ଉତ୍ତର ପ୍ରଦେଶରେ ଏବେ ଏପରି ଏକ ଘଟଣା ବା ଦୁର୍ଘଟଣା ଘଟିଛି ଯାହା ଅନେକ ଆଇନଗତ ପ୍ରସଙ୍ଗ ଉଠାଉଛି, ଯଦିଓ ଏହାକୁ ରାଜନୈତିକ ଘଟଣା ହିସାବରେ ଉପସ୍ଥାପନ କରାଯାଉଛି। ଆଗାମୀ ଦିନରେ ଏ ସମ୍ପର୍କରେ ଯେଉଁ ନିଷ୍କର୍ଷ ବାହାରିବ, ତାହା ଭାରତର ଆଇନ ସମ୍ପର୍କରେ ଏକ ସ୍ପଷ୍ଟ ଧାରଣା ଉପସ୍ଥାପନ କରିବ।
ଗତ ସପ୍ତାହରେ ଉତ୍ତର ପ୍ରଦେଶର ଲଖିମପୁର ଖେରିଠାରେ କୃଷକ ଆନ୍ଦୋଳନକାରୀମାନେ ସେଠାକୁ ଆସୁଥିବା ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ବିରୋଧ କରିବାକୁ ଠୁଳ ହୋଇଥିଲା ବେଳେ ସେହି ବାଟ ଦେଇ ଯାଉଥିବା ସ୍ଥାନୀୟ ସାଂସଦ ଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଦୁଇଟି ଗାଡ଼ି କୃଷକମାନଙ୍କ ଉପରେ ଚଢ଼ିଯାଇ ଚାରି ଜଣ କୃଷକଙ୍କ ମୃତ୍ୟୁର କାରଣ ହୋଇଥିଲା। ଏଥିରେ ସ୍ୱାଭାବିକ ଭାବରେ ଉତ୍ତେଜିତ ହୋଇ ସେଠାକାର କୃଷକମାନେ ସେ ଗାଡ଼ିର ଡ୍ରାଇଭର୍, ଦୁଇ ଜଣ ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କୁ ମାରି ଦେଇଥିଲେ। କୃଷକମାନେ ତଥା ବିଭିନ୍ନ ବିଜେପି ବିରୋଧୀ ରାଜନୈତିକ ଦଳମାନେ ଆଶିଷଙ୍କୁୁ ଗିରଫ କରିବା ଓ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ତାଙ୍କ ପଦରୁ ଇସ୍ତଫା ଦେବା ଦାବିରେ ଅଡ଼ି ବସିଛନ୍ତି। ସେମାନେ ସେମାନଙ୍କ ଦାବି ପୂରଣ ନ ହେଲେ, ଭାରତ ବନ୍ଦ ଡାକରା ଦେବେ ବୋଲି ଜିଦ୍ ଧରି ବସିଛନ୍ତି।
ବିଜେପି ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି କରିବା ପାଇଁ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ଏହି ଘଟଣାକୁ ଏକ ସୁଯୋଗ ହିସାବରେ ଧରି ନେଇଛନ୍ତି। କଂଗ୍ରେସର ଭାଇ-ଭଉଣୀ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ପ୍ରଥମେ ଲଖିମପୁର ଖେରି ଯିବାକୁ ଚେଷ୍ଟା କଲା ବେଳେ ରାଜ୍ୟ ସରକାର ତାଙ୍କୁ ଏକ ଗେଷ୍ଟ ହାଉସ୍ରେ ଅଟକ ରଖିଥିଲେ। ପରବର୍ତ୍ତୀ କାଳରେ ସେମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଗଲା। ତାଙ୍କ ସାଂଗରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବଘେଲ ମଧ୍ୟ ଯାଇଥିଲେ। ବଘେଲ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବାହାରକୁ ଯିବାକୁ ପୁଲିସ ଅନୁମତି ନ ଦେବାରୁ ସେଠାରେ ସେ ବସି ପଡ଼ିଥିଲେ। ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁ ଚଣ୍ଡୀଗଡ଼ରୁ ୨,୦୦୦ ଗାଡ଼ି ନେଇ ଲଖିମପୁର ଖେରି ଆସିବେ ବୋଲି ପ୍ରଥମେ ଘୋଷଣା କଲା ପରେ ଶେଷକୁ ଶହେ ପରି ଗାଡ଼ି ନେଇ ଆସିଥିଲେ। ତୃଣମୂଳ କଂଗ୍ରେସର ନେତାମାନେ ଛଦ୍ମବେଶରେ ସେଠାକୁ ଆସିଥିଲେ ବୋଲି ତାଙ୍କ ଦଳ ପକ୍ଷରୁ ପ୍ରଚାର କରାଯାଇଥିଲା। ଆମ ଆଦ୍ମୀ ପାର୍ଟିର କେତେ ଜଣ ନେତା ଘଟଣା ସ୍ଥଳକୁ ଯାଇଥିଲେ ଓ ମୃତକମାନଙ୍କ ପରିବାରକୁ ଭେଟିଥିଲେ।
ଏନ୍ସିପି ଓ ଦେଶର ଜଣେ ବରିଷ୍ଠ ନେତା ଶରଦ ପାୱାର ଏହି ଘଟଣାକୁ ୧୯୧୯ର ବ୍ରିଟିସ୍ ଶାସନ ବେଳର ଜାଲିଆଁୱାଲାବାଗର ହତ୍ୟାକାଣ୍ଡ ସହ ତୁଳନା କରିଥିଲେ। ଜାଲିଆଁୱାଲାବାଗ ଠାରେ ବିକ୍ଷୋଭକାରୀମାନଙ୍କୁ ବ୍ରିଟିସ୍ ପୁଲିସ ଅଧ୍ୟକ୍ଷ ଜେନେରାଲ ଡାୟାର ଗୁଳି ମାରି ଶହ ଶହ ସଂଖ୍ୟାରେ ମାରି ଦେଇଥିଲେ।
ପ୍ରଥମେ ମୃତକମାନଙ୍କ ପରିବାରକୁ ଉତ୍ତର ପ୍ରଦେଶ ସରକାର ୪୫ ଲକ୍ଷ ଟଙ୍କା କରି ଅନୁକମ୍ପା ରାଶି ଦେଇଥିଲେ। ଏହାକୁ ଦେଖି ଛତିଶଗଡ଼ ଓ ପଞ୍ଜାବ ସରକାର ୫୦ ଲକ୍ଷ ଟଙ୍କା କରି ଅନୁକମ୍ପା ରାଶି ଦେଇଛନ୍ତି। ଏହା ଏକ ଆଚମ୍ବିତ କଥା। କାରଣ ଉତ୍ତର ପ୍ରଦେଶର ମୃତକମାନଙ୍କ ପାଇଁ ବାହାର ରାଜ୍ୟର ସରକାରମାନେ ଅନୁକମ୍ପା ରାଶି ଦେଉଛନ୍ତି କାହିଁକି? ଅନ୍ୟ ରାଜ୍ୟମାନଙ୍କରେ ଏ ଧରଣର ଅଘଟଣ ଘଟିଲେ କ’ଣ ସେମାନେ ଏମିତି ଅର୍ଥ ଦେଇଥା’ନ୍ତି?
ବିଜେପିର ସମର୍ଥକମାନେ ଯୁକ୍ତି ବାଢ଼ୁଛନ୍ତି ଯେ ବିଜେପି ମନ୍ତ୍ରୀଙ୍କ ଗାଡ଼ିକୁ ଦେଖି କୃଷକ ଆନ୍ଦୋଳନକାରୀମାନେ ଗାଡ଼ିକୁ ଲକ୍ଷ୍ୟ କରି ଟେକା ପଥର ମାରିଥିଲେ ଓ ବାଡ଼ିରେ ଗାଡ଼ିକୁ ପିଟିଥିଲେ। ତେଣୁ ଭୟଭୀତ ହୋଇ ଗାଡ଼ିର ଡ୍ରାଇଭର୍ ଓ ଗାଡ଼ିମାନଙ୍କରେ ବସିଥିବା ଲୋକମାନେ ଜୋର୍ରେ ଗାଡ଼ି ଚଳାଇ ସେଠାରୁ ପଳାଇ ଯାଉଥିଲା ବେଳେ କେତେକ କୃଷକଙ୍କ ଉପରେ ଏହି ଗାଡ଼ି ଚଢ଼ି ଯାଇଥିଲା ଓ ସେମାନେ ମୃତ୍ୟୁ ମୁଖରେ ପଡ଼ିଥିଲେ। କିନ୍ତୁ ଏ କଥାକୁ ବିରୋଧୀ ଦଳମାନେ ଗ୍ରହଣ କରୁନାହାନ୍ତି। ସେମାନେ ବରଂ ଅଭିଯୋଗ କରୁଛନ୍ତି ଯେ ଗାଡ଼ିରେ ଥିବା ଲୋକମାନେ ତଥା ନିଜେ ଆଶିଷ ମିଶ୍ର ତାଙ୍କ ବନ୍ଧୁକରୁ ଗୁଳି ଚଳାଇ କୃଷକ ଓ ସାମ୍ବାଦିକମାନଙ୍କୁ ମାରିଛନ୍ତି।
କୃଷକମାନଙ୍କ ନେତା ରାକେଶ ଟିକାୟତ କହିଛନ୍ତି ଯେ ବିଜେପି କର୍ମୀଙ୍କ ମୃତ୍ୟୁ ଏହାର ପ୍ରତିକ୍ରିୟା ଅଟେ। ଅର୍ଥାତ୍, ଗାଡ଼ି ଚଢ଼ିଯିବାରୁ ଲୋକମାନେ ମରିଗଲେ ଓ ତା’ର ପ୍ରତିକ୍ରିୟା ସ୍ୱରୂପ ବିଜେପି କର୍ମୀ, ଗାଡ଼ିର ଡ୍ରାଇଭର୍ ଆଦିଙ୍କୁ ଲୋକମାନେ ପଟିପିଟି ମାରିଦେଲେ। ପ୍ରଥମେ ଶବମାନଙ୍କୁ ଗ୍ରହଣ କରିବାକୁ କୃଷକ ଓ ପରିବାରମାନେ ମନା କରିଥିଲେ। କାରଣ ସେମାନଙ୍କର ଧାରଣା ଥିଲା ଯେ ମୃତକମାନଙ୍କୁ ଗୁଳି କରି ମାରି ଦିଆଯାଇଛି। କିନ୍ତୁ ଶବ ବ୍ୟବଚ୍ଛେଦ ଦୁଇ ଥର ହେଲା ପରେ ମଧ୍ୟ ଶବମାନଙ୍କରୁ ଗୁଳି ନ ବାହାରିବାରୁ ଓ ଗାଡ଼ିଟି ସେମାନଙ୍କ ଉପରେ ଚଢ଼ି ଯାଇଥିବାରୁ ସେମାନେ ମରି ଯାଇଛନ୍ତି ବୋଲି ବ୍ୟବଚ୍ଛେଦ ରିପୋର୍ଟ ଆସିବାରୁ, ଶେଷକୁ ମୃତ ବ୍ୟକ୍ତିଙ୍କ ଶବକୁ ସେମାନଙ୍କ ପରିବାର ଗ୍ରହଣ କଲେ। ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରମାନେ ଲକ୍ଷ୍ନୌରୁ ଆସିଥିଲେ ଓ ସେମାନଙ୍କୁ ସେ ବିଶ୍ୱାସ କରନ୍ତି ବୋଲି ରାକେଶ ଟିକାୟତ କହିଥିଲେ।
ଯୁକ୍ତି ଶେଷକୁ ଚାଲିଲା, ଯେଉଁ ଗାଡ଼ି ଲୋକମାନଙ୍କ ଉପରକୁ ଚଢ଼ିଯାଇ ସେମାନଙ୍କୁ ମାରିଦେଲା, ସେ ଗାଡ଼ିରେ ଆଶିଷ ମିଶ୍ର ଥିଲେ କି ନାହିଁ! ବିରୋଧୀ ଦଳ ଓ କୃଷକନେତାମାନେ ଦାବି କରୁଛନ୍ତି ଯେ ଆଶିଷ ମିଶ୍ର ସେହି ଗାଡ଼ିରେ ଥିଲେ। ଏହାର ପ୍ରମାଣ ସ୍ୱରୂପ ସେମାନଙ୍କ ପାଖରେ ଭିଡିଓ ଅଛି ଓ ଏବେ ଇଣ୍ଟରନେଟ୍ ବନ୍ଦ ଥିବା ହେତୁ ତାହାକୁ ପ୍ରସାରିତ କରାଯାଇପାରୁନାହିଁ। ଅନ୍ୟ ପକ୍ଷରେ ସୁପ୍ରିମ୍ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି ଯେ କାହିଁକି କାହାକୁ ଗିରଫ କରାଯାଉନାହିଁ ଓ ଏପରି ଅନ୍ୟ ଘଟଣାରେ ପୁଲିସ କାହାକୁ ଗିରଫ ନ କରି ଛାଡ଼ି ଦେଇଥାଏ କି? ଏହି ମନ୍ତବ୍ୟ ଯୋଗୁଁ ଉତ୍ତର ପ୍ରଦେଶ ସରକାର ଏହି ଘଟଣାର ତଦନ୍ତ ପାଇଁ ଗଠନ କରିଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଗୋଷ୍ଠୀ(ଏସ୍ଆଇଟି) ଆଶିଷ ମିଶ୍ରଙ୍କୁ ସମନ କରିଥିଲା ଜେରା ପାଇଁ। ଦ୍ୱିତୀୟ ଥରରେ ଆଶିଷ ମିଶ୍ର ପୁଲିସ ନିକଟକୁ ଆସିଲେ ଓ ୧୧ ଘଣ୍ଟାର ଜେରା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ସେ ଅନୁସନ୍ଧାନରେ ପୁଲିସକୁ ପୂର୍ଣ୍ଣ ସହଯୋଗ କରୁନାହାନ୍ତି ବୋଲି ପୁଲିସ ଜଣାଇଛି। ଘଟଣା ବେଳେ ଅାଶିଷ ମିଶ୍ର ସେଠାରେ ନ ଥିଲେ ବୋଲି ତଥା ତାଙ୍କ ଗାଁରେ ଏକ କୁସ୍ତି ପ୍ରତିଯୋଗିତାରେ ଥିଲେ ବୋଲି ଏକ ଭିଡିଓ ଓ କିଛି ଲୋକଙ୍କ ସତ୍ୟପାଠ ନେଇ ସାଂଗରେ ଆଣିଥିଲେ। କିନ୍ତୁ ତାଙ୍କୁ ଗିରଫ କରାଗଲା। ଘଟଣା ଘଟିବା ବେଳେ ସେ କେଉଁଠି ଥିଲେ, ତାହା ସ୍ପଷ୍ଟ ଜଣାଉନାହାନ୍ତି ବୋଲି ପୁଲିସ୍ର ଅଭିଯୋଗ। ପୁଲିସ ମଧ୍ୟ କହୁଛି ଯେ ଆଶିଷ ମିଶ୍ର ଘଟଣା ଘଟିଥିବା ବେଳେ ସେହି ସ୍ଥାନରେ ଥିଲେ ବୋଲି କେତେକ ବ୍ୟକ୍ତି କହୁଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ କହିଛନ୍ତି ଯେ ଯିଏ ଦୋଷୀ ତାକୁ ଛଡ଼ାଯିବ ନାହିଁ। ସରକାରଙ୍କ ପକ୍ଷରୁ ଗୋଟିଏ ନମ୍ବର ଦିଆଯାଇଛି, ଯେଉଁଥିରେ ଯେ କୌଣସି ବ୍ୟକ୍ତି ତା’ ପାଖରେ ଏ ସମ୍ପର୍କରେ କିଛି ପ୍ରମାଣ ଥିଲେ ତାହା ପଠାଇବାକୁ କୁହାଯାଇଛି। କିନ୍ତୁ ପୁଲିସ ତଦନ୍ତ ଚାଲିଥିଲା ବେଳେ କେହି ସରକାରଙ୍କ ପାଖକୁ ସେପରି କୌଣସି ପ୍ରମାଣ ଥିବା ଭିଡିଓ ପଠାଇ ନାହାନ୍ତି, ଯାହା ସେମାନଙ୍କ ପାଖରେ ଅଛି ବୋଲି ସେମାନେ କୁହନ୍ତି। ଅବଶ୍ୟ ଅଦାଲତ ଗିରଫ ହୋଇଥିବା ଆଶିଷ ମିଶ୍ରଙ୍କୁ ୧୪ ଦିନ ପାଇଁ ଜେଲ୍କୁ ପଠାଇ ଦେଇଛି। ପୁଲିସ ଆଶିଷଙ୍କୁ ରିମାଣ୍ଡ (ହେପାଜତ)କୁ ନେଇ ପୁଣି ଜେରା କରିପାରେ। କିନ୍ତୁ ଆଗାମୀ କେତେ ଦିନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଲଖିମପୁର ଖେରି ମୁଖ୍ୟତଃ ଶିଖ୍ ଅଧ୍ୟୁଷିତ ଅଞ୍ଚଳ ଅଟେ; ଯେଉଁଠି ପାକିସ୍ତାନରୁ ଦେଶ ବିଭାଜନ ବେଳେ ପଳାଇ ଆସିଥିବା ଶିଖ୍ମାନଙ୍କୁ ଥଇଥାନ କରାଯାଇଥିଲା।
କୃଷକମାନଙ୍କ ମଧ୍ୟରେ କିଛି ଖଲିସ୍ତାନୀ ଅଛନ୍ତି ବୋଲି କିଛି ବ୍ୟକ୍ତି ମଧ୍ୟ ଅଭିଯୋଗ ଆଣିଥିଲେ। କିନ୍ତୁ ମୃତ୍ୟୁ ସତ୍ୟ, ଗାଡ଼ି ମୃତକଙ୍କ ଉପରକୁ ଚଢ଼ାଇ ଦେଇଥିବା ଡ୍ରାଇଭର୍ ମଧ୍ୟ ମୃତ। କେବଳ ଭବିଷ୍ୟତ୍ର ପ୍ରମାଣମାନ, ବାସ୍ତବରେ ଘଟଣା ପଛରେ କେଉଁମାନେ ଥିଲେ ତାହାକୁ ଜନସାଧାରଣଙ୍କ ନିକଟକୁ ଆଣିବ।
ଏଠାରେ ମୂଳ ପ୍ରଶ୍ନ ହେଲା, ଯେ କୌଣସି ମୃତ୍ୟୁକୁ ଏକ ରାଜନୈତିକ ଅସ୍ତ୍ର ହିସାବରେ ବ୍ୟବହାର କରାଯାଇ ପାରିବ କି? ମୃତ୍ୟୁ ଘଟିଲା ବୋଲି ତାହାକୁ ଶରଦ ପାୱାରଙ୍କ ପରି ବରିଷ୍ଠ ନେତାମାନେ ଜାଲିଆଁୱାଲାବାଗର ହତ୍ୟାକାଣ୍ଡ ସହ ତୁଳନା କରିବେ କି? ଯଦି ଶେଷକୁ ସେହି ଗାଡ଼ିରେ ଆଶିଷ ମିଶ୍ର ଥିଲେ ବୋଲି ପ୍ରମାଣିତ ନ ହୁଏ, ମିଥ୍ୟା ଅଭିଯୋଗ ଓ ଲୋକଙ୍କ ଭିତରେ ବିଦ୍ୱେଷ ବା ଅସୂୟା ସୃଷ୍ଟି ପାଇଁ ଶରଦ ପାୱାର, ରାହୁଲ ଗାନ୍ଧୀ ଆଦିଙ୍କୁ ଦଣ୍ଡ ଦିଆଯିବ କି? ଏହା ମଧ୍ୟ ପ୍ରମାଣିତ ହେବା ଦରକାର ଯେ, ଆଶିଷ ମିଶ୍ର ସେ ଗାଡ଼ିରେ ଥିଲେ ଓ ଡ୍ରାଇଭର୍କୁ ଜୋରରେ ଗାଡ଼ି ଚଳାଇ ଲୋକଙ୍କ ଉପରେ ଚଢ଼ାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତା’ହେଲେ ଆଶିଷ ମିଶ୍ରଙ୍କୁ ଜଣେ ହତ୍ୟାକାରୀ ହିସାବରେ ପରିଗଣନା କରାଯିବ ଓ ସେହି ଅନୁରୂପ ଦଣ୍ଡ ଦିଆଯିବ। କିନ୍ତୁ ଯଦି ପ୍ରମାଣ ହୁଏ ଯେ, କୃଷକମାନେ ଗାଡ଼ିକୁ ଟେକାପଥର ମାରି ଭୟଭୀତ କରିବାରୁ ଡ୍ରାଇଭର୍ ବିଚଳିତ ହୋଇ ଗାଡ଼ି ଚଳାଇ ଲୋକଙ୍କ ଉପରେ ଚଢ଼ାଇ ଦେଇଛି, ତେବେ ଦଣ୍ଡ କାହାକୁ ଦିଆଯିବ? କାରଣ ଡ୍ରାଇଭର୍କୁ କୃଷକମାନେ ଘଟଣା ଘଟିବା ପରେ ପିଟି ପିଟି ମାରି ଦେଇଛନ୍ତି। ଯେ କୌଣସି ଲୋକର ଗାଡ଼ିକୁ ଡ୍ରାଇଭର୍ ଚଳାଉ ଥିଲା ବେଳେ ଯଦି ଦୁର୍ଘଟଣା ଘଟି କାହାର ମୃତ୍ୟୁ ଘଟେ, ତେବେ ଦାୟୀ ହେବ କିଏ? କେବଳ ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ଜଣେ ବସିଥିଲା ବୋଲି ଦୁର୍ଘଟଣା ପାଇଁ କ’ଣ ସିଏ ଦୋଷୀ ହେବ? ବିଖ୍ୟାତ ଚଳଚ୍ଚିତ୍ର ଅଭିନେତା ସଲମାନ ଖାଁ ରାତିରେ ମଦ ପିଇ ନିଜେ ଗାଡ଼ି ଚଲାଇ ଫୁଟ୍ପାଥ ଉପରେ ଶୋଇଥିବା ଲୋକମାନଙ୍କ ଉପରେ ଚଢ଼ାଇ ଦେଇ କେତେଜଣଙ୍କୁ ମାରିଦେବା ପରେ ଅଦାଲତରେ ଗାଡ଼ିର ଡ୍ରାଇଭର୍କୁ ଆଣି ଠିଆ କରାଇ ଦେଇଥିଲେ, ଯିଏ ଅଦାଲତରେ ସ୍ୱୀକାର କରିଥିଲା ଯେ ସେ ହିଁ ଗାଡ଼ି ଚଳାଉଥିଲା। ତେଣୁ ସଲମାନ ଖାଁ ଦୋଷମୁକ୍ତ ହୋଇଗଲେ। ଏଣୁ ଲଖିମପୁର ଖେରିରେ ଘଟଣା ପାଇଁ ଦାୟୀ କିଏ ହେବ?
ମୋ- ୯୪୩୭୦୨୦୨୯୦
[email protected]