ପିତୃ ପକ୍ଷ, କାଉ ଓ ଡୋଡୋ

ଆମ ସଭ୍ୟତା ଅତି ପ୍ରାଚୀନ, ଯହିଁରୁ ଅନେକ ପ୍ରଥା ଓ ପରଂପରା ନିରବଚ୍ଛିନ୍ନ ଧାରା ଭାବେ ଆଜି ସୁଦ୍ଧା ଆମ ଭିତରେ ପ୍ରବହମାନ ହୋଇ ଚାଲିଛି। କିନ୍ତୁ ସେହି ସବୁରୁ ଅନେକ ପରଂପରାକୁ ଆଜିର ‘ଉତ୍ତର ଆଧୁନିକ’ ଯୁଗରେ ଅନ୍ଧବିଶ୍ବାସ ପ୍ରସୂତ ବା ଉଦ୍ଦେଶ୍ୟ-ବିହୀନ କାର୍ଯ୍ୟ ବୋଲି ଅଭିହିତ କରି ହସି ଉଡ଼ାଇ ଦିଆଯାଉଛି। ତାହା ଯଥାର୍ଥ କି? ମନେ ରଖିବାକୁ ହେବ ଯେ ଆମେ ପାଳି ଆସୁଥିବା ଅଧିକାଂଶ ବିଧି ବିଧାନ ଓ ପରଂପରାରେ ଏକ ମହତ୍ତର ଉଦ୍ଦେଶ୍ୟ ନିହିତ ଥାଏ। ସେହି ଦୃଷ୍ଟିରୁ ବର୍ତ୍ତମାନ ପାଳନ କରାଯାଉଥିବା ପିତୃପକ୍ଷ ପରଂପରା ଉପରେ ଆଲୋଚନା କରାଯାଉ।

ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ପିତୃପକ୍ଷ ପାଳିତ ହୋଇଥାଏ। ଲୋକ ବିଶ୍ୱାସ ଅନୁସାରେ କାଉ ହେଉଛି ଯମ ଲୋକର ପ୍ରତିନିଧି। ସୁତରାଂ, ପନ୍ଦର ଦିନର ଏହି ପିତୃପକ୍ଷ ପାଳନ ବେଳେ କାଉମାନଙ୍କୁ ଖାଦ୍ୟ ଦାନ କରାଯାଇଥାଏ। ଏହା ପଛରେ ଥିବା ପାରଂପରିକ ବିଶ୍ବାସ ହେଉଛି ଯେ କାଉକୁ ସନ୍ତୁଷ୍ଟ କଲେ ପିତୃଲୋକର ଆମ ପିତୃପୁରୁଷମାନେ ସନ୍ତୁଷ୍ଟ ହେବେ। କିନ୍ତୁ ପାରଂପରିକ ବିଶ୍ବାସକୁ ଅତିକ୍ରମ କରିଗଲେ ଏହା କରାଯିବା ପଛରେ ଏକ ପରିବେଶଗତ ଉଦ୍ଦେଶ୍ୟ ଦିଶିଥାଏ। କଥା ହେଲା, ଏହି ସମୟ ବିଶେଷ କରି ଭାଦ୍ରବ-ଆଶ୍ବିନ (ସେପ୍‌ଟେମ୍ବର-ଅକ୍‍ଟୋବର) ମାସ ହେଉଛି କାଉମାନଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଅଣ୍ଡା ଦିଆ ଋତୁ। ଏହି ସମୟରେ ମଧ୍ୟ କାଉ ଅଣ୍ଡା ଫୁଟି ଛୁଆ ବାହାରେ। ତେଣୁ, ଖାଦ୍ୟ ଦାନ ଦ୍ବାରା ମାଆ କାଉଟି ସହଜରେ ଆହାର ପାଇବା ସହିତ ତାର ବଂଶ ବୃଦ୍ଧି କାମରେ ଲାଗେ।

ବହୁ ପୂର୍ବରୁ ଭାରତୀୟମାନେ ବିଭିନ୍ନ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କ ଏ ପୃଥିବୀ ପ୍ରତି ଥିବା ଅବଦାନ କଥା ବୁଝିଥିଲେ। ତେଣୁ ସେମାନେ ଆଧ୍ୟାତ୍ମିକ ବିଶ୍ବାସ ଓ କର୍ମକାଣ୍ଡ ଆଦିରେ ଏଭଳି ବ୍ୟବସ୍ଥା କରିଯାଇଛନ୍ତି ଯେମିତି ଜୀବ ଓ ଉଦ୍ଭିଦ ବଞ୍ଚି ରହିବେ। ବିଭିନ୍ନ ପୂଜାରେ ଅନେକ ପ୍ରକାର ଫୁଲ, ପତ୍ର ଓ ଫଳର ଉପଯୋଗିତା ପଛରେ ଥିବା କାରଣ ସମ୍ବନ୍ଧରେ କେବେ ଚିନ୍ତା କରିଛନ୍ତି? ଚିନ୍ତା କଲେ ବୁଝି ହେବ ଯେ ଯେ ପର୍ଯ୍ୟନ୍ତ ଆମ ଠାକୁର ପୂଜା ଥିବ ସେ ପର୍ଯ୍ୟନ୍ତ ଫୁଲ ଏବଂ ଫଳ ଗଛ ଲୋପ ପାଇବ ନାହିଁ। ଲୋକେ ବାଡ଼ିରେ ତାହା ଲଗାଇବେ। ଦୁଦୁରା ଓ ଅରଖ ଭଳି ଗଛ ମଧ୍ୟ ବଞ୍ଚି ରହିବ।
ପରିବେଶବିତ୍‍ମାନେ କହନ୍ତି ଯେ ବର ଓ ଅଶ୍ୱତ୍‌ଥ ଗଛର ବୀଜ ବିକ୍ଷେପ ଓ ବଂଶ ବିସ୍ତାର ପଛରେ ଅଛି କାଉମାନଙ୍କ ଭଳି ପକ୍ଷୀଙ୍କ ଭୂମିକା। କେବଳ କାଉ ନୁହେଁ ହିନ୍ଦୁମାନେ ପୂଜା କରୁଥିବା ପ୍ରତ୍ୟେକ ଠାକୁରଙ୍କ ବାହନ ଗୋଟିଏ ପଶୁ ବା ପକ୍ଷୀ। ଏହାର କାରଣ କ’ଣ ହୋଇପାରେ? ଏହାର ଗୋଟିଏ ନିଶ୍ଚିତ କାରଣ ହେଲା ଈଶ୍ବର ପ୍ରତିମାଙ୍କ ସହିତ ସଂଶ୍ଳି‌‌ଷ୍ଟ କରାଯାଇ ବିଭିନ୍ନ ପଶୁପକ୍ଷୀଙ୍କୁ ପବିତ୍ରତା ପ୍ରଦାନ କରିବାର ଉଦ୍ୟମ, ଯାହା ସେମାନଙ୍କ ସଂରକ୍ଷଣକୁ ପ୍ରୋତ୍ସାହନ ଯୋଗାଇବ। ସେହି ସୂତ୍ରରେ ଶିବଙ୍କ ବାହନ ସର୍ପ ମଧ୍ୟ ସଂରକ୍ଷଣଯୋଗ୍ୟ ବୋଲି ଆମ ପାରଂପରିକ ବିଶ୍ବାସ କହିଥାଏ, ଯାହାକୁ ଆଜିର ପରିବେଶବିତ୍‌ମାନେ ଦୃଢ଼ ଭାବେ ସମର୍ଥନ କରନ୍ତି।

ପ୍ରକୃତି ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଗଢ଼ା ଓ ଉଭୟେ ପରସ୍ପରକୁ ବଞ୍ଚାଇ ରଖନ୍ତି ଓ ସମୃଦ୍ଧ କରନ୍ତି। ଏହି ପରିପ୍ରେକ୍ଷୀରେ ମରିସସ୍‌ର ଘଞ୍ଚ ‘କାଲଭେରିଆ’ ଅରଣ୍ୟର କାରୁଣ୍ୟଭରା ବିଲୁପ୍ତି କାହାଣୀ ମନକୁ ଆସିଯାଏ। ମରିସସ୍‌ ଦିନେ ଆବୃତ ଥିଲା ଶୋଭା ଓ ସବୁଜିମା ବର୍ଦ୍ଧନ କରୁଥିବା କାଳଭେରିଆ ବୃକ୍ଷର ଜଙ୍ଗଲ ଦ୍ବାରା। ଏହି ଗଛର ଫଳ ଖାଇ ସେଠାରେ ବିଚରଣ କରୁଥିଲେ ଅସଂଖ୍ୟ ଡୋଡୋ ପକ୍ଷୀ। ଏହି ଫଳର ମଞ୍ଜି ଏତେ ଶକ୍ତ ଯେ ତାହା ସ୍ୱାଭାବିକ ଭାବରେ ଭୂମିରେ ପଡ଼ି ଅଙ୍କୁରିତ ହୋଇ ପାରେନା। ଏହି ଫଳକୁ ଖାଉଥିବା ଡୋଡୋ ପକ୍ଷୀର ପେଟରେ ଟାଣ ମଞ୍ଜିଟିର ପ୍ରକ୍ରିୟାକରଣ ହୋଇ ମଳରେ ନିଃସୃତ ହେବା ପରେ ଯାଇ ତାହା ମାଟିରେ ଚେର ଲମ୍ବାଏ। ୧୫୯୮ ମସିହାରେ ଡଚ୍‌ ନାବିକ ଅଭିଯାତ୍ରୀ ଦଳଙ୍କ ବର୍ଣ୍ଣନାରେ ପ୍ରଥମେ ଡୋଡୋ ପକ୍ଷୀର ବୃତ୍ତାନ୍ତ ଦେଖିବାକୁ ମିଳେ। ତା’ ପରେ ମରିସସ୍‌‌େର ପହଞ୍ଚୁଥିବା ବିଭିନ୍ନ ଅଭିଯାତ୍ରୀ ଦଳ ଉଡ଼ି ପାରୁ ନ ଥିବା ଏବଂ ମଣିଷଙ୍କ ପାଖକୁ ବିଶ୍ବାସର ସହିତ ଚାଲି ଆସୁଥିବା ଏହି ପକ୍ଷୀର ଶିକାର କରି ଓ ତା’ର ମାଂସ ଖାଇ ୧୬୬୨ ମସିହା ସୁଦ୍ଧା ତା’ର ବଂଶ ନିପାତ କରିଦେଲେ। ଏବଂ ତା ସହିତ ଉଜୁଡ଼ି ଗଲା ମରିସସ୍‍ର କାଲଭେରିଆ ଅରଣ୍ୟ।

ସେହି ଦୃଷ୍ଟିରୁ ଲାଗେ ଯେ ଆମର ପୂର୍ବଜମାନେ ଥିଲେ ଦୂରଦ୍ରଷ୍ଟା। ତେଣୁ ସେମାନେ ଆମ ପରଂପରାରେ ବିଧିବିଧାନରେ ଏଭଳି ଅନେକ କିଛି ଖଞ୍ଜି ଦେଇଥିଲେ ଯେ ତାହା ପୃଥିବୀକୁ ଧାରଣକ୍ଷମ କରିବାରେ ସାହାଯ୍ୟ କରିବ।

ମୋ- ୯୪୩୭୪୩୬୦୭୩
[email protected]

ସମ୍ବନ୍ଧିତ ଖବର