ସାରୁପତ୍ର ଉପାଖ୍ୟାନ

ସୃଜନ ପ୍ରକାଶ ଦାସ

ଅବସରପ୍ରାପ୍ତ ସହକର୍ମୀ ରମେଶ ବାବୁ ଏହି ନିକଟରେ ଫୋନ୍‌ କରି ନିଜ ମନର ଦୁଃଖ ପ୍ରକାଶ କରିଦେଲେ। ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ସେବା କରି ଅଳ୍ପ କିଛି ମାସ ତଳେ ଚାକିରିରୁ ଅବସର ନେଇଛନ୍ତି। ଏବେ ବି ପୂରା ପାଉଣା ପାଇ ନାହାନ୍ତି। ପେନ୍‌ସନ୍‌, ଗ୍ରାଚ୍ୟୁଇଟି ଇତ୍ୟାଦି ମିଳିବାରେ ବିଳମ୍ବ ହେଉଛି। ସ୍ୱାଭାବିକ ଭାବରେ ପୁରୁଣା ଦପ୍ତର ସହିତ ଯୋଗାଯୋଗ ବିଛିନ୍ନ ହୋଇ ନାହିଁ। ଏହି ଅବସ୍ଥାରେ ରମେଶ ବାବୁ ଅଫିସ୍‌ ଆସିଛନ୍ତି ନିଜ କଥା ବୁଝିବା ପାଇଁ; ପେନ୍‌ସନ୍‌ ଫାଇଲ୍‌କୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ। ନିଜେ ନ ଲାଗିଲେ କ’ଣ କିଛି ହେବ? ଏହି ଅବସରରେ ଦପ୍ତରର କୋଠରି କୋଠରି ବୁଲି ସମସ୍ତଙ୍କ ସହିତ ସାକ୍ଷାତ କରିଛନ୍ତି। ହେଲେ, ସମସ୍ୟାଟି ଉଭା ହୋଇଛି ଏଇଠି। ପୁରୁଣା ସହକର୍ମୀମାନେ କାର୍ଯ୍ୟ ବ୍ୟସ୍ତତାର ଆଳ ଦେଖାଇ ତାଙ୍କୁ ଅଣଦେଖା କରିଛନ୍ତି। ସତେ ଯେମିତି କାହାରି ପାଖରେ ତାଙ୍କର ଭଲ ମନ୍ଦ ବୁଝିବା ଲାଗି ସମୟ ନାହିଁ। ଆଉ ନୂଆ ପିଢ଼ିର ଯୁବ ଅଫିସରମାନଙ୍କ କଥା ନ କହିବା ଭଲ। ଯେଉଁମାନଙ୍କୁ ବାବୁ ରମେଶ ନିଜ ହାତରେ ଗଢ଼ିଥିଲେ ବୋଲି ସର୍ବସାଧାରଣରେ ବାରମ୍ବାର ଦାବି କରି ଆସିଛନ୍ତି, ଅଫିସ୍‌ ଆଦବ କାଇଦା ଶିଖାଇଛନ୍ତି, ତାଙ୍କ ଅବସର ଗ୍ରହଣ ସଭାରେ ତାଙ୍କ ଭଳି ମନପ୍ରାଣ ଦେଇ କର୍ତ୍ତବ୍ୟ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି, ସେମାନେ ତାଙ୍କୁ ଚିହ୍ନିପାରିଲେ ନାହିଁ! ସ୍ୱାଗତ ସମ୍ଭାଷଣ କଲେ ନାହିଁ; ଚୌକି ଛାଡ଼ି ଠିଆ ହେବା ତ ଦୂରର କଥା। ତାଙ୍କୁ ଭୀଷଣ ଦୁଃଖ ଦେଇଛି ଏହି ଘଟଣା। ତିନି ଦଶନ୍ଧିରୁ ଅଧିକ ସମୟ ଯେଉଁ ଅନୁଷ୍ଠାନ ପାଇଁ ସେ ଏତେ ତ୍ୟାଗ କରିଛନ୍ତି, ଆଜି ସେଠୁ ଏଭଳି ଅସମ୍ମାନ ପାଇବା ପାଇଁ ସେ ମୋଟେ ହକଦାର ନୁହନ୍ତି। ତେଣୁ ମନକୁ ଟିକିଏ ହାଲୁକା କରିବା ପାଇଁ ରମେଶ ବାବୁଙ୍କର ମୋ ସହିତ ଫୋନ୍‌ ବାର୍ତ୍ତାଳାପ।

ଏହା ଯେ କୌଣସି ନୂଆ କଥା ତାହା ବି ନୁହଁ। ସଚରାଚର ଏହା ହିଁ ହୋଇଥାଏ। ଦୀର୍ଘ କାଳ କୌଣସି ଅନୁଷ୍ଠାନରେ କାମ କରିବା ପରେ, ସ୍ୱାଭାବିକ ଭାବରେ ଦୁର୍ବଳତା ବଢ଼େ। ତାକୁ ମୋହମାୟା କହିପାରନ୍ତି ବା ଭଲ ପାଇବା ବି କହି ପାରନ୍ତି। ଟିକିଏ ବାସ୍ତବବାଦୀ ହୋଇ ବିଚାର କଲେ ଏଭଳି ଅନେକ ଦୁଃଖ ଜାତ ହୁଏନା। ଇଦାନିଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ସ୍ତରରେ ବ୍ୟବହାରଗତ ସ୍ଖଳନ ଦେଖିବାକୁ ମିଳୁଛି। ଯେଉଁ ସମାଜରେ ପୁଅ-ବୋହୂ ନିଜ ବାପା-ମା’ଙ୍କର ଜୀବନବ୍ୟାପୀ ତ୍ୟାଗ, ସେବାକୁ ଭୁଲି ଯାଇ ପାରୁଛନ୍ତି; ସେମାନଙ୍କୁ ବୃଦ୍ଧାଶ୍ରମରେ ରଖିବାର ନଜିର ସୃଷ୍ଟି କରିପାରୁଛନ୍ତି; ସେଠି ପୁରୁଣା ସହକର୍ମୀମାନଙ୍କ ଠାରୁ କୃତଜ୍ଞତା ଆଶା କରିବା ବୃଥା ନୁହଁ କି? ଆଜିକାଲି ବୃଦ୍ଧ ପିତାମାତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇ, ରାତି ଅଧରେ ଘରୁ ବାହାର କରିଦେବାର ଉଦାହରଣ ଟିଭି, ଖବରକାଗଜମାନଙ୍କରେ ଦେଖୁ। ପୁଣି କେଉଁଠି କେଉଁଠି ମାନସିକ ରୋଗଗ୍ରସ୍ତ ବୋଲି ଆଳ ଦେଖାଇ ବାପା-ମା’ଙ୍କୁ ମାସ ମାସ ଲୁହା ଶିକୁଳିରେ ବାନ୍ଧି ରଖିବା ପାଇଁ ତ କିଛି ପଛାଉ ନାହାନ୍ତି। କେଉଁଠି କେଉଁଠି ବାପା-ମା’ମାନେ ନିଜ ଘରେ ମୁଣ୍ଡ ଟିକିଏ ଗୁଞ୍ଜିବା ପାଇଁ ପୁଅ-ବୋହୂଙ୍କ ବିରୋଧରେ ଥାନାରେ ମାମଲା କରିବାକୁ ବାଧ୍ୟ ହେଉଛନ୍ତି। କୋର୍ଟ କଚେରି ପର୍ଯ୍ୟନ୍ତ କଥା ଯାଉଛି।

ଆମେ ଜୀବନ ଯାକ ଯେଉଁଠି ଯାହା ବି କରୁ ନା କାହିଁକି, କର୍ତ୍ତବ୍ୟ ସମାପନ ପରେ ନିରାସକ୍ତ ଭାବେ ତାକୁ ଭୁଲି ଯିବାଟା ହିଁ ବୁଦ୍ଧିମାନର କାର୍ଯ୍ୟ। ଅନେକ ବିଦ୍ୱାନ ମନୀଷୀ ସେଥିଲାଗି ପରାମର୍ଶ ଦେଇଛନ୍ତି- ନିଜ ମନକୁ ଗୋଟିଏ ସାରୁପତ୍ର ଭଳି କରନ୍ତୁ। ସାରୁପତ୍ରରେ ଯେମିତି ପାଣି ଲାଗେ ନାହିଁ, ଠିକ ସେମିତି ମନ ଭିତରେ ପ୍ରତ୍ୟାଶାକୁ ସ୍ଥାନ ଦିଅନ୍ତୁ ନାହିଁ। ଦପ୍ତର ହେଉ ବା ଘର ସଂସାର; ନିଜ ମନକୁ ସାରୁପତ୍ର ଭଳି ଗଢ଼ି ତୋଳିବା ଉଚିତ। ପ୍ରତ୍ୟାଶା ନ ରହିଲେ ଦୁଃଖର ସମ୍ଭାବନା ମଧ୍ୟ କମିବ। ଅବଶ୍ୟ ଏଭଳି ନିରାସକ୍ତ ମାନସିକତା ଲାଭ କରିବା କେତେ ଜଣଙ୍କ ପାଖରେ ବା ସମ୍ଭବ? ପୁଣି ସେଭଳି ଭାବନା ଜଣେ ଚେଷ୍ଟା କରି ହାସଲ କରିପାରିବ ନାହିଁ। ମନ ଭିତରୁ ତାହା ନ ଆସିଲେ ନ ଚଳେ। ଆଉ ସେଥି ଲାଗି ଦରକାର ଜୀବନକୁ ଠିକଣା ଭାବେ ବୁଝିବା।

ମୁଁ ରମେଶ ବାବୁଙ୍କୁ ପରାମର୍ଶ ଦେବା ଛଳରେ କହିଲି- ‘କଥାଟାକୁ ସକାରାତ୍ମକ ଦୃଷ୍ଟିରେ ନିଅନ୍ତୁ। ଭାବି ନିଅନ୍ତୁ, ଆପଣଙ୍କର ପୁରୁଣା ସହକର୍ମୀମାନେ ସେହି ସମୟରେ ପ୍ରକୃତରେ କାର୍ଯ୍ୟବ୍ୟସ୍ତ ଥିଲେ। ଯେମିତିକି ଏକଦା ଆପଣ ଥିଲେ। ପୁଣି, ଏମିତି ବି ଭାବି ନିଅନ୍ତୁ ଯେ ଆପଣ ଚାକିରି କାଳରେ ଯାହା ଯାହା କରିଛନ୍ତି, ତାହା ଲାଗି ଉଚିତ ପ୍ରାପ୍ୟ ମଧ୍ୟ ପାଇଛନ୍ତି। ସେତେବେଳେ ତାହା ଆପଣଙ୍କର ଦାୟିତ୍ୱ ପରିସରଭୁକ୍ତ ଥିଲା। ତା’ପରେ ପଛକୁ ଚାହିଁବାର ଆବଶ୍ୟକତା ହିଁ ନାହିଁ। ରହିଲା ସମ୍ମାନ ପ୍ରାପ୍ତିର ପ୍ରଶ୍ନ। ତାହା ତ ଆଉ ଦାବି କରି ମାଗି ପାରିବା ନାହିଁ। ତାକୁ ଆପଣ ‘ଜେନେରେସନ୍‌ ଗ୍ୟାପ୍‌’ ବୋଲି ଧରି ନିଅନ୍ତୁ। ପିଢ଼ି ଭିତରେ ଏଭଳି ଦୂରତ୍ୱ ରହିବ। ଆଗରୁ ଥିଲା, ଏବେ ଅଛି ଓ ଆଗକୁ ମଧ୍ୟ ରହିବ। ତେଣୁ, ମନକୁ ବୁଝାଇ ଦିଅନ୍ତୁ। ସବୁ ସମୟର ପ୍ରଭାବ। ସେଥିରେ କାହାର କୌଣସି ହାତ ନାହିଁ।

ଏହା ଶୁଣିବା ବେଳକୁ ରମେଶ ବାବୁ ଟିକିଏ ଅସ୍ତବ୍ୟସ୍ତ ହୋଇ ଉଠୁଥିବାର ମୁଁ ଅନୁଭବ କଲି। ମୋତେ ଆଗକୁ ବଢ଼ିବାକୁ ନ ଦେଇ, ସେ ତାଙ୍କ ପଟୁ ଫୋନ୍‌ ଲାଇନ୍‌ କାଟିଦେଲେ। ସାରୁପତ୍ର ଉପାଖ୍ୟାନର ପ୍ରଭାବ ତାଙ୍କ ଉପରେ ପଡ଼ିଲା କି ନାହିଁ ଆଜି ଯାଏ ଜାଣି ନାହିଁ।

ମୋ- ୯୪୩୮୧୪୯୭୬୧
sroojan1965das@gmail .com

ସମ୍ବନ୍ଧିତ ଖବର