ଆନ୍ନା ଆନ୍ଦୋଳନକୁ ସମର୍ଥନ ଏକ ଐତିହାସିକ ଭୁଲ୍ ଥିଲା କି?

ଯୋଗେନ୍ଦ୍ର ଯାଦବ

ଅବାସ୍ତବ ପରିସ୍ଥିତିରେ ତଥା ଭୁଲ୍ ଉପାୟ ଓ ତଥ୍ୟକୁ ନେଇ ଗଢ଼ାଯାଇଥିବା ଏକ ପ୍ରଶ୍ନ। ହେଲେ ସେ ପ୍ରଶ୍ନଟି ଅଯଥାର୍ଥ ନୁହେଁ। ତେଣୁ ସିଧାସଳଖ ଭାବେ ଏହି ପ୍ରଶ୍ନଟିର ସମ୍ମୁଖୀନ ହେବାକୁ ପଡ଼ିବ: ଆନ୍ନା ହଜାରେ ଆନ୍ଦୋଳନ ଓ ଆମ୍ ଆଦ୍‌ମି ପାର୍ଟିକୁ ସମର୍ଥନ କରିବା ଏକ ଐତିହାସିକ ଭୁଲ୍ ଥିଲା କି? ଏହା ଦ୍ବାରା ଭାରତ ଉପରକୁ ଝାଂପି ପଡ଼ିବା ଲାଗି ଏକ ଦାନବକୁ ମୁକ୍ତ କରି ଦିଆଗଲା କି ଯେଉଁଥିପାଇଁ ମୋ ଭଳି ଲୋକମାନେ ମଧ୍ୟ ଦାୟୀ?

ଗତ ସେପ୍‌ଟେମ୍ବର ୨୭ରେ ରାଜଦୀପ ସରଦେଶାଇଙ୍କ ଇଣ୍ଡିଆ ଟୁଡେ ଟିଭି କାର୍ଯ୍ୟକ୍ରମରେ କୃଷକଙ୍କ ଆହ୍ବାନରେ ହୋଇଥିବା ଭାରତ ବନ୍ଦ ପ୍ରସଙ୍ଗରେ ଆଲୋଚନା ବେଳେ ଏହି ପ୍ରଶ୍ନଟି ଅପ୍ରତ୍ୟାଶିତ ଭାବେ ଦଣ୍ଡାୟମାନ ହୋଇଥିଲା। କଂଗ୍ରେସ ଏହି କୃଷକ ଆନ୍ଦୋଳନର ପୃଷ୍ଠପୋଷକତା କରୁଥିବା ନେଇ ଭାରତୀୟ ଜନତା ପାର୍ଟିର ଅଭିଯୋଗକୁ ପରିହାସ କରିବାକୁ ଯାଇ ମୁଁ କହିଥିଲି ଯେ କଂଗ୍ରେସ (ମୁଁ ସେଠାରେ ଯୋଡ଼ିବାର ଥିଲା: କିମ୍ବା ଭାରତର ଯେ ଅନ୍ୟ କୌଣସି ଦଳ) ଯଦି ଦୀର୍ଘ ଦଶ ମାସ ଧରି ଲକ୍ଷ ଲକ୍ଷ କୃଷକଙ୍କୁ ସଂଗଠିତ କରି ରଖିପାରୁଥାଆନ୍ତା ତେବେ ଦେଶର ଇତିହାସ ଅଲଗା ପ୍ରକାର ହୋଇଥାଆନ୍ତା। କାର୍ଯ୍ୟକ୍ରମରେ ଉପସ୍ଥିତ କଂଗ୍ରେସର ସ୍ପଷ୍ଟବାଦୀ, ପ୍ରଖର ତଥା ଲଢୁଆ ମୁଖପାତ୍ର ପବନ ଖେଡ଼ାଙ୍କୁ ଏହି କଥାଟି ସ୍ବାଭାବିକ ଭାବେ ଉତ୍ତେଜିତ କରିଦେଇଥିଲା। ସେ ହଠାତ୍ ଆନ୍ନା ଆନ୍ଦୋଳନ ପ୍ରସଙ୍ଗ ଉତ୍‌ଥାପନ କରି କହିଥିଲେ ଯେ ମୁଁ ଏହି ଆନ୍ଦୋଳନ ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସମର୍ଥନ ଲାଭ କାର୍ଯ୍ୟରେ ନିୟୋଜିତ ଥିଲି। ଏହା ପରେ ବର୍ତ୍ତମାନର କୃଷକ ଆନ୍ଦୋଳନ ପାଇଁ ଆର୍‌ଏସ୍‌ଏସ୍‌ର ସମର୍ଥନ ହାସଲ କରିବା ପାଇଁ ସେ ମୋତେ ଚ୍ୟାଲେଞ୍ଜ କରିଥିଲେ।

ମୁଁ ନ ହସି ରହିପାରିଲି ନାହିଁ। ମୁଁ ଯେ ପବନ ଖେଡ଼ାଙ୍କୁ ବେଖାତିର କରେ, ତାହା ନୁହେଁ, କିନ୍ତୁ ସେଇ ପରିସ୍ଥିତିଟି ଅଦ୍ଭୁତ ହୋଇ ପଡ଼ିଥିଲା। ପ୍ରଥମ କଥା, ତାଙ୍କର ଉତ୍ତେଜନା ପ୍ରକାଶ ସହିତ ସେ ଦିନର ଆଲୋଚ୍ୟ କୃଷକଙ୍କ ଭାରତ ବନ୍ଦ ପ୍ରସଙ୍ଗର କୌଣସି ସମ୍ପର୍କ ନ ଥିଲା। ଦ୍ବିତୀୟରେ, ସେ ଯଦି କଂଗ୍ରେସର ସାଂଗଠନିକ ସାମର୍ଥ୍ୟ ନେଇ ମୋତେ ଭୁଲ୍ ପ୍ରମାଣିତ କରିବାକୁ ଚାହୁଥିଲେ ତେବେ ମନେ ରଖିବାକୁ ହେବ ଯେ ଆନ୍ନା ଆନ୍ଦୋଳନରେ ଆର୍‌ଏସ୍‌ଏସ୍‌ର ଭୂମିକା କ୍ବଚିତ୍ ପ୍ରାସଙ୍ଗିକ ଥିଲା। ‘ତର୍କ ଛାଡ଼ି ବ୍ୟକ୍ତିକୁ ଆକ୍ରମଣ କରିବା’ ତତ୍ତ୍ବର ଏହା ଏକ ବଳିଷ୍ଠ ଉଦାହରଣ ଥିଲା, ଯାହାକୁ ଆଜିକାଲିର ଟିଭି ବିତର୍କରେ ନିୟମିତ ଭାବେ ପ୍ରୟୋଗ କରାଯାଉଛି। ତୃତୀୟରେ, ସେ ଭୁଲ୍ ଲୋକ ଉଦ୍ଦେଶ୍ୟରେ ଏସବୁ କଥା କହୁଥିଲେ, କାରଣ ଇଣ୍ଡିଆ ଏଗେନ୍‌ଷ୍ଟ କରପ୍‌ସନ୍‌ (ଆଇଏସି)ରେ ମୋର ଭୂମିକା ନଗଣ୍ୟ ପ୍ରାୟ ଥିଲା। ମୁଁ ଏହି ଆନ୍ଦୋଳନର ଜଣେ ସମର୍ଥକ ଓ ଶୁଭାକାଂକ୍ଷୀ ଥିଲି ସତ, କିନ୍ତୁ ଟିମ୍ ଆନ୍ନାର ଔପଚାରିକ ବା ଅନୌପଚାରିକ କେନ୍ଦ୍ରୀୟ ସଦସ୍ୟ ହେବା ତ ଦୂରର କଥା, ମୁଁ ‘ଆଇଏସି’ର ସାଧାରଣ ସଦସ୍ୟ ସୁଦ୍ଧା ନ ଥିଲି। ୨୦୧୨େର ଯାଇ ମୁଁ ପ୍ରଥମ ଥର ଆନ୍ନା ହଜାରେଙ୍କ ସହ କଥା ହୋଇଥିଲି। ଏହାର ଅନେକ ମାସ ପୂର୍ବରୁ ଯନ୍ତରମନ୍ତର ଓ ରାମଲୀଳା ମଇଦାନର ଐତିହାସିକ ଆନ୍ଦୋଳନ ହୋଇ ସାରିଥିଲା। ତେଣୁ ମୁଁ ‘ଆଇଏସି’ ସପକ୍ଷରେ ଆର୍‌ଏସ୍‌ଏସ୍‌ର ସମର୍ଥନ ପରିଚାଳନା କରିବା କଥାଟି ଅତ୍ୟନ୍ତ ହାସ୍ୟାସ୍ପଦ। ତେଣୁ ମୁଁ ଚିତ୍କାର କରିବା ପରିବର୍ତ୍ତେ ଏଭଳି କଥାକୁ ହସରେ ଉଡ଼ାଇଦିଏ।

ତେବେ କଥା ଏଇଠି ସରିଲା ନାହିଁ। ସ୍ବାଭାବିକ ଭାବେ କଂଗ୍ରେସ ସମର୍ଥକମାନେ ପବନ ଖେଡ଼ାଙ୍କ ପ୍ରଦର୍ଶନରେ ଉତ୍ସାହିତ ହୋଇ ପଡ଼ିଥିଲେ। ତାହାର ପ୍ରତିଫଳନ ସ୍ବରୂପ ସେମାନେ ସାମାଜିକ ଗଣମାଧ୍ୟମରେ ମୋ ଉପରେ ନାନା ରକମର ଅପଶବ୍ଦର ବର୍ଷା କଲେ। ‘ଆପ୍’ ସହିତ ମୋର ସମ୍ପୃକ୍ତି ଏବଂ ଟିମ୍ ଆନ୍ନା ସହିତ ମୋର ଅସମ୍ପୃକ୍ତିର ପାର୍ଥକ୍ୟକୁ ମୁଁ ସ୍ପଷ୍ଟ କଲି। କୌଣସି କାରଣରୁ ପବନ ଖେଡ଼ା ଅଭିଯୋଗ କଲେ ଯେ ମୁଁ ଉତ୍ତରଦାୟିତ୍ବରୁ ମୁକ୍ତ ହେବା ଲାଗି ମିଛ କହୁଛି, କିନ୍ତୁ ସେ ନିଜ ଅଭିଯୋଗର ବୈଧତା ପ୍ରମାଣିତ କରିପାରିଲେ ନାହିଁ। ଏକ ଅପ୍ରୀତିକର ଓ ପରିହାର୍ଯ୍ୟ ଯୁକ୍ତିତର୍କ ସହ ଆଲୋଚନାଟି ଶେଷ ହେଲା, ଯାହା ଏକ ଅର୍ଥପୂର୍ଣ୍ଣ ବିତର୍କର ସ୍ତରକୁ ଉଠି ପାରିଥାଆନ୍ତା।

ଭ୍ରାନ୍ତି, ପ୍ରସଙ୍ଗ ପରିବର୍ତ୍ତନ ଓ ଗାଳିଗୁଲଜକୁ ଛାଡ଼ି ଦେଲେ ସେହି ଯୁକ୍ତିତର୍କରେ ଗୋଟିଏ ବୈଧ ପ୍ରଶ୍ନ ନିହିତ ଅଛି। ‘ଆଇଏସି’ ଓ ‘ଆପ୍’ ଦଳ ମଧ୍ୟରେ ପ୍ରଭେଦ କ’ଣ ସେ କଥା ଛାଡ଼ି ଦିଅନ୍ତୁ; ପ୍ରଶ୍ନ ହେଉଛି ଆମେ କେଉଁଭଳି ଭାବେ ସେହି ଆନ୍ଦୋଳନ ଓ ତା’ ସହିତ ଜଡ଼ିତ ବ୍ୟକ୍ତିଙ୍କ ଭୂମିକା ନିର୍ଦ୍ଧାରଣ କରୁଛେ? ବିଜେପିକୁ କ୍ଷମତାକୁ ଆଣିବା ଲାଗି ଏହା କ’ଣ ଆର୍‌ଏସ୍‌ଏସ୍‌ର ଏକ ବିରାଟ ଷଡ୍‌ଯନ୍ତ୍ର ଥିଲା? ଏହା ଦୁର୍ନୀତି-ବିରୋଧ ନାମରେ ଦେଶ ସହ ହୋଇଥିବା ଏକ ପ୍ରତାରଣା କି? ଏହି ଆନ୍ଦୋଳନ ଏବଂ ଏଥିରେ ସଂପୃକ୍ତ ଲୋକମାନେ କଂଗ୍ରେସକୁ ବଦନାମ କରିବା ଏବଂ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାକୁ ଆଣିବା ପାଇଁ ଦାୟୀ ନୁହନ୍ତି କି? ଏସବୁର ଏକ ଆବେଗହୀନ ତର୍ଜମା କରିବାକୁ ଚେଷ୍ଟା କରିବା।

ଲୋକପାଳ ଆନ୍ଦୋଳନକୁ ବିଜେପିକୁ କ୍ଷମତାରେ ଅଧିଷ୍ଠିତ କରିବାର ଏକ ବିରାଟ ଷଡ୍‌ଯନ୍ତ୍ର ରୂପେ ଅଭିହିତ କରିବା ସପକ୍ଷରେ ଆଲୋଚନା ଅନାବଶ୍ୟକ। ଷଡ୍‌ଯନ୍ତ୍ରର ଅନୁପସ୍ଥିତି ଏହାର କାରଣ ନୁହେଁ, ଏହାର କାରଣ ହେଲା ଅନେକ ଷଡ୍‌ଯନ୍ତ୍ରର ଉପସ୍ଥିତି। ଯେ କୌଣସି ସମୟରେ ରାଜନୀତି ଅନେକ ସ୍ବଳ୍ପମିଆଦୀ ଓ ଦୀର୍ଘମିଆଦୀ ଏବଂ ବାସ୍ତବିକ ଓ କାଳ୍ପନିକ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ଥାଏ। ଅନେକ ସମୟରେ ବିଭିନ୍ନ ବିପରୀତଧର୍ମୀ ଉଦ୍ଦେଶ୍ୟ ମଧ୍ୟରେ ଚାଲିଥିବା ଅକଳନ୍ତି ସଂଘର୍ଷରୁ ଜାତ ଅନିଚ୍ଛାକୃତ ଫଳାଫଳ ବାସ୍ତବିକ ଜୀବନକୁ ରୂପ ଦେଇଥାଏ। ଅାନ୍ନା ଆନ୍ଦୋଳନରେ ବି ଠିକ୍ ଏହିଭଳି ଘଟିଥିଲା। ‘ଆଇଏସି’ ପୃଷ୍ଠପୋଷକଙ୍କ ନିଜସ୍ବ ଉଦ୍ଦେଶ୍ୟଗୁଡ଼ିକ କ୍ରମେ ବହୁବିଧ ହେବା ସହିତ ପରିବର୍ତ୍ତିତ ହୋଇ ଚାଲିଲା। ସେ କାଳରେ ବିଜେପି କ୍ଷମତା ବାହାରେ ଥିଲା। ତେଣୁ ଏ କଥା ଯୁକ୍ତିଯୁକ୍ତ ଯେ ବିଜେପି ଓ ଆର୍‌ଏସ୍‌ଏସ୍‌ ଏହାକୁ ଏକ ସୁଯୋଗ ଭାବେ ଦେଖି ଏଥିରୁ ଲାଭ ଉଠାଇବାର ସବୁ ପ୍ରକାର ଉଦ୍ୟମ କରିଥିବେ। ହେଲେ ଏଥିରେ ନିହିତ ଥିବା ପ୍ରତିଦ୍ବନ୍ଦ୍ବୀ ଉଦ୍ଦେଶ୍ୟଗୁଡ଼ିକ ଆର୍‌ଏସ୍‌ଏସ୍‌ ଦ୍ବାରା ଗୋପନୀୟ ଭାବେ ପୂର୍ବରୁ ବ୍ୟବହୃତ ହୋଇଥିବା ପଛରେ ସେତିକି ପ୍ରମାଣ ଅଛି, ଯେତିକି ଆଜିର କୃଷକ ଆନ୍ଦୋଳନ କଂଗ୍ରେସ ଦ୍ବାରା ସୃଷ୍ଟି ହୋଇଥିବା ନେଇ ରହିଛି। ଏହାଛଡ଼ା, ୨୦୧୪ ନିର୍ବାଚନ ଶେଷ ଯାଏଁ ‘ଆପ୍’ ଦଳ ବିଜେପି ରାସ୍ତାରେ ଏକ କଣ୍ଟା ହୋଇ କାହିଁକି ରହିଥିଲା ସେ କଥା ମଧ୍ୟ ଏଭଳି ତର୍କରୁ ସ୍ପଷ୍ଟ ହୁଏ ନାହିଁ।

ଏବେ ଆଉ ଏକ ଅଧିକ ଗ୍ରହଣଯୋଗ୍ୟ ବ୍ୟାଖ୍ୟା ସମ୍ପର୍କରେ ଆଲୋଚନା କରିବା, ଯାହା ଅନିଚ୍ଛାକୃତ କିନ୍ତୁ ପ୍ରତ୍ୟାଶିତ ପରିଣାମ ଦେଇଥିଲା: ଆନ୍ନା ଆନ୍ଦୋଳନ ଓ ଆପ୍ ଦଳ ଗଠନ ମୋଦୀଙ୍କୁ ସାହାଯ୍ୟ କରିବାର ଏକ ଷଡ୍‌ଯନ୍ତ୍ର ହୋଇ ନ ଥାଇ ପାରେ, କିନ୍ତୁ ସେମାନେ ବିଜେପିର ଉତ୍‌ଥାନକୁ ସାହାଯ୍ୟ କରିବସିଲେ। ଏହି ଆନ୍ଦୋଳନର ସମର୍ଥକମାନେ ତାହା ଦେଖିପାରିଲେ ନାହିଁ କି? ସେ ଉତ୍ତରଦାୟିତ୍ବ ତାଙ୍କର ନୁହେଁ କି?

ଏହି ବ୍ୟାଖ୍ୟା ପଛରେ କିଛିଟା ଯୌକ୍ତିକତା ଅଛି। ଲୋକପ୍ରିୟତା ହରାଇ ଚାଲିଥିବା ୟୁପିଏକୁ ଆନ୍ନା ଆନ୍ଦୋଳନ ଧ୍ବସ୍ତ କରିଦେଇଥିଲା ଏବଂ ସେ ସମୟରେ ବିଶାଳ ଜନତାଙ୍କୁ ସଂଗଠିତ କରିବାକୁ ଅସମର୍ଥ ବିଜେପି ଦଳ ପାଇଁ ଏହା ଉପଯୁକ୍ତ ସୁଯୋଗ ସୃଷ୍ଟି କରିଥିଲା। ବିଜେପି ଦକ୍ଷତାର ସହ ଏହି ସୁଯୋଗକୁ ବ୍ୟବହାର କଲା। ଆପ୍ ଦଳର ଗଠନ ବିଜେପିର ସ୍ବାର୍ଥ ସହିତ ସେ ପର୍ଯ୍ୟନ୍ତ ଖାପ ଖାଉଥିଲା, ଯେ ପର୍ଯ୍ୟନ୍ତ ଆପ୍ ବିଜେପିର ପ୍ରତିଦ୍ବନ୍ଦ୍ବୀ ନ ହୋଇ କଂଗ୍ରେସ ଦଳର ଭୋଟ ବିଭାଜନ କରିବାର ଲକ୍ଷ୍ୟ ପୂରଣ କରୁଥିଲା। ଶେଷରେ ମୋଦୀଙ୍କ ଦଳ ‘ଆପ୍‌’ର ନିର୍ବାଚନୀ ପହଞ୍ଚକୁ ନିୟନ୍ତ୍ରଣ କରିବାରେ ସଫଳ ହେଲା।

ତା’ ହେଲେ ଆନ୍ନା ଆନ୍ଦୋଳନର ନେତା ଓ ସମର୍ଥକମାନେ ମୋଦୀଙ୍କ ଉତ୍‌ଥାନର ଉତ୍ତରଦାୟିତ୍ବ ମୁଣ୍ଡାଇବା ଉଚିତ କି? ହଁ, ରାଜନୀତିରେ ଆପଣଙ୍କର ଉତ୍ତରଦାୟିତ୍ବ କେବଳ ଆପଣ କେବଳ ଜାଣିବୁଝି କରୁଥିବା କାମରେ ସୀମିତ ନୁହେଁ। ଆପଣ କେବେ ଉଦ୍ଦେଶ୍ୟମୂଳକ ଭାବେ କରି ନ ଥିବା ଜିନିଷଗୁଡ଼ିକ ପାଇଁ ମଧ୍ୟ ଦାୟୀ, ଯେଉଁଗୁଡ଼ିକୁ ଆପଣ ଚାହିଥିଲେ ପୂର୍ବାନୁମାନ କରି ପ୍ରତିହତ କରିପାରନ୍ତେ। ଏହି ତର୍କରେ ମୋ ଭଳି ଲୋକମାନେ ନିଜକୁ ଉତ୍ତରଦାୟିତ୍ବର ଭାଗୀଦାର କରିବା ଉଚିତ। ଦୁର୍ନୀତିରେ ବୁଡ଼ି ରହିଥିବା ୟୁପିଏ ସରକାରର ସନ୍ଦେହଜନକ କାର୍ଯ୍ୟକଳାପକୁ ଆକ୍ରମଣ କରିବା ଆମର ଭୁଲ୍ ନ ଥିଲା, କିନ୍ତୁ ଏଥିରୁ ଉତ୍ପନ୍ନ କ୍ରୋଧକୁ ଅନ୍ୟ ଦିଗରେ ପ୍ରକ୍ଷେପ କରି ନ ପାରିବା ଆମର ଭୁଲ୍ ଥିଲା। ଜଣେ ସଚ୍ଚୋଟ କଂଗ୍ରେସ ସମାଲୋଚକ ହିଁ ବିଜେପିର ଉଚିତ ସମୀକ୍ଷା କରିପାରିବ। ଏକ ରାଜନୈତିକ ଦଳ ଗଢ଼ିବା ଆମର ଭୁଲ୍ ନ ଥିଲା, କାରଣ ତାହା କରି ନ ଥିଲେ ବିଜେପି ଅଧିକ ଲାଭବାନ ହୁଅନ୍ତା। କିନ୍ତୁ ଦଳ ଗଢ଼ି ଏହାକୁ ଏକ ନୈତିକ ପଥରେ ରଖି ନ ପାରିବା ଆମର ଭୁଲ୍ ଥିଲା।

ମୁଖ୍ୟତଃ ପ୍ରଶାନ୍ତ ଭୂଷଣ ଓ ମୋ ଭଳି ଲୋକମାନେ ଅରବିନ୍ଦ କେଜ୍ରିଵାଲଙ୍କର ସବୁଠାରୁ ବିପଜ୍ଜନକ ପ୍ରବୃତ୍ତିକୁ ନେଇ ପୂର୍ବାନୁମାନ କରିବାରେ ବିଫଳ ହୋଇଥିଲେ। ଏହି ଗୁଣଟି ହେଲା ରାଜନୈତିକ ସଫଳତା ପାଇଁ ସବୁ କିଛି ବଳି ପକାଇଦେବାକୁ ପ୍ରସ୍ତୁତ ହୋଇଯିବା। ସାମାଜିକ ନ୍ୟାୟ ପ୍ରସଙ୍ଗରେ ତାଙ୍କର ଅନିଶ୍ଚିତତା ଏବଂ ଧର୍ମ ନିରପେକ୍ଷତା ପ୍ରତି ନୀତିହୀନତା ଦେଖିଛି; କିନ୍ତୁ ସେ ଆର୍‌ଏସ୍‌ଏସ୍‌ ଆଦର୍ଶର ସମର୍ଥକ ନୁହନ୍ତି। ସେ ଜଣେ ‘ମୁସଲମାନ ବିରୋଧୀ’ ନୁହନ୍ତି (ସେ ତାହା ନ ଥିଲେ କି ଏବେ ମଧ୍ୟ ନୁହନ୍ତି); ତେଣୁ ସେ ନେଇ ସମସ୍ୟା ନ ଥିଲା। ବରଂ ସମସ୍ୟା ହେଲା ସେ ଭୋଟ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ଆମେମାନେ ମଧ୍ୟ ଦଳୀୟ ନିୟମଗୁଡ଼ିକର ଶକ୍ତି ଓ ଲୋକପାଳ ଭଳି ସଂଗଠନର ସାମର୍ଥ୍ୟକୁ ଅତି ଅଧିକ ବୋଲି କଳନା କରିଥିଲୁ। ଏହିସବୁ ଭୟଙ୍କର ତ୍ରୁଟିର ଉତ୍ତରଦାୟିତ୍ବରୁ ଆମେ ନିଜକୁ ମୁକ୍ତ କରିପାରିବୁ ନାହିଁ।

‘ଆଇଏସି’ ଓ ‘ଆପ୍‌’କୁ ଆମେ ଯେଉଁସବୁ ପ୍ରଶ୍ନ ପଚାରୁଛୁ ସେସବୁ ପ୍ରଶ୍ନ ଅନ୍ୟ ଦଳମାନଙ୍କୁ ବି ପଚରାଯିବା ଉଚିତ। ପଶ୍ଚିମବଙ୍ଗରେ ବାମ ଦଳର ଭୋଟରମାନେ ବିଜେପି ଆଡ଼କୁ ମୁହାଁଇବାର ଉତ୍ତରଦାୟିତ୍ବ ମଧ୍ୟ ବାମ ଦଳର ନେତା ଓ ସମର୍ଥକମାନେ ମୁଣ୍ଡାଇବା ଉଚିତ। ସେହିପରି କଂଗ୍ରେସ ଦଳ କେରଳରେ ସାମ୍ପ୍ରଦାୟିକ ମୁସଲମାନ ଓ ଖ୍ରୀଷ୍ଟିଆନ୍ ଦଳଗୁଡ଼ିକ ସହିତ ସୁଦୀର୍ଘ ସଂପୃକ୍ତିର କାରଣ ବ୍ୟାଖ୍ୟା କରିବା ଜରୁରୀ। ମହାରାଷ୍ଟ୍ରରେ ଶିବସେନା ସହିତ କଂଗ୍ରେସ-ଏନ୍‌ସିପିର ମେଣ୍ଟ ଗଠନର ଫଳାଫଳ ନେଇ ଆେମ ଅନୁରୂପ ପ୍ରଶ୍ନ କରିବାକୁ ଚେଷ୍ଟା କରିଛେ କି?

ଶେଷ ପ୍ରଶ୍ନ ହେଲା, ଆନ୍ନା ଆନ୍ଦୋଳନ ସଂଗଠିତ ହୋଇ ନ ଥିଲେ କଂଗ୍ରେସ ୨୦୧୪ ନିର୍ବାଚନ ଜିଣିଥାଆନ୍ତା କି? ଏଭଳି ଅବାସ୍ତବ ପ୍ରଶ୍ନର ଉତ୍ତର ଦେବା ପାଖାପାଖି ଅସମ୍ଭବ ବ୍ୟାପାର। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଆନ୍ନା ଆନ୍ଦୋଳନକୁ ଛାଡ଼ି ଦେଲେ ଭାରତର କାହାଣୀରେ ଯେ ସବୁ କିଛି ଠିକ୍ ଚାଲୁଥିଲା, ତାହା କେବଳ ଜଣେ ବିଚାରହୀନ ବ୍ୟକ୍ତି ଭାବିପାରିବ। ସତ କଥା ହେଉଛି ଦ୍ବିତୀୟ ୟୁପିଏ ସରକାରରେ ସଂଗତି, ରାଜନୈତିକ ବିଚାର ଓ କୌଣସି ପ୍ରକାର ଲୋକପ୍ରିୟ ଆଲୋଚନା ଅନୁପସ୍ଥିତ ଥିଲା। ଏହା ଏକ ଖରାପ ସରକାର ଥିଲା ଏବଂ ଅନୁରୂପ ଦୃଷ୍ଟିରେ ତାକୁ ଦେଖାଯାଉଥିଲା। ଧର୍ମ ନିରପେକ୍ଷ ରାଜନୀତି ସହିତ ଲୋକଙ୍କ ସମ୍ପର୍କ ବହୁ ପୂର୍ବରୁ ଛିନ୍ନ ହୋଇସାରିଥିଲା। ଏହା ହିଁ ମୋଦୀଙ୍କ କ୍ଷମତା ଦଖଲକୁ ବାଟ କଢ଼ାଇଲା।

ବିଜେପିର ଆକ୍ରମଣରୁ ସାମ୍ବିଧାନିକ ମୂଲ୍ୟଗୁଡ଼ିକୁ ରକ୍ଷା କରିବାରେ ଆମର ସାମଗ୍ରିକ ବିଫଳତାର ଦୋଷାରୋପ ପାଇଁ ବଧଯୋଗ୍ୟ ଛାଗଳ ଖୋଜିବାର ଅର୍ଥ ରାଜନୈତିକ ପରାଜୟ ସ୍ବୀକାର କରିବା। ଏଭଳି କରିବା ଆମ ସମୟର ଅସଲ ରାଜନୈତିକ ଚ୍ୟାଲେଞ୍ଜକୁ ଉପେକ୍ଷା କରିବା ଛଡ଼ା ଆଉ କିଛି ନୁହେଁ।

[email protected]

ସମ୍ବନ୍ଧିତ ଖବର