ଫୁଟ୍ବଲ ଓ ମଦନା
ସତ୍ୟନାରାୟଣ ଗନ୍ତାୟତ
ଅଚାନକ ମଦନା ଆସି ତା’ ସ୍ୱଭାବ ସୁଲଭ ହିଃ ହିଃ ହସ ସୁରୁ କରିବା ମାତ୍ରେ ସତ୍ୟେନ୍ଦୁ ସମଝି ଗଲା ଯେ ତା’ ସହାୟତା ଲୋଡୁଚି ସେ। ସତ୍ୟେନ୍ଦୁ ବ୍ୟାଙ୍କ୍ ଚାକିରି ଆରମ୍ଭ କଲା ଦିନୁ ଜାଣେ ମଦନାକୁ। ଅଫିସର ପ୍ରମୋସନ ପରେ ଦି ବର୍ଷ ପାଇଁ ବାହାର ବ୍ରାଞ୍ଚ୍କୁ ସେ ଯିବା ସମୟତକ ଛାଡ଼ି ଦୁହେଁ ଏକତ୍ର କାମ କରି ଆସୁଛନ୍ତି। ଏହା ଭିତରେ ମଦନା ବି ସୁଇପର୍ରୁ ଆଟେଣ୍ଡାଣ୍ଟ ହୋଇ ଯାଇଛି। ଆଉ ବର୍ଷ କେଇଟା ପରେ ରିଟାୟାର କରିବ। ବଡ଼ ଅଜବ କିସମର ମଣିଷ। ବିନା କାରଣରେ ବି ହସୁଥିବ। କ’ଣ ନାଇଁ କ’ଣ ଗପି ଚାଲିଥିବ। ଏବେ ବୟସ ବଢ଼ିବା ସହ ଗୋଟେ ନୂଆ ଲକ୍ଷଣ ବି ବାହାରିଚି ତା’ଠି, ସେଇ ସେଇ କଥା ଥରକୁ ଥର କହି ଚାଲିଥିବ କେତେ ନା କେତେ ଢଙ୍ଗରେ। ବ୍ୟାଙ୍କ୍କୁ ନୂଆ ଷ୍ଟାଫ୍ ଆସିଲେ ସେମାନଙ୍କ ଆଗରେ ଉପରେ ପଡ଼ି ଅନର୍ଗଳ ଗପି ଚାଲିବ ଯେ ସେ କେମିତି ଜଣେ ନାମଜାଦା ଫୁଟ୍ବଲ ଖେଳାଳି! ତାକୁ ନିଜ ପଟକୁ ନେବାକୁ ବଡ଼ ବଡ଼ ଟିମ୍ମାନେ ଯେତେ ଧରାପରା ହେଲେ ବି ସେ କେମିତି ଜୀବନ ଯାକ ତା’ ନିଜ ସହରର ‘ଏକ ନମ୍ବର ଟାଉନ ଟିମ୍’ ପାଇଁ ହିଁ ଖେଳି ଆସିଚି ଇତ୍ୟାଦି।
Sambad is now on WhatsApp
Join and get latest news updates delivered to you via WhatsApp
ତ ସେ ଦିନ ‘କ’ଣ ଅସୁବିଧା ହେଇଚି କି ମଦନା? ଠିଆ ହେଲ ଯେ?’ ବୋଲି ସତ୍ୟେନ୍ଦୁ ପଚାରିବା ମାତ୍ରକେ ମଦନା ଖୋଲିଦେଲା ତା’ କଥା ପେଡ଼ି।
କହିଲା : ସାର୍ ଏତେ ମାସ ପରେ ଏବେ ଗୋଟେ ଫ୍ରେଣ୍ଡ୍ଲି ମେଚ୍ ହେଉଚି। ମୋତେ ରେଫରି ଭାବେ ଡାକିଛନ୍ତି। ସବୁ ମ୍ୟାଚ୍ ପାଇଁ ଡାକିଥିଲେ ବି ମୁଁ ଟାଇମ୍ ହବନି କହି ମନା କରିଦେଲି। ଶୁକ୍ରବାର ଫାଇନାଲ୍। ସେଦିନ ଟିକେ ଆଗରୁ ଅଫିସ୍ରୁ ଯିବାକୁ ହେବ ସାର୍। ଆପଣ ସିନା ମୋତେ ଜାଣନ୍ତି, ହେଲେ ନୂଆ ଇନଚାର୍ଜ ସାର୍ କ’ଣ ବିଶ୍ୱାସ କରିବେ ଯେ ଏହି ମଦନା ଦିନେ ‘ଏକ ନମ୍ବର ଟାଉନ ଟିମ୍’ର କ୍ୟାପ୍ଟେନ ଥିଲା ଓ ଫୁଲ୍ ବ୍ୟାକ୍ ହୋଇ ଏମିତି ଖେଳୁଥିଲା ଯେ ବଲ୍ ତା’ଠି ଧକ୍କା ଖାଇ ଫେରି ଯାଉଥିଲା!
ହେଲେ ମଦନା ତମେ ପରା ଆଜିକାଲି ଆଉ ଖେଳୁନା? ପଚାରିଲା ସତ୍ୟେନ୍ଦୁ।
ମୁଁ ଏବେ ଖେଳଉଚି ସାର୍। ମୁଁ ରେଫରି ପରା! ଦି ଟିମ୍ରେ ଖେଳୁଥିବା ପ୍ଲେୟାର୍ମାନଙ୍କ ସାହି ଟୋକାମାନେ କ’ଣ କମ୍ କି ସାର୍? ସେମାନେ ମହା ଝମେଲା କରିବେ ଗେମ୍ରେ ଟିକେ ଏପଟ ସେପଟ ହେଲେ। ଝଗଡ଼ା ବୋଇଲେ ଝଗଡ଼ା ଲାଗିଯିବ ସାହି ସାହି ଭିତରେ। ତେଣୁ କ୍ଲବ୍ ବାଲା ଓ କୋଚ୍ ସମସ୍ତେ ମୋତେ ଲୋଡୁଚନ୍ତି। କାଇଁକି କହିଲେ? ମୋ କଥା ସବୁବେଳେ କାରାକ୍ଟ! କିଏ କାଟି ପାରିବେନି। ଟିକେ ଆମ ନୂଆ ଇନଚାର୍ଜ ସାର୍ଙ୍କୁ କହି ଦିଅନ୍ତୁ ସାର୍!
ଅଗତ୍ୟା ସତ୍ୟେନ୍ଦୁ ଇନ୍ଚାର୍ଜଙ୍କ ଚାମ୍ବରକୁ ଯାଇ ଏସବୁ କହନ୍ତେ ସେ ଡକାଇଲେ ମଦନାକୁ। ‘ଆରେ ବାଃ, ମଦନା ତା’ ହେଲେ ଫୁଟ୍ବଲର୍! ଠିକ୍ ଅଛି, ଫାଇନାଲ ଦିନ ଯିବ ତା’ ହେଲେ!’
‘ଆଚ୍ଛା ମଦନା, ତମେ ସିନା ରେଫରି, ହେଲେ ତମ ନିଜ ଟିମ୍ର ଖେଳ କେମିତି ଚାଲିଛି ଆଜିକାଲି? ’ ପଚାରି ଦେଲେ ଇନଚାର୍ଜ ସାର୍।
ମଦନା ଏବେ ତା’ ସମ୍ଭ୍ରମତାର ଖୋଳପାକୁ କାଢ଼ି ଫୋପାଡ଼ି ପକାଇଲା।
ଗପି ଚାଲିଲା, ‘ଠିକ୍ ପଚାରିଲେ ସାର୍! ଏତେ କଷ୍ଟ କରି ନୂଆ ଟୋକା ପ୍ଲେୟାର୍ମାନଙ୍କୁ କୋଚିଂ ଦେଲି, ହେଲେ ରେଗୁଲାର ପ୍ରାକ୍ଟିସ୍ ନ କରି ପାଷାଣ୍ଡଗୁଡ଼ା ଇଆଡ଼େ ସିଆଡ଼େ ପାଙ୍ଗୁଆରେ ବୁଲିଲେ। ଶେଷରେ ଲାଷ୍ଟ ମିନିଟ୍ରେ ଖେଳି ଦେବୁ ବୋଇଲେ ଖେଳ ହବ କି ସାର୍? ସବୁ ବେକାର ହୋଇଗଲା!’
ତା’ର ଏ କଥାରେ ଚକିତ ହୋଇ ‘କାଇଁ କ’ଣ ହେଲା କି?’ ବୋଲି ସେ ପଚାରିବାରୁ ମଦନା ଅଚାନକ ଗମ୍ଭୀର ହୋଇ ଯାଇ କହିଲା : କ’ଣ କହିବି ସାର୍ ସବୁ ଟୁର୍ନାମେଣ୍ଟ୍ରେ ଜିତି କପ୍ ଆଣୁଥିବା ଆମର ଏତେ ଫେମସ୍ ‘ଏକ ନମ୍ବର ଟାଉନ ଟିମ୍’ର ନାଁ ମାଟିରେ ମିଶାଇ ଦେଲେ ଏମାନେ। ଶେଷରେ କଲେଜ ଟିମ୍ର ସାନସାନ ପିଲାମାନଙ୍କ ଆଗରେ ବି ଷ୍ଟେଣ୍ଡ୍ ହେଇ ପାରିଲେନି। ଗୋଲ ପରେ ଗୋଲ ମଣେ ଖାଇ ଖାଇ ଗଧ ପରି ହାରିଗଲେ ସାର୍!
ସେ ଦିନ ସୁଁ ସୁଁ ହୋଇ ସେମିତି ତା’ ଅଜବ ଦୁଃଖମାନ ବଖାଣିଥା’ନ୍ତା ମଦନା, ଯଦି ଇନଚାର୍ଜ ସାର୍ ରୋକ ଲଗାଇ ନ ଥାନ୍ତେ।
‘ତ ଦୁଃଖ କାଇଁକି ମଦନା, ତୁମେ ଏବେ ଜଣେ ନାମଜାଦା ଖେଳାଳି ଭାବେ ରେଫରି ହେଉଚ, ଇଏ ଆମ ପାଇଁ ଗର୍ବ କରିବାର କଥା! ଯାଅ, ଖୁସି ହୁଅ।’
ସାର୍ଙ୍କ ଅନୁମତି ସହ ଏ ସାବାସି ଟିକକ ପାଇବାକୁ ଯେମିତି ଟାକି ରହିଥିଲା ମଦନା। ତ’ ପୁଣି ଥରେ ସ୍ୱାଭାବିକ ହୋଇ ଉଠିଲା ଓ କହିଲା: ଧନ୍ୟବାଦ ସାର୍! ମୁଁ ମୋ ପାଇଁ ଭାବୁନାଇଁ ସାର୍, ଏ ଫୁଟ୍ବଲ ଗେମ୍ ପାଇଁ ଭାବୁଚି। ହେଲେ ଆଉ ଲାଭ ନାଇଁ ସାର୍, ମୁଁ ଠିକ୍ କରି ଦେଇଚି ଏମାନଙ୍କୁ ଛାଡ଼ିଦେବି, ବାସି ପାଣିରେ ବି ପଚାରିବିନି ଆଉ। ବରଂ ପାଖ ଗାଁର ହାଇସ୍କୁଲ୍ରେ ପଢୁଥିବା ସାନସାନ ଝିଅମାନଙ୍କୁ ଏଥର ଫୁଟ୍ବଲ, ବୁଟ୍ ସବୁ ଦେଇ କୋଚିଂ ବି ଦେବି। ସେମାନଙ୍କୁ ନେଇ ଟିମ୍ ତୟାର କରିବି ଆଉ ପ୍ରତି ବର୍ଷ ଟୁର୍ନାମେଣ୍ଟ୍ ବି ହେବ। ମୁଁ ରିଟାୟାର ହେବା ବେଳକୁ ଦେଖିବେ କେମିତି ସେ ଝିଅମାନେ ଆଉ ସେମାନଙ୍କୁ ଦେଖି ଆଖପାଖ ଗାଁର ଝିଅମାନେ ବି ଫୁଟ୍ବଲ ଖେଳି ଷ୍ଟେଟ୍ ଲେଭଲ୍ରେ ନାଁ କରିବେ!
ସବୁବେଳେ ସେଇ ସେଇ ଉଦ୍ଦେଶ୍ୟ ବିହୀନ କଥାମାନ କହି ଆସୁଥିବା ମଦନାର ଏତକ କଥା ଯେ ନିଶ୍ଚେ ଦମଦାରଜାତୀୟ ବୋଲି ଅନୁଭବିବା ବେଳେ ଦେଖାଗଲା ମଦନା ମୁହଁରେ କାହୁଁ ଆସି ପୁଣି ଲାଖି ଯାଇଚି ତା’ର ସେଇ ସ୍ୱଭାବ ସୁଲଭ ହିଃ ହିଃ ହସ!