କାବୁଲରେ ତାଲିବାନ ଓ ତା’ ପରେ

ଶରତ ଚନ୍ଦ୍ର ମିଶ୍ର

କାବୁଲରେ ତାଲିବାନ ସରକାରର ପୁନଃ ପ୍ରତିଷ୍ଠାର ପ୍ରଭାବ ସୁଦୂରପ୍ରସାରୀ; ଆନ୍ତର୍ଜାତିକ, ଆଞ୍ଚଳିକ ଓ ସ୍ବଦେଶ। ଆମେରିକା ସୈନ୍ୟବାହିନୀ ଅଗଷ୍ଟ ୩୧ ତାରିଖରେ ଆଫଗାନିସ୍ତାନ ଛାଡ଼ିଲା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏଇ ଦୁଃସାହସିକ ଘଟଣା ସମ୍ବନ୍ଧରେ ଘୋଷଣା କଲେ। ‘‘ଏହା କେବଳ ଆଫଗାନିସ୍ତାନ ସମ୍ବନ୍ଧୀୟ ଘଟଣା ନୁହେଁ। ଅନ୍ୟ ଦେଶକୁ ବାଟ ଉପରକୁ ଆଣିବାର ମିଲିଟାରି କାର୍ଯ୍ୟକଳାପର ଏହା ଅନ୍ତ। ଆମ ଦେଶ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନ ଥାଇ ବହୁ କାଳ ଯୁଦ୍ଧରେ ବ୍ୟାପୃତ ରହିଛି। ତେଣୁ ଏହା ଶେଷ ହେବା ଆବଶ୍ୟକ ଥିଲା।’’ ଦ୍ବିତୀୟ ମହାଯୁଦ୍ଧ ପରେ ଏହା ଆମେରିକାର ଏକ ସମ୍ମାନ ଓ ପ୍ରଭାବ କ୍ଷୁଣ୍ଣକାରୀ ଘଟଣା। କୋରିଆ, ଭିଏତନାମ ଓ ଇରାକ ପରେ ଏହା ଆମେରିକାର ଚତୁର୍ଥ ପରାଭବ। ଆମେରିକା ଏଣିକି ଚୀନ୍‌ ଓ ରୁଷିଆର ମତିଗତି ଉପରେ ଅଧିକ ଦୃଷ୍ଟି ରଖିବ ବୋଲି ବାଇଡେନ୍‌ ପ୍ରକାଶ କରିଛନ୍ତି। ଆମେରିକା ବୈଦେଶିକ ନୀତିର ଆଭିମୁଖ୍ୟରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହେଉଅଛି। ଆମେରିକା ଆଉ ବିଦେଶରେ ପୁଞ୍ଜିବାଦୀ ଅର୍ଥନୀତି ଓ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠାରେ ଆଗଭର ହେବନାହିଁ। ପଶ୍ଚିମ ଇଉରୋପରୁ ମଧୢ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବ। ପଶ୍ଚିମ ଇଉରୋପୀୟ ଦେଶମାନେ ନିଜର ସୁରକ୍ଷାର ଦାୟିତ୍ବ ନେବା ଆମେରିକା ଚାହେଁ। ଏ ପ୍ରକାର ଆଭିମୁଖ୍ୟ ଇଉରୋଜୋନ୍‌ ଦେଶ ଓ ଇ˚ଲଣ୍ତ ପକ୍ଷରେ ଗ୍ରହଣୀୟ ନୁହେଁ।

ବିଦେଶ ମାଟିରେ ବିଶେଷତଃ ଏସିଆରେ ଆମେରିକା ସୈନ୍ୟ ପରାଭବ ପ୍ରାପ୍ତ ହେବାର କେତେକ କାରଣ ଅଛି। ଆମେରିକାର ଅସ୍ତ୍ରଶସ୍ତ୍ର ଆଧୁନିକ, ବିମାନବାହିନୀ ଓ ନୌବାହିନୀ ପୃଥିବୀରେ ସବୁଠାରୁ ବଳଶାଳୀ କିନ୍ତୁ ସ୍ଥଳ ବାହିନୀ ଏତେ ପାରଙ୍ଗମ ନୁହେଁ। ଆମେରିକାର ନାଗରିକମାନେ ସ୍ଥଳ ବାହିନୀରେ ଯୋଗ ଦେବାରେ ଓ ବିଶେଷତଃ ଯାଇ ବିଦେଶ ମାଟିରେ ସ୍ଥାନିତ ହେବାରେ ଅନିଚ୍ଛୁକ। ଅଧିକା˚ଶ ସୈନ୍ୟବାହିନୀରେ ଯୋଗ ଦେବାର ଆଦେଶ ପାଇଲେ ଯାଇ କୋର୍ଟ କଚେରିରେ ତା’ ବିରୋଧରେ ମୋକଦ୍ଦମା କରନ୍ତି। କୃଷ୍ଣବର୍ଣ୍ଣ ବ୍ୟକ୍ତିମାନେ ଗରିବ। କୋର୍ଟରେ ମାମଲା କରିବାକୁ ଅର୍ଥବଳ ନ ଥାଏ, ତେଣୁ ଅଧିକା˚ଶ ସେଇମାନେ ହିଁ ସ୍ଥଳ ସେନାରେ ଅନିଚ୍ଛାକୃତ ଭାବରେ ଯୋଗ ଦିଅନ୍ତି। ଦ୍ବିତୀୟତଃ ଆମେରିକା ଏକ ସାମ୍ରାଜ୍ୟବାଦୀ ଦେଶ ନୁହେଁ। କେବଳ କେତେ ବର୍ଷ ନିମନ୍ତେ ଫିଲିପାଇ୍‌ସ ଆମେରିକାର ଉପନିବେଶ ଥିଲା। ଦ୍ବିତୀୟ ମହାଯୁଦ୍ଧ ପରେ ଅଳ୍ପ କେତେବର୍ଷ ଆମେରିକାନ୍‌ମାନେ ପଶ୍ଚିମ ଜର୍ମାନି ଓ ଜାପାନରେ ପ୍ରତ୍ୟକ୍ଷ ଶାସନ କରିଥିଲେ। ଆମେରିକାର ଶାସନ କାଳରେ ସେମାନେ ବେସାମରିକ ଶାସନ ଉପରେ ଦୃଷ୍ଟି ପ୍ରଦାନ କରନ୍ତି ନାହିଁ କି ବେସାମରିକ ଶାସନ ସ˚ସ୍ଥା ଗଠନ କରନ୍ତି ନାହିଁ। ଫଳତଃ ତୃଣମୂଳ ସ୍ତରରେ ଘଟୁଥିବା ଘଟଣା ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ସୀମିତ ହୋଇଥାଏ। ସେ ଦିଗରୁ ଉପନିବେଶ ପରିଚାଳନାରେ ଇ˚ଲଣ୍ତ ଓ ଫ୍ରାନ୍‌ସ ଧୁରନ୍ଧର। ଇଷ୍ଟ ଇଣ୍ତିଆ କମ୍ପାନିର ସାମରିକ ବାହିନୀ ଭାରତ ଜୟ କଲେ ମଧୢ ଶାସନ ଭାର କମ୍ପାନି ଓ ପରବର୍ତ୍ତୀ କାଳେ ବ୍ରିଟିସ୍‌ ସରକାର ଆଇ.ସି.ଏସ୍‌ ଓ ଆଇ.ପି ହାତରେ ସଅଁପି ଦେଇଥିଲେ। ସ୍ଥାନୀୟ ଜ୍ଞାନର ଅଭାବ ହେତୁ, ଆମେରିକାର ସ୍ଥଳ ବାହିନୀ ଗରିଲା ଯୁଦ୍ଧର ମୁକାବିଲା କରିପାରେ ନାହିଁ। ଆମେରିକା ପୃଥିବୀର ନେତୃତ୍ବ ଦାୟିତ୍ବରୁ ସ୍ବଇଚ୍ଛାରେ ଓହରି ଗଲେ, ସେ ଦାୟିତ୍ବ ପଶ୍ଚିମ ଇଉରୋପ ତୁଲାଇ ପାରିବାରେ ସକ୍ଷମ ହେବ ନାହିଁ। ସେ ଦେଶମାନେ ଏକ ରାଷ୍ଟ୍ରସ˚ଘ ଗଠନ କରିବାରେ ଅକ୍ଷମ, ନିଜ ନିଜର ସାର୍ବଭୌମତ୍ବ ନେଇ ଅଧିକ ସଚେତନ ଓ ଶରଣାର୍ଥୀ ସମସ୍ୟାରେ ଆକ୍ରାନ୍ତ।

ଚୀନ୍‌ ନିଜର ଆର୍ଥିକ ଶକ୍ତିକୁ ପ୍ରୟୋଗ କରି ଛୋଟ ଛୋଟ ଦେଶମାନଙ୍କୁ ନିଜ ପ୍ରଭାବ ବଳୟ ମଧୢକୁ ଆଣିପାରୁଛି। ନିଜ ଦେଶର ସିକିୟାଙ୍ଗ ଅଞ୍ଚଳରେ ମୁସଲମାନ ସନ୍ତ୍ରାସବାଦ ସମସ୍ୟା ଥିବାରୁ ହଠାତ୍‌ ଆଫଗାନିସ୍ତାନରେ ସ˚ପୃକ୍ତ ନ ହୋଇ, କିଛି କାଳ ଅପେକ୍ଷା କରିବ। କାବୁଲ ସରକାରକୁ ନିଜ ଗୋଡ଼ରେ ଠିଆ ହେବାକୁ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିବ।

ରୁଷିଆ ବର୍ତ୍ତମାନ ପୂର୍ବ ଇଉରୋପ ଓ ମଧୢ ଏସିଆର ଇସଲାମିକ ରିପବ୍ଲିକ୍‌ମାନଙ୍କରେ ନିଜ ପୂର୍ବ ପ୍ରଭାବ ପ୍ରତିଷ୍ଠା କରିବାରେ ଆଗ୍ରହୀ। ଏ ଦିଗରେ ଚୀନ ପକ୍ଷରୁ କୌଣସି ବାଧା ସୃଷ୍ଟି ନ ହୋଇ ବର˚ ସହଯୋଗ ପ୍ରାପ୍ତି ହେବ। ତେଣୁ ଆଗାମୀ ଦିନମାନଙ୍କରେ ଚୀନ ଓ ରୁଷିଆ ମିଳିତ ଭାବରେ ଆମେରିକା ଓ ପଶ୍ଚିମ ଇଉରୋପ ଦେଶମାନଙ୍କର ଆନ୍ତର୍ଜାତିକ ପ୍ରଭାବ ଓ ପ୍ରତିଷ୍ଠା କ୍ଷୁଣ୍ଣ କରିବାର ଉଦ୍ୟମ କରିବେ।

କାବୁଲରେ ତାଲିବାନ ସରକାର, ପାକିସ୍ତାନର ଏକ ବିଜୟ ଓ ଆଶଙ୍କା ଉଦ୍ରେକକାରୀ ଘଟଣା। ଇତି ମଧ୍ୟରେ ଆଫଗାନିସ୍ତାନରେ ଏକ ପାକିସ୍ତାନ ବନ୍ଧୁଭାବାପୂର୍ଣ୍ଣ ସରକାର ସ୍ବାଭାବିକ ଭାବେ ଗଠିତ ହୋଇଛି। ଏହା ପାକିସ୍ତାନର ସୁରକ୍ଷାକୁ ଦୃଢ଼ କରିବ। ପକ୍ଷାନ୍ତରେ ବହୁ ପରିମାଣରେ ଆଫଗାନ ଶରଣାର୍ଥୀ ପାକିସ୍ତାନରେ ପ୍ରବେଶ କରିବା, ଆଫଗାନିସ୍ତାନରୁ ଚୋରା ଅସ୍ତ୍ରଶସ୍ତ୍ର ଓ ନିଶା ଦ୍ରବ୍ୟ ପାକିସ୍ତାନ ବଜାରକୁ ଆସିବା ଏକ ପ୍ରକାର ନିଶ୍ଚିତ। ତାଲିବାନ ସରକାର ପୁସ୍ତୁନମାନଙ୍କର। ସେମାନେ ଥରେ ପ୍ରତିଷ୍ଠା ଲାଭ କଲେ, ପାକିସ୍ତାନ ସହିତ ଡୁରାଣ୍ତ ଲାଇନ୍‌ ମତଭେଦ ପୁଣି ଆରମ୍ଭ ହୋଇଯିବ। ଭାରତକୁ ବର୍ତ୍ତମାନ କାବୁଲର ଘଟଣା ପ୍ରବାହ ପ୍ରତି ଦୃଷ୍ଟି ରଖି, ସେ ସରକାର ସହିତ ସମ୍ପର୍କ ପ୍ରତିଷ୍ଠା ବାବଦରେ ଖୋଲା ମନ ରଖିବା ଆବଶ୍ୟକ। ଘଟଣାକ୍ରମ ଆଗକୁ କିଭଳି ହେଉଛି, ତାହା ଭାରତର ଆଫଗାନିସ୍ତାନ ନୀତିକୁ ରୂପ ଦେବ। ଇରାନ ଆଫଗାନିସ୍ତାନର ସିହା ଗୋଷ୍ଠୀର ସୁରକ୍ଷା ଚାହେଁ। ଆଫଗାନିସ୍ତାନରେ ସିହାମାନେ ଶତକଡ଼ା ୧୨ ଭାଗ। ସେମାନେ ତାଲିବାନରେ ସମ୍ପୃକ୍ତ ନୁହନ୍ତି। ସିହାମାନଙ୍କ ପ୍ରତି ତାଲିବାନର ବ୍ୟବହାର ଉପରେ, ଇରାନର ତାଲିବାନ ପ୍ରତି ଭବିଷ୍ୟତ୍‌ ମନୋଭାବ ନିର୍ଭର କରେ।

ଆଫଗାନିସ୍ତାନର ଉତ୍ତରକୁ ତାଜିକସ୍ତାନ ଅବସ୍ଥିତ। ଉତ୍ତର ଆଫଗାନିସ୍ତାନ ଅଧିବାସୀମାନଙ୍କର ତାଜିକସ୍ତାନର ତାଜିକମାନଙ୍କ ସହିତ ସମ୍ପର୍କ ଅଛି। ଦେଶରେ ତାଜିକମାନଙ୍କ ସ˚ଖ୍ୟା ପ୍ରାୟ ୩୦ ପ୍ରତିଶତ। ସେମାନେ ତାଲିବାନ ବିରୋଧୀ, କାରଣ ତାଲିବାନ ପୁସ୍ତୁନମାନଙ୍କର ସ˚ଗଠନ ଓ ପୁସ୍ତୁନ-ତାଜିକ ମଧୢରେ ଶାସନ କଳ ଦଖଲ ନିମନ୍ତେ ସବୁବେଳେ ବିରୋଧ ରହି ଆସିଛି। ପଞ୍ଜଶିର ଦଖଲ ପରେ ମଧ୍ୟ ଏବେ ମଧୢ ସେଠାକାର ତାଜିକମାନେ ତାଲିବାନର ବିରୋଧ କରୁଛନ୍ତି। ତେଣୁ ତାଲିବାନ ଓ ତାଜିକମାନଙ୍କର ଗୃହଯୁଦ୍ଧର ଏକ ଆଶଙ୍କା ରହିଛି ଯାହା ଅନେକ ଦିନ ଧରି ଲାଗି ରହିପାରେ ବୋଲି ଆଶଙ୍କା।

ତାଲିବାନ, ପାକିସ୍ତାନ ଓ ମଧୢପ୍ରାଚ୍ୟରୁ ସାହାଯ୍ୟ ପ୍ରାପ୍ତ ହୋଇ ବିଜୟୀ ହେଲା। ତେଣୁ ପାଶ୍ଚାତ୍ୟ ଦେଶମାନଙ୍କରେ ଏକ ଇସଲାମିକ ରାଜ୍ୟ ସ˚ଗଠନ ଗଢ଼ି ଉଠିପାରେ ବୋଲି ମଧୢ ଆଶଙ୍କା ପ୍ରକାଶ ପାଉଅଛି। ସେପରି ଗୋଟିଏ ରକ୍ଷଣଶୀଳ ମୌଳବାଦୀ ଗୋଷ୍ଠୀର ପ୍ରଭାବ ବଙ୍ଗଳାଦେଶ, ମାଲୟାସିଆ, ଇଣ୍ତୋନେସିଆ ଓ ମଧୢ ଏସିଆକୁ ବିସ୍ତାରିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଅଛି।

ବର୍ତ୍ତମାନ ତାଲିବାନ ହାତରେ ପ୍ରଚୁର ଆମେରିକାନ୍‌ ଅସ୍ତ୍ରଶସ୍ତ୍ର। ନିଜର ଆର୍ଥିକ ଗୁଜୁରାଣ ମେଣ୍ଟାଇବା ନିମନ୍ତେ ତାଲିବାନ ସରକାର ସେ ଅସ୍ତ୍ରଶସ୍ତ୍ରରୁ କିଛି ବିିକ୍ରି କରିବେ ଓ ସେ ଅସ୍ତ୍ରଶସ୍ତ୍ରରୁ କେତେକା˚ଶ ଆତଙ୍କବାଦୀଙ୍କ ହାତରେ ପଡ଼ିବାର ସମ୍ଭାବନା ଅଛି। ତାହା କାଶ୍ମୀର କ୍ଷେତ୍ରରେ ଭାରତ ବିରୋଧରେ ମଧୢ ପ୍ରୟୋଗ ହେବାର ସମ୍ଭାବନା ଅଛି। ଭାରତକୁ ସେ ଦିଗରୁ ସାବଧାନ ହେବାକୁ ହେବ।

ତାଲିବାନମାନେ ମଦ୍ରାସା ଶିକ୍ଷାପ୍ରାପ୍ତ। ଅଳ୍ପ କିଛି ଲୋକ ଜୋହା ଯାଇ ଇ˚ରେଜୀ ଶିକ୍ଷା କରିଛନ୍ତି ଓ କୂଟନୈତିକ ଆଦବ କାଇଦା ଶିକ୍ଷା କରିଛନ୍ତି। ଶାସନ ପରିଚାଳନା, ଆର୍ଥିକ ନୀତି ପରିଚାଳନା ଆଦିରେ ସେମାନେ ସ˚ପୂର୍ଣ୍ଣ ଅନଭିଜ୍ଞ। ଆଫଗାନିସ୍ତାନ ବର୍ତ୍ତମାନ ଆର୍ଥିକ ସ˚କଟ ଓ ଖାଦ୍ୟ ସ˚କଟ ଦେଇ ଗତି କରୁଛି। ଏ ସବୁ ସ˚କଟମାନଙ୍କରୁ ଦେଶକୁ ରକ୍ଷା କରିବା ନିମନ୍ତେ ଯେଉଁ ଶାସନଗତ ଦକ୍ଷତା ଆବଶ୍ୟକ, ସେପରି ଦକ୍ଷତା ବା ଅଭିଜ୍ଞତା କୌଣସି ତାଲିବାନ ନେତାଙ୍କର ନାହିଁ। ତେଣୁ କେତେକ ପାକିସ୍ତାନୀ ବିଶେଷଜ୍ଞଙ୍କ ସେମାନଙ୍କୁ ପରାମର୍ଶ ଦେଉଛନ୍ତି। ଏହା ଭାରତ ଲାଗି ଶୁଭଙ୍କର ନୁହେଁ।

ମୋଟାମୋଟି ଭାବରେ କାବୁଲରେ ତାଲିବାନ ଶାସନ, ସମସ୍ତ ଗଣତାନ୍ତ୍ରିକ ଦେଶମାନଙ୍କ ପ୍ରତି ଓ ବିଶେଷତଃ ଭାରତ ପ୍ରତି ଏକ ଆହ୍ବାନ ସୃଷ୍ଟି କରିଛି, ଯାହାର ମୁକାବିଲା ଦୃଢ଼ତା ଓ କୌଶଳର ସହିତ କରିବାକୁ ହେବ। ତାଲିବାନ ଓ ପାକିସ୍ତାନ ମଧୢରେ ପାରସ୍ପରିକ ସନ୍ଦେହ ଓ ବିରୋଧ ସୃଷ୍ଟି କରିବାରେ ଭାରତୀୟ କୂଟନୀତିଜ୍ଞ ଓ ଗୋଇନ୍ଦା ଅଧିକାରୀମାନେ ଉଦ୍ୟମ କରିବା ଆବଶ୍ୟକ।

ମୋ-୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର