ଜଣେ ନେହରୁ ଥିଲେ ବୋଲି!

ହିରଣ୍ୟ ମହାନ୍ତି

ସେପ୍‌ଟେମ୍ବର ୩ ତାରିଖ, ଏହି ସମ୍ବାଦପତ୍ରର ସ˚ପାଦକୀୟଟି ମହତ୍ତ୍ବପୂର୍ଣ୍ଣ ଥିଲା, ଯାହାର ଶୀର୍ଷକ ଥିଲା ‘ଜଣେ ନେହରୁ ଥିଲେ!’ ତହିଁରେ ଲେଖା ଥିଲା: ‘ସ୍ବାଧୀନତା ସ˚ଗ୍ରାମର ପଞ୍ଚସ୍ତରି ବର୍ଷ ପୂର୍ତ୍ତି ଉପଲକ୍ଷେ, ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନ ଅବସରରେ ‘ଇଣ୍ତିଆନ୍‌ କାଉନ୍‌ସିଲ ଅଫ୍‌ ହିଷ୍ଟ୍ରିକାଲ ରିସର୍ଚ’ ବା ‘ଆଇ.ସି.ଏଚ.ଆର୍‌’ଙ୍କ ପକ୍ଷରୁ ଯେଉଁ ଡିଜିଟାଲ ପୋଷ୍ଟର ଉନ୍ମୋଚିତ ହୋଇଛି, ତହିଁରେ ଭାରତ ଲାଗି ସ୍ବାଧୀନତା ଆଣିବାରେ ଅଗ୍ରଦୂତ ସାଜିଥିବା ଆଠ ଜଣ ମହାରଥିଙ୍କ ଫଟୋ ଏକ ଫୁଲର ପାଖୁଡ଼ା ତୁଲ୍ୟ ବୃତ୍ତାକାରରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥାଏ। ତହିଁରେ ଯେଉଁମାନେ, ବାମରୁ ଡାହାଣ କ୍ରମରେ ସ୍ଥାନ ପାଇଛନ୍ତି, ସେମାନେ ହେଲେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବି.ଆର. ଆମ୍ବେଦକର, ବୀର ସବରକର, ସହିଦ ଭଗତ ସି˚ହ, ପଣ୍ତିତ ମଦନ ମୋହନ ମାଲବ୍ୟ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବ˚ ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଏମାନଙ୍କ ମଧୢରେ ଯେଉଁ ଜଣେ ବ୍ୟକ୍ତି ସ୍ଥାନ ନ ପାଇ, ତଦ୍ଦ୍ବାରା ସୃଷ୍ଟ ଶୂନ୍ୟ ସ୍ଥାନ ଦ୍ବାରା ଅଧିକ ପ୍ରାଞ୍ଜଳ ଭାବେ ଦୃଶ୍ୟମାନ ହୋଇଥାଆନ୍ତି, ସେ ହେଉଛନ୍ତି ପଣ୍ତିତ ନେହରୁ।’

ସେଦିନ ‘ସମ୍ବାଦ’ର ସ˚ପାଦକ ମହୋଦୟ ତମାମ ଦେଶର ଅସ˚ଖ୍ୟ ସୁଧୀ, ବିଦଗ୍‌ଧ ଓ ବିଦ୍ବାନ ପାଠକ ବନ୍ଧୁଙ୍କର ମନୋବ୍ୟଥାକୁ ଚମତ୍କାର ଶୈଳୀରେ ଉପସ୍ଥାପନା କରିଥିଲେ। ଉପର ଉଦ୍ଧୃତା˚ଶର ଶେଷ ବାକ୍ୟଟି ଥିଲା ଅତ୍ୟନ୍ତ ଶକ୍ତିଶାଳୀ; ବିଭିନ୍ନ ଦିଗରୁ। ପ୍ରଥମତଃ ଏହା ସ୍ବାଧୀନ ଭାରତର ଇତିହାସକୁ ଗୋଟିଏ ତଥ୍ୟଗତ ବିକୃତିରୁ ରକ୍ଷା କରିଥିଲା। ଦ୍ବିତୀୟରେ ବ୍ୟବସ୍ଥାର ଶିଖରରେ ଅଧିଷ୍ଠିତ ଥିବା ଉଚ୍ଚ ପଦାଧିକାରୀମାନଙ୍କର ଦାସ-ସୁଲଭ ଦୁର୍ବଳତାକୁ ଏହା ଧରା ପକାଇ ଦେଇଥିଲା। ତୃତୀୟରେ ଏହା ଦର୍ଶାଇଥିଲା କିଭଳି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧୢ ତାଙ୍କ ଫଟୋକୁ ନିଶ୍ଚିହ୍ନ ବା ହତ୍ୟା କରିବାର ଉଦ୍ୟମ। କିନ୍ତୁ ‘ସୂର୍ଯ୍ୟ ଲୁଚେ ନାହିଁ ବାଦଲ ଉହାଡ଼େ’ ଭଳି ନେହରୁ ପ୍ରକାଶ୍ୟ ହୋଇଗଲେ।

ଏହି ବିଜ୍ଞାପନ ଦେଖି ଯଦି ପିଲାମାନେ ସ୍କୁଲ ବା କଲେଜରେ ସେମାନଙ୍କ ଶିକ୍ଷକମାନଙ୍କୁ ଏ ନେଇ ପ୍ରଶ୍ନ କରିଥିବେ, ତେବେ କ’ଣ ଉତ୍ତର ଦେଇଥିବେ ସେମାନେ? ହାୟ! ବ୍ୟକ୍ତି ସ୍ତରର ବିଦ୍ବେଷ ଆଜି କେଉଁ ସ୍ତରରେ ପହଞ୍ଚିଛି!

ସମକାଳୀନ ପୃଥିବୀ ଅଗଣାରେ ବିଶିଷ୍ଟ ଡେଙ୍ଗା ମଣିଷମାନଙ୍କ ମଧୢରେ ଯିଏ ପ୍ରାଚ୍ୟ ଭୂଖଣ୍ତର ସବୁଠାରୁ ଅଧିକ ଡେଙ୍ଗା ମଣିଷ ଭାବେ ବିଶ୍ବରେ ସ୍ବୀକୃତ, ତାଙ୍କୁ ଆଜି ଆପଣା ଅଗଣାରେ ପାଳଭୂତ ଭଳି ରଖି ଦିଆଯାଇଛି। କବି ‘ବଳଦେବ ରଥ’ଙ୍କ ଭାଷାରେ ‘ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ’ ହେବ ସିନା!

ପଣ୍ତିତ ଜଵାହରଲାଲ ନେହରୁଙ୍କ ଧରାବସାନର କେଇ ମାସ ପରେ ୧୯୬୪-୬୫ ମସିହାର ଗୋଟିଏ ଶରତ-ସନ୍ଧ୍ୟାରେ, କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଇତିହାସ ବିଭାଗ ତାହାର ଗୋଟିଏ ସେମିନାର ଖୋଲା ମଞ୍ଚରେ ଆୟୋଜନ କରିଥାଏ। ମୁଖ୍ୟବକ୍ତା ଥାଆନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଡକ୍ଟର ମନ୍ମଥନାଥ ଦାସ। ଲେଖକ ସେମିନାରର ଚେୟାରପର୍ସନ ଭାବେ ମଞ୍ଚ ପରିଚାଳନାର ସୌଭାଗ୍ୟ ଲାଭ କରିଥାଏ। ସେଠାରେ ଦିବ˚ଗତ ଜଵାହରଙ୍କ ବ୍ୟକ୍ତିତ୍ବ ପ୍ରସଙ୍ଗରେ ଡକ୍ଟର ଦାସ ଇ˚ରେଜୀରେ ଯାହା କହିଥିଲେ ତାହାର ଓଡ଼ିଆ ଭାଷାନ୍ତର ଏହିପରି: ‘ସମ୍ରାଟମାନେ ସହସା ଅନ୍ତର୍ହିତ ହୋଇଯାଆନ୍ତି। ନଚେତ୍‌ ମନ୍ଥର ମୃତ୍ୟୁ ସେମାନଙ୍କ ମୂଲ୍ୟ ହ୍ରାସ କରନ୍ତା। ସେମାନେ ସମୟ ସହିତ ବଦଳୁଥିବା କେତେକ ଅନିବାର୍ଯ୍ୟତାକୁ ଗ୍ରହଣ କରିପାରନ୍ତି ନାହିଁ, କିନ୍ତୁ ତା’ ଆଗରେ ଆତ୍ମସମର୍ପଣ ମଧୢ କରନ୍ତି ନାହିଁ।’

ତାହା ଏକ ଐତିହାସିକ ସତ୍ୟ। ସ୍ବାଧୀନତା ପ୍ରାପ୍ତିର ପରେ ପରେ ରାଷ୍ଟ୍ର ନିର୍ମାଣରେ ନେହରୁଙ୍କ ଭୂମିକା ତାଙ୍କୁ ଯେଉଁ ଉଚ୍ଚତା ଦେଇଥିଲା ତାକୁ ମାପିବାକୁ ସା˚ପ୍ରତିକ ବାଙ୍ଗର ସମାଲୋଚକଙ୍କ ବୌଦ୍ଧିକ ସାମର୍ଥ୍ୟ କାହିଁ? ଜଣେ ନେହରୁ ଥିଲେ ବୋଲି ଭାରତବର୍ଷର ଭୂଗୋଳକୁ ଆଜି ଏହିପରି ଭାବେ ଆମେ ପାଇଛୁ। ଏହିପରି ଇତିହାସ, ସା˚ସ୍କୃତିକ ଜୀବନ ଓ ରାଜନୀତି ପାଇଛୁ। ସମାଜ ଜୀବନରେ ଧର୍ମ ନିରପେକ୍ଷତା ନ ଥିଲେ, ଆମ ଉପନିଷଦ୍‌ର ବାଣୀ ‘ବସୁଧୈବ କୁଟୁମ୍ବକମ୍‌’ କେଉଁଠି ଥାଆନ୍ତା? ଜଣେ ନେହରୁ ଥିଲେ ବୋଲି ତାହା ଆମକୁ ଦେଇଗଲେ। ସ୍ବାଧୀନତା ପରେ ଗଢ଼ି ଉଠିଥିବା ଏପରି କୌଣସି ବିଶିଷ୍ଟ ସାମାଜିକ, ରାଜନୈତିକ, ସା˚ସ୍କୃତିକ, ଅର୍ଥନୈତିକ, ଶୈକ୍ଷିକ ଓ ଶୈଳ୍ପିକ ଅନୁଷ୍ଠାନ ନ ଥିବ, ଯାହାର ଜନ୍ମ ପଛରେ ଜଵାହର ନ ଥିବେ। କେବଳ ସେତିକି ନୁହେଁ, ଭାରତର କପାଳ ଉପରକୁ ଯେତେ ସବୁ ଦୁର୍ଯୋଗ ଆସିଥିଲା, ‘ଜଣେ ନେହରୁ’ ସେ ସବୁକୁ ଛାତି ଦେଖାଇ ସମ୍ଭାଳି ନେଇଥିଲେ। ସେ ଦିନ ଡକ୍ଟର ମନ୍ମଥନାଥ ଦାସ ଶେଷରେ କହିଥିଲେ: ସେପରି ମଣିଷ ‘ଜନ୍ମ ହୋଇନଥା‘ନ୍ତି, ଅବତରି ଆସିଥାଆନ୍ତି।’

ତୁଚ୍ଛା ଈର୍ଷା କାରଣରୁ ପ୍ରତିଭାଧର ବ୍ୟକ୍ତିମାନଙ୍କର ଶତ୍ରୁ ସ˚ଖ୍ୟା ଅଧିକ ଥାଏ। ନେହରୁଙ୍କ କ୍ଷେତ୍ରରେ ମଧୢ ତାହା ଥିଲା। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନଟିକୁ ଭାରତ ସ୍ବାଧୀନତା ପାଇବାର ଦିନ ଭାବେ ସ୍ଥିର ହୋଇଯାଇଥାଏ। ବଡଲାଟ୍‌ଙ୍କ ଦପ୍ତରରୁ ଏ କଥା ନେତାମାନେ ଭିତିରି ସୂତ୍ରରୁ ଜାଣି ସାରିଥାଆନ୍ତି। ଜଵାହରଲାଲ ପ୍ରଧାନମନ୍ତ୍ରୀ ହେବେ ବୋଲି କାନ ବାଟେ କଥା ଚାଲୁଥାଏ। ଏଥିରେ ଘୁନ୍ଦଳ ପୂରାଇବା ଉଦ୍ୟମ କରାଯାଇଥିଲା। ଅଗଷ୍ଟ ୭ ତାରିଖ ଦିନ ଶିଳ୍ପପତି ସେଠ୍‌ ରାମକୃଷ୍ଣ ଡାଲ୍‌ମିଆ, ଯିଏ କି ଗୋ-ବଧ ନିଷେଧ ପାଇଁ ହିନ୍ଦୁ ଜାଗରଣ ମଞ୍ଚ ଗଢ଼ି ଅର୍ଥ ଓ ପରାମର୍ଶ ଦେଉଥିଲେ, ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ସାଙ୍ଗରେ ନେଇ ଏକ ସଭା କରିବାକୁ ଜାତୀୟ କ˚ଗ୍ରେସ ଅଫିସ୍‌କୁ ଅନୁମତି ମାଗିଲେ। ନେହରୁଙ୍କୁ ଅଡୁଆରେ ପକାଇବା ଥିଲା ଅସଲ ଉଦ୍ଦେଶ୍ୟ। କ˚ଗ୍ରେସର ସାଧାରଣ ସ˚ପାଦକ ଭାବେ ନେହରୁ ସେ ଦିନ ରାଜେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖିଥିଲେ ଯେ ସେହି ସଭାରେ କ˚ଗ୍ରେସର ଯୋଗ ଦାନ ରହିବ ନାହିଁ। କାରଣ ସଭା ଦ୍ବାରା ବାର୍ତ୍ତା ଯିବ ଯେ କ˚ଗ୍ରେସ ଧର୍ମ ନିରପେକ୍ଷ ନୁହେଁ। ଗାନ୍ଧୀଜୀଙ୍କ ହସ୍ତକ୍ଷେପ ଫଳରେ କଥା ସେହି ଠାରେ ଅଟକିଥିଲେ ବି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଗୋଷ୍ଠୀ ଦ୍ବାରା ନେହରୁ ଜଣେ ‘େଵଷ୍ଟର୍ଣ୍ଣ ବିଫ୍‌ ଇଟର’ (ଗୋ-ମା˚ସ ଭକ୍ଷୀ) ବୋଲି ପ୍ରଚାରିତ ହେଲେ। ଏହି ସଭା ଡାକିବାର ଚକ୍ରାନ୍ତର ଅନ୍ତରାଳରେ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଚ୍ଛନ୍ନ ଥିଲା ବୋଲି ଶୁଣାଯାଇଥିଲା। କ˚ଗ୍ରେସରେ ଥିବା ମୁସଲମାନ ସଦସ୍ୟଙ୍କୁ ନେହରୁଙ୍କ ଠାରୁ ଛିନ୍ନ କରିଦେଲେ, ସେ ପ୍ରଧାନମନ୍ତ୍ରୀ ହୋଇ ପାରି ନ ଥାନ୍ତେ। ପ୍ରଧାନମନ୍ତ୍ରୀ ପଦଟି ସର୍ଦ୍ଦାର ପଟେଲଙ୍କ ସ୍କନ୍ଧ ଉପରେ ନ୍ୟସ୍ତ ହୋଇଥାଆନ୍ତା।

୧୯୪୭ ମସିହାରେ ରାଜାମାନଙ୍କ ଇଷ୍ଟେଟ୍‌କୁ ଭାରତ-ୟୁନିୟନ ସହ ମିଶ୍ରଣ କରାଇ ଦିଆଯିବା ପରେ ମୁକୁଟ ବିନିମୟରେ ସେମାନଙ୍କୁ ‘ପ୍ରିଭି ପର୍ସ’ ହାତପାଣ୍ଠି ଦିଆଯାଉଥିଲା। ତାହାକୁ ଟ୍ୟାକ୍‌ସ ଫ୍ରି କରିବାକୁ ମାନ୍ୟବର ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲ ୧୯୪୯ ମସିହାରେ କ୍ୟାବିନେଟ୍‌ରେ ପ୍ରସ୍ତାବ ରଖିଥିଲେ। ସେମାନଙ୍କୁ ସେଇ ସୁବିଧା ଦେବା ପାଇଁ ସେ ବ୍ୟକ୍ତିଗତ ଭାବରେ କାଳେ ପ୍ରତିଶ୍ରୁତି ଦେଇଥିଲେ। ଭାରତର ତତ୍କାଳୀନ ଦାରୁଣ ଆର୍ଥିକ ଅବସ୍ଥା ଭିତରେ ସେମାନଙ୍କୁ ୪.୬୬ କୋଟି ଟଙ୍କା ରାଷ୍ଟ୍ରର ଟିକସଦାତାଙ୍କ ଅର୍ଥରୁ ଦିଆଯାଉଥିଲା। ତେଣୁ ନେହରୁ ଓ ବହୁସ˚ଖ୍ୟକ କ୍ୟାବିନେଟ୍‌ ମନ୍ତ୍ରୀ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ।

ଏହି ପରିପ୍ରେକ୍ଷୀରେ ‘ଆଇନ ଆଗରେ ସମସ୍ତେ ସମାନ’ ନୀତି ସହିତ ସରକାର କୌଣସି ପରିସ୍ଥିତିରେ ସାଲିସ କରିପାରିବେ ନାହିଁ ଭଳି ଉତ୍ତରରେ କାଳେ ସର୍ଦ୍ଦାର ପଟେଲ କିଛି ପ୍ରତିକ୍ରିୟା ପ୍ରକାଶ ନ କରିଥିଲେ ବି ତାଙ୍କ ମୁହଁରେ ଅସନ୍ତୋଷର ସ୍ପଷ୍ଟ ଚିହ୍ନ ଥିଲା। ତାଙ୍କ ଲବିର ଥିବା ପ୍ରାୟ ସବୁ ରାଜା ସଦନର ସଦସ୍ୟ ଥିଲେ ଏବ˚ ଏତାଦୃଶ ନିଷ୍ପତ୍ତିରେ ସେମାନେ ଅସୁଖୀ ଥିଲେ। ଶୁଣିବାକୁ ମିଳିଥିଲା ଯେ ରାଜାମାନେ ଯୁଦ୍ଧର ସାମ୍ମୁଖ୍ୟ ବଦଳାଇ ଥିଲେ। ସେମାନଙ୍କୁ ଯଥେଷ୍ଟ କମ୍‌ କ୍ଷତିପୂରଣ ଦିଆଯାଇଛି ବୋଲି ଅଭିଯୋଗ ନେଇ ସେମାନେ ସର୍ବୋଚ୍ଚ ଅଦାଲତକୁ ଯାଇଥିଲେ। ୧୯୫୫ ମସିହାରେ ଜଵାହରଲାଲଙ୍କ ସରକାର ଏଥି ଯୋଗୁଁ ସମ୍ବିଧାନରେ ପ୍ରଥମ ସ˚ଶୋଧନ ଆଣି ଇଷ୍ଟେଟ ସମୂହ ରାଷ୍ଟ୍ର ନିର୍ମାଣ ପାଇଁ ଅନିବାର୍ଯ୍ୟ ହୋଇଥିବା ଦର୍ଶାଇଥିଲେ ଏବ˚ ସ˚ପତ୍ତିର ଅଧିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ୍‌ ଦେଇଥିଲେ। ଫଳତଃ ରାଜାମାନେ ଅଦାଲତରେ ହାରି ଯାଇଥିଲେ। ସେମାନେ ସେବେ ଠାରୁ ପଣ୍ତିିତ ଜଵାହରଙ୍କ ବିରୋଧ କରିବା ଲାଗି ‘ସ୍ବତନ୍ତ୍ର ଦଳ’ ‘ଗଣତନ୍ତ୍ର ପରିଷଦ’, ଭଳି ରାଜନୈତିକ ଦଳମାନ ଗଢ଼ିଥିଲେ। ମାଉଣ୍ଟବ୍ୟାଟେନ ଇ˚ଲଣ୍ତ ଫେରିବା ପରେ ଅସ୍ଥାୟୀ ଭାବେ କାମଚଳା ରାଷ୍ଟ୍ରପତି ହୋଇଥିଲେ ରାଜାଜୀ। ସେ ଥିଲେ ରାଷ୍ଟ୍ରପତି ପଦ ପାଇଁ ଅତ୍ୟନ୍ତ ଯୋଗ୍ୟ। କିନ୍ତୁ ସେ ଜଵାହରଙ୍କ ପସନ୍ଦର ବ୍ୟକ୍ତି ହୋଇଥିବାରୁ ଜଵାହରଙ୍କ ବିରୋଧୀ ସଦସ୍ୟ ଭୋଟରମାନେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ବିପକ୍ଷ ପ୍ରାର୍ଥୀ ଭାବରେ ଲଢ଼ାଇ ଜିତାଇ ଦେଇଥିଲେ। ସ˚ସଦରେ ଜଵାହରଙ୍କୁ ଯୁକ୍ତିରେ ହରାଇବାରେ ଅସମର୍ଥ ହେଉଥିବାରୁ ସେମାନଙ୍କ ମଧୢରେ ଗୋଟିଏ ଅଘୋଷିତ ମେଣ୍ଟ ହୋଇଥଲା। ମାତ୍ର ଜଵାହର କୌଣସି ଚାପ ଆଗରେ ମୁଣ୍ତ ନୁଆଉଁ ନ ଥିଲେ। ଦେଶର ଜନଗଣଙ୍କର ତାଙ୍କ ପ୍ରତି ବିପୁଳ ଶ୍ରଦ୍ଧା ଥିଲା ତାଙ୍କ ସାହସର ଉତ୍ସ।

ଦ୍ବିତୀୟ ପୃଥିବୀ ଯୁଦ୍ଧରେ ବ୍ରିଟେନକୁ ସାହାଯ୍ୟ ଦେବା ପାଇଁ ବ୍ରିଟିସ୍‌ ସରକାର ଭାରତର ସ୍ବାଧୀନତା ସ˚ଗ୍ରାମୀ ନେତାମାନଙ୍କୁ ଅନୁରୋଧ ଜଣାଇଥିଲେ। ପ୍ରତିଶ୍ରୁତି ଥିଲା ଯେ ଯୁଦ୍ଧର ଅବସାନ ପରେ ପରେ ଭାରତକୁ ସ୍ବାଧୀନତା ଦିଆଯିବ। ସେ ସମୟରେ ବ୍ରିଟେନ୍‌ର ନିର୍ବାଚନରେ ଉଇନ୍‌ଷ୍ଟନ ଚର୍ଚ୍ଚିଲ ହାରି ଯାଇଥିଲେ। ସେ ଥିଲେ ଉପମହାଦେଶକୁ ସ୍ବାଧୀନତା ଦେବାର ଘୋର ବିରୋଧୀ। ଦ୍ବିତୀୟ ସେ ସମୟରେ ବଡଲାଟ ଆରଚିବାଲ୍‌ଡ ଵାଭେଲ ମଧୢ ଉପମହାଦେଶରେ ବିଭିନ୍ନ ଖେଳ ପୂରାଇ ସ୍ବାଧୀନତା ନ ଦେବା ମତଲବ୍‌ରେ ଥିଲେ। ସେହି କାରଣରୁ ଭାରତକୁ ସ୍ବାଧୀନତା ଦେବାକୁ ପ୍ରତିଶ୍ରୁତିବଦ୍ଧ ବ୍ରିଟେନ୍‌ର ରାଜା ସାହେବ ନୂଆ ପ୍ରଧାନମନ୍ତ୍ରୀ ଆଟଲିଙ୍କ ସହିତ ବିଚାର ବିମର୍ଶ କର ଲର୍ଡ ଲୁଇ ମାଉଣ୍ଟ ବ୍ୟାଟେନଙ୍କୁ ଉପମହାଦେଶର ବଡଲାଟ କରି ପଠାଇଥିଲେ। ଉପମହାଦେଶର ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଜଟିଳ ଓ ଦୂରତିକ୍ରମଣୀୟ ଥିଲା ବୋଲି ତୁରନ୍ତ ନିଷ୍ପତ୍ତି ନେବା ପାଇଁ ତାଙ୍କୁ ‘ପ୍ଲେନିପୋଟେନସିଆରି’ (plenipotentiary) କ୍ଷମତା ଅର୍ପଣ କରାଯାଇଥିଲା। କିନ୍ତୁ ବିଭିନ୍ନ ନେତାଙ୍କ ସହିତ ଅନେକ ଆଲୋଚନା ପରେ କୌଣସି ଏକ ନିର୍ଦ୍ଦିଷ୍ଟ ବାଟ ନ ପାଇବାରୁ ବଡଲାଟ ମାଉଣ୍ଟବ୍ୟାଟେନ ବାଧୢ ହୋଇ ତାଙ୍କର ‘ହାରୋ’ ଓ ‘କେମ୍ବ୍ରିଜ’ ବନ୍ଧୁ ନେହରୁଙ୍କ ଉପରେ ଭରସା ରଖିଥିଲେ। ପୂର୍ବ ବଡ଼ଲାଟ ଵାଭେଲଙ୍କ ଯୋଜନା ଅନୁସାରେ ଉପମହାଦେଶ ସ୍ବାଧୀନ ହୋଇଥିଲେ ତାହା ଖଣ୍ତ ଖଣ୍ତ ରାଜ୍ୟଙ୍କ ମଧୢରେ ଅସରନ୍ତି ଯୁଦ୍ଧ ଓ ରକ୍ତସ୍ନାନର କାରଣ ହୋଇଥାଆନ୍ତା। କିନ୍ତୁ ଜଵାହରଙ୍କର ପରାମର୍ଶରେ ମହାରାଣୀ ଭିକ୍‌ଟୋରିଆଙ୍କ ନାତି ମାଉଣ୍ଟ ବ୍ୟାଟେନ୍‌ ଯେଉଁ ରାସ୍ତା ପାଇଲେ ତାହା ଆଜିର ଭାରତକୁ ଏହି ପୃଥିବୀରେ ରୂପ ଦେଇଥିଲା। ସେଦିନ ବି ଜଣେ ଜଵାହର ନ ଥିଲେ ସମଗ୍ର ଉପମହାଦେଶ ଶୋଣିତର ବନ୍ୟା ଦେଖି ଚାଲିଥାଆନ୍ତା।

ଆଇ.ସି.ଏଚ୍‌.ଆର‌୍‌ଙ୍କ ଅଷ୍ଟ ମହାରଥିଙ୍କ ମଧୢରେ ଜଣେ ଜଵାହର ଥିବା ନ ଥିବା ବ୍ୟକ୍ତିଗତ ସ୍ତରର ପ୍ରଶ୍ନ ନୁହେଁ। ଏଥିସହିତ ଜଡ଼ିତ ହୋଇ ରହିଛି ଗୋଟିଏ ଜାତିର ସ୍ବାଧୀନତା ପ୍ରାପ୍ତି ଓ ନବନିର୍ମାଣ ପର୍ବର ଇତିହାସ। ଜଣେ ଲୋକ ୧୦ ବର୍ଷ ବୟସରେ ହାରୋକୁ ପଢ଼ିବାକୁ ଗଲେ। ସେଠାରେ ପଢ଼ିଲେ ୭ ବର୍ଷ। ତାହାପରେ କେମ୍ବ୍ରିଜରେ ୧୦ ବର୍ଷ। ୨୭ ବର୍ଷ ବୟସରେ ସେଠାରୁ ଫେରି ବାଳ ଗଙ୍ଗାଧର ତିଳକ ଓ ଆନି ବେସାନ୍ତଙ୍କ ‘ପ୍ରୋଭିନସିଆଲ ହୋମ ରୁଲ’ ଲିଗ୍‌ର ଜଏଣ୍ଟ ସେକ୍ରେଟାରି ଭାବେ ଯୋଗ ଦେଲେ। ଆନ୍ଦୋଳନଟି ଚରମପନ୍ଥୀ ଦର୍ଶନର ଥିବାରୁ ତାଙ୍କ ଓକିଲ ବାପା ଶଙ୍କିତ ହୋଇପଡ଼ିଥିଲେ। ତେଣୁ ସେ ବିପିନ ଚନ୍ଦ୍ର ପାଲଙ୍କ ମଧୢସ୍ଥତାରେ ପୁଅକୁ ବୁଝାଇ ଫେରାଇ ଥିଲେ। ତା’ପରେ ସେ କ˚ଗ୍ରେସର ଅହି˚ସ ଆନ୍ଦୋଳନରେ ଯୋଗ ଦେଲେ ବାଙ୍କିପୁର କ˚ଗ୍ରେସ ସମ୍ମିଳନୀରେ ୧୯୧୨ ମସିହାରେ। ପ୍ରକାଶ ଥାଉ କି ଦକ୍ଷିଣ ଆଫ୍ରିକାରୁ ଫେରି ଗାନ୍ଧୀଜୀ କ˚ଗ୍ରେସରେ ଯୋଗ ଦେଲେ ୧୯୧୫ ମସିହାରେ। ସୁତରା˚, ଉପଯୁକ୍ତ ପ୍ରେକ୍ଷାପଟରୁ ତଥ୍ୟ ସାଉଁଟିବା ପରେ ଆମେ ନିର୍ଣ୍ଣୟରେ ପହଞ୍ଚି ଥାଉ ଯେ ସମସାମୟିକ ଆଗ ଧାଡ଼ିର ସ୍ବାଧୀନତା ସ˚ଗ୍ରାମୀମାନଙ୍କ ମଧୢରେ ଜଵାହରଲାଲ ସଦୈବ ଜ୍ୟେଷ୍ଠତ୍ବ ଓ ଶ୍ରେଷ୍ଠତ୍ବ ଉପରେ ଦାବି ରଖନ୍ତି। ସେ ବାବଦରେ ସ˚ଶୟର ଅଣୁମାତ୍ର ଅବକାଶ ନ ରହୁ।

ମୋ-୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର