ମହାମାରୀର ଜାତି ଓ ଧର୍ମ

ଅଭିରାମ ବିଶ୍ବାଳ

ଅତିମାରୀ ବା ବିଶ୍ବ ମହାମାରୀ କରୋନା ସମୟରେ ରୋଗ ସଂପର୍କିତ ନୂଆ ନୂଆ କଥା ଏତେ ପଦାକୁ ଆସୁଛି ଯେ ସେ ସବୁର ତଥ୍ୟ ଓ ସତ୍ୟର ଦାନା ବାଛିବାକୁ ହେଲେ ଅସତ୍ୟ ଓ ଅର୍ଦ୍ଧସତ୍ୟର ଚୋପା ଭଲ ଭାବେ ଅଲଗା କରିବା ନିହାତି ଦରକାର। ଦକ୍ଷିଣ କୋରିଆ ଓ ଇଟାଲିରେ କରୋନା ବ୍ୟାପିବାର ପ୍ରମୁଖ ପ୍ରାରମ୍ଭିକ କାରଣ ଏକ ନିର୍ଦ୍ଦିଷ୍ଟ ଧର୍ମାନୁଷ୍ଠାନର ପ୍ରବଳ ଜନସମାବେଶ ବୋଲି କୁହାଯାଇଥିଲା। ଲଣ୍ଡନ ଫେରନ୍ତା ଜଣେ ପ୍ରସିଦ୍ଧ ଆଧ୍ୟାତ୍ମିକ ସଂଗୀତ ଗାୟକ ଅମୃତସରରେ କରୋନାରେ ପ୍ରାଣ ହରେଇଥିଲେ। ସିଏ ଥିଲେ ଅନ୍ୟ ଏକ ଧର୍ମର। ପଶ୍ଚିମବଂଗ, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର କେତେକ ଜାଗାରେ ତାଲାବନ୍ଦ ସତ୍ତ୍ବେ ଚଳିତ ମାସର ପ୍ରଥମ ଭାଗରେ ଏକ ବିଖ୍ୟାତ ଧାର୍ମିକ ତିଥି ଅବସରରେ ଲୋକେ କୁଆଡ଼େ ବହୁସଂଖ୍ୟାରେ ଜମା ହୋଇଥିଲେ। ସେମାନେ ତୃତୀୟ ଏକ ଧର୍ମର। ଗଲା କିଛି ଦିନ ଧରି ବେଶ୍ ଚର୍ଚ୍ଚା ଚାଲିଛି ଦିଲ୍ଲୀର ନିଜାମୁଦ୍ଦିନ୍‌ର ଧାର୍ମିକ ସମାଗମଟିରେ ଭାଗ ନେଇ ଦେଶର ବିଭିନ୍ନ ଭାଗକୁ ଫେରିଥିବା ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କର କରୋନା ସଂକ୍ରମଣ ଉପରେ ପ୍ରଭାବ ନେଇ। ଶେଷୋକ୍ତ ଉଦାହରଣଟି ଯୋଗୁଁ କରୋନା ବିରୋଧୀ ସାମୂହିକ ମୁକାବିଲା ଅଗ୍ରାଧିକାର ପାଇସାରିଥିବା ପର୍ଯ୍ୟାୟରେ ସାଂପ୍ରଦାୟିକ ବିଦ୍ବେଷ ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଥିଲା। ବ୍ୟାପକ ଓ ବିଷାକ୍ତ ସାଂପ୍ରଦାୟିକ ବାତାବରଣ ମୁଣ୍ଡ ନ ଟେକିବା ନିଶ୍ଚୟ ବେଶ୍ ଆଶ୍ବାସନାର ବିଷୟ।

ସଭିଏଁ ଜାଣନ୍ତି ଧର୍ମ ବ୍ୟକ୍ତିଗତ ବିଶ୍ବାସର ପ୍ରଶ୍ନ। କିନ୍ତୁ ସେ ଭଳି ବିଶ୍ବାସ ଓ ବିଚାର ଯେତେବେଳେ ବ୍ୟକ୍ତି ହାତରୁ ଯାଇ ଗୋଷ୍ଠୀ ବା ସଂପ୍ରଦାୟ ଦ୍ବାରା କବଳିତ ହୁଏ ସେତେବେଳେ ଅନେକ କିଛି ସମସ୍ୟା ମୁଣ୍ଡ ଟେକେ। ସେଇଥିପାଇଁ ତ ମାର୍କସ୍‌ଙ୍କ ସେ ଆପ୍ତବାକ୍ୟଟି ବ‌ାରମ୍ବାର ଉଦ୍ଧାର କରାଯାଏ- ଧର୍ମ ଜନଗଣଙ୍କ ସକାଶେ ଅଫିମ ସଦୃଶ। ଧର୍ମ ଦୁଃଖ ହରଣ ବା ଲାଘବ କରିବା ବଦଳରେ ବରଂ ଏକ ପ୍ରକାରର ଆଦର୍ଶ ତାତ୍ତ୍ବିକ ନିଶ୍ଚେତକର କାମ କରିପାରେ ଯେଉଁଠି ସଂପ୍ରଦାୟର ଗହଳି ଭିତରେ ଆତ୍ମନିଷ୍ଠ ବ୍ୟକ୍ତିସତ୍ତା ହରେଇ ଦେଉଥିବା ଅନୁଗାମୀମାନେ ଦୁଃଖର ଅସଲ ଉତ୍ସ; କାରଣ ଓ ସମାଧାନର ପନ୍ଥା ଭାବିବାକୁ ଧର୍ମ-ଅଫିମର ଆବେଶରେ ତର ପାଆନ୍ତିନି। ଯେଉଁ ଶେଷ ବାକ୍ୟଟିରେ କାର୍ଲ ମାର୍କସ୍ ଧର୍ମକୁ ଅଫିମର ଆଖ୍ୟା ଦେଇଥିଲେ ତା’ ଆଗରୁ ଆଉ କେତେକ ଆନୁଷଙ୍ଗିକ କଥା ସିଏ କହିଥିଲେ, ଲେଖିଥିଲେ ଯାହା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏଇ ଯେମିତି- ‘‘ନିଷ୍ପେଷିତ ମଣିଷର ଦୀର୍ଘଶ୍ବାସ ଧର୍ମ। ଧର୍ମ ହୃଦୟହୀନ ପୃଥିବୀର ହୃଦୟ। ତାହା ପୁଣି ଆତ୍ମାବିହୀନ ପରିସ୍ଥିତିର ଆତ୍ମା।’’ ହେଲେ ଧର୍ମ ଅନେକ ସମୟରେ ଏସବୁ ଭିତରୁ କିଛି ହୁଏ ନାହିଁ। ଧର୍ମ ବରଂ ହୋଇଯାଏ ଅଫିମ। ଧର୍ମ ମାନେ ସଂପ୍ରଦାୟ ନିୟନ୍ତ୍ରିତ ସଂକୁଚିତ ଧର୍ମ।

ଓଡ଼ିଶା ସାଂପ୍ରଦାୟିକ ସଦ୍‌ଭାବ ଓ ଧାର୍ମିକ ସମନ୍ବୟ ପାଇଁ ବେଶ୍ ଜଣାଶୁଣା। ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନିକଟରେ ଏ କରୋନା କାଳରେ ଓଡ଼ିଶାର ସେ ସଂପ୍ରୀତିର ଐତିହ୍ୟ ଓ ଇତିହାସ କଥା ଆଉ ଥରେ ମନେ ପକାଇ ଦେଇଛନ୍ତି। ଗୋପବନ୍ଧୁ, ମଧୁବାବୁ ଓ ସାଲବେଗ- ଏ ତିନିହେଁ ତିନିଟି ଅଲଗା ଧର୍ମର। ହେଲେ ତିନିହେଁ ତିନି ପ୍ରମୁଖ ଓଡ଼ିଆ, ପ୍ରଭାବଶାଳୀ ଲୋକପ୍ରତିମା। ତା’ର ମୁଖ୍ୟ କାରଣଟି ହେଲା ଓଡ଼ିଶାରେ ଧାର୍ମିକ ଚଷମା ବଦଳରେ ସାଂସ୍କୃତିକ ଚକ୍ଷୁର ବହୁଳ ବ୍ୟବହାର। ଗୋପବନ୍ଧୁ ଥିଲେ ଶ୍ରୀଜଗନ୍ନାଥଙ୍କ ଗୁଣମୁଗ୍‌ଧ ଅତି ଅନୁରାଗୀ। ମଧୁବାବୁ ଜଗନ୍ନାଥଙ୍କ ପାଇଁ ମକଦ୍ଦମା ଲଢ଼ିଛନ୍ତି ଓ ଜାତିକୁ ନନ୍ଦିଘୋଷ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀଜଗନ୍ନାଥ ଚେତନା ଓ ଧର୍ମ ଧାରଣାର ପୂର୍ଣ୍ଣାଙ୍ଗ ଅନୁଶୀଳନ ପରମ ଭକ୍ତ ସାଲବେଗଙ୍କ ଜଣାଣ ଓ ସମର୍ପଣ ଭାବ ବିନା ଅସମ୍ଭବ ମନେ ହୁଏ। ତାଙ୍କ ‘‘ଆହେ ନୀଳ ଶଇଳ…’’ ଓ ‘‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ…’’ ଭଜନ ଜଣାଣ ଦ୍ବୟ କିଏ ବା ନଜାଣେ! ବ୍ରଜ-ବୃନ୍ଦାବନ ଚାଲିଯାଇଥିବା ଓ ସେଠୁ ଫେରୁଥିବା ସାଲବେଗ ଅଳି କରୁଛନ୍ତି ମୋଟାମୋଟି ଏମିତିଆ ଭାଷାରେ- ସାତଶ ପଂଚାଶ କୋଶ ଚାଲି ନପାରଇ, ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି। ନିଜ ବାବଦରେ ସିଏ ସକଳ ବିନମ୍ରତାର ସହ ଜଣାଣ ଭଜନର ଶେଷକୁ କହନ୍ତି- କହେ ସାଲବେଗ ହୀନ ଜାତିରେ ମୁଁ ଯବନ। ଅନ୍ୟ କିଏ ହୁଏତ ‘ଜାତିରେ’ ଜାଗାରେ ‘ଧର୍ମରେ’ ବୋଲି କହିଦେଇଥାନ୍ତେ। ପ୍ରତି ବର୍ଷ ରଥଯାତ୍ରା ସମୟରେ ରଥ ଦଣ୍ଡେ ଅଟକିଯାଏ ବଳଗଣ୍ଡିର ସାଲବେଗ ସମାଧି ନିକଟରେ। ଭକ୍ତଙ୍କ ପ୍ରତି ଭଗବାନଙ୍କ ଆଭିମୁଖ୍ୟର ଚମତ୍କାର ନମୁନା ଓ ନିଦର୍ଶନ।

ଯେତେବେଳେ ଓଡ଼ିଆ ପରିବାରରେ ପିଲାଟିଏ ଜନ୍ମ ନିଏ, ତା’ର ଶୁଭମନାସି ଓ ତା’କୁ ଚିରଦିନ ରୋଗ ବଇରାଗରୁ ମୁକ୍ତ ରଖିବା ପାଇଁ ସାଧାରଣତଃ ସତ୍ୟନାରାୟଣ ପୂଜା ତଥା ପାଲା କରାଯାଏ ଯାହାର ସୁଫି ଓ ବହୁଧାର୍ମିକ- ସାଂସ୍କୃତିକ ବିଭବ ଘରେ ଘରେ ଆଦୃତ। ସେ ପୂଜା ଶେଷକୁ ଯେଉଁ ଶିରଣି ପରଶି ଦିଆଯାଏ ତା’ର ସଂଗମଧର୍ମୀ ଆଧ୍ୟାତ୍ମିକ ମହକ ଓ ସ୍ବାଦରେ କୌଣସି ଗୋଟିଏ ଧର୍ମର ପ୍ରଭୁତ୍ବ ନଥାଏ। ପ୍ରତିବର୍ଷ ଲୋକେ ଅନେଇ ବସିଥାନ୍ତି କୋହିନୂର କ୍ୟାଲେଣ୍ଡର ଓ ପଞ୍ଜିକାକୁ। ସେ ସବୁ ଛପେଇ ଥାଏ କୋହିନୂର ପ୍ରେସ୍। କଟକର ପ୍ରସିଦ୍ଧ ଚାନ୍ଦି ମେଢ଼ ତିଆରିରେ ନିର୍ଣ୍ଣାୟକ ଭୂମିକା ଥାଏ ମୁସଲମାନ କାରିଗରଙ୍କର। ଏକଦା ଲୋକେ ଓଡ଼ିଶାରେ ଆକବର ଖାଁ ଗୁଡ଼ାଖୁ ଓ ହାଇଦର ବିଡ଼ି ବ୍ୟବହାର କରୁଥିବା କଥା ଅନେକ ନିଶ୍ଚୟ ଭୁଲିନଥିବେ। (ହଁ, ଯେ କୌଣସି ମାର୍କାର ଗୁଡ଼ାଖୁ ଓ ବିଡ଼ି ବ୍ୟବହାର ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଏବଂ ସେଇଥିପାଇଁ ସେସବୁର ବ୍ୟବହାର ଅବଶ୍ୟ ବର୍ଜନୀୟ।) ବୋଲଗଡ଼ ଓ ନୟାଗଡ଼ ମଝିରେ ଅବସ୍ଥିତ ମାଣିକାଗୋଡ଼ା ଗାଁର ମୁସଲମାନ ଦଳବେହେରାଙ୍କ ପ୍ରମୁଖ ଅବଦାନ ଥାଏ ଦଶହରା ସମୟରେ। ଏକଦା ସେମାନେ ପାଇକ ବ‌ିଦ୍ରୋହରେ ମଧ୍ୟ ସାମିଲ ‌େହାଇଥିଲେ ବୋଲି କୁହାଯାଏ। ଓଡ଼ିଆ ସଂଗୀତର ତିନି ମହାରଥୀ ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ ଓ ସିକନ୍ଦର ଆଲାମ୍ ତିନିଟି ଅଲଗା ଅଲଗା ଧର୍ମର। ଓଡ଼ିଶୀ ସମାଜର ମୌଳିକ ଲକ୍ଷଣ ଓ ଆଧାର ସାଂପ୍ରଦାୟିକ ନୁହେଁ; ବରଂ ବେଶ୍ ସାମାଜିକ, ନାଗରିକ ଓ ସାଂସ୍କୃତିକ।

ଭାରତବର୍ଷର ନବ ପ୍ରଜନ୍ମର ସଭିଏଁ ଓ ସେମାନଙ୍କ ଛଡ଼ା ଅନ୍ୟମାନେ ମଧ୍ୟ ଏ.ଆର୍.ରହମନଙ୍କ ଗୀତ ଓ ସଂଗୀତ ନେଇ ଫିଦା। ତାଙ୍କ ‘‘ଜୟ ହୋ…’’ ଓ ‘‘ମା’ ତୁଝେ ସଲାମ୍…’’ ଗୀତ ଦ୍ବୟ ଏକ ପ୍ରକାରର ସମସାମୟିକ ମହାଭାରତୀୟ ସଂଗୀତ। ବିସମିଲା ଖାଁ ନିଜ ଶାହାନାଇ ବାଦନର ଆଦ୍ୟ ଅଭ୍ୟାସ ବା ରିଆଜ୍ କରୁଥିଲେ କାଶୀ ବିଶ୍ବନାଥ ମନ୍ଦିର ଆଗରେ। ତାଙ୍କର ଅନେକ ବାଦନର ଶ୍ରେୟ ସିଏ ଦେଇଥାନ୍ତି କାଶୀ ବିଶ୍ବନାଥଙ୍କୁ। ଏବେକାର ଏ ତାଲାବନ୍ଦ ବେଳେ ଅଧିକାଂଶ ଲୋକ ଟେଲିଭିଜନରେ ମହାଭାରତ ଧାରାବାହିକ ଦେଖୁଛନ୍ତି ବୋଲି ଖବର ପଢ଼ିବାକୁ-ଶୁଣିବାକୁ ମିଳୁଛି। ସେ ଧାରାବାହିକ ନିମନ୍ତେ ପଟ୍ଟ କଥା ଓ ସଂଳାପ ଲେଖିଥିଲେ ରାହି ମାସୁମ୍ ରାଜା।

ବେଳେବେଳେ ଚିକିତ୍ସା ଓ ଔଷଧ ପ୍ରତିଷ୍ଠାନ ଗଲେ ଅନ୍ୟ ନାଁ ଭିତରେ ଆପୋଲୋ ନାଁଟି ସହ ଭେଟ ହୋଇଥାଏ। ଗ୍ରୀକ୍ ପୁରାଣ ଓ ଅବତାରଣା ମୁତାବକ ଆପୋଲୋ ଥିଲେ ଦିବ୍ୟସତ୍ତା, ବିଗ୍ରହ ଓ ଦେବତା। ତାଙ୍କୁ ରୋଗ ଉପଶମ, ଆଲୋକ, କବିତା, ସଂଗୀତ, ଧନୁଚାଳନା, ନୃତ୍ୟ, ସତ୍ୟ ଓ ଭବିଷ୍ୟବାଣୀର ଠାକୁର ରୂପେ ମାନ୍ୟ କରାଯାଉଥିଲା। ବିଦେଶୀ, ପଳାତକ, ଶରଣାର୍ଥୀ ଓ ସମୁଦ୍ରଯାତ୍ରୀଙ୍କୁ ସିଏ ବିପତ୍ତି ବେଳେ ସୁରକ୍ଷା ତଥା ପୃଷ୍ଠପୋଷକତା ଯୋଗାଇ ଦେଉଥିଲେ। ଦରକାର ପଡ଼ିଲେ ଲୋକଙ୍କୁ ବି ମହାମାରୀରୁ ମୁକୁଳାଉ ଥିଲେ। ପୁଣି ଆଉ କେତେବେଳେ ସୁନାର ଧନୁରୁ ରୁପାର ତୀର ମାରି ରୋଗ ସାଂଗକୁ ମୃତ୍ୟୁ ଭିଆଉଥିଲେ। କୁହାଯାଏ ଟ୍ରୟ ଯୁଦ୍ଧ ବେଳେ ସିଏ ପକ୍ଷଭୁକ୍ତ ହୋଇଥିଲେ ଓ ପ୍ରତିପକ୍ଷକୁ ପରାସ୍ତ କରିବା ପାଇଁ ପ୍ଲେଗ୍‌ର ଭିଆଣ କରିଥିଲେ। ହେଲେ ଖୋଦ୍ ଆପେ‌ାଲୋ ଯୁଦ୍ଧ ପରେ ସବୁ ଶିବିର ଓ ସାରା ସହରର ବିଶୋଧନ କରିଥିଲେ। ସିଏ ପୁଣି ରୋଗ କୀଟ ଗଧିଆ ଓ ପଙ୍ଗପାଳଙ୍କ ଦାଉରୁ ପଶୁପଲ ଓ ଶସ୍ୟର ସୁରକ୍ଷା କରୁଥିଲେ। ମେଷପାଳକଙ୍କୁ ସିଏ ଶିଖେଇ ଥିଲେ ବିମୋହିନୀ ବଂଶୀବାଦନ।

ଗଲା ମାସରେ ଯେତେବେଳେ ତାଳି ମାରି, ଘଣ୍ଟି ବଜେଇ ଓ ଥାଳି ବଜେଇ ସ୍ବାସ୍ଥ୍ୟକର୍ମୀ ପ୍ରଭୃତିଙ୍କ ସହ ଐକ୍ୟ ପ୍ରକାଶ କରିବା ପ୍ରକ୍ରିୟାରେ କେହି କେହି ବାହାରକୁ ବାହାରି କୀର୍ତ୍ତନିଆ ଶୈଳୀରେ ଶୋଭାଯାତ୍ରା କରିଥିଲେ ତାହା ଅନେକଙ୍କୁ ଚକିତ କରିଥିଲା। ସେମିତି ଚଳିତ ମାସ ଦ୍ବିତୀୟ ସପ୍ତାହରେ ପ୍ରଦୀପ, ମହମବତି, ଟର୍ଚ୍ଚ ଆଲୁଅ ଓ ମୋବାଇଲ ଝଲକ ବଦଳରେ ଅନେକ ବାଣ ଫୁଟାଇ ପରିସ୍ଥିତିର ଗାମ୍ଭୀର୍ଯ୍ୟକୁ ଫିକା କରି ମହୋତ୍ସବପ୍ରବଣ ହୋଇପଡ଼ିଥିଲେ। ମହାତ୍ମା ଗାନ୍ଧୀଙ୍କ ଅନ୍ୟତମ ଓଡ଼ିଶା ଆଗମନ ବେଳେ ତାଙ୍କୁ ଭେଟି କିଛି ଲୋକ ପଚାରିଥିଲେ- କେଉଁ ଛାତ ତଳେ ଓ ଆସ୍ଥାନ ଉପରେ ସେମାନେ ନିରାପଦରେ ଉପାସନା କରିପାରିବେ? ଗାନ୍ଧୀଙ୍କ ଉତ୍ତର ଥିଲା- ନିଜ ଘରେ ଅନେକ ସୁବିଧା ରହିଛି। ଏ ଧରିତ୍ରୀ ତ ମଣ୍ଡପ ଓ ଆକାଶ ଚାନ୍ଦୁଆ। ଗୁରୁ ନାନକଙ୍କୁ ମଧ୍ୟ ଟାଣି ଆଣିଥିଲା ପୁରୀ ଶ୍ରୀକ୍ଷେତ୍ର। ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରି ସିଏ ରଚନା କରିଥିଲେ ଓ ଗାଇଥିଲେ (ଶିଖ୍) ଆରତୀ ଯାହାର କିୟଦଂଶ ଥିଲା ପ୍ରାୟ ଏଇ ଭଳିଆ- ଆକାଶ ପୂଜାର ଥାଳିଆ। ସୂର୍ଯ୍ୟ ଓ ଚନ୍ଦ୍ର ପ୍ରଦୀପ ସମ। ତାରା ଓ ନକ୍ଷତ୍ର ମୁକ୍ତା ପ୍ରାୟ। ଚନ୍ଦନର ମହକଭରା ପବନ ଶାଶ୍ବତ ବିଞ୍ଚଣାର କାମ ଦିଏ। ଫୁଲଭରା କ୍ଷେତ ଓ ଅରଣ୍ୟରେ ଘୂରି ବୁଲେ ନିରାକାରଙ୍କ ଆଭା ଓ ଜ୍ୟୋତି। ଗୁରୁଦେବ ରବୀନ୍ଦ୍ରନାଥ ସେ ଆରତିର ବଂଗଳା ଅନୁବାଦ କରି ପ୍ରତ୍ୟେହ ସେଥିରୁ କିଛି କିଛି ଗାଉଥିଲେ। ଥରେ ତାଙ୍କଠୁଁ ବିଖ୍ୟାତ ଅଭିନେତା ବଳରାଜ ସାହାଣୀ ଜାଣିବାକୁ ଚାହିଁଥିଲେ- ଆପଣ ତ ଏକାଧିକ ଦେଶର ଜାତୀୟ ସଂଗୀତ ଲେଖିଛନ୍ତି; ଆନ୍ତର୍ଜାତିକ ସଂଗୀତଟିଏ ଲେଖିବେ କେବେ? ତତ୍‌କ୍ଷଣାତ୍ ଗୁରୁଦେବ କହିଥିଲେ- ତାହା ଗୁରୁ ନାନକ ଲେଖିସାରିଛନ୍ତି ଯାହାକି (ଆରତି) ସାର୍ବଜନୀନ ସଂଗୀତ।

ଏଇ ୧୪ ତାରିଖ ଦିନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଗଲା। ଜାତିଭେଦ ଓ ଅସ୍ପୃଶ୍ୟତାର ଶିକାର ହୋଇଥିବା ଆମ୍ବେଦକର ଜୀବନ ସାରା ଜାତିର ବିନାଶ ଓ ଅସ୍ପୃଶ୍ୟତାର ଉଚ୍ଛେଦ ପାଇଁ କାମ କରିଥିଲେ। ସିଏ କହୁଥିଲେ ଜାତି ଶ୍ରମର ବିଭାଜନ ନ କରି ବରଂ ଶ୍ରମିକମାନଙ୍କ ଭିତରେ ବିଭେଦ ସୃଷ୍ଟି କରେ। ଆହୁରି ସିଏ ମତ ବାଢ଼ିଥିଲେ ଯେ- ସେ ବ୍ୟବସ୍ଥାଟି ଏମିତି ଯେ ଯିଏ ଯେତେ ଉପରେ ତାଙ୍କ ପ୍ରତି ସେତେ ଆଜ୍ଞା ଭାବ ଓ ସମ୍ମାନ; ଯିଏ ଯେତେ ତଳେ ତା’ ପ୍ରତି ସେତେ ଅବଜ୍ଞା ଓ ତାଚ୍ଛଲ୍ୟ। ଏବେ ଏ କରୋନା କାରଣରୁ ନୂଆ ଅଛୁଆଁ ଭାବନା ସୃଷ୍ଟି ହେଉଛି। (କେହି ପ୍ରକୃତରେ ଅଛୁଆଁ ନଥିଲେ ବା ନୁହନ୍ତି।) କରୋନା ସଂକ୍ରମଣ ଜନିତ ଆଶଙ୍କା ଦୃଷ୍ଟିରୁ ବୈଜ୍ଞାନିକ ପରାମର୍ଶ ଦିଆଯାଉଛି ଆକ୍ରାନ୍ତଙ୍କ ସ୍ପର୍ଶ ଓ ସଂସ୍ପର୍ଶରୁ ଦୂରେଇ ରଖିବା ପାଇଁ। ଏହା ଯେତେବେ‌େଳ ଏବେ କେତେକ କ୍ଷେତ୍ରରେ ନବ୍ୟ-ଅଛୁଆଁ ଭାବ ଏବଂ ତଜ୍ଜନିତ ବର୍ଜନ ଓ ବାରଣ ପରିସ୍ଥିତି ସୃଷ୍ଟି କରୁଛି, ତେବେ ସେଥିରୁ ଅନୁମେୟ ଯୁଗ ଯୁଗ ଧରି ଅସ୍ପୃଶ୍ୟତା ପ୍ରଥା କିଭଳି ମାନସିକ ପୀଡ଼ା ଓ କଷଣ ଦେଇ ନଥିବ? ଆମ୍ବେଦକର ତ ଅସ୍ପୃଶ୍ୟତାର କାରଣଟିକୁ ଭୂତାଣୁ ସହ ତୁଳନା କରିଥିଲେ। ମହାତ୍ମା ଗାନ୍ଧୀ ବି ନିଜ ବାଗରେ ଅସ୍ପୃଶ୍ୟତା ବିରୋଧରେ ଲଢ଼ିଥିଲେ। ଅସ୍ପୃଶ୍ୟତା ଯେ ଶାସ୍ତ୍ର ସମ୍ମତ ନୁହେଁ ଏବଂ ପାପ ଓ କଳଙ୍କ ତାହା ବ୍ୟକ୍ତ କରିଥିଲେ।

ବିଭିନ୍ନ ପ୍ରକାରର ରୋଗକୁ ହରେଇ ଦୀର୍ଘ ତଥା ସାର୍ଥକ ଜୀବନ ବଂଚିବା ପାଇଁ ମଣିଷର ସଫଳ ପ୍ରୟାସ ବାବଦରେ କେତେ ନା କେତେ ଗାଥା ଇତିହାସରେ ଖୁନ୍ଦି ହୋଇ ରହିଛି। ସେ ଭଳି ପ୍ରୟାସର ସମର୍ଥନ କରି ଏକ ରଂଗିନ ଚିତ୍ର ଏବେ ଆଧୁନିକ ପ୍ରଯୁକ୍ତି ବାଟେ ଚାରିଆଡ଼େ ଘୂରି ବୁଲୁଛି। ମଇଁଷିରେ ବସି ଯମରାଜ ଯୋଡ଼ ହସ୍ତରେ ନିବେଦନ କରୁଛନ୍ତି- ଆପଣମାନେ ଦୟା କରି ନିଜ ନିଜ ଘରେ ରୁହନ୍ତୁ; ମୋ ଆଡ଼େ ଆସିବା ଚିନ୍ତା ଜମାରୁ କରନ୍ତୁ ନାହିଁ; କାହିଁକି ନା ମୋ ଠିକଣାରେ ଏବେ ନିହାତି ଜାମ୍, ହାଉସ୍‌ଫୁଲ୍। ମୃତ୍ୟୁର ଦୂତ ବି ଜୀବନ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି ଓ କୌଶଳ ବତାଉଛନ୍ତି। ଆମେରିକାରେ ଏକ ବାଘ ମଧ୍ୟ କରୋନା ସଂକ୍ରମିତ ହୋଇସାରିଲାଣି। ସେ ବାଘଟିକୁ ଯଦି କିଏ ତା’ର ଜାତି ଓ ଧର୍ମ ପଚାରୁଛି ସିଏ ତା’ ହେଣ୍ଟାଳରେ କହୁଛି- ମହାମାରୀର କୌଣସି ଜାତି କି ଧର୍ମ ନଥାଏ। କରୋନା ସତ୍ତ୍ବେ ଯଦି ଆମ୍ଭମାନଙ୍କ ଆଭିମୁଖ୍ୟ, ଜୀବନଶୈଳୀ ଓ ମନୋବୃତ୍ତି ନ ବଦଳେ ତେବେ କହିହେବନି ଯେ ସମୟ ନଥିଲା ବୋଲି। ତାଲାବନ୍ଦ ଯୋଗୁଁ ତ ଏକ ପ୍ରକାରର କରୋନାବକାଶ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି କେହି କେହି କେତେକ ଦେଶରେ ରହସ୍ୟ କରି କହୁଛନ୍ତି!

ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର