ଆମେରିକା ବାଟକୁ ଆସୁଛି

ମହାମେଘବାହନ ଐର ଖାରବେଳ ସ୍ବାଇଁ

ଚୀନ୍‌କୁ ମୁକାବିଲା କରିବାକୁ ହେଲେ ଭାରତକୁ ଆମେରିକା ସହ ବନ୍ଧୁତା ବାନ୍ଧିବାକୁ ହେବ। କାରଣ ଚୀନ୍‌ ଗତ ଦୁଇ ଦଶନ୍ଧି ମଧ୍ୟରେ ଏକ ଅର୍ଥ ଶକ୍ତିରେ ପରିଣତ ହୋଇଛି। ଅର୍ଥ ବଳ ହିଁ ଚୀନ୍‌କୁ ଏକ ସାମରିକ ଶକ୍ତିରେ ପରିଣତ କରିଛି। ଆମେରିକାର ଅନେକ କମ୍ପାନି, ଚୀନ୍‌ରେ ସେମାନଙ୍କର ଶିଳ୍ପ ପ୍ରତିଷ୍ଠା କରିଥିବାରୁ ତଥା ସେଠାରୁ ବିପୁଳ ଲାଭ ଅର୍ଜନ କରୁଥିବାରୁ ଆମେରିକାର ଶାସକମାନେ ଚୀନ୍‌ ସହ କେବେ ବାଣିଜ୍ୟ ଯୁଦ୍ଧରେ ଲିପ୍ତ ରୁହନ୍ତୁ, ଏ କଥା ସେମାନେ ଚାହାନ୍ତି ନାହିଁ। କେବଳ ବ୍ୟାବସାୟିକ ଲାଭକୁ ବାଦ ଦେଲେ କୌଣସି ରାଷ୍ଟ୍ର ସ୍ବାର୍ଥ ବା ରାଷ୍ଟ୍ର ସୁରକ୍ଷା ସମ୍ପର୍କରେ ସେମାନେ କେବେ ହେଲେ ଚିନ୍ତା କରୁନାହାନ୍ତି। ଅଥଚ ଅର୍ଥ ଓ ସାମରିକ ବଳରେ ବଳୀୟାନ ଚୀନ୍‌ ଏବେ ତା’ର ପଡ଼ୋଶୀ ରାଷ୍ଟ୍ର ଓ ପଡ଼ୋଶୀ ଅ‌ଂଚଳମାନଙ୍କୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି। ଦକ୍ଷିଣ ଚୀନ ସାଗର କେବଳ ତା’ର ଓ ସେହି ଅ‌ଂଚଳରେ କୌଣସି ଦେଶ ତା’ର ବିନା ଅନୁମୋଦନରେ କୌଣସି କାର୍ଯ୍ୟ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଘୋଷଣା କରିଛି। ଏପରିକି ଦକ୍ଷିଣ ପୂର୍ବ ଏସିଆରେ ଥିବା ଚୀନ୍‌ର ପଡ଼ୋଶୀ ଦେଶମାନଙ୍କର କୌଣସି ଭୌଗୋଳିକ ସ୍ବାଧୀନତା ନାହିଁ ବୋଲି ଚୀନ୍‌ର ଯୁକ୍ତି। ଏହି ଦେଶମାନେ ଚୀନ୍‌ର ବିନାନୁମତିରେ କେହି କିଛି କରିପାରିବେ ନାହିଁ ବୋଲି ଚୀନ୍‌ର ସ୍ପଷ୍ଟ ଘୋଷଣା। ଏହିପରି ସ୍ଥଳେ ଚୀନ୍‌ର ସମ୍ବିଧାନକୁ ପରିବର୍ତ୍ତନ କରି ଜଣେ ବ୍ୟକ୍ତି ସାରା ଜୀବନ ଦେଶର ରାଷ୍ଟ୍ରପତି ତଥା ଦଳର ସର୍ବେସର୍ବା ବୋଲି ଘୋଷଣା କଲା ପରେ ଚୀନ୍‌ର ଔଦ୍ଧତ୍ୟ ବଢ଼ି ବଢ଼ି ଚାଲିଲା। ଏତିକି ବେଳେ ଆମେରିକା ହିଁ ଚୀନ୍‌ର ଔଦ୍ଧତ୍ୟକୁ ରୋକିବାର ମୁଖ୍ୟ ମାଧ୍ୟମ। କିନ୍ତୁ ସେହି ଅବସରରେ ଆମେରିକାର ଶାସନ ମୁଖ୍ୟଙ୍କ ଆଚରଣ ଓ ଦୃଷ୍ଟିଭଙ୍ଗୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ।

ଯେତେବେଳେ ଡୋନାଲ୍‌ଡ ଟ୍ରମ୍ପ୍‌ ୨୦୨୦ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଥିଲେ, ସେତେବେଳେ ସେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସୋଭିଏତ ୟୁନିଅନ ବିରୋଧରେ ଗଢ଼ି ଉଠିଥିବା ‘ନାଟୋ’ ମେଣ୍ଟରୁ ଏକ ପ୍ରକାର ବାହାରି ଆସିବାର କଥା କହୁଥିଲେ। ନାଟୋ ମେଣ୍ଟର ସଦସ୍ୟମାନଙ୍କୁ ଆଉ ନିଜର ବନ୍ଧୁ ବୋଲି ପରିଗଣନା କଲେ ନାହିଁ। ବରଂ ସେମାନଙ୍କୁ ଦେଉଥିବା ସାହାଯ୍ୟମାନଙ୍କୁ ପ୍ରତ୍ୟାହାର କରିନେଲେ। ଚୀନ୍‌ ବିରୋଧରେ ଲଢ଼ିବାକୁ ହେଲେ ଅବା ସେ ଦେଶକୁ ମୁକାବିଲା କରିବାକୁ ହେଲେ, ଏକାକୀ ତାହା ଆମେରିକା କରିପାରିବ ନାହିଁ। ଅନ୍ୟ ପକ୍ଷରେ ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ବରେ ଏକ ଅତି ବୃହତ ବିପଦ ବୋଲି ସମସ୍ତେ ଜାଣିଛନ୍ତି। ବିଶ୍ବ ନେତୃତ୍ବ ନେଇ ଆସୁଥିବା ଆମେରିକା, ପରିବେଶ ପ୍ରଦୂଷଣକୁ ରୋକିବା ପ୍ରଚେଷ୍ଟାରେ ନେତୃତ୍ବ ନେବା କଥା। କିନ୍ତୁ ଡୋନାଲ୍‌ଡ ଟ୍ରମ୍ପ୍‌ ଆମେରିକାକୁ ପ୍ୟାରିସ୍‌ ଜଳବାୟୁ ସମ୍ମେଳନରୁ ଓହରାଇ ଆଣିଲେ। ଅାଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଚାହିଁଲେ ମଧ୍ୟ ଇରାନ ସହ ଆଣବିକ କାର୍ଯ୍ୟକ୍ରମ ରୋକିବା ପ୍ରସଙ୍ଗରେ ଅନ୍ୟମାନଙ୍କୁ ନେଇ କଥାବାର୍ତ୍ତା ନ କରି ନିଜ ଦେଶକୁ ଆଲୋଚନାରୁ ଓହରାଇ ଆଣିଲେ। ଏହାଦ୍ବାରା ଆମେରିକା ଯେ ବିଶ୍ବ ନେତୃତ୍ବ ନେବାରୁ ଧୀରେ ଧୀରେ ଓହରି ଯାଉଛି, ଏ କଥା ପ୍ରସାରିତ ହେଲା।

ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କର ମୂଳ ଇଚ୍ଛା ଯାହା ହେଉନା କାହିଁକି, ତାଙ୍କର ଆଚରଣ ଥିଲା ଅଦ୍ଭୁତ। ଯେତେବେଳେ ସାରା ବିଶ୍ବରେ କରୋନା ମହାମାରୀ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା, ସେତେବେଳେ ସେ ମୁଖା (ମାସ୍କ) ପିନ୍ଧିବାକୁ ମନା କଲେ। ତାଙ୍କୁ ଅନୁସରଣ କରି ଆମେରିକା ମଧ୍ୟ ସଂକ୍ରମଣ ତଥା ମୃତ୍ୟୁରେ ବିଶ୍ବରେ ସର୍ବୋଚ୍ଚ ସ୍ଥାନକୁ ଚାଲିଗଲା। ଏହି ସବୁ ଘଟଣାମାନ ସେତେବେଳେ ପ୍ରମାଣିତ କରିଥିଲା ଯେ, ବିଶ୍ବ ନେତୃତ୍ବ ନେବାର ବ୍ୟକ୍ତିତ୍ବ ଓ ମନୋବୃତ୍ତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କର ନାହିଁ। ଏହା ପରୋକ୍ଷ ଭାବରେ ଚୀନ୍‌କୁ ବିଶ୍ବ ନେତୃତ୍ବର ଦାବିଦାର କରିଦେଲା। ଯଦିଓ ଟ୍ରମ୍ପ୍‌ ଭାରତର ଏକ ବନ୍ଧୁ ବୋଲି ନିଜକୁ ଉପସ୍ଥାପିତ କରୁଥିଲେ ଏପରି ଜଣେ ବ୍ୟକ୍ତିଙ୍କ ନେତୃତ୍ବରେ ଚୀନ୍‌ର ଏକାଧିପତ୍ୟକୁ ମୁକାବିଲା କରିବା କଷ୍ଟକର ହୋଇପଡ଼ିଲା। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବେଳେ ଟ୍ରମ୍ପ୍‌ ଯେମିତି ଭାବରେ ତାଙ୍କ ଭୋଟ ଅନ୍ୟମାନେ ଚୋରି କରିନେଇଛନ୍ତି ବୋଲି ପ୍ରଚାର କଲେ ଓ ସାରା ଦେଶରେ ଏକ କୃଷ୍ଣାଙ୍ଗ ବିରୋଧୀ ବାତାବରଣ ସୃଷ୍ଟି କଲେ; ତାହା ମଧ୍ୟ ତାଙ୍କର ଓ ଦେଶର ମର୍ଯ୍ୟାଦାକୁ ହାନି ପହଞ୍ଚାଇଲା। ଏହି ଅବକାଶରେ ତାଙ୍କ ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବାଇଡେନ୍‌ କେମିତି ଆଚରଣ କରୁଛନ୍ତି, ତାହା ଉପରେ ସାରା ବିଶ୍ବ ଓ ଭାରତର ଆଖି ରହିଲା।

ଗତ ସପ୍ତାହରେ ଜାତିସଂଘର ସାଧାରଣ ଅଧିବେଶନରେ ପ୍ରଥମ ଥର ପାଇଁ ନିଜେ ଭାଷଣ ଦେଲା ବେଳେ ବାଇଡେନ୍‌ କ’ଣ ସବୁ କହୁଛନ୍ତି ତାହାକୁ ଧ୍ୟାନଦେଇ ଭାରତ ଓ ସାରା ବିଶ୍ବ ଅନାଇଥିଲା। ସେଠାରେ ସେ ଘୋଷଣା କଲେ ଯେ, ଆମେରିକା ବିଶ୍ବରେ ଆଉ ଅନାବଶ୍ୟକ ଯୁଦ୍ଧରେ ଲିପ୍ତ ହେବ ନାହିଁ। ଷାଠିଏ ଦଶକରେ ଆମେରିକା, ଭିଏତନାମରେ ଯେଉଁ ଏକ ଦଶନ୍ଧିରୁ ଅଧିକ କାଳ ଧରି ଯୁଦ୍ଧ କରି ଏକ ଛୋଟିଆ ଦେଶ ଠାରୁ ପରାସ୍ତ ହୋଇ ଫେରିଆସିଲା, ତାହା ଆମେରିକାର ପ୍ରତିଷ୍ଠାକୁ ନଷ୍ଟ କରିଥିଲା। ଏହାଛଡ଼ା ଜର୍ଜ ବୁଶଙ୍କ ସରକାର କାହିଁକି ଇରାକରେ ସଦ୍ଦାମ ହୁସେନଙ୍କ ସରକାର ବିରୋଧରେ ଲଢୁଥିଲା, ତାହା ଅନେକ ଲୋକ ଏ ଯାଏ ମଧ୍ୟ ବୁଝିପାରୁନାହାନ୍ତି। ଅାଫଗାନିସ୍ତାନରେ ମଧ୍ୟ ଦୀର୍ଘ ଦୁଇ ଦଶନ୍ଧି ଧରି ଆମେରିକା ଲଢ଼ି ଶେଷକୁ ସାରା ଅ‌ଂଚଳକୁ ଅସୁରକ୍ଷିତ କରି ସୈନ୍ୟ ପ୍ରତ୍ୟାହାର କଲା। ଏହା ସେ ଦେଶର ମର୍ଯ୍ୟାଦାକୁ ନଷ୍ଟ କରିଛି। କାହିଁକି ଏତେ ଦେଶରେ ଆମେରିକାର ସୈନ୍ୟ ଯାଇ ଯୁଦ୍ଧ କରିବେ, ତାହା ଏକ ଯଥାର୍ଥ ପ୍ରଶ୍ନ ହୋଇ ଯାଇଛି। ବାଇଡେନ୍‌ ଭବିଷ୍ୟତ୍‌ରେ ଆମେରିକାକୁ ଏପରି ଯୁଦ୍ଧମାନଙ୍କରେ ପୂରାଇବେ ନାହିଁ ବୋଲି ଯାହା କହିଲେ ତାହା ହିଁ ଏକ ରାଷ୍ଟ୍ରମୁଖ୍ୟର କଥା ପରି ମନେ ହେଲା।

ଏହାଛଡ଼ା ଆମେରିକା ତା’ର ପୁରୁଣା ବନ୍ଧୁମାନଙ୍କୁ ନେଇ ଚାଲିବ ଓ ନୂଆ ବନ୍ଧୁତ୍ବ ସୃଷ୍ଟି କରିବ ବୋଲି ଜାତିସଂଘରେ ସେ ଯାହା କହିଲେ, ୟୁରୋପରେ ନାଟୋ ମେଣ୍ଟର ରାଷ୍ଟ୍ରମାନେ ତାହା ଯେମିତି ଶୁଣିବା ପାଇଁ ଅପେକ୍ଷା କରି ରହିଥିଲେ। ନାଟୋ ମେଣ୍ଟରେ ପୁରୁଣା ବନ୍ଧୁରାଷ୍ଟ୍ରମାନଙ୍କୁ ଆଡ଼େଇ ଦେଇ ଆମେରିକା ବିଶ୍ବ ନେତୃତ୍ବ ନେବ କେମିତି ଓ ଚୀନ୍‌କୁ ତା’ର ଅନୈତିକ ଆଚରଣରୁ ନିବୃତ୍ତ କରିବ କେମିତି! ଏହାଛଡ଼ା ଜାପାନ, ଅଷ୍ଟ୍ରେଲିଆ ଓ ଭାରତକୁ ନେଇ ଏକ ‘କ୍ବାଡ’ ମେଣ୍ଟ ଗଠନ କରିବା ମଧ୍ୟ ବିଶ୍ବ ନେତୃତ୍ବ ନେବାର ଏକ ଲକ୍ଷଣ ଅଟେ। ଏହାଦ୍ବାରା ନୂଆ ବନ୍ଧୁତ୍ବ ସୃଷ୍ଟି ହେଲା।

ବିଶ୍ବ ସାମନାରେ ଯେଉଁ ଆହ୍ବାନମାନ ରହିଛି ତା’ର ମୁକାବିଲାର ଉପାୟ ଯୁଦ୍ଧ ନୁହେଁ, ବରଂ ନିରନ୍ତର କୂଟନୀତି ବୋଲି ବାଇଡେନ୍‌ ଜାତିସଂଘରେ ଯାହା କହିଛନ୍ତି ତାହା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ। ଆମେରିକା ଏହା ଦ୍ବାରା ଏକ ଯୁଦ୍ଧଖୋର ଦେଶ ହିସାବରେ ପ୍ରମାଣିତ ହେବନାହିଁ, ଯାହା ତା’ର ବିରୋଧୀମାନେ ଅଭିଯୋଗ କରିଥା’ନ୍ତି। ବାସ୍ତବରେ ଆଧୁନିକ ବିଶ୍ବରେ କୂଟନୀତି ହେଉଛି ସମାଧାନ ଓ ବିଜୟର ଶ୍ରେଷ୍ଠ ପନ୍ଥା, ଯୁଦ୍ଧ ନୁହେଁ। ଆମେରିକା ନିଜକୁ ଓ ନିଜ ବନ୍ଧୁ ତଥା ସହଯୋଗୀ ରାଷ୍ଟ୍ରମାନଙ୍କୁ ନାନା ପ୍ରକାର ବିପଦ ଓ ବିଶେଷ କରି ଆତଙ୍କବାଦ କବଳରୁ ରକ୍ଷା କରିବାପାଇଁ ବାଇଡେନ୍‌ ଯାହା କହିଲେ, ତାହା ସମସ୍ତଙ୍କ ମନରେ ଆଶ୍ବାସନା ଓ ପ୍ରତ୍ୟୟ ସୃଷ୍ଟି କଲା। କେବଳ ଯେତେବେଳେ ଆମେରିକାର ନିଜ ରାଷ୍ଟ୍ର ସ୍ବାର୍ଥ ସାଧନ ପାଇଁ ଯୁଦ୍ଧ କରିବାକୁ ପଡ଼ିବ ଆମେରିକା ତାହା କରିବ ଓ ଏହି ଯୁଦ୍ଧ ପଛରେ ଆମେରିକାର ଜନସାଧାରଣଙ୍କର ସମର୍ଥନ ଥିବ ବୋଲି ବାଇଡେନ୍‌ ଯାହା ଘୋଷଣା କଲେ ସେଥିରେ ସେ ତାଙ୍କ ଦେଶର ଜନତାଙ୍କୁ ନିଷ୍ପତ୍ତି ନେବା କ୍ଷେତ୍ରରେ ଏକ ଅଂଶୀଦାର କରିଦେଲେ। ଗଣତନ୍ତ୍ରରେ ଏହା ହିଁ ହେବା ଆବଶ୍ୟକ। ଗୋଟିଏ ବ୍ୟକ୍ତିର ଜିଦ୍‌ ଉପରେ ଗୋଟିଏ ରାଷ୍ଟ୍ର ଯୁଦ୍ଧ ମୁହାଁ ହେବା ଉଚିତ ନୁହେଁ।

ବାଇଡେନ୍‌ଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଉକ୍ତି ହେଲା, କରୋନା ମହାମାରୀକୁ ବୋମା ପକାଇ ହଟାଇ ହେବନାହିଁ। ସେଥିପାଇଁ ବିଜ୍ଞାନର ଏକ ମିଳିତ କାର୍ଯ୍ୟକ୍ରମ ଓ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ଅଛି; ତାହା ଏକ ସାଧାରଣ ଜ୍ଞାନସମ୍ପନ୍ନ ବ୍ୟକ୍ତିର ଉକ୍ତି।

ଟ୍ରମ୍ପ୍‌ଙ୍କ ବେଳେ ୟୁରୋପିଆନ ୟୁନିୟନ ଓ ନାଟୋ ମେଣ୍ଟର ଧାରଣା ଥିଲା ଯେ ଆମେରିକା ସେମାନଙ୍କୁ ଅଗ୍ରାହ୍ୟ କରିଚାଲିଛି ଯଦିଓ ସେମାନେ ତାଙ୍କର ବନ୍ଧୁ ଅଟନ୍ତି। ପୁଣି ଏସିଅ‌ା-ପ୍ରଶାନ୍ତ ମହାସାଗରୀୟ ଅ‌ଂଚଳରେ ଜାପାନ, ଅଷ୍ଟ୍ରେଲିଆ, ଭାରତ ଆଦି ଦେଶମାନଙ୍କ ସହ ମେଣ୍ଟ କରି କେବଳ ଚୀନ୍‌ର ମୁକାବିଲା ନୁହେଁ, ଟେକ୍‌ନୋଲୋଜି, ଜଳବାୟୁ ପରିବର୍ତ୍ତନ ଓ ସ୍ବାସ୍ଥ୍ୟ ସୁରକ୍ଷାର ସହଯୋଗ ପ୍ରତି ଦୃଷ୍ଟି ଦିଆଯାଇଛି। ଏ ଧରଣର ମନ୍ତବ୍ୟମାନ ଯୋଗୁଁ ଆମେରିକା ଏବେ ପୁଣି ଜଳବାୟୁ ପରିବର୍ତ୍ତନ, ମାନବିକ ଅଧିକାର ଓ ବିଶ୍ବ ସମସ୍ୟା ସମାଧାନ ପାଇଁ ଆଲୋଚନାକୁ ମାଧ୍ୟମ କରିବା ଆଦିର ସଙ୍କେତ ଦେଇଛି। ଠିକ୍ ଏହି ସଙ୍କେତ ବିଶ୍ବ ଆଶା କରୁଥିଲା।

ଶେଷକୁ ଜୋ ବାଇଡେନ୍‌ ଯାହା କହିଲେ ଯେ, ଅତୀତର ସୋଭିଏତ ୟୁନିୟନ ସହ ଶୀତଳ ଯୁଦ୍ଧରେ ଉପନୀତ ହେବା ତାଙ୍କର ଲକ୍ଷ୍ୟ ନୁହେଁ। ବିଶ୍ବକୁ କଠୋର ଭାବରେ ଦୁଇଟି ପରସ୍ପର ବିରୋଧୀ ଗୋଷ୍ଠୀରେ ବିଭକ୍ତ କରିବା ତାଙ୍କର ଲକ୍ଷ୍ୟ ନୁହେଁ ବୋଲି ସେ ଯାହା କହିଲେ, ତାହା ସ୍ବାଗତଯୋଗ୍ୟ ଅଟେ। ଜଗତ୍‌କରଣ ଯୁଗରେ ଯେତେବେଳେ ଅର୍ଥନୈତିକ ସ୍ବାର୍ଥକୁ ନେଇ ପ୍ରତି ଦେଶ, ପ୍ରତି ଦେଶ ସହ ସଂଶ୍ଳିଷ୍ଟ, ସେତେବେଳେ ବିଶ୍ବ ଦୁଇ ଭାଗରେ ବିଭକ୍ତ ହୋଇ ରହିବା ସମ୍ଭବପର ନୁହେଁ। ବାଇଡେନ୍‌ଙ୍କର ଉକ୍ତି ଯେ, କୌଣସି ଦେଶ ଶାନ୍ତି ପ୍ରତିଷ୍ଠା ଚାହିଁଲେ ସେ, ସେହି ଦେଶ ସହ କଥାବାର୍ତ୍ତା ହେବାକୁ ରାଜି ଅଛନ୍ତି ଯଦିଓ ସେମାନଙ୍କର ଅଲଗା ଅଲଗା ବିଷୟରେ ଅଲଗା ଅଲଗା ମତ ଥାଇପାରେ। କାରଣ ଏହି ସମନ୍ବୟ ଓ ଆଲୋଚନା ହୋଇ ନ ପାରିଲେ ଉଭୟଙ୍କର କ୍ଷତି ହେବ। ବିଫଳତା ସମସ୍ତଙ୍କୁ କ୍ଷତି ପହୁଞ୍ଚାଇବ।

ଜୋ ବାଇଡେନ୍‌ ଗଣତନ୍ତ୍ରମାନଙ୍କ ନେତୃତ୍ବ ନେଉଛନ୍ତି। ଚୀନ୍‌ ପରି ଆମେରିକା ଗୋଟିଏ ଏକଦଳୀୟ ଶାସନ ଅଧିକୃତ ଦେଶ ନୁହେଁ। ଗଣତନ୍ତ୍ରମାନେ ଏକ ନିୟମ-ଭିତ୍ତିକ ଓ ସମାନ ଅଧିକାର ସମ୍ପନ୍ନ ବିଶ୍ବର ପ୍ରତିନିଧିତ୍ବ କରନ୍ତି। ସେମାନଙ୍କର ଯିଏ ନେତୃତ୍ବ ନେବ ସେ ଜମିଦାର ପରି ଆଚରଣ କରିବା କଥା ନୁହେଁ। ଏହି ଦୃଷ୍ଟିରୁ ଭାରତର ସ୍ବାର୍ଥ, ଆମେରିକାର ସଫଳ ନେତୃତ୍ବ ଓ ସକାରାତ୍ମକ ଆଚରଣ ଉପରେ ନିର୍ଭର କରେ। ଜୋ ବାଇଡେନ୍‌ ଏବେ ସଙ୍କେତ ଦେଇଛନ୍ତି ଯେ, ଆମେରିକା ଗଣତନ୍ତ୍ର, ପରିବେଶ ପଦୂଷଣ, ମାନବ ଅଧିକାର ରକ୍ଷା ଆଦି କ୍ଷେତ୍ରରେ ଯେଉଁ ନେତୃତ୍ବ ନେଇ ଆସୁଥିଲା, ସେହି ସ୍ଥିତିକୁ ଫେରିଆସୁ। ଏହା ହିଁ ଭାରତକୁ ଅଶେଷ ସାହାଯ୍ୟ କରିବ। ଟେକ୍‌ନୋଲୋଜି ହସ୍ତାନ୍ତରଣ କ୍ଷେତ୍ରରେ ଭାରତକୁ ସୁବିଧା ହେବ। ବାଇଡେନ୍‌ଙ୍କ ମନ୍ତବ୍ୟ ଭାରତ ପାଇଁ ଅତି ଶ୍ରୁତିମଧୁର ହୋଇଛି ଓ ଚୀନ୍‌ ବିରୋଧରେ ଏକ ବିଶ୍ବ ସାମ୍ମୁଖ୍ୟ ଗଠନ ଓ ତା’ର ନେତୃତ୍ବ ସୃଷ୍ଟି କ୍ଷେତ୍ରରେ ସଫଳ ହୋଇଛି ଯାହା ଭାରତର କାମ୍ୟ ଅଟେ।

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର