ଗମନଶୀଳ ଶ୍ରମିକ ଓ ଆମ ମନୋଭାବ

ନୀଳମାଧବ ମହାନ୍ତି

ଭବିଷ୍ୟତରେ ଯେତେବେଳେ କରୋନା ମହାମାରୀ ବିଷୟରେ ଇତିହାସ ଲେଖାଯିବ, ସେଥିରେ ଆମେ ଯେଉଁଭଳି ଭାବରେ ପ୍ରବାସୀ ବା ଗମନଶୀଳ (ମାଇଗ୍ରେଣ୍ଟ) ଶ୍ରମିକମାନଙ୍କ ପ୍ରତି ଆଚରଣ ଦେଖାଇଲୁ, ତାହା ଯେ ଏକ ଲଜ୍ଜାଜନକ ଅଧୢାୟ ହୋଇ ରହିବ, ଏଥିିରେ ତିଳେ ମାତ୍ର ସନ୍ଦେହ ନାହିଁ। ଆଦିମ କାଳରୁ ସ୍ଥାନାନ୍ତରଣ ବା ‘ମାଇଗ୍ରେସନ’ ମାନବୀୟ ସଭ୍ୟତା ଓ ବିକାଶର ଏକ ଅବିଚ୍ଛେଦ ଅ˚ଶ ହୋଇ ରହିଛି। ଆଧୁନିକ ଭାରତରେ ଯେପରି ମଧୢମ ଓ ଉଚ୍ଚ ଶ୍ରେଣୀର ପରିବାରମାନଙ୍କର ପିଲାମାନେ ଅଧୢୟନ ଓ କର୍ମସ˚ସ୍ଥାନ ପାଇଁ ଆମେରିକା, ୟୁରୋପର ଉନ୍ନତ ଦେଶମାନଙ୍କୁ ଯାଇ ବସବାସ କରନ୍ତି, ସେହିପରି ଆମ ଗାଁ ମାନଙ୍କରୁ ଅପେକ୍ଷାକୃତ ଗରିବ ପରିବାରର ଅଶିକ୍ଷିତ ଓ ଅର୍ଧଶିକ୍ଷିତ ଲୋକେ ନିଜର ଓ ନିଜ ପରିବାରର ସାମାଜିକ ଓ ଅର୍ଥନୈୖତିକ ଉନ୍ନତି ପାଇଁ ଦେଶରେ ଥିବା ବଡ଼ ସହରମାନଙ୍କୁ ଯାଇ କଳକାରଖାନା, ହୋଟେଲ ଓ ବ୍ୟବସାୟ ସ˚ସ୍ଥାମାନଙ୍କରେ ଶ୍ରମିକ ରୂପେ କାର୍ଯ୍ୟ କରନ୍ତି। କରୋନା ରୋଗ ବିଦେଶରୁ ଆମ ଦେଶକୁ ଆସିଛି ଏବଂ ବିଦେଶ ଫେରନ୍ତା ଲୋକଙ୍କ ଦ୍ବାରା; ଏବ˚ ଏହା ଏକ ପ୍ରକାର ବିଡ଼ମ୍ବନା ଯେ ସେହି (ବିଦେଶ ଫେରନ୍ତା) ଲୋକଙ୍କ କର୍ମ ଓ ବ୍ୟବହାର ପାଇଁ ଦେଶ ଭିତରେ ଥିବା ଗମନଶୀଳ ଶ୍ରମିକମାନଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିଲା।

ଭାରତୀୟ ପରିସ˚ଖ୍ୟାନ ପଦ୍ଧତିରେ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ କାମ କରୁଥିବା ଗମନଶୀଳ ଶ୍ରମିକମାନଙ୍କ ସ˚ଖ୍ୟା ଠିକ ଭାବରେ ନିର୍ଣ୍ଣୟ କରିବା ସମ୍ଭବ ନୁହେଁ। ମାତ୍ର ଅନୁମାନ କରାଯାଏ ଯେ ଆମର ‘ଶ୍ରମ ବଳ’ ବା ‘ଵାର୍କ ଫୋର୍ସ’ର ପ୍ରାୟ ଶତକଡ଼ା ୯୦ ଭାଗ ଅର୍ଥାତ୍‌ ୪୫ କୋଟି ଶ୍ରମିକ ଅନୌପଚାରିକ ବା ‘ଇନଫର୍‌ମାଲ୍‌’ କ୍ଷେତ୍ରସ୍ଥ ଅର୍ଥ ବ୍ୟବସ୍ଥାରେ କାର୍ଯ୍ୟ କରନ୍ତି। ଏମାନଙ୍କ ମଧୢରୁ ପ୍ରାୟ ୧୦ରୁ ୧୫ କୋଟି ଲୋକ ଗମନଶୀଳ ଶ୍ରମିକ। ଆମ ଦେଶରେ ଗମନଶୀଳ ଶ୍ରମିକମାନେ ଦୁଇଟି ଜଗତ୍‌ରେ ବାସ କରିଥାଆନ୍ତି: ଗୋଟିଏ ହେଲା ମୁମ୍ବାଇ, ଅହମଦାବାଦ, ସୁରତ, ବାଙ୍ଗାଲୋର ଆଦି ଭଳି ପଶ୍ଚିମ ଓ ଦକ୍ଷିଣ ଭାରତରେ ଅବସ୍ଥିତ ଶିଳ୍ପୋନ୍ନତ ନଗର ଯେଉଁଠି ସେମାନେ ଜୀବିକା ଅର୍ଜନ କରନ୍ତି ଓ ଅନ୍ୟଟି ଉତ୍ତରପ୍ରଦେଶ, ବିହାର, ଝାରଖଣ୍ତ ଓ ଓଡ଼ିଶା ଭଳି ଉତ୍ତର ଓ ପୂର୍ବ ଭାରତରେ ଥିବା ରାଜ୍ୟମାନଙ୍କରେ ସେମାନଙ୍କ ନିଜ ଗାଁ, ଯାହା ଛାଡ଼ି ସେମାନେ ସହରକୁ ଆସିଥାଆନ୍ତି। ଅନେକ ସ୍ଥଳରେ ଗାଁରେ ସେମାନଙ୍କର ପରିବାର ଓ ବନ୍ଧୁବାନ୍ଧବ ଥାଆନ୍ତି ଯାହା ସ୍ବାଭାବିକ ଭାବେ ସେମାନଙ୍କୁ ମାନସିକ ସୁରକ୍ଷା ପ୍ରଦାନ କରିଥାଏ। ଅପର ପକ୍ଷରେ ସେମାନେ କାର୍ଯ୍ୟ କରୁଥିବା ସହରରେ ସେମାନଙ୍କ ଜୀବନ ପ୍ରାୟତଃ ଉଦ୍‌ବେଗପୂର୍ଣ୍ଣ ଥାଏ- ବିଦେଶ ମାଟିରେ ଜନାକୀର୍ଣ୍ଣ ଦରିଦ୍ର ବସ୍ତିରେ ବସବାସ କରିବା, କଠୋର ପରିଶ୍ରମ ଓ ଅସୁରକ୍ଷିତ କର୍ମ ସ˚ସ୍ଥାନ ସାଙ୍ଗକୁ ସ୍ବଳ୍ପ ଦରମା ବା ଦୈନିକ ମଜୁରି ଦ୍ବାରା ନିଜର ଓ ନିଜ ପରିବାରର ଭରଣପୋଷଣ କରିବାର ବୋଝ ଏଭଳି ଉଦ୍‌ବେଗର କାରଣ। ଆଧୁନିକ ଭାରତର ପ୍ରଗତିର ପ୍ରତୀକ ଯେମିତିକି ଜାତୀୟ ରାଜପଥ ଓ ଅନ୍ୟ ରାସ୍ତାଘାଟ, ପୋଲ, ବନ୍ଧବାଡ଼, ଷ୍ଟାଡିଅମ୍‌, କୋଠାବାଡ଼ି ବା ଆପାର୍ଟମେଣ୍ଟ, ହୋଟେଲ, ମଲ୍‌, ମଲ୍‌ଟିପ୍ଲେକ୍‌ସ ଆଦିର ନିର୍ମାଣ କରିବାରେ ଯଦିଓ ଏହି ଶ୍ରମିକମାନଙ୍କର ବିଶେଷ ଅବଦାନ ରହିଛି, ଆମ ଦେଶର ଅଣସଂଗଠିତ ଅର୍ଥ ବ୍ୟବସ୍ଥାରେ ଏମାନେ ହେଉଛନ୍ତି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଗୋଷ୍ଠୀ।

କରୋନା-ଜନିତ ତାଲାବନ୍ଦ ପ୍ରବାସୀ ଶ୍ରମିକମାନଙ୍କର ଅର୍ଥନୈତିକ ଓ ସାମାଜିକ ଦୁର୍ବଳତାକୁ ଅତି ନିଷ୍ଠୁର ଭାବରେ ସାମନାକୁ ଆଣିଛି। ମାତ୍ର ୪ ଘଣ୍ଟାର ସମୟ ଦେଇ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ମାର୍ଚ୍ଚ ୨୫ ତାରିଖରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କଲେ, ହଜାର ହଜାର ଗମନଶୀଳ ଶ୍ରମିକ ସେମାନଙ୍କର ଜୀବିକା ନିର୍ବାହର ପନ୍ଥା ହରାଇ ବସିଲେ; ଅନେକ ସ୍ଥଳରେ ସେମାନଙ୍କର ଭଡ଼ା ଘର ମଧୢ ଚାଲିଗଲା। ସେମାନଙ୍କ ପାଖରେ ବସବାସ ଓ ଭରଣପୋଷଣର କୌଣସି ବିକଳ୍ପ ବ୍ୟବସ୍ଥା ନ ଥିଲା ଓ ସାରା ଦେଶରେ ଯାନବାହାନ ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ଲକ୍ଷ ଲକ୍ଷ ଶ୍ରମିକ ବାଧୢ ହୋଇ ନିଜ ନିଜ ଗାଁ ଆଡ଼କୁ ଜାତୀୟ ରାଜପଥ, ରେଳପଥ, ପଡ଼ିଆ ଓ ଜଙ୍ଗଲ ମଝିରେ ଥିବା ରାସ୍ତା ଦେଇ ଚାଲିବାକୁ ଲାଗିଲେ। ପ୍ରାୟ ଏକ ମାସ ପରେ ମେ ମାସ ୧ ତାରିଖରୁ ସେମାନଙ୍କ ପାଇଁ ସ୍ପେସାଲ ଟ୍ରେନ୍‌ର ବନ୍ଦୋବସ୍ତ କରାଗଲା। ତଥାପି ବିଭିନ୍ନ କାରଣରୁ ଲକ୍‌ଡାଉନ୍‌ ଆରମ୍ଭ ହେବାର ଦୁଇ ମାସ ପରେ ମଧୢ ଅନେକ ଶ୍ରମିକ ମୁଣ୍ତରେ ବୋଝ ନେଇ ଓ ପିଲାପିଲିଙ୍କ ସହ ଚାଲି ଚାଲି ବା ସାଇକେଲ ଦ୍ବାରା ହଜାର ହଜାର ମାଇଲ ଦୂରରେ ଥିବା ନିଜ ଗ୍ରାମଗୁଡ଼ିକ ଅଭିମୁଖେ ଯାତ୍ରା କରୁଥିବାର ଦେଖାଗଲା। କିନ୍ତୁ, ଆଶ୍ଚର୍ଯ୍ୟ ଓ ଦୁଃଖର କଥା ଯେ ମଧୢମ ଓ ଉଚ୍ଚ ଶ୍ରେଣୀର ଲୋକଙ୍କ ମନରେ ଗମନଶୀଳ ଶ୍ରମିକଙ୍କ ଦୁର୍ଦଶା ପାଇଁ ବିଶେଷ କିଛି ସମବେଦନା ଦେଖାଗଲା ନାହିଁ। ଅପର ପକ୍ଷରେ ଯେହେତୁ ସେମାନେ ଲକ୍‌ଡାଉନ‌୍ର ନୀତି ଓ ନିୟମଗୁଡ଼ିକୁ ଅବମାନନା କରି ରାସ୍ତାରେ ଚାଲିବାକୁ ଲାଗିଲେ, ଅନେକ ସ୍ଥଳରେ ଶ୍ରମିକମାନଙ୍କ ପ୍ରତିକ୍ରିୟାକୁ ଅସମୀଚୀନ ବ୍ୟବହାର ବୋଲି କୁହାଗଲା। ଯେତେବେଳେ ମେ ମାସ ୮ ତାରିଖରେ ଅଉରଙ୍ଗାବାଦ ନିକଟରେ ରେଳପଥ ଉପରେ ଶୋଇଥିବା ୧୬ ଜଣ ଶ୍ରମିକମାନଙ୍କ ଉପରେ ରେଳଗାଡ଼ି ଚଢ଼ିଗଲା, କେତେକ ଲୋକ ବିଦ୍ରୂପର ସହିତ ପ୍ରଶ୍ନ କଲେ ଯେ ଶ୍ରମିକମାନେ ରେଳରାସ୍ତା ଉପରେ ଶୋଇଥିଲେ ବା କାହିଁକି? କେଉଁ ଅବସ୍ଥାରେ ପଡ଼ି ପ୍ରବାସୀ ଶ୍ରମିକମାନେ ହଜାର ହଜାର ମାଇଲ ଚାଲିବାକୁ ଲାଗିଥିଲେ ବା ହାଲିଆ ହୋଇ ପାହାନ୍ତିଆରେ ରେଳପଥ ଉପରେ ଶୋଇ ପଡ଼ିଥିଲେ, ତାହା ଚିନ୍ତା ବା ଅନୁଭବ କରିବାର ଶକ୍ତି ସେମାନଙ୍କର ନ ଥିଲା। ଯେହେତୁ ପ୍ରବାସୀ ଶ୍ରମିକମାନଙ୍କର ବିଶେଷ ରାଜନୈତିକ ଶକ୍ତି ନାହିଁ ବା ଦଳବଦ୍ଧ ଭାବରେ ଭୋଟ ଦେଇ ଜନମତକୁ ମୋଡ଼ିବାର କ୍ଷମତା ନାହିଁ, ଆମର ରାଜନୈତିକ ଦଳମାନେ ମଧୢ ସେମାନଙ୍କର ସମସ୍ୟା ବିଷୟରେ ବିଶେଷ ଧୢାନ ଦେବାର ଦେଖାଗଲା ନାହିଁ। ଅପର ପକ୍ଷରେ ଲକ୍‌ଡାଉନ୍‌ର ସୁବିଧା ନେଇ ଉତ୍ତର ପ୍ରଦେଶ, ମଧୢ ପ୍ରଦେଶ ଓ ଗୁଜରାଟର ରାଜ୍ୟ ସରକାର ଶ୍ରମିକମାନଙ୍କର ଅଧିକାରଗୁଡ଼ିକୁ ସୀମିତ କରିବା ପାଇଁ ବିଭିନ୍ନ ଶ୍ରମିକ ଆଇନରେ ସ˚ଶୋଧନ କରିଛନ୍ତି। ଅବଶ୍ୟ କେରଳ, ଓଡ଼ିଶା ଭଳି ଅନ୍ୟ କେତେକ ରାଜ୍ୟ ପ୍ରବାସୀ ଶ୍ରମିକଙ୍କର ଦୁଃଖ ଲାଘବ କରିବା ପାଇଁ ବିଭିନ୍ନ ସହାନୁଭୂତିମୂଳକ ପଦକ୍ଷେପ ନେବାର ଦେଖାଯାଇଥିଲା। ଦେଶର ପାର୍ଲାମେଣ୍ଟ ବନ୍ଦ ରହିଥିବାରୁ ଏହି ସମସ୍ୟାର ଆଲୋଚନା କରିବା ଲାଗି ଆମର ସା˚ସଦମାନଙ୍କର ଅବକାଶ ନ ଥିଲା। ଯଦିଓ ଆମର ନାଗରିକମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ରକ୍ଷା କରିବା ପାଇଁ ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟଙ୍କ ପାଖରେ କ୍ଷମତା ରହିଛି, ସୁପ୍ରିମକୋର୍ଟ ଏହି ଦାୟିତ୍ବକୁ ଏଡ଼ାଇ ଯାଇ ମେ ମାସ ୧୫ ତାରିଖରେ ଗୋଟିଏ ନିର୍ଦ୍ଦେଶନାମା ଦେଲେ ଯେ ସେମାନେ ଏହି ବିଷୟରେ କୌଣସି ତଦାରଖ କରିବାକୁ ସେ ପ୍ରସ୍ତୁତ ନୁହନ୍ତି। ଯେତେବେଳେ ଏହି ମନୋଭାବର ତୀବ୍ର ଆଲୋଚନା ହେଲା, ମେ ୨୬ ତାରିଖରେ ଶ୍ରମିକମାନଙ୍କର ସମସ୍ୟାକୁ ପୁନରାବଲୋକନ କରିବାକୁ ଅଦାଲତ ମନସ୍ଥ କଲେ; କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା।

ଏହି ସବୁ ଆଲୋଚନାରୁ ଜଣାପଡ଼େ ଯେ ଆମର ଶିକ୍ଷିତ ସମାଜ ଗମନଶୀଳ ଶ୍ରମିକମାନଙ୍କର ସମସ୍ୟା ନେଇ ଅତ୍ୟନ୍ତ ଉଦାସୀନ। ମାତ୍ର ଗତ କେତେ ଦିନର ଘଟଣା ଏହା ମଧୢ ସ୍ପଷ୍ଟ କରି ଦେଇଛି ଯେ ଗମନଶୀଳ ଶ୍ରମିକମାନେ ହେଲେ ଆମ ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅ˚ଶ। ଅପମାନିତ ଓ ଅବହେଳିତ ହୋଇ ସେମାନେ ନିଜ ନିଜ ଗାଁକୁ ଫେରି ଆସିଛନ୍ତି। ଏହାଦ୍ବାରା ତଥାକଥିତ ପ୍ରଗତିଶୀଳ ଭାରତର ବିକାଶମୂଳକ ଯୋଜନା ବିଶେଷ କରି ନିର୍ମାଣ ଭିତ୍ତିକ ପ୍ରକଳ୍ପ କାର୍ଯ୍ୟ ଯେ ବ୍ୟାହତ ହେବ ଓ ଆମର ଅର୍ଥନୀତି ଅବନତି ଆଡ଼କୁ ଯିବ, ଏଥିରେ ସନ୍ଦେହ ନାହିଁ। ବୋଧହୁଏ, ତାହା ହିଁ ହେବ ଗମନଶୀଳ ଶ୍ରମିକମାନଙ୍କର ଆମ ଉପରେ ଚରମ ପ୍ରତିଶୋଧ! ସେଥିପାଇଁ ଗମନଶୀଳ ଶ୍ରମିକମାନଙ୍କର ସମସ୍ୟାଗୁଡ଼ିକୁ ଅଧୢୟନ ଓ ଆଲୋଚନା କରି ରାଷ୍ଟ୍ର ନୀତି ନିର୍ଧାରଣ କରାଯାଉ। ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ସମ୍ବନ୍ଧରେ ଉପଯୁକ୍ତ ସିଦ୍ଧାନ୍ତ ନିଆଯାଉ।
ବସନ୍ତ ବିହାର, ନୂଆଦିଲ୍ଲୀ

ସମ୍ବନ୍ଧିତ ଖବର