ସୋସିଆଲ ମିଡିଆରେ ନାରୀ ଯାତନା

ଗାର୍ଗୀ ଶତପଥୀ

କିଛି ମାସ ପୂର୍ବରୁ ବଲାଙ୍ଗୀରରେ ଜଣେ ଭଦ୍ରଲୋକଙ୍କ ଘରେ ଜଣେ ଯୁବକ ବନ୍ଧୁକ ସହିତ ପଶି ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କଲେ। ପୁଲିସ ତାଙ୍କୁ ଗିରଫ କଲେ। ସେତିକି ବେଳେ ଯୁବକ ଜଣକ ତାଙ୍କ ଏତାଦୃଶ ଉନ୍ମତ୍ତ କାଣ୍ଡର କାରଣ ସ୍ବରୂପ ଗଣମାଧ୍ୟମ ଆଗରେ ଦର୍ଶାଇଲେ ଯେ ତାହା ତାଙ୍କ ପ୍ରେମିକାଙ୍କ ମାମୁଁ ଘର। ତାଙ୍କ ପ୍ରେମିକା ଅନ୍ୟ ଜଣେ ଚାକିରିଆ ଯୁବକଙ୍କୁ ବିବାହ କରିବାକୁ ପ୍ରସ୍ତୁତ ହେଉଥିବାରୁ ସେ ଏମିତି କାଣ୍ଡ କଲେ। ବାସ୍‌, ଏହା ପରେ ସେହି ଯୁବତୀଙ୍କୁ ଉପଲକ୍ଷ୍ୟ କରି ନାରୀମାନଙ୍କ ସ୍ବାର୍ଥପରତା ଏବଂ ସୁବିଧାବାଦୀ ଚରିତ୍ରକୁ ନେଇ ସାମାଜିକ ଗଣମାଧ୍ୟମ ମଞ୍ଚରେ ଅଶାଳୀନ ଓ ଅଶ୍ଳୀଳ ମନ୍ତବ୍ୟର ଝଡ଼ ବହିଲା। ସଂପୃକ୍ତ ଯୁବତୀଙ୍କ ପକ୍ଷ କ’ଣ ତାକୁ ବୁଝିବା ଲାଗି ଲେଶମାତ୍ର ଉଦ୍ୟମ କେହି କଲେ ନାହିଁ। ଯଦିବା ଗୋଟିଏ ମୁହୂର୍ତ୍ତ ପାଇଁ ଧରିନିଆଯାଏ ଯେ ଯୁବକଙ୍କ ଅଭିଯୋଗ ସତ; ତାହା ହେଲେ ମଧ୍ୟ କ’ଣ ସେ ପ୍ରଦର୍ଶନ କରିଥିବା ଆଚରଣ ଗ୍ରହଣଯୋଗ୍ୟ? ଏବଂ ଏଭଳି ଘଟଣାରେ ଯୁବକଙ୍କ କାର୍ଯ୍ୟକଳାପକୁ ସମର୍ଥନ କରାଯିବା ଝିଅଙ୍କ ଉପରେ ହେଉଥିବା ଏସିଡ୍ ମାଡ଼କୁ ସମର୍ଥନ କରିବା ସହିତ ସମାନ ନୁହେ କି?

ତେବେ, ପ୍ରେମରେ ପ୍ରତାରଣା କ’ଣ କେବଳ ଝିଅମାନେ କରନ୍ତି? ପ୍ରତିଦିନ ଶହ ଶହ ଝିଅ ପ୍ରେମ, ବିବାହର ପ୍ରତିଶ୍ରୁତି, ଶୋଷଣ ଏବଂ ପ୍ରତାରଣାର ଘୂର୍ଣ୍ଣିଝଡ଼ ମଧ୍ୟରେ ପଡ଼ି ଥାନା ବା ଅଦାଲତ ଆଦି‌େର ଚକ୍କର କାଟିବାରେ ଲାଗିଛନ୍ତି। ସାମାଜିକ ଗଣମାଧ୍ୟମରେ ତହିଁରୁ କିଛି ପ୍ରସାରିତ ମଧ୍ୟ ହୁଏ; କିନ୍ତୁ କାହିଁ ପ୍ରତାରକ ପୁରୁଷମାନଙ୍କ ବିରୋଧରେ ତ ଏଭଳି ଅଶାଳୀନ ଗାଳିଗୁଲଜ ଶୁଭେନାହିଁ?

ଦୈନନ୍ଦିନ ଜୀବନରେ ଅନେକ ହାଲୁକା ପ୍ରସଙ୍ଗରେ ମଧ୍ୟ ନିରନ୍ତର ଭାବେ ନାରୀ ବିଦ୍ବେଷୀ ଆଭିମୁଖ୍ୟ ଦେଖିବାକୁ ମିଳିଥାଏ। କରୋନା ସମୟରେ ସାବିତ୍ରୀରେ ବଜାର ଭିଡ଼ରୁ ଆରମ୍ଭ କରି କ୍ରିକେଟ୍‌ରେ ବିରାଟ କୋହଲିଙ୍କ ଦୁର୍ବଳ ପ୍ରଦର୍ଶନ ପର୍ଯ୍ୟନ୍ତ ସବୁଥିପାଇଁ କୌଣସି ନା କୌଣସି ନାରୀଙ୍କୁ ହିଁ ଦାୟୀ କରାଯାଏ। ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବା ମନ୍ତ୍ରୀ ସ୍ମୃତି ଇରାନୀ ବା ସାମ୍ବାଦିକା ବରଖା ଦତ୍ତ ବା ଅଭିନେତ୍ରୀ ସ୍ବରା ଭାସ୍କର ଅଥବା ଗବେଷିକା ସଫୋରା ଜରାଗର ଇତ୍ୟାଦି ଯେମିତି ପ୍ରତ୍ୟେକ ମୁହୂର୍ତ୍ତରେ ଲିଙ୍ଗଗତ ‘ଟ୍ରୋଲ୍‌’ର ଶିକାର ହୁଅନ୍ତି, ତହିଁରୁ ମନେହୁଏ ଯେ ନାରୀଙ୍କୁ ଛୋଟ ବୋଲି ଦର୍ଶାଇ କିଛି ପୁରୁଷ ଯେମିତି ବଡ଼ ହେବାକୁ ଚାହାନ୍ତିି। ଅବଶ୍ୟ, କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯିବାରେ ଅସୁବିଧା ନାହିଁ; କିନ୍ତୁ ତହିଁରେ ଲିଙ୍ଗଗତ ବିଦ୍ବେ‌ଷ ଫୁଟି ଦିଶିବା ହେଉଛି ଏକ ବିଡ଼ମ୍ବନା।

ସଂପ୍ରତି ପାରଳାଖେମୁଣ୍ଡିର ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା ରାଜ୍ୟରେ ହୁଲସ୍ତୁଲ କରୁଛି। ଏଥିରେ ତାଙ୍କ ପତ୍ନୀଙ୍କ ଭୂମିକାକୁ ନେଇ ସନ୍ଦେହ ମଧ୍ୟ ପ୍ରକଟ କରାଯାଉଛି। ଏଥିରେ କୌଣସି ଅସୁବିଧା ନାହିଁ। କିନ୍ତୁ ସମସ୍ୟା ହେଲା, ଏହି ଘଟଣାର ସଘନ ତଦନ୍ତ ଏକ ଦାୟିତ୍ବପୂର୍ଣ୍ଣ ବିଭାଗ ଦ୍ବାରା ଚାଲୁ ରହିଥିବା ବେଳେ ଲାଗୁଛି ସତେ ଯେମିତି ସାମାଜିକ ଗଣମାଧ୍ୟମ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବା ଲାଗି ପୂର୍ବରୁ ପ୍ରସ୍ତୁତ ଓ ବଦ୍ଧପରିକର। ଫଳରେ ଅତ୍ୟୁତ୍ସାହୀ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଅନୁକଂପାରୁ ବିଦ୍ୟାଭାରତୀଙ୍କ ଅତ୍ୟନ୍ତ ବ୍ୟକ୍ତିଗତ ବିଷୟ, ଯାହା ଏହି ଘଟଣା ସହିତ ଅସଂଲଗ୍ନ, ପଦାକୁ ଆସୁଛି ଏବଂ ତାକୁ ଦେଖୁଥିବା ଅସଂଖ୍ୟ ଦର୍ଶକ ରୁଚିବୋଧର ସମସ୍ତ ସୀମା ଲଂଘନ କରି ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ତାଙ୍କ ଚରିତ୍ର ସଂହାର କରି ଚାଲିଛନ୍ତି। ଗତ ବର୍ଷ ‘ମାନବପ୍ରେମୀ ଆଦିତ୍ୟ’ଙ୍କ ଆତ୍ମହତ୍ୟା ପରେ ତାଙ୍କ ପତ୍ନୀ ମଧ୍ୟ ସମତୁଲ ଅନ୍‌ଲାଇନ୍‌ ଆକ୍ରମଣର ଶରବ୍ୟ ହୋଇଥିଲେ। ଏଭଳି ଅସୁମାରି ଦୃଷ୍ଟାନ୍ତ ମଧ୍ୟରୁ ଏହା କେବଳ ଦୁଇଟି। କୋଭିଡ୍‌ ମହାମାରୀ ବେଳାରେ ଅନେକ ନାରୀ ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତିର ସାମନା କରିଥିଲେ। ନିଜ ପରିବାରରେ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିଜନଙ୍କୁ ଶଯ୍ୟା, ଅକ୍‌ସିଜେନ କିମ୍ବା ଅନ୍ୟାନ୍ୟ ଡାକ୍ତରୀ ସହାୟତା ପାଇଁ ସାମାଜିକ ଗଣମାଧ୍ୟମରେ ଆକୁଳ ନିବେଦନ କରି ନିଜ ଫୋନ୍‌ ନମ୍ବର ଦେଇଥିବା ଅନେକ ମହିଳା ଅଶ୍ଳୀଳ ଫୋନ୍‌ କଲ୍‌ ଏବଂ ମେସେଜ୍‌ ପାଇଥିବା କଥା କହିଥାଆନ୍ତି।

ଆମେ ଧରିନେଇଥାଏ ଯେ ରାଜନୀତିକୁ ଆସୁଥିବା ମହିଳାମାନେ ଏକ ପ୍ରଗତିଶୀଳ ପରିବେଶରେ କାମ କରନ୍ତି। କିନ୍ତୁ ତାହା ନୁହେଁ। ଆନ୍ତର୍ଜାତିକ କ୍ଷମା ସଂସ୍ଥା ବା ‘ଏମ୍‌ନେଷ୍ଟି ଇଣ୍ଟରନେସନାଲ’ର ଏକ ରିପୋର୍ଟ ଅନୁଯାୟୀ, ଗଲା ମାର୍ଚ୍ଚରୁ ମେ ମାସ ମଧ୍ୟରେ ୯୫ ଜଣ ସକ୍ରିୟ ରାଜନେତ୍ରୀ ୧୦ ଲକ୍ଷ ଲିଙ୍ଗଗତ ଆକ୍ଷେପମୂଳକ ଟ୍ବିଟ୍‌ ସହିଛନ୍ତି। କେବଳ ସେତିକି ନୁହେଁ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅବିବାହିତ ରହି ଜଣେ ତ୍ୟାଗୀ ରାଜନେତା ଭାବେ ପ୍ରଶଂସା ପାଉଥିବା ବେଳେ ମମତା ବାନାର୍ଜୀ ବା ମାୟାବତୀ ବା ଜୟଲଳିତା ସେହି ସମାନ କାରଣ ଲାଗି ଲୋକମୁଖରେ ତାଚ୍ଛଲ୍ୟ ଶୁଣନ୍ତି। ‘ଦ ନ୍ୟୁ ଇଣ୍ଡିଆନ ଏକ୍‌ସପ୍ରେସ୍‌’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଅନ୍ତର୍ଜାତୀୟ ସ୍ତରରେ ଅନ୍‌ଲାଇନ୍‌ ନିର୍ଯାତନାର ଶିକାର ହେଉଥିବା ମହିଳାଙ୍କ ସଂଖ୍ୟା ୫୮ ପ୍ରତିଶତ। ତହିଁରୁ ୮୨୩୯ଟି ପୋଷ୍ଟକୁ ନେଇ କରାଯାଇଥିବା ଏକ ନମୁନା ସର୍ଭେ ଅନୁସାରେ ସେଥିରୁ ୪୭% ଲିଙ୍ଗଗତ ‘ଟ୍ରୋଲିଂ’ ଏବଂ ୩୫% ଅଶ୍ଳୀଳ ମନ୍ତବ୍ୟ ଥିଲା।

ଏବେ ସାମାଜିକ ଗଣମାଧ୍ୟମ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିବ୍ୟକ୍ତିର ଏକ ଏକ ଅଭିନବ ମଞ୍ଚ ପ୍ରଦାନ କରିଛି। କିନ୍ତୁ ଅସଂଗତିଟି ହେଲା ଏହା ଯେ ଏହାର ବ୍ୟବହାରକାରୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ବ ଓ ରୁଚିବୋଧ ସୃଷ୍ଟି ହୋଇପାରିନାହିଁ। ଯାହାର ପରିଣାମ ସ୍ବରୂପ ପୂର୍ବର ସବୁ କାଳ ତୁଳନାରେ ବର୍ତ୍ତମାନର ନାରୀ ଉଭୟ ବାଚନିକ ଏବଂ ଲୈଖିକ ଆକ୍ରମଣର ଅଧିକ ଶିକାର ହେଉଛନ୍ତି। ଏବଂ ବିଡ଼ମ୍ବନା ହେଲା ଆମେ କୁଆଡ଼େ ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠ ଅତିକ୍ରମ କରିବାକୁ ବସିଲୁଣି!

[email protected]

ସମ୍ବନ୍ଧିତ ଖବର