ସଫା ସଫା କହିବାର ବେଳ

ଯୋଗେନ୍ଦ୍ର ଯାଦବ

ଏବେ ସଫା ସଫା କହିବାର ବେଳ। ସିଧା ଓ ସ୍ପଷ୍ଟ ଭାବେ କହିଲେ ସମୟ ଆମ ପାଇଁ ଅଟକିଯାଇଛି। ଆଜିର ଦିନ ମଧ୍ୟ ଗତକାଲି ଭଳି କରୋନା ସ˚କ୍ରମିତଙ୍କ ସ˚ଖ୍ୟା ବଢ଼ିଥିବାର ଖବର ସହ ଆରମ୍ଭ ହୋଇଛି। କାଲି ଭଳି ଆଜି ବି ଟ୍ରକ୍‌ରେ ଠେସା-ଠେସି ହୋଇ ଶ୍ରମିକମାନେ ଫେରୁଛନ୍ତି; ସେମାନଙ୍କଠାରୁ ଅଧିକ ଦୁର୍ଦଶାଗ୍ରସ୍ତମାନେ ପୂର୍ବ ଭଳି ସଡ଼କରେ ଚାଲୁଛନ୍ତି। କାଲି ଭଳି ଆଜି ବି ଆମ ସମ୍ମୁଖରେ ଅଛନ୍ତି ଜଣେ ଅବିବେକୀ ଅର୍ଥ ମନ୍ତ୍ରୀ; ପାଣି ବେକ ଉପରକୁ ଉଠିସାରିଥିବା ସତ୍ତ୍ବେ ଯିଏ ସ˚କଟଗ୍ରସ୍ତ ଅର୍ଥ ବ୍ୟବସ୍ଥା ସ˚ପର୍କିତ କଠୋର ପ୍ରସଙ୍ଗଗୁଡ଼ିକୁ ଅଣଦେଖା କରିଚାଲିଛନ୍ତି। ତାଙ୍କ ପାଇଁ କେବଳ ନିଜର ଗାଦି ବଞ୍ଚାଇବା ସବୁ କିଛି। ଅପ୍ରତ୍ୟାଶିତ ସ୍ବାସ୍ଥ୍ୟ ଓ ବିତ୍ତୀୟ ସ˚କଟକୁ ଦୁଇ ମାସ ପୂରି ସାରିଲାଣି। ଏହି ବିପଦକାଳୀନ ପରିସ୍ଥିତିରୁ ଦେଶକୁ ଉଦ୍ଧାର କରିବା ପାଇଁ ମୋଦୀ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ସ˚ପର୍କରେ ଆଲୋଚନା କରିବାର ବେଳ ଆସିଛି।

ସରକାର ଯେଉଁ ପ୍ରାଥମିକ ପଦକ୍ଷେପଗୁଡ଼ିକ ଗ୍ରହଣ କରିଥିଲା, ସେଗୁଡ଼ିକ ବାବଦରେ ଅଧିକ ଆଲୋଚନା କରିବା ବା ଜିରାରୁ ଶିରା କାଢ଼ିବା, ମୋର ଉଦ୍ଦେଶ୍ୟ ନୁହେଁ। ମୁଁ ପ୍ରଧାନମନ୍ତ୍ରୀଙ୍କର ପଚିଶ ମାର୍ଚ୍ଚ‌୍ ତାଲାବନ୍ଦୀର ସମର୍ଥନ କରିଥିଲି। ସେତେ ବେଳେ ଏହା ମଧ୍ୟ କହିଥିଲି, ସରକାର ଯାହା କରିଛନ୍ତି, ଅଧାପନ୍ତରିଆ ଭାବେ କରିଛନ୍ତି। ଯେଉଁ ଭଳି ପ୍ରସ୍ତୁତି ଓ ଯୋଜନା ହେବା କଥା ହୋଇନାହିଁ ଏବ˚ ଅନେକ କଥା ସାର୍ବଜନୀନ କରାଯାଇନାହିଁ। ନିଷ୍ପତ୍ତି ନେବା କଠିନ ଥିଲା। ତେବେ, ପ୍ରଧାନମନ୍ତ୍ରୀ ବଡ଼ ଦୃଢ଼ତାର ସହ ନିଷ୍ପତ୍ତି ନେଇଥିଲେ। ଯଦି ନିର୍ଣ୍ଣୟ ନେବାର ମାନସିକ ଦ୍ବନ୍ଦ୍ବ ମଧ୍ୟରେ ରହିଥାଆନ୍ତେ ଏବ˚ ଅଧିକ ବିଳମ୍ବ କରିଥାଆନ୍ତେ, ସ୍ଥିତି ଯାହା ଅଛି, ତାହାଠାରୁ ବହୁତ ଅଧିକ ଖରାପ ହୋଇଥାଆନ୍ତା। ପଛକୁ ଫେରି ଯଦି ଦେଖିବା, ଏବେ ଲାଗିବ ନିଷ୍ପତ୍ତି ନେବା ବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। କିନ୍ତୁ, କେବଳ ଏହାକୁ ନେଇ ସରକାରକୁ ଦୋଷ ଦେବା ଠିକ୍‌ ହେବନାହିଁ। ସେତେ ବେଳେ ଏହି ଭୂତାଣୁ ବାବଦରେ ବିଶ୍ବ ସ୍ତରରେ ଯାହା କିଛି ଜଣାଥିଲା, ଏହାକୁ ରୋକିବା ପାଇଁ ଯେଉଁ ଭଳି ପଦକ୍ଷେପ ନିଆଯାଉଥିଲା; ସେହି ଅନୁସାରେ ତୁଳନାତ୍ମକ ଭାବେ ଦେଖିଲେ ଆମ ସରକାର ଜାଣି-ଶୁଣି ବିଳମ୍ବରେ ନିଷ୍ପତ୍ତି ନେଇଥିଲେ ବୋଲି ଆମେ କହିପାରିବାନାହିଁ। ଗୋଟିଏ ଦୃଷ୍ଟିରୁ ଦେଖିଲେ ଆମେ ଅନ୍ୟ କେତେକ ଦେଶ ତୁଳନାରେ ଶୀଘ୍ର ପଦକ୍ଷେପ ନେଇଥିଲେ।

ଏବେ ଯାହା କିଛି ଘଟୁଛି, ସେଥି ପାଇଁ କେବଳ ସରକାରକୁ ଦୋଷ ଦେବା ଠିକ୍‌ ହେବନାହିଁ। ମହାମାରୀ ଆକସ୍ମିକ ଭାବେ ଆସିଲା। ଏ ଭଳି ସ୍ଥିତିରେ ପ୍ରସ୍ତୁତ ଥିଲେ ବି ସ˚ଭାଳିବା କଷ୍ଟକର। ଆଉ ଭାରତ ଭଳି ଦେଶ, ଯେଉଁଠି ସ୍ବାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ, ପରିସ୍ଥିତି ଅସ˚ଭାଳ ହେବା ସ୍ବାଭାବିକ। ଭାରତ ବାବଦରେ ସତ୍ୟ କ’ଣ ସମସ୍ତେ ଜାଣନ୍ତି। ଅତି ବିଚାରବନ୍ତ ନେତାଙ୍କ ଦ୍ବାରା ବି ବେଳେ ବେଳେ ଛୋଟ-ବଡ଼ ଭୁଲ୍‌ ହୋଇଯାଇପାରେ। ତେଣୁ, ଆଲୋଚନା କଲା ବେଳେ ସବୁ ଦୋଷ ନେତାଙ୍କ ମୁଣ୍ତରେ ଲଦିଦେବା ଅନୁଚିତ। ପ୍ରଧାନମନ୍ତ୍ରୀ ଭୁଲ୍‌ ନିଷ୍ପତ୍ତି ନେଇଥିଲେ ବୋଲି ନିର୍ଦିଷ୍ଟ ଭାବେ କହିହେବନାହିଁ। ଆସନ୍ତୁ ଦେଖିବା ପରିଣାମ କ’ଣ ହେଲା? ନରେନ୍ଦ୍ର ମୋଦୀ ସରକାର ଏକ ଜାତୀୟ ବିପତ୍ତି ବେଳେ ଦେଶକୁ ନିରାଶ କଲେ। ସ୍ବାସ୍ଥ୍ୟ ସ˚କଟର ଉଚିତ ମୁକାବିଲା କରିବାରେ ବିଫଳ ହେଲେ। ଆର୍ଥିକ ସ˚କଟକୁ ନିୟନ୍ତ୍ରଣ କରିପାରିଲେନାହିଁ। ଦେଶ ଏବେ ଯେଉଁ ମାନବୀୟ ଦୁର୍ଦଶା ଭୋଗୁଛି, ସରକାର ସେଥି ପ୍ରତି ମଧ୍ୟ ଅସମ୍ବେଦନଶୀଳ। ସ୍ବାସ୍ଥ୍ୟ ସ˚କଟରୁ ଆରମ୍ଭ କରିବା। ମହାମାରୀ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ପ୍ରାଥମିକ ପଦକ୍ଷେପ ନେଲେ, ସେଥି ପାଇଁ ତାଙ୍କୁ ଦାୟୀ କରାଯାଇପାରିବନାହିଁ। ସେ ସଜାଗ ନ ଥିଲେ ବୋଲି କହିପାରିବାନାହିଁ। କାରଣ, ସେତେ ବେଳେ କରୋନା ବାବଦରେ ବିଶ୍ବ ସ୍ତରରେ ସୁଦ୍ଧା ବିଶେଷ କିଛି ଜଣା ନ ଥିଲା। ପରସ୍ପର ବିରୋଧୀ ଅନୁମାନ ଲଗାଯାଉଥିଲା। ତେଣୁ, କେବଳ ଆମ ପ୍ରଧାନମନ୍ତ୍ରୀ ନୁହନ୍ତି, ବିଶ୍ବର କିଛି ବିକଶିତ ରାଷ୍ଟ୍ରର ମୁଖ୍ୟମାନେ ମଧ୍ୟ ଉଚିତ ପଦକ୍ଷେପ ନେଇପାରି ନ ଥିଲେ। ତଥାପି, ପ୍ରଧାନମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚରା ଯାଇପାରିବ। ପ୍ରଥମାବସ୍ଥାରେ ଅଧିକରୁ ଅଧିକ ସ˚ଖ୍ୟକ ପରୀକ୍ଷା ପାଇଁ ଯେତେବେଳେ ବୈକଳ୍ପିକ ପ୍ରସ୍ତାବ ଦିଆଯାଇଥିଲା; ସେ କାହିଁକି ଗ୍ରହଣ କରି ନ ଥିଲେ? ମହାମାରୀ ରୋକିବା ଦିଗରେ କେରଳରେ ଯେଉଁ ଭଳି ପଦକ୍ଷେପ ନିଆଯାଉଥିଲା, ପ୍ରଧାନମନ୍ତ୍ରୀ ସେ ଭଳି ପଦକ୍ଷେପକୁ କାହିଁକି ଅଣଦେଖା କଲେ? ସେ ଦେଶ ହିତକୁ ଦେଖିବା ପରିବର୍ତ୍ତେ ରାଜନୈତିକ ଦ୍ବେଷକୁ କାହିଁକି ଅଧିକ ଗୁରୁତ୍ବ ଦେଲେ? ତାଙ୍କ ସମର୍ଥକମାନେ ଯେତେବେଳେ ମହାମାରୀକୁ ଖୋଲାଖୋଲି ଭାବେ ସା˚ପ୍ରଦାୟିକ ରୂପ ଦେବାରେ ଲାଗିଥିଲେ, ସେ କାହିଁକି ନିରବ ରହିଲେ? ଯେତେବେଳେ ଏହା ପ୍ରମାଣିତ ହୋଇଗଲା ଯେ, କେବଳ ତାଲାବନ୍ଦୀ ଦ୍ବାରା ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିବନାହିଁ, ସେତେବେଳେ ବି ସେ ଏହାକୁ କିପରି ଏକମାତ୍ର ସମାଧାନର ପନ୍ଥା ଭାବେ ଗ୍ରହଣ କଲେ? ସମୟ ଥାଉଥାଉ ନା ତ୍ରୁଟି ସୁଧାରିଲେ ନା ଯାହା ଯୁକ୍ତିସ˚ଗତ, ତାହାକୁ ଗ୍ରହଣ କଲେ? ସେ ମହାମାରୀର ପ୍ରସାରଣ ବାବଦରେ ଅଧିକ ଚିନ୍ତିତ ଥିଲେ ନା ନିଜର ଅହ˚ ଓ ଛବି ବାବଦରେ? ମହାମାରୀ ପ୍ରସଙ୍ଗରେ କୌଣସି ବିଶେଷଜ୍ଞ ବା ଅନ୍ୟ କୌଣସି ନେତୃସ୍ଥାନୀୟ ବ୍ୟକ୍ତି କାହିଁକି ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଆଗକୁ ବାହାରୁନାହାନ୍ତି? ସରକାରର ଆଗାମୀ ରଣନୀତି କ’ଣ? ସରକାର କ’ଣ, କିଛି ଲୁଚାଇବାକୁ ଚାହୁଁଛି?

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ଏତେ ସହଜ ନୁହେଁ। ଲାଗୁଛି, ସରକାର ନିଜେ ହିଁ ଫସିରହିଛି! ଲୋକଙ୍କୁ କ’ଣ କହିବ ବା କେଉଁ ପରି ସାହାଯ୍ୟ ମାଗିବ ବୁଝିପାରୁନାହିଁ। ସ୍ବାସ୍ଥ୍ୟ ସ˚କଟ ପାଇଁ ସରକାରର ଅସହାୟତା ବୁଝିହୁଏ। ତେବେ ବିତ୍ତୀୟ ସ˚କଟ ପାଇଁ ସରକାର ଛଡ଼ା ଅନ୍ୟ କେହି ଦାୟୀ ହୋଇ ନ ପାରନ୍ତି। ସମସ୍ତ ବିତ୍ତୀୟ ସମସ୍ୟା ସରକାର ଦ୍ବାରା ସୃଷ୍ଟ ଏବ˚ କେବଳ ସରକାର ହିଁ ଏଥିପାଇଁ ଦାୟୀ। ସରକାର ଏକ ଭୁଲ୍‌ ସମୟରେ କର‌୍‌ପୋରେଟ୍‌ କ୍ଷେତ୍ରର ଋଣ କ୍ଷମା ପାଇଁ ଘୋଷଣା କଲା। ରାଜସ୍ବ ବାବଦରେ ସର୍ବଦା ବଢ଼ାଇ-ଚଢ଼ାଇ କହିଲା। ସରକାରର ବିତ୍ତୀୟ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ। ଏହା ଅମର୍ତ୍ତ୍ୟ, ଅଭିଜିତ ଓ ରାଜନଙ୍କ ଭଳି ପ୍ରସିଦ୍ଧ ଅର୍ଥଶାସ୍ତ୍ରୀଙ୍କ ପରାମର୍ଶକୁ କାହିଁକି ଅଣଦେଖା କଲା? ବ୍ୟାଙ୍କ୍‌ଗୁଡ଼ିକୁ ମାର୍ଚ୍ଚ‌୍ ସୁଦ୍ଧା ଯେତିକି ନଗଦ ଦିଆଯାଇଥିଲା, ତାହାର ଠିକ୍‌ ଉପଯୋଗ ହୋଇ ନ ଥିବା ସତ୍ତ୍ବେ ପୁଣି ଥରେ ନଗଦ ଦେବା ଉପରେ ସରକାର କାହିଁକି ଗୁରୁତ୍ବ ଦେଲା? କୃଷକ, ବେପାରୀ, ଶ୍ରମିକ ଆଦିଙ୍କ ଆର୍ଥିକ ଦାବିକୁ କାହିଁକି ଧ୍ୟାନ ଦେଲାନାହିଁ? ପରାମର୍ଶ ଦିଆଯାଇଥିବା ସତ୍ତ୍ବେ ସ˚କଟର ମୁକାବିଲା ପାଇଁ ଅତିରିକ୍ତ ରାଜସ୍ବର ବ୍ୟବସ୍ଥା କାହିଁକି କଲାନାହିଁ? କରୋନା ସ˚କଟ କାଳରେ ଶ୍ରମ, କୃଷି କ୍ଷେତ୍ର, ପରିବେଶ ସ˚ପର୍କିତ ନୀତି ପରିବର୍ତ୍ତନ ପାଇଁ କାହିଁକି ପଦକ୍ଷେପ ନିଆଗଲା? ଯଦିଓ ଏହା ଭଲ ଭାବେ ଜଣା ଯେ, ମହାମାରୀ ରୋକିବା ସହ ଏସବୁ ବଦଳାଇବାର କୌଣସି ସ˚ପର୍କ ନାହିଁ। ଦେଶର ଆର୍ଥିକ ସ୍ଥିତି ସ˚ପର୍କରେ ଲୋକଙ୍କୁ କାହିଁକି କିଛି କୁହାଯାଉନାହିଁ? ପୁଣି, ଆର୍ଥିକ ପ୍ୟାକେଜ୍‌କୁ କାହିଁକି ଏ ଭଳି ଉପସ୍ଥାପନ କରାଯାଉଛି, ସତେ ଯେପରି ଏହା ଦ୍ବାରା ସଙ୍ଗେସଙ୍ଗେ ସବୁ ସମସ୍ୟାର ଅନ୍ତ ହୋଇଯିବ?

ଏହି ବିତ୍ତୀୟ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ କେହି ନାହାନ୍ତି। ବିଶ୍ବର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ଏବେ ଭୟଙ୍କର ଆର୍ଥିକ ମାନ୍ଦାବସ୍ଥାର ଚକ୍ରବ୍ୟୂହ ମଧ୍ୟରେ ଫସିଯାଇଛି। ଏହା ଏବେ ଅବୁଝା ଅର୍ଥଶାସ୍ତ୍ରୀ ଏବ˚ ଅଜ୍ଞାନ-ଅହ˚କାରୀ ରାଜନେତାଙ୍କ କବଳରେ। ସେମାନେ ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ପରିବର୍ତ୍ତେ ନିଜର ଗାଦି ଏବ˚ ନିଜର ବିତ୍ତଶାଳୀ ବନ୍ଧୁଙ୍କୁ ବଞ୍ଚାଇବାରେ ଲାଗିଛନ୍ତି। ଶେଷରେ ଆସନ୍ତୁ ଦେଖିବା, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର କ’ଣ କରୁଛି? ଏବେ ବି ସେମାନେ ରାସ୍ତା-ଘାଟରେ ଚାଲିଚାଲି ଫେରୁଛନ୍ତି। ରାସ୍ତାରେ କେତେକଙ୍କର ପ୍ରାଣ ଯାଉଛି। ଖରା ତାତିରେ ଭୋକ-ଉପାସରେ ସେମାନେ ଫେରୁଛନ୍ତି। ସେମାନଙ୍କ ଦଳରେ ଅଛନ୍ତି ଅସହାୟ ବୃଦ୍ଧ-ବୃଦ୍ଧାଙ୍କଠାରୁ ଆରମ୍ଭ କରି ଶିଶୁ ଓ ଗର୍ଭବତୀ। ଏହି ମାନବୀୟ ଦୁର୍ଦଶା ପ୍ରତି ସରକାର ଦୃଷ୍ଟି ଦେଉନାହିଁ। ଦେଶରେ ମଣିଷଙ୍କ ମଧ୍ୟରେ ସମତା ନ ଥିବା ଏବ˚ ବ୍ୟବଧାନ ବଢ଼ି ଚାଲିଥିବା ସମସ୍ତେ ଜାଣନ୍ତି। ତେଣୁ, ଏକ ବର୍ଗ ସ˚କଟ ଭୋଗିବା ଟା ତ ଅନିବାର୍ଯ୍ୟ। ତଥାପି, ସରକାରକୁ କେତେକ ପ୍ରଶ୍ନର ଉତ୍ତର ଦେବାକୁ ହେବ। ପ୍ରବାସୀ ଶ୍ରମିକ ପଳାୟନ ଜନିତ ସ˚କଟ ବାବଦରେ ସରକାର ପୂର୍ବରୁ ଅବଗତ ଥିଲା କି? ଯଦି ସେମାନେ ପଳାୟନ କରିବେ ବୋଲି ପୂର୍ବରୁ ଜଣାଥିଲା, କେଉଁ ଭଳି ମୁକାବିଲା କରାଯିବ, ତାଲାବନ୍ଦୀ ବେଳେ ଚିନ୍ତା କରାଯାଇଥିଲା କି? ସରକାର ଏ ଭଳି ସ˚କଟର ମୁକାବିଲା ପାଇଁ ପ୍ରସ୍ତୁତ ଥିଲା କି? ପ୍ରବାସୀ ଶ୍ରମିକଙ୍କ ସ˚ଖ୍ୟା ଆଠ କୋଟି ବୋଲି ନିଜେ ମନ୍ତ୍ରୀ କହିଛନ୍ତି। ତାଲାବନ୍ଦୀ ପୂର୍ବରୁ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇ ନ ଥିଲା କାହିଁକି? ସେମାନଙ୍କ ହାତରେ କିଛି ଅର୍ଥ ଦିଆଯାଇ ନ ଥିଲା କାହିଁକି? ସରକାର କ’ଣ ଏହି ଆଶା ନେଇ ଅପେକ୍ଷା କରିଥିଲା, ଜୀବିକା ହରାଇ ଭୋକ-ଉପାସରେ ସେମାନେ ବସିରହିବେ? ଘରକୁ ଫେରିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କୌଣସି ରାସ୍ତା ନ ଥିଲା। ଦୁନିଆର ଅନ୍ୟ କୌଣସି ଦେଶରେ ଏ ଭଳି ଘଟିନାହିଁ। ଆଫ୍ରିକାରେ ଗରିବଙ୍କ ସ˚ଖ୍ୟା ଆମ ଦେଶଠାରୁ ଅଧିକ ଥିବା ସତ୍ତ୍ବେ ସେଠାରୁ ମଧ୍ୟ ଏ ଭଳି ଖବର ଆସିନାହିଁ। ସେମାନଙ୍କ ଦୁର୍ଦଶା ତାଲାବନ୍ଦୀର ପ୍ରଥମ ସପ୍ତାହରେ ହିଁ ଜଣାପଡ଼ିଯାଇଥିଲା। ତଥାପି, ସେମାନଙ୍କ ସୁରକ୍ଷା ପାଇଁ ସରକାରୀ ଭାବେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ରେଳ ଚଳାଇବା ପାଇଁ ନିଷ୍ପତ୍ତି ଏତେ ବିଳମ୍ବରେ କାହିଁକି ନିଆଗଲା? ପୁଣି, ଏ ଭଳି ଏକ ସମୟରେ ନିଆଗଲା, ଯେତେ ବେଳେ ବିପଦ ମୁଣ୍ତ ଉପରେ। ପୁଣି, ସେମାନଙ୍କଠାରୁ ଭଡ଼ା ଆଦାୟର ନିଷ୍ପତ୍ତି କାହାର ଥିଲା? ରାସ୍ତାରେ ଚାଲୁଥିବା ଶ୍ରମିକଙ୍କୁ ସହାୟତା ଦେବା ପାଇଁ ନିର୍ଦେଶାବଳୀ ଜାରି କରିବା ଲାଗି ଗୃହ ମନ୍ତ୍ରାଳୟକୁ ଛଅ ସପ୍ତାହ ଲାଗିଗଲା କାହିଁକି?

ଜାତୀୟ ସ୍ତରର ଏହି ଭୟାବହ ମାନବୀୟ ଦୁର୍ଦଶା ପ୍ରତି ସରକାର ଯେଉଁ ଭଳି ଆଖି ବୁଜିଦେଲା, ଏହାଠାରୁ ଅଧିକ ଲଜ୍ଜାକର ଆଉ କ’ଣ ହୋଇପାରେ? ଏହା କେବଳ ଅସମ୍ବେଦନଶୀଳତା ନୁହେଁ, ଏକ ଜାତୀୟ ଲଜ୍ଜା। ଏ ଭଳି ଏକ ସରକାରକୁ କେବଳ ନିର୍ଦୟ କହିବା ବି ଯଥେଷ୍ଟ ହେବନାହିଁ। ଦେଶ ରସାତଳଗାମୀ ହେବାରେ ଲାଗିଛି। ଏହାକୁ ଅଣଦେଖା କରି କେନ୍ଦ୍ରରେ କ୍ଷମତାର ଶୀର୍ଷରେ ଥିବା ନେତା ବା ନେତୃବୃନ୍ଦ ଶାସନୀ ଷଡ଼୍‌ଯନ୍ତ୍ରରେ ବ୍ୟସ୍ତ। ଅନ୍ୟ ଉପରେ ଦୋଷ ଲଦି କେବଳ ନିଜର ଛବି ଚମକାଇବାର ଖଳ ଖେଳରେ ଲିପ୍ତ। ଆଗାମୀ ଦିନରେ ଯେତେ ବେଳେ ଇତିହାସ ଲେଖାଯିବ, ସେଥିରେ ୨୦୨୦ର ପ୍ରଥମ ଛଅ ମାସରେ ରାଷ୍ଟ୍ର କେଉଁ ପରି ସ୍ବାସ୍ଥ୍ୟଗତ, ଆର୍ଥିକ ଓ ମାନବୀୟ ଦୁର୍ଦଶା ଭୋଗିଥିଲା, ତାହାର ସ୍ପଷ୍ଟ ଚିତ୍ର ନିଶ୍ଚିତ ଉପସ୍ଥାପିତ ହେବ। ଆଉ ସେହି ସରକାରର କଥା ମଧ୍ୟ ଉଲ୍ଲିଖିତ ହେବ, ଯିଏ ଏସବୁର ସମାଧାନ କରିବାରେ ପୂର୍ଣ୍ଣ ରୂପେ ବିଫଳ ହୋଇଥିଲା।
[email protected]

ସମ୍ବନ୍ଧିତ ଖବର