‘ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ’

ସରସ ରସ - ସୁଭାଷ ପଟ୍ଟନାୟକ

ସ୍ବଭାବତଃ, ମନୁଷ୍ୟ ଅନୁକରଣ ପ୍ରିୟ। ନିଜସ୍ବ ସୁପ୍ତ ଓ ଲୁକ୍କାୟିତ ପ୍ରତିଭାର ବିକାଶ ନ କରି ସହଜ ଭାବରେ ସର୍ବଦା ଅନ୍ୟ କାହାରିକୁ ନକଲ କରିନେବାକୁ ଭଲପାଏ। ମନୁଷ୍ୟର ଏହି ଚରିତ୍ରଟିକୁ ନାପସନ୍ଦ କରି ବିଶିଷ୍ଟ ଲେଖକ ଅସ୍କାର ୱାଇଲ୍‌ଡ୍ କହିଥିଲେ, “ବି ୱୋରସେଲ୍‌ଫ, ଏଭ୍ରିୱାନ୍ ଏଲ୍‌ସ୍ ଇଜ୍ ଅଲରେଡି ଟେକେନ୍”। ଉକ୍ତିଟିର ଭାବାର୍ଥ ହେଲା, ଅନ୍ୟ ପରି ହେବାକୁ ଚେଷ୍ଟା ନ କରି ନିଜ ପରି ହୁଅ, କାରଣ ଅନ୍ୟମାନେ ସମସ୍ତେ ସେମାନଙ୍କ ନିଜ ନିଜ ପରି ହୋଇସାରିଛନ୍ତି। ତେଣୁ ନିଜ ପରି ହୋଇ ନିଜସ୍ବ ପ୍ରତିଭାର ବିକାଶ କରିବାକୁ ହେବ। ଉଦାହରଣ ସ୍ବରୂପ, ଯଦି ଜଣକ ପାଖରେ ଖେଳାଳି ପ୍ରତିଭା ଅଛି, ସେ ଖେଳାଳି ହୋଇ ନିଜସ୍ବ ଶୈଳୀରେ ଖେଳିଲେ ହିଁ ସଫଳ ହେବ। ଜଣେ ଲେଖକ ନିଜସ୍ବ ଶୈଳୀରେ ଲେଖିଲେ ଯାଇ ଲୋକପ୍ରିୟ ହୋଇପାରିବ। ଅନ୍ୟର ନକଲ କରି ଆଗକୁ ବଢ଼ିବା ଅସମ୍ଭବ। ନିଜକୁ ଅନ୍ୟ ଏକ ବ୍ୟକ୍ତିର ଅନୁବିମ୍ବ କରି ଦର୍ଶାଇବା ଠିକ୍ ନୁହେଁ। ପ୍ରତ୍ୟେକଙ୍କ ଠାରେ ନିଜସ୍ବ ଏକ ମୌଳିକ ପରିଚୟ ଅଛି, ଯାହା ଅନ୍ୟମାନଙ୍କ ଠାରୁ ସଂପୂର୍ଣ୍ଣ ଅଲଗା। ଆମେ ନିଜକୁ ଯେଉଁପରି ହେବାକୁ ଚାହିବା ହୋଇପାରିବା, ମାତ୍ର ଯାହା ପରି ହେବାକୁ ଚାହିବା ହୋଇପାରିବା ନାହି। ନିଜସ୍ବ ଉଦ୍ୟମରେ ଜଣେ ପ୍ରସିଦ୍ଧ ଲେଖକ, ଚିତ୍ରକାର, ବୈଜ୍ଞାନିକ ବା ଗାୟକ ହୋଇପାରିବ, ମାତ୍ର ଆଉଜଣେ ମନୋଜ ଦାସ, ପିକାସୋ, ସିଭି ରମଣ ବା ଲତା ମଙ୍ଗେସ୍କର ହୋଇପାରିବନି।

ପ୍ରକୃତି ଆମ ସମସ୍ତଙ୍କୁ ଏକ ଏକ ନିର୍ଦ୍ଦିଷ୍ଟ ପରିଚୟ ଦେଇଛି। ଆମେ ସମସ୍ତେ ପରସ୍ପର ଠାରୁ ଚେହେରା ଓ ଚରିତ୍ରରେ ଭିନ୍ନ। ଯେତେବେଳେ ଆମେ ଅନ୍ୟକୁ ଅନୁକରଣ କରୁ, ପ୍ରକୃତିର ଇଚ୍ଛା ବିରୋଧରେ ଯାଇଥାଉ। ପ୍ରକୃତି କେବେହେଲେ ନକଲ କରେନାହିଁ। ପ୍ରତ୍ୟେକ ପ୍ରାଣୀ ନିଜର ଏକ ସ୍ବତନ୍ତ୍ର ସ୍ବଭାବ ଓ ପରିଚୟ ନେଇ ଜନ୍ମ ହୋଇଥା’ନ୍ତି। ତେଣୁ ଅନ୍ୟକୁ ଅନୁକରଣ କରି ପରୋକ୍ଷରେ ଆମେ ନିଜର ମୌଳିକତାକୁ ନଷ୍ଟ କରିଦେଉ। ଅବଶ୍ୟ ଅନେକ ସମୟରେ ଆମ ସମାଜ ଆମକୁ କିଛି ଅନୁକରଣୀୟ ବ୍ୟକ୍ତିତ୍ବ ଓ କିଛି ନିରୂପିତ ଉଦାହରଣକୁ ଗ୍ରହଣ କରିନେବାକୁ ପ୍ରବର୍ତ୍ତାଇ ଥାଏ। ସେ କ୍ଷେତ୍ରରେ ସେହିସବୁ ବ୍ୟକ୍ତିତ୍ବମାନଙ୍କର ଉପଲବ୍‌ଧିକୁ ନିଜ ଜୀବନରେ ପ୍ରେରଣା ଭାବରେ ଗ୍ରହଣ କରାଯାଇପାରେ, ମାତ୍ର ବାସ୍ତବରେ ସେମାନଙ୍କୁ ଅନୁକରଣ କରି ବସିଲେ ନିଜସ୍ବ ବ୍ୟକ୍ତିତ୍ବଟି ଧୀରେ ଧୀରେ ହଜିଯାଏ। ଉଦାହରଣଟିଏ ନେବା। ପିଲାଟି ଜନ୍ମ ହେଲେ ପିତାମାତା ତା’ପାଇଁ ନିଜ ଇଚ୍ଛାରେ ଭାବୀ ଜୀବନର ଏକ ମାର୍ଗ ପ୍ରସ୍ତୁତ କରିଦିଅନ୍ତି। ଡାକ୍ତର ହେବା ପାଇଁ ପିଲାର ଇଚ୍ଛା ଥିଲେ ମଧ୍ୟ ତାକୁ ଅନ୍ୟ ସଫଳ ଓକିଲଙ୍କ ଉଦାହରଣ ଦେଖାଇ ଓକିଲାତି ପଢ଼ିବାକୁ ବାଧ୍ୟ କରନ୍ତି। ଫଳତଃ, ସେ ଓକିଲାତି ପ୍ରତି ଆଗ୍ରହ ହରାଇ ପରିଶେଷରେ ବିଫଳତା ଲାଭ କରେ। ଅନ୍ୟ ପରି ହେବାକୁ ଯାଇ ତାର ପ୍ରତିଭାର ମୃତ୍ୟୁ ଘଟେ। ଧୋତି ପିନ୍ଧି ଦୀର୍ଘ କାଳ ଅନଶନରେ ବସିଗଲେ ଜଣେ ଗାନ୍ଧୀଜୀ ହୋଇଯିବା ସମ୍ଭବ କି? ଅନ୍ୟର ଜୋତା ଯେତେ ସୁନ୍ଦର ହେଲେ ମଧ୍ୟ ନିଜ ଗୋଡ଼କୁ ଖାପ ଖାଏ ନାହିଁ, ଚାଲିବାରେ କଷ୍ଟ ହୁଏ। ତେଣୁ ଅନୁକରଣ କେବେହେଲେ ଅନୁପ୍ରେରଣା ହୋଇ ନ ପାରେ। ଅନୁପ୍ରେରଣା ହିଁ ମନୁଷ୍ୟର ପ୍ରକୃତ ପ୍ରତିଭାକୁ ଉଜ୍ଜ୍ୱଳ କରେ। ଅନ୍ୟ ଠାରୁ ନକଲ କରି ଆପଣେଇଥିବା ସହସ୍ର ଗୁଣ ଠାରୁ ନିଜସ୍ବ ସାମାନ୍ୟ କିଛି ମୌଳିକ ଗୁଣ ଜଣକୁ ସମାଜରେ ଏକ ମର୍ଯ୍ୟାଦାଜନକ ସ୍ଥାନ ଦେଇପାରେ। ଅତଏବ, ଅନ୍ୟକୁ ଅନୁକରଣ କରିବା ଅପେକ୍ଷା ନିଜକୁ ଖୋଜି ପାଇବା ଶ୍ରେୟସ୍କର।

ପ୍ରଶ୍ନ ଉଠେ, ଆମେ କାହିଁକି ଅନୁକରଣକୁ ଭଲପାଉ। କାରଣ ହେଲା, ନିଜକୁ ବୁଝିବା ପାଇଁ କଷ୍ଟ ସ୍ବୀକାର ନ କରି ଅନ୍ୟକୁ ଅନୁକରଣ କରିବା ପରି ଏକ ସହଜ ରାସ୍ତା ଆମେ ବାଛି ନେଇଥାଉ। ଅନ୍ୟର ବ୍ୟକ୍ତିତ୍ବକୁ ବିଶ୍ଳେଷଣ ନ କରି, ଯେଉଁମାନେ ଆମର ପ୍ରେରଣାଦାୟୀ ଭାବୁ, ସେମାନଙ୍କୁ ଅନୁକରଣ କରୁ। ତେଣୁ ଆମର ନିଜସ୍ବ ଲୁକ୍କାୟିତ ବ୍ୟକ୍ତିତ୍ବ ଓ ସାମର୍ଥ୍ୟ ହଜିଯାଏ। ଏହା କରିବା ଦ୍ବାରା ଆମେ ଆମ ସ୍ରଷ୍ଟାଙ୍କୁ ଜଣାଇଦେଉ ଯେ ଆମ ପସନ୍ଦର ବ୍ୟକ୍ତିଙ୍କ ପରି ଆମକୁ ନ ଗଢ଼ି ସ୍ରଷ୍ଟା ଭୁଲ୍‌ କରିଛନ୍ତି। ପ୍ରକୃତପକ୍ଷେ, ଆମେ ଯାହାକୁ ଅନୁକରଣ କରୁ, ଆମେ ଭାବୁଥିବା ପରି ସେ ଆମଠାରୁ ଉତ୍ତମ ବା ଶ୍ରେଷ୍ଠ ନୁହେଁ, କେବଳ ଆମ ଠାରୁ ପୃଥକ୍‌।

ନିଜ ପରି ହେବା ଅର୍ଥ ନୁହେଁ ଯେ ନିଜକୁ ପରିବର୍ତ୍ତନ ନ କରିବା। ଏ ପରିବର୍ତ୍ତନ କଦାଚିତ୍ ଅନ୍ୟ ପରି ହେବାକୁ ନୁହେଁ, ବରଂ ନିଜକୁ ବଦଳାଇବା ପାଇଁ। ନିଜକୁ ନିଜ ଠାରୁ ଅଧିକ ବୋଲି ନ ଦର୍ଶାଇବା ପାଇଁ। ଆମେ ଏପରି ଏକ ପୃଥିବୀରେ ବାସ କରୁଛେ, ଯେଉଁଠି ପ୍ରତ୍ୟେକ କଥା ଓ କାର୍ଯ୍ୟ ପ୍ରାମାଣିକତାର ଅପେକ୍ଷା ରଖେ। ପ୍ରାମାଣିକତାର ଅର୍ଥ ହେଉଛି, ଆମର ଅନ୍ତର ଓ ବାହାର ମଧ୍ୟରେ ଥିବା ପାର୍ଥକ୍ୟର ପରିସମାପ୍ତି। ଆମେ ଭିତରେ ଯାହା ବାହାରେ ତାହା ହେଲେ ଯାଇ ନିଜ ବ୍ୟକ୍ତିତ୍ବର ପ୍ରାମାଣିକତା ସିଦ୍ଧ ହୋଇପାରିବ। ଅନୁକରଣ ଜୀବନର ଏକ ଅଂଶ ନୁହେଁ, ଅନୁପ୍ରେରଣା ହିଁ ଜୀବନର ଏକ ଅଂଶ। ପ୍ରସିଦ୍ଧ ଲେଖକ ଜନ୍ ମ୍ୟାସନଙ୍କର ବହିଟିଏ ଅଛି, ତା’ର ଶୀର୍ଷକ ହେଉଛି “ୟୁ ଆର୍ ବର୍ନ ଆନ୍ ଅରିଜିନାଲ୍, ଡୋଣ୍ଟ୍ ଡାୟ ଏ କପି”; ଅର୍ଥାତ୍‌ ଅସଲି ହୋଇ ଜନ୍ମ ନେଇଛ, ନକଲିଟିଏ ହୋଇ ମରନାହିଁ।

ତେଣୁ ନିଜକୁ ଜାଣନ୍ତୁ, ନିଜକୁ ସର୍ବଦା ଗ୍ରହଣ କରିନିଅନ୍ତୁ ଓ ନିଜ ପରି ହୋଇଯାଆନ୍ତୁ। ପରନ୍ତୁ ଭାବିଚିନ୍ତି ସ୍ଥିର କରନ୍ତୁ ଆପଣ କ’ଣ ହେବାକୁ ଚାହାଁନ୍ତି। ଅନ୍ୟଥା କବିସୂର୍ଯ୍ୟ ବଳଦେବ ରଥଙ୍କର ସତର୍କ ବାଣୀ ଆଉଥରେ ସ୍ମରଣ କରାଇ ଦେଉଛି: “ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ, ତେବେ ସେ ମରାଳୀ ବୋଲାଇବ କି? ଜଗତେ କେବଳ, ଜନେ ହସିବେ ଏହିତହୁଁ ଫଳ”।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର