ଗାନ୍ଧୀଙ୍କ ଦୃଷ୍ଟିରେ ‘ମୃତ୍ୟୁ’

ସ˚ଗ୍ରାମ ଜେନା

ମୃତ୍ୟୁ ସ˚ପର୍କରେ ଗାନ୍ଧୀ ଅନେକ ସମୟରେ ଖୋଲାଖୋଲି ଭାବେ କହୁଥିଲେ ଓ ଲେଖୁଥିଲେ। କାରଣ ସେ ନିଜର ବ୍ୟକ୍ତିଗତ ଓ ନାଗରିକ ଜୀବନରେ ଏ ସ˚ପର୍କରେ ଖୁବ୍‌ ସଚେତନ ଥିଲେ। ମୃତ୍ୟୁ ସ˚ପର୍କରେ ଗାନ୍ଧୀ ବିଚାରର ଦୁଇଟି ଦିଗ ରହିଛି। ପ୍ରଥମଟି ତାଙ୍କର ଆଧୢାତ୍ମିକ ଦୃଷ୍ଟିଭଙ୍ଗୀ ଯାହା ମୁଖ୍ୟତଃ ତତ୍ତ୍ବଭିତ୍ତିକ ଓ ଏହା ତାଙ୍କର ବ୍ୟକ୍ତିଗତ ଧର୍ମଧାରଣା ଉପରେ ପ୍ରତିଷ୍ଠିତ। ତାଙ୍କର ଏହି ଆଧୢାତ୍ମିକ ଦୃଷ୍ଟିଭଙ୍ଗୀର ବିକାଶ ପାଇଁ ତାଙ୍କ ଉପରେ ଥିଲା ଅନେକ ଧର୍ମପ୍ରଚାରକ ଓ ଧର୍ମଗ୍ରନ୍ଥର ପ୍ରଭାବ। ଯେମିତି ଶଙ୍କର, ବୁଦ୍ଧ, ମହମ୍ମଦ, ଯୀଶୁଖ୍ରୀଷ୍ଟ, କନ୍‌ଫୁସିୟସ୍‌ ଆଦି ଆଉ ଭଗବଦ୍‌ ଗୀତା, ତୁଳସୀ ଦାସ ରାମାୟଣ, ବାଇବେଲ ଇତ୍ୟାଦି। ଏ ସବୁରୁ ସେ ଶିଖିଥିଲେ ସତ୍ୟ, କରୁଣା, ତ୍ୟାଗ, ନ୍ୟାୟ, ପ୍ରେମ, ସହନଶୀଳତା, ଦୟା, କ୍ଷମା। ପୁଣି ସତ୍ୟ ଓ ପ୍ରେମ ଥିଲା ତାଙ୍କ ପାଇଁ ଈଶ୍ବର। ବସ୍ତୁତଃ ଏ ସବୁ ହିଁ ଥିଲା ତାଙ୍କ ମୃତ୍ୟୁ ଚେତନାର ପୃଷ୍ଠଭୂମି।

୧୯୨୬ ମସିହାରେ ‘ୟଙ୍ଗ ଇଣ୍ତିଆ’ରେ ଲେଖିଥିଲେ- ‘ଆମେ ସମସ୍ତେ ମୃତ୍ୟୁ ଭିତରେ ବଞ୍ଚୁଛନ୍ତି। ଏଣୁ ନିଜ ଯୋଜନା ପାଇଁ କାମ କରି ଲାଭ କ’ଣ, ଯାହା ଆଖି ପିଛୁଳାକେ ଚୂନା ହୋଇଯିବ ବା ଆମଠାରୁ ଚାଲିଯିବ? ମାତ୍ର ଈଶ୍ବରଙ୍କ ଯୋଜନା ପାଇଁ କାମ କଲେ ତୁମେ ନିଜକୁ ପଥର ଭଳି ଶକ୍ତ ଅନୁଭବ କରିବ। ସେଠି କିଛି ବିନାଶ ହୁଏନା, ବିନାଶ ହେବାପରି ଜଣାପଡ଼େ। ଏଣୁ ମୃତ୍ୟୁ ଓ ଧ୍ବ˚ସ ଅବାସ୍ତବ, ଏହା କେବଳ ଏକ ପରିବର୍ତ୍ତନ, ଅବସ୍ଥାନ୍ତର ମାତ୍ର।’

ଜୀବନ ଓ ମୃତ୍ୟୁ ବିଷୟରେ ଲେଖିବା ବେଳେ ସେ ଭଗବଦ୍‌ ଗୀତା ଓ ବାଇବେଲ୍‌ର ‘ପାହାଡ଼ ଉପରେ ଉପଦେଶ’ର ଉଦାହରଣ ଦେଉଥିଲେ। ୧୯୨୧ ମସିହାରେ ‘ୟଙ୍ଗ ଇଣ୍ତିଆ’ରେ ଲେଖିଥିଲେ- ସତ୍ୟ ମୂଲ୍ୟହୀନ, ଯଦି ଏହା ମଣିଷ ଭିତରେ ସତ୍ୟ ପାଇଁ ମୃତ୍ୟୁବରଣ କରିବାର ସାମର୍ଥ୍ୟ ସୃଷ୍ଟି କରିନପାରେ। ସେ କହୁଥିଲେ ‘ମଣିଷର ବିକାଶ ପାଇଁ ଜୀବନ ପରି ମୃତ୍ୟୁ ମଧୢ ଆବଶ୍ୟକ। ମୃତ୍ୟୁ ମଧୢରୁ ହିଁ ଜୀବନ ଜନ୍ମ ନିଏ। ମୃତ୍ୟୁ ଜୀବନର ପ୍ରବେଶ ଦ୍ବାର।’

ମୃତ୍ୟୁ ସ˚ପର୍କରେ ଗାନ୍ଧୀ ବିଚାରର ଦ୍ବିତୀୟ ଦିଗଟି ହେଲା ଯେ ବ୍ୟକ୍ତିଗତ ବିଶ୍ବାସ ବାହାରେ ଗାନ୍ଧୀ ମୃତ୍ୟୁକୁ ଏକ ଜନନୀତି (Public Policy) ଭାବେ ଗ୍ରହଣ କରିଥିଲେ। ତାଙ୍କ ଦୃଷ୍ଟିରେ ସମାଜ ଓ ରାଷ୍ଟ୍ର ପାଇଁ ମୃତ୍ୟୁ (ଆତ୍ମବନ୍ଦୀ)ର ଏକ ବ୍ୟାପକ ପ୍ରୟୋଗ ଓ ପ୍ରାସଙ୍ଗିକତା ରହିଛି। ନିଜର ସ˚ଘର୍ଷମୟ ନାଗରିକ ଜୀବନରେ ସେ ଅନେକ ସମୟରେ ମୃତ୍ୟୁ ବା ମୃତ୍ୟୁ ନିକଟବର୍ତ୍ତୀ ଅବସ୍ଥାର ସାମ୍ନା କରିଛନ୍ତି। ୧୯୧୫ ମସିହାରେ ଭାରତ ଫେରିଆସି ସ୍ବାଧୀନତା ସ˚ଗ୍ରାମର ନେତୃତ୍ବ ନେବା ପୂର୍ବରୁ ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କ ନାଗରିକ ଅଧିକାର ପାଇଁ ଲଢ଼ୁଥିଲେ। ଏଇଠି ଆରମ୍ଭ ହୋଇଥିଲା ତାଙ୍କ ଅହି˚ସ ପ୍ରତିରୋଧ (ସତ୍ୟାଗ୍ରହ)ର ପ୍ରଥମ ପରୀକ୍ଷା। ଏହି ସ˚ଘର୍ଷ ସମୟରେ ଜାଣିପାରିଥିଲେ ଯେ ଜଣେ ସ˚ଗ୍ରାମୀର ଜୀବନରେ ମୃତ୍ୟୁ ଏକ ବାସ୍ତବ ପରିଣତି। ଏହା ଯେ କୌଣସି ସ୍ଥାନରେ ଓ ସମୟରେ ଆସିପାରେ। ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କ ଅଧିକାର ପାଇଁ ସେ ଏକ ପୁସ୍ତିକା ଲେଖିଥିଲେ। ଏଥିପାଇଁ ୧୮୯୭ ମସିହାରେ ଡରବାନ୍‌ ଠାରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏମିତି ଅନେକ ପରିସ୍ଥିତିର ସାମ୍ନା କରିଥିଲେ ସତ୍ୟାଗ୍ରହ ସମୟରେ ଦକ୍ଷିଣ ଆଫ୍ରିକାରେ। ନିଜ ପୁତୁରାକୁ ଦକ୍ଷିଣ ଆଫ୍ରିକାରୁ ଚିଠିଟିଏ ଲେଖିଥିଲେ ୨୯ ଜାନୁଆରି ୧୯୦୯ ମସିହାରେ, ନିଜ ମୃତ୍ୟୁର ଠିକ୍‌ ୩୯ ବର୍ଷ ପୂର୍ବରୁ- ‘ଦକ୍ଷିଣ ଆଫ୍ରିକାରେ ମୋର ମୃତ୍ୟୁ ହୋଇପାରେ, ତା’ପୁଣି ନିଜ ଦେଶ ଲୋକଙ୍କ ହାତରେ.. ଯଦି ଏହା ଘଟେ ତେବେ ତୁମେ ଖୁସି ହେବା ଉଚିତ। ଏହା ହିନ୍ଦୁ ଓ ମୁସଲମାନଙ୍କୁ ଏକାଠି କରିଦେବ। … ସମାଜର ଶତ୍ରୁମାନେ ସବୁବେଳେ ଏ ପ୍ରକାର ଏକତା ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଏକତା ପ୍ରତିଷ୍ଠାର ଏହି ମହାନ୍‌ ପ୍ରୟାସ ମଧୢରେ କାହାକୁ ନା କାହାକୁ ଜୀବନ ଉତ୍ସର୍ଗ କରିବାକୁ ପଡ଼ିବ।’ ଏକ ଅର୍ଥରେ ଏହା ଥିଲା ଗାନ୍ଧୀଙ୍କ ଅବିଶ୍ବସନୀୟ ଭବିଷ୍ୟତ୍‌ ବାଣୀ।

ମୃତ୍ୟୁକୁ ଏକ ଜନନୀତି ଭାବେ ବୁଝିବାକୁ ହେଲେ ପ୍ରଥମେ ଗାନ୍ଧୀଙ୍କ ସ˚ଘର୍ଷର ପଥ ଓ ପନ୍ଥାକୁ ଜାଣିବାକୁ ପଡ଼ିବ। ଗାନ୍ଧୀଙ୍କ ସତ୍ୟାଗ୍ରହର ଲକ୍ଷ୍ୟ ଥିଲା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼ିବା ଓ ଏହାର ପନ୍ଥା ଥିଲା ଅହି˚ସା। ଅପରପକ୍ଷର ହି˚ସାକୁ, ଅହି˚ସ ମାର୍ଗରେ ମୁକାବିଲା କରିବା; ତା’ ପୁଣି ନିଜକୁ କଷ୍ଟ ଦେଇ। ଏଇ ଆତ୍ମ-ଯନ୍ତ୍ରଣାର ଚରମ ପରିଣତି ମୃତ୍ୟୁ ହୋଇପାରେ। ଏଣୁ ଗାନ୍ଧୀ ସତ୍ୟାଗ୍ରହକୁ ‘ଆତ୍ମବଳ’ କହୁଥିଲେ। ଯାହା ଥିଲା କଷ୍ଟ ସହିବାର ସାମର୍ଥ୍ୟ ଓ ଅନ୍ୟାୟ ବିରୋଧରେ ଲଢ଼ିବାର ନୈତିକ ଅସ୍ତ୍ର। ଅତ୍ୟାଚାରୀର ହି˚ସାକୁ ଅହି˚ସ ମାର୍ଗରେ ପ୍ରତିରୋଧ କରିବା ସମୟରେ ଲାଠି ଓ ଗୁଳିର ପ୍ରୟୋଗ ବେଳେ ମୃତ୍ୟୁ ବା ତା’ ପାଖାପାଖି ଅବସ୍ଥାଟିଏ ଆସିପାରେ। ଏହାର ସମ୍ମୁଖୀନ ହେବା ସତ୍ୟାଗ୍ରହୀର ସାମାଜିକ ଓ ନୈତିକ କର୍ତ୍ତବ୍ୟ ବୋଲି ଗାନ୍ଧୀ ଭାବୁଥିଲେ। ୧୯୨୧ ମସିହାରେ ‘ୟଙ୍ଗ ଇଣ୍ତିଆ’ରେ ଲେଖିଥିଲେ- ‘ଅହି˚ସାର ଗୂଢ଼ ଅର୍ଥ ହେଉଛି ଯେ ନିଜକୁ କଷ୍ଟ ଦେଇ ଆମେ ଲକ୍ଷ୍ୟ ହାସଲ କରିପାରିବା। ପ୍ରଥମେ ତ୍ୟାଗରୁ ଏହାର ଆରମ୍ଭ। ଜୀବନର ବିଶାଳ ଲକ୍ଷ୍ୟ ପାଇଁ ଆମକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇପାରେ। ଅଧିକ କଷ୍ଟ ଆମକୁ ଲକ୍ଷ୍ୟର ନିକଟତର କରାଏ। ଅହି˚ସାର ପୂଜାରୀ ସବୁବେଳେ ଅନ୍ୟର ମଙ୍ଗଳ ପାଇଁ ମରିବାକୁ ପ୍ରସ୍ତୁତ ଥାଏ। ସେ ମରଣ ବରିନିଏ କାରଣ ଅନ୍ୟମାନେ ବଞ୍ଚିବେ, ସେ ନିଜେ ମରି ଅନ୍ୟକୁ ବଞ୍ଚାଏ।

ଗାନ୍ଧୀ ନିଜ ବିଚାର ପାଇଁ ପ୍ରେରଣା ପାଇଥିଲେ ଦୁଇ ଜଣ ମହାମନୀଷୀଙ୍କ ଠାରୁ। ଜଣେ ଥିଲେ ମହାନ୍‌ ରୁଷୀୟ ଲେଖକ ଓ ଦାର୍ଶନିକ ଲିଓ ଟଲଷ୍ଟୟ ଓ ଆଉଜଣେ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌। ଟଲଷ୍ଟୟଙ୍କ ୧୮୯୩ରେ ପ୍ରକାଶିତ ପୁସ୍ତକ ‘ଦି କି˚ଡମ୍‌ ଅଫ୍‌ ଗଡ୍‌ ଇଜ୍‌ ଉଇଦିନ୍‌ ୟୁ’ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ସାକ୍ଷାତ ହୋଇନଥିଲେ ବି ସେମାନଙ୍କ ମଧୢରେ ଚିଠିପତ୍ରର ଆଦାନ ପ୍ରଦାନ ଥିଲା। ଏପରିକି ଗାନ୍ଧୀ ୧୯୧୦ ମସିହାରେ ଜୋହାନେସ୍‌ବର୍ଗ ନିକଟରେ ସ୍ଥାପନ କରିଥିବା ଆଶ୍ରମର ନାମ ‘ଟଲଷ୍ଟୟ ଫାର୍ମ’ ରଖିଥିଲେ। ଏହା ସତ୍ୟାଗ୍ରହ କାର୍ଯ୍ୟକ୍ରମର ଏକ କେନ୍ଦ୍ର ପାଲଟି ଯାଇଥିଲା। ସେ ଟଲଷ୍ଟୟଙ୍କ ଠାରୁ ଶିଖିଥିଲେ ଅହି˚ସା, ଶାନ୍ତି, ସ୍ବାଧୀନ ବିଚାର, ଗଭୀର ନୀତିବୋଧ, ପ୍ରେମ, ସତ୍ୟ ଓ ସରଳ ଜୀବନଯାପନ ପାଇଁ ପ୍ରତିବଦ୍ଧତା। ମୃତ୍ୟୁ ଓ ପୁନର୍ଜନ୍ମ ବିଷୟରେ ମଧୢ ସେମାନେ ମତ ବିନିମୟ କରିଥିଲେ। ଲଣ୍ତନରୁ ୧.୧୦.୧୯୦୯ ମସିହାରେ ଗାନ୍ଧୀ ଟଲଷ୍ଟୟଙ୍କୁ ଚିଠି ଲେଖି ପୁନର୍ଜନ୍ମ ଉପରେ ତାଙ୍କ ଅବିଶ୍ବାସକୁ ପ୍ରଶ୍ନ କରିଥିଲେ। ଲେଖିଥିଲେ- ‘ଟ୍ରାନ୍‌ସଭାଲ୍‌ରେ ଫାଶୀଖୁଣ୍ଟରେ ଚଢ଼ିଥିବା ସତ୍ୟାଗ୍ରହୀଙ୍କ ପାଇଁ ପୁନର୍ଜନ୍ମର ବିଶ୍ବାସ ଥିଲା ଏକ ସାନ୍ତ୍ବନା। ପୁଣି ଲକ୍ଷ ଲକ୍ଷ ଭାରତୀୟ ଓ ଚୀନାମାନେ ମୃତ୍ୟୁ ପରେ ପୁନର୍ଜନ୍ମରେ ବିଶ୍ବାସ କରନ୍ତି।’ ଉତ୍ତରରେ ଟଲଷ୍ଟୟ ଲେଖିଥିଲେ ଯେ ‘ଯଦି ତୁମେ ଚାହଁ ତେବେ ପୁନର୍ଜନ୍ମ ବିଷୟରେ ଥିବା ଅନୁଚ୍ଛେଦକୁ ମୁଁ ଲେଖାରୁ ବାଦ ଦେବି।’

ଏଥର ସକ୍ରେଟିସ୍‌ଙ୍କ ଉଦାହରଣ ନିଆଯାଉ। ସକ୍ରେଟିସ୍‌ କହୁଥିଲେ ଯେ ପ୍ରତ୍ୟେକ ଲୋକ କିପରି ମରିବାକୁ ହୁଏ ବା ମରଣର କଳା ଜାଣିବା ଉଚିତ। ନିଜର ଆଦର୍ଶ ଓ ମତର ସ୍ବାଧୀନତା ପାଇଁ ସକ୍ରେଟିସ୍‌ ମରିବାକୁ ପ୍ରସ୍ତୁତ ଥିଲେ। ଏଣୁ ଦଣ୍ତାଦେଶ ପାଳନ କରି ବିଷ ପାନ କରି ସେ ମୃତ୍ୟୁବରଣ କରିଥିଲେ। ସତ୍ୟ ଓ ନ୍ୟାୟ ଏବଂ ନିଜର ମତାଦର୍ଶ ପାଇଁ ତାଙ୍କର ମୃତ୍ୟୁବରଣ ଗାନ୍ଧୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ପୁଣି ସକ୍ରେଟିସ୍‌ ସନ୍ନ୍ୟାସୀ ନ ଥିଲେ, ଥିଲେ ସମାଜରେ ବଞ୍ଚୁଥିବା ଜଣେ ସାଧାରଣ ନାଗରିକ। ସକ୍ରେଟିସ୍‌ଙ୍କ ପରି ଗାନ୍ଧୀଙ୍କର ଥିଲେ ଅନେକ ଅନୁଗାମୀ। ୧୯୦୮ ମସିହାରେ ଦକ୍ଷିଣ ଆଫ୍ରିକାରେ ଜେଲ୍‌ରେ ଥିବାବେଳେ ସେ ପ୍ଲାଟୋଙ୍କ ପୁସ୍ତକ ‘ଆପୋଲୋଜି’ ପଢ଼ି ସକ୍ରେଟିସ୍‌ଙ୍କ ଜୀବନ ବିଷୟରେ ଜାଣିଥିଲେ ଓ ଏହାକୁ ଗୁଜରାଟୀରେ ଅନୁବାଦ କରି ତାଙ୍କ ସମ୍ବାଦପତ୍ର ‘ଇଣ୍ତିଆନ୍‌ ଓପିନିଅନ୍‌’ରେ ଧାରାବାହିକ ଭାବେ ପ୍ରକାଶ କରିଥିଲେ। ଏଥିରେ ଥିଲା ବିଚାରକମଣ୍ତଳୀ ସମ୍ମୁଖରେ ସକ୍ରେଟିସ୍‌ ଦେଇଥିବା ବୟାନ। ମୃତ୍ୟୁଦଣ୍ତ ସମ୍ମୁଖରେ ତାଙ୍କର ସ୍ବାଧୀନ ମତ ଓ ନୈତିକ ଦୃଢ଼ତା ଏବଂ ଭୟହୀନତା ଦେଖି ଗାନ୍ଧୀ ବିସ୍ମିତ ହୋଇଯାଇଥିଲେ। ୧୯୦୮ ମସିହାରେ ଗାନ୍ଧୀ ଲେଖିଥିଲେ ‘ଆମେ ସକ୍ରେଟିସ୍‌ଙ୍କ ପରି ବଞ୍ଚିବା ଓ ମରିବା ଶିଖିବା ଉଚିତ। ସେ ହିଁ ଥିଲେ ପ୍ରକୃତରେ ଜଣେ ସତ୍ୟଗ୍ରାହୀ (ସତ୍ୟବୀର)’। ସକ୍ରେଟିସ୍‌ଙ୍କ ପରି ଗାନ୍ଧୀଙ୍କ ପାଇଁ ମୃତ୍ୟୁ ଥିଲା ଏକ ନାଗରିକ କର୍ମ (Public Act)। ୧୯୩୦ ମସିହାରେ ‘ୟଙ୍ଗ ଇଣ୍ତିଆ’ରେ ଲେଖିଥିଲେ ‘ତ୍ୟାଗ ନ କରି ଆମେ ସ୍ବରାଜ ହାସଲ କଲେ ତାହା ଦୀର୍ଘସ୍ଥାୟୀ ହେବ ନାହିଁ। ଏଣୁ ମୁଁ ଚାହେଁ ଲୋକମାନେ କଠିନତମ ତ୍ୟାଗ ପାଇଁ ପ୍ରସ୍ତୁତ ରୁହନ୍ତୁ। ପ୍ରକୃତ ତ୍ୟାଗରେ ଜଣେ ଜୀବନ ହରାଇ ଜୀବନ ଲାଭ କରିପାରିବ। ଭାରତୀୟମାନେ ଏହି ମହାନ୍‌ ମନ୍ତ୍ର ଶିଖିବା ଉଚିତ।’ ପୁଣି ଲେଖିଥିଲେ ‘ସ୍ବରାଜ ହେଉଛି ମୃତ୍ୟୁର ଭୟରୁ ମୁକ୍ତି। ଯଦି ସ୍ବରାଜ ବିଳମ୍ବ ହୁଏ, ତେବେ ଏହାର କାରଣ ଆମେ ନିରବରେ ମୃତ୍ୟୁ ବା ମୃତ୍ୟୁ ପରି କଷ୍ଟ ଭୋଗିବାକୁ ପ୍ରସ୍ତୁତ ନୋହୁଁ।’

ଗାନ୍ଧୀ ଜାଣିଥିଲେ ଯେ ଅହି˚ସ ପ୍ରତିବାଦର ପରିଣତି ମୃତ୍ୟୁ ହୋଇପାରେ। ଏଥିପାଇଁ ଆତ୍ମ ବଳିଦାନ ଥିଲା ତାଙ୍କ ପାଇଁ ଏକ ଆଦର୍ଶ ପନ୍ଥା, ଜନସ୍ବାର୍ଥ ହାସଲ ପାଇଁ ଏକ ମାଧୢମ, ଏକ ଅହି˚ସ ଯୋଦ୍ଧା ପାଇଁ ମୃତ୍ୟୁ ଏକ ସମ୍ମାନଜନକ ପ୍ରସ୍ତୁତି। ଏଣୁ ଅନ୍ୟାୟର ବିରୋଧ କରି ଅନେକଥର ଅନଶନ କରିବା ଅବସ୍ଥାରେ ସେ ମୃତ୍ୟୁର ପାଖାପାଖି ଅବସ୍ଥାରୁ ଫେରି ଆସିଛନ୍ତି। ମହାଦେବ ଦେଶାଇଙ୍କ ଲିଖିତ ‘ଭାରତର ଗାଁରେ ଗାନ୍ଧୀଜୀ’ ପୁସ୍ତକରେ ଜଣେ ମୃତ୍ୟୁ ଭୟରେ ପଳାୟନ କରୁଥିବା ଲୋକଙ୍କର ଉଦାହରଣ ରହିଛି। ‘ଥରେ ବେଟିଆର ପାଖ ଗାଁର ଲୋକମାନେ ପୁଲିସ୍‌ ଅତ୍ୟାଚାର ସହି ନ ପାରି ଗାଁ ଛାଡ଼ି ଚାଲିଯାଇଥିଲେ। ପୁଲିସ୍‌ ସେମାନଙ୍କ ସ˚ପତ୍ତି ଲୁଟ୍‌ କରୁଥିଲା ଆଉ ଗାଁର ମହିଳାମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲା। ମୁଁ ସେମାନଙ୍କୁ ଅହି˚ସ ହେବାକୁ କହିଥିବାରୁ ସେମାନେ ଏଭଳି କରିଛନ୍ତି ବୋଲି କହୁଛନ୍ତି। ଏକଥା ଶୁଣି ମୋ ମୁଣ୍ତ ନଇଁଗଲା। ଅହି˚ସାର ଅର୍ଥ ପଳାୟନ ନୁହେଁ। ବର˚ ଏହି ବର୍ବରତାକୁ ସେଠାରେ ରହି ପ୍ରତିରୋଧ କରିବା, ମରିବା ଯାଏ। ଏହା ନୀତି ଓ ଦାୟିତ୍ବ ଠାରୁ ପଳାୟନ। ଅହି˚ସା ସେମାନଙ୍କ ପାଇଁ ଯେଉଁମାନେ ମରିବାକୁ ପ୍ରସ୍ତୁତ, ମାତ୍ର ସେମାନଙ୍କ ପାଇଁ ନୁହେଁ, ଯେଉଁମାନେ ମୃତ୍ୟୁ ପାଇଁ ଭୟଭୀତ।’ ଏଣୁ ୧୯୨୭ ମସିହାରେ ‘ୟଙ୍ଗ ଇଣ୍ତିଆ’ରେ ଲେଖିଥିଲେ- ‘ଆତ୍ମରକ୍ଷା ପାଇଁ ମାରିବାର ଶକ୍ତି ଆବଶ୍ୟକ ନୁହେଁ, ଜଣକର ମରିବା ପାଇଁ ସାହସ ଓ ଶକ୍ତି ଥିବା ଦରକାର। ଯେତେବେଳେ ଜଣେ ଲୋକ ମରିବା ପାଇଁ ସ˚ପୂର୍ଣ୍ଣ ପ୍ରସ୍ତୁତ, ସେ ହି˚ସା କରିବାକୁ ଇଚ୍ଛା କରିବ ନାହିଁ। ଇତିହାସ ଏଭଳି ଉଦାହରଣରେ ଭରପୂର, ଯେତେବେଳେ ଲୋକମାନେ ସାହସ ଓ କରୁଣା ପ୍ରଦର୍ଶନ କରି ମୃତ୍ୟୁବରଣ କରିଛନ୍ତି ଓ ଏହା ତାଙ୍କ ଶତ୍ରୁଙ୍କୁ ବଦଳାଇ ଦେଇଛି।’

୧୯୪୨ ମସିହାରେ ବମ୍ବେରେ ଅନୁଷ୍ଠିତ ଭାରତୀୟ ଜାତୀୟ କ˚ଗ୍ରେସରେ ଉଦ୍‌ବୋଧନ ଦେଇ କହିଥିଲେ- କର ବା ମର। ଆମେ ଭାରତକୁ ସ୍ବାଧୀନ କରିବା ନଚେତ୍‌ କରୁ କରୁ ମରିବା। କାନାଡୀୟ ଲେଖକ ଜର୍ଜ ଉତ୍‌କକ୍‌ ଥରେ କହିଥିଲେ- ‘ସମୟ କ୍ରମେ ଆମେ ଗାନ୍ଧୀଙ୍କ ରଚନାରେ ନୀତି ଓ ଲକ୍ଷ୍ୟ ପାଇଁ, ଅନ୍ୟମାନଙ୍କ ପାଇଁ, ଗାଁ ପାଇଁ ମୃତ୍ୟୁକୁ ବରି ନେବାର ଭାବନା ଅଧିକ ଅଧିକ ଦେଖୁଛୁ। ସେ ସବୁବେଳେ କହୁଥିଲେ ‘ସତ୍ୟାଗ୍ରହର ଅର୍ଥ କେବଳ କଷ୍ଟ ସହିବା ନୁହେଁ, ବର˚ ନୀତି ପାଇଁ ମୃତ୍ୟୁବରଣ କରିବା।’

୧୯୪୭ ମସିହା ମେ ୪ ତାରିଖ ଦିନ ଗାନ୍ଧୀ କିଛି ଲୋକଙ୍କ ସହ କଥାବାର୍ତ୍ତା କରୁଥା’ନ୍ତି। ପ୍ରଶ୍ନକର୍ତ୍ତାମାନଙ୍କ ମଧୢରେ ଥିଲେ ରାଜେନ୍ଦ୍ର ପ୍ରସାଦ, ଅମ୍ରିତା କାଉର ଓ ହରେକୃଷ୍ଣ ମହତାବ। ଆଲୋଚନା ବେଳେ କହିଲେ ‘ମୁଁ ଭାବୁଛି ଯଦି କେହି ମୋତେ ହତ୍ୟା କରିବାକୁ ଆସେ ମୁଁ ସାମାନ୍ୟତମ କ୍ରୋଧ ପ୍ରକାଶ ନ କରି ଶାନ୍ତ ଭାବେ ହସି ହସି ମୃତ୍ୟୁବରଣ କରିବି, ମନେ ମନେ ମୋ ପ୍ରିୟ ଈଶ୍ବରଙ୍କୁ ସ୍ମରଣ କରି। ଈଶ୍ବର ମୋତେ ଶକ୍ତି ଦେବେ। ମୋ ହୃଦୟରେ ଯଦି କୌଣସି ଅବସୋସ ବା ଅହଂ ଥାଏ, ତାହାର ପ୍ରମାଣ ମୋ ମୃତ୍ୟୁ ସମୟରେ ମିଳିବ। ମୁଁ ଶହେ ବର୍ଷ ବ˚ଚିବା କଥା କହୁଥିଲି, ଏବେ ମୋର ବ˚ଚିବାକୁ ଆଉ ଆଗ୍ରହ ନାହିଁ। ମୋ ଚାରିପଟେ ଦିନକୁ ଦିନ ମିଥ୍ୟା ଓ ଚଞ୍ଚକତା ବଢ଼ି ବଢ଼ି ଯାଉଥିବାର ଦେଖୁଛି। ଏଣୁ ମୋର ବିଶ୍ବାସ ଯେ ଈଶ୍ବର ମୋତେ ଜଣେ ଅହି˚ସ ଲୋକ ପାଇଁ ଉପଯୁକ୍ତ ମୃତ୍ୟୁଟିଏ ଦେବେ।’

ବୋଧହୁଏ ଏହା ହିଁ ଥିଲା ସାରା ଜୀବନ ମୃତ୍ୟୁ ଭୟରୁ ମୁକ୍ତ ଥିବା ଜଣେ ମହାମାନବର ନିଷ୍ଠୁର ମୋହଭଙ୍ଗ ଓ ଗଭୀର ଆତ୍ମପ୍ରତ୍ୟୟର ଅଭିବ୍ୟକ୍ତି।

ମୋ- ୯୪୩୭୮୮୬୯୭୦

ସମ୍ବନ୍ଧିତ ଖବର