ସଇତାନର ଓକିଲ

ଶ୍ୟାମସୁନ୍ଦର ଅଗ୍ରୱାଲା

ମୁଲ୍ଲା ନସିରୁଦ୍ଦିନଙ୍କ ଗଧଟି ବୁଢ଼ା ହୋଇଯାଇଥିଲା। ମୁଲ୍ଲା ଯେତେ ଚେଷ୍ଟା କଲେ ବି ଗଧଟିକୁ ବିକ୍ରି କରିପାରୁନଥିଲେ। ଜଣେ ଦଲାଲ ଆସି ମୁଲ୍ଲାଙ୍କ ପାଖରେ ପହଞ୍ଚିଲା ଆଉ କହିଲାୟ, “ମୁଁ ଗଧଟିକୁ ଦଶ ହଜାର ଟଙ୍କାରେ ବିକ୍ରି କରିଦେବି। କିନ୍ତୁ ଏହାର ପଚିଶ ପ୍ରତିଶତ କମିସନ ନେବି।” ବୁଢ଼ା ଗଧଟି ଦଶ ହଜାର ଟଙ୍କାରେ ବିକ୍ରି ହୋଇଯିବ ଶୁଣି ମୁଲ୍ଲା ଖୁସି ହୋଇ ତୁରନ୍ତ ରାଜି ହୋଇଗଲେ। ଦଲାଲ ଗଧଟିକୁ ନେଇ ହାଟରେ ଛିଡ଼ା ହୋଇ ପଡ଼ି ବଡ଼ ପାଟିରେ ବାରମ୍ବାର କହିବାକୁ ଲାଗିଲା “ଆସନ୍ତୁ, କିଣନ୍ତୁ, ଏକ ଅତ୍ୟନ୍ତ ସୁନ୍ଦର, ଧାର୍ମିକ ଓ ମୂଲ୍ୟବାନ ଗଧ। ଏହା ଏକ ଆରବ ଶେଖ୍‌ଙ୍କ ଗଧ, ଯାହାକୁ ସେ ଖଲିଫାକୁ ଦାନ କରି ଦେଇଥିଲେ ଓ ଇମାମ ଏହାକୁ ଜୀବନ ସାରା ବ୍ୟବହାର କରୁଥିଲେ। ଏହାର ଆଖି ଦେଖନ୍ତୁ, ଯାହାର ଦୃଷ୍ଟି ଶକ୍ତି ଆଜି ପର୍ଯ୍ୟନ୍ତ ତୀକ୍ଷ୍‌ଣ ରହିଛି। ଏହାର ଦାନ୍ତ ଦେଖନ୍ତୁ ଯାହା ବାର୍ଦ୍ଧକ୍ୟରେ ମଧ୍ୟ ଅକ୍ଷୁଣ୍ଣ ରହିଛି। ଏହା ଏକ ଚମତ୍କାର ଗଧ, ଯାହା ଭାଗ୍ୟରେ ଥିଲେ ମାତ୍ର ଦଶ ହଜାର ଟଙ୍କାରେ ମିଳେ।”

ଦଲାଲର ଏହିପରି ବାରମ୍ବାର କଞ୍ଚା ମିଛ କଥାଗୁଡ଼ିକ ଶୁଣି ଗରାଖମାନଙ୍କ ଭିତରେ ଗଧଟିକୁ କିଣିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଗଲା। ମୁଲ୍ଲା ମଧ୍ୟ ଠିଆ ହୋଇ ଏ କଥା ସବୁ ଶୁଣୁଥିଲେ ଆଉ ସେ ଆଶ୍ଚର୍ଯ୍ୟ ହୋଇ କହିଲେ, “ମୋ ଗଧ ଏକ ଧର୍ମାତ୍ମା ବୋଲି ମୁଁ ଜାଣି ନ ଥିଲି। ଏହି ଭଳି ମୂଲ୍ୟବାନ ଗଧକୁ ମୁଁ ବିକିବି ନାହିଁ।”

ନିଜ ଗଧ ଉପରେ ବାରମ୍ବାର କଞ୍ଚା ମିଛ କଥାଗୁଡ଼ିକ ଶୁଣି ମୁଲ୍ଲାଙ୍କ ଭଳି ଏକ ସାଧାସିଧା ବ୍ୟକ୍ତି ଏହାକୁ ଏକ ଅତ୍ୟନ୍ତ ଧାର୍ମିକ ଗଧ ବୋଲି ଭାବି ନେବା ଆଶ୍ଚର୍ଯ୍ୟର କଥା ନୁହେଁ। ଏହା ଏକ ମନସ୍ତାତ୍ତ୍ବିକ ପ୍ରୟୋଗ, ଯାହାକୁ ବ୍ୟବସାୟରେ ଓ ବର୍ତ୍ତମାନ ରାଜନୀତିରେ ବହୁଳ ଭାବରେ ବ୍ୟବହାର କରାଯାଉଛି। ଆଧୁନିକ ସାମାଜିକ ଗଣମାଧ୍ୟମ ହେଉଛି ଏହାର ପ୍ରକୃଷ୍ଟ ମାଧ୍ୟମ। ଏହାର ପ୍ରଭାବରେ କାହାକୁ ନେଇ ସ୍ବର୍ଗରେ ଥୁଆ ଯାଉଛି ତ କାହାକୁ ନର୍କକୁ ଠେଲି ଦିଆ ଯାଉଛି। ଉପରୋକ୍ତ ଦଲାଲଙ୍କ ପରି ଚ‌ାଲାକ ଓ ଧୂର୍ତ୍ତ ବ୍ୟକ୍ତିମାନେ ଏହି ମିଛ ସୃଷ୍ଟି କରିବାରେ ସିଦ୍ଧହସ୍ତ, ଆଉ ମୁଲ୍ଲାଙ୍କ ଭଳି ନିରୀହ ବ୍ୟକ୍ତିମାନେ ଏଥିରେ ଭାସି ଯାଇ ଏହାକୁ ଆଗକୁ ଆଗକୁ ପଠେଇ ପ୍ରସାର କରିବାରେ ବ୍ୟସ୍ତ ରହୁଛନ୍ତି। ବର୍ତ୍ତମାନ ଏହା କରୋନା ଭଳି ମାଡ଼ି ଚାଲିଛି ଆଉ ଯଦି କିଏ ଏହାର ଶୃଙ୍ଖଳ ଭାଙ୍ଗିବାକୁ ଚେଷ୍ଟା କରୁଛି, ତେବେ ତାକୁ ଗୁଡ଼ାଏ ଗାଳି ମନ୍ଦ ଶୁଣିବାକୁ ପଡୁଛି।

କଥାରେ ଅଛି ଗୋଟିଏ ମିଛକୁ ଯଦି ବାରମ୍ବାର କୁହାଯାଏ, ତେବେ ତାହା ସତ୍ୟ ସଦୃଶ ପ୍ରତୀୟମାନ ହୁଏ। ଏହି ମିଛଗୁଡ଼ିକ ଯଦି ଆପଣଙ୍କର ଦେଶ, ଜାତି, ଧର୍ମ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପାଇଁ ପ୍ରୟୋଗ କରାଯାଇଥାଏ, ତେବେ ତାହା ସର୍ବାଦୃତ ହୋଇଥାଏ। “ଭାରତବର୍ଷ ପୃଥିବୀରେ ଶ୍ରେଷ୍ଠ ଦେଶ ଅଟେ। ଆମ ପ୍ରଧାନମନ୍ତ୍ରୀ ପୃଥିବୀର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଅଟନ୍ତି। ମିଳିତ ଜାତିସଂଘ ଆମ ଜାତୀୟ ସଙ୍ଗୀତକୁ ପୃଥିବୀର ଶ୍ରେଷ୍ଠ ଜାତୀୟ ସଙ୍ଗୀତ ବୋଲି ଘୋଷଣା କରିଛି। ଆମ ଧର୍ମ ଶ୍ରେଷ୍ଠ ଧର୍ମ, ଆମ ଭାଷା ଶ୍ରେଷ୍ଠ ଭାଷା, ଆମ ସଂସ୍କୃତି ଶ୍ରେଷ୍ଠ ସଂସ୍କୃତି” ଇତ୍ୟାଦି ଶୁଣିଲେ ଯେ କୌଣସି ଲୋକର ଛାତି କୁଣ୍ଢେମୋଟ ହୋଇଯିବ; ଆଉ ସେ ଏହାକୁ ବହୁମୂଲ୍ୟ ତଥ୍ୟ ବୋଲି ଭାବି ସମସ୍ତଙ୍କୁ ବାଣ୍ଟି ଦେବାକୁ ଚାହିଁବ। ଏହି ସମ୍ବାଦଗୁଡ଼ିକୁ ବିଶ୍ବାସଯୋଗ୍ୟ କରିବାକୁ ଯାଇ ବିଭିନ୍ନ ଅନ୍ତର୍ଦେଶୀୟ ଖବରକାଗଜ ଓ ଅନ୍ୟାନ୍ୟ ଗଣମାଧ୍ୟମର ଖବରଗୁଡ଼ିକୁ କାଟିକୁଟି ତାହା ସହିତ ବିଭିନ୍ନ ଚିତ୍ର ସବୁ ଯୋଡ଼ିଯାଡ଼ି ଏମିତି ଉପସ୍ଥାପନ କରାଯାଇଥିବ ଯେ ଯାହାକୁ ସାଧାରଣ ଲୋକଟିଏ ବିଶ୍ୱାସ କରିବାକୁ ବାଧ୍ୟ ହେବ ଏବଂ ଏହାକୁ ପ୍ରସାର ନ କଲେ ସେ ନିଜକୁ ଦେଶଦ୍ରୋହୀ ବୋଲି ବିଚାର କରିବ।

ଏହି ସାମାଜିକ ଗଣମାଧ୍ୟମରେ ଅନେକ ଗବ ଗଛକୁ ଯେପରି ବର ଗଛ କରିବାକୁ ମିଥ୍ୟାର ଆଶ୍ରୟ ନିଆଯାଇଥାଏ, ଠିକ୍‌ ତାହାର ବିପରୀତ ଅନେକ ବର ଗଛକୁ ମଧ୍ୟ ଖୁଣ୍ଟା ଗବ ଗଛ କରିବା ପାଇଁ ଅପଚେଷ୍ଟା କରାଯାଇଥାଏ। ଶତାବ୍ଦୀର ଶ୍ରେଷ୍ଠ ବ୍ୟକ୍ତିତ୍ବ ସ୍ବୟଂ ମହାତ୍ମା ଗାନ୍ଧୀ ମଧ୍ୟ ଏହାର ଅନ୍ୟତମ ଶିକାର ହୋଇଛନ୍ତି। ଏକ ବିଦେଶିନୀ ଅଭିନେତ୍ରୀଙ୍କ ସହିତ ତାଙ୍କର ଅଶ୍ଳୀଳ ନୃତ୍ୟ ଏବଂ ପ୍ରସିଦ୍ଧ ଗାନ୍ଧୀ-ନେହରୁ ବାର୍ତ୍ତାଳାପ ଚିତ୍ରରୁ ପଣ୍ଡିତ ନେହରୁଙ୍କୁ କାଟି ଦିଆଯାଇ ଜଣେ ସୁନ୍ଦରୀ ମହିଳାଙ୍କ ସହିତ ଏକ ଅନ୍ତରଙ୍ଗ ଦୃଶ୍ୟର ବହୁଳ ପ୍ରସାରିତ ହେଉଛି। ଦୁଃଖର କଥା ଯେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଏକ ନୋଟ୍‌ ଉପରୁ ତାଙ୍କର ସଂପାଦିତ ଚିତ୍ର ତଳେ ନାଥୁରାମ ଗଡ଼ସେଙ୍କ ଚିତ୍ର ଦେଇ ‘ନାଥୁରାମ ଅମର ରହେ’ ବୋଲି ବହୁଳ ପ୍ରସାରିତ ହେଉଛି ଏବଂ ଭାରତବର୍ଷରେ ଅନେକ ଉଚ୍ଚ ଶିକ୍ଷିତ ଓ ବିଶିଷ୍ଟ ବ୍ୟକ୍ତିବୃନ୍ଦ ମଧ୍ୟ ଏହାକୁ ସମର୍ଥନ କରି ଆଗକୁ ଆଗକୁ ପ୍ରସାରିତ କରି ଚାଲିଛନ୍ତି।

ଏହି ମିଥ୍ୟାର ଓକିଲମାନେ ଏଭଳି ଦୃଢ଼ ଯୁକ୍ତି ଉପସ୍ଥାପନ କରୁଛନ୍ତି ଯେ ସତ୍ୟକୁ ମଧ୍ୟ ତାହାର ସତ୍ୟତା ଉପରେ ସନ୍ଦେହ ପ୍ରକାଶ କରିବାକୁ ବାଧ୍ୟ କରାଯାଉଛି। ଥରେ ଚୋରଟିଏ ଚୋରି କରୁଥିବା ସମୟରେ ଧରା ପଡ଼ିଗଲା। ମାଜିଷ୍ଟ୍ରେଟ୍‌ ବହୁତ କଡ଼ା ଥିଲେ। ଯଥେଷ୍ଟ ପ୍ରମାଣ ମଧ୍ୟ ଥିଲା। ଚୋରଟି ସହରର ସବୁଠୁ ବଡ଼ ଓକିଲର ଶରଣାଗତ ହେଲା। ସେ କେସ୍‌ ଲଢ଼ିବା ପାଇଁ ଲକ୍ଷେ ଟଙ୍କା ମାଗିଲେ। ଚୋରଟି ରାଜି ହୋଇଗଲା। ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ଓକିଲ ଏମିତି ମିଥ୍ୟା ପ୍ରମାଣ ସବୁ ଦେଲେ ଯେ ମାଜିଷ୍ଟ୍ରେଟ୍‌ ଦଣ୍ଡ ଦେଇ ପାରିଲେ ନାହିଁ। ପ୍ରତିପକ୍ଷ ଓକିଲ ମଧ୍ୟ ଏହାକୁ ଗ୍ରହଣ କରି ବାଧ୍ୟ ହୋଇ କହିଲା ଯେ ଏ ଚୋର ଯିଏ ଚୋରି କରିଛି, ସେ ଚୋର ନୁହେଁ। ଚୋର ନିର୍ଦୋଷରେ ଖଲାସ ହୋଇଗଲା। ଓକିଲ ରାଜି ମୁତାବକ ଚୋରଠୁ ଲକ୍ଷେ ଟଙ୍କା ମାଗିଲେ। ଚୋର ଟଙ୍କା ଦେବାକୁ ମନା କରି ଦେଇ କହିଲା: ‘ଆପଣଙ୍କ ଯୁକ୍ତି ସବୁ ଶୁଣିବା ପରେ ମୁଁ ଯେ ଚୋରି କରିଛି, କାହିଁ ମୋ’ର ବିଶ୍ବାସ ହେଉନାହିଁ। ତେଣୁ ଯିଏ ଚୋରି କରିଛି, ତାକୁ ମାଗନ୍ତୁ।’

ବନ୍ଧୁଗଣ, ସାମାଜିକ ଗଣମାଧ୍ୟମରେ ଗାନ୍ଧୀଙ୍କର ସୁନ୍ଦରୀ ଅଭିନେତ୍ରୀଙ୍କ ସହିତ ନୃତ୍ୟ ଦୃଶ୍ୟ ଏତେ ଜୀବନ୍ତ ହୋଇଛି ଯେ ଥରେ ମନକୁ ଆସିଯାଏ, ସତରେ କ’ଣ ଗାନ୍ଧୀ ଏମିତି ନାଚିଛନ୍ତି?

୯୭, ଜନପଥ, ଭୁବନେଶ୍ବର
ମୋ- ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର