କୃଷକମାନଙ୍କ ସର୍ଦ୍ଦାର

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

୧୯୩୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ ବନ୍ଦର ସହର କରାଚି ଠାରେ ଅନୁଷ୍ଠିତ ହୋଇଥିଲା। ସେଥିରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ, “ଆପଣମାନେ ଜଣେ ସାଧାରଣ ଚାଷୀକୁ ଏପରି ଅନୁଷ୍ଠାନର ଶୀର୍ଷ ପଦ ପାଇଁ ଆମନ୍ତ୍ରଣ କରିଛନ୍ତି, ଯେଉଁଥି ପାଇଁ ଯେ କୌଣସି ଭାରତୀୟ ବି ଆଶାୟୀ ରହିଥାଆନ୍ତି। ମାତ୍ର ମୁଁ ଯାହା କରିଛି, ସେଥିପାଇଁ ଆପଣମାନେ ମୋତେ ଏପରି ପ୍ରଥମ ସେବକ ଭାବେ ଚୟନ କରିନାହାନ୍ତି ବୋଲି ମୁଁ ଅବଗତ ଅଛି; ତେବେ ଗୁଜରାଟର ସାମଗ୍ରିକ ଅନବଦ୍ୟ ଅବଦାନ ପାଇଁ ହିଁ ଏହା ଏକ ସ୍ବୀକୃତି। ଆପଣମାନଙ୍କ ମହାନୁଭବତା ହିଁ ଗୁଜରାଟକୁ ଏପରି ସମ୍ମାନିତ କରିବା ଲାଗି ପସନ୍ଦ କରିଛି। ମାତ୍ର ସତ କହିବାକୁ ଗଲେ ଏପରି ମହାନ୍‌ ଜାତୀୟ ଅନୁରାଗ ଜାଗ୍ରତ କରିବାରେ ଦେଶର ପ୍ରତ୍ୟେକ ପ୍ରଦେଶ ସେମାନଙ୍କର ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି।’’
୧୯୩୧ ବେଳକୁ କଂଗ୍ରେସ ଚାରି ଦଶନ୍ଧିରୁ ଅଧିକ କାଳ ଧରି ନିଜର ଅସ୍ତିତ୍ବ ଜାହିର କରି ସାରିଥିଲା। ‘ଭାରତ ତାହାର ଗ୍ରାମଗୁଡ଼ିକରେ ବଞ୍ଚି ରହିଛି’ ବୋଲି ମହାତ୍ମା ଗାନ୍ଧୀ ନିଜର ପ୍ରବୋଧନାରେ ଦାବି କରି ଆସିବା ସତ୍ତ୍ବେ ସେ ପର୍ଯ୍ୟନ୍ତ କଂଗ୍ରେସ କୌଣସି କୃଷକ ପରିବାରରେ ଜନ୍ମିତ ବ୍ୟକ୍ତିଙ୍କୁ ସଂଗଠନର ନେତୃତ୍ବ ନେବାକୁ ମନୋନୀତ କରିପାରିନଥିଲା। ପୂର୍ବର ସମସ୍ତ ସଭାପତିମାନେ ସହରରେ ଜନ୍ମିତ କିମ୍ବା ପ୍ରତିପାଳିତ ଥିଲେ।

ବଲ୍ଲଭ ଭାଇ ପଟେଲ ହେଉଛନ୍ତି ସ୍ବାଧୀନତା ସଂଗ୍ରାମର ପ୍ରଥମ ପ୍ରମୁଖ ନେତା, ଯିଏ ଗ୍ରାମୀଣ ପରିବାରରୁ ଆସିଛନ୍ତି। ଜାତୀୟ ସ୍ତରରେ ତାଙ୍କର ଏହି ଛାପ ଉଲ୍ଲେଖନୀୟ ଭାବେ କୃଷକମାନଙ୍କୁ ସଂଗଠିତ କରିଥିଲା। ପଟେଲଙ୍କ ଐତିହାସିକ ଉତ୍ତରାଧିକାର ସମ୍ପର୍କରେ ସଦ୍ୟ ଆଲୋଚନା, ସ୍ବାଧୀନତା ଓ ଦେଶ ବିଭାଜନ ପରେ ପ୍ରାଦେଶିକ ରାଜ୍ୟଗୁଡ଼ିକର ମିଶ୍ରଣ ଏବଂ ଦେଶର ଏକତାକୁ ଆଗକୁ ବଢ଼ାଇବାରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ଉପରେ ହିଁ ଗୁରୁତ୍ବାରୋପ କରୁଛି। ସେହି ଅବଦାନଗୁଡ଼ିକ ବାସ୍ତବରେ ସନ୍ତୋଷଜନକ, ତେବେ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଗଲେ ଜଣେ କୃଷକ ସଂଗଠକ ହିସାବରେ ତାଙ୍କର ରଚନାତ୍ମକ କାର୍ଯ୍ୟଗୁଡ଼ିକ ନିଷ୍ପ୍ରଭ ହୋଇଯିବ। ଯେତେବେଳେ ଉତ୍ତର ଭାରତର କୃଷକମାନେ ମୋଦୀ ସରକାରଙ୍କ ବିରୋଧରେ ବର୍ଷକରୁ ଅଧିକ ସମୟ ଧରି ସତ୍ୟାଗ୍ରହ ଚଳାଇଛନ୍ତି, ବାସ୍ତବରେ ସାମ୍ପ୍ରତିକ ସ୍ଥିତିରେ କିଷାନମାନଙ୍କର ସର୍ଦ୍ଦାର ଭାବରେ ସ୍ବର୍ଗତ ପଟେଲ ହିଁ ବେଶୀ ପ୍ରାସଙ୍ଗିକ ମନେ ହେଉଛନ୍ତି।

ବଲ୍ଲଭ ଭାଇ ପଟେଲଙ୍କ ଦ୍ବାରା ସଂଗଠିତ ୧୯୨୮ର ବର୍ଦ୍ଦୋଳି ସତ୍ୟାଗ୍ରହ କୃଷକମାନଙ୍କର ସ୍ବାଭିମାନ ରକ୍ଷା ଦିଗରେ ଅହିଂସାର ଶକ୍ତି ଓ ଦକ୍ଷତାକୁ ଏକ ପ୍ରଭାବୀ ଢଙ୍ଗରେ ପ୍ରଦର୍ଶନ କରିଥିଲା। ସେହି ସଂଘର୍ଷରେ ଗୁଜରାଟର ଗ୍ରାମାଞ୍ଚଳ ଚାଷୀମାନେ ଔପନିବେଶିକ ସରକାରର ଦମନକାରୀ କୃଷିନୀତି ବିରୋଧରେ ଏକଜୁଟ ହୋଇଥିଲେ। ସେମାନଙ୍କ ଆନ୍ଦୋଳନର ଗରିମାମୟ କାହାଣୀର ନଥି ଏବେ ମୁମ୍ବାଇସ୍ଥିତ ମହାରାଷ୍ଟ୍ର ରାଜ୍ୟ ଅଭିଲେଖାଗାରରେ ରହିଛି।

ସତ୍ୟାଗ୍ରହ ବେଳେ ବର୍ଦ୍ଦୋଳିରେ ପଟେଲଙ୍କ ଭାଷଣଗୁଡ଼ିକ ଏପରି କି ତାହାର ଅନୁବାଦ ମଧ୍ୟ ତଲ୍ଲୀନ ପଠନୀୟ ବସ୍ତୁ ହୋଇଛି। ଗୋଟିଏ ଭାଷଣରେ ସେ କୃଷକମାନଙ୍କୁ ସାହସ ଓ ବଳିଦାନ ପ୍ରଦର୍ଶନ ପାଇଁ ଆହ୍ବାନ କରି କହିଥିଲେ, ‘ତୁମେମାନେ ଅଧିଗ୍ରହଣକୁ ନେଇ କାହିଁକି ଏତେ ଭୟଭୀତ? ତୁମେ ବିବାହ ଉତ୍ସବରେ ହଜାର ହଜାର ଖର୍ଚ୍ଚ କରୁଛ, ତେବେ ସରକାରୀ ଅଧିକାରୀମାନେ ତୁମ ଠାରୁ ୨୦୦ କି ୫୦୦ ଟଙ୍କାର ସାମଗ୍ରୀ ନେଇଗଲେ ତୁମେ ବ୍ୟସ୍ତ କାହିଁକି? ପାଞ୍ଚଶହ ମେଣ୍ଢା ଅପେକ୍ଷା ମରିବାକୁ ପ୍ରସ୍ତୁତ ଥିବା ପାଞ୍ଚ ଜଣ ଲୋକ ହିଁ ଯଥେଷ୍ଟ।’ ଅନ୍ୟ ଏକ ଭାଷଣରେ ପଟେଲ ବ୍ୟଙ୍ଗ କରି କହିଥିଲେ, ‘ଗୁଜରାଟର ଚାଷୀମାନଙ୍କୁ ଦମନ କରିବା ଲାଗି ସରକାର ଏକ ରୋଲର ଗାଡ଼ି ରଖିଛନ୍ତି।’ ତୃତୀୟ ଭାଷଣରେ ତାଙ୍କର ମନ୍ତବ୍ୟ ଥିଲା, ‘ଗୁଜରାଟ ଏବେ ଗାନ୍ଧୀ ଜ୍ବରରେ ପୀଡ଼ିତ ବୋଲି ଏକ ସରକାରୀ ଗୋଡ଼ାଣିଆ ଖବରକାଗଜ କହିଛି। ତେବେ ଆମେ ଆଶା କରିବା ଯେ ପ୍ରତ୍ୟେକଙ୍କୁ ଏହି ଜ୍ବର ବ୍ୟାପିଯାଉ।’ ସତର୍କତାର ସହ ଏକ ପୁଲିସ୍‌ ରିପୋର୍ଟ ଟିପ୍ପଣୀ କରିଥିଲା, ‘ବର୍ଦ୍ଦୋଳି ତାଲୁକା ଅନ୍ତର୍ଗତ ପ୍ରାୟ ସମସ୍ତ ଗାଁର ନେତାମାନଙ୍କ ସହ ପଟେଲ ପରାମର୍ଶ ଚଳାଇଛନ୍ତି।’

ଏବେ ଅଚଳ ହୋଇ ପଡ଼ିଥିବା ସେହି ଉତ୍କୃଷ୍ଟ ଖବରକାଗଜ ‘ଦି ବମ୍ବେ କ୍ରୋନିକ୍‌ଲ’ର ପୁରୁଣା ମାକ୍ରୋଫିଲ୍ମଗୁଡ଼ିକ ଔପନିବେଶିକ ରାଜ୍ୟର ସେହି ଅଭିଲେଖୀୟ ରେକର୍ଡକୁ ପରିଶିଷ୍ଟ କରୁଛି। ୧୯୨୮ ଏପ୍ରିଲ ଶେଷ ସପ୍ତାହର ଏକ କିଷାନସଭା ସମ୍ପର୍କରେ କ୍ରୋନିକ୍‌ଲ ଲେଖିଥିଲା, ‘ଗତ ରାତିରେ ବରାଡ଼ରେ ଆୟୋଜିତ କୃଷକମାନଙ୍କ ସଭାରେ ମି. ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଭକ୍ତି ଆଉ ପୂଜାର ଉତ୍ସାହପୂର୍ଣ୍ଣ ଦୃଶ୍ୟମାନ ଦେଖିବାକୁ ମିଳିଥିଲା। ହାତବୁଣା ସୂତାର ମାଳ ପକାଇ ଖଦି ପରିହିତା ମହିଳାମାନେ ଫୁଲ, ନଡ଼ିଆ, ସିନ୍ଦୂର ଓ ଚାଉଳ ଧରି ନିଜର ସମ୍ମାନ ଜଣାଉଥିଲେ ଏବଂ ଅସରନ୍ତି ଶୃଙ୍ଖଳରେ ଶ୍ରଦ୍ଧା ଜ୍ଞାପନ କରୁଥିଲେ। କିଛି ସ୍ଥାନରେ ପାଞ୍ଚଶହରୁ ଅଧିକ ମହିଳା ସେମାନଙ୍କ ପବିତ୍ର ସଂଘର୍ଷକୁ ଈଶ୍ବର ଆଶୀର୍ବାଦ କରିବା ଲାଗି ସାମ୍ପ୍ରତିକ ସ୍ଥିତିକୁ ସୁହାଇଲା ପରି ସେମାନଙ୍କ ବୟୋଜ୍ୟେଷ୍ଠଙ୍କ ରଚିତ ଗୀତ ସବୁ ଆବୃତ୍ତି କରି ଚାଲିଥିଲେ ଯାହା ଅଢ଼େଇ ହଜାର ଲୋକଙ୍କ ସମାବେଶକୁ ଏକ ଧାର୍ମିକ ରୂପ ପ୍ରଦାନ କରିଥିଲା।

ରାଜ୍ୟ ଓ ସତ୍ୟାଗ୍ରହୀମାନଙ୍କ ଭିତରେ ହୋଇଥିବା ବୁଝାମଣା ସମ୍ପର୍କରେ କ୍ରୋନିକ୍‌ଲ ଅଗଷ୍ଟ ମାସରେ ଲେଖିଥିଲା, ‘ଜଣେ ନ୍ୟାୟିକ ଅଧିକାରୀ ଓ ରାଜସ୍ବ ଅଧିକାରୀଙ୍କ ତଦନ୍ତ ପରେ ସମସ୍ତ ପ୍ରକାର ବିବାଦୀୟ ପ୍ରସଙ୍ଗରେ ସତ୍ୟାଗ୍ରହୀମାନଙ୍କ ସହ ସରକାର ଏକମତ ହୋଇଛନ୍ତି।’ ସରକାର ବନ୍ଦୀ ଥିବା ସମସ୍ତ ସତ୍ୟାଗ୍ରହୀଙ୍କୁ ଖଲାସ କରିଥିଲେ ଏବଂ ଇସ୍ତଫା ଦେଇଥିବା ଗ୍ରାମ ମୁଖିଆମାନଙ୍କୁ ପୁନର୍ନିଯୁକ୍ତ କରିଥିଲେ। ସତ୍ୟାଗ୍ରହ ସଫଳ ହୋଇଥିଲା, କାରଣ ସର୍ଦ୍ଦାର ତାଙ୍କ ସାଥୀ କୃଷକମାନଙ୍କୁ ଦୁଇଟି ମୌଳିକ ଶିକ୍ଷା ଦେଇଥିଲେ- ନିର୍ଭୀକତା ଓ ଏକତା।

ପଟେଲ ନେତୃତ୍ବ ନେଇଥିବା ବର୍ଦ୍ଦୋଳିର ସଂଗ୍ରାମ ଓ ଏବେକାର ଚାଷୀ ଆନ୍ଦୋଳନ ଭିତରେ ପ୍ରାୟ ଶହେ ବର୍ଷର ଫରକ ରହିଛି। ତଥାପି ସମାନ୍ତରାଳ ପ୍ରସଙ୍ଗଗୁଡ଼ିକୁ କେବେ ଭୁଲି ହେବନାହିଁ। ଗୋଟିଏ ପଟେ ଆନ୍ଦୋଳନକୁ ବଜାୟ ରଖିବାରେ ମହିଳାମାନଙ୍କ ଭୂମିକା ଏବଂ ଶୀତ, ଗ୍ରୀଷ୍ମ, ବର୍ଷା ଓ ମହାମାରୀ ସତ୍ତ୍ବେ ଆନ୍ଦୋଳନ ଜାରି ରଖିଥିବା ସତ୍ୟାଗ୍ରହୀମାନଙ୍କର ଶାନ୍ତ ସାହସିକତା ପ୍ରଦର୍ଶନ। ଅପରପକ୍ଷରେ, ଆନ୍ଦୋଳନକୁ ଭାଗ ଭାଗ କରିବା ପାଇଁ ସରକାରଙ୍କ କାଳକ୍ଷେପଣ ନୀତି ଓ ଆନ୍ଦୋଳନକାରୀ ନେତାଙ୍କ ବିରୋଧରେ ମିଥ୍ୟା ଅପପ୍ରଚାର ସୃଷ୍ଟି; ଯେପରି ୧୯୨୮ ଜୁଲାଇ ୨୮ରେ ବମ୍ବେ ସରକାର ଦାବି କରିଥିଲେ ଯେ ଗାନ୍ଧୀଜୀଙ୍କୁ ଆନ୍ଦୋଳନରୁ ପଟେଲ ଦୂରେଇ ରଖିଛନ୍ତି। କାରଣ ତାଙ୍କର ଭୟ ଯେ ଆନ୍ଦୋଳନଟି ଅରଟରେ ସୂତା କାଟିବା ଓ ଛୁଆଁ ଅଛୁଆଁ ଭେଦଭାବ ଭଳି ପ୍ରସଙ୍ଗ ଦ୍ବାରା ଘୋଡ଼ାଇ ହୋଇଯିବ।

୧୯୨୦ ଦଶକ ବେଳକୁ ବ୍ରିଟିସ୍‌ ଶାସକଙ୍କ ସହଯୋଗୀ ଭାବରେ କିଛି ବ୍ରାହ୍ମଣ ରାଜସ୍ବ ଅଧିକାରୀ ଓ ଗୁଜରାଟ ବାହାରୁ ଆସିଥିବା କିଛି ଭଡ଼ାଟିଆ ଗୁଣ୍ଡା ମିଳିଥିଲେ। ସମ୍ପ୍ରତି ୨୦୨୦ ବେଳକୁ ଚାଷୀମାନଙ୍କୁ ଦମନ କରୁଥିବା ପୁଲିସ୍‌ ଏବଂ ସେମାନଙ୍କ ବାର୍ତ୍ତାକୁ କଦର୍ଥ କରୁଥିବା ଓ ସେମାନଙ୍କ ନେତାମାନଙ୍କୁ ଅପଦସ୍ଥ କରୁଥିବା ଗୋଦି ମିଡିଆ (ମୋଦୀ ସରକାରଙ୍କ ଗୋଡ଼ାଣିଆ ଗଣମାଧ୍ୟମ) ରହିଛି। କୃଷକଙ୍କ ଉପରେ ପାଣି ମାଡ଼, ରାସ୍ତାରେ ଧାତବ କଣ୍ଟାବାଡ଼, ଇଣ୍ଟରନେଟ୍‌ ସେବା ବନ୍ଦ ଏବଂ ଘୃଣ୍ୟ ଅପପ୍ରଚାର ପରି ଚାଷୀଙ୍କ ବିରୋଧରେ ମୋଦୀ-ଶାହ ଚଳାଇଥିବା ଦମନମୂଳକ ପଦକ୍ଷେପ ବାସ୍ତବିକ ଗୋରା ଶାସନକୁ ବି ଟପିଗଲା।

ବଲ୍ଲଭ ଭାଇ ପଟେଲଙ୍କ ଆଦ୍ୟ ଜୀବନୀ ଲେଖକ ନରହରି ପାରିଖ ସେହି ପୁସ୍ତକରେ କୃଷକମାନଙ୍କୁ ପଟେଲ ଦେଇଥିବା ଉଦ୍‌ବୋଧନର ଉଲ୍ଲେଖ କରିଛନ୍ତି: ‘ଏତିକି ମନେ ରଖିଥାଅ, ତୁମେମାନେ ଯିଏ ସତ୍ୟତା ପାଇଁ ନିଜର ସବୁକିଛି ହରାଇବାକୁ ପ୍ରସ୍ତୁତ ରହିଛ, ଶେଷରେ ନିଶ୍ଚୟ ବିଜୟୀ ହେବ। ଯେଉଁମାନେ ଅଧିକାରୀଙ୍କ ସହ ହାତ ମିଳାଇଛନ୍ତି, ସେମାନେ ପରେ ନିଜର କର୍ମ ପାଇଁ ପ୍ରାୟଶ୍ଚିତ୍ତ କରିବେ।’ ଗାନ୍ଧୀଜୀଙ୍କର ଜଣେ ଅନୁଗାମୀ ଭାବେ ପଟେଲ ଆଶା ରଖିଥିଲେ ଯେ ସତ୍ୟ ଓ ଅହିଂସାର ବଳ ଶେଷରେ ନିଶ୍ଚିତ ସରକାରଙ୍କୁ ସମସ୍ୟାର ଅସଲ କାରଣ ଖୋଜିବା ପାଇଁ ବାଧ୍ୟ କରିବ। ଏକ ଭାଷଣରେ ସେ କହିଥିଲେ, ‘ସରକାରଙ୍କ ମନୋଭାବରେ ପରିବର୍ତ୍ତନ ଆସିଲେ ହିଁ ଏକ ସନ୍ତୋଷଜନକ ବୁଝାମଣା ହେବ। ହୃଦୟରେ ଯେତେବେଳେ ପରିବର୍ତ୍ତନ ଆସିବ, ସେତେବେଳେ ତିକ୍ତତା ଓ ବୈରତା ବଦଳରେ ଦୟାଶୀଳତା ଓ ବୁଝାମଣା ହିଁ ସରକାରଙ୍କୁ ସକ୍ରିୟ ରଖିବ।’ ଯଦିଓ ଦୟାଶୀଳତା ଓ ବୁଝାମଣା ମନୋଭାବ ଏଇ ସରକାର ପାଇଁ ବ୍ରିଟିସ୍‌ମାନଙ୍କ ତୁଳନାରେ ଅଧିକ ଅପହଞ୍ଚ ହୋଇ ରହିଛି, ତଥାପି ଆଜିର କିଷାନ ନେତାମାନେ ପୂର୍ବର ସେଇ ସମାନ ଆଶାକୁ ଉଜ୍ଜୀବିତ କରି ରଖିଛନ୍ତି।

ଏଇ ସ୍ତମ୍ଭ ମୁଁ ଯେମିତି ଆରମ୍ଭ କରିଥିଲି, ସେମିତି ୧୯୩୧ରେ ସର୍ଦ୍ଦାର ପଟେଲଙ୍କ କଂଗ୍ରେସ ଅଧ୍ୟକ୍ଷୀୟ ଅଭିଭାଷଣରେ ମଧ୍ୟ ଶେଷ କରିବି। ଏଠାରେ ଗାନ୍ଧୀଜୀଙ୍କ ନେତୃତ୍ବରେ ଆସିଥିବା ମହାନ୍‌ ଜାତୀୟ ଅଭ୍ୟୁତ୍‌ଥାନ ବର୍ଣ୍ଣନା କଲା ବେଳେ ପଟେଲ ଟିପ୍ପଣୀ କରିଥିଲେ, ‘କୌଣସି ଆହ୍ବାନର ଊର୍ଦ୍ଧ୍ବରେ ରହିଥିବା ସତ୍ୟଟି ହେଲା, ଗଣ ଅହିଂସା କେବେ କୌଣସି କଳ୍ପନାବିଳାସୀର ଭିତ୍ତିହୀନ ସ୍ବପ୍ନ କି ସାମାନ୍ୟ ମାନବିକ ଲାଳସା ହୋଇ ରହିନାହିଁ ବୋଲି ବିଶ୍ବ ଆଗରେ ଭାରତ ଏକ ଅନନ୍ୟ ପ୍ରମାଣ ପ୍ରଦାନ କରିଛି। ହିଂସାରେ ଭାରାକ୍ରାନ୍ତ ହୋଇ ବିଶ୍ବାସର ଅଭାବରେ ଆର୍ତ୍ତନାଦ କରୁଥିବା ମାନବିକତା ପାଇଁ ଅସୀମ ସମ୍ଭାବନାର କ୍ଷମତା ରଖୁଥିବା ଏହା ଏକ ଦୃଢ଼ ସତ୍ୟ। ଆମ ଆନ୍ଦୋଳନ ଅହିଂସ ଥିବାର ଶ୍ରେଷ୍ଠ ପ୍ରମାଣ ହେଲା, ମନ୍ଦତମ ସଂଶୟବାଦୀମାନଙ୍କର ଭୟକୁ ଚାଷୀମାନେ ମିଥ୍ୟା ବୋଲି ପ୍ରମାଣିତ କରିଦେଲେ। ଅହିଂସା ଆନ୍ଦୋଳନକୁ ସଂଗଠିତ କରିବା ବଡ଼ କଷ୍ଟକର ବୋଲି ସେମାନେ ବର୍ଣ୍ଣନା କରିଥିଲେ ଏବଂ ସେମାନେ ହିଁ କଳ୍ପନାତୀତ ଭାବେ ଏହି ପରୀକ୍ଷାରେ ସାହସିକତା ଓ ସହିଷ୍ଣୁତା ପ୍ରଦର୍ଶନ କରିଥିଲେ। ମହିଳା ଓ ଶିଶୁମାନେ ମଧ୍ୟ ଏହି ସଂଘର୍ଷରେ ସେମାନଙ୍କର ମହାନ ଅବଦାନ ଯୋଡ଼ିଥିଲେ। ସହଜାତ ପ୍ରବୃତ୍ତି ଭାବେ ସେମାନେ ଏହି ଆହ୍ବାନରେ ଝାସ ଦେଇଥିଲେ। ଅହିଂସାର ସଂରକ୍ଷଣ ଓ ଫଳସ୍ବରୂପ ଆନ୍ଦୋଳନର ସଫଳତା ପାଇଁ ସେମାନଙ୍କୁ ହିଁ ସିଂହଭାଗ ଶ୍ରେୟ ଦେବାଟା ଆଦୌ ଭୁଲ୍‌ ହେବ ନାହିଁ ବୋଲି ମୁଁ ଚିନ୍ତା କରୁଛି।

୨୦୨୧ରେ ପୁଣି ଥରେ ଯେତେବେଳେ ଭାରତର କୃଷକମାନେ ଉଦାସୀନ ନିର୍ମମ ଓ ସମ୍ଭବତଃ ବେପରୁଆ ପ୍ରଶାସନ ପ୍ରତି ଗରିମାପୂର୍ଣ୍ଣ ଓ ସଂକଳ୍ପଚିତ୍ତ ପ୍ରତିରୋଧ ପେସ୍‌ କଲେ, ସେତେବେଳେ ୧୯୩୧ ମସିହାର ସେହି ଶବ୍ଦଗୁଡ଼ିକ ପୁଣି ଥରେ ପଠନ ଯୋଗ୍ୟ ହୋଇପଡ଼ିଛି।

ସମ୍ବନ୍ଧିତ ଖବର