ୍କ ଅସାଧାରଣ ପ୍ରୟାସର ଜୟ ହେଉ!
ମୋ: ୯୪୩୭୩୦୭୦୭୯
ଆଳାପ ଓ ଆଲୋଚନା: ଅଲିମ୍ପିକ୍ସ- ଚିତ୍ର ଓ ଚରିତ୍ର
ଅଭିରାମ ବିଶ୍ବାଳ