ଓଡ଼ିଶା ଆବିଷ୍କାର

କହିବାର ଅଛି - ଦାଶ ବେନହୁର

ବିଜ୍ଞାନ କ୍ଷେତ୍ରରେ ପ୍ରାୟତଃ ଆମେ ‘ଆବିଷ୍କାର’ ଓ ‘ଉଦ୍ଭାବନ’ ଭଳି ଦୁଇଟି ଶବ୍ଦ ବ୍ୟବହାର କରୁ। ‘ଆବିଷ୍କାର’ ହେଉଛି, ଯାହା ଅଛି ତା’କୁ ଖୋଜି ପାଇବା ଓ ‘ଉଦ୍ଭାବନ’ ହେଉଛି ନୂଆ କିଛି ସୃଷ୍ଟି କରିବା। ପ୍ରାଣୀମାତ୍ରେ ଆବିଷ୍କାର-ପ୍ରବଣ, କିନ୍ତୁ ପ୍ରାଣୀମାନଙ୍କ ଭିତରେ ମଣିଷ ହେଉଛି ଏକମାତ୍ର ଜୀବ ଯିଏ ଉଦ୍ଭାବନ କରେ। ଅଚିନ୍ତନୀୟ ନବପ୍ରକାଶର ବାଟ ଦେଖାଏ।

ଆବିଷ୍କାର କ୍ଷେତ୍ରରେ ମଧ୍ୟ ମଣିଷ ଯେଉଁ ଖୋଜି ପାଇବାର ପାରଦର୍ଶିତା ଦେଖାଏ ତାହା ଯେ କୌଣସି ଇତର ପ୍ରାଣୀ ଠାରୁ କାହିଁ କେତେ ଊର୍ଦ୍ଧ୍ବରେ। ମଣିଷ ଭିତରେ ଖୋଜି ପାଇବାର ମନନଶୀଳତା ସହଜାତ। ତେଣୁ ଏ ଖୋଜିବା ଯେତେ ଗଭୀର, ସମସ୍ୟାର ସମାଧାନ ବି ସେତେ ସହଜ। ସେ ଖେ‌ାଜେ, ପାଏ, ପୁଣି ଆଗାଏ। ଥରେ ପାଇ ସାରି ସେଇ କଥା ପୁଣି ପରବର୍ତ୍ତୀ କାଳରେ ସେ ହଜାଏ। ପୁନଶ୍ଚ ଆରମ୍ଭ ହୋଇଯାଏ ଖୋଜିବାର ପ୍ରକ୍ରିୟା। ଯେବେ ଯେବେ ମଣିଷ ଜୀବନରେ ଖୋଜି ପାଇବାର ମନୋଭାବ ଶିଥିଳ ହୋଇଛି, ସେ ହାରିଛି। ନିଃସ୍ବ, ଅସାର ହୋଇଛି ତା’ର ଜୀବନ।
ଏବେ ଓଡ଼ିଶା କଥାକୁ ଆସିବା। ଓଡ଼ିଶା ଏକ ଭୂଖଣ୍ଡ, ଏକ ପ୍ରଶାସନିକ ସୀମା-ଭୂମି। ଏଥିରେ ବାସ କରୁଥିବା ସବୁ ମଣିଷ ଏକଦା ଥିଲେ ଓଡ଼ିଆ। କିନ୍ତୁ ସମୟର ଆହ୍ବାନରେ ଯେଉଁ ପରିବର୍ତ୍ତନ ଆସିଛି ସେଥିରେ କେବଳ ଓଡ଼ିଆମାନେ ଆଉ ଓଡ଼ିଶାବାସୀ ହୋଇ ନାହାନ୍ତି। ତେଣୁ ଓଡ଼ିଶା ଆଉ ଓଡ଼ିଆ ଲୋକଜାତି ଭିତରେ ସୀମିତ ହୋଇ ନାହିଁ। ବିଭିନ୍ନ କାରଣରୁ ବିଭିନ୍ନ ଭାଷାଭାଷୀ ମଣିଷ ଏବେ ଓଡ଼ିଶାର ଅଧିବାସୀ। ଯେଉଁମାନେ ଓଡ଼ିଆ ନୁହନ୍ତି ସେମାନଙ୍କ ଲାଗି ଓଡ଼ିଶା ଆବିଷ୍କାର ଏକ ସ୍ବାଭାବିକ କଥା। ଓଡ଼ିଶାକୁ ଜାଣିବା, ଚିହ୍ନିବା ଓ ତା’ ଭିତରେ ଥିବା ଭଲ କଥାଗୁଡ଼ିକୁ ଖୋଜି ପାଇଲେ ହିଁ ସେମାନଙ୍କର ଜୀବନ ଅଧିକ ଫଳବତୀ ହେବ। ଅନ୍ୟ ଦିଗରେ ଓଡ଼ିଆମାନେ ଓଡ଼ିଶାକୁ ଖୋଜି ନ ପାଇବା ମଧ୍ୟ ସେମାନଙ୍କୁ ଦୁର୍ବଳ ଓ ଦରିଦ୍ର କରି ରଖିବ। ଏଇ ଖୋଜିବାର ଅଭାବ ହିଁ ଓଡ଼ିଶାର ଅନଗ୍ରସରତାର କାରଣ।

ଓଡ଼ିଆ ହୋଇ ଓଡ଼ିଶାକୁ ଆବିଷ୍କାର ନ କରି ପାରିବା ହିଁ ପ୍ରତିଟି ଓଡ଼ିଆ ଲାଗି ସବୁଠାରୁ ବଡ଼ ନିନ୍ଦାଯୋଗ୍ୟ କଥା। ଆବିଷ୍କାରର ମୂଳ ହେଉଛି ଖୋଜିବା। କିନ୍ତୁ କେବଳ ଖୋଜିବା ଆବିଷ୍କାର ନୁହେଁ, ଖୋଜି ପାଇବା ହିଁ ଆବିଷ୍କାର। ଉଦ୍ଭାବନ କ୍ଷେତ୍ରରେ ଖୋଜିବା ପ୍ରକ୍ରିୟାଟି ସବୁଠାରୁ ମୂଲ୍ୟବାନ ଓ ମୌଳିକ।
ଆବିଷ୍କାରକାମୀ ଏ ଅନୁସନ୍ଧାନ ବ୍ୟକ୍ତିଗତ ଯେତିକି ସମୂହଗତ ଭାବରେ ତା’ଠାରୁ କାହିଁ କେତେଗୁଣରେ ଅଧିକ। ସମୂହର ପ୍ରତିନିଧି ହେଉଛନ୍ତି ସରକାର। ତେଣୁ ଯେଉଁଠାରେ ସରକାର ଆବି‌ଷ୍କାରମୁଖୀ ନୁହନ୍ତି ସେଠାରେ ପତନ ସ୍ବାଭାବିକ। ସ୍ମରଣ ରହିବା ଆବଶ୍ୟକ ଯେ କୌଣସି ଆବିଷ୍କାର ଚୂଡ଼ାନ୍ତ ନୁହେଁ। ବିଶେଷ କରି ଗୋଟାଏ ଭୂଖଣ୍ଡ ବା ଲୋକଜାତିର ପରିଚୟ କେବେ ବି ସ୍ଥିର ହୋଇ ରହେ ନାହିଁ। କାଲିର ଓଡ଼ିଶା ଆଜିର ଓଡ଼ିଶା ନୁହେଁ କି ଆଜିର ଓଡ଼ିଆ କାଲିର ଓଡ଼ିଆ ହୋଇ ନ ଥିଲା। ହେରାକ୍ଲିଟସ୍ କହିଲା ଭଳି ତୁମେ ଯେତେବେଳେ ଦ୍ବିତୀୟବାର ନଈପାଣିକୁ ଡେଉଁଛ ସେତେବେ‌ଳକୁ ସେ ନଈ ଆଉ ପ୍ରଥମ ଡିଆଁ ବେଳର ନଈ ହୋଇ ନାହିଁ। ତୁମେ ଛୁଇଁଥିବା ପାଣି ଆଉ ସେଠି ନ ଥିବ କି ସେ ସମୟ ବି ନ ଥିବ। ମନରେ ବି ପରିବର୍ତ୍ତନ ଆସିଯାଇଥିବ।

ତେଣୁ ଆବିଷ୍କାର ଏକ ନିରନ୍ତର ପ୍ରକ୍ରିୟା। ବିଶେଷକରି ଲୋକସମୂହର ଆବିଷ୍କାର ସର୍ବାଦୌ କ୍ରିୟାଶୀଳ ହୋଇ ରହିବା ଆବଶ୍ୟକ। ନଚେତ୍ ତାହା ଏକ ଚରମ ବିଫଳତାର ସୂତ୍ରପାତ କରିବ।

ଏଠାରେ ଗୋଟିଏ ଉଦାହରଣ ରଖିବା ନିହାତି ଜରୁରି।

୨୦୧୭ ମାର୍ଚ୍ଚ ମାସରେ ଓଡ଼ିଶାର ଯାଜପୁର ଜିଲ୍ଲା ଅଧୀନସ୍ଥ ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଏକ ଅଗମ୍ୟ ଗ୍ରାମ ‘ନଗଡ଼ା’କୁ ନେଇ ଏକ ଲଜ୍ଜାଜନକ ଖବର ପ୍ରକାଶ ପାଇଲା। ସେ ଅଞ୍ଚଳ ଖଣିଜ ସମ୍ପଦରେ ଭରା। ନଗଡ଼ାରେ ଏକସ୍ତରିଟି ଜୁଆଙ୍ଗ ପରିବାର ବାସ କରନ୍ତି। ଖବର ମିଳିଲା ଯେ ଝିଅଟିଏ ନ ଖାଇ ନ ପିଇ ଭୋକ ଶୋଷରେ ପୂର୍ବ ବର୍ଷ ଜୁନ୍ ମାସରେ ମରିଯାଇଥିଲା। ହଠାତ୍ ସମସ୍ତଙ୍କର ଆବିଷ୍କାରକ ଆଖି ମାଳ ମାଳ ହୋଇ ଖୋଜିବସିଲା ନଗଡ଼ାକୁ। ହିସାବରୁ ଜଣାପଡ଼ିଲା ଯେ ୨୦୧୬ରେ ଉପଯୁକ୍ତ ଖାଦ୍ୟର ଅଭାବ ଯୋଗୁଁ ୧୯ଟି ପିଲା ଅସମୟରେ ଆଖି ବୁଝିଛନ୍ତି ସେଠି। ୭୧ଟି ଭୋକିଲା ପରିବାରରୁ ୧୯ଟି ପିଲା। ହେ ଭଗବାନ!

ଦେଶ ଅାଗୋଉଛି। ଚନ୍ଦ୍ରକୁ ଯିବା ପାଇଁ ଗାଡ଼ି ସଜ ହେଉଛି। ପ୍ରଦେଶ ଧାଇଁଛି ଆପଣା ରାଜଧାନୀକୁ ପାରଙ୍ଗମ (ସ୍ମାର୍ଟ) ରାଜଧାନୀରେ ପରିଣତ କରିବା ପାଇଁ। ଅଥଚ ସେଦିନ ଓଡ଼ିଶାକୁ ନେଇ ସବୁଠାରୁ ବଡ଼ ଆବିଷ୍କୃତ ଖବରଟି ହେଲା ଯେ ‘‘ଭାରତର ଅନ୍ଧାରତମ ଇଲାକାର ଖବର ମିଳିଲା’’। ‘‘ଇଣ୍ଡିଆଜ୍ ହାର୍ଟ ଅଫ୍ ଡାର୍କନେସ୍।’’

ସୁକିନ୍ଦାକୁ ଖଣି ଖାଦାନର କୁବେରଭୂମି ଭାବରେ ସରକାର ଜାଣନ୍ତି, କମ୍ପାନିମାନେ ଜାଣନ୍ତି, ଆମେମାନେ ମଧ୍ୟ ଜାଣୁ। ମାଟି ଭିତରକୁ ଆବିଷ୍କାର କରିବାରେ ଆମେ ସମସ୍ତେ ମସ୍ତ, ଅଥଚ ମାଟି ଉପରେ ଅଚାଏ ଘନ ଅନ୍ଧାରକୁ କେହି ଆଗରୁ ଆବିଷ୍କାର କରିପାରିଲେ ନାହିଁ। ଫଳରେ ଅସହାୟ ପିଲାଗୁଡ଼ିଏ ନଅଙ୍କ ଦୁର୍ଭିକ୍ଷ ଭଳି ପରିସ୍ଥିତିରେ ସେଠି ଆଖି ବୁଜିଦେଲେ। ସେଥିପାଇଁ କିଏ ଦାୟୀ?

ଦାୟୀ ସେଇ ଆବିଷ୍କାରହୀନତା।

ସେ ଅଞ୍ଚଳ ପାଇଁ ସରପଞ୍ଚ ଥିବେ, ବିଡିଓ ଥିବେ, ତହସିଲଦାର ଥିବେ, କଲେକ୍ଟର ଥିବେ, ମନ୍ତ୍ରୀ, ଅଫିସର ଥିବେ। ଅଘଟଣ ଘଟିବା ଆଗରୁ କେହି କେମିତି ଖୋଜିପାଇ ନ ଥିଲେ ନଗଡ଼ାକୁ? ଖାଦ୍ୟ ଅଭାବରୁ ବା କୁପୋଷଣ କାରଣରୁ ଦୃଦୟବିଦାରକ ଶିଶୁମୃତ୍ୟୁ ଆମ ଜନମଙ୍ଗଳ ରାଷ୍ଟ୍ରର କେଉଁ ଦିଗକୁ ସୂଚିତ କରୁଛି? ଗୋଟିଏ ରାଜ୍ୟ ଭାବରେ କେଉଁ ପାରଙ୍ଗମତାର ସୂଚକାଙ୍କ ତିଆରି କରୁଛି? ସଂସ୍ଥା ଯୋଗାଡ଼ କରି ଆମେ ଭଲ, ଆମେ ଏକ ନମ୍ବର ବୋଲି ସାର୍ଟିଫିକେଟ୍ ପାଇବା ବଡ଼ କଥା ନୁହେଁ, ବଡ଼ ହେଉଛି ଆପଣା ଭୂମିଟିକୁ ଆବିଷ୍କାର କରିବା।

ଭୂମି ଆବିଷ୍କାରର ଅର୍ଥ କେବଳ ଖଣିଜ ପଦାର୍ଥ ସନ୍ଧାନ ବା କୃଷି ପାଇଁ ମାଟି ପରୀକ୍ଷଣ ନୁହେଁ। ଅସଲ ଖୋଜିବା ‌ରହିଛି ଲୋକଙ୍କ ଅଭାବ ଅସୁବିଧାକୁ ଖୋଜି ବାହାର କରିବାରେ। କାରଣ ଯେତେ ଯାହା କହିଲେ ବି ରାଷ୍ଟ୍ରର ଅସଲ ବିକାଶ ସିମେଣ୍ଟ ସଡ଼କ କି କଳ କାରଖାନାରେ ନ ଥାଏ। ଜନମଙ୍ଗଳ ହିଁ ରାଷ୍ଟ୍ର ବା ରାଜ୍ୟର ମୂଳ ବିକାଶ-ସୂଚକାଙ୍କ। ଜନମଙ୍ଗଳ ସହ ଖାଦ୍ୟ, ସ୍ବାଧୀନତା, ରୋଜଗାର ଓ ସ୍ବାବଲମ୍ବନଶୀଳତା ଅଙ୍ଗାଙ୍ଗୀ ଭାବରେ ଯୋଡ଼ା ହୋଇ ରହିଛି।

ଅତଏବ ଓଡ଼ିଶା ଆବିଷ୍କାରର ମୂଳ ଚାରିକଥା ରହିଛି ଉପରୋକ୍ତ ଉପାଦାନରେ। ଖାଦ୍ୟ ଦେଇଦେଲେ ଲୋକେ ସ୍ବାଧୀନ ହେଲେ ସେ କଥା ନୁହେଁ। ପୁଣି ଯିଏ ନିଜସ୍ବ ରୋଜଗାର କ୍ଷମତା ହରାଇଛି ତା’ ପାଇଁ ସ୍ବାଧୀନତାର ଅର୍ଥ କ’ଣ? ଶେଷରେ ଯିଏ ସ୍ବାବଲମ୍ବୀ ନୁହେଁ ସେ ନିଜର ବା ସମୂହର ସ୍ବାଧୀନତା ରକ୍ଷାକରିବ କେମିତି?

ଓଡ଼ିଶ‌ା ଆବିଷ୍କାର। ସାରା ଓଡ଼ିଶାକୁ କିଏ ଦେଖିଛି ନା ଚିହ୍ନିଚି? ଓଡ଼ିଶାର ଆତ୍ମାକୁ ଜାଣିବା ପାଇଁ ହେଲେ ଓଡ଼ିଶାର ଭିତରକୁ ଯିବା ଦରକାର। କିଏ ଯାଇଛି ଓଡ଼ିଶା ଭିତରକୁ? ଗାଡ଼ିରେ ବସି ଓଡ଼ିଶା ସାରା ବୁଲି ଆସିଲେ କି ନିର୍ବାଚନ ବେଳେ ସାରା ପ୍ରଦେଶ ବୁଲି ସବୁ ନିର୍ବାଚନମଣ୍ଡଳୀରେ ଗୋଟାଏ ଲେଖାଁ ଭାଷଣ ଦେ‌ଇଦେଲେ ଓଡ଼ିଶା ଆବିଷ୍କାର ହୋଇପାରିବ ନାହିଁ। ସେଥିଲାଗି ଧ୍ୟାନସ୍ଥ ହୋଇ ଈଶ୍ବରପ୍ରାପ୍ତି ଖୋଜିବା ଭଳି ଓଡ଼ିଶାପ୍ରାପ୍ତି ଖୋଜିବାକୁ ପଡ଼ିବ। ସେଇ ଖୋଜି ପାଇବାରେ ହିଁ ଅଛି ସବୁ ସମସ୍ୟାର ସମାଧାନ।

ଓଡ଼ିଶା ପାଇଁ ଯେଉଁ କଥାଟି ଏଠି ଆଲୋଚନା ହେଉଛି ତାହା ସବୁ ପ୍ରଦେଶ ପାଇଁ ଓ ସାରାଦେଶ ଲାଗି ମଧ୍ୟ ପ୍ରଯୁଜ୍ୟ।

କିଛି ଦିନ ତଳେ ଗୋଟିଏ ଆଲୋଚନା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଆମେ ଡିଣ୍ଡିମ ପିଟୁ ଯେ ଭାରତ ଦେଶ ଆମର ବିଶ୍ବଗୁରୁ। ଅଥଚ ସାରା ବିଶ୍ବରେ ଭାରତ ହେଉଛି ଏପରି ଏକମାତ୍ର ଦେଶ ଯେଉଁଠାରୁ ସର୍ବାଧିକ ଲୋକ ଅନ୍ୟ ଦେଶକୁ ପଳାଇଯାଇ ସେଠାରେ ବସବାସ କରିବାକୁ ପସନ୍ଦ କରୁଛନ୍ତି। ଆଜିର ଦିନରେ ଭାରତରୁ ଫି ବର୍ଷ ପନ୍ଧର ଲକ୍ଷରୁ ଅଧିକ ଲୋକ ଅନ୍ୟ ଦେଶରେ ରହିବା ପାଇଁ ପଳେଇ ଯାଉଛନ୍ତି। ଏବେ ଅନ୍ୟ ଦେଶ ମାନଙ୍କରେ ବସବାସ କରିଥିବା ଏନ୍.ଆର୍.ଆଇ ବା ଭାରତୀୟ ଅଥଚ ଭାରତରେ ବାସ କରୁ ନଥିବା ଲୋକଙ୍କ ସଂଖ୍ୟା ପ୍ରାୟ ଚାରିକୋଟି।

ଆମ ଲୋକ ଆମ ମାଟି ଛାଡ଼ି କାହିଁକି ପଳେଇ ଯାଉଛନ୍ତି? ସୁରାଟ୍‌ରେ, ପଞ୍ଜାବରେ, ବାଙ୍ଗାଲୋର୍‌ରେ, ଦୁବାଇରେ କାହିଁକି ଶ୍ରମଜୀବୀ, କୁଲି, ମଜଦୁର୍ ହୋଇ ରହିବା ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଓଡ଼ିଶା ଛାଡ଼ି ପଳେଇ ଯାଉଛନ୍ତି?

ଗତ ବର୍ଷ କରୋନା ଆତଙ୍କରେ ଘରମୁହାଁ ଏ ଭୋକିଲା ଲୋକଙ୍କର ନଗଡ଼ା-ସମର୍ଥିତ ରୂପ ଯେ ଦେଖିଥିବ ସେ ସହଜରେ ଅନୁମାନ କରିପାରିବ କେତେ ଖୋଜି ପାଇଛି ସେ ଓଡ଼ିଶାକୁ! ଓଡ଼ିଶାର କ’ଣ ସେ ଆବିଷ୍କାର କରିଛି!

ଓଡ଼ିଶା କହିଲେ ଲୋକଙ୍କୁ ଖଣି ଦିଶୁଛି, ବିସ୍ତୃତ ବେଳାଭୂମି ଦିଶୁଛି, ଜଳ ସମ୍ପଦ ଦିଶୁଛି, ସହର ବଜାର ଦିଶୁଛି। ଆଉ ଲୋକ ଦିଶୁନାହାନ୍ତି। ଅଗମ୍ୟ ଅଞ୍ଚଳମାନଙ୍କରେ ଥିବା ଲୋକ ତ ନଜରକୁ ଆସୁନାହାନ୍ତି ମୋଟେ। କେବଳ ସ୍ବାଧୀନତା ଦିବସ ଓ ଗଣତନ୍ତ୍ର ଦିବସରେ ସେମାନଙ୍କର ନାଚ ସମୟରେ ବା ଆଦିବାସୀ ମେଳା ସମୟରେ ଦିଶୁଛନ୍ତି ସେମାନେ। ଖାଦ୍ୟ, କାମ, ସ୍ବାସ୍ଥ୍ୟ, ଶିକ୍ଷା ଓ ବାଟଘାଟ ସହ ସବୁଲୋକଙ୍କୁ ନ ଯୋଡ଼ିବା ପର୍ଯ୍ୟନ୍ତ ଆମେ ଯେ ଓଡ଼ିଶା ପ୍ରଦେଶଟିକୁ ଆବିଷ୍କାର କରିପାରିନାହୁଁ ସେ କଥା କ’ଣ ଅସ୍ବୀକାର କରିବା? ସମସ୍ତେ ବାର୍ଷିକ ଅଟକଳକୁ ଅର୍ଥରାଶିର ମିଶାଣ ଫେଡ଼ାଣରେ ଦେଖନ୍ତି। କେହି କାମ ଆଧାରରେ କି ଲୋକ ଆଧାରରେ ଦେଖନ୍ତି ନାହିଁ।

ଓଡ଼ିଶାର ଅସଲ ଭାଗ୍ୟ ରହିଛି ତା’ର ନିଜସ୍ବ ଶିଳ୍ପରେ। ନିଜସ୍ବ ଉତ୍ପାଦନରେ। କୃଷିକର୍ମଣ ସାର୍ଟିଫିକେଟ୍ ଧରି ପ୍ରଦେଶ କହୁଛି କୃଷି ଉତ୍ପାଦନରେ ଆମେ ଆଗରେ। ଅଥଚ ଯେଉଁଆଡ଼େ ଗଲେ ସେ ଆଡ଼େ ଚାଷଜମି ପଡ଼ିଆ। ହେଲା ଏବେ ଅଳ୍ପରେ ଆମେ ଏତେ ଫଳାଉଛୁ ଯେ ଏକ ନମ୍ବର ହୋଇଯାଉଛୁ। ସେତିକିବେଳେ ପଡ଼ିଆ ଜମିକୁ ଆଦାୟ-ଭୂମି କରିପାରିଲେ ତ ରପ୍ତାନି କରି ଲାଭ ପାଆନ୍ତୁ! ଲୋକଙ୍କୁ ରୋଜଗାର ଦିଅନ୍ତୁ। ସବୁ ନିଜି ଶିଳ୍ପ ଏବେ ବନ୍ଦ। ଯାହା ବି ଅଛି କେହି ଗୋଟିଏ ବି ବାହାରେ ଜଣାଶୁଣା ନୁହେଁ। ଅଥଚ ସମ୍ବଲପୁରୀ ବସ୍ତ୍ରଶିଳ୍ପକୁ ଆମେ ଓଡ଼ିଶାର ଜାତୀୟ ଶିଳ୍ପ କରି ସାରା ବିଶ୍ବର ବସ୍ତ୍ର ବଜାରରେ ପ୍ରବେଶ କରିବା ସହ ପ୍ରଭୂତ ରୋଜଗାରର ବ୍ୟାପକତା ଯେ ଆଣି ପାରନ୍ତେ, ସେଥି ପ୍ରତି ଆମର ନଜର ନାଇଁ ‌ମୋଟେ।

ସବୁବେଳେ ସମସାମୟିକତା ଆଣି ଆପଣାର ଖୋଜିବାକୁ ସକ୍ରିୟ କରିବା ହିଁ ପ୍ରକୃତ ଆବିଷ୍କାର। ଆଜି ଓଡ଼ିଶା ଯେଉଁ ଆବିଷ୍କାର ଖୋଜୁଛି ତାହା କୌଣସି ଖେଳ କି ଷ୍ଟାଡିଅମ୍‌ରେ ନାହିଁ।

ଜଣେ କିଏ ପଣ୍ଡିତ ଜବାହରଲାଲ ନେହରୁଙ୍କ ବିଖ୍ୟାତ ପୁସ୍ତକ ‘‘ଡିସ୍‌କଭରି ଅଫ୍ ଇଣ୍ଡିଆ’’କୁ ଥଟ୍ଟା କରି କହୁଥିଲେ, ‘‘ସେ କ’ଣ ଭାରତ ଦେଖି ନ ଥିଲେ ଯେ ଭାସ୍କୋଡ଼ାଗାମାଙ୍କ ପରି ଭାରତ ଆବିଷ୍କାର କରୁଥିଲେ?’’

କହିବାର ଅଛି, ଆବିଷ୍କାର ଏକ ନିରବଚ୍ଛିନ୍ନ ପ୍ରକ୍ରିୟା। ନିଜକୁ ଯେତେ ଜାଣିଲେ କି ଆବିଷ୍କାର କଲେ ବି ତାହା ଅପୂର୍ଣ୍ଣ। ମନରେ ରହିବା ଦରକାର ଯେ ଆଜି ‘‘ଓଡ଼ିଶା ଆବିଷ୍କାର’’ ଲାଗି ଆମେ ସଭିଏଁ ଓଡ଼ିଶାମନସ୍କ ନ ହେଲେ ଆଗକୁ ନଗଡ଼ାମାନେ ଜଳ ଜଳ ଦିଶିବା ଅସ୍ବାଭାବିକ ନୁହେଁ।

ସହରଗୁଡ଼ିକରେ ଆଲୁଅ ଜଳୁଥିବ, କଳଗାଡ଼ି ଛାଞ୍ଚୁଣୀ ଧରି ଓଳେଇ ଦେଉଥିବ ବାବାଭାୟାଙ୍କ ସଡ଼କ ମାତ୍ର ‘‘ଇଣ୍ଡିଆଜ୍ ହାର୍ଟ ଅଫ୍ ଡାର୍କନେସ୍’’ ବିସ୍ତାରିତ ହୋଇ ଚାଲିଥିବ ପାହାଡ଼ ପନ୍ତାର କଣରେ। ଦଳ ଦଳ ସମର୍ଥ ଯୁବକ ପ୍ରବାସରେ ଯାଇ ମୁଣ୍ଡ ଗୁଞ୍ଜିଥିବେ।

[email protected]

ସମ୍ବନ୍ଧିତ ଖବର