ପଥିରେ ପୃଥିବୀ

କହିବାର ଅଛି - ଦାଶ ବେନହୁର

ସାରା ପୃଥିବୀ ଏବେ ରୋଗଗ୍ରସ୍ତ। ପ୍ରତିଦିନ କେତେ ନୂଆ ନୂଆ ଖବର ମିଳୁଛି। ଆଜି ଏ ଦେଶର ଲୋକେ ଆକ୍ରାନ୍ତ, କାଲି ସେ ଦେଶର। ସାରା ପୃଥିବୀଯାକର ଦେଶ। ପାଣି ଭିତରେ ଯାଉଥିବା ଜାହାଜ ବି ଅଟକ, କାରଣ ତା’ର ଯାତ୍ରୀମାନେ ରୋଗାକ୍ରାନ୍ତ। ବାଘ ଦେହରେ ରୋଗ, ବାଦୁଡ଼ି ଦେହରେ ରୋଗ। କୁକୁଡ଼ା ଦେହରେ ରୋଗ, ବଜ୍ର‌କପୋତ ବା ବଜ୍ରକାପ୍ତା ଦେହରେ ରୋଗ। ଗଛ ଦେହରେ ରୋଗ, ମାଛ ଦେହରେ ରୋଗ। ଦୁର୍ଗନ୍ଧରେ ବି ରୋଗ।

ଏ ପୃଥିବୀ ତ କେଉଁ କାଳର। ପଶୁ ପକ୍ଷୀ, କୀଟ ପତଙ୍ଗ, ମଣିଷ, ଗଛଲତା ଆଦି କେତେ ପରେ ଆସିଛନ୍ତି। ଜୀବାଣୁ, ବୀଜାଣୁ, ଭୂତାଣୁ ସମସ୍ତଙ୍କର ଘର ଏଇ ପୃଥିବୀ। ତେବେ ଆଜିର ଏ ପୃଥିବୀ ଏତେ ରୋଗଗ୍ରସ୍ତ ହେଲା କେମିତି? କେମିତି ଏତେ ସରି ହେଲା ଯେ ସକଳ ପ୍ରାଣୀ ମୂଳପୋଛ ହେବାକୁ ବସିଲେଣି! କିଏ କଲା ଏ ସବୁ? ମାଟି, ପାଣି, ପବନ, ଆକାଶ, ଶକ୍ତି ପ୍ରତିଟି ମୌଳିକ ବିଭାବରେ ବି ଘୁଣପୋକ ଲାଗି ଗଲେଣି।

ସାଂପ୍ରତିକ କରୋନା ଭୂତାଣୁ ପାଇଁ ମଣିଷ ଚିନ୍ତାରେ ପଡ଼ିଛି। ଗୋଟା ପୃଥିବୀକୁ କବଳିତ କରିନେଇଛି ଏ କୁନି ଅସୁରୁଣୀ। ଆଗରୁ ତ କେତେ କେତେ ରୋଗ ଗ୍ରାସିଛି ପୃଥିବୀକୁ। ତେବେ ବି କ’ଣ ଏ ସଚେତନତା ଥିଲା? ମନ୍ତବ୍ୟ ଆସୁଥିଲା, ହଁ ସେଠି ହେଉଛି, ଆମର କି ଯାଏ? ସେଠି ମରନ୍ତୁ। ଏବେ କିନ୍ତୁ ପ୍ରାଣ ଥରହର। କାରଣ ରୋଗଟି ନିଖିଳ ପୃଥିବୀକୁ ଗିଳି ସାରିଛି। ଆଉ ତାଙ୍କର, ଆମର ବୋଲି କଥା ନାହିଁ। ଏ ଦେଶ ସେ ଦେଶ ପ୍ରଶ୍ନ, ଅବାନ୍ତର ଏ ବ୍ୟାଧି ଆଗରେ।

ଖଟିଆରେ ସୁକୁସୁକୁ ପୃଥିବୀ। ଔଷଧ ନାହିଁ। ରୋଗୀ ଲାଗି ଉପଯୁକ୍ତ ପଥି ପାଚନ ବି ଜଣାନାଇଁ ପୂରାପୂରି। ସବୁଆଡ଼େ ରବ ଶୁଭୁଛି ଦୂରେଇ ରହ, ଦୂରେଇ ରହ। ଜଣାପଡ଼ିଲାଣି ଜନସଂଖ୍ୟାର ଅଶୀଭାଗ ଲୋକ ରୋଗୀଭଳି ଜଣା ନ ପଡ଼ିଲେ ବି ଆପଣା ଦେ‌ହରେ ରୋଗ ଧରି ବୁଲୁଛନ୍ତି। କରୋନା ରୋଗ ଖାଲି ଟଗବଗ ହେଉଛି ଏଠୁ ସେଠାକୁ ଡେଇଁବା ପାଇଁ। ଜଣେ ବ୍ୟକ୍ତି ରୋଗୀ ବୋଲି ଜଣା ନ ପଡ଼ିଲେ ବି ବାରଘଣ୍ଟାରେ ପଣେଙ୍କୁ ରୋଗଭୁକ୍ତ କରିଦେଇପାରେ। ଗବେଷଣା ଚାଲିଛି। ଏ ଯାଏ ତ ମଣିଷ ଥିଲା ବାହକ! କିଏ ଜାଣେ କେଉଁ ପଶୁ, କେଉଁ ପକ୍ଷୀ, କେଉଁ ବୃକ୍ଷ, କେଉଁ ଲତା ଏ ଭୂତାଣୁ କବଳରେ ପଡ଼ିସାରିଲେଣି! କୀଟ ପତଙ୍ଗ କ’ଣ ପରୀକ୍ଷିତ ହେଲେଣି? ବେଳ କାଇଁ? ସବୁଆଡ଼େ ଭୟ, ରୋଗରୁ କେମିତି ବଞ୍ଚିବା। ମଣିଷ ଗବେଷଣା ଚଳାଇଛି। ନୂଆ ନୂଆ ଶବ୍ଦମାନେ ଆହୁରି ଆତଙ୍କିତ କରି ରଖିଛନ୍ତି, ମନୁଷ୍ୟ ଜାତିକୁ। ‘ସାଇଲେଣ୍ଟ୍ ସ୍ପ୍ରେଡର୍’, ‘ସୁପର୍ ସ୍ପ୍ରେଡର୍’। ସେମାନଙ୍କ ଭିତରେ କୋଭିଡ୍-୧୯ ଭୂତାଣୁ ଚୁପ୍-ସଇତାନ୍, କ୍ଷିପ୍ର-ସଇତାନ୍ ସାଜି ବସିଛି।

ପୂରା ପୃଥିବୀର ଲୋକେ ସାନ ବଡ଼ ଭେଦରେ ସମସ୍ତେ ଆକ୍ରାନ୍ତ। ଆଗରୁ ଜଣାଥିଲା ଯେ ପୃଥିବୀରେ ୧୯୫ ଦେଶ। ଜାତିସଂଘରେ ୧୯୨ ଏବଂ ଆଉ ତିନି ତାଲିକାଭୁକ୍ତ ହେବା ଲାଗି ଅପେକ୍ଷାରେ ଅଛନ୍ତି। ହେଲେ ଅନ୍ତର୍ଜାତୀୟ ପେଣ୍ଡୁଖେଳ ସଂସ୍ଥାର ସଭ୍ୟଦେଶ ସଂଖ୍ୟା ୨୧୧। ତା’ର ଅର୍ଥ ଆମ ଏ ପୃଥିବୀରେ ୨୧୧ଠାରୁ ଅଧିକ ଦେଶ ଅଛନ୍ତି। ପୂରା ହିସାବ ବୋଧେ କାହା ପାଖରେ ନାହିଁ। କେମିତି ରହିବ? ଚୀନ୍ ଭଳି ଦେଶ ଯଦି ଭୂସ୍ଖଳନ ଘଟାଇ ସମୁଦ୍ର ଭିତରେ ଗୋଟିଏ ଗୋଟିଏ ଦ୍ବୀପ ଉପରକୁ ଉଠାଇ ଆଣି ପାରୁଛି, ତା’ହେଲେ ଭୂଖଣ୍ଡଗୁଡ଼ିକର ସଂଖ୍ୟା ସ୍ଥିର ରହିବ କେମିତି? ସେ ଯାହାହେଉ ଶେଷ ତଥ୍ୟ ଅନୁସାରେ ୨୧୦ଗୋଟି ଦେଶ ଓ ପାଣି ଭିତରେ ରହିଥିବା ଦୁଇଗୋଟି ଜଳଜାହାଜକୁ କରୋନା ଧରି ସାରିଛି।

ତେବେ, ସାରା ପୃଥିବୀ ରୋଗଗ୍ରସ୍ତ ବୋଲି କହିବା କାହିଁକି? ପୃଥିବୀ ବୋଇଲେ କ’ଣ କି? ପୃଥିବୀ ତ ଏଇ ମଣିଷମାନଙ୍କୁ ନେଇ। ଗଛଲତା, ପାଣିପବନ, ଜୀବଜନ୍ତୁ, ଭୂମିଭୂମା ଆଦି ସବୁ କଥା ପୃଥିବୀ-ସମ୍ପର୍କିତ। କେହି ଆଜି ହଲପ୍ କରି କହିପାରିବେନି ଯେ ପୃଥିବୀର ଏଇ ଅଂଶ, ଏଇ ଉପାଦାନ ରୋଗଗ୍ରସ୍ତ ନୁହେଁ। କିଏ ଏ ସବୁ କଲା ସେ କଥା ଏବେ ଉଠେଇ ଲାଭ ନାହିଁ। ପହିଲେ ପୃଥିବୀ ରୋଗମୁକ୍ତ ହେବା ଦରକାର। ନଚେତ୍ ପରିକ୍ଷିତଙ୍କ ସର୍ପଯଜ୍ଞର ଶେଷ ଆହୁତି ‘‘ତକ୍ଷକାୟ ସ୍ବାହା, ଇନ୍ଦ୍ରାୟ ସ୍ବାହା’’ ଭଳି ସମସ୍ତ ପ୍ରାଣୀଜଗତ୍‌ ଆପେ ଆପେ ସ୍ବାହା ହୋଇଯିବେ।

ରୋଗଶଯ୍ୟାରେ ପୃଥିବୀ ମାଆ। ଯେହେତୁ ଔଷଧ ଜଣାନାହିଁ, କେବଳ ପଥି ଖାଇ ରୋଗ ଉପଶମ ଲାଗି ଅପେକ୍ଷା କରି ରହିବାକୁ ପଡ଼ିବ। ରୋଗ ଉପଶମ ହେଲେ ବି ଦୀର୍ଘଦିନ ପଥିରେ ରହିବାକୁ ପଡ଼ିବ। ବିନା ଔଷଧରେ କେବଳ ପଥିକୁ ଆଶ୍ରା କରି ବଞ୍ଚାଇ ରଖିବାକୁ ହେବ ମାଆଟିକୁ। କାରଣ ଜୀବଜଗତ୍‌ର ସକଳ ପ୍ରାଣୀ ଚିରକାଳ ଏ ମାଆର ସ୍ତନ୍ୟପାୟୀ ପ୍ରାଣୀ। କିଏ ଏହାର ପବନକୁ ନେଇ ବଞ୍ଚେ ତ, କିଏ ପାଣିକୁ ନେଇ, କିଏ ମାଟିକୁ ନେଇ। ପୃଥିବୀମାଆ ଦୁଗ୍‌ଧବତୀ। ତା’ରି ଦୁଗ୍‌ଧ ଖାଇ ସମସ୍ତେ ପ୍ରତିପାଳିତ। ମାଆ ଖଟିଆ ଧରିଲେ ଜୀବଜଗତ୍‌ ବଞ୍ଚିବ କେମିତି?

‘ପଥି’ ଶବ୍ଦର ଅର୍ଥ ରୋଗବିହିତ-ଆହାର। ସେଥିପାଇଁ ଓଡ଼ିଆରେ ଆମର କଥା ଅଛି- ‘‘ପଥିର ଖବର ବୁଝ ତୁ ଆଗ/ପଛେ ବୁଝାଯିବ ଔଷଧ ଭାଗ।’’ ଏଠାରେ ପୃଥିବୀ ପାଇଁ ପଥି କ’ଣ?

ପ୍ରତ୍ୟେକ ସମସ୍ୟା, ସମାଧାନର ସୂତ୍ର ସଙ୍ଗରେ ଧରି ଆସିଥାଏ। ବିଚଳିତମାନେ ସହଜରେ ସମସ୍ୟା ଆଗରେ ମୁଣ୍ଡ ନୁଆଁଇଦେଇ ବଳି ପଡ଼ିଯାଆନ୍ତି। ହେଲେ ଲଢ଼ୁଆ ଲୋକ ସମସ୍ୟାର ସମାଧାନ ଖୋଜନ୍ତି। ବଞ୍ଚି ରହନ୍ତି। ଏବେ ସେଇକଥା ଅନୁଭବିବାର ବେଳ। କରୋନା ପାଇଁ ଔଷଧ ଓ ଟିକା ଚିନ୍ତା ସାରା ଜଗତ୍‌କୁ ଘାରିଛି। ମାଂସପେଶୀଯୁକ୍ତ ମହାବଳୀ ସରକାରମାନେ ସୁଦ୍ଧା ଆଣ୍ଠେଇ ପଡ଼ି ଖୋଜୁଛନ୍ତି ସମାଧାନ। ସେଥିରେ ସାଧାରଣ ଲୋକର ଭୂମିକା କ’ଣ? କେମିତି ସେ ଯୋଗାଇଦେବ ପୃଥିବୀ ମାଆକୁ ପଥି?

ଆମରି ଅବିମୃଶ୍ୟକାରିତା ମାଧ୍ୟମରେ ଏ ପୃଥିବୀ କେତେ ଖାଦ୍ୟ ଅଖାଦ୍ୟ ଖାଇଛି, ପିନ୍ଧିଛି କେତେ ନୂଆ ପୋଷାକ। ବାଣ, ବାଜା, ବୈରଖ ଉଡ଼ାଇ କେତେ ଆମେ ନଚେଇଛୁ ତା’କୁ। ଖୋଳିଛୁ, ପୋତିଛୁ, ଲହୁଲୁହାଣ କରିଛୁ। ଉପରେ ମିଛ ବିକାଶର ଆବର୍ଜନାବୋଝ ଲଦି ଦେଇ ଅକାଳରେ ବୁଢ଼ୀ କରିଦେଇଛୁ ତା’କୁ। ଖିନ୍ ଭିନ୍ କରି ଝୁଣିଛୁ ତା’ର ସ୍ତନ। ସବୁ ସହିଛି ସେ। ଏବେ ବି ସହୁଛି। ମଣିଷ ଯୋଗାଉଥିବା ବିକାଶ-ଖାଦ୍ୟ ତା’ର ଲୋଡ଼ା ନାହିଁ। ଯାହା ଲୋଡ଼ା, ତାହା ହେଉଛି ପଥି। ସେ କଥା ମଣିଷ ତାକୁ ଯୋଗାଇବାରେ ହେଳା କଲା, ଅଣଦେଖା କଲା। ସେଇଥିପାଇଁ ସେ କରୋନା ରୋଗରେ ପଡ଼ି ଆପେ ଖୋଜିଲା ପଥି। ପାଣି, ପବନ, ଆକାଶ, ମାଟି, ଶକ୍ତି।

ଆପେ ସବୁ ମଣିଷ ଏବେ ନିଜ ନିଜ ଖୁଆଡ଼ରେ ବନ୍ଦୀ। ରାଜପୁତ୍ର ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ସାଧାରଣ ପ୍ରଜାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଯେଉଁମାନେ ତା’କୁ କବଳିତ କରି ରଖିଥିଲେ ସେମାନେ ସମସ୍ତେ ଆଜି ଜବତ। ପୃଥିବୀ ମାଆ ପଥି ଯୋଗାଡ଼ କରୁଛି ତା’ ନିଜ ପାଇଁ। ପାଣି ଆପେ ସ୍ବଚ୍ଛ ହେବାକୁ ଆରମ୍ଭ କରିଛି। ପବନ ମନକୁ ମନ ନିର୍ମଳ ହେବାରେ ଲାଗିଛି। ମାଟିରେ ଏବେ ବିଷ ଢାଳିବାର ଜୁ ନାହିଁ ଖେଣ୍ଟ ମଣିଷମାନଙ୍କର। ଆକାଶ ପଥ ତ ଏମିତିରେ ଯାନରହିତ ହୋଇ ସଫା। ଶକ୍ତିକ୍ଷୟରେ ଲଗାମ୍ ଲାଗିଛି। ଏଇ ପଥି ଖାଉଛି ଏଇଲେ ପୃଥିବୀ ମାଆ। କରୋନା, ମଣିଷ ମାରୁଛି ସତ, ମାତ୍ର ସେଇବାଟେ ଦୁଗ୍‌ଧବତୀ ମାଆ ପଥି ଖାଇ ନିଜକୁ ସାଷ୍ଟମ କରୁଛି। ସେ ଜାଣେ, ଏ ବଜ୍ଜାତ ମଣିଷ ପୁଣି ତା’କୁ ଝୁଣିବ। ପୁଣି ସେ ରୋଗରେ ପଡ଼ିବ। ପଥି ଖୋଜିବ, ପୁନଶ୍ଚ ସାଷ୍ଟମ ହେବ।

କୋଭିଡ୍-୧୯ ବା ନୂଆ-କରୋନା ମହାମାରୀ, ଲୋକକାହାଣୀର ଅଦୃଶ୍ୟ ଅସୁରୁଣୀ। ହେଲେ ପୃଥିବୀବାସୀଙ୍କ ଲାଗି ସେ ନେଇ ଆସିଛି ଏକ ନୂଆ ଶିକ୍ଷା, ନୂଆ ବାର୍ତ୍ତା, ନୂଆ ଚେତାବନୀ। ମାଆ କହୁଚି- ‘‘ମତେ ବଞ୍ଚିବାକୁ ଦିଅରେ ବାଳୁତମାନେ, ତା’ହେଲେ ତୁମେମାନେ ବଞ୍ଚିବ। ନଚେତ୍ ମୋର ଉପସ୍ଥିତି ସତ୍ତ୍ବେ ସବୁ ଜ୍ଞାନ ବିଜ୍ଞାନକୁ ଧରି ପୋକମାଛି ପରି ମରିବ ସମସ୍ତେ।’’

ଭାରତର ପ୍ରଧାନମନ୍ତ୍ରୀ ଏ ଭିତରେ ଏପ୍ରିଲ୍ ୧୯ ତାରିଖ ଦିନ ନିଜ ଲିଙ୍କ୍‌ଡ-ଇନ୍ ପୃଷ୍ଠାରେ ପାଞ୍ଚକଥା ଲେଖି ସେ ସବୁକୁ ଅବଧାନ କରିବା ପାଇଁ ପୁଣିଥରେ ଟ୍ବିଟ୍ କରିଛନ୍ତି। ତାଙ୍କର ଆଶା ଏ ବିଷମ ପରିସ୍ଥିତିରୁ ଶିକ୍ଷା ପାଇ ଆମମାନଙ୍କର ସାମର୍ଥ୍ୟ କୌଶଳ ବଢ଼ିବ ଓ ଆମେ କୌଣସି କଥାକୁ ନ ଗଡ଼ାଇ ଠିକ୍ ସମୟରେ ସାରିବା ଲାଗି ତତ୍ପର ହେବା। ହେଲେ ସେ ପାଞ୍ଚକଥା କ’ଣ?

ପ୍ରଥମଟି ହେଲା ନିଜକୁ ପରିସ୍ଥିତି ସହ ଖାପ ଖୁଆଇବା। ଦ୍ବିତୀୟଟି ହେଲା ଆପଣା ଆପଣା ସ୍ତରରେ ନିଜର ଦକ୍ଷତା ବଢ଼ାଇବା ଲାଗି ଚେଷ୍ଟା କରିବା। ତୃତୀୟଟି ହେଉଛି ସମସ୍ତଙ୍କୁ ଏକାଠି ନେଇ ଚଳିବାର ମନୋଭାବ ସୃଷ୍ଟି କରିବା। ଚତୁର୍ଥରେ ଉପୁଜିଥିବା ଯେ କୌଣସି ପରିସ୍ଥିତିକୁ ସୁଯୋଗ ମନେକରି ତାହାର ଉପଯୋଗ କରିବା। ଏବଂ ଶେଷ କଥାଟି ହେଲା ସାର୍ବଜନୀନତା। ବଞ୍ଚିରହିବା ପାଇଁ ଏକତା ଓ ଭ୍ରାତୃତ୍ବଭାବ ଯେ ଅପରିହାର୍ଯ୍ୟ ସେ କଥା ଏତିକିବେଳେ ବୁଝିନେବା। ଏ ସବୁ ପରାମର୍ଶ ପାଠକଙ୍କୁ ପୁରୁଣା ଲାଗିପାରେ ହେଲେ ବର୍ତ୍ତମାନର କରୋନାକ୍ରାନ୍ତ ପୃଥିବୀ ଲାଗି ଆମେ ଯେଉଁ ପଥିର ପରିକଳ୍ପନା କରୁଛୁ ତାହା ଆମ ଆଡ଼ୁ ଆମେ ଏଇବାଟେ ହିଁ ପୃଥିବୀକୁ ଯୋଗାଇଦେବା। ସେ ଭିତରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସମସ୍ତଙ୍କୁ ଏକାଠି ନେଇ ଚଳିବାର ମନୋଭାବ। ମଣିଷ ମଣିଷ ଭିତରେ କେବଳ ନୁହେଁ, ଦେଶ ଦେଶ ଭିତରେ ଏ ଚିନ୍ତନ ସର୍ବବ୍ୟାପୀ ନ‌ ହେଲେ ପୃଥିବୀ ସାମଗ୍ରିକ ଭାବରେ କ୍ଷତିଗ୍ରସ୍ତ ହେବ। ତୁମେ ଧନୀ ବା ବିକାଶଶୀଳ ହେଲେ ଯେ ନିର୍ଧନ ବା ଅବିକଶିତଙ୍କୁ ଦୂରେଇ ରଖି ଭଲରେ ରହିଯିବ ସେ କଥା ନୁହେଁ। ଆଜି କରୋନା ଚୀନ୍‌ର ହୁବେଇରୁ ଆସିଛି, କାଲି ଆଉ କ’ଣ କେନିୟା ବା ଉଗାଣ୍ଡାର ଚିର ଅବହେଳିତ ବୁଭୁକ୍ଷିତଙ୍କ ଗହଣରୁ ବାହାରି ଆସି ସମଗ୍ର ପୃଥିବୀକୁ ଯେ ଗ୍ରାସ ନ କରିବ ସେ କଥା କିଏ କହିବ?

ବଡ଼ ସୁନ୍ଦର କଥାଟିଏ ବାହାରିଛି ଏ ପରାମର୍ଶରୁ। ‘‘ଡୁ’ ମୋର୍ ଉଇଥ୍ ଲେସ୍’’ କେତେ କମ୍‌ରୁ କେତେ ଅଧିକ କରାଯାଇପାରିବ ସେ କଥା ଭାବିବାର ବେଳ ଆସି ଉପସ୍ଥିତ। ପୃଥିବୀ ଗୋଟାଏ। ଗୋଟିଏ ଶରୀର ଭଳି। ହାତ, ଗୋଡ଼, ଆଙ୍ଗୁଠି, ନଖ ଏପରି କି କେଶକୁ ଛାଡ଼ି ସୁସ୍ଥ ଶରୀରର ପରିକଳ୍ପନା କରିବା ଅସମ୍ଭବ।

ରୋଗରୁ ଉଠିଲା ପରେ ଶରୀରରେ ନୂଆ ପରିବର୍ତ୍ତନ ଆସେ। କରୋନାର ଭୟାବହତା ପରେ ଔଷଧ ଖାଉ ନ ଖାଉ ଏ ପୃଥିବୀ ପଥି ଖାଇ ଉଠିବ। ପ୍ରାଣୀ ସିନା ମରିବେ ପୃଥିବୀ ସହଜରେ ମରିବ ନାହିଁ। ବଦଳିବ ପୃଥିବୀ। ସମାଜନୀତି, ରାଜନୀତି, ଅର୍ଥନୀତି, ଜଗତ୍‌କରଣ, ଶିଳ୍ପାୟନ, ପୃଥିବୀ ପର୍ଯ୍ୟଟନ, ଅବାଧ ମୁକୁଳାପଣ ସବୁକିଛି ବଦଳିବ ନିଶ୍ଚେ। ଆମେ ପ୍ରସ୍ତୁତ ରହିବା ଦରକାର।

କହିବାର ଅଛି, ଆମେ ଏତିକିବେଳେ ପୃଥିବୀ ମାଆକୁ ଉଚିତ ପଥି ଯୋଗାଇବାରେ ସହାୟକ ହେବା ଆବଶ୍ୟକ।

[email protected]

ସମ୍ବନ୍ଧିତ ଖବର