ଆଜିକାଲି ଉପରୋକ୍ତ ଦୁଇଟି ପରିଚୟର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଅଳ୍ପ ଶିକ୍ଷିତ କିମ୍ବା ଉଚ୍ଚ ଶିକ୍ଷିତ ମହିଳା ନିଜକୁ ହାଉସ୍ ଵାଇଫ୍ ବା ଗୃହିଣୀ ବୋଲି ପରିଚୟ ନ ଦେଇ ଜଣେ ହୋମ୍ ମେକର୍ ବା ଗୃହ ସର୍ଜନାକାରୀ ବୋଲି ପରିଚୟ ଦେଇ ଆତ୍ମତୃପ୍ତି ଲାଭ କରୁଛନ୍ତି। ଅନ୍ୟ ପଟେ ଜଣେ ଉଚ୍ଚ ଶିକ୍ଷିତ ଏବ˚ ଦକ୍ଷ ପୁଅ କିମ୍ବା ଝିଅ ଘରେ ରହି ଅଫିସ୍ କାମ କରିବାରେ ଧୁରନ୍ଧର ହେବା ସହିତ ନିଜକୁ ହୋମ୍ ଵାର୍କର୍ ବୋଲି ପରିଚୟ ଦେଇ ଆତ୍ମତୃପ୍ତି ଲାଭ କରୁଛନ୍ତି।
ଅଧିକା˚ଶ ମଧୢବିତ୍ତ କିମ୍ବା ନିମ୍ନ ମଧୢବିତ୍ତ ପରିବାରରେ ଯେଉଁ ସ୍ତ୍ରୀମାନେ ବାହାରେ କୌଣସି ଚାକିରି କରନ୍ତି ନାହିଁ, ସେମାନେ ବାସନ ମାଜିବା ଠାରୁ ଲୁଗାସଫା କରିବା ପର୍ଯ୍ୟନ୍ତ ସବୁ କାମ ନିଜେ ହିଁ କରନ୍ତି। ଏଥିରୁ କିଛି କାମ କରିବା ପାଇଁ ଯଦି କୌଣସି ଘରୋଇ ସହାୟିକାର ସାହାଯ୍ୟ ନିଆଯାଏ, ତାହା ହେଲେ ତାକୁ ଦୈନିକ କିମ୍ବା ମାସିକ ପାରିଶ୍ରମିକ ଦିଆଯାଏ। କିନ୍ତୁ ଜଣେ ଗୃହିଣୀ ଏ ସବୁ କାର୍ଯ୍ୟ ନିଜେ କଲେ ସେ ପ୍ରତିଦାନରେ ପାଏ ଶାଶୂ ଶ୍ବଶୁରଙ୍କ ଗଞ୍ଜଣା, ସ୍ବାମୀଙ୍କ ଔଦ୍ଧତ୍ୟ, ପିଲାମାନଙ୍କର ହେୟଜ୍ଞାନ ଏବ˚ ସର୍ବୋପରି ନିଜ ଆତ୍ମସମ୍ମାନର ହାନି। ସମସ୍ତେ ଜଣେ ଗୃହିଣୀକୁ ଏହା ତା’ର ନିତିଦିନିଆ ଦାୟିତ୍ବ ବୋଲି ଧରି ନିଅନ୍ତି ଏବ˚ ତା’ର ମାନ, ସମ୍ମାନ ଏବ˚ ସ୍ବାଭିମାନକୁ କୁଠାରାଘାତ କରିବାକୁ ପଛାନ୍ତି ନାହିଁ।
ଅନ୍ୟ ପକ୍ଷରେ ଗୋଟିଏ ପୁଅ କିମ୍ବା ଝିଅ ଘରେ ରହି ଅଫିସ୍ କାମ କଲେ ତାକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଏ କାରଣ ସିଏ ମୋଟା ଅଙ୍କର ଦରମା ପାଏ, ତେଣୁ ଅଫିସ୍ କାମରେ ଭାରି ବ୍ୟସ୍ତ ବୋଲି ସମସ୍ତେ ଧରି ନିଅନ୍ତି। ମୋବାଇଲ୍ ଏବ˚ ଲ୍ୟାପ୍ଟପ୍ଟିଏ ଧରି ନିଜର ବସ୍ କିମ୍ବା ସହକର୍ମୀମାନଙ୍କ ସହ ଘଣ୍ଟା ଘଣ୍ଟା କଥାବାର୍ତ୍ତା ଭିତରେ, ଚା’, ଜଳଖିଆ ଏବ˚ ଲଞ୍ଚ୍ ପାଇଁ ବରାଦ ଦେବାକୁ ସେ ଭୁଲି ନ ଥାଏ। ଘରେ ରହି ଯେଉଁ ମହିଳା ବା ପୁରୁଷ ଅଫିସ୍ର ବିଭିନ୍ନ କାର୍ଯ୍ୟରେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥା’ନ୍ତି, ତାଙ୍କୁ ସମସ୍ତେ ପ୍ରଶ˚ସାର ସହ Multitasking professional ଅର୍ଥାତ୍ ବିଭିନ୍ନ କାର୍ଯ୍ୟରେ ଦକ୍ଷ ପେସାଦାର ବୋଲି କହିଥା’ନ୍ତି। କିନ୍ତୁ ଜଣେ ଗୃହିଣୀ ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତ ଘର କାର୍ଯ୍ୟ ଦକ୍ଷତାର ସହ କଲେ ତାଙ୍କୁ ସମସ୍ତେ ସାଧାରଣ ଗୃହିଣୀ ବା ହାଉସ୍-ଵାଇଫ୍ ବୋଲି କହିଥା’ନ୍ତି।
ଏହି ପରିପ୍ରେକ୍ଷୀରେ ଜଣେ ଗୃହିଣୀଙ୍କର ବିଭିନ୍ନ କାର୍ଯ୍ୟ କୁଶଳତାକୁ ବିଚାର କଲେ ଦେଖାଯାଏ, ତାଙ୍କ କାର୍ଯ୍ୟ ଜଣେ କୁଶଳୀ ପେସାଦାରଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ। ଜଣେ ସଫଳ ଗୃହିଣୀ ଏକା ସାଙ୍ଗରେ କେତୋଟି କାମ କରିପାରନ୍ତି ଦେଖନ୍ତୁ। ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ପ୍ରଥମେ ପରିବାରର ସମସ୍ତଙ୍କ ପାଇଁ ଜଳଖିଆ ପ୍ରସ୍ତୁତ ଏବ˚ ପରିବେଷଣ। ତା’ପରେ ଘରେ ଯଦି ସ୍କୁଲ୍ ପଢୁଆ ପିଲା ଥାଆନ୍ତି, ସେମାନଙ୍କର ବହିପତ୍ର ଠାରୁ ଆରମ୍ଭ କରି ପୋଷାକପତ୍ର, ଲଞ୍ଚ୍ବକ୍ସ ଏବ˚ ପାଣି ବୋତଲ ସବୁ ବନ୍ଦୋବସ୍ତ କରି ବସ୍ଷ୍ଟପ୍ ପର୍ଯ୍ୟନ୍ତ ପିଲାଙ୍କୁ ଛାଡ଼ିବାର ବ୍ୟବସ୍ଥା। ସେଠାରୁ ଫେରି ଘରଦ୍ବାର ସଫାସୁତୁରା କରି ସ୍ବାମୀ ଅଫିସ୍ ଯିବା ପୂର୍ବରୁ ତାଙ୍କର ଭୋଜନ ଏବ˚ ଲଞ୍ଚ୍ ବକ୍ସର ବନ୍ଦୋବସ୍ତ। ତା’ପରେ ଘରେ ଥିବା ମଇଳା ଲୁଗାପଟାକୁ ନେଇ ଗାଧୁଆ ଘରେ କିମ୍ବା ଲୁଗାସଫା ମେସିନ୍ରେ ଧୋଇ ଶୁଖେଇବା। ଘରେ ଯଦି ଶାଶୂ ଶ୍ବଶୁର ଥାଆନ୍ତି, ତେବେ ସେମାନଙ୍କର ସେବା ଶୁଶ୍ରୂଷା। ଅପରାହ୍ଣ ଗଡ଼ିଗଲେ ଯିଏ ଯାହାର କର୍ମସ୍ଥଳୀରୁ ଫେରିଲା ପରେ ସେମାନଙ୍କ ପାଇଁ ହାଲୁକା ଜଳଖିଆ କିମ୍ବା ଶୀଘ୍ର ରାତ୍ରିଭୋଜନ ପାଇଁ ପ୍ରସ୍ତୁତି। ଏତଦ୍ ବ୍ୟତୀତ ଅନେକ ଅପ୍ରତ୍ୟାଶିତ ଆଗନ୍ତୁକ, ଅତିଥି, ଘଟଣା, ଦୁର୍ଘଟଣା ମଧୢରେ କଟିଯାଏ ଜଣେ ଗୃହିଣୀର ଦୈନନ୍ଦିନ ଜୀବନ। ଏହାର ପ୍ରତିବଦଳରେ ଜଣେ ଗୃହିଣୀ କେତେ ପାରିଶ୍ରମିକ ପାଏ?
କିନ୍ତୁ ଚାକିରି କରୁଥିବା ଝିଅ କିମ୍ବା ପୁଅଟିଏ ମୋଟା ଅଙ୍କର ଦରମା ପାଇଲା ପରେ ଏସବୁରୁ ନିଜକୁ ମୁକ୍ତ ରଖି ଛାତି ଫୁଲାଇ କହେ, ଏହି କାମ ଗୁଡ଼ିକ କେବଳ ହାଉସ୍ ଵାଇଫ୍ ବା ଘରେ ରହୁଥିବା ଗୃହିଣୀମାନଙ୍କ ପାଇଁ ପ୍ରଯୁଜ୍ୟ। ଯେଉଁ ମହିଳା କର୍ମଜୀବୀ ଅର୍ଥାତ୍ ଅଫିସ୍ରେ କିମ୍ବା ଘରେ ରହି ଅଫିସ କାମ କରନ୍ତି, ସେମାନଙ୍କ ପାଇଁ ଏସବୁ କାମ କରିବା ପାଇଁ ସମୟ କାହିଁ? ଭଲ ଖାଇବା ପାଇଁ ସମୟ ଅଛି, ଭଲ ବେଶଭୂଷା ପାଇଁ ସମୟ ଅଛି, ଅଫିସ୍ର ସହକର୍ମୀମାନଙ୍କ ସହିତ ଲମ୍ବା ସମୟ ଗପିବା ପାଇଁ ସମୟ ଅଛି; କିନ୍ତୁ ନିଜ ଗୃହିଣୀ ମା’ କିମ୍ବା ସ୍ତ୍ରୀକୁ ସହଯୋଗର ହାତ ବଢ଼ାଇବା ପାଇଁ ସମୟ ନାହିଁ? ଏହା ହିଁ ବିଡ଼ମ୍ବନା।
ପ୍ରଦୀପ ବାବୁଙ୍କର ପୁଅ ବୋହୂ ଦୁଇ ଜଣ। ପେସାରେ ଦୁଇ ଜଣ ଯାକ ସଫ୍ଟେଵର ଇଞ୍ଜିନିୟର। କରୋନା ସ˚କଟ ଯୋଗୁଁ ସେମାନେ ଘରେ ରହି ଅଫିସ୍ କାମ ବା ଵାର୍କ ଫ୍ରମ୍ ହୋମ୍ କରୁଛନ୍ତି। ତେଣୁ ଚିରାଚରିତ ଭାବରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦିହେଁ ଦୁଇଟି ପୃଥକ୍ ରୁମ୍ରେ ନିଜ ନିଜ ଲ୍ୟାପ୍ଟପ୍ ଏବ˚ ମୋବାଇଲ ଧରି ବ୍ୟସ୍ତ। ତେଣୁ ଘରର କୌଣସି କାମରେ ସାମିଲ ହେବା ପାଇଁ ସେମାନଙ୍କ ପକ୍ଷରେ ନା ଅଛି ଆଗ୍ରହ ନା ସମୟ। ଏପଟେ ପ୍ରଦୀପ ବାବୁଙ୍କର ସ୍ତ୍ରୀ ଜଣେ ଗୃହିଣୀ। ବାହାହେଲା ବେଳେ ଅସୁମାରି ସ୍ବପ୍ନ ନେଇ ଆସିଥିଲେ ଶାଶୂଘରକୁ। କିନ୍ତୁ ନିଜର ଗୋଟିଏ ପୁଅ ଓ ଝିଅକୁ କୋଳେଇ କାଖେଇ ମଣିଷ କରୁ କରୁ କେତେବେଳେ ଯେ ନିଜର ଚୁଟି ସବୁ ଧଳା ହୋଇଗଲାଣି ଜାଣି ପାରିଲେ ନାହିଁ। ତଥାପି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରର ଯାବତୀୟ କାମ କରି ବର୍ତ୍ତମାନ ପୁଅ-ବୋହୂଙ୍କର ସେବା କରିବାରେ ବ୍ୟସ୍ତ। ନା ଅଛି ଅଭିଯୋଗ, ନା ଅଭିମାନ। ସେ ଧରି ନେଇଛନ୍ତି, ଏହା ତାଙ୍କର ନିତିଦିନିଆ କର୍ତ୍ତବ୍ୟ। କିନ୍ତୁ ତା’ ଭିତରେ ହଜିଯାଉଛି ହୋମ୍ ଵାର୍କର୍ମାନଙ୍କର ହୋମ୍ ମେକର୍ ପାଇଁ ଥିବା ଦାୟିତ୍ବ ଏବ˚ ସମ୍ମାନବୋଧ।
ତେଣୁ ଜଣେ ଗୃହିଣୀଙ୍କର ପ୍ରତ୍ୟେକ କାର୍ଯ୍ୟକୁ ସମ୍ମାନ ଦେଇ ପରିବାରର ସମସ୍ତ ବ୍ୟକ୍ତି ନିଜ ନିଜର ଦାୟିତ୍ବ ସ˚ପାଦନା କରିବା ସହ ସ୍ନେହ, ପ୍ରେମ ତଥା ସହଯୋଗର ହାତ ବଢ଼ାଇଲେ ଜଣେ ଗୃହିଣୀ ନିଜକୁ ସଫଳ ହୋମ୍ ମେକର୍ ମନେ କରିବା ସଙ୍ଗେ ସଙ୍ଗେ ନିଜ ପରିବାର ପାଇଁ ଗୌରବାନ୍ବିତ ମନେ କରିବେ। ଠିକ୍ ସେହିପରି ଜଣେ କର୍ମଜୀବୀ ମହିଳା ନିଜର ଚାକିରି ଏବ˚ ପାରିବାରିକ ଦାୟିତ୍ବ ମଧୢରେ ଉତ୍ତମ ସମନ୍ବୟ ରଖି ପାରିଲେ ଏବ˚ ପରିବାରର ସମସ୍ତଙ୍କ ସହଯୋଗ ରହିଲେ, ଜଣେ ଦକ୍ଷ ହୋମ୍ ଵାର୍କର୍ ହେବା ସଙ୍ଗେ ସଙ୍ଗେ ଜଣେ ଉତ୍ତମ ହୋମ୍ ମେକର୍ ବା ସୁଗୃହିଣୀ ମଧୢ ହୋଇପାରିବ।
ମୋ- ୯୮୬୧୧୨୪୨୦୨
[email protected]