ଲକ୍ଷ୍ମୀପୁର ଖେରିର ଏଇ ସଦ୍ୟ ଅଘଟଣ ଭାରତୀୟ ପ୍ରମୁଖ ଗଣମାଧ୍ୟମର ବିଶ୍ବସନୀୟତାର କଫିନ୍ ଉପରେ ଆଉ ଏକ କଣ୍ଟା ବାଡ଼ିଆ ସଦୃଶ। ତାହା ଜଣାଶୁଣା ବା ସର୍ବ-ଜନ-ବିଦିତ କଣ୍ଟା ନୁହେଁ କି ଗଣମାଧ୍ୟମର ପ୍ରସାରଣ କି ଟି.ଆର୍.ପି.ରେ କ୍ଷତି ପହଞ୍ଚାଉଥିବା ଭଳି କଣ୍ଟା ନୁହେଁ। ଏପରି କି ରିପବ୍ଲିକ୍ ଟିଭି କି ନ୍ୟୁଜ୍ ୧୮ର କୃତଜ୍ଞ ଦର୍ଶକମାନଙ୍କର କ୍ଷତି ପହଞ୍ଚାଉଥିବା ଭଳି କଣ୍ଟା ବି ନୁହେଁ। ତଥାପି ଏହା ସତ୍ୟତା ଉତ୍ଥାପନ ଦାବି କରୁଥିବା ଗଣମାଧ୍ୟମର ଗ୍ରହଣୀୟତା ପାଇଁ ଏକ କଣ୍ଟା ନିଶ୍ଚୟ। ଚାଷୀ ଆନ୍ଦୋଳନ ପ୍ରେକ୍ଷାପଟରେ ଗଣମାଧ୍ୟମର ଖ୍ୟାତି ବଢ଼ିବ ନା କମିବ; ସେଭଳି ଏକ ଅନୁମାନ ନିଜ ଉପରେ ନିର୍ଭର କରେ। ଚାଷୀ ଆନ୍ଦୋଳନର ବିଶ୍ବସନୀୟତାକୁ ଗଣମାଧ୍ୟମ କ୍ଷୀଣ କରି ଦେବା ପରିବର୍ତ୍ତେ ଚାଷୀ ଆନ୍ଦୋଳନ ହିଁ ଗଣମାଧ୍ୟମର ବିଶ୍ବସନୀୟତାକୁ ମଥାନତ କରି ଦେଇଛି।
ତାହାର ମଧ୍ୟ ଯଥାର୍ଥ କାରଣ ରହିଛି। ଏଭଳି ଭୟାନକ ଘଟଣାର ପ୍ରତିକ୍ରିୟା ଗଣମାଧ୍ୟମ କିପରି ରଖିଛି, ତାହା ଟିକେ ଲକ୍ଷ୍ୟ କରିବାର କଥା। ପ୍ରଥମେ ଏହା ଘଟଣାକୁ ନେଇ କାଳକ୍ଷେପଣ ନୀତି ଆପଣେଇଲା। ସ୍ଥାନୀୟ ଗଣମାଧ୍ୟମ ସମ୍ମୁଖରେ ଅପରାହ୍ଣ ୩ଟା ଭିତରେ ଏହି ଅଘଟଣ ହୋଇଥିଲା। କିଛି ସମୟ ଭିତରେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍)ର ସତର୍କ ସୂଚନା ପରେ ଗଣମାଧ୍ୟମ ସଂପୃକ୍ତ ଅପରାଧୀକୁ ଚିହ୍ନଟ କରିବା ସମେତ ଭରସାଯୋଗ୍ୟ ତଥ୍ୟମାନ ପରଷିବା ଆରମ୍ଭ କରିଥିଲା। ଏ ସବୁ ସତ୍ତ୍ବେ ଅପରାହ୍ଣ ୫ଟା ପୂର୍ବରୁ ଏ.ଏନ୍.ଆଇ.ର ପ୍ରାରମ୍ଭିକ ରିପୋର୍ଟ ଆସି ପାରି ନ ଥିଲା, ଯାହା ଫଳରେ ସତ୍ତାରୂଢ଼ ବ୍ୟବସ୍ଥା ଦ୍ବାରା ପ୍ରସ୍ତୁତ ଏକ ବ୍ୟାଖ୍ୟା ପରିବେଷଣ କରିବା ପାଇଁ ସମୟ ମିଳିଗଲା। ତାହା ପରେ ଆସିଲା ପ୍ରତାରଣା। ଏପରି ମିଥ୍ୟାକୁ ହଟାଇବା ଲାଗି ଏସ୍.କେ.ଏମ୍. ଦ୍ବାରା ଆହୂତ ସାମ୍ବାଦିକ ସମ୍ମିଳନୀ ସତ୍ତ୍ବେ ଘଟଣାକୁ ଗୋଳିଆ କରିଦେବା ଲାଗି ଜନଗହଳି ଦ୍ବାରା ଟେକାପଥର ଫିଙ୍ଗା କାହାଣୀ କିଛି ଘଣ୍ଟା ପାଇଁ ପ୍ରସାରିତ ହେବାକୁ ଲାଗିଲା। ଏଭଳି ଅପରାଧରୁ ଦୃଷ୍ଟି ହଟାଇବା ଲାଗି ଜଣେ ମେଗା ସିନେ ତାରକାଙ୍କ ପୁଅ ପରିଭ୍ରମଣ ଜାହାଜରେ ନିଶାଦ୍ରବ୍ୟ ବ୍ୟବହାର କରୁଥିବା ଭଳି ଅନ୍ୟମନସ୍କତାକୁ ଯୋଡ଼ି ଦିଆଗଲା। ଏବଂ ଶେଷରେ କପୋଳକଳ୍ପିତ ଶୀର୍ଷକ ସହାୟତାରେ କପଟତା ଚାରିଆଡ଼େ ଭରିଗଲା। ‘ଉତ୍ତରପ୍ରଦେଶରେ ଅରାଜକ କୃଷକଙ୍କ ଉପଦ୍ରବରେ ୬ ଜୀବନ ଚାଲିଗଲା’ ଭଳି ଶିରୋନାମା ଦେଶର ସର୍ବାଧିକ ପ୍ରସାରିତ ଖବରକାଗଜ ‘ଦୈନିକ ଜାଗରଣ’ରେ ସ୍ଥାନ ପାଇଥିଲା। ‘ଦରବାରୀ’ (ସରକାରଙ୍କ ଗୋଡ଼ାଣିଆ) ଚ୍ୟାନେଲ୍ଗୁଡ଼ିକ ମଧ୍ୟ ଅନୁରୂପ କାହାଣୀ ବଖାଣିବାକୁ ଲାଗିଲେ।
ଅବଶ୍ୟ ଇଣ୍ଟରନେଟ୍ ପୋର୍ଟାଲ୍ ଓ ସାମାଜିକ ଗଣମାଧ୍ୟମଗୁଡ଼ିକରେ ଏ ସଂକ୍ରାନ୍ତରେ ମତଭେଦ ଦେଖା ଯାଇଥିଲା। କିଛି ପ୍ରମୁଖ ଚ୍ୟାନେଲ୍ ଅସଲ ଅପରାଧୀ ଉପରେ ସାହସର ସହ ଦୃଷ୍ଟି ନିବଦ୍ଧ କରିଥିଲେ। ତେବେ ତାହା ସାମଗ୍ରିକ ଭାବେ ଗଣମାଧ୍ୟମର ଛବିକୁ କ୍ବଚିତ୍ ମଜଭୁତ କରି ପାରିଥିଲା। ନିଜ ଛବିରେ ଲାଗିଥିବା ରକ୍ତର ଛିଟା ଧୋଇବା ଲାଗି ପ୍ରମୁଖ ଗଣମାଧ୍ୟମଗୁଡ଼ିକୁ ଦୀର୍ଘ ସମୟ ଲାଗିଯିବ। ଯେପରି ଏକ ଭିନ୍ନ ପ୍ରସଙ୍ଗରେ ଫୈଜ ଅହମଦ ଫୈଜ କହିଥିଲେ, ‘କେତେ ବର୍ଷା ପରେ ରକ୍ତର ଦାଗ ଛଡ଼ାଇବା!’
ନିଜକୁ ଏକ ଗଣତନ୍ତ୍ର ବୋଲି ଦାବି କରୁଥିବା ଦେଶ ଯେଉଁଠି ଗଣମାଧ୍ୟମ ତଥାପି ବେସରକାରୀ ଓ ସ୍ବାଧୀନ ରହିବା ସହ କୌଣସି କଟକଣାର ସାମନା କରୁ ନ ଥିବା ବେଳେ କାହିଁକି ଏପରି ଆଚରଣ ଦେଖାଇଲା! ମୁଁ କୌଣସି ଗଣମାଧ୍ୟମ ତତ୍ତ୍ବବିତ୍ ନୁହେଁ। ମାତ୍ର ଗଣମାଧ୍ୟମ ଦ୍ବାରା ‘ମତାମତ ନିର୍ମାଣ’ର ଅନେକ ସିଦ୍ଧାନ୍ତ ମୁଁ ଦେଖି ଆସିଛି। ତେବେ ବର୍ତ୍ତମାନର ଭାରତରେ ଗଣମାଧ୍ୟମ କିପରି ବାସ୍ତବରେ ନିୟନ୍ତ୍ରିତ, ତାହା ସେଭଳି ସିଦ୍ଧାନ୍ତରୁ ମିଳେନାହିଁ। କୌଣସି ଔପଚାରିକ ନିୟନ୍ତ୍ରଣ ନ ଥାଇ ବି ଶାସକ ଦଳ ଓ ସେମାନଙ୍କ ସହଯୋଗୀମାନେ କିପରି ନାମାଧିକାର, ପକ୍ଷପାତିତା, ସମ୍ପର୍କ ଓ ସମ୍ବେଦନଶୀଳତା ପରି ଚାରିଟି ଉପାୟରେ ଗଣମାଧ୍ୟମକୁ କବ୍ଜା କରି ରଖିଛନ୍ତି, ସେ ସମ୍ପର୍କରେ ମୁଁ କହୁଛି। ଏ ଭଳି ସୂଚନା ନିୟନ୍ତ୍ରଣ ହେଉଛି ଅନୌପଚାରିକ; ତେଣୁ ଅଦୃଶ୍ୟ। ଏହା ଅନେକ ଦିଗରୁ ଆସିଥାଏ; ତେଣୁ ବ୍ୟାପକ। ଏହା ଗଣମାଧ୍ୟମକୁ ବିଭିନ୍ନ ସ୍ତରରୁ ଆକ୍ରମଣ କରିଥାଏ; ତେଣୁ ଅଧିକ ଫଳପ୍ରଦ। ଏହା ନିୟନ୍ତ୍ରଣ ବା ସେନ୍ସର୍ସିପ୍ ଠାରୁ ବି ଅଧିକ କ୍ଷତିକାରକ।
ନାମାଧିକାରରେ ମୁଖ୍ୟତଃ ପୃଷ୍ଠପୋଷକମାନଙ୍କ ସହ ନେଣଦେଣ ଓ ଆଗକୁ ମାଡ଼ି ଚାଲିବା ଉଦ୍ଦେଶ୍ୟ ସାମିଲ ହୋଇଥାଏ। ଏଥିରେ ବାଜି ଲଗାଇବାକୁ ଅନେକ କିଛି ରହିଛି। ମାଲିକମାନଙ୍କର ଅଣ-ଗଣମାଧ୍ୟମ ବ୍ୟାବସାୟିକ ଫାଇଦା ରହିଛି। ବିଜ୍ଞାପନ, ସେୟାର ମୂଲ୍ୟ ହେରଫେର ଏବଂ ପୁଞ୍ଜିନିବେଶ ଆଦି ଏହାକୁ ସୁହାଇଥାଏ। ଅନ୍ୟ ପକ୍ଷରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କି ଆୟକର ବିଭାଗର ଚଢ଼ଉ, ଆର୍ଥିକ ପ୍ରତିବନ୍ଧ, ଟେଲି ପ୍ରସାରଣ ସଂକେତରେ ବ୍ୟାଘାତ ଆଣିବା ଏବଂ କୌଣସି ପକ୍କା ମାମଲାରେ ଗିରଫ କରିବା ଭଳି ବିକଳ୍ପମାନ ମଧ୍ୟ ରହିଛି। ‘ଦୈନିକ ଭାସ୍କର‘, ‘ଦି କ୍ବିଣ୍ଟ୍’ ଓ ‘ନ୍ୟୁଜ୍ କ୍ଲିକ୍’ କ୍ଷେତ୍ରରେ ଯାହା ଘଟିଛି, ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ। ପ୍ରକୃତରେ କହିବାକୁ ଗଲେ, ଏହି ‘ସାମ ଦାମ ଦଣ୍ଡ ଭେଦ’ ପ୍ରକ୍ରିୟା ନରେନ୍ଦ୍ର ମୋଦୀ ସରକାରଙ୍କ ଠାରୁ ଆରମ୍ଭ ହୋଇନାହିଁ। କଂଗ୍ରେସ ଶାସନ କାଳରେ ମଧ୍ୟ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଥିଲା। ଏହା ବି କେବଳ ବିଜେପି କି କଂଗ୍ରେସ ଦଳ ପାଇଁ ସୀମିତ ନୁହେଁ, ବିହାରରେ ଜେଡିୟୁ ସରକାର ଓ ଦିଲ୍ଲୀରେ ଆପ୍ ସରକାର ମଧ୍ୟ କିଛି ଭିନ୍ନ ନୁହନ୍ତି। ତେବେ ମୋଦୀ ସରକାରରେ ସବୁ କିଛି ସୀମା ଟପି ଯାଇଛି ଓ ପ୍ରତିଶୋଧ ନେବାଟା ଏକ କଳା ପାଲଟିଛି।
ପକ୍ଷପାତିତା ହେଉଛି ଆଦର୍ଶବାଦୀ, ସୁତରାଂ ସେଥିରେ କିଛି ନୂତନତ୍ବ ନାହିଁ। ଯେହେତୁ କିଛି ସାମ୍ବାଦିକ ବାମପନ୍ଥୀ-ଧର୍ମ ନିରପେକ୍ଷତା-ଉଦାରବାଦ ଆଡ଼କୁ ଢଳିଥାଆନ୍ତି, ସେମାନଙ୍କର ଦୋଷ ସିଦ୍ଧ କରିବା ଦକ୍ଷିଣପନ୍ଥୀଙ୍କ ହାତରେ ରହିଥାଏ। ସାର୍ବଜନୀନ ମତରେ ହେଉଥିବା ପରିବର୍ତ୍ତନ ସହ ତାଳ ଦେବା ପାଇଁ ବିଜେପି ସମର୍ଥକମାନଙ୍କ ସଂଖ୍ୟା ବଢ଼ିବା ସ୍ବାଭାବିକ। ଶାସନ କ୍ଷମତାରେ ଥିବା ଦଳ ନିଜର ସମର୍ଥକମାନଙ୍କୁ ବିଧିବଦ୍ଧ ଭାବେ ପ୍ରୋତ୍ସାହିତ କରିଥାଏ, ଯାହା ବିଜେପି କରୁଛି। ଏମିତି ଅନେକ ଏଣ୍ଡୁଅ ଅଛନ୍ତି ଯେଉଁମାନେ ନିଜ ଆଦର୍ଶର ରଙ୍ଗକୁ ବଦଳାଇ ଦେଇ ପାରୁଛନ୍ତି। ତେବେ ପରିଣତି କେବଳ ଗୈରୀକରଣ ନୁହେଁ, ଗଣମାଧ୍ୟମର ଅଧୋପତନ ମଧ୍ୟ। କାରଣ ଦକ୍ଷିଣପନ୍ଥୀମାନେ ତଥାପି ଅଧାଅଧି ଉତ୍ତମ ଶିଷ୍ଟ ସାମ୍ବାଦିକ ସୃଷ୍ଟି କରିପାରିନାହାନ୍ତି।
ସେହିପରି ଗଣମାଧ୍ୟମ ସହିତ ସଂପର୍କ ସ୍ଥାପନ ବା ପ୍ରୀତି ନିବେଦନ ଏକ ପୁରୁଣା ଖେଳ। ତେବେ ଚଳନ୍ତି ସରକାରଙ୍କ ସ୍ବାତନ୍ତ୍ର୍ୟ ହେଲା ବଡ଼ ବଡ଼ ନାମୀ ସଂସ୍ଥା ଠାରୁ ଆରମ୍ଭ କରି ଛୋଟ ଛୋଟ ପୋର୍ଟାଲ୍ ଯାଏ ଗଣମାଧ୍ୟମର ପ୍ରତି ରିପୋର୍ଟର, ସ୍ତମ୍ଭକାର, ସମ୍ପାଦକ ଏବଂ ଏପରି କି ଷ୍ଟିଞ୍ଜର୍ମାନଙ୍କର ମଧ୍ୟ ଖବର ରଖିବା ବା ସେମାନଙ୍କ ବିଷୟରେ ଯାଞ୍ଚ କରିବା। ଘରୋଇ ଗଣମାଧ୍ୟମର ନିଯୁକ୍ତି, ପଦୋନ୍ନତି, ବହିଷ୍କାର ଓ ପ୍ରଶଂସା ଆଦିରେ ଏ ପ୍ରକାର ଅଣାନୁଷ୍ଠାନିକ ଯାଞ୍ଚର ରିପୋର୍ଟକୁ ଅନୁସରଣ କରି କରାଯାଇଥାଏ। ଏପରି ଗୋପନ କଣ୍ଠରୋଧର ଶିଥିଳ ପ୍ରଭାବ ସମଗ୍ର ଗଣମାଧ୍ୟମ ଉପରେ ପଡ଼ିଥାଏ।
ଅପରପକ୍ଷେ, ସେନ୍ସର୍ସିପ୍ ବା ନିୟନ୍ତ୍ରଣର ବିରୋଧ ରୂପରେ ଉଭା ହେଉଥିବା ସମ୍ବେଦନଶୀଳତା ସବୁଠୁ କପଟପୂର୍ଣ୍ଣ। ଏହାର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ହେଲା ତାହା ଆମ ଭିତରେ ଏକ ସମ୍ବେଦନଶୀଳତାର ଏକ ବିନ୍ଦୁ ସ୍ଥିର କରିଦିଏ। ତାହା ଏପରି ଏକ ସତର୍କଘଣ୍ଟି ଯେ ଆମେ ଯେତେବେଳେ କୌଣସି ଅଦୃଶ୍ୟ ସୀମାରେଖା ଅତିକ୍ରମ କରନ୍ତି, ସେତେବେଳେ ତାହା ଆମକୁ ସତର୍କ କରାଇ ପଚାରିଥାଏ କି ଏହା ମୋତେ ବିପଦରେ ପକାଇବ କି? ଏହାଦ୍ବାରା କିଛି ପରିହାର୍ଯ୍ୟ ଉପଦ୍ରବର ସାମନା କରିବାକୁ ହେବ କି? ଏ ପ୍ରକାର ବକ୍ତବ୍ୟକୁ ଟିକେ ବାଗେଇ ଦେବି କି? ଏପରି ଅବସ୍ଥାରେ ମୁଁ କିପରି ନିଜକୁ ନିରପେକ୍ଷ ଭାବେ ପ୍ରତିପାଦନ କରିବି? ଏମିତି ଅନେକ ପ୍ରଶ୍ନ ସମ୍ବଳିତ ଆତ୍ମନିୟନ୍ତ୍ରଣ ଆମ ଗଣମାଧ୍ୟମର ଶ୍ରେଷ୍ଠ ବ୍ୟକ୍ତିତ୍ବ ଓ ଲେଖକମାନଙ୍କୁ ମଥାନତ କରି ଛିଡ଼ା କରାଇଥାଏ।
ଅତି ମାମୁଲି କୃଷକ ବା ସେମାନଙ୍କ ମାମୁଲି କାର୍ଯ୍ୟକଳାପ ଏ ସବୁର ତର୍ଜମା କରିପାରିବ ନାହିଁ, ମାତ୍ର ସେମାନେ ଚୂଡ଼ାନ୍ତ ଫଳକୁ ବାରି ପାରିବେ। ‘ଗୋଦି’ ଗଣମାଧ୍ୟମ ବା ମୋଦୀ ଗୋଡ଼ାଣିଆ ଗଣମାଧ୍ୟମ ପ୍ରତି ଦୋଷାରୋପ କେବଳ କୌଣସି ସୁବିଧାବାଦୀ ଉଦ୍ଦେଶ୍ୟ ପାଇଁ ନୁହେଁ। ଚାଷୀ ଆନ୍ଦୋଳନ ବେଳେ ଏହା ଚାଷୀମାନଙ୍କ ଦ୍ବାରା ଅନ୍ୟତମ ସର୍ବାଧିକ ବ୍ୟବହୃତ ଅଭିବ୍ୟକ୍ତି। ଭାରତୀୟ ଗ୍ରାମାଞ୍ଚଳ କୃଷକ ଓ ଅଣକୃଷକଙ୍କ ସିଂହଭାଗର ବ୍ୟାବହାରିକ ବୁଦ୍ଧିକୁ ଏହା ସଂଜ୍ଞାୟିତ କରୁଛି।
ମୋର ଆନ୍ଦୋଳନପ୍ରେମୀ ସହଯୋଗୀମାନେ ଏ ନେଇ ଉତ୍ତେଜିତ। ମୁଁ ସେମାନଙ୍କର ପ୍ରତିକ୍ରିୟା ବୁଝିପାରୁଛି। ତୁମେ ଯଦି ସତ କହୁଥବା ଗଣମାଧ୍ୟମଟେ ପାଇ ପାରୁନାହଁ, ତେବେ ଗଣମାଧ୍ୟମକୁ ଅବୈଧ ଘୋଷଣା କରିବାର ଦ୍ବିତୀୟ ବିକଳ୍ପ ରହିଛି। ମାତ୍ର ଅନେକ କାରଣରୁ ମୁଁ ମଧ୍ୟ ଏ ନେଇ ବିବ୍ରତ। ପ୍ରଥମତଃ, ଏ ପ୍ରକାର ଅବିଶ୍ବାସର ସଂସ୍କୃତି ବେଳେ ବେଳେ ସଚ୍ଚୋଟ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାକୁ ନିଶାଣ କରିଥାଏ। ଦ୍ବିତୀୟତଃ, ସ୍ବାଧୀନ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାର ବିଜ୍ଞାନ ଓ କଳା କେବଳ ଏଇ ସରକାରରେ ସୀମିତ ହୋଇ ରହି ନ ପାରେ; ପରବର୍ତ୍ତୀ ସରକାର ମଧ୍ୟ ଏ ପ୍ରକାର ଶିକ୍ଷାକୁ ଭୁଲିଯିବାର ସମ୍ଭାବନା ନାହିଁ। ସର୍ବୋପରି, ଗଣମାଧ୍ୟମ ଓ ସାଧାରଣ ଜନମତ ମଧ୍ୟରେ ମେଳ ନ ରହିବା ହିଁ ଗଣତନ୍ତ୍ର ପାଇଁ ଏକ ଦୁଃସମ୍ବାଦ ନିଶ୍ଚୟ।