ଏମିତି ଦୁନିଆ କେବେ ଥିଲା କି ନାହିଁ, ତାହା କହିବା ମୁସ୍କିଲ; ତେବେ ଏଭଳି ଦୁନିଆ କେବେ ହେବା ଦରକାର ନାହିଁ ବୋଲି ନିଶ୍ଚିତ କହିବାକୁ ପଡ଼ିବ। ଏମିତି ଦୁନିଆ ଯେଉଁଠି ଜନତାଙ୍କ କଥାକୁ ନା ଶୁଣିବା ନା ସେମାନଙ୍କୁ ଦେଖିବା ପାଇଁ କେହି ଅଛନ୍ତି। ଶାସକମାନେ ତ ଆପୋସ ଦୂରଭିସନ୍ଧିରେ ବ୍ୟସ୍ତ। ଯେଉଁ ଜନତାଙ୍କ କାନ୍ଧରେ ତାଙ୍କ ଶାସନ ଗାଦି ଛିଡ଼ା ହୋଇଛି, ସେମାନଙ୍କ ଉପରେ କାହାର ଦୃଷ୍ଟି ପଡୁନାହିଁ। ଏହା ଆମ ଇତିହାସର ବଡ଼ ଭୀରୁ ଆଉ ନିଷ୍ଠୁର ସମୟ। ଏତେ ବଡ଼ ଦେଶରେ ଏତେ ସଂଖ୍ୟକ ଜନତା ଏତେ ସବୁ ରାସ୍ତାକୁ କେବେ ବାହାରି ଥିଲେ, ତାହା ମୋତେ ଜଣାନାହିଁ; ସେହିପରି କେବେ ଏତେ ସଂଖ୍ୟାରେ ଲୋକଙ୍କର ଏତେ ସବୁ ବ୍ୟଥାକୁ ଏତେ ସବୁ ସରକାର ଓ ସେମାନଙ୍କର ଶାସନ କଳ ନିଜ ନିଜର ସ୍ବାର୍ଥର ଚଷମାରେ ଦେଖି ତାହାକୁ ଅଣଦେଖା କରିଛନ୍ତି, ତାହା ମଧ୍ୟ ମୋତେ ଜଣା ନାହିଁ।
ତଥାପି ଆମ ପାଖରେ ଏପରି ଏକ ଚଷମା ରହିବା ଦରକାର ଯାହା ଶାସନକୁ ନୁହେଁ, ସମାଜକୁ ଦେଖିପାରୁଥିବ। ଇତିହାସରେ କେବେ ଭାରତର ଅଂଶ ଥିବା ଆଫଗାନିସ୍ତାନକୁ ଆମେ କେବେ ଭିନ୍ନ ଚଷମାରେ ନୁହେଁ, ଆଫଗାନୀ ନାଗରିକଙ୍କ ଚଷମାରେ ହିଁ ଦେଖିବା ଦରକାର- ଯେଉଁ ଚଷମାରେ କେବେ ଆମେ ସୀମାନ୍ତ ଗାନ୍ଧୀ ଖାଁ ଅବଦୁଲ ଗଫର ଖାଁଙ୍କ ଛବି ଦେଖିଥିଲେ। ଆମେ ମିଆଁମାର ପଟକୁ ବି ସେହି ଚଷମାରେ ଦେଖିବା ଦରକାର ଯେଉଁଥିରେ କେବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେମାନଙ୍କୁ ଦେଖିଥିଲେ ଆଉ ଜାପାନ ସହାୟତାରେ ଇଂରେଜମାନଙ୍କୁ ହରାଇ ଭାରତ ସୀମା ଯାଏ ପହଞ୍ଚି ପାରିଥିଲେ। ମିଆଁମାର ସେତେବେଳେ ଭାରତର ଅଗଣା ପରି ଥିଲା। ଆଜି ସେହି ଆଫଗାନିସ୍ତାନ ଓ ସେହି ମିଆଁମାର କ୍ଷତିଗ୍ରସ୍ତ ଓ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି, ଆଉ ସମସ୍ତ ମହାଶକ୍ତି ଓ ସେମାନଙ୍କର ଗୋଡ଼ାଣିଆମାନେ ନିଜ ସ୍ବାର୍ଥର ଢିଲା ପୋଷାକ ଘୋଡ଼େଇ ହୋଇ ଲାଭକ୍ଷତିର ହିସାବ ପୂର୍ବକ ମୁହଁକୁ ଚୁପ୍ କରି ବସିଛନ୍ତି।
ଏ ଖେଳ ନୂଆ ନୁହେଁ। ନ୍ୟାୟ ଆଉ ସମସ୍ୟାଗୁଡ଼ିକର ମାନବୀୟ ପକ୍ଷ କେବେ ବି ମହାଶକ୍ତିମାନଙ୍କର ଚିନ୍ତାର ବିଷୟ ହୋଇ ରହିନାହିଁ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ତଥାକଥିତ ମିତ୍ର ରାଷ୍ଟ୍ରମାନେ ପରାଜିତ ରାଷ୍ଟ୍ରମାନଙ୍କ ସହ ଯେଭଳି ନିଷ୍ଠୁର ଓ ଚତୁର ବ୍ୟବହାର କଲେ, ତାହା ଭୁଲି ହୋଇପାରିବ ନାହିଁ। ଆରବୀୟମାନଙ୍କ ଛାତିରେ ଇସ୍ରାଏଲ ଯେଭଳି କୌଣସି ଏକ ପୂଜବୁହା ଘାଆ ହୋଇ ବସିଗଲା ଏବଂ କେତେ ଯେ ଦେଶକୁ ବିଭାଜନ କରିଦେଲା ତାହା ଇତିହାସର ଧୂମାଳରେ କେଉଁଠି ହଜିଯାଇଛି। ମହାଶକ୍ତିମାନେ ସାରା ଦୁନିଆକୁ ନିଜ ସ୍ବାର୍ଥର ଗନ୍ତାଘର କରି ଦେଇଛନ୍ତି। ଆଫଗାନିସ୍ତାନର ବାହାଦୁର ଓ ଶାନ୍ତିପ୍ରିୟ ନାଗରିକଙ୍କ ସାଥିରେ ବି ମହାଶକ୍ତିମାନେ ଏଭଳି ଭୀରୁତାପୂର୍ଣ୍ଣ ବର୍ବର ବ୍ୟବହାର କଲେ- ସର୍ବପ୍ରଥମେ ବୈଭବ କ୍ଷୁଧାରେ ସାମ୍ରାଜ୍ୟବାଦୀ ବ୍ରିଟେନ୍, ପୁଣି ସାମ୍ୟବାଦର ଖୋଳପା ପିନ୍ଧି ଆସିଥିବା ରୁଷ୍ ଗୋଷ୍ଠୀ ଆଉ ଏବେ ଲୋକତନ୍ତ୍ରର ଓଢ଼ଣା ଢାଙ୍କି ଆସିଥିବା ଆମେରିକା। ଯଦି ଅନ୍ତଃରାଷ୍ଟ୍ରୀୟ ଇଜ୍ଜତ ପରି କିଛି ଧାରଣା ବଞ୍ଚି ରହିଛି, ତେବେ ଆଜିର ଆଫଗାନିସ୍ତାନ ଦୁନିଆର ସବୁ ଲୋକତାନ୍ତ୍ରିକ ନାଗରିକଙ୍କ ପାଇଁ ଇଜ୍ଜତର ବିଷୟ ହୋଇଛି।
ଆଫଗାନିସ୍ତାନକୁ ରୁଷ ପଞ୍ଝାରୁ ବାହାର କରି ନିଜ ହାତମୁଠାରେ ରଖିବାର ଷଡ୍ଯନ୍ତ୍ର ଭିତରେ ଆମେରିକା ଆତଙ୍କବାଦୀଙ୍କର ଏପରି ସେନା ଛିଡ଼ା କରାଇଲା ଯାହାକୁ ତାଲିବାନ କି ଅଲ୍ କାଏଦା କି ଅଲ୍-ଜବାହିରୀ କି ଅନ୍ୟ କୌଣସି ନାମରେ ଆମେ ଜାଣିଛନ୍ତି। ଆଫଗାନିସ୍ତାନ ପାଇଁ କିପରି କୋଟି କୋଟି ଡଲାର ଖର୍ଚ୍ଚ ହୋଇଛି, ଅସ୍ତ୍ରଶସ୍ତ୍ର ଯୋଗାଯାଇଛି ଓ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଦିଆଯାଇଛି, ସେ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ବାରମ୍ବାର ହିସାବ ଦେଇ ଚାଲିଛନ୍ତି। ସେ ଏ କଥା କହିବାକୁ ଚାହାନ୍ତି କି ଆଫଗାନୀମାନେ ନିଜ ସ୍ବାଧୀନତା ବଞ୍ଚାଇବା ପାଇଁ ଯୋଗ୍ୟ ନୁହନ୍ତି। ତେବେ ଆମେରିକା ଯେବେ ଜନ୍ମ ନେଲା, ସେତେବେଳେ ଆଫଗାନିସ୍ତାନ ଥିଲା କି ନାହିଁ ସେ କଥା କେହି ପଚାରିବା ଦରକାର। ଯଦି ସେ ଆମେରିକା ଆଗରୁ ପୃଥିବୀରେ ରହିଥିଲା, ତେବେ ସେଥିରୁ ବୁଝାପଡୁଛି କି ଆଫଗାନିସ୍ତାନ ନିଜ ଦେଶ ଗଠନ ସହ ଶାସନ ବି କରି ଜାଣିଥିଲା। ଅପର ପକ୍ଷେ, ଉନ୍ମାଦୀ ବିଜୟ ଧ୍ବନି, ଭଡ଼ାରେ ମିଳୁଥିବା ଅସ୍ତ୍ରଶସ୍ତ୍ର ଓ ଧାର ସୂତ୍ରରେ ମିଳିଥିବା ଦେଶ ଭକ୍ତି ଦ୍ବାରା ଦେଶ ଗଠନ କି ଦେଶ ଚଳାଇବା ସମ୍ଭବ ନୁହେଁ- ଏ କଥା ଆମେରିକା ବୁଝିପାରୁନାହିଁ। ଯଦି ଏ କଥା ସତ ନୁହେଁ, ତେବେ ଆମେରିକାକୁ କାହିଁକି ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଲା, ସେ କଥା କେହି ଏଇଠି ବତାଇ ଦେଉ। ଆମେରିକା ତ କଳିଙ୍ଗ ଯୁଦ୍ଧ ପରର ସମ୍ରାଟ ଅଶୋକ ନୁହେଁ। ବାହାଦୁର ଆଫଗାନୀମାନଙ୍କୁ ଗୋଲାମ କରି ରଖିବାର ସମସ୍ତ ଷଡ୍ଯନ୍ତ୍ର ବିଫଳ ହେଲା ପରେ ଆମେରିକା ସେମାନଙ୍କୁ ଏପରି ଫମ୍ପା ଆଉ ଦୁର୍ଦଶାଗ୍ରସ୍ତ କରି ଛାଡ଼ି ଚାଲିଗଲା। ଏଇ ସଉଦା ବି ଶସ୍ତା ହୋଇଥାନ୍ତା, ମାତ୍ର ଆଫଗାନିସ୍ତାନ ନାଗରିକଙ୍କର ଦୁର୍ଭାଗ୍ୟ ଯେ ଏବେ ତାହାର ନିଜ ଲୋକ ଏଭଳି ପଶୁତ୍ବର ସହ ସେହି ହତିଆର ବଳରେ ସେମାନଙ୍କର ଛାତି ଉପରେ ଛିଡ଼ା ହେଉଛନ୍ତି।
ତାଲିବାନ କୌଣସି ଗୋଷ୍ଠୀ ବା ସମ୍ପ୍ରଦାୟର ନୁହେଁ; ବରଂ ଆତ୍ମସମ୍ମାନ ସହ ସ୍ବାଧୀନ ରହିବାର ଲୋକତାନ୍ତ୍ରିକ ଅଧିକାରକୁ ହିଂସା ଦ୍ବାରା ଦମନ କରାଯାଇପାରିବ ବୋଲି ମାନସିକତାର ନାମ ତାଲିବାନ। ସେହି ଅର୍ଥରେ ଦେଖିବାକୁ ଗଲେ ମହାଶକ୍ତିମାନଙ୍କର ଚେହେରା ତାଲିବାନମାନଙ୍କ ସହ ଏକଦମ୍ ମିଶି ଯାଉଛି। ଆଫଗାନିସ୍ତାନରୁ ନିଜର ପ୍ରତିଟି ନାଗରିକଙ୍କୁ ସୁରକ୍ଷିତ ଫେରାଇନେବା ପାଇଁ ଅଙ୍ଗୀକାରବଦ୍ଧ ବୋଲି ସମଗ୍ର ବିଶ୍ବର ରାଷ୍ଟ୍ରନେତାମାନେ କହୁଛନ୍ତି। ତେବେ ଆଫଗାନିସ୍ତାନ ନାଗରିକମାନଙ୍କର ଅବସ୍ଥା କ’ଣ ହେବ? ସେମାନଙ୍କର ସେବା ଓ ବିକାଶ କରିବା ଆଳରେ ସମସ୍ତେ ସେଠାକାର ସମ୍ବଳ ଲୁଟିବାରେ ବ୍ୟସ୍ତ ଥିଲେ, ଆଉ ଆଜି ସମସ୍ତେ ଲାଙ୍ଗୁଡ଼ ଜାକି ସେଠାରୁ ପଳାୟନ କରିବାରେ ଲାଗିଛନ୍ତି। ନିଜ ଦେଶରୁ ଖସି ପଳାଉଥିବା ଆଫଗାନୀମାନଙ୍କର ବହୁତ ଛବି ଆମେ ଦେଖିବାକୁ ପାଉଛନ୍ତି, ମାତ୍ର ନିଜର ଭୀରୁତାର ଛବି ଲୁଚାଇ ଦିଆଯାଉଛି। ସେ ବ୍ରିଟେନୀ ହୁଅନ୍ତୁ କି ରୁଷୀୟ କି ଆମେରିକୀୟ କି ଭାରତୀୟ, ଏଭଳି ଶକ୍ତି କେବେ ସ୍ଥାୟୀ ରହିନାହିଁ କି ରହିବନାହିଁ, ତାହାର ଇତିହାସ ହେଉଛି ମୂକସାକ୍ଷୀ।
ମିଆଁମାରରେ ତ ଏକଛତ୍ରବାଦ ସେନା ସହ ଲଢ଼ି ଲୋକତନ୍ତ୍ରର ଶାସନ ଆସିଥିଲା। ଅଙ୍ଗ ସୁ କି ନା ମହାଶକ୍ତିମାନଙ୍କର ସଖୀକଣ୍ଢେଇ ଥିଲେ, ନା ଆତଙ୍କବାଦୀଙ୍କର। ତାଙ୍କର ନିଜର ଦୁର୍ବଳତା ଥିଲା, ତଥାପି ମିଆଁମାରର ଜନତା ତାଙ୍କୁ ସେନାର କରାମତି ସତ୍ତ୍ବେ ଅପାର ବହୁମତରେ ଦୁଇ ଦୁଇ ଥର ନିର୍ବାଚିତ କରିଥିଲେ। ମାତ୍ର ସ୍ପଷ୍ଟ ଦିବାଲୋକରେ ତାଙ୍କ ସରକାରର ତଣ୍ଟି ଚିପି ସେନାବାହିନୀ ପୁଣି କ୍ଷମତା ଦଖଲ କଲା। ଏହା ପରର କଥା ଆଫଗାନିସ୍ତାନରେ ଯାହା ଘଟୁଛି ମିଆଁମାରରେ ବି ସେମିତି ହେଉଛି। ସେଠାରେ ତାଲିବାନ ବିରୋଧରେ ତ ଏଠାରେ ସେନାବାହିନୀର ଗୁଣ୍ଡାଗର୍ଦ୍ଦି ବିରୋଧରେ ସାଧାରଣ ଜନତା-ମହିଳା-ଶିଶୁ-ଯୁବକ ରାଜରାସ୍ତାକୁ ଓହ୍ଲାଇ ଆସି ନିଜର ପ୍ରତିବାଦ ଜଣାଇଲେ। ଦୁନିଆର ଶାସକମାନେ ସବୁ ଦେଖି ଚାଲିଲେ, ଜାତିସଂଘ ବି ଦେଖିଲା, ଆଉ ସେମାନେ ତିଳତିଳ କରି ମାରି ଚାଲିଲେ ଓ ମାରି ଚାଲିଛନ୍ତି ମଧ୍ୟ। ଜାତିସଂଘ ଆଜି ଯଥା ସ୍ଥିତିର ସଂରକ୍ଷଣ କରିବା ପୂର୍ବକ ନିଜର ଅସ୍ତିତ୍ବ ବଞ୍ଚାଇବାରେ ଲାଗିଥିବା ଏକ ଧଳାହାତୀ ପାଲଟିଛି। ଏହାର ଏବେ କୌଣସି ସାମୟିକ ସନ୍ଦର୍ଭ ରହିନାହିଁ। ଆଜି ବିଶ୍ବ ରଙ୍ଗମଞ୍ଚରେ କୌଣସି ଜୟପ୍ରକାଶ ନାହାନ୍ତି ଯିଏ ନିଜ ଆତ୍ମାର ପୂରା ବଳ ଲଗାଇ ଲୋକତନ୍ତ୍ର କୌଣସି ଦେଶର ଆନ୍ତରିକ ମାମଲା ନୁହେଁ ବୋଲି ଆଉ ଥରେ କହିଥାନ୍ତେ।
ମିଆଁମାର ଓ ଆଫଗାନିସ୍ତାନର ଏହି କରୁଣ ଗାଥାରେ ଭାରତର ଭୂମିକା କୌଣସି ମଜଭୁତ ଓ ନ୍ୟାୟପ୍ରିୟ ପଡ଼ୋଶୀ ପରି ହୋଇନାହିଁ। ରାଷ୍ଟ୍ରହିତ ନାଆଁରେ ଆମେ ବେଳେ ବେଳେ ମିଆଁମାର ଓ ଆଫଗାନିସ୍ତାନକୁ ଲୁଟୁଥିବା ଶକ୍ତି ସହ ହାତ ମିଳାଉଛନ୍ତି। ଆମେ ଏ କଥା ଭୁଲିଯାଉଛନ୍ତି କି ଏମିତି କୌଣସି ପରିସ୍ଥିତି ଘଟିପାରିବନି ଯେଉଁଥିରେ ଅନ୍ୟର ଅମଙ୍ଗଳ ଆମର ରାଷ୍ଟ୍ରହିତ ହେବ।
ସମ୍ଭବତଃ ସମୟ ଲାଗିପାରେ, ଆଉ ଅଗଣିତ ବଳିଦାନ ବି ଦେବାକୁ ପଡ଼ିପାରେ, ମାତ୍ର ଆଫଗାନିସ୍ତାନର ବାହାଦୁର ଜନତା ନିଜ ଲୋକମାନଙ୍କର ଏପରି ଔଦ୍ଧତ୍ୟକୁ କାବୁ କରିବେ, ନିଜ ମହିଳାମାନଙ୍କର ସ୍ବତନ୍ତ୍ରତା ଓ ସମାନତା ତଥା ଶିଶୁମାନଙ୍କର ସୁରକ୍ଷାର ସ୍ଥାୟୀ ବ୍ୟବସ୍ଥା ବାହାର କରିବେ। ସୁ କି ସେନା ପଞ୍ଝାରୁ ମୁକୁଳି ପାରନ୍ତୁ ବା ନାହିଁ, ସେନାର ପଞ୍ଝା ନିଶ୍ଚିତ ଭାଙ୍ଗିଯିବ। ଆମେ ଜାଣିଛନ୍ତି କି ନିଜ ପଡ଼ିଶାରେ ସ୍ବତନ୍ତ୍ର, ସମତାପୂର୍ଣ୍ଣ ଆଉ ଉତ୍ତମ ମିଆଁମାର ଓ ଆଫଗାନିସ୍ତାନ ଆମେ ନିଶ୍ଚିତ ଦେଖିବା, ମାତ୍ର ଇତିହାସ ଆମକୁ କେଉଁ ଦୃଷ୍ଟିରେ ଦେଖିବ ସେ କଥା ଆମେ ଜାଣିନାହାନ୍ତି।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ