ସୁଖମୟ ଜୀବନ ଲାଗି ଜୀବନର ପ୍ରତିଟି ଅବସ୍ଥାରେ ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବ ରହିଛି। ମାନସିକ ସ୍ବାସ୍ଥ୍ୟ ମାନସିକ ଚାପ ଉପରେ ନିର୍ଭରଶୀଳ। ମାନସିକ ଚାପକୁ ନେଇ ଦୁଇ ପ୍ରକାର ଆଭିମୁଖ୍ୟ ପ୍ରକାଶ କରାଯାଇପାରେ। ତହିଁରୁ ଗୋଟିଏ ହେଲା ମାନସିକ ଯନ୍ତ୍ରଣା ବା ଉଦ୍ବେଳନକୁ ମନ ଭିତରେ ଚାପି ରଖିବା। ତାହା ହେଲେ ଏହି ଅପ୍ରକାଶିତ ଆବେଗ କ୍ରମେ ଉଦ୍ବେଗ ଏବ˚ ଅବସାଦରେ ପରିଣତ ହୁଏ। ଦ୍ବିତୀୟ ପ୍ରକାର ବ୍ୟକ୍ତି ବିବ୍ରତବୋଧକୁ ଚାପି ନ ଦେଇ ଯୁକ୍ତି-ତର୍କ କରିପାରେ; ବିଶୃଙ୍ଖଳା ବା ହି˚ସକ ଆଚରଣ କରିପାରେ। ତାହା ମଧ୍ୟ ଅବାଂଛିତ। ଦେଖାଯାଏ ଯେ ନିଶା ଦ୍ରବ୍ୟ ସେବନ, ମାତ୍ରାଧିକ ଆବେଗ, ଉତ୍ତେଜନା ବା ବିକୃତ ଚିନ୍ତାଧାରା, ଅସ୍ଥିର ପାରିବାରିକ ସମ୍ପର୍କ ଏବ˚ ସର୍ବୋପରି ଏକ ବିଶୃଙ୍ଖଳ ଜୀବନ-ଶୈଳୀ ମାନସିକ ସ୍ବାସ୍ଥ୍ୟକୁ ଆହୁରି ଜଟିଳ କରି ପକାଏ। ନିଶା ଦ୍ରବ୍ୟ ସେବନ ଦ୍ବାରା ପାରାନଇଆ, ଡିଲିଉଜନ୍ ଏବ˚ ସ୍କିଜୋଫ୍ରେନିଆ ପରି ମାନସିକ ରୋଗ ହେବାର ସମ୍ଭାବନା ଅଛି। ପାରାନଇଆ ରୋଗୀ ଅନ୍ୟମାନଙ୍କୁ ଅଯଥାରେ ସନ୍ଦେହ କରିଥାଏ। ଡିଲିଉଜନ୍ ଦ୍ବାରା ଆକ୍ରାନ୍ତ ରୋଗୀ ବିଭିନ୍ନ ପ୍ରକାର ଭ୍ରାନ୍ତ ଧାରଣାର ଶିକାର ହୁଏ। ସେମିତି ସ୍କିଜୋଫ୍ରେନିଆ ରୋଗୀର ଚିନ୍ତା, ଭାବନା ଏବ˚ କାର୍ଯ୍ୟ ମଧୢରେ ସମନ୍ବୟର ଅଭାବ ଦେଖିବାକୁ ମିଳେ।
Sambad is now on WhatsApp
Join and get latest news updates delivered to you via WhatsApp
ମାନସିକ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ମଧ୍ୟ ଦୁଇ ପ୍ରକାର ଉପାୟରେ କରାଯାଇଥାଏ। ସମସ୍ୟାର ନିରାକରଣ ଏବ˚ ତା’ ପରବର୍ତ୍ତୀ ‘ରିହାବିଲିଟେସନ୍’ ବା ପୁନଃ ଥଇଥାନ। ପ୍ରଥମଟିରେ ଜୀବନକୁ ବାଟକୁ ଆଣିବାର ପ୍ରୟାସ କରାଯାଏ ଏବଂ ତା’ ପରେ ଯେଉଁ ଆଚରଣ ଦ୍ବାରା ଏହା ସମ୍ଭବ ହୋଇଥାଏ, ତାକୁ ସୁଦୃଢ଼ କରାଯିବା ଦିଗରେ ପଦକ୍ଷେପ ନିଆଯାଇଥାଏ। ଏହି କ୍ରମରେ ନକାରାତ୍ମକ ଉଦ୍ଦୀପନା ସୃଷ୍ଟି କରୁଥିବା ବିଷୟଗୁଡ଼ିକ ଠାରୁ ଦୂରେଇ ରହିବା ଉପରେ ଗୁରୁତ୍ବ ଦିଆଯାଏ। ମାନସିକ ସ୍ବାସ୍ଥ୍ୟକୁ ଭଲ ରଖିବା ଲାଗି ମନ ପ୍ରଫୁଲ୍ଲ ରହିବା ଜରୁରୀ, ଯେଉଁଥି ଲାଗି ନିୟମିତ ବ୍ୟାୟାମ, ପୁଷ୍ଟିକର ଖାଦ୍ୟ, ପର୍ଯ୍ୟାପ୍ତ ନିଦ୍ରା ଏବ˚ ଏକ ସ୍ବାସ୍ଥ୍ୟପ୍ରଦ ଜୀବନଶୈଳୀ ଆପଣାଇବା ଆବଶ୍ୟକ। ପୁଷ୍ଟିକର ଖାଦ୍ୟରେ ସବୁ ପ୍ରକାର ପୋଷଣ ତତ୍ତ୍ବ ରହିବା ଉଚିତ। ଅବସାଦମୁକ୍ତ ରହିବା ଲାଗି ଏହା ଜରୁରୀ। ଉଦାହରଣ ସ୍ବରୂପ ଖାଦ୍ୟରେ ଖଣିଜ ସାର, ଲୌହ, ଜୀବସାର ଖ ୧୨ ବା ଭିଟାମିନ ବି ୧୨ର ଅଭାବରେ ମନ ଅବସାଦଗ୍ରସ୍ତ ହୋଇଥାଏ। ସେହିପରି ସୂର୍ଯ୍ୟ କିରଣରୁ ମିଳୁଥିବା ଭିଟାମିନ-ଡି ଦ୍ବାରା ଆମ ମସ୍ତିଷ୍କରେ ଏନ୍ଡର୍ଫିନ୍ସ ଏବ˚ ସେରୋଟନିନ୍ ଭଳି ଜୈବ ରସାୟନ କ୍ଷରଣ ହୋଇଥାଏ, ଯାହା ଆମ ମନରେ ସକାରାତ୍ମକ ଭାବନା ସୃଷ୍ଟି କରେ। ନିୟମିତ ବ୍ୟାୟାମ ଏବ˚ କର୍ମଠ ଜୀବନ ମନୁଷ୍ୟର ମନକୁ ଅତ୍ୟନ୍ତ ସଜାଗ ଓ ସତେଜ କରି ରଖେ, ଯାହା ଦ୍ବାରା ପ୍ରଫୁଲ୍ଲତା ସୃଷ୍ଟି ହୁଏ। ସେମିତି ପାରିବାରିକ ସଂପର୍କର ଦୃଢ଼ତା ମାନସିକ ସ୍ବାସ୍ଥ୍ୟ ଲାଗି ଅତ୍ୟନ୍ତ ଅନୁକୂଳ। ଏହା ବ୍ୟକ୍ତି ଠାରେ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିଥାଏ, ଯାହା ତାକୁ ମାନସିକ ଅବସାଦ ମଧ୍ୟକୁ ଯିବାକୁ ଦେଇ ନ ଥାଏ।
ବର୍ତ୍ତମାନ କୋଭିଡ୍-୧୯ ମହାମାରୀ ଆମର ଜୀବନକୁ ଗଭୀର ଭାବେ ଆକ୍ରାନ୍ତ କରିଛି। ଏହା ଦ୍ବାରା ପରିବାରର ଆର୍ଥିକ ସ୍ଥିତିରେ ଅବନତି, ଅନିଶ୍ଚିତ ଭବିଷ୍ୟତ, କୋଭିଡ୍ ହେତୁ ମନରେ ଜାତ ହେଉଥିବା ଉଦ୍ବେଗ ଓ ଭୟ, କୋଭିଡ୍ଜନିତ ମୃତ୍ୟୁର ଦୁଃଖ ଇତ୍ୟାଦି ମିଶି ଯେଉଁଭଳି ଏକ ହାହାକାରମୟ ସ୍ଥିତି ସୃଷ୍ଟି କରିଛି, ତହିଁରେ ଅସଂଖ୍ୟ ଲୋକ ମାନସିକ ଅବସାଦଗ୍ରସ୍ତ ହୋଇପଡ଼ିଛନ୍ତିି। ତେଣୁ ମାନସିକ ରୋଗ ଚିକିତ୍ସା ଏବେ ଏକ ଆହ୍ବାନ ରୂପେ ଛିଡ଼ା ହୋଇଛି, ଯାହା ଉପରେ ଧ୍ୟାନ ଦିଆଯିବା ଜରୁରୀ।
ସତ କହିଲେ, ମାନସିକ ଭାବେ ଯେଉଁ ବ୍ୟକ୍ତି ସୁସ୍ଥ ସେ ସବୁ ଦୃଷ୍ଟିରୁ ସମର୍ଥ। କାରଣ ସୁସ୍ଥ ମାନସିକତାଧାରୀ ବ୍ୟକ୍ତି ଶୃଙ୍ଖଳିତ, ତେଣୁ ସେ ଶାରୀରିକ ଭାବେ ମଧ୍ୟ ସୁସ୍ଥ ହୋଇଥାଏ। ତେଣୁ ମନକୁ ସର୍ବଦା ସକାରାତ୍ମକ ଓ ଖୁସି ରଖିବା ଉଚିତ। ଜୀବନର ପ୍ରତି କ୍ଷେତ୍ରରେ, ପ୍ରତି ମୁହୂର୍ତ୍ତରେ ସକାରାତ୍ମକ ଆବେଗ ସହ କାର୍ଯ୍ୟ କରିବା ଉଚିତ। ନିଜକୁ ଏବ˚ ନିଜ ଜୀବନକୁ ଅନ୍ୟ କାହା ସହ ତୁଳନା କରିବା ଉଚିତ ନୁହେଁ।
ଏକ ବଡ଼ କଥା ହେଲା, ମାନସିକ ଅବସ୍ଥା ପ୍ରତି ଆମର ଦୃଷ୍ଟିଭଙ୍ଗୀ ବଦଳିବା ଜରୁରୀ। ଆମେ ଶାରୀରିକ ଅସୁସ୍ଥତାରେ ବ୍ୟସ୍ତ ହୋଇପଡୁ, କିନ୍ତୁ ମାନସିକ ଅସୁସ୍ଥତାକୁ ନଜରଅନ୍ଦାଜ କରୁ। କାରଣ ଏହା ପ୍ରମାଣିତ ହୋଇ ସାରିଲାଣି ଯେ ଶାରୀରିକ ସ୍ବାସ୍ଥ୍ୟ ସଂପୂର୍ଣ୍ଣ ଭାବେ ମାନସିକ ସ୍ବାସ୍ଥ୍ୟ ଉପରେ ନିର୍ଭରଶୀଳ। ତେଣୁ ଆମେ ମାନସିକ ସ୍ବାସ୍ଥ୍ୟ ଉପେର ଗୁରୁତ୍ବ ପ୍ରଦାନ କରିବା ଜରୁରୀ।
ମୋ- ୮୨୪୯୬୨୬୭୮୫