ନାରୀ ହେଉ ମୁଖର ମତଦାତା‌

ନାରୀ ହେଉ ମୁଖର ମତଦାତା‌

ନିକଟରେ ହୋଇଥିବା ବିହାର ନିର୍ବାଚନର ଫଳାଫଳକୁ ମହିଳା ଭୋଟର ବହୁ ମାତ୍ରାରେ ପ୍ରଭାବିତ କରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ ନିରବ ମତଦାତା ବା Silent Voter ଭାବେ ଅଭିହିତ କରିଛନ୍ତି। ଏବେ ଭୋଟ ରାଜନୀତିରେ ମହିଳା ଭୋଟର ଏକ ମୁଖ୍ୟ ବିଭାବ ହେଲେଣି। ମହିଳା ଭୋଟରମାନେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବାର ସାମର୍ଥ୍ୟ ଦେଖାଇଲେଣି। ପୂର୍ବରୁ ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ବିଶେଷ ରୁଚି ନଥିଲା। କିନ୍ତୁ ବର୍ତ୍ତମାନ ଯୁଗ ବଦଳିବା ସହିତ ମହିଳାମାନଙ୍କର ରୁଚି ମଧ୍ୟ ବଦଳିଗଲାଣି ଏବଂ ସେମାନେ ରାଜନୀତିରେ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ।

ଆଜିର ମହିଳା ଘର ଓ ବାହାରର ଅନେକ କାର୍ଯ୍ୟ ସମ୍ଭାଳୁଛନ୍ତି। ଆର୍ଥିକ- ସାମାଜିକ କ୍ଷେତ୍ରରେ ମଧ୍ୟ ସେମାନଙ୍କ ସ୍ବର ଶୁଣାଯାଉଛି। ଯଦିଓ ପରଂପରାଗତ ଭାବେ ଏବେ ସୁଦ୍ଧା ମହିଳାମାନଙ୍କ ସମ୍ବନ୍ଧୀୟ ଅନେକ ନିଷ୍ପତ୍ତି ସେମାନଙ୍କ ପିତା, ସ୍ବାମୀ କିମ୍ବା ଭାଇ ବା ପରିବାରର ଅନ୍ୟାନ୍ୟ ପୁରୁଷ ନେଉଛନ୍ତି, ତେବେ, ଏ ଧାରାରେ ବିରାମ ମଧ୍ୟ ଲାଗିଲାଣି। ଏହାର କାରଣ ଆଜି ମହିଳାମାନେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି। ଶିକ୍ଷିତ ଝିଅମାନେ ତ ଯେ କୌଣସି ବୃତ୍ତି ଦ୍ବାରା ସ୍ବାବଲମ୍ବୀ ହେବାକୁ ଅଗ୍ରାଧିକାର ଦେଉଛନ୍ତି, ଅଳ୍ପ ଶିକ୍ଷିତ ବା ଅପାଠୁଆ ମହିଳାମାନେ ମଧ୍ୟ ଏ ନେଇ ଏବେ ଆଗଭର। ଗ୍ରାମାଞ୍ଚଳରେ ବା ସହରର ବସ୍ତି ଅଞ୍ଚଳରେ ଦଳେ ମହିଳା ମିଶି ‘ସ୍ବୟଂ ସହାୟକ ‌େଗାଷ୍ଠୀ’ଟିଏ ଗଠନ କରି ଅର୍ଥ ଉପାର୍ଜନ କରିବା ଲାଗି ଅତ୍ୟନ୍ତ ତତ୍ପର ଥିବା ଏକ ନିତିଦିନିଆ କଥାରେ ପରିଣତ ହେଲାଣି। ଏହି ଆର୍ଥିକ ସ୍ବାବଲମ୍ବନ ଯୋଗୁ ସେମାନଙ୍କ ଦୃଷ୍ଟିଭଙ୍ଗୀ ବଦଳିଛି ଏବଂ ତା’ ସହିତ ସେମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳିଛି।

ଏବେ କେବଳ ପୁରୁଷମାନଙ୍କ ଗଡ଼ ଭାବେ ପରିଚିତ ସ୍ଥାନରେ ମହିଳାମାନେ ଆସ୍ଥାନ ଜମାଇଲେଣି। ଉଦାହରଣ ସ୍ବରୂପ ଦେଶର ପ୍ରତିରକ୍ଷା ବାହିନୀରେ ମହିଳାମାନେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କଲେଣି। ଏପରି କି ଏବେ ରଣକ୍ଷେତ୍ରର ସମ୍ମୁଖ ଭାଗରେ ମଧ୍ୟ ସେମାନେ ବିଦ୍ୟମାନ ହେବାର ବାଟ ଫିଟିଲାଣି। ୨୦୧୭ ମସିହାରେ ପ୍ରଥମ କରି ସୈନିକ ସ୍କୁଲଗୁଡ଼ିକରେ ବାଳିକାମାନଙ୍କୁ ନାମ ଲେଖାଇବାର ସୁଯୋଗ ମିଳିଲା। ଦୀର୍ଘ ଦିନ ଧରି ମହିଳାମାନଙ୍କୁ ଏହି କ୍ଷେତ୍ରରେ ସୁଯୋଗ ମିଳି ପାରୁନଥିଲା। କାରଣ ଅବଳା ଦୁର୍ବଳା ଭଳି ଧାରଣାଟିଏ ସର୍ବ ବିଦ୍ୟମାନ ଥିଲା, ଯହିଁରେ ଏବେ ପରିବର୍ତ୍ତନ ଆସିଲାଣି।

ସେମିତି ବିଜ୍ଞାନ ତଥା ବୈଷୟିକ ଜ୍ଞାନ କ୍ଷେତ୍ରରେ ମଧ୍ୟ ମହିଳାମାନେ ଅଧିକରୁ ଅଧିକ ସଂଖ୍ୟାରେ ଦୃଶ୍ୟମାନ। କେବଳ ସେତିକି ନୁହେଁ ଚନ୍ଦ୍ରଯାନ ହେଉ ବା ମଙ୍ଗଳ ଯାନ ହେଉ; ଏଭଳି ଅତି ଉଚ୍ଚକୋଟୀର ପ୍ରକଳ୍ପରେ ମହିଳା ନେତୃତ୍ବ ଦେଖିବାକୁ ମିଳୁଛି।

ବୈଜ୍ଞାନିକମାନେ ୧୨୫ଟି ଦେଶରୁ ମହିଳାମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରି ରଖିଥିବା ଏକ ପ୍ରସ୍ତାବ ‘Journal Of Economic Behaviour & Organisation’ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ରାଜନୀତିରେ ମହିଳାମାନଙ୍କ ଅଂଶଗ୍ରହଣ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ। ମହିଳା ନୀତି ନିର୍ଦ୍ଧାରକମାନେ ଦୁର୍ନୀତି ନିବାରଣ କରିବାକୁ ସକ୍ଷମ, କାରଣ ସେମାନେ ଏ ବିଷୟରେ ପୁରୁଷଙ୍କ ଠାରୁ ଭିନ୍ନ ମତ ପୋଷଣ କରନ୍ତି। ତେଣୁ ଜଣେ ମହିଳା ଖାଲି ନିଜ ପରିବାରରେ ନୁହେଁ ବରଂ ରାଷ୍ଟ୍ର ସ୍ତରରେ ନୀତି ନିର୍ଦ୍ଧାରଣ କରିବାକୁ ବିଶେଷ ଭାବେ ସମର୍ଥ।
ଏବେ ଅନେକ ଝିଅ ଚାହାନ୍ତି ନାହିଁ ଯେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସେମାନଙ୍କ ଲାଗି ସ୍ଥାନ ଆରକ୍ଷଣର ବ୍ୟବସ୍ଥା ହେଉ। କାରଣ ସବୁ ପରୀକ୍ଷାରେ ଝିଅମାନେ ସେମାନଙ୍କ ନିଜ ଦମ୍‌ରେ ପୁଅମାନଙ୍କ ତୁଳନାରେ ଅଧିକ ଭଲ ଫଳ ଦେଖାଉଛନ୍ତି। ସଦ୍ୟ ପ୍ରକାଶିତ ଓ.ଜେ.ଏସ୍‌.ର ଫଳ ବାହାରିଲା, ଯେଉଁଥିରେ ଝିଅମାନେ ଅଧିକ ସଫଳତା ଲାଭ କରିଛନ୍ତି। ଆମ୍ଭ ନ୍ୟାୟିକ ବ୍ୟବସ୍ଥାରେ ମହିଳା ବିଚାରପତିମାନଙ୍କ ସଂଖ୍ୟା ପୂର୍ବରୁ ନଗଣ୍ୟ ଥିଲା। ଏବେ ତହିଁରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ଏକ ଶୁଭ ସମ୍ବାଦ। ଏଭଳି ଚିତ୍ର ଆଜି ଅନ୍ୟାନ୍ୟ ‌େକ୍ଷତ୍ର‌େର ମଧ୍ୟ ଦେଖିବାକୁ ମିଳୁଛି। ତେବେ ମୋ ମତରେ ନାରୀ ଆଉ ଏକ ନିରବ ମତଦାତା ହୋଇ ନରହୁ। ନାରୀ ତାର ମତାମତ ନେଇ ମୁଖର ହେଉ। ରାଜନୀତି ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ନାରୀର ପଦଚିହ୍ନ ଅଧିକରୁ ଅଧିକ ସ୍ପଷ୍ଟ ହେଉ।

ପୂର୍ବତନ ଡେପୁଟି ମେୟର
ଭୁବନେଶ୍ୱର ମହାନଗର ନିଗମ

ସମ୍ବନ୍ଧିତ ଖବର