ଗଣତନ୍ତ୍ରର ମୃତ୍ୟୁ!

ଲୋକକ୍ଷେତ୍ର - ହରପ୍ରସାଦ ଦାସ

‘ଲୋକକ୍ଷେତ୍ର’ରେ ଆମେ ସାଧାରଣ ଲୋକେ ବିଶ୍ବାସ କରୁ ଯେ ବିଶ୍ବରେ ଗଣତନ୍ତ୍ରର ବିକଳ୍ପ ନାହିଁ ଓ ବିକଳ୍ପର ରାଜନୀତି କଥା କହୁଥିବା ଆମର ଚିନ୍ତାନାୟକମାନେ ବି ବିଶ୍ବାସ କରନ୍ତି ଯେ ସବୁ ବିକଳ୍ପ ଗଣତନ୍ତ୍ରର ଚଉହଦି ଭିତରେ ହିଁ ଖୋଜିବାକୁ ହେବ। ଭ୍ରଷ୍ଟ ବ୍ୟବସ୍ଥା ଓ ନଷ୍ଟ ରାଜନୀତି ଦେଖି ଦେଖି ଅତିଷ୍ଠ ବିବେକୀମାନେ ମଧୢ ଆଶା କରନ୍ତି ଯେ ଗଣତନ୍ତ୍ର ସୁପୁଷ୍ଟ ହେଲେ ସ୍ଥିତି ସୁଧୁରିଯିବ ଓ ନାଗରିକ ଚୈତନ୍ୟର ଜାଗରଣ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପୁଷ୍ଟିସାର। ମୋ ଭଳି କେତେକ ଆଶାବାଦୀ ଭାବନ୍ତି ଯେ ଗଣତନ୍ତ୍ର ଏକ ଚିର-ଉନ୍ମୁକ୍ତ ପ୍ରକ୍ରିୟା, ଏକ ଉତ୍ପାଦ ନୁହେଁ, ତେଣୁ ଗଣତନ୍ତ୍ର ସୁପୁଷ୍ଟ ହୋଇଗଲା ବୋଲି ସାର୍ବଜନୀନ ସ˚କେତମାଳା କେବେ ବି ଆଖିରେ ପଡ଼ିବ ନାହିଁ। ସେହିପରି, ମୋ ଭଳି ଲୋକଙ୍କ ଦୃଷ୍ଟିରେ ନାଗରିକ ଚୈତନ୍ୟର ଜାଗରଣ ‘ନିଦରୁ ଉଠିଲା ଭଳି’ ଗୋଟେ ଆଖିଦୃଶିଆ ଘଟନା ନୁହେଁ, ନାଗରିକ ଚୈତନ୍ୟ ବରାବର ଉଦ୍ରେକ ହୋଇଚାଲିଚି ଓ ଗୋଟେ ଛାଇ-ଆଲୁଅର ଖେଳ ଭିତରେ କେବେ କିଛି ଦିଶିଯାଉଚି ତ କେବେ କିଛି ଲୁଚିଯାଉଚି। କାରଣ ସ˚ପୂର୍ଣ୍ଣ ସ୍ପଷ୍ଟତା ମାନବ ଚରିତ୍ରର କ୍ରୀଡ଼ାରେ ସମ୍ଭବ ନୁହେଁ। ଘୋର ଅନ୍ଧକାରରେ ନ ରହି ଲୋକେ ଯେତେବେଳେ ମୁହଁ ପଢ଼ି ହେଉଥିବା, ବାର୍ତ୍ତା ବିନିମୟ କରି ହେଉଥିବା ଛାୟାଲୋକରେ ରହିବେ, ସେତେବେଳେ ଗଣତନ୍ତ୍ର ସଚଳ ବୋଲି ବୁଝିବାକୁ ହେବ। ଗଣତନ୍ତ୍ର ଏଭଳି ଏକ ରାଜନୈତିକ ବ୍ୟବସ୍ଥା ଯାହା ସ˚ପୂର୍ଣ୍ଣ ଅଚଳ କେବେ ବି ହୁଏ ନାହିଁ। ଅତି କ୍ଷୁଦ୍ର ଦେଶମାନଙ୍କରେ ଅନ୍ଧକାରର ସୁଯୋଗ ନେଇ କେହି କେହି ମହତ୍ତ୍ବାକା˚କ୍ଷୀ ନେତା ବା ଦଳ ଗଣତନ୍ତ୍ରକୁ ଅଚଳ କରି ଦେଇପାରନ୍ତି, କିନ୍ତୁ ଭାରତ ଭଳି ଏକ ମହାଦେଶୋପମ ବିଶାଳ ଦେଶରେ ଯେଉଁଠି ସଭ୍ୟତାର ଅସ୍ତଶିଖରରେ ଏବେ ବି ଆକାଶ ଆଲୋକ ପ୍ରଭାରେ ଦୃଶ୍ୟମାନ, ସେଠି ସମ୍ପୂର୍ଣ୍ଣ ଅନ୍ଧକାର ଘୋଟିବ ନାହିଁ କି ସେଠି ସମଗ୍ର ଦେଶକୁ କରାୟତ୍ତ କରିବାର ମହାତ୍ତ୍ବାକା˚କ୍ଷା ପୋଷଣ କରୁଥିବା ବ୍ୟକ୍ତି ଜନ୍ମ ନେବେ ନାହିଁ। ଏଭଳି କୌଣସି ରାଜନୈତିକ ଦଳ ମଧୢ ସୃଷ୍ଟି ହେବ ନାହିଁ, ଯିଏ ଲୋକମଙ୍ଗଳର ମାର୍ଗରୁ ହଟି ଲୋକମାରଣର ନୀତି ଅବଲମ୍ବନ କରିବ। ଏଭଳି କୌଣସି ବିଚାରଧାରା ମଧୢ ସମ୍ଭବ ହେବ ନାହିଁ, ଯେଉଁଥିରେ ଭାରତୀୟତାର ପ୍ରତ୍ୟୟକୁ ବିତର୍କିତ କରି ବା ବିଭାଜିତ କରି କେହି ରାଷ୍ଟ୍ରୀୟତାର ବୋଧ ନିର୍ମାଣ କରିପାରିବ। ମୋ ଭଳି ଆଶାବାଦୀଙ୍କ ଦୃଷ୍ଟିରେ ଭାରତରେ ଗଣତନ୍ତ୍ର ତିଷ୍ଠିବ, ଦିନକୁ ଦିନ ଅଧିକ ବଳବନ୍ତ ହେବ ଓ ଲୋକକ୍ଷେତ୍ରରେ ବରାବର ଏକ ଚିହ୍ନା ଚିହ୍ନା ଛାୟାଲୋକ ରହିବ। ସତ୍ତା ପ୍ରତି ଟିକିଏ ସନ୍ଦେହ, ସତ୍ତାଧାରୀର କର୍ମକୁ ନେଇ ଟିକିଏ ଅସନ୍ତୋଷ, ବ୍ୟବସ୍ଥା ପ୍ରତି ଟିକିଏ କଟାକ୍ଷ, ଦୈନନ୍ଦିନ ଗଣତାନ୍ତ୍ରିକ ଆଚାର-ବିଚାରର ପ୍ରୟୋଗରେ ଟିକିଏ ରୋଷ, ଟିକିଏ ବିରକ୍ତି, ଟିକିଏ ପ୍ରତିବାଦ ଓ ସାମଗ୍ରିକ ଭାବରେ ରାଷ୍ଟ୍ର ଉପରେ ଅଖଣ୍ତ ଆସ୍ଥା ହିଁ ଗଣତନ୍ତ୍ରକୁ ଏକ ଚିର ଅସମାପ୍ୟ ମାନବୀୟ ଆଜେଣ୍ତା କରି ରଖିବ।

ଯେଉଁମାନେ ଗଣତନ୍ତ୍ରର ପରିଚାଳନାରେ ଦୁର୍ବଳତାର ବିବିଧ କ୍ଷୁଦ୍ର ସ˚କେତ ଗୁଡ଼ିକୁ ଏକାଠି କରି ଏ ନିଷ୍କର୍ଷରେ ପହଞ୍ଚୁଚନ୍ତି ଯେ ଗଣତନ୍ତ୍ର ବିପନ୍ନ, ବିଫଳ ବା ମୃତ୍ୟୁମୁଖୀ; ସେମାନେ ତିନିଟି ଭୁଲ୍‌ କରୁଚନ୍ତି। ମୁଁ ବିସ୍ମିତ ଯେ ପାଶ୍ଚାତ୍ୟ ବିଶ୍ବବିଦ୍ୟାଳୟ ମାନଙ୍କରେ, ଯେଉଁଠି ଗଣତନ୍ତ୍ରର ପ୍ରଭୁପାଠ ବା ମାଷ୍ଟର୍‌ ଟେକ୍‌ସଟ ଏବେବି ଲେଖାଚାଲିଚି, କେହି ଏ ତିନିଟି ଭ୍ରାନ୍ତି ସୂଚାଇ ଦେଉନାହାନ୍ତି, ବର˚ ତାହାରି ଉପରେ ସୁପରଟେକ୍‌ସଟ (ମହାପାଠ) ଗଢ଼ି, ବିତ୍ତ ବଳ ଓ ବାହୁ ବଳ ନ ଥିବା ଦରିଦ୍ର ଦେଶର ଗଣତନ୍ତ୍ରମାନଙ୍କୁ ନଷ୍ଟ ହେବା ପାଇଁ ପ୍ରରୋଚିତ କରୁଚନ୍ତି। ଏ ତିନିଟି ଭୁଲ୍‌ ବା ଭ୍ରାନ୍ତି ଏହି: (୧) ଗଣତନ୍ତ୍ର ଏକ ପ୍ରକ୍ରିୟା ଓ ଏହା ଏକ ଉତ୍ପାଦ ନୁହେଁ, ତେଣୁ ଗଣତନ୍ତ୍ରର ପ୍ରଥମ ଲକ୍ଷ୍ୟ ଗଣତନ୍ତ୍ରର ଚାଲିବା, କୋଉଠି ପହଞ୍ଚିବା ନୁହେଁ। ଅଥଚ ସବୁ ବିଶ୍ଳେଷଣରେ ଲକ୍ଷ୍ୟ ହାସଲର ଆଧାରରେ ଗଣତନ୍ତ୍ରର ବ˚ଚିବା ବା ମରିବା ବିଚାର କରାଯାଉଚି। (୨) କୌଣସି ରାଜନୀତି ବିଜ୍ଞାନୀ କହୁନାହାନ୍ତି ଯେ ‘ଗଣତନ୍ତ୍ର’ ରାଜନୀତି ବିଜ୍ଞାନର ବିଷୟ କମ୍‌, ବ୍ୟାବହାରିକ ମାନବ କଳାର ବିଷୟ ଅଧିକ। ଅର୍ଥାତ୍‌ ଗଣତନ୍ତ୍ରର ସମଗ୍ର ପ୍ରକ୍ରିୟା ଲୋକଚରିତ୍ର, ସା˚ସ୍କୃତିକ ଅଚେତନ ଓ ଅବଚେତନ, ବ୍ୟକ୍ତି ଜୀବନ ଓ ଯୌଥ ଜୀବନର ପ୍ରାୟୋଗିକ ବ୍ୟାକରଣରେ ଚଳେ, ରାଜନୀତିର ପରିକଳ୍ପିତ ସୂତ୍ରରେ ନୁହେଁ। ‘ନେତା’ ନାମକ ଜଣେ ବ୍ୟକ୍ତି ଲୋକରେ ଗୃହୀତ ହେବାର ସ˚କେତ ଖାଲି ଆଖିକୁ ଦିଶୁଥିବା ଲାଭ-ବିତରଣ ବା ସ୍ବପ୍ନ ବିତରଣରେ ନ ଥାଏ। ତାହା ବ୍ୟକ୍ତିର ‘ପ୍ରଭା’ ବା ବିଶ୍ବସନୀୟତାର ଅଦୃଶ୍ୟ ରଶ୍ମିରେ ଥାଇପାରେ। ଏଠି ସତ୍ତା ଉତ୍ତରାଧିକାର ସୂତ୍ରରେ ମିଳେ ନାହିଁ, ଲୋକ ସ˚ସର୍ଗରୁ ମିଳେ; ତେଣୁ ଗଣତନ୍ତ୍ର ମାନବୀୟ ଚରିତ୍ରର ଏକ ସତତ ପରିବର୍ତ୍ତନଶୀଳ ଚିତ୍ରଶାଳା। (୩) ବିଶ୍ବର ନିୟନ୍ତା ପୂର୍ବତନ ସାମ୍ରାଜ୍ୟବାଦୀ ଦେଶମାନଙ୍କରୁ ଉତ୍ସରିତ ହେଉଥିବା ଗଣତନ୍ତ୍ରଲୋପୀ ବିଜ୍ଞତା ଏକ ଚକ୍ରାନ୍ତ ବି ତ ହୋଇପାରେ! ବିଶ୍ବର ସବୁ କ୍ଷୁଦ୍ର ଦେଶକୁ ପ୍ରଥମେ ଗଣତାନ୍ତ୍ରିକ ହେବା ପାଇଁ ଉତ୍ସାହିତ କରିବା ଓ ଗଣତନ୍ତ୍ର ସ୍ଥାପିତ ହେଲା ପରେ ତାକୁ ବିଫଳ ବା ମୃତ୍ୟୁମୁଖୀ କହି କହି ଶେଷରେ ମାରି ଦେବା ବି ତ ଏକ ଭୟଙ୍କର ଚକ୍ରାନ୍ତ ହୋଇପାରେ! ଏଥିରେ ଲାଭ କାହାର? ଏଥିରେ ଲାଭ ସେହି ଶକ୍ତିଶାଳୀ, ବାହୁବଳୀ ଓ ବିତ୍ତବଳୀ ପୂର୍ବତନ ସାମ୍ରାଜ୍ୟବାଦୀ ଦେଶମାନଙ୍କର। ସାରା ବିଶ୍ବ ତାଙ୍କ କବଳିତ ହୋଇଯିବ ଏବ˚ ସାରା ବିଶ୍ବ ହେବ ମୁଷ୍ଟିମେୟ ରାଷ୍ଟ୍ରଙ୍କ ଉପନିବେଶ।

ତେଣୁ ଗଣତନ୍ତ୍ର କେବଳ ତିଷ୍ଠି ରହିବା ହିଁ ତା’ର ସର୍ବଶ୍ରେଷ୍ଠ ସଫଳତା ଓ ସାମ୍ରାଜ୍ୟବାଦ ବିରୋଧରେ ବିଶ୍ବର ରକ୍ଷାକବଚ। ଏ ରାସ୍ତାରେ ନ ଯାଇ ଗଣତନ୍ତ୍ରର ମୃତ୍ୟୁ ପାଇଁ ପାଶ୍ଚାତ୍ୟ ବିଦ୍ବାନମାନେ ଅପେକ୍ଷା କରିଚନ୍ତି କାହିଁକି? ଗଣତନ୍ତ୍ରର ମୃତ୍ୟୁ ହୋଇଗଲା ବୋଲି ନକାରାତ୍ମକ ବାର୍ତ୍ତା ପ୍ରସାର କରୁଥିବା ବୁଦ୍ଧିଜୀବୀମାନେ ଗଣତନ୍ତ୍ରର ପ୍ରକୃତ ହତ୍ୟାକାରୀ ନୁହନ୍ତି କି?

ସ୍ବିଡେନ୍‌ରେ ଗୋଟିଏ ଭି-ଡେମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଛି; ଯିଏ ବିଶ୍ବରେ ଗଣତନ୍ତ୍ରର ସ୍ଥିତି ବିଚାର କରି ରିପୋର୍ଟ ପ୍ରସ୍ତୁତ କରେ। ଏମାନେ ଗୋଟିଏ ର˚ଗିନ୍‌ ମାନଚିତ୍ର ବି ପ୍ରସ୍ତୁତ କରନ୍ତି ଓ ଦେଖାନ୍ତି କୋଉ ଗଣତନ୍ତ୍ରରେ କେତେ ବଳ। ଏ ଭି-ଡେମ୍‌ର ଅର୍ଥ ‘ଭେରାଇଟିଜ୍‌ ଅଫ୍‌ ଡିମୋକ୍ରାସି’! ଇଏ ଗୋଟିଏ ପ୍ରୋଜେକ୍ଟ। ଇଏ ସ୍ଥାପିତ ହେଇଚି ୨୦୧୪ରେ। ୟାର ସ୍ଥାପନା କରିଚନ୍ତି ପ୍ରଫେସର ସ୍ତାଫାନ୍‌ ଲିଣ୍ତବର୍ଗ। ସ୍ବିଡେନ୍‌ର ଗୋଥେନ୍‌ବର୍ଗ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଏ ପ୍ରୋଜେକ୍ଟ ଚାଲିଚି। ୟାର ରୢାଙ୍କିଂ ଅନୁସାରେ ବିଶ୍ବର ରାଜନୀତି ବିଜ୍ଞାନୀମାନେ ଗଣତନ୍ତ୍ରକୁ ଦେଖୁଚନ୍ତି। ଏମାନେ ଗଣତନ୍ତ୍ରର ବିଚାର କରୁଚନ୍ତି ପା˚ଚଟି ସର୍ବୋଚ୍ଚ କୋଟୀର ଆଧାରରେ: ନିର୍ବାଚନୀ, ଉଦାରବାଦୀ, ସହଯୋଗୀ, ଚର୍ଚ୍ଚାକ୍ଷମ ଓ ସମଦୃଷ୍ଟି। ଏ ବିଷୟରେ ଟିକେ ପରେ, କିନ୍ତୁ ପ୍ରଥମେ ପଚାରେଁ : ଭାଇ, ତୁମେ କିଏ ବିଶ୍ବରେ ଏ ବୌଦ୍ଧିକ ବିଭ୍ରାନ୍ତି ସୂତ୍ରପାତ କଲାବାଲା? ସ୍ବିଡେନ୍‌ର ଜଣେ ପ୍ରଫେସର ଓ ତାଙ୍କ ସହିତ ମିଶିଚନ୍ତି ଏବେ ବିଶ୍ବବ୍ୟାଙ୍କ୍‌ ଓ ସ˚ପନ୍ନ ପାଶ୍ଚାତ୍ୟ ରାଷ୍ଟ୍ର; ଏମାନଙ୍କୁ କିଏ ଅଧିକାର ଦେଲା ନିଜ ଦେଶମାନଙ୍କୁ ସର୍ବୋଚ୍ଚ ଶିଖରରେ ରଖି ବାକି ଦେଶଙ୍କୁ ତଳିତଳାନ୍ତ କରି ରଖିବା ପାଇଁ? ଆଚ୍ଛା ହଉ, ୟାଙ୍କରି ହିସାବରେ ‘‘ଭାରତ ଆଉ ନିଜକୁ ଏକ ଗଣତନ୍ତ୍ର ବୋଲାଇବା ସ୍ଥିତିରେ ନାହିଁ,’’ ଅର୍ଥାତ୍‌ ବର୍ତ୍ତମାନର ଭାରତ ୨୦୨୧ରେ ଆଉ ଗଣତନ୍ତ୍ର ପଦବାଚ୍ୟ ନୁହେଁ, ଇଏ ବର୍ତ୍ତମାନ ସିରାଲିଓଁ, ଗୁଆଟାମାଲା ଓ ହଙ୍ଗେରୀ ତଳକୁ! ୨୦୨୧ ରିପୋର୍ଟରେ ଭାରତୀୟ ଗଣତନ୍ତ୍ର ଖସି ଆସିଲା ୧୮୦ ଦେଶଙ୍କ ଭିତରେ ୯୭ ସ୍ଥାନକୁ। ଏସବୁ କୁଆଡ଼େ ହେଲା (ଅର୍ଥାତ୍‌ ଗଣତନ୍ତ୍ରର ହନନ) ୨୦୧୪ରେ ଭାରତୀୟ ଜନତା ପାର୍ଟିର ମୋଦୀ-ନେତୃତ୍ବ ପରିଚାଳିତ ଭାରତରେ ଓ ଗଣତନ୍ତ୍ର ପୂରା ନିପାତ ହେଇଗଲା ୨୦୧୯ରେ। ସ୍ମରଣରେ ରହୁ ଯେ ଏ ଭି-ଡେମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପିତ ହେଲା ୨୦୧୪ରେ। ମୋଦୀ-ଶାସନର ଆରମ୍ଭ ଓ ଏ ଅନୁଷ୍ଠାନର ସ୍ଥାପନା ସେହି ଗୋଟିଏ ସମୟରେ ଓ ତା’ ପରଠୁ ଧୀରେ ଧୀରେ ଭାରତୀୟ ଗଣତନ୍ତ୍ରକୁ ଅବମୂଲ୍ୟାୟିତ କରି କରି ତଳିତଳାନ୍ତ ସ୍ଥିତିକୁ ଆଣି ୨୦୨୧ରେ ରିପୋର୍ଟ କହିଲା: ଭାରତ ଏକ ଗଣତନ୍ତ୍ର ନୁହେଁ, ଭାରତ ଏକ ନିର୍ବାଚନୀ ଏକଛତ୍ରବାଦ (ଇଲେକ୍‌ଟୋରାଲ୍‌ ଅଟୋକ୍ରାସି)! ମୁଁ ଜାଣେ ନାହିଁ ଭାରତ ସରକାର ଏ ରିପୋର୍ଟ ଦେଖୁଚନ୍ତି କି ନାହିଁ, ଯଦି ଦେଖୁଥା’ନ୍ତି ତେବେ ଚୁପ୍‌ ରହିଚନ୍ତି କାହିଁକି?

ଜଣେ ଭାରତୀୟ ଭାବରେ ମୁଁ ଲଜ୍ଜିତ ଯେ ଗୋଟିଏ କ୍ଷୁଦ୍ର ବିଶ୍ବବିଦ୍ୟାଳୟର ଗୋଟିଏ ବିଭାଗରେ ଗୋଟିଏ ପ୍ରୋଜେକ୍ଟ ଭାରତ ଓ ବିଶ୍ବର ରାଷ୍ଟ୍ରମାନଙ୍କର ଗଣତାନ୍ତ୍ରିକ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଚି। ଭାରତ ଏକ ନିର୍ବାଚନୀ ଏକଛତ୍ରବାଦ? ଏ ଅପମାନ ଅସହ୍ୟ। ଏଥିରେ ମୋର ସନ୍ଦେହ ନାହିଁ ଯେ ଏ ଅନୁଷ୍ଠାନ, ୟାର ପ୍ରୋଜେକ୍ଟ ଓ ୟାର ବିଚାର ଦୁରଭିସନ୍ଧି-ଗ୍ରସ୍ତ। କିନ୍ତୁ ଗଭୀର ଦୁଃଖର କଥା ଭାରତୀୟ ଜନବିଦ୍ବାନ (ପବ୍ଲିକ୍‌ ଇଣ୍ଟେଲେକ୍‌ଚୁଆଲ୍‌)ମାନେ ଏହି ରିପୋର୍ଟ‌୍ର ଆଧାରରେ ଜନସଭାରେ ବି ଭାରତ ସହିତ ମୋଦୀ ବା ମୋଦୀଙ୍କ ସହିତ ଭାରତକୁ ଗଣତନ୍ତ୍ରହୀନତାରେ ଭତ୍ସିତ କରୁଚନ୍ତି। ଏଇ କିଛି ଦିନ ତଳେ ଜଣେ ଜନବିଦ୍ବାନ ଭୁବନେଶ୍ବରର ରବୀନ୍ଦ୍ର ମଣ୍ତପରେ ଭାରତରେ ଗଣତନ୍ତ୍ର ଖଣ୍ତ ଖଣ୍ତ ହୋଇ ବୀଭତ୍ସ ଭାବରେ କଟା ହୋଇ ଚାଲିଚି ଓ ମୃତ ପ୍ରାୟ ବୋଲି କହିଗଲେ ଓ ଲୋକେ କରତାଳି ଦେଲେ! କି ଘୋର ଲଜ୍ଜା! ମୁଁ ବିମର୍ଷ ହେଲି ସିନା, କରତାଳି-ତତ୍ତ୍ବକୁ ବୁଝିଲି। ଆମେ ଓଡ଼ିଆମାନେ ରସିକ ଲୋକ, ଆଳଙ୍କାରିକତା, ବାକ୍‌ପଟୁତା ଓ କଥା ଛିଡ଼େଇ କହିବାର ଦାମ୍ଭିକତାକୁ ତୁରନ୍ତ ତାରିଫ କରି ଦେଉଁ, ତେଣୁ ଖରାପ କଥା ବଢ଼ିଆ କରି କହିଲେ ବି ଆମେ ତାଳି ବଜାଉ। ଅନ୍ୟଥା ଲଜ୍ଜାରେ ମୁଣ୍ତ ନଇଁଯିବା କଥା। ଓଡ଼ିଶାର ରାଜଧାନୀ ଭୁବନେଶ୍ବର, ଯେଉଁଠି ଦୁଇ ଦଶନ୍ଧିରୁ ଅଧିକ କାଳ କେନ୍ଦ୍ର-ବିପକ୍ଷର ଗଣତାନ୍ତ୍ରିକ ରାଜ୍ୟ-ଶାସନ ଚାଲିଚି, ସେଠି ଏ ଅସତ୍ୟ ମୁହଁ ଟାଣ କରି କହିବା ଯେ ଭାରତରେ ଗଣତନ୍ତ୍ର ହାଣ ଖାଇ ଖାଇ ମରିଯାଉଚି ବା ମରିଗଲାଣି, କେଡେ଼ ବଡ଼ ଆସ୍ପର୍ଦ୍ଧା! ତହିଁରେ ପୁଣି ଆମର ନିର୍ଲଜ୍ଜ ତାଳି! ମିଡିଆକୁ ସ˚ପୂର୍ଣ୍ଣ କରାୟତ୍ତ କରିବା ଅସମ୍ଭବ, ତେଣୁ ମିଡିଆକୁ ସତ୍ତା ବିରୋଧ ଆଳରେ ମିଥ୍ୟା ବିରୋଧ ମଧୢ ପ୍ରଭାବିତ କରିପାରିବ ନାହିଁ। ଲୋକେ ବି ତାଳି ମାରନ୍ତି, କିନ୍ତୁ ଠିକ୍‌ ବୁଝନ୍ତି।

ପୁଣି ଏ ଜନବିଦ୍ବାନ ମହାଶୟ ଗୋଟିଏ ବହିରୁ ତତ୍ତ୍ବ ବାହାର କରି ତା’ର ତର୍ଜମା କଲେ, ଶ୍ରୋତାଙ୍କୁ ଜଣାଇବା ପାଇଁ ଯେ, ଯାହା ଅନ୍ୟ କେତେକ ଦେଶରେ ଘଟିଚି, ତାହା ଭାରତରେ ଘଟିଯିବ ନିଶ୍ଚୟ। ବହିଟିର ନାଁ ‘ହାଓ ଡିମୋକ୍ରାସିଜ୍‌ ଡାଏ!’ ଦୁର୍ଭାଗ୍ୟକୁ ଏ ବହିଟି ମୁଁ ପଢ଼ିଚି, ତେଣୁ ବିସ୍ମିତ ହେଲି ସେ ବହିଟିର ଭୁଲ୍‌ ତର୍ଜମା କଲେ। ହାର୍ଭାର୍ଡ ବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ଷ୍ଟିଭେନ୍‌ ଲେଭିଟସ୍କି ଓ ଡାନିଏଲ୍‌ ଜିବ୍‌ଲାଟ୍‌ଙ୍କ ଦ୍ବାରା ରଚିତ ଏ ବହିଟି ପ୍ରକାଶିତ ହୋଇଥିଲା ୨୦୧୮ରେ। ଇଏ ଏକ ରାଜନୈତିକ ଦୁରଭିସନ୍ଧି-ଗ୍ରସ୍ତ ବହି, ଡୋନାଲାଡ୍‌ ଟ୍ରମ୍ପ୍‌ଙ୍କୁ ଗାଦିଚ୍ୟୁତ କରିବା ପାଇଁ। ଏଥିରେ ବିଦ୍‌ବତ୍ତା କମ୍‌ ରିପବ୍ଲିକାନ୍‌-ଡିମୋକ୍ରାଟ୍‌ ଆଜେଣ୍ତାକୁ ନେଇ ସ୍ଥାନୀୟ ଚର୍ଚ୍ଚା ଅଧିକ। ଅନ୍ୟ ଦେଶମାନଙ୍କ ସହିତ ଟ୍ରମ୍ପ୍‌ ଶାସିତ ଆମେରିକାର ତୁଳନା ସ˚ପୂର୍ଣ୍ଣ ଅବା˚ଛିତ ଓ ଅପ୍ରାସଙ୍ଗିକ। ଜୋ ବିଡେନ୍‌ଙ୍କର ଏ ପ୍ରିୟ ବହି। ସୋ ହ୍ବାଟ୍‌? ଇଏ ଭାରତ ପାଇଁ ପ୍ରାସଙ୍ଗିକ ହେଲା କେମିତି? ଆସ୍ତେ ଆସ୍ତେ ଗଣତନ୍ତ୍ର ଖଣ୍ତ ଖଣ୍ତ ହେବାର ମେଟାଫର‌୍‌କୁ ନେଇ ତାଳି ହାସଲ କରିବା ଓ ସେଇଠି ସତ୍ୟକୁ ସମାଧି ଦେଇଦେବା କ’ଣ ଜଣେ ଜନ-ବିଦ୍ବାନ ରାଜନେତା, ପୁଣି ସମାଜବାଦୀ ରାଜନେତାଙ୍କର ଉଚିତ କାର୍ଯ୍ୟ? ଏ ବହିର ଶେଷ ଅଧୢାୟରେ ଗଣତନ୍ତ୍ରକୁ ରକ୍ଷା କରିବାର ଯେଉଁ ମାର୍ଗ ବତାଇଚନ୍ତି ଲେଖକ ଦ୍ବୟ ତା’ ଉପରେ ସାମାନ୍ୟତମ ଆଲୋକପାତ ନ କରି ଗଣତନ୍ତ୍ରର ମୃତ୍ୟୁର କଳା ଛାୟାରେ ନିଜ ରାଷ୍ଟ୍ରକୁ ଘୋଡ଼େଇ ଦେବାରେ କି ବିଦ୍‌ବତ୍ତା, କି ନେତୃତ୍ବର ପରାକାଷ୍ଠା! ସତ୍ୟ, ବିନମ୍ରତା, ସହନଶୀଳତା ଆଦି ଗଣତାନ୍ତ୍ରିକ ଗୁଣର ପାଠ ଲେଖକ ଦ୍ବୟ ଟ୍ରମ୍ପ୍‌ଙ୍କୁ ପଢ଼ାଉଚନ୍ତି। ଏ ପାଠ କ’ଣ ଜଣେ ଭାରତୀୟ, ପୁଣି ମୋଦୀଙ୍କ ଭଳି ସର୍ବୋଚ୍ଚ ଜନନେତାଙ୍କୁ ପଢ଼ାଇବେ ଏ ଜନ-ବିଦ୍ବାନ ସମାଜବାଦୀ? ଭାରତୀୟ ଜନନେତା, ସିଏ ଯିଏ ବି ହୁଅନ୍ତୁ ଆମେରିକାନ୍‌ ଜନନେତା ନୁହନ୍ତି। ତେଣୁ ଭାରତର ଗଣତାନ୍ତ୍ରିକ ରାଜନୀତିକୁ ଆମେରିକାନ୍‌ ମଡେଲ୍‌ର ଆଲୋକରେ ପଢ଼ିବା ଏକ ପ୍ରମାଦ। ପ୍ରତି ଭାରତୀୟ ଜନନେତା ଭିତରେ ଭାରତର ଲୋକାତ୍ମାରୁ ଟିକିଏ ସବୁ ବେଳେ ବ˚ଚିଥାଏ।

ସମାଜବାଦୀ ଚିନ୍ତନର କେନ୍ଦ୍ର ଗଣତନ୍ତ୍ର। ଯେଉଁ ଜନବିଦ୍ବାନ ସମାଜବାଦୀ ଭାରତର ଗଣତନ୍ତ୍ରକୁ ସେଦିନ ଆମ ଆଖି ସାମ୍ନାରେ ମୃତ ଘୋଷଣା କରିଗଲେ, ତାଙ୍କର ଗୁରୁ ଜଣେ ଓଡ଼ିଆ। ଶ୍ରୀ କିଶନ୍‌ ପଟ୍ଟନାୟକ। ସେ ଭାରତୀୟ ନେତା, ନେତୃତ୍ବ, ସଭ୍ୟତା, ସମାଜ ଓ ବୁଦ୍ଧିଜୀବୀଙ୍କ ଉପରେ ପ୍ରଗାଢ଼ ଶାଳୀନତାର ଭାଷାରେ କଟାକ୍ଷ କରିଚନ୍ତି, କିନ୍ତୁ ଭାରତର ଆତ୍ମାକୁ ଆହତ କରିନାହାନ୍ତି। ଗୋଟେ ସମୟରେ ତାଙ୍କର ପ୍ରସିଦ୍ଧ ବହି ‘ବିକଳ୍ପହୀନ୍‌ ନହିଁ ହେ ଦୁନିଆ’ (ବିକଳ୍ପହୀନ ନୁହେଁ ଏ ଦୁନିଆ)ର ଅନୁବାଦ କାର୍ଯ୍ୟ ଆରମ୍ଭ କରିଥିଲି, ତାହା ଆଗକୁ ବଢ଼ିଲା ନାହିଁ, କାରଣ ତାଙ୍କର ପର˚ପରା ଓ ବିକାଶ ନେଇ ପ୍ରତିଷ୍ଠିତ ଦୃଷ୍ଟିକୋଣ ସହିତ ମୁଁ ଏକମତ ହୋଇ ପାରିଲିନି। କିନ୍ତୁ କିଶନ ଭାଇଙ୍କ ମୌଳିକତା, ବିଦ୍‌ବତ୍ତା, ଉଦାରତା ମୋତେ ପ୍ରଭାବିତ କରିଥିଲା। କିନ୍ତୁ ତାଙ୍କରି ଶିଷ୍ୟ ଯେଉଁ ଭାବରେ ଓ ଯେଉଁ ଭାଷାରେ ଭାରତୀୟ ଗଣତନ୍ତ୍ରର ମୃତ୍ୟୁ ଘୋଷଣା କଲେ, ତା’ ପୁଣି ଅପରୀକ୍ଷିତ, ବିଭ୍ରାନ୍ତକାରୀ ଓ ଅଚଳ ପାଶ୍ଚାତ୍ୟ ବିଚାରର ଆଧାରରେ ତାହା ମୋ ପାଇଁ ଥିଲା ଏକ ବୌଦ୍ଧିକ ବିପର୍ଯ୍ୟୟର ଉଦାହରଣ। ଭାରତୀୟଙ୍କ ଲୋକ ଜୀବନରେ ବ୍ୟାବହାରିକ ସୃଜନଶୀଳତା ହିଁ ସମାଜବାଦର ମୂଳପିଣ୍ତ।

କିନ୍ତୁ ଭାରତ ପ୍ରସ୍ତୁତ। ଭାରତୀୟ ଗଣତନ୍ତ୍ରକୁ କୌଣସି ବିପଦ ନାହିଁ। ସ୍ବିଡେନ୍‌ର ସ˚ସ୍ଥା ହେଉ ବା ଆମେରିକାନ ବିଶ୍ବବିଦ୍ୟାଳୟର ଭାରତ-ବିରୋଧୀ ଲବି ହେଉ, କାହାରି ଶକ୍ତି ନାହିଁ ଭାରତକୁ ଅଗଣତାନ୍ତ୍ରିକ ଘୋଷିତ କରିବାର। ଏମିତିକି ତାଙ୍କରି ସୂତ୍ର ଅନୁସାରେ ଭାରତରେ ନିର୍ବାଚନୀ ପ୍ରକ୍ରିୟାରେ ଲୋକର˚ଜନର ପ୍ରପ˚ଚ ଦୁର୍ନୀତି ସତ୍ତ୍ବେ ବାର୍ତ୍ତା, ସମତା, ସହଯୋଗିତା ଓ ସମଦୃଷ୍ଟିର ଅଭାବ ନାହିଁ। ଭାରତୀୟମାନେ ଗଣତନ୍ତ୍ରରେ ନିବିଡ଼ରୁ ନିବିଡ଼ତର ହୋଇ ଚାଲିଚନ୍ତି, ସହନଶୀଳତା ବଢୁଚି, ପର˚ପରାବୋଧ, ରାଷ୍ଟ୍ରୀୟ ପ୍ରତ୍ୟୟ ବଢ଼ୁଚି।

ତେବେ, ବାହୁବଳ ଓ ବିତ୍ତବଳ ସହିତ ଜ୍ଞାନବଳରେ ବଳୀୟାନ ବଡ଼ ରାଷ୍ଟ୍ରମାନେ ଭାରତୀୟ ବୌଦ୍ଧିକ ଜୀବନକୁ ସ˚ପୂର୍ଣ୍ଣ କବଳିତ କରିବା ପୂର୍ବରୁ ଆମକୁ ଆମ ଗଣତନ୍ତ୍ରକୁ ଲୋକ ମତ ବିଭ୍ରାନ୍ତକାରୀଙ୍କ କବଳରୁ ବ˚ଚାଇବାକୁ ପଡ଼ିବ। ପାଶ୍ଚାତ୍ୟ ବିଦ୍ବାନମାନେ ଗଣତନ୍ତ୍ରକୁ ପଢ଼ିବାରେ ଭୁଲ୍‌ କରିଚନ୍ତି। ଭାରତୀୟ ଲୋକଚରିତ୍ରର ବିବିଧତା ଓ ବିପୁଳତା ସହିତ ୟାର ସଭ୍ୟତା-ପ୍ରଦତ୍ତ ଅନ୍ତର୍ନିହତ ଗୁଣ ବିପଦରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଠିଆ ହେବ। ସବୁ ବିକଳ୍ପର ରାଜନୀତି ପାଇଁ ଭାରତୀୟ ଗଣତନ୍ତ୍ର ହିଁ ଉପଯୁକ୍ତ। ଯଦି ଭାରତରେ ଗଣତନ୍ତ୍ର ନ ଥା’ନ୍ତା, ବିଦ୍ବାନ ବକ୍ତା ଭାରତର ସତ୍ତା-ରାଜନୀତିକୁ ସର୍ବସମକ୍ଷରେ ଭର୍ତ୍ସିତ କରିବାର ଅଧିକାର ପାଇଥା’ନ୍ତେ କୋଉଠୁ? ମିଡିଆର ମ˚ଚରେ ଠିଆ ହୋଇ ମିଡିଆ ସଭାର କ୍ରୀଡ଼ନକ ବୋଲି କହିଥା’ନ୍ତେ କୋଉ ଦମ୍ଭରେ?

ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର