ଏ ଭିତରେ ଆମ ସାହିତ୍ୟରେ ତିନି-ତିନିଟି ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଘୋଷିତ ହୋଇଯାଇଛି। ଅଗଷ୍ଟ (୨୦୨୧) ପ୍ରଥମ ସପ୍ତାହରେ ‘ଶାରଳା ପୁରସ୍କାର’, ସେଇ ଅଗଷ୍ଟ ଶେଷ ସପ୍ତାହରେ ସାହିତ୍ୟ ଅକାଦେମୀ ପୁରସ୍କାର ଏବଂ ଏଇ ସେପ୍ଟେମ୍ବର ୧୮ ତାରିଖରେ ସାହିତ୍ୟ ଅକାଦେମୀ ଅନୁବାଦ ପୁରସ୍କାର। ‘ଶାରଳା ପୁରସ୍କାର’ ମୂଲ୍ୟ ଦୃଷ୍ଟିରୁ ସବୁଠୁ ଉପରେ। ଏହି ପୁରସ୍କାରର ମୂଲ୍ୟ ପାଞ୍ଚଲକ୍ଷ ଟଙ୍କା। ସାହିତ୍ୟ ଅକାଦେମୀ ପୁରସ୍କାର ମୂଲ୍ୟ ଦୃଷ୍ଟିରୁ ତାହାର ପାଞ୍ଚ ଭାଗରୁ ଭାଗେ। ଏହାର ମୂଲ୍ୟ ଏକ ଲକ୍ଷ ଟଙ୍କା। କିନ୍ତୁ ଏ ପୁରସ୍କାରର ମର୍ଯ୍ୟାଦା ବେଶୀ; କାରଣ ଏହା ଆମ ଦେଶର ସାହିତ୍ୟ ପୁରସ୍କାର। ଏଣୁ ‘ଶାରଳା’ ଓ ‘ଅକାଦେମୀ’କୁ ବଡ଼ ପୁରସ୍କାର ଭାବରେ ଗଣାଯାଏ। ସାହିତ୍ୟ ଅକାଦେମୀ ଅନୁବାଦ ପୁରସ୍କାର ଅପେକ୍ଷାକୃତ ସାନ। କାରଣ, ଏହା ଆମ ଦେଶର ପୁରସ୍କାର ହେଲେ ମଧ୍ୟ, ଏହାର ମୂଲ୍ୟ ମୁଖ୍ୟ ପୁରସ୍କାରର ଅଧା; ୫୦ ହଜାର ଟଙ୍କା।
କିନ୍ତୁ ଏହି ତିନି ପୁରସ୍କାର ଘୋଷଣାର ପରବର୍ତ୍ତୀ ପ୍ରତିକ୍ରିୟାକୁ ଲକ୍ଷ୍ୟ କଲେ, ଗୋଟିଏ ବିଚିତ୍ର ସ୍ଥିତି ଦେଖାଯାଏ। ତାହା ହେଉଛି- ବଡ଼ ଦୁଇ ପୁରସ୍କାରର ଘୋଷଣା ପରେ, ତାହାର ଚର୍ଚ୍ଚା ମୁଖ୍ୟତଃ ପୁରସ୍କୃତା ଦୁଇ ଲେଖିକାଙ୍କ ଅଭିନନ୍ଦନ ମଧ୍ୟରେ ସୀମିତ ରହିଛି। କିନ୍ତୁ ସଦ୍ୟ ଘୋଷିତ ସାନ ପୁରସ୍କାରଟି ପାଇଁ ଆମ ସାହିତ୍ୟ ଜଗତର ଅନେକେ ଏବେ ଚର୍ଚ୍ଚାରେ ମୁଖର। ମୁଖ୍ୟତଃ ସାମାଜିକ ଗଣମାଧ୍ୟମରେ ଏ ନେଇ ଉଠିଛି ଝଡ଼। ଚାଲିଛି ପାଟିଗୋଳ। ଏଣୁ ଏ ନେଇ ମନରେ ପ୍ରଶ୍ନ ଉଠେ- ସାନଟି ପାଇଁ ପାଟି, ଆଉ ବଡ଼ ବଡ଼ ପାଇଁ ଚୁପ୍? ଏପରି କାହିଁକି? କ’ଣ ଏହି ଅନୁବାଦ ପୁରସ୍କାରଟିରେ ହିଁ ଘଟିଯାଇଛି ଯାବତୀୟ ବିଭ୍ରାଟ; ଆଉ ବଡ଼ ଦୁଇଟିରେ ସବୁ ଠିକ୍ଠାକ୍?
ବଡ଼ ଦୁଇଟିର ଆଲୋଚନାକୁ ଯିବା ପରେ। ଏବେ ଆସିବା ସାନଟି ପାଖକୁ। ଏ ପୁରସ୍କାର ଘୋଷଣା ହେଲା ସେପ୍ଟେମ୍ବର ୧୮ ତାରିଖରେ। ପରେ ପରେ ସାହିତ୍ୟିକ ତଥା ରାଜନୀତି ବିଜ୍ଞାନ ପ୍ରଫେସର ନେତାଜୀ ଅଭିନନ୍ଦନ ତାଙ୍କ ‘ଫେସ୍ବୁକ୍’ରେ ଯାହା ଲେଖିଲେ, ତାହାକୁ ନେଇ ଚର୍ଚ୍ଚାର ସୂତ୍ରପାତ ହେଲା। ସେ ଲେଖିଲେ- ବିଶିଷ୍ଟ ହିନ୍ଦୀ ଲେଖକ ଜୈନେନ୍ଦ୍ର କୁମାରଙ୍କର ଯେଉଁ ‘କଲ୍ୟାଣୀ’ ଉପନ୍ୟାସ ୨୦୨୦ ମସିହାପାଇଁ ଅନୁବାଦ ପୁରସ୍କାର ପାଇଛି, ୧୯୯୯ରେ ସେଇଟିକୁ ଅନୁବାଦ କରିଥିଲେ ଅମୀୟବାଳା ପଟ୍ଟନାୟକ। ତାହା ମଧ୍ୟ ବିପୁଳ ପାଠକୀୟତା ଲାଭ କରିଥିଲା। ଥରେ ଅନୂଦିତ ହୋଇ, ପାଠକୀୟ ସ୍ୱୀକୃତି ଲାଭ କରିଥିବା ଗୋଟିଏ ବହିକୁ ଦ୍ୱିତୀୟବାର ଅନୁବାଦ କରିବାର ଆବଶ୍ୟକତା କ’ଣ? ଅଭିଜ୍ଞ ବିଚାରକମଣ୍ଡଳୀ ଯେ ସେ ଅନୁବାଦ ସଂପର୍କରେ ଅଜ୍ଞ ଥିଲେ, ଏହା କ’ଣ ବିଶ୍ୱାସଯୋଗ୍ୟ? ଥରେ ଅନୂଦିତ ହୋଇଥିବା ପୁସ୍ତକର ଦ୍ୱିତୀୟ ଅନୁବାଦକୁ ପୁରସ୍କୃତ କରିବା ନିୟମ ଦୃଷ୍ଟିରୁ ହୁଏତ ଠିକ୍ ହୋଇପାରେ; ମାତ୍ର ନୈତିକତା ଦୃଷ୍ଟିକୋଣରୁ ଭୁଲ୍।
ଆଉ ଜଣେ, ଭାଷା-ବିଦ୍ୱାନ ତଥା ଓଡ଼ିଆ ଭାଷା-ସାହିତ୍ୟର ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ। ଅବଶ୍ୟ ନେତାଜୀ ଅଭିନନ୍ଦନ ଉପରୋକ୍ତ ପ୍ରଶ୍ନ ସବୁ ଉଠାଇବା ସହିତ, ଘୋଷିତ ପୁରସ୍କାରଟି ପାଇଥିବା ଅନୁବାଦିକା ମଞ୍ଜୁ ମୋଦୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। କିନ୍ତୁ ପ୍ରଫେସର ସନ୍ତୋଷଙ୍କ ଅସନ୍ତୋଷ ତାହାର ବ୍ୟତିକ୍ରମ। ସେ ତାଙ୍କ ‘ଫେସବୁକ୍’ରେ କହିଛନ୍ତି- ଯିଏ ଓଡ଼ିଆରେ ଅନୁବାଦ ପାଇଁ ପୁରସ୍କାର ପାଇଲେ, ଆପଣମାନେ ତାଙ୍କୁ କେବେ ତାଙ୍କର କୌଣସି ଅନୁବାଦ ପୁସ୍ତକ ପଢ଼ି ଜାଣିଛନ୍ତି କି? ମୁଁ କୋଡ଼ିଏ ବର୍ଷ ଧରି ଅନୁବାଦ ସାହିତ୍ୟ ଉପରେ ପାଠଦାନ ସହ ଅଧ୍ୟୟନ କରୁଛି। କେବେ ବି ପଢ଼ିନି। ଦୁଃଖ ଯେ ଏପରି ସାଧକ ଓଡ଼ିଆରେ ଅଛନ୍ତି, ଯେଉଁମାନେ ନିରନ୍ତର ଅନୁବାଦ କରନ୍ତି; ଅଥଚ ସେମାନେ ନପାଇ, ଜଣେ ସ୍ୱଳ୍ପଭାଷୀ ଓଡ଼ିଆ ଅନୁବାଦ ପାଇଁ ସାଧନା ନକରି ଏ ପୁରସ୍କାର ପାଇବାରେ ଆପଣମାନେ ଓଡ଼ିଆଏ ଖୁସି ହେଉଛନ୍ତି?
ସ୍ୱାଭାବିକ ଭାବରେ, ସଂପୃକ୍ତ ଦୁଇ ପ୍ରଫେସରଙ୍କର ଏ ଦୁଇ ପ୍ରତିକ୍ରିୟା ପାଇଁ ପସନ୍ଦ (ଲାଇକ୍) ଓ ମନ୍ତବ୍ୟ (କମେଣ୍ଟ୍) ମିଳିଛି ଅନେକ। ମାତ୍ର ସେସବୁରୁ ମନେହୁଏ, ନେତାଜୀ ଅଭିନନ୍ଦନଙ୍କ ବ୍ୟତୀତ, ବୋଧହୁଏ ଅନେକେ ‘କଲ୍ୟାଣୀ’ର ସେଇ ପ୍ରଥମ ଅନୁବାଦଟିକୁ ପଢ଼ି ନାହାନ୍ତି, କି ଯେଉଁ ‘କଲ୍ୟାଣୀ’ ୨୦୨୦ ପାଇଁ ଅନୁବାଦ ପୁରସ୍କାର ପାଇବା ବିଷୟ ଘୋଷିତ ହୋଇଛି- ସେ ‘କଲ୍ୟାଣୀ’କୁ ବି ଦେଖିନାହାନ୍ତି। ପୁଣି, ସେ ପୁସ୍ତକ ସହିତ ଆଉ କେଉଁସବୁ ପୁସ୍ତକ ପ୍ରତିଯୋଗିତାର ଚୂଡ଼ାନ୍ତ ଚୟନରେ ଥିଲା, ସେ ବାବଦରେ ମଧ୍ୟ କାହାରି ହେଲେ ଧାରଣା ନାହିଁ। ଏ ପରିସ୍ଥିତିରେ ଆମେ କିପରି କହିପାରିବା, ଯେ ଯେଉଁ ‘କଲ୍ୟାଣୀ’ ସପକ୍ଷରେ ଏଥର ପୁରସ୍କାରର ବିଚାର ଯାଇଛି, ତାହା ଭୁଲ୍?
ଆଲୋଚ୍ୟ ବର୍ଷର ପୁରସ୍କାର ଚୟନ ସଂପର୍କରେ ସ୍ପଷ୍ଟ ଅବବୋଧ ପାଇଁ, ଆମକୁ ଏହାର ଚୟନ ପ୍ରକ୍ରିୟାର ବିଭିନ୍ନ ସ୍ତର ଦେଇ ଚୂଡ଼ାନ୍ତ ଚୟନ ଯାଏ ଯିବାକୁ ପଡ଼ିବ। ସାହିତ୍ୟ ଅକାଦେମୀର ଏହି ଅନୁବାଦ ପୁରସ୍କାର, ମୂଳ ଓ ମୁଖ୍ୟ ପୁରସ୍କାରଟି ପରି, ଚାରିଟି ପର୍ଯ୍ୟାୟରେ ଚୟନ ହୁଏ। ପ୍ରଥମ ପର୍ଯ୍ୟାୟ- ଭିତ୍ତି ତାଲିକା ପ୍ରସ୍ତୁତି। ସେଥିପାଇଁ ଅକାଦେମୀ ପକ୍ଷରୁ ଜଣେ, ବା ଆବଶ୍ୟକ ସ୍ଥଳେ ଦୁଇଜଣ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଏ। ପୁରସ୍କାର ବର୍ଷ ପାଇଁ ବିଚାରଯୋଗ୍ୟ ହେବାକୁ ପୁସ୍ତକଟି ଯେଉଁ ଅବଧି ମଧ୍ୟରେ ପ୍ରକାଶ ପାଇଥିବା ଆବଶ୍ୟକ, ତାହାର ଆଧାରରେ, ପୁରସ୍କାର-ଯୋଗ୍ୟ ପୁସ୍ତକଗୁଡ଼ିକର ଗୋଟିଏ ତାଲିକା ସେ ପ୍ରସ୍ତୁତ କରନ୍ତି। ତାହା ପଠାଯାଏ ସଂପୃକ୍ତ ଭାଷାର ଦଶଜଣିଆ ପରାମର୍ଶଦାତା ପରିଷଦର ସଦସ୍ୟଙ୍କ ପାଖକୁ। ସେମାନେ ତାଲିକା ଭିତରୁ ବା ତାଲିକା ବାହାରୁ ଯେଉଁ ପୁସ୍ତକଗୁଡ଼ିକୁ ପ୍ରସ୍ତାବ କରନ୍ତି, ତାହା ଯାଏ ପରବର୍ତ୍ତୀ ପର୍ଯ୍ୟାୟକୁ।
ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି ଯେ ଅବସରପ୍ରାପ୍ତ ହିନ୍ଦୀ ପ୍ରାଧ୍ୟାପିକା ତଥା ଅନୁବାଦିକା ମଞ୍ଜୁ ମୋଦୀଙ୍କର ଯେଉଁ ପୁସ୍ତକଟି ୨୦୨୦ ବର୍ଷର ଅକାଦେମୀ ପୁରସ୍କାର ପାଇବ ବୋଲି ଘୋଷିତ ହୋଇଛି, ତାହା ମୂଳ ଭିତ୍ତି ତାଲିକାରେ ନଥିଲା। ଦଶଜଣିଆ ପରାମର୍ଶଦାତା ପରିଷଦ ପର୍ଯ୍ୟାୟରେ, କେହି (ଏକ ବା ଏକାଧିକ) ସଦସ୍ୟ ତାହା ପ୍ରସ୍ତାବ କରିଛନ୍ତି। କାରଣ, ପରବର୍ତ୍ତୀ ଦଶଜଣିଆ ‘ରେଫରି’ ପର୍ଯ୍ୟାୟକୁ ଯେଉଁ ତାଲିକା ଯାଇଛି- ସେଥିରେ ସେ ପୁସ୍ତକଟି ଅଛି।
ମଞ୍ଜୁ ମୋଦୀଙ୍କ ‘କଲ୍ୟାଣୀ’ ସମେତ, ‘ରେଫରି’ ସ୍ତରର ସେହି ତାଲିକାରେ ଅଛି ମୋଟ ବାରଟି ପୁସ୍ତକ। ପୁସ୍ତକର ନାମ ଅନୁସାରେ, ଇଂରାଜୀ ଅକ୍ଷର କ୍ରମରେ, ସେହି ତାଲିକା ପ୍ରସ୍ତୁତ ହୋଇଥାଏ। ତେଣୁ ‘ରେଫରି’ ସ୍ତରର ତାଲିକାରେ, ସେହି କ୍ରମରେ, ପ୍ରଥମେ ପୁସ୍ତକ ଓ ପରେ ଅନୁବାଦକଙ୍କ ନାମ ଅଛି ଏହିପରି- ୧. ଅଭିଜ୍ଞାନ, ଇଂ. ଗୋବିନ୍ଦ ଚନ୍ଦ୍ର ସାହୁ (ଓ ମାନସୀ ପାତ୍ର); ୨. ଛେଳି ଚରାଇବାର ଦିନ, ଗୌରହରି ଦାସ; ୩. ଏ ଝିଅ, ରତ୍ନମାଳା ସ୍ୱାଇଁ; ୪. ଜୟ ଜଗଦୀଶ ହରେ, ବିଜୟ କୁମାର ମହାନ୍ତି; ୫. କଳକଲ୍ଳୋଳ, ସବିତା ମିଶ୍ର; ୬. କଲ୍ୟାଣୀ, ମଞ୍ଜୁ ମୋଦୀ; ୭. ମେଘବାହନ, ଶାରଦା ରଥ; ୮. ନଭେମ୍ବର ୯, କୁମାର ହସନ; ୯. ନୀଳକଣ୍ଠୀ ବ୍ରଜ, ନାରାୟଣ ତ୍ରିପାଠୀ; ୧୦. ସର୍ଜନାର ନିରୀକ୍ଷଣ, କ୍ଷୀରୋଦ ପରିଡ଼ା, ୧୧. ସରସ୍ୱତୀଚନ୍ଦ୍ର, ପ୍ରଶାନ୍ତ କୁମାର ପଣ୍ଡା ଓ ୧୨. ସେଇ ସାହସିନୀମାନେ, ସବିତା ପ୍ରଧାନ।
ଓଡ଼ିଆ ଅନୁବାଦ ସାହିତ୍ୟର ଯେ କେହି ଅବଗାହୀ, ନିଶ୍ଚିତ ଭାବରେ କହିବେ ଯେ ଏଥିରେ ରହିଛି ଅନେକ ମୂଲ୍ୟବାନ ବହି। ଦଶଜଣିଆ ରେଫରିଙ୍କ ପାଇଁ ଦୁଇଟି ଲେଖାଏଁ ବହି ପ୍ରସ୍ତାବ କରିବାର ସୁଯୋଗ ପୁରସ୍କାରର ନିୟମାବଳୀରେ ଅଛି। ସେମାନେ ସେ ଦୁଇଟି ବହି, ତାଲିକା ଭିତରୁ ବା ତାଲିକା ବାହାରୁ ପ୍ରସ୍ତାବ କରିପାରନ୍ତି। ଅଥଚ, ଦଶଜଣ ରେଫରିଙ୍କର ମୋଟ ୨୦ଟି ପ୍ରସ୍ତାବ ମଧ୍ୟରେ, ଏହି ତାଲିକାରୁ ରହିଲେ ମାତ୍ର ଛଅଟି ବହି; ବାକି ଛଅଟି, ଅର୍ଥାତ୍ ଅଧା ବାଦ୍ ପଡ଼ିଗଲେ। ପୁଣି, ଦଶଜଣଙ୍କ ମଧ୍ୟରୁ କେହି ଜଣେ ବି, ତାଲିକା ବାହାରେ ଥିବା ଗୋଟିଏ ହେଲେ ବହି ପ୍ରସ୍ତାବ କଲେ ନାହିଁ। ଏହା ସୂଚାଏ, ଯେ ଓଡ଼ିଆ ଅନୁବାଦର ଚଳନ୍ତି ଧାରା ସଂପର୍କରେ ସେମାନଙ୍କ ପାଖରେ ହୁଏତ କୌଣସି ସୂଚନା ନାହିଁ।
ବାରଟି ମଧ୍ୟରୁ, ଯେଉଁ ଛଅଟି ପୁସ୍ତକ ଚୂଡ଼ାନ୍ତ ଚୟନକୁ ଗଲେ, ସେମାନଙ୍କ ପାଖକୁ ଯିବା ପରେ; ଆଗ ଆସିବା, ଯେଉଁ ଛଅଟି ବାଦ୍ ପଡ଼ିଗଲେ, ସେମାନଙ୍କ ପାଖକୁ। ବାଦ୍ ପଡ଼ିଥିବା ଛଅଟି ପୁସ୍ତକ ମଧ୍ୟରୁ, ଗୋଟିଏର ଲେଖକ ଥିଲେ ଓଡ଼ିଶାର ବିଶିଷ୍ଟ ହିନ୍ଦୀ ଅନୁବାଦକ ଶଙ୍କରଲାଲ ପୁରୋହିତ। ତାଙ୍କ ପୁସ୍ତକ ‘ଜୟ ଜଗଦୀଶ ହରେ’ ଅବଶ୍ୟ ‘ରେଫରି’ମାନଙ୍କର ଚୟନରେ ବାଦ୍ପଡ଼ିବା ସ୍ୱାଭାବିକ ମନେ ହୋଇପାରେ; ମାତ୍ର ଅନ୍ୟ ପାଞ୍ଚଟି ପୁସ୍ତକ ମନରେ ପ୍ରଶ୍ନର ଉଦ୍ରେକ କରେ। ସେ ପାଞ୍ଚଟି ପୁସ୍ତକ ହେଉଛି- ୧. ଚିତ୍ରା ମୁଦ୍ଗଲଙ୍କ ହିନ୍ଦୀ ଉପନ୍ୟାସର ଅନୁବାଦ ‘କଳକଲ୍ଲୋଳ’, ୨. ନିର୍ମଳ କୁମାରଙ୍କ ହିନ୍ଦୀ ଉପନ୍ୟାସ ‘ମେଘବାହନ’, ୩. ଇନ୍ଦିରା ଗୋସ୍ୱାମୀଙ୍କ ଅସମୀୟା ଉପନ୍ୟାସ ‘ନୀଳକଣ୍ଠୀ ବ୍ରଜ’, ୪. କେଦାରନାଥ ସିଂହଙ୍କ ହିନ୍ଦୀ କବିତା ‘ସର୍ଜନାର ନିରୀକ୍ଷଣ’ ଓ ୫. ଗୋବର୍ଦ୍ଧନ ତ୍ରିପାଠୀଙ୍କ ଗୁଜରାଟୀ ଉପନ୍ୟାସ ‘ସରସ୍ୱତୀଚନ୍ଦ୍ର’। ଲେଖକଙ୍କ ଦୃଷ୍ଟିରୁ ବା ପୁସ୍ତକର ପ୍ରସଙ୍ଗ ଦୃଷ୍ଟିରୁ ଏ ପାଞ୍ଚଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଚିତ୍ରା ମୁଦ୍ଗଲ ବିଶିଷ୍ଟ ହିନ୍ଦୀ ଲେଖିକା ଏବଂ ସେ ଫଣୀଶ୍ୱରନାଥ ରେଣୁ ସମ୍ମାନ ଓ ସାହିତ୍ୟ ଅକାଦେମୀ ପୁରସ୍କାର ସହିତ, ଉପନ୍ୟାସ ‘ଆବାଂ’ ପାଇଁ ମର୍ଯ୍ୟାଦାବନ୍ତ ‘ବ୍ୟାସ ସମ୍ମାନ’ ବି ପାଇଛନ୍ତି। ସୁପରିଚିତା ଅନୁବାଦିକା ସବିତା ମିଶ୍ରଙ୍କ ଦ୍ୱାରା ଅନୂଦିତ ତାଙ୍କର ଏହି ଉପନ୍ୟାସ, ଆଜି ପରିବାରରେ ନିର୍ଯାତିତ ହେଉଥିବା ବୟସ୍କବୟସ୍କାମାନଙ୍କ ସଂପର୍କରେ। ସେହିପରି, ସୁପରିଚିତ ହିନ୍ଦୀ ଲେଖକ ନିର୍ମଳ କୁମାରଙ୍କ ଉପନ୍ୟାସ ‘ମେଘବାହନ’ ଆମ ରାଜ୍ୟର ମହାଗୌରବ ମହାମେଘବାହନ ଐର ଖାରବେଳଙ୍କ ସଂପର୍କରେ। ଏ ଅନୁବାଦ ପାଇଁ ଶାରଦା ରଥ ନିକଟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ମଧ୍ୟ ପାଇଛନ୍ତି।
ସେହିପରି, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ତ୍ରିପାଠୀଙ୍କ ଦ୍ୱାରା ଅନୂଦିତ ‘ନୀଳକଣ୍ଠୀ ବ୍ରଜ’ ଜ୍ଞାନପୀଠ ବିଜୟିନୀ ଅସମୀୟା ସାହିତ୍ୟିକା ଇନ୍ଦିରା ଗୋସ୍ୱାମୀଙ୍କର ଏକ ବହୁଚର୍ଚ୍ଚିତ ଓ ସୁଖ୍ୟାତ ଉପନ୍ୟାସ। ବୃନ୍ଦାବନର ବିଧବାମାନଙ୍କର ଯାତନାକୁ ନେଇ ରଚିତ ଏ ଉପନ୍ୟାସ ଏକ ଚର୍ଚ୍ଚିତ ଚଳଚ୍ଚିତ୍ରରେ ମଧ୍ୟ ରୂପାୟିତ ହୋଇଛି। ଇନ୍ଦିରା ଗୋସ୍ୱାମୀଙ୍କ ପରି, ପ୍ରସିଦ୍ଧ ହିନ୍ଦୀ କବି କେଦାରନାଥ ସିଂହ ମଧ୍ୟ ସାହିତ୍ୟ ଅକାଦେମୀ ଓ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି ଏବଂ ତାଙ୍କ ‘ସର୍ଜନାର ନିରୀକ୍ଷଣ’ ପୁସ୍ତକର ଅନୁବାଦକ କ୍ଷୀରୋଦ ପରିଡ଼ା ଓଡ଼ିଆ ଅନୁବାଦ କ୍ଷେତ୍ରରେ ଅନେକ କୃତି ଓ କୃତିତ୍ୱର ଅଧିକାରୀ।
କିନ୍ତୁ ଏ ସମସ୍ତଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ ହେଉଛନ୍ତି, ଗୁଜରାଟୀ ଔପନ୍ୟାସିକ ଗୋବର୍ଦ୍ଧନ ତ୍ରିପାଠୀ। ସେ ସମ୍ଭବତଃ ଭାରତବର୍ଷର ଏକମାତ୍ର କଥାଶିଳ୍ପୀ, ଯାହାଙ୍କର ଉପନ୍ୟାସ ‘ସରସ୍ୱତୀଚନ୍ଦ୍ର’ ପାଇଁ ତାଙ୍କୁ ‘ଗୋବର୍ଦ୍ଧନ ଯୁଗ’ ଭାବରେ ଜଣେ ଯୁଗସ୍ରଷ୍ଟାର ମାନ୍ୟତା ଦିଆଯାଏ। ଚାରିଖଣ୍ଡରେ ରଚିତ ଏ ଉପନ୍ୟାସ ଗୁଜରାଟୀ ତଥା ଭାରତୀୟ ସାହିତ୍ୟରେ ଏକ ‘କ୍ଲାସିକ୍’ ଉପନ୍ୟାସ ରୂପେ ମାନ୍ୟତାପ୍ରାପ୍ତ। ତାଙ୍କର ଏହି ଉପନ୍ୟାସକୁ ନେଇ, ସେହି ନାମରେ ଅର୍ଦ୍ଧଶତାବ୍ଦୀ ପୂର୍ବେ ଏକ ଧ୍ରୁପଦୀ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଛି। ସୁପରିଚିତ ଅନୁବାଦକ ପ୍ରଶାନ୍ତ କୁମାର ପଣ୍ଡାଙ୍କର ଏହି ଅନୁବାଦ, ଏ ଦୃଷ୍ଟିରୁ ଓଡ଼ିଆ ଅନୁବାଦ ଭଣ୍ଡାରରେ ନିଶ୍ଚିତ ଭାବରେ ଏକ ମୂଲ୍ୟବାନ ସଂଯୋଜନ।
କିନ୍ତୁ ଏସବୁ ସତ୍ତ୍ୱେ, ଏହିସବୁ ବିଶିଷ୍ଟ ଲେଖକ ଓ ସେମାନଙ୍କର କୃତିର ଅନୁବାଦ ଯେ ସାହିତ୍ୟ ଅକାଦେମୀ ଦ୍ୱାରା ମନୋନୀତ ଦଶଜଣିଆ ‘ରେଫରି’ଙ୍କ ଚୟନରୁ ବାଦ୍ ପଡ଼ିଗଲେ, ଏହା ପରିତାପର ବିଷୟ।
ସାହିତ୍ୟ ଅକାଦେମୀର ପ୍ରଚଳିତ ବ୍ୟବସ୍ଥା ଅନୁସାରେ, କେଉଁମାନେ ଦଶଜଣିଆ ‘ରେଫରି’ ବା ତିନିଜଣିଆ ‘ଜୁରି’ (ଚୂଡ଼ାନ୍ତ ଚୟନକାରୀ) ହେବେ, ତାହାର ତାଲିକା ପାଞ୍ଚବର୍ଷିଆ ନୂଆ ଉପଦେଷ୍ଟା ପରିଷଦ ଗଠନବେଳେ, ଦଶଜଣିଆ ଉପଦେଷ୍ଟା ହିଁ ପ୍ରସ୍ତାବ କରି ଥାଆନ୍ତି। ତା’ହେଲେ କ’ଣ ଗଣତାନ୍ତ୍ରିକ ଚୟନ ପଦ୍ଧତି ଭାବରେ ଅଭିହିତ ଏହି ବ୍ୟବସ୍ଥାର ‘ରେଫରି’ ସୂଚୀ ପ୍ରସ୍ତୁତିରେ ଯଥେଷ୍ଟ ସ୍ୱଚ୍ଛତା ନାହିଁ?
ସାଧାରଣତଃ, ଗୋଟିଏ ଅକାଦେମୀ ପୁରସ୍କାରର ଘୋଷଣା ପରେ, ପୁରସ୍କୃତ କୃତି ବା ତାହାର ଚୂଡ଼ାନ୍ତ ଚୟନକାରୀମାନେ ପ୍ରଶ୍ନର ଶରବ୍ୟ ହୁଅନ୍ତି। ‘ରେଫରି’ମାନେ ରହିଯାଆନ୍ତି ନେପଥ୍ୟରେ। କିନ୍ତୁ, କେବଳ କ’ଣ ଏଥିପାଇଁ ଚୂଡ଼ାନ୍ତ ଚୟନକାରୀ ‘ଜୁରି’ ଦାୟୀ; ଏହି ‘ରେଫରୀ’ମାନେ ନୁହନ୍ତି? ଏବେ ଏ ପ୍ରଶ୍ନର ଉତ୍ତର ଖୋଜିବାର ବେଳ ଆସିଛି।
ଏ ସଂପର୍କରେ ଶେଷ ପ୍ରଶ୍ନଟି ହେଉଛି- ଯେଉଁ ପୁସ୍ତକଟି ଶ୍ରେଷ୍ଠ ବିବେଚିତ ହୋଇ ଏଥରର ପୁରସ୍କାର ପାଇଁ ଚୟନ ହେଲା, ତାହା କ’ଣ ପ୍ରକୃତରେ ଶ୍ରେଷ୍ଠ? ଯଦି ଶ୍ରେଷ୍ଠ, ତେବେ ସେଇଟିପାଇଁ, ଆଜି ସାମାଜିକ ଗଣମାଧ୍ୟମରେ କାହିଁକି ଏତେ ପାଟି?
ଏ ପ୍ରଶ୍ନର ଉତ୍ତର ଖୋଜିବା ଆରଥରକୁ।
ମୋ: ୯୪୩୭୦ ୩୪୮୦୪
[email protected]