ଓଡ଼ିଶାର କେତେକ ରଚନାତ୍ମକ ଅନୁଷ୍ଠାନ

କୈଳାସ ଚନ୍ଦ୍ର ଦାଶ

୧୯୩୬, ଏପ୍ରିଲ ପହିଲା‌େର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାର ଆତ୍ମପ୍ରକାଶ ପଛରେ ଯେଉଁ ପଥିକୃତ୍‌ ଉଦ୍ୟମ ନିହିତ ଥିଲା, ତାକୁ ଗଢ଼ି ତୋଳିବାରେ ଅନେକ ଅନୁଷ୍ଠାନର ଅବଦାନ ଅନସ୍ବୀକାର୍ଯ୍ୟ। ଏହି ଅନୁଷ୍ଠାନଗୁଡ଼ିକ ତତ୍କାଳୀନ ଓଡ଼ିଆମାନଙ୍କୁ ଶିକ୍ଷା, ସଚେତନତା ଓ ସ୍ବାବଲମ୍ବନର ଆଲୋକ ଦେଖାଇ ଥିଲେ। ଆଜି ‘ଉତ୍କଳ ଦିବସ’ ଅବସରରେ ସେଭଳି ଅନୁଷ୍ଠାନଗୁଡ଼ିକର ଭୂମିକା ସ୍ମରଣ କରାଯିବା ଏକାନ୍ତ ଆବଶ୍ୟକ।

ବି˚ଶ ଶତକର ପ୍ରଥମ ପାଞ୍ଚ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ମୁକ୍ତି ସ˚ଗ୍ରାମ ପର୍ଯ୍ୟାୟରେ ଅନେକ କ୍ଷୁଦ୍ର ରଚନାତ୍ମକ ଅନୁଷ୍ଠାନ ମୁଣ୍ତ ଟେକି ଉଠିଥିଲେ। ଶିକ୍ଷାର ପ୍ରସାର, ଗ୍ରାମ ସ˚ଗଠନ ସହିତ ଭାରତୀୟ ସ୍ବାଧିନତା ସ˚ଗ୍ରାମରେ ଓଡ଼ିଶାର ସକ୍ରିୟ ଯୋଗଦାନ ତଥା ଓଡ଼ିଆ ଜାତିର ଜାଗୃତିର ପ୍ରଚାର ଓ ପ୍ରକାଶ ପରି ନାନା କାର୍ଯ୍ୟକ୍ରମରେ ଏ ସବୁର ସହଯୋଗ ଥିଲା। ଓଡ଼ିଶାରେ ପ୍ରକୃତ କର୍ମୀମାନଙ୍କର ଅଭାବ ଦେଖି ଯୁବକଯୁବତୀମାନଙ୍କୁ ଆଳସ୍ୟ ପଥରୁ ଓହରାଇ ନେବାକୁ ବହୁ ଉଦ୍ୟମ ଏ ସବୁ ମାଧ୍ୟମରେ କରାଯାଇଥିଲା। ଏହି ଅନୁଷ୍ଠାନଗୁଡିକ ପଲ୍ଲୀ ସ˚ଗଠନର ନୂତନ ପନ୍ଥା, ନୂତନ ଆଦର୍ଶ ଧରି ଯୁବ ଗୋଷ୍ଠୀଙ୍କୁ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ। ଓଡ଼ିଆ ଯୁବ ଗୋଷ୍ଠୀ ମଧ୍ୟରେ ସ୍ବାବଲମ୍ବନଶୀଳତା ବା ସହନଶୀଳତାର ଅଭାବ ଦୂର କରି ନବ ଜୀବନ ସଂଚାର ପାଇଁ ଏହି ସ˚ଗଠନଗୁଡିକ ବଦ୍ଧପରିକର ଥିଲେ।

ଏଭଳି ଉଦ୍ୟମରେ ଓଡ଼ିଶାରେ ଶିକ୍ଷା, କୃଷି ଓ ସମାଜ-ସ˚ସ୍କାର ପରି କେତେକ ଅବହେଳିତ କ୍ଷେତ୍ରରେ କାର୍ଯ୍ୟ ସଫଳତା ହାସଲ କରି ପାରିଥିଲା। ଗ୍ରାମ୍ୟ ଜୀବନରେ ଅଭୂତପୂର୍ବ ଜାଗରଣ ଘଟିଥିଲା। ପ୍ରସିଦ୍ଧ ସତ୍ୟବାଦୀ ବନବିଦ୍ୟାଳୟ, ସ୍ବରାଜ ଆଶ୍ରମ, ଅଳକାଶ୍ରମ(ଜଗତ୍‌ସି˚ହପୁର), ବିଚିତ୍ରାନନ୍ଦ ଦାସଙ୍କ କୁଟୀର ଶିଳ୍ପ ଶିକ୍ଷାଳୟ, ଭିକାରୀ ପଟ୍ଟନାୟକଙ୍କ କୁଟୀରଶିଳ୍ପ ଶିକ୍ଷାଳୟ, ଲକ୍ଷ୍ମୀ ନାରାୟଣ ସାହୁଙ୍କ ଚୌଦ୍ବାର ଗ୍ରାମ ସ˚ଗଠନ କେନ୍ଦ୍ର, ରମ୍ଭା ସେବାଶ୍ରମ, ପୁରୀ ସେବା ସମିତି, ବରୀର ଗାନ୍ଧୀ ସେବାଘର, ଡେଲାଙ୍ଗର ଗାନ୍ଧୀ ସେବାସ˚ଘ, ଡେଲାଙ୍ଗର ପାବନ ବିଦ୍ୟାଳୟ, ବାଣପୁରର ଜାତୀୟ ବିଦ୍ୟାଳୟ, ଧରାକୋଟର ଗୋପବନ୍ଧୁ ଆଶ୍ରମ, କାଦୁଆର ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସ˚ଘ, ନାରୀ ଆଶ୍ରମ ଗୋପାଳ ଗାଁ(ବାଲେଶ୍ବର) ପ୍ରଭୃତି ରଚନାତ୍ମକ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ଥିଲେ। ଏ ସବୁ ଅନୁଷ୍ଠାନ ଆଧୁନିକ ଓଡ଼ିଶା ଗଠନରେ ଅବିସ୍ମରଣୀୟ ଭୂମିକା ନିର୍ବାହ କରିଥିଲେ। ପୁରୀର ଡେଲାଙ୍ଗ ଗ୍ରାମରେ କେତେକ ଶିକ୍ଷିତ ଯୁବକଙ୍କର ଯତ୍ନରେ ଦଳିତ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ପାବନ ବିଦ୍ୟାଳୟ ୧୯୧୨ ବେଳକୁ ପ୍ରତିଷ୍ଠା କରାଯାଇଥିଲା। ଏହି ନବ ଉଦ୍ୟମ ପାଇଁ ଏମାର ମଠ ମହନ୍ତ ଗଦାଧର ରାମାନୁଜ ଦାସ, ରାଧାକାନ୍ତ ମଠର ମହନ୍ତ ରାଧାକାନ୍ତ ଗୋସ୍ବାମୀ, ପୁରୀ ମନ୍ଦିର ମ୍ୟାନେଜର ରାଜ କିଶୋର ଦାସ, ପୁରୀର ବଡ ପଣ୍ତା ହରିହର ଗୁରୁ, ଜଗବନ୍ଧୁ ସି˚ହ, ସାଧୁ ଚରଣ ମହାନ୍ତି, ଚନ୍ଦନ ପୁର ଜମିଦାର, ନରସି˚ହ ସାବତ, ଡେଲାଙ୍ଗ ମ୍ୟାନେଜର ଜୟକୃଷ୍ଣ ପଟ୍ଟନାୟକ, ଡେଲାଙ୍ଗ ସ୍କୁଲ ହେଡମାଷ୍ଟର ଗୋବିନ୍ଦଚନ୍ଦ୍ର ମିଶ୍ର ପ୍ରଭୃତି ସହଯୋଗ କରିଥିଲେ। ୧୯୧୨ରେ ଏହି ସ୍କୁଲରେ ୨୦ ଜଣ ଦଳିତ ଛାତ୍ର ଶିକ୍ଷାଲାଭ କରିଥିଲେ। ଉଚ୍ଚ ବ˚ଶୀୟ ଜଣେ ଯୁବକ ସାମାନ୍ୟ ଖୋରାକ ମାତ୍ର ଗ୍ରହଣ କରି ଶିକ୍ଷକତା କାର୍ଯ୍ୟ ଚଳାଇ ଥିଲେ। ଏହି ଅନୁଷ୍ଠାନର ଗୃହ ପ୍ରତିଷ୍ଠା ମଧ୍ୟ ୧୯୧୨ରେ ହୋଇଥିଲା। ଡେଲାଙ୍ଗରେ ଗୋଟିଏ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରାଇବା ପାଇଁ ମଧ୍ୟ ୧୯୧୨ରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ଏକ ସ୍ଥାନରେ ବ୍ରାହ୍ମଣ, କରଣ ପ୍ରଭୃତି ସବର୍ଣ୍ଣ ଏବଂ ଦଳିତ ଲୋକମାନେ ବସି ଏକ ସମାଜ ବନ୍ଧନରେ ଆବଦ୍ଧ ହୋଇଥିଲେ। ୧୯୨୩ ମସିହା ଜାନୁଆରି ୨୪ ତାରିଖରେ ବାଣପୁର ଠାରେ ଗୋଦାବରୀଶ ମିଶ୍ରଙ୍କ ଉଦ୍ୟମରେ ୨୦ ଜଣ ଛାତ୍ରଙ୍କୁ ନେଇ ଏକ ଜାତୀୟ ବନ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଆମ୍ବ ବଗିଚାର ଭିନ୍ନଭିନ୍ନ ସ୍ଥାନରେ ଗୋଟିଏ ଗୋଟିଏ ଶ୍ରେଣୀ ହିସାବରେ ପିଲାମାନଙ୍କୁ ବସାଇ ଶିକ୍ଷା ଦିଆଯାଉଥିଲା। ଏଠାର ବିଶେଷତ୍ବ ଥିଲା ଏହା ଯେ ବାଳକବାଳିକାମାନେ କେବଳ ପୁସ୍ତକଗତ ବିଦ୍ୟା ଶିକ୍ଷା ନ କରି ଭବିଷ୍ୟତ୍‌ ଜୀବନ ନିମନ୍ତେ ଆପଣାର ସ˚ସାର ଚଳାଇବା ପାଇଁ ଯେମିତି ଉପଯୁକ୍ତ ହୋଇପାରିବେ ସେଥି ପ୍ରତି ପ୍ରଥମରୁ ବିଶେଷ ଦୃଷ୍ଟି ଦିଆଯାଉଥିଲା। ଆତ୍ମ-ନିର୍ଭରଶୀଳତା ଉପରେ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଉଥିଲା। ପୁରୀ ସେବା ସମିତି ଏହି ସମୟର ଅନ୍ୟ ଏକ ସ୍ମରଣୀୟ ଜାତୀୟ ଅନୁଷ୍ଠାନ। ୧୯୧୨ ମସିହା ଠାରୁ ପଣ୍ତିତ ଗୋପବନ୍ଧୁ ଦାସଙ୍କ ନେତୃତ୍ବରେ ଏହା ପୁରୀ ହିତକାରିଣୀ ସମିତି ନାମରେ ସ୍ଥାପିତ ହୋଇଥିଲା ଏବ˚ ୧୯୨୫ ମସିହା ବେଳକୁ ସେହି ନାମରେ ଅନୁଷ୍ଠାନ କାର୍ଯ୍ୟ କରିଥିଲା। ଏ ସମିତି ପୁନର୍ଗଠିତ ହୋଇ ପୁରୀ ସେବାସମିତି ନାମ ଧାରଣ କରି ୧୯୨୫ ମସିହା ଠାରୁ ଶୃଙ୍ଖଳାବଦ୍ଧ ଭାବରେ କାର୍ଯ୍ୟ କରିଥିଲା। ୧୯୩୦ରୁ ୧୯୩୫ ମସିହା ମଧ୍ୟରେ ସମିତିର କାର୍ଯ୍ୟର ପରିସର ଅବିଭକ୍ତ ପୁରୀ ଜିଲ୍ଲା ମଧ୍ୟରେ ସିମାବଦ୍ଧ ଥିଲା।ସେହିଭଳି ସାଲେପୁର ଅନ୍ତର୍ଗତ ଚମ୍ପାପୁର ଗ୍ରାମରେ ପ୍ରତିଷ୍ଠିତ ଗାନ୍ଧୀ ସେବାଶ୍ରମ ଏକ ବିଶିଷ୍ଟ ପଲ୍ଲୀ କେନ୍ଦ୍ର ଥିଲା। ଏହାର ପ୍ରତିଷ୍ଠାତା ଥିଲେ ମହାତ୍ମା ଗାନ୍ଧୀଙ୍କର ସାବରମତୀ ଆଶ୍ରମର ପ୍ରଥମ ଓଡିଆ ଶିଷ୍ୟ ଦଶପଲ୍ଲା ନିବାସୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ସାବରମତୀ ଆଶ୍ରମରୁ ମହାତ୍ମାଙ୍କ ଅସହଯୋଗ ଆନ୍ଦୋଳନର ଆହ୍ବାନରେ ଉଦ୍‌ବୁଦ୍ଧ ହୋଇ ଓଡ଼ିଶାକୁ ଫେରି ଆସି ଗାନ୍ଧୀ ନୀତି ଓ ପଦ୍ଧତିର ପ୍ରଚାର ପାଇଁ ସାଲେପୁର ଅନ୍ତର୍ଗତ ଚମ୍ପାପୁରଠାରେ ଗାନ୍ଧୀ ସେବାଶ୍ରମ ଗଠନ କରିଥିଲେ। ଚମ୍ପାପୁର ହାଟ ନିକଟରେ ଥିବା କେଇଥା ଗ୍ରାମରେ ଥିବା ପ୍ରସିଦ୍ଧ ଜମିଦାର ପଣ୍ତିତ ଆର୍ତ୍ତତ୍ରାଣ ମିଶ୍ରଙ୍କ କଚେରୀ ଘରେ ଏହି ସେବାଶ୍ରମ ହୋଇଥିଲା। ୧୯୨୫ ମସିହାରେ ଏହାକୁ ଗାନ୍ଧୀ ସେବାଶ୍ରମ ବୋଲି ନାମିତ କରାଯାଇଥିଲା। ଗ୍ରାମ୍ୟ ଜୀବନର ପୁନର୍ଗଠନ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ୧୯୩୦ ସୁଦ୍ଧା ଏହାର ଅନେକ ଉନ୍ନତି ପରିଲକ୍ଷିତ ହୋଇଥିଲା। ଗ୍ରାମ ସ˚ଗଠନ, ଚରଖା ପ୍ରଚାର ପ୍ରଭୃତି ଦିଗରେ ସେବାଶ୍ରମ ଅନେକ ଦୂର ଆଗେଇ ପାରିଥିଲା। ରୋଗୀ ସେବା ମଧ୍ୟ ଏ ଅନୁଷ୍ଠାନର ଏକ ଅ˚ଗ ଥିଲା। ଏହା ଦ୍ବାରା ଗୋଶାଳା ସ୍ଥାପନ ଦିଗରେ ଉଦ୍ୟମ ହୋଇଥିଲା। ୧୯୩୫ ମସିହା ବେଳକୁ ଏଠାରେ ଗୋଟିଏ ନୈଶ ବିଦ୍ୟାଳୟ ଖୋଲା ଯାଇଥିଲା। କପା ଚାଷ, ସୂତା କଟା, ଲୁଗା ବୁଣା ଇତ୍ୟାଦି ନିଜ ହାତରେ କରିବା ପାଇଁ ଯୁବକମାନେ ଲାଗି ପଡିଥିଲେ। ହରିଜନ ପଡାମାନଙ୍କରେ ନିଶା ନିବାରଣ ଓ କପା ଚାଷ ପାଇଁ ଉଦ୍ୟମ ହୋଇଥିଲା। ୧୯୩୩ ମସିହା ଠାରୁ ୧୯୩୬ ମସିହା ପର୍ଯ୍ୟନ୍ତ ନାନା ପ୍ରତିକୂଳ ପରିବେଶରେ ଗୋବିନ୍ଦ ଚନ୍ଦ୍ର ମିଶ୍ର ଆଶ୍ରମକୁ ସୁଦୃଢ କରିବା ପାଇଁ ଚେଷ୍ଟା କରିଥିଲେ। ଶେଷରେ ୧୯୪୨ ମସିହାରେ ଶିକ୍ଷାର ବହୁଳ ପ୍ରସାର ପାଇଁ ଆଶ୍ରମକୁ ଗୋଟିଏ ଉଚ୍ଚ ଇଂରେଜୀ ବିଦ୍ୟାଳୟରେ ପରିଣତ କରିଥିଲେ। ଗ˚ଜାମର ରମ୍ଭା ସେବାଶ୍ରମ ୧୯୨୪ ମସିହା ଠାରୁ ଆରମ୍ଭ ହୋଇ ୧୨ ବର୍ଷ ମଧ୍ୟରେ କୁଟୀର ଶିଳ୍ପର ଜାଗରଣ, ଚାଷୀ ମୁଲିଆଙ୍କ ଭିତରେ ଜାଗରଣ ପ୍ରଭୃତି କାର୍ଯ୍ୟରେ ସଫଳ ହୋଇଥିଲା। ଗ˚ଜାମର ଧରାକୋଟ ମୁଣ୍ତମରାଇ ଠାରେ ୧୯୩୧ ବେଳକୁ ଗୋପବନ୍ଧୁ ଆଶ୍ରମ ପ୍ରତିଷ୍ଠା ହୋଇ ଏହାର ପରିଚାଳନା ପାଇଁ ୨୫ ଜଣ ସଭ୍ୟଙ୍କୁ ନେଇ ଏକ କମିଟି ଗଠିତ ହୋଇଥିଲା। ଏହାର ସଭାପତି ଥିଲେ ଶିବରାମ ପାତ୍ର ନୀତି ବିନୋଦ। ଅରଟ ଓ ତୁଳାର କାର୍ଯ୍ୟ ଏ ଆଶ୍ରମର ଅ˚ଶବିଶେଷ ଥିଲା। ଆତ୍ମନିର୍ଭରଶୀଳତାର ଶିକ୍ଷା ଏହାର ମୂଳ ମନ୍ତ୍ର ଥିଲା। ପୁରୀ ସ୍ବରାଜ ଆଶ୍ରମ, ବରଗଡ କ˚ଗ୍ରେସ ଭବନ, ଗୋପାଳ ଗାଁର ନାରୀ ଆଶ୍ରମ ମଧ୍ୟ ଏହି କାଳରେ ରଚନାତ୍ମକ କାର୍ଯ୍ୟରେ ଲାଗିଥିଲେ। ବାଲିକୁଦା କ˚ଗ୍ରେସ ଆଶ୍ରମକୁ ଗୋପବନ୍ଧୁ ଚୌଧୁରୀ ସ୍ଥାପନ କରିଥିଲେ ଏବ˚ ଏହା ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ କ୍ରିୟାଶୀଳ ଥିଲା। ସତ୍ୟବାଦୀର କାଦୁଆ ଆଶ୍ରମ ୧୯୩୨ ମସିହା ବେଳକୁ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସ˚ଘ ନାମରେ ପରିଚିତ ହୋଇ ଖଦୀ ଏବ˚ ଗ୍ରାମଦ୍ୟୋଗ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହାର ପରିଚାଳନା ଏକ ଟ୍ରଷ୍ଟ ବୋର୍ଡ ଦ୍ବାରା ହେଉଥିଲା। ଏଥିରେ ଗୋପବନ୍ଧୁ ଚୌଧୁରୀ, ଛଗନ ଲାଲ ଯୋଶୀ, ଆଚାର୍ଯ୍ୟ ହରିହର ଦାସ, ପଣ୍ତିତ ଲିଙ୍ଗରାଜ ମିଶ୍ର ଓ ଜଗନ୍ନାଥ ରଥ ପ୍ରଭୃତି ସଦସ୍ୟ ଥିଲେ। ଚରଖା ଓ ଖଦଡର ପ୍ରଚାର ଓ ପ୍ରସାର ମାଧ୍ୟମରେ ଓଡ଼ିଶାର ଦରିଦ୍ର ଲୋକମାନଙ୍କର ଉନ୍ନତି ପାଇଁ ଚେଷ୍ଟା ଏହାର ପ୍ରଧାନ ଉଦ୍ଦେଶ୍ୟ ଥିଲା। ପୁରୀ, ବାରିପଦା ଏବ˚ ସାରଙ୍ଗଯୋଡି ପ୍ରଭୃତି ସ୍ଥାନରେ ଖଦଡର ବିକ୍ରୟ କେନ୍ଦ୍ର ସ୍ଥାପନ କରି ଖଦୀ କାର୍ଯ୍ୟକ୍ରମକୁ ପ୍ରସାରିତ କରାଯାଇ ପାରିଥିଲା। ଖାଦ୍ୟ ଉତ୍ପାଦନ ତଥା ଏ ସଂକ୍ରାନ୍ତ ପଦ୍ଧତିର ପ୍ରଚାର ସେମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା।

ଗୋପବନ୍ଧୁ ଚୌଧୁରୀ ଏବ˚ ରମାଦେବୀଙ୍କ ଦ୍ବାରା ପ୍ରତିଷ୍ଠିତ ବରୀ ଆଶ୍ରମ(ସେବାଘର) ଓଡିଶାର ଏକ ଅବିସ୍ମରଣୀୟ ଆଦର୍ଶ ପଲ୍ଲୀ ସ˚ଗଠନ କେନ୍ଦ୍ର ଥିଲା। ମହାତ୍ମାଙ୍କ ୱାର୍ଦ୍ଧା ସେବାଶ୍ରମପରି ଏହା ମଧ୍ୟ ଗାନ୍ଧୀ ସେବାଶ୍ରମ ନାମରେ ପରିଚିତ ଥିଲା। ଏହି ସେବା ଘରର କାର୍ଯ୍ୟକ୍ରମର ବିବରଣୀ ନୀଳକଣ୍ଠ ଦାସ ସଂପାଦିତ ‘ନବ ଭାରତ’ରେ ପ୍ରକାଶ ପାଇଥିଲା। ସେଥିରେ ନବ କୁମାର ଦାସ ଲେଖିଥିଲେ- ସେବାଘରର କର୍ମୀମାନେ ରାତି ୪.୩୦ରେ ଉଠନ୍ତି, ତାପରେ ସେମାନଙ୍କର ପ୍ରାତଃ କାଳ ପ୍ରାର୍ଥନା ହୁଏ। ଗୀତା ଏକ ଅଧ୍ୟାୟ ବୋଲା ଯାଏ। ସକାଳ ବେଳା କର୍ମୀମାନେ ନାନା କର୍ମରେ ଲାଗନ୍ତି। ରୋଗୀମାନଙ୍କୁ ଔଷଧ ବଣ୍ଟା ଯାଏ। ଗୋପବନ୍ଧୁ ଚୌଧୁରୀ କର୍ମୀମାନଙ୍କୁ ପଢାନ୍ତି। ରମାଦେବୀ ମଧ୍ୟ କେତେକ ଗାଁ ପିଲାଙ୍କୁ ପଢାନ୍ତି। ହରିଜନ ପଡାମାନଙ୍କରେ ସୂତା କଟା କାର୍ଯ୍ୟ କରାଯାଏ। ଦୈନିକ ୫୦୦ ଗଜ ସୂତା ପ୍ରତ୍ୟେକ କର୍ମୀ କାଟନ୍ତି। ହରିଜନ ପଡାରେ ମଧ୍ୟ ରାତି ସ୍କୁଲରେ ପଢା ଯାଏ। ସେହି ଆଶ୍ରମରୁ ୧୯୩୯ରୁ ଗୋପବନ୍ଧୁ ଚୌଧୁରୀଙ୍କ ସଂପାଦନାରେ ସତ୍ୟାଗ୍ରହୀ ନାମକ ପତ୍ରିକା ପ୍ରକାଶ ପାଉଥିଲା। ଏଥିରେ ମହାତ୍ମା ଗାନ୍ଧୀଙ୍କ ସଂପାଦିତ ହରିଜନ ପତ୍ରିକାର କେତେକ ଲେଖାର ଅନୁବାଦ ମଧ୍ୟ ସ୍ଥାନ ପାଉଥିଲା। ଏହା ସହିତ ଆଶ୍ରମର ଗଠନମୂଳକ କାର୍ଯ୍ୟର ପ୍ରସାର ପାଇଁ ଆଲୋଚନା ମାନ ପ୍ରକାଶ ପାଇଥିଲା। ୧୯୪୦ ମସିହାରେ ଏହି ସେବାଘରର ସ୍ବାବଲମ୍ବନ ଖଦୀ ନିର୍ଭର ହୋଇ ଖଦୀର ବିକାଶ ପାଇଁ ଏହା ପୂର୍ଣ୍ଣ ଭାବରେ କାର୍ଯ୍ୟ କରିବ ବୋଲି ଗୋପବନ୍ଧୁ ଉଦ୍‌ବୋଧନ ଦେଇଥିଲେ। ଖଦୀକୁ ଗାଁରେ ଦୃଢମୂଳ କରିବା ପାଇଁ ସୂତା କଟାଳୀମାନଙ୍କର ହାତ ବନ୍ଦ ନ କରିବା ପାଇଁ ସେ ଏହି ଆଶ୍ରମରେ କେତେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଖଦୀ କାର୍ଯ୍ୟକୁ ଗାଁରେ ଦୃଢମୂଳ କରିବା ପାଇଁ କପା ଚାଷ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।

୧୯୩୮ରେ ପୁରୀର ଡେଲାଙ୍ଗରେ ଗାନ୍ଧୀ ସେବାସ˚ଘ ରଚନାତ୍ମକ କାର୍ଯ୍ୟରେ ସକ୍ରିୟ ଥିଲା। ଏଠାରେ ‘ସେବା କୁଟୀର’ ମଧ୍ୟ ଏକ ରଚନାତ୍ମକ ଅନୁଷ୍ଠାନ ଥିଲା। ଏଠାରେ ‘ନିଖିଳ ଉତ୍କଳ ଖଦୀ ଓ ଗ୍ରାମ୍ୟ ଶିଳ୍ପ’ ପ୍ରଦର୍ଶନୀ ପାଇଁ ୧୯୩୮ରେ ସୁରେନ୍ଦ୍ର ନାଥ ପଟ୍ଟନାୟକଙ୍କ ଉଦ୍ୟମରେ ନାନା ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶାରେ ଏପରି ଅନେକ ଗୁଡ଼ିଏ କ୍ଷୁଦ୍ର ରଚନାତ୍ମକ ଅନୁଷ୍ଠାନ ଥିଲେ, ଯାହା କର୍ମୀ ଅଭାବରୁ ବିଶେଷ କାର୍ଯ୍ୟ କରିପାରି ନ ଥିଲେ। ୧୯୪୨ର ‘ଭାରତ ଛାଡ଼’ ଆନ୍ଦୋଳନ ବେଳେ ଏସବୁ ଅନୁଷ୍ଠାନମାନଙ୍କୁ ଔପନିବେଶିକ ସରକାର ବେଆଇନ ବୋଲି ଘୋଷଣା କରିବା ଫଳରେ ଏସବୁର କାର୍ଯ୍ୟକ୍ରମର ଅବସାନ ଘଟିଲା। ତେବେ ଦାରିଦ୍ର୍ୟ ସମସ୍ୟାର ସମାଧାନ, ସ୍ବାବଲମ୍ବନଶୀଳତାର ପ୍ରଶିକ୍ଷଣ, କୁଟୀର ଶିଳ୍ପର ପ୍ରସାର, ଅସ୍ପୃଶ୍ୟତା ନିବାରଣ ପରି ଅନେକ କାର୍ଯ୍ୟ ପାଇଁ ଏହି ଅନୁଷ୍ଠାନଗୁଡିକ ମୁଣ୍ତ ଟେକି ଉଠିଥିଲେ। କାର୍ଯ୍ୟ ପ୍ରଣାଳୀ ଭିନ୍ନଭିନ୍ନ ଥିଲେ ମଧ୍ୟ ସମସ୍ତଙ୍କର ଲକ୍ଷ୍ୟ ପ୍ରାୟ ଏକ ଥିଲା। ତେବେ ସତ୍ୟବାଦୀ ବନ ବିଦ୍ୟାଳୟ, ଅଳାକାଶ୍ରମ, ଚମ୍ପାପୁର ଗାନ୍ଧୀ ସେବାଶ୍ରମ ଓ ବରୀ ସେବାଘର ଭଳି ଅନୁଷ୍ଠାନ ରଚନା‌ତ୍ମକ କାର୍ଯ୍ୟକ୍ରମରେ ବେଶ୍‌ ଆଗେଇ ଯାଇଥିଲେ। ଏମାନଙ୍କର ଦ୍ବାରା ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ସବୁ ସାଂପ୍ରତିକ ଶିକ୍ଷା କ୍ଷେତ୍ର ଲାଗି ମଧ୍ୟ ଅନୁକରଣୀୟ।
ବିଜେବି ନଗର, ସି-3/2, ଭୁବନେଶ୍ବର-୧୪,
ମୋ- ୯୪୩୭୬୨୧୫୧୬

ସମ୍ବନ୍ଧିତ ଖବର