ରାଜେନ୍ଦ୍ର ନାରାୟଣ ଦାସ
୧୯୪୯ ମସିହାରେ ଆମେରିକାରେ ଗୋଟିଏ ପୁସ୍ତକ ପ୍ରକାଶିତ ହୋଇଥିଲା, ଯାହାର ଶୀର୍ଷକ ଥିଲା ‘ଏକ୍ସପେରିମେଣ୍ଟ ଅନ୍ ମାସ୍ କମ୍ୟୁନିକେସନ୍’, ଓଡ଼ିଆରେ କହିଲେ, ‘ଗଣମାଧ୍ୟମକୁ ନେଇ ପରୀକ୍ଷାନିରୀକ୍ଷା।’ ସେଥିରେ କୁହାଯାଇଥିଲା ଯେ ଶାସକ, ପ୍ରଶାସକ ଓ ନ୍ୟାୟାଧୀଶମାନଙ୍କ ଦୋଷ ଓ ତ୍ରୁଟିକୁ ଜନସାଧାରଣଙ୍କ ଗୋଚରକୁ ଆଣିବା ଓ ସେମାନଙ୍କୁ ସଜାଗ କରିବା ହେଉଛି ଗଣମାଧ୍ୟମର ଦାୟିତ୍ବ। ଏହା ଥିଲା ସେଭଳି ଏକ ସମୟ ଯେତେବେଳେ ଗଣମାଧ୍ୟମର ପ୍ରତିନିଧିମାନେ ଏହି ଦାୟିତ୍ବକୁ ଅତି ନିଷ୍ଠାର ସହିତ ସଂପାଦନ କରୁଥିଲେ। ଏବଂ ସେହି ସମୟ ମଧ୍ୟ ଥିଲା ଇତିହାସର କଡ଼ ଲେଉଟାଣି ବେଳ; ଉପନିବେଶବାଦ ସରି ଆସୁଥିଲା, ବିଭିନ୍ନ ମୋଡ଼ ଦେଇ ଗତି କରି ଗଣତନ୍ତ୍ର ଭୂମି ଉପରେ ସୁଦୃଢ଼ ହେଉଥିଲା ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧର ସମାପ୍ତି ପରେ ମାନବ ଜାତି ଆତ୍ମସମୀକ୍ଷା କରୁଥିଲା। ସେହି ସମୟରେ ପୃଥିବୀ ଗାନ୍ଧୀଜୀଙ୍କ ଅହିଂସ ପନ୍ଥାର ଶକ୍ତି ଓ ପ୍ରଭାବକୁ ସ୍ବଚକ୍ଷୁରେ ଦେଖି ବିମୋହିତ ମଧ୍ୟ ହେଉଥିଲା। ସୁତରାଂ, ସେହି ସମୟ ଥିଲା ଅତିକାୟ ବ୍ୟକ୍ତିତ୍ବମାନଙ୍କ ସମୟ, ଯେଉଁମାନେ ଥିଲେ ପ୍ରାଜ୍ଞ, ଦୂରଦ୍ରଷ୍ଟା ଓ ଆତ୍ମସମୀକ୍ଷା କରି ନିଜକୁ ସୁଧାରିବା ଲାଗି ବିନମ୍ର ଭାବେ ପ୍ରସ୍ତୁତ। ଆମ ଦେଶ କଥା ଦେଖନ୍ତୁ। ସେହି ସମୟରେ କିଂବଦନ୍ତୀୟ ବ୍ୟଙ୍ଗ ଚିତ୍ରକର ଶଙ୍କର ପିଲାଇଙ୍କୁ ପଣ୍ଡିତ ଜୱାହରଲାଲ ନେହରୁ କହିଥିଲେ, ‘ଡୋନ୍ଟ ସ୍ପେୟାର୍ ମି ଶଙ୍କର’ ଅର୍ଥାତ୍ ‘ମୋତେ ଛାଡ଼ ନାହିଁ!’ ଅର୍ଥାତ୍ ମୋତେ କଡ଼ା ସମାଲୋଚନା କର। ଓଡ଼ିଶାର ବିଖ୍ୟାତ ସମାଲୋଚନାମୂଳକ ପତ୍ରିକା ‘ନିଆଁଖୁଣ୍ଟା’ର ସଂପାଦକ ଗୋଦାବରୀଶ ମହାପାତ୍ର ଥିଲେ ତତ୍କାଳୀନ ମହା ପ୍ରଭାବଶାଳୀ ନେତା ହରେକୃଷ୍ଣ ମହତାବ ଓ ରାଧାନାଥ ରଥଙ୍କର ଅତ୍ୟନ୍ତ ଘନିଷ୍ଠ ମିତ୍ର, ଅଥଚ ସେମାନଙ୍କୁ ସ୍ପଷ୍ଟ ଭାବେ କହୁଥିଲେ, ଆପଣମାନଙ୍କ ବିରୋଧରେ ନ ଲେଖିଲେ ମୋ ‘ନିଆଁଖୁଣ୍ଟା’ ବିକ୍ରି ହେବ କେମିତି? ତ ସାମ୍ବାଦିକମାନେ ଲେଖୁଥିଲେ, ନେତାମାନେ ସହୁଥିଲେ, ଭୋଗୁଥିଲେ ବା ନିଜକୁ ସୁଧାରୁଥିଲେ।
ଆମ ଦେଶରେ ଗଣମାଧ୍ୟମ ଉପରେ ଅଙ୍କୁଶ ଲାଗିଲା ଇନ୍ଦିରା ଗାନ୍ଧୀଙ୍କ ‘ଇମର୍ଜେନ୍ସି’ କାଳରେ। ‘ଇମର୍ଜେନ୍ସି’ ପରେ ଅବଶ୍ୟ ଗଣମାଧ୍ୟମ ତା’ର ହୃତ୍ ସ୍ବାଧୀନତା ଅନେକାଂଶରେ ଫେରି ପାଇଲା, କିନ୍ତୁ ଗଣମାଧ୍ୟମକୁ ବଶ ବା ବଶମ୍ବଦ କରିବାର ମୂଳଦୁଆ ପଡ଼ି ସାରିଥିଲା। ଆଜିର ‘କୋଳାଶ୍ରିତ ଗଣମାଧ୍ୟମ’ ବା ‘ଗୋଦି ମିଡିଆ’ ଆଉ କ’ଣ କି?
ସେହି ଦୃଷ୍ଟିରୁ ସାମାଜିକ ଗଣମାଧ୍ୟମର ଉନ୍ମେଷ ଓ ବିକାଶକୁ ସକାରାତ୍ମକ ଆଲୋକରେ ଦେଖାଯିବା ଉଚିତ, କାରଣ ସାମାଜିକ ଗଣମାଧ୍ୟମରେ ନିର୍ଭୀକ ସାମ୍ବାଦିକତା ସମ୍ଭବ ହୋଇପାରୁଛି। ସରକାର ଓ ନେତାମାନେ ଏଥିରେ ପ୍ରବଳ ରୁଷ୍ଟ ହେଉଥିଲେ ହେଁ ତାକୁ ସଂପୂର୍ଣ୍ଣ ବନ୍ଦ କରିବା ଆଦୌ ସମ୍ଭବ ନୁହେଁ, ଯଦିଓ ସାମାଜିକ ଗଣମାଧ୍ୟମରେ ସକ୍ରିୟ କିଛି ସାମ୍ବାଦିକ ବ୍ୟବସ୍ଥା ବା ଶାସନ ତନ୍ତ୍ରର କୋପ ସହୁଛନ୍ତି। ସୁତରାଂ, ସାମାଜିକ ଗଣମାଧ୍ୟମରେ ସମାଲୋଚନାର ସ୍ବରର ସଂପୂର୍ଣ୍ଣ କଣ୍ଠରୋଧ ସମ୍ଭବ ନୁହେଁ। ଏହା ଏକ ଆଶ୍ବସ୍ତିର ବିଷୟ। କିନ୍ତୁ ଏକ ମୂଳ ପ୍ରଶ୍ନ ହେଲା ସମାଜ ବା ବ୍ୟବସ୍ଥାର ତ୍ରୁଟି ବିଚ୍ୟୁତିକୁ ଉଜାଗର କରି ତାକୁ ସୁଧାରିବାରେ ପ୍ରବୃତ୍ତ ସାମାଜିକ ଗଣମାଧ୍ୟମର ତ୍ରୁଟିକୁ ସୁଧାରିବ କିଏ?
ବିଶିଷ୍ଟ ଲେଖକ ଦାଶ ବେନହୁର ଥରେ ‘ଫେସ୍ବୁକ୍’ରେ ଲେଖିଥିଲେ: ‘ସାମାଜିକ ଗଣମାଧ୍ୟମ ହେଉଛି ଏକ ଖୋଲା ପଡ଼ିଆ, କିନ୍ତୁ, ସେଠାରେ ଯଦି କିଏ ମଳତ୍ୟାଗ କଲା, ତେବେ କଥା ସଇଲା’। କଥାଟି ସେଇଠି। କାରଣ ସାମାଜିକ ଗଣମାଧ୍ୟମ ମଧ୍ୟ ଅଶ୍ଳୀଳତା, ଅସାରତା, ଅରୁଚିକର ବ୍ୟକ୍ତିଗତ ଅାକ୍ଷେପ, ଅନାବଶ୍ୟକ ନିନ୍ଦା ଆଦିରେ ଭରପୂର! ଏହା ଆକ୍ରମଣ ଓ ପ୍ରତିଆକ୍ରମଣର ରଣକ୍ଷେତ୍ର ପାଲଟିଛି। ଏଥିରୁ ଉଠୁଥିବା ମିଛ ଓ ଗୁଜବର ଘୂର୍ଣ୍ଣିଝଡ଼ ଭୟାବହ ହିଂସା ଓ ରକ୍ତପାତ ମଧ୍ୟ ଘଟାଉଛି। ତେଣୁ ଗଣମାଧ୍ୟମର ଉଦ୍ଦେଶ୍ୟ ପୃଷ୍ଠଭୂମିରୁ ବିଚାର କରିବା ଯଦି ସାମାଜିକ ଗଣମାଧ୍ୟମର ଉପସ୍ଥିତି ଆଶ୍ବାସନାଦାୟକ, ଏହି ଖୋଲା ପଡ଼ିଆକୁ ସମସ୍ତଙ୍କର ଅବାଧ ପ୍ରବେଶ ଅଧିକାର ଥିବାରୁ ଏହାକୁ ଅପରିଷ୍କାର କରିବାରେ ବାଇ ଅସଂଖ୍ୟ ଲୋକେ ଏଠି ତାରକା ପାଲଟିଲେଣି। ଏହା ହେଉଛି ବିଡ଼ମ୍ବନା!
ଗିଲ୍ବାଖ୍ ଷ୍ଟ୍ରାସେ ୯୫ଏ ୪୧୪୬୬ ନଏସ୍, ଜର୍ମାନୀ
[email protected]