ଗଣତନ୍ତ୍ର, ଅହିଂସା ଓ ଧର୍ମନିରପେକ୍ଷତା

ଗୋବିନ୍ଦ ଭୂୟାଁ

ଗଲା ଅଗଷ୍ଟ ମାସରେ ଓଡ଼ିଶାର ଏକ ପ୍ରତିଷ୍ଠିତ ସମ୍ବାଦପତ୍ରରେ ‘ଗଣତନ୍ତ୍ରର ଆଦ୍ୟ ରୂପ’ ଶିରୋନାମାରେ ଏକ ପ୍ରବନ୍ଧ ପ୍ରକାଶ ପାଇଥିଲା। ସେଥିରେ ଏଭଳି ତିନିଟି ପ୍ରସଙ୍ଗ ଥିଲା, ଯାହା ପାଠକଙ୍କୁ ଭ୍ରମରେ ପକାଇବ। ସେ ତିନିଟି ହେଲା: ୧- ଗଣତନ୍ତ୍ରର ଆଦ୍ୟ ରୂପ, ୨- ଅହିଂସାର ବିଚାର, ୩– ଧର୍ମ ନିରପେକ୍ଷତାର ପ୍ରାସଙ୍ଗିକତା। ସୁତରାଂ, ଏ ତିନିଟି ପ୍ରସଙ୍ଗ ଉପରେ ଏକ ପୁନର୍ଚର୍ଚ୍ଚାର ଆବଶ୍ୟକତା ରହିଛି ବୋଲି ମନେ ହୋଇଥାଏ।
ଆମେରିକା ଓ ବ୍ରିଟେନ୍‌କୁ ଗଣତନ୍ତ୍ରର ସର୍ବପୁରାତନ ରାଷ୍ଟ୍ର ବୋଲି ଆଜିଯାଏ ଯାହା କୁହାଯାଇଛି, ତାହା ସତ୍ୟ ନୁହେଁ ଏବଂ ଗଣତନ୍ତ୍ରର ଆଦ୍ୟ ରୂପ ଭାରତରେ ହିଁ ପ୍ରକଟିତ ହୋଇଥିବା କଥା ଉକ୍ତ ପ୍ରବନ୍ଧରେ କୁହାଯାଇଛି। ଏହି ତତ୍ତ୍ବକୁ ସାବ୍ୟସ୍ତ କରିବାକୁ ଅଷ୍ଟାଦଶ ପୁରାଣର ଯୁଗ ଠାରୁ ନେଇ ବ୍ୟାସଦେବକୃତ ବିଷ୍ଣୁ ପୁରାଣ ଓ ମହାଭାରତ ଯାଏ କଥାର ଅବତାରଣା କରାଯାଇଛି। ସେଥିରେ କୁହାଯାଇଛି ମହାଭାରତରେ ବର୍ଣ୍ଣିତ ୧୬ ଜଣ ଶ୍ରେଷ୍ଠ ରାଜାଙ୍କ ମଧ୍ୟରେ ଅନ୍ୟତମ ଦିଗ୍‌ବିଜୟୀ ରାଜା ଭରତ ସୁଶାସକ ଥିଲେ। ସେତେବେଳେ ଭାରତ ଭୌଗୋଳିକ ଦିଗରୁ ଏବର ଭାରତ ଠାରୁ ଅଧିକ ବିଶାଳ ଥିଲା ଏବଂ ରାଜା ଭରତଙ୍କ ନାମାନୁଯାୟୀ ଭାରତ ବର୍ଷ ଭାବରେ ସୁଖ୍ୟାତ ଥିଲା। ଭରତଙ୍କର ୯ ଜଣ ପୁତ୍ର ଥିଲେ। ଭରତଙ୍କ ଦୃଷ୍ଟିରେ ସେହି ୯ ଜଣଙ୍କ ମଧ୍ୟରୁ ତାଙ୍କ ପରେ ରାଜଗାଦି ସମ୍ଭାଳିବା ପାଇଁ କେହି ବି ଜଣେ ଉପଯୁକ୍ତ ନ ଥିବାରୁ ପୁତ୍ର ମୋହରେ ବଣା ନ ହୋଇ ବିଚାରବନ୍ତ ଭରତ କର୍ଣ୍ଣ ମୁନି ଓ କେଇ ଜଣ ପ୍ରଜାଙ୍କ ପରାମର୍ଶରେ ଋଷି ଭରଦ୍ବାଜଙ୍କ ଆଶ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଶାନ୍ତନୁଙ୍କୁ ରାଜଗାଦି ଅର୍ପଣ କରି ନିଜେ ବାନପ୍ରସ୍ଥରେ ଯାଇଥିଲେ। ଶାନ୍ତନୁ ରାଜା ଦିଲୀପଙ୍କ ବଂଶଜ ଥିଲେ। ନିଜ ଅଯୋଗ୍ୟ ପୁତ୍ରଙ୍କୁ କ୍ଷମତା ନ ଦେଇ ନିଜ ବଂଶ ବାହାରୁ ରାଜ ସିଂହାସନ ପାଇଁ ଉତ୍ତରାକାରୀ ବାଛିଥିବାର ଦୃଷ୍ଟାନ୍ତକୁ ପ୍ରବନ୍ଧରେ ‘ଗଣତନ୍ତ୍ର’ ବୋଲି କୁହାଯାଇଛି।

ଯଦି ବି ଏହି ଉପାଖ୍ୟାନ ସତ ହୋଇଥାଏ, ତେବେ ପ୍ରଶ୍ନ ହେଲା ରାଜା ନିଜ ପୁତ୍ରମାନଙ୍କୁ ସିଂହାସନରୁ ବଂଚିତ କରି ରାଜା ଦିଲୀପଙ୍କ ବଂଶଜ ଶାନ୍ତନୁଙ୍କୁ ରାଜଗାଦି ଦେବା କେଉଁ ବାଟେ ଗଣତନ୍ତ୍ର ହେଲା? ଗଣତନ୍ତ୍ରରେ ଗଣ (ଜନଗଣ)ଙ୍କ ଭିତରୁ ସେହି ଗଣଙ୍କ ଦ୍ବାରା ଜଣଙ୍କୁ ପ୍ରତିନିଧି ଭାବରେ ବଛା ଯାଇଥାଏ। ମହାଭାରତ ଓ ପୁରାଣାଦିରେ ବର୍ଣ୍ଣିତ ଅଛି ଯେ ସେହି କାଳରେ ଋଷି ଓ ଆଚାର୍ଯ୍ୟମାନେ ଅଣ-ରାଜ ପରିବାରର ସନ୍ତାନମାନଙ୍କୁ ଶିଷ୍ୟ ଭାବରେ ସୁଦ୍ଧା ଗ୍ରହଣ କରିବାକୁ ଅରାଜି ହେଉଥିଲେ! ଏପରିକି ରାଜପୁତ୍ର ଭିନ୍ନ ଅନ୍ୟ କାହାରି ବୀରତ୍ବ ବା ଶ୍ରେଷ୍ଠତ୍ୱକୁ ମଧ୍ୟ ଦ୍ରୋଣାଚାର୍ଯ୍ୟମାନେ ନିଷ୍ଠୁର ଭାବରେ ଦମନ ବା ହରଣ କରି ନେଉଥିଲେ। ପୁରାଣ ବର୍ଣ୍ଣନ ଅନୁସାରେ ସେତେବେଳେ ଧରାପୃଷ୍ଠରେ ଦୁଇଟି ପ୍ରସିଦ୍ଧ ରାଜବଂଶର ରାଜପଣ ଚାଲୁଥିଲା; ସୂର୍ଯ୍ୟବଂଶ ଓ ଚନ୍ଦ୍ରବଂଶ। ଭରତ ହେଉଛନ୍ତି ଚନ୍ଦ୍ରବଂଶୀ ଓ ପ୍ରଭୁ ରାମଚନ୍ଦ୍ରଙ୍କ ପୂର୍ବଜ ଦିଲୀପ ହେଉଛନ୍ତି ସୂର୍ଯ୍ୟବଂଶୀ। ତେଣୁ ଏହା ତ ସୂର୍ଯ୍ୟବଂଶ ଓ ଚନ୍ଦ୍ରବଂଶର ସମ୍ଭ୍ରାନ୍ତ ପୃଥିବୀ; ଏଥିରେ ସାଧାରଣ ମାଟି ମଣିଷ ବା ଗଣ ଆସିଲେ କେଉଁଠୁ!

ଏବେ ଆସିବା ଅହିଂସା ପ୍ରସଙ୍ଗକୁ। ପ୍ରବନ୍ଧରେ ଯାହା କୁହାଯାଇଛି ତାହା ହେଲା, ଦେଶର ଅତୀତ ଓ ବର୍ତ୍ତମାନର କେତେକ ନେତା ‘ଅହିଂସା ପରମୋ ଧର୍ମଃ’ ବୋଲି ନାରା ଦେଇଆସୁଛନ୍ତି। କିନ୍ତୁ ସତ କହିଲେ ଆମ ଦେଶରେ ଅହିଂସା କ’ଣ କେବଳ ମାତ୍ର ଗୋଟିଏ ନାରା? ଏହା ଥିଲା ମୁକ୍ତି ସଂଗ୍ରାମରେ ଭାରତୀୟମାନଙ୍କର ଶ୍ରେଷ୍ଠ ଅସ୍ତ୍ର। କେବଳ ବ୍ରିଟିସ୍‌ ନୁହେଁ ସାରା ବିଶ୍ବ ଅହିଂସା ଅସ୍ତ୍ରରେ ଭାରତର ବିଜୟ ଦେଖି ସ୍ତବ୍‌ଧ ହୋଇଥିଲା।

ଜାତିର ଜନକ ଗାନ୍ଧୀଜୀ ହେଉଛନ୍ତି ବିଶ୍ବ ସମ୍ମୁଖରେ ଅହିଂସାର ପ୍ରତୀକ; ପ୍ରତିରୂପ। ଅହିଂସା କେବଳ ଏକ ଶବ୍ଦ ନୁହେଁ, ଏହା ଭାରତୀୟ ସଂସ୍କାର ଓ ପରମ୍ପରାର ମହାର୍ଘ ସଂପଦ। ଗାନ୍ଧୀଜୀ ଓ ତାଙ୍କର ସାଥୀମାନେ କେବଳ ଅହିଂସାର ପ୍ରଚାର କରୁ ନ ଥିଲେ, ପ୍ରତ୍ୟେକ କ୍ଷେତ୍ରରେ ଅହିଂସାର ପ୍ରୟୋଗ କରୁଥିଲେ ଏବଂ ଅହିଂସାକୁ ଏକ ପ୍ରାୟୋଗିକ ରୂପ ମଧ୍ୟ ଦେଇଥିଲେ। ସେହି ପ୍ରବନ୍ଧରେ କୁହାଯାଇଛି ‘ଅହିଂସା ପରମୋ ଧର୍ମଃ’ ଶ୍ଳୋକଟି ପୂର୍ଣ୍ଣାଙ୍ଗ ନୁହେଁ ଏବଂ ପୂର୍ଣ୍ଣରୂପ ଦେବାକୁ ଯାଇ ସେ ଯୋଡ଼ିଛନ୍ତି ‘ ଧର୍ମ ହିଂସା ତଥୈବ ଚ’। ଅର୍ଥାତ୍ ଅହିଂସା ଯଦି ମନୁଷ୍ୟର ପରମ ଧର୍ମ, ତେବେ ଧର୍ମ ରକ୍ଷା ନିମନ୍ତେ ହିଂସା ଆଚରଣ ତା’ଠାରୁ ଅଧିକ ଶ୍ରେଷ୍ଠ। କିନ୍ତୁ ହିଂସାର ଶ୍ରେଷ୍ଠତ୍ବ ସମର୍ଥନକାରୀ ଅଂଶଟି କେଉଁ ଶାସ୍ତ୍ରରୁ ଆସିଛି, ତାହାର କୌଣସି ସୂଚନା ନାହିଁ। ତେଣୁ ମନେହୁଏ କୌଣସି ଧୂର୍ତ୍ତ ଓ ଧର୍ମାନ୍ଧ ବ୍ୟକ୍ତି ଉଦ୍ଦେଶ୍ୟ ପ୍ରଣୋଦିତ ଶବ୍ଦ-ସଂଯୋଜନା ଭାବେ ଏହି ଧାଡ଼ିକୁ ଭଣିଛନ୍ତି! ପ୍ରକୃତ ଶ୍ଳୋକଟି ହେଉଛି ‘ଅହିଂସା ପରମୋ ଧର୍ମସ୍ତଥାଽହିଂସା ପରୋ ଦମଃ
ଅହିଂସା ପରମ ଦାନମ୍ ଅହିଂସା ପରମ ତପଃ’
(ମହାଭାରତ ୧୩ ପର୍ବ, ୧୧୭ ଅଧ୍ୟାୟ, ୩୭ ଶ୍ଳୋକ)

ଏହାର ଅର୍ଥ, ଅହିଂସା ହିଁ ପରମ ଧର୍ମ ତଥା ଅହିଂସା ପରମ ଆଶ୍ରୟ। ଅହିଂସା ହିଁ ପରମ ଦାନ ଏବଂ ଅହିଂସା ପରମ ତପ।

ଗାନ୍ଧୀଜୀଙ୍କ ପୂର୍ବରୁ ଅଢ଼େଇ ହଜାର ବର୍ଷ ତଳେ କରୁଣାର ଅବତାର ବୁଦ୍ଧଦେବ ଓ ମହାବୀର ଜୈନ ଅହିଂସାର ବିଶାଳତା ସଂପର୍କରେ ମାନବ ଜାତିକୁ ଅବଗତ କରିଯାଇଛନ୍ତି।

ଏବେ ଧର୍ମ ନିରପେକ୍ଷତା ପ୍ରସଙ୍ଗ। ୧୯୭୬ ମସିହାରେ ଭାରତୀୟ ସଂବିଧାନରେ ଏକ ସଂଶୋଧନ ଆଣି ତହିଁରେ ଭାରତ ଏକ ‘ଧର୍ମ ନିରପେକ୍ଷ’ ଦେଶ ଭାବେ ସଂଜ୍ଞାୟିତ ହେବା ସଂପର୍କ‌ରେ ପ୍ରଶ୍ନ ଉଠାଯାଇ ପ୍ରବନ୍ଧଟିରେ ପଚରାଯାଇଛି ଯେ ୧୯୭୬ ପୂର୍ବରୁ ଆମେ କ’ଣ ନିରପେକ୍ଷ ନ ଥିଲେ? ହଁ, ଆମେ ନିରପେକ୍ଷ ଥିଲେ। ଏପରିକି ନେହରୁଙ୍କ ସମୟରେ ଧର୍ମକୁ ନେଇ ରାଜନୀତିର ମଞ୍ଚକୁ ଓହ୍ଲେଇବା ନିମନ୍ତେ ଅବକାଶ ଭାରତରେ ସୃଷ୍ଟି ହୋଇ ନ ଥିଲା। କିନ୍ତୁ କ୍ରମେ ଗଙ୍ଗାରେ ବହୁତ ଜଳ ପ୍ରବାହିତ ହୋଇ ସାରିଛି। ୧୯୫୧-୫୨ ନିର୍ବାଚନରେ କଂଗ୍ରେସ ଦଳର ଆଭିମୁଖ୍ୟ ଥିଲା ସମାଜବାଦ ପ୍ରତିଷ୍ଠା, ୧୯୭୧ରେ ଇନ୍ଦିରାଙ୍କ ସ୍ଲୋଗାନ୍‌ ଥିଲା ‘ଗରିବୀ ହଟାଓ’ ଏବଂ ୨୦୧୪ ଓ ୨୦୧୯ରେ ଏକ ଜାତୀୟ ଦଳର ନିର୍ବାଚନୀ ସୂଚିରେ ମନ୍ଦିର ନିର୍ମାଣର ପ୍ରତିଜ୍ଞା ଯୋଡ଼ି ହୋଇଯାଇଛି। ଗଣତନ୍ତ୍ର ଓ ମନ୍ଦିର ନିର୍ମାଣ; ଏଥିରେ ରାଷ୍ଟ୍ର ଓ ରାଷ୍ଟ୍ରବିକାଶ କେତେ ଜଡ଼ିତ? ସ୍ବାଧୀନତା ଯୁଦ୍ଧର କୌଣସି ଅଙ୍ଗୀକାର ଓ ଅନୁଭବ ନ ଥିବା ଗୋଟିଏ ଦଳ ଧର୍ମକୁ ନେଇ ସେମାନଙ୍କର ରାଜନୀତିକ ପ୍ରସ୍ତୁତି ଆରମ୍ଭ କରିବାକୁ ଲକ୍ଷ୍ୟ କରି ସମ୍ଭବତଃ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରର ହିତ ପାଇଁ ୪୨ ତମ ସଂବିଧାନ ସଂଶୋଧନର ପ୍ରସ୍ତାବନାରେ ‘ଧର୍ମ ନିରପେକ୍ଷ’ ଶବ୍ଦକୁ ସଂଯୁକ୍ତ କରାଇଥିଲେ। ଏହା ସତ ଯେ କୌଣସି କୌଣସି ସଂକୀର୍ଣ୍ଣମନା ଗୋଷ୍ଠୀ ଓ ଦେଶ ଧର୍ମଭିତ୍ତିକ ଶାସନ ଚାହାନ୍ତି; ମାତ୍ର ସମଗ୍ର ମାନବଜାତି ଓ ବୃହତ୍ତର ବିଶ୍ବ ଚାହେ ଧର୍ମ ନିରପେକ୍ଷ ବିଶୁଦ୍ଧ ଗଣତନ୍ତ୍ର।

‘ଶକୁନ୍ତଳା’
ମହାନଦୀବିହାର, କଟକ
ମୋ-୯୪୩୮୨୭୫୦୯୧

ସମ୍ବନ୍ଧିତ ଖବର