ଜଣେ ବିବେକୀ କ୍ରିକେଟର୍

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ମୋ’ ପାଇଁ ସବୁଠୁ ସମ୍ମାନାସ୍ପଦ କ୍ରିକେଟର୍‌ଙ୍କର ୭୫ ତମ ଜନ୍ମଦିନ ଗତ ୨୫ ତାରିଖରେ ପଡ଼ିଥିଲା। ପଡ଼ିଆରେ ତାଙ୍କର ଉପଲବ୍‌ଧିକୁ ତ ମୁଁ ଯଥେଷ୍ଟ ପ୍ରଶଂସା କରେ, ତେବେ ପଡ଼ିଆ ବାହାରେ ତାଙ୍କର ବ୍ୟବହାର ମୋତେ ଅଧିକ ଆକର୍ଷିତ କରିଛି। ଜଣେ ଖ୍ୟାତନାମା କ୍ରିକେଟର ହୋଇ ବାସ୍ତବରେ ଜଣେ ଉତ୍ତମ ମଣିଷ ହୋଇଥିବାରେ ସେ ଜଣେ ବିରଳ ଦୃଷ୍ଟାନ୍ତ।

କ୍ରିକେଟ୍‌ ସଂକ୍ରାନ୍ତ ମୋର ପ୍ରମୁଖ ସ୍ମୃତି ଭିତରେ ବିଶେନ୍‌ ସିଂହ ବେଦୀ ଏକଦା ବଲ୍‌ ନ ଧରି ହାତରେ ବ୍ୟାଟ୍‌ ଧରିଥିବାର ଦୃଶ୍ୟ ମୋତେ ବାରମ୍ବାର ରୋମାଞ୍ଚିତ କରି ଆସିଛି। ଅଷ୍ଟ୍ରେଲିଆ ବିରୋଧରେ ୧୯୬୯ ମସିହା ଦିଲ୍ଲୀ ମ୍ୟାଚ୍‌ର ଚତୁର୍ଥ ଦିବସରେ ବେଦୀଙ୍କୁ ‘ନାଇଟ୍‌ ଵାଚ୍‌ମ୍ୟାନ୍‌’ ଭାବେ ପଠାଯାଇଥିଲା ଏବଂ ସେଦିନର ଖେଳ ଶେଷ ପର୍ଯ୍ୟନ୍ତ ସେ ତାଙ୍କ ଵିକେଟ୍‌ ସୁରକ୍ଷିତ ରଖିଥିଲେ। ପରଦିନ ସକାଳେ ସେ ଅଜିତ୍‌ ଵାଦେକରଙ୍କ ସହ ଖେଳର ଦେଢ଼ ଘଣ୍ଟା ଯାଏ ବ୍ୟାଟିଂ କରିଥିଲେ ଯାହା ଏକ ପ୍ରସିଦ୍ଧ ବିଜୟ ପାଇଁ ମୂଳଦୁଆ ପକାଇଥିଲା। ମୋ’ ପରି ଲକ୍ଷ ଲକ୍ଷ କ୍ରିକେଟ୍‌ପ୍ରେମୀ ଉକ୍ତ ମ୍ୟାଚ୍‌ର ପ୍ରତିଟି ବଲ୍‌ ଓ ପ୍ରତିଟି ରନ୍‌କୁ ଅଲ୍‌ ଇଣ୍ଡିଆ ରେଡିଓରୁ ଉପଭୋଗ କରିଥିଲେ।

ତେବେ ବିଶେନ୍‌ ସିଂହଙ୍କ ପରି ମହାନ୍‌ ସ୍ପିନ୍‌ ବୋଲର ହିଁ କ୍ରିକେଟ୍‌ ଇତିହାସରେ ନିଜ ଛାପ ଛାଡ଼ି ଯାଇଥିଲେ। ଟେଷ୍ଟ୍‌ ମ୍ୟାଚ୍‌ ଓ ରଣଜୀ ଟ୍ରଫିରେ ବେଦୀଙ୍କ ବୋଲିଂକୁ ମୁଁ ବହୁବାର ଦେଖିଛି ଏବଂ ତାହା କେବେ ବି ମନରେ କ୍ଳାନ୍ତି ସୃଷ୍ଟି କରି ପାରିନାହିଁ। ବିଶ୍ବର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ଙ୍କ ବିପକ୍ଷରେ ଏବଂ ପ୍ରତି ଵିକେଟ୍‌ରେ ତାଙ୍କ ବୋଲିଂର ଉତ୍କୃଷ୍ଟ ତଥା ଚମତ୍କାର ଶୈଳୀ, ଅଦ୍ବିତୀୟ ନିୟନ୍ତ୍ରଣ, ବଲ୍‌କୁ ଗତି ଓ ଘୂର୍ଣ୍ଣନ ପ୍ରଦାନ କରିବାର ଶକ୍ତି ପାଇଁ ମୁଁ ତାଙ୍କୁ ଅନ୍ତରର ସହ ମନେ ରଖିଛି।

ବେଦୀଙ୍କର ୭୫ ତମ ଜନ୍ମଦିନରେ ତାଙ୍କ କ୍ରିକେଟ୍‌ ଜୀବନକୁ ଏକ ସମାରୋହ ରୂପେ ପାଳନ କରାଯାଇଛି। ‘ଦି ସର୍ଦ୍ଦାର ଅଫ୍‌ ସ୍ପିନ୍‌’ ଶୀର୍ଷକ ପୁସ୍ତକରେ ତାଙ୍କ ସମୟରେ ତାଙ୍କ ସହ ଅଥବା ବିପକ୍ଷରେ ଖେଳିଥିବା କ୍ରିକେଟର, ତାଙ୍କ କ୍ରିକେଟ୍‌ ଜୀବନକୁ ଅନୁଧ୍ୟାନ କରୁଥିବା ଲେଖକ ଏବଂ ତାଙ୍କ ଦ୍ବାରା ପ୍ରେରଣା ଓ ଦିଗ୍‌ଦର୍ଶନପ୍ରାପ୍ତ ଯୁବପିଢ଼ିର ଖେଳାଳିମାନଙ୍କ ଶ୍ରଦ୍ଧାଞ୍ଜଳିଗୁଡ଼ିକୁ ତହିଁରେ ଗୁନ୍ଥା ଯାଇଛି, ଯେଉଁଥିରେ ମୋର ମଧ୍ୟ ଗୋଟିଏ ସ୍ଥାନ ପାଇଛି। ଉକ୍ତ ପୁସ୍ତକଟି ଦିଲ୍ଲୀ ଓପନର ଭେଙ୍କଟ ସୁନ୍ଦରମ୍‌ଙ୍କର ମାନସ ସନ୍ତାନ ଥିଲା, ଯିଏ କି ବେଦୀଙ୍କ ଅଧୀନରେ ବହୁ ବର୍ଷ ଧରି ରଣଜୀ ଟ୍ରଫି ଖେଳିଥିଲେ। ବିଶେଷ କରି ୧୯୭୯-୮୦ରେ ଦିଲ୍ଲୀ ପ୍ରଥମ ଥର ପାଇଁ ଜିତିଥିବା ଚାମ୍ପିଅନ୍‌ସିପ୍‌ରେ ବେଦୀ ହିଁ ପ୍ରେରଣାଦାୟୀ ଅଧିନାୟକ ଥିଲେ, ଯେଉଁଥିରେ ସୁନ୍ଦରମ୍‌ ମଧ୍ୟ ଖେଳିଥିଲେ। ସୁନ୍ଦରମ୍‌ ହିଁ ଏପରି ପୁସ୍ତକର ପରିକଳ୍ପନା କରି ସାରା ବିଶ୍ବରୁ ଲେଖାମାନ ସଂଗ୍ରହ ପୂର୍ବକ ଆବଶ୍ୟକ ଫଟୋଚିତ୍ରଗୁଡ଼ିକ ମଧ୍ୟ ଉପଲବ୍‌ଧ କରାଇବା ସହ ଜଣେ ପ୍ରକାଶକଙ୍କୁ ମଧ୍ୟ ପାଇଥିଲେ। ତେବେ ମଲାଟରେ ତାଙ୍କର ନାମ ନ ରହିବା ହିଁ ଜଣେ ସେଭଳି ବିନମ୍ର ବ୍ୟକ୍ତିର ଶୋଭନୀୟତା ସହିତ ଖାପ ଖାଇଥାଏ।

ବିଶ୍ବବ୍ୟାପୀ କ୍ରିକେଟ୍‌ପ୍ରେମୀମାନଙ୍କ ପାଇଁ ମୁଁ ଆନ୍ତରିକତାର ସହ ‘ଦି ସର୍ଦ୍ଦାର ଅଫ୍‌ କ୍ରିକେଟ୍‌’ ପଢ଼ିବାକୁ ସୁପାରିସ କରୁଛି। ବହିଟିକୁ ମୁଁ ପ୍ରଥମେ ପଢ଼ିଲା ପରେ ବେଦୀଙ୍କ ବିପକ୍ଷରେ ଖେଳିଥିବା ଗ୍ରେଗ୍‌ ଚାପେଲ୍‌ ଓ ମାଇକ୍‌ ବ୍ରେର୍ଲିଙ୍କ ପରି ବିଦେଶୀ ଖେଳାଳି ଏବଂ ବେଦୀଙ୍କ ଦ୍ବାରା ପ୍ରଶିକ୍ଷିତ ତଥା ଉତ୍ସାହିତ ମୁରଲୀ କାର୍ତ୍ତିକ ଓ ଅନୀଲ କୁମ୍ବଲେଙ୍କ ପରି ଭାରତୀୟ ଖେଳାଳିଙ୍କ ଦ୍ବାରା ଲିଖିତ ଆଲେଖ୍ୟ ମୋତେ ବେଶୀ ରୋମାଞ୍ଚିତ କରିଛି। ସେହିପରି ବେଦୀଙ୍କ କ୍ରିକେଟ୍‌ ଜୀବନକୁ ଅନୁଧ୍ୟାନ କରିଥିବା ପତ୍ରକାର ସୁରେଶ ମେନନ୍‌ ଓ କ୍ଲେଟନ୍‌ ମୁର୍ଜେଲାଙ୍କ ଦ୍ବାରା ଲିଖିତ ପ୍ରବନ୍ଧଗୁଡ଼ିକ ଅତ୍ୟନ୍ତ ଅନ୍ତର୍ଦୃଷ୍ଟିସଂପନ୍ନ ହୋଇପାରିଛି।

ଉକ୍ତ ପୁସ୍ତକରେ ଯଦିଓ ମୋ’ ଲେଖାଟି ଜଣେ ବୋଲର ଭାବରେ ବେଦୀଙ୍କୁ ଉପସ୍ଥାପନ କରିଛି, ତେବେ ଏହି ସ୍ତମ୍ଭରେ ଜଣେ ଉଜ୍ଜ୍ବଳ ବ୍ୟକ୍ତିତ୍ବସଂପନ୍ନ ବେଦୀଙ୍କ ବିଷୟରେ ମୁଁ କହିବାକୁ ଚାହିଛି। ସମ୍ପ୍ରତି ଭାରତୀୟ କ୍ରିକେଟ୍‌ରେ ଏହା ଏକ ନିଷ୍ଠୁର ସତ୍ୟ ଯେ ଜଣେ କ୍ରିକେଟର ଯେତେ ମହାନ୍‌, ତାଙ୍କ ଭିତରେ ଥିବା ମଣିଷଟି ସେତେ ସୁବିଧାବାଦୀ ଓ ସମ୍ବେଦନହୀନ। ପ୍ରଭୂତ ସମ୍ପତ୍ତି ଓ ସମ୍ମାନ ଲାଭ କରୁଥିବା କ୍ରିକେଟରମାନେ ଏବେ ବି.ସି.ସି.ଆଇ. ପ୍ରଶାସକମାନଙ୍କ ହାତବାରିସି ହେବା ସହ ରାଜନେତାମାନଙ୍କର ଶୁଭଦୃଷ୍ଟିରେ ରହିବାକୁ ଚାହିଛନ୍ତି ଏବଂ ବ୍ୟକ୍ତିଗତ ନୈତିକତା କି ରାଜନୈତିକ ସିଦ୍ଧାନ୍ତ ପ୍ରସଙ୍ଗରେ କଦାପି ନିଜସ୍ବ ଦୃଷ୍ଟିଭଙ୍ଗୀ ରଖିନଥାନ୍ତି। ବାସ୍ତବରେ ଏପରି କିଛି ହାତଗଣତି ଭାରତୀୟ କ୍ରିକେଟର ଅଛନ୍ତି, ଯେଉଁମାନେ ତିରିଶ କି ଚାଳିଶ ବର୍ଷ ବୟସରେ ଥିବା ବେଳେ ପଡ଼ିଆ ଭିତରେ ଓ ଦୈନନ୍ଦିନ ଜୀବନରେ ସାମନା କରୁଥିବା ବାଛବିଚାର ନୀତି ବିରୋଧରେ ମୁହଁ ଖୋଲିଛନ୍ତି।
ସମଗ୍ର ଭାରତୀୟ କ୍ରିକେଟ୍‌ ଇତିହାସରେ କେବଳ ତିନି ଜଣ ଏପରି ବ୍ୟକ୍ତି ରହିଛନ୍ତି ଯେଉଁମାନେ ମହାନ୍‌ କ୍ରିକେଟର ହେବା ସହ ଚରିତ୍ର ଓ ସିଦ୍ଧାନ୍ତରେ ମଧ୍ୟ ମହନୀୟ। ଏହି ତ୍ରିଦେବଙ୍କ ମଧ୍ୟରେ କ୍ରମାନ୍ବୟରେ ପ୍ରଥମେ ଆସିବେ ପଲଵାଙ୍କର ବାଲୁ। ୧୮୭୫ ମସିହାରେ ଏକ ଦଳିତ ପରିବାରରେ ଜନ୍ମିତ ବାଲୁଙ୍କ ସକାଶେ ପ୍ରଥମ ମହାନ୍‌ ଭାରତୀୟ ଧିମା ଗତି ବୋଲର ହେବା ପାଇଁ ସଂସ୍କୃତି ଓ ଇତିହାସର ପ୍ରତିବନ୍ଧଗୁଡ଼ିକୁ ଅତିକ୍ରମ କରିବାକୁ ପଡ଼ିଥିଲା। ଅବଶ୍ୟ ଏ ପରିପ୍ରେକ୍ଷୀରେ ଆମେ ରଣଜିତ୍‌ ସିଂହଜୀଙ୍କୁ ଜଣେ ଇଂରେଜୀ କ୍ରିକେଟର ବୋଲି ଧରି ନେଇଛନ୍ତି ଏବଂ ଧରି ନେବା ଉଚିତ ମଧ୍ୟ। ବି.ଆର. ଆମ୍ବେଦକରଙ୍କ ସମେତ ଅନେକ ଦଳିତ ଯୁବକଙ୍କୁ ବାଲୁ ପ୍ରେରଣା ଯୋଗାଇଥିଲେ। ୧୯୧୧ ମସିହାରେ ଭାରତୀୟ ଦଳର ଇଂଲାଣ୍ଡ ଗସ୍ତର ପ୍ରଥମ ମ୍ୟାଚ୍‌ରେ ୧୫୦ ଵିକେଟ୍‌ ପୂରଣ କରିଥିବା ବାଲୁଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ବେଳେ ମୁମ୍ବାଇଠାରେ ଦଳିତ ଓ ନିଷ୍ପେଷିତ ବର୍ଗ ପକ୍ଷରୁ ସ୍ବାଗତ କରାଯାଇଥିଲା ଯେଉଁଥିରେ ବାଲୁଙ୍କୁ ପ୍ରଦତ୍ତ ମାନପତ୍ର ଓ ସ୍ବାଗତ ଭାଷଣକୁ ଆମ୍ବେଦକର ହିଁ ବ୍ୟାଖ୍ୟା କରିଥିଲେ, ଯାହା ତତ୍କାଳୀନ ଆଧୁନିକ ସମୟର ଜଣେ ଶ୍ରେଷ୍ଠ ପ୍ରଭାବଶାଳୀ ଭାରତୀୟଙ୍କ ଆବିର୍ଭାବ ଥିଲା ବୋଲି କହିହେବ।

ଯଦି ପଲଵାଙ୍କର ବାଲୁ ପ୍ରଥମ ଭାରତୀୟ ମହାନ୍‌ ବୋଲର ହୁଅନ୍ତି, ତେବେ ବିଜୟ ମର୍ଚ୍ଚାଣ୍ଟ୍‌ଙ୍କୁ ନିଶ୍ଚିତ ଭାବେ ଭାରତ ମାଟିରେ ବଢ଼ିଥିବା ପ୍ରଥମ ମହାନ୍‌ ବ୍ୟାଟ୍‌ସମ୍ୟାନ୍‌ର ମାନ୍ୟତା ମିଳିବ। ଜଣେ ସମୃଦ୍ଧ ଶିଳ୍ପପତିଙ୍କ ଠାରୁ ଜନ୍ମ ହୋଇଥିବାର ବିଶେଷତା ସତ୍ତ୍ବେ ମର୍ଚ୍ଚାଣ୍ଟ୍‌ ଅଧିକାଂଶ ତଥାକଥିତ ଧନୀକମାନଙ୍କ ପରି ନ ହୋଇ ନିଜର ଲାଜକୁଳା ସ୍ବଭାବ ଓ ନୀତିନିଷ୍ଠତାକୁ ବଜାୟ ରଖିଥିଲେ। ୧୯୩୨ ମସିହାରେ ଇଂଲାଣ୍ଡ ଗସ୍ତ କରିବାକୁ ଥିବା ଭାରତୀୟ ଦଳ ପାଇଁ ତାଙ୍କୁ ବଛା ଯାଇଥିଲେ ହେଁ ମହାତ୍ମା ଗାନ୍ଧୀ ଓ ଅନ୍ୟ ଭାରତୀୟମାନଙ୍କ କାରାବାସ ଯୋଗୁଁ ସେ ଦଳରୁ ଓହରି ଆସିଥିଲେ। ସେହି ପରି ପରେ ଜଣେ ଖେଳାଳି ହିସାବରେ ସେ ପରଲୋକଗତ ଅମର ସିଂହ ଓ ସଦାଶିବ ସିନ୍ଦେଙ୍କ ପରି ସହଯୋଗୀ ଖେଳାଳିଙ୍କ ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇଥିଲେ। ଅବସର ନେବା ପରେ ସେ ଭିନ୍ନକ୍ଷମ ଶିଶୁମାନଙ୍କ ଅଧିକାର ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ ଏବଂ ‘ଭିନ୍ନକ୍ଷମଙ୍କ ପାଇଁ ସମାନ ସୁଯୋଗର ଜାତୀୟ ସମାଜ’ ନାମକ ଏକ ଅନୁଷ୍ଠାନ ସ୍ଥାପନ କରିଥିଲେ।

ଭାରତୀୟ କ୍ରୀଡ଼ା ଇତିହାସରେ ବାଲୁ ଓ ମର୍ଚ୍ଚାଣ୍ଟ୍‌ ଏଭଳି ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଥିଲେ, ଯିଏ ନିଜର କ୍ରିକେଟୀୟ ଖ୍ୟାତିକୁ ବିନିଯୋଗ କରି ନିଜ ଚରିତ୍ରକୁ ମଳିନ ପଡ଼ିବାକୁ ଦେଇ ନ ଥିଲେ।

ମୋ’ ଧାରଣାରେ ବେଦୀ ହେଉଛନ୍ତି ସେଭଳି ତୃତୀୟ ତଥା ବୋଧହୁଏ ଶେଷ ମହାନ୍‌ ଭାରତୀୟ କ୍ରିକେଟର, ଯିଏ ମଧ୍ୟ ଜଣେ ଅସାଧାରଣ ନିର୍ଭୀକ ବ୍ୟକ୍ତି ଥିଲେ। ତାଙ୍କ ଅମଳରେ ସେ ଖେଳାଳିମାନଙ୍କ ଅଧିକାର ସକାଶେ ତଥା କ୍ରିକେଟ୍‌ ପ୍ରଶାସକମାନଙ୍କ ଅନଧିକାର ହସ୍ତକ୍ଷେପ ବିରୋଧରେ ଅବିଶ୍ରାନ୍ତ ପ୍ରଚାର ଚଳାଇ ଥିଲେ, ଯେଉଁଥି ପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା। ଅବସର ପରେ ସେ ଯୁବ କ୍ରିକେଟରମାନଙ୍କ ଲାଗି ପ୍ରଶିକ୍ଷଣ ଶିବିର ଚଳାଉଥିବା ବେଳେ କ୍ରିକେଟ୍‌ ଧାରା ବିବରଣୀ ପ୍ରଦାନ କରିବାର ଲୋଭନୀୟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଦିଲ୍ଲୀର ଅଧିନାୟକ ହିସାବରେ ସେ ଦଳେ ସଂପୂର୍ଣ୍ଣ ନୂଆ ଯୁବ ଖେଳାଳିଙ୍କୁ ରଣଜୀ ଟ୍ରଫିର ବିଜେତା ପକ୍ଷର ମୂଳାଧାର ଭାବେ ଗଢ଼ି ତୋଳିଥିଲେ, ପଞ୍ଜାବ ଦଳର ପ୍ରଶିକ୍ଷକ ଭାବେ ମଧ୍ୟ ଅନୁରୂପ ପ୍ରୟାସ କରିଥିଲେ। ସକ୍ରିୟ ଥିବା ବେଳେ ବା ଅବସର ନେବା ପରେ ସେ ସବୁବେଳେ ଖେଳକୁ ନିଜ ଠାରୁ ଊର୍ଦ୍ଧ୍ବରେ ରଖୁଥିଲେ।

କ୍ରିକେଟର ଭାବରେ ସେ ଯାହା କରିଛନ୍ତି, ତହିଁରେ ତାଙ୍କ ପ୍ରତି ମୋର ନିଜସ୍ବ ପ୍ରଶଂସାର କିଛି ଅଂଶ ନିହିତ ଅଛି; କିନ୍ତୁ ବାକି ଅର୍ଦ୍ଧେକ ରହିଛି ଜଣେ ବନ୍ଧୁ ଭାବରେ ସେ ମୋତେ ଜୀବନ ଓ ମାନବୀୟ ବ୍ୟବହାର ସମ୍ପର୍କରେ ଦେଇଥିବା ଶିକ୍ଷାରେ। ୧୯୪୬ ସେପ୍‌ଟେମ୍ବର ୨୫ ତାରିଖରେ ବିଶେନ୍‌ ସିଂହ ବେଦୀଙ୍କ ଜନ୍ମ ଏବଂ ‌ସେ ନାଁକୁ ମାତ୍ର ଏକ ପରାଧୀନ ଭାରତ ଦେଖିଛନ୍ତି। ଏକ ସ୍ବାଧୀନ ଭାରତରେ ସେ ବଢ଼ିଛନ୍ତି ଓ ବଡ଼ ହୋଇଛନ୍ତି।  ତାଙ୍କ ଜୀବନ କାଳ ଭିତରେ ଆମ ଦେଶ ଦେଖିଥିବା ଏବଂ ସେ ନିଜେ ସାମନା କରିଥିବା ବିଭିନ୍ନ ସଂକଟ ସମ୍ପର୍କରେ ଏକ ଆଲେଖ୍ୟ ସେ ଗତ ବର୍ଷ ସ୍ବାଧୀନତା ବିବସ ଅବସରରେ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ଲେଖିଥିଲେ। ସେଥିରେ ସେ ପାକିସ୍ତାନ ସହ ଆମର ଯୁଦ୍ଧ, ଶିଖ୍‌ ବିରୋଧୀ ଦଙ୍ଗା ଏବଂ ମହାମାରୀ କୋଭିଡ୍‌-୧୯ ଆଣିଥିବା ଦୁର୍ଦଶା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଯୋଜନା ବିହୀନ ଲକ୍‌ଡାଉନ୍‌ ଦ୍ବାରା ସୃଷ୍ଟି ହୋଇଥିବା ଶୋକାକୁଳ ପରିସ୍ଥିତି ସମ୍ପର୍କରେ ସେ ଲେଖିଥିଲେ: ‘ଏହା ଆମ ରାଜନେତାଙ୍କ ଠାରେ ଦୟା ବା କରୁଣାର ଏକ ଉତ୍କଟ ଅଭାବକୁ ଦର୍ଶାଉଛି, ଯିଏ ଅତର୍କିତ ଓ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌କୁ ଜୋର ଜବରଦସ୍ତ ଲାଗୁ କରାଇଥିଲେ। କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା କଥା ଉଠିଲେ ମଧ୍ୟ ତହିଁରେ ସାଧୁତା ଓ ସ୍ବଚ୍ଛତା ନ ଥିଲା ପରି ମନେ ହେଉଛି।’

ନିଜ ଜୀବନ ସହିତ ଯେଉଁ ଦେଶର ଯାତ୍ରା ଅଳ୍ପ ବହୁତ ସହାବସ୍ଥାନ କରିଥିଲା, ତାହାକୁ ବ୍ୟକ୍ତ କଲା ବେଳେ ବେଦୀ ଟିପ୍ପଣୀ କରିଥିଲେ ଯେ, ‘ବାସ୍ତବରେ ଦେଶକୁ ଯଦି କୌଣସି ଗୋଟିଏ ଜିନିଷ ତଳକୁ ଟାଣିଥାଏ, ତାହା ହେଲା ଚାଟୁକାରିତା, ଅତୀତରେ ତାହା ମୁଁ ଅଙ୍ଗେ ନିଭାଇଛି ଏବଂ ବର୍ତ୍ତମାନ ସବୁଥିରେ ତାକୁ ଦେଖିବାକୁ ପାଉଛି।’ ଏ ବାବଦରେ ସେ କହନ୍ତି ଯେ ଏବେ ଯୁବ ଓ ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ରାଜନୀତିର ଗୋଲକ ଧନ୍ଦାରେ ସାମିଲ ହୋଇ ମୁହଁ ଖୋଲିବାକୁ ବିମୁଖ। କାରଣ, ସେମାନେ ଚାଟୁକାର।

ବେଦୀଙ୍କର ଶେଷ ପାରାଟି ଏହିପରି ଥିଲା: ‘ସୌଭାଗ୍ୟବଶତଃ ମୋର ସେ ନିର୍ଭୀକତା ଓ ଚରିତ୍ରର ଦୃଢ଼ତା ରହିଥିଲା। ମୁଁ ଯେତେବେଳେ ଯୁବକ ଥିଲି, ଭାରତ ମଧ୍ୟ ଯୁବକ ଥିଲା, ସେତେବେଳେ ମୁଁ ଗହଳି ମଧ୍ୟରେ ଏକୁଟିଆ ଛିଡ଼ା ହୋଇ ପାରୁଥିଲି ଏବଂ ବାରି ହୋଇ ପଡୁଥିଲି। ଏବେ ବହୁ ବିଳମ୍ବ ହୋଇଗଲାଣି। ମାତ୍ର ମୁଁ ନୈରାଶ୍ୟବାଦୀ ନୁହେଁ, ଆଧ୍ୟାତ୍ମିକତାରେ ମୋର ପୂର୍ଣ୍ଣ ବିଶ୍ବାସ ରହିଛି ଏବଂ ମୁଁ ଆଶା ରଖିଛି। ଆମେମାନେ ଯୁଦ୍ଧ ଓ ଆକ୍ରମଣ ସହ୍ୟ କରି ଆସିଛନ୍ତି ଏବଂ ଆମେ ଏହି ରାଜନୈତିକ ମହାମାରୀରେ ମଧ୍ୟ ତିଷ୍ଠି ପାରିବା।’

ଯଦି ତେନ୍ଦୁଲକର କି ଗାଭାସ୍କର କି କୋହଲି କି ଧୋନି କି ଗାଙ୍ଗୁଲିଙ୍କ ଠାରେ ବିଶେନ୍‌ ବେଦୀଙ୍କ ଚରିତ୍ରର ଅଧା ଶକ୍ତପଣ ଥାଆନ୍ତା, ତେବେ ଭାରତୀୟ କ୍ରିକେଟ୍‌ ଅତୀତରେ ହାସଲ କରିଥିବା କିଛି ଉତ୍କର୍ଷ ଠାରୁ ଯଥେଷ୍ଟ ଅଧିକ ହାସଲ କରି ଥାଆନ୍ତା। ତେବେ ଭାରତୀୟ କ୍ରିକେଟ୍‌ କାହିଁକି, ଭାରତୀୟ ରାଜନୀତି ଓ ଜନସାଧାରଣଙ୍କ ଭିତରେ ବେଦୀଙ୍କ ଭଳି ବ୍ୟକ୍ତିତ୍ବ କ୍ବଚିତ୍‌ ଅଛନ୍ତି। ଆମ ଗଣତନ୍ତ୍ରର ଏହା ହିଁ ଚରମ ଦୁଃଖ।

ସମ୍ବନ୍ଧିତ ଖବର