ନାରୀକୁ କିଭଳି ବର୍ଣ୍ଣନା କରାଯିବ? ଏହା କୁହାଯିବ କି ସେ ଆଦିଶକ୍ତିଙ୍କ ଅଂଶ, ଯାହା ବିନା ଏହି ସୃଷ୍ଟି ଅସ୍ତିତ୍ବ-ହୀନ! ସେ ଧରିତ୍ରୀ! ସେ ପ୍ରକୃତି! ସେ ମାନବ ସୃଷ୍ଟି ଓ ଧାରଣକାରିଣୀ! କୁହାଯାଇ ପାରିବ କି ସେ ମଧ୍ୟ ରକ୍ଷାକାରିଣୀ!
ଆଦିଶକ୍ତି ଓ ନାରୀ; ଦୁହିଁଙ୍କ ପରିଭାଷା ଏକ। ଆଦିଶକ୍ତି ଅର୍ଥାତ୍ ଶକ୍ତିର ମୂଳ ଉତ୍ସ ଯିଏ ହେଉଛନ୍ତି ଜଗଜ୍ଜନନୀ ମାଆ। ସେ କେବଳ ସୃଷ୍ଟିକାରିଣୀ ନୁହନ୍ତି; ମନ୍ଦ ଶକ୍ତିର ବିନାଶ କରି ପୃଥିବୀର ସୁରକ୍ଷା ପ୍ରଦାୟିନୀ ମଧ୍ୟ। ମା’ ଦୁର୍ଗା ଦୁଷ୍ଟ ଦୈତ୍ୟ ମହିଷାସୁର ଓ ତାକୁ ସହାୟତା କରୁଥିବା ଦାନବ କୁଳକୁ ହତ୍ୟା କରି ଏହି ସଂସାରକୁ ରକ୍ଷା କରିଥିଲେ। ତେଣୁ ତାଙ୍କ ଶକ୍ତିକୁ ପ୍ରଣାମ କରି ଏବଂ ତାଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଆମେମାନେ ତାଙ୍କ ପୂଜା କରୁ; ‘ନବରାତ୍ର’ ପାଳନ କରୁ; ମା’ଙ୍କୁ ସ୍ତୁତି କରିଥାଉଁ। ବିପଦ ଆପଦ ବେଳେ ଆମ ପାଟିରୁ ସ୍ବତଃସ୍ଫୂର୍ତ୍ତ ଭାବେ ନିର୍ଗତ ହୁଏ ‘ମା’, ତୁମେ ଭରସା।
କିନ୍ତୁ ପ୍ରଶ୍ନ ଉଠେ ଯେ ଦେବୀଙ୍କ ପ୍ରତି ଭକ୍ତିର ଏଭଳି ଅର୍ଘ୍ୟ ଢାଳୁଥିବା ମଣିଷ ବାସ୍ତବ ଜୀବନରେ ନାରୀ ପ୍ରତି ଅତ୍ୟନ୍ତ ବିପରୀତ ମନୋଭାବ ପୋଷଣ କରିଥାଏ କାହିଁକି? ନାରୀକୁ ଅଧୀନସ୍ଥ କରି ରଖିବାକୁ ସେ ଚାହେ କାହିଁକି? ପୁରୁଷ କାହିଁକି ନାରୀକୁ ଏକ ପଣ୍ୟ ଏବଂ ଭୋଗ୍ୟ ବସ୍ତୁ ଭଳି ବ୍ୟବହାର କରେ? କାହିଁକି ନାରୀ ଆବଶ୍ୟକ କରୁଥିବା ସମ୍ମାନ ଲାଭ କରେ ନାହିଁ? କାହିଁକି ନାରୀ ପୁରୁଷ ହସ୍ତରେ ନିର୍ଯାତିତା ହୁଏ? କାହିଁକି ଅନେକ ପରିବାର ନାରୀକୁ ଅଲୋଡ଼ା ବୋଲି ବିଚାର କରନ୍ତି? ମନରେ ପ୍ରଶ୍ନ ଉଠେ ଯେ ନାରୀକୁ ହେୟଜ୍ଞାନ କରୁଥିବା ଜଣେ ବ୍ୟକ୍ତି ଆଦିଶକ୍ତିଙ୍କ ଭକ୍ତିରେ ନିଜକୁ ଲୀନ କରି ଦେବା କ’ଣ ଏକ ଶଠାଚାର ନୁହେ କି? ଏହା ଏକ ବିଡ଼ମ୍ବନା ଯେ ମାତାଙ୍କ ଜୀବନ୍ତ ସ୍ୱରୂପିଣୀକୁ ଅବିରତ ପୀଡ଼ା ଓ କଷଣ ପ୍ରଦାନ କରୁଥିବା ବ୍ୟକ୍ତି ଦେବୀ ମା’ଙ୍କ ବିଶାଳ ମୂର୍ତ୍ତି ସମ୍ମୁଖରେ ମଥାନତ କରି ପ୍ରଣାମ କରିବା ସହିତ ତାଙ୍କର ଆଶୀର୍ବାଦ ଭିକ୍ଷା କରନ୍ତି!
ଭାରତ ଭୂମି ନାରୀକୁ ଦେବୀଙ୍କ ସ୍ଥାନରେ ବିରାଜିତ କରାଏ। କୁହାଯାଏ ଯେ ‘ନ ସ୍ତ୍ରୀ ରତ୍ନ ସମଂ ରତ୍ନମ୍’; ଅର୍ଥାତ୍ ସ୍ତ୍ରୀ ସମ କୋୖଣସି ରତ୍ନ ନାହିଁ। କିନ୍ତୁ ଆମ ଭୂଖଣ୍ଡରେ ନାରୀଙ୍କ ପ୍ରତି ହେଉଥିବା ନିର୍ଯାତନାର ପଟାନ୍ତର ନାହିଁ। ଉଦାହରଣ ସ୍ବରୂପ କନ୍ୟା ଭ୍ରୂଣ ହତ୍ୟାରେ ଆମ ଦେଶ ପୃଥିବୀରେ ସର୍ବ ପ୍ରଥମ। ଶାସ୍ତ୍ରରେ ଅଛି:
‘ଦଶ ପୁତ୍ର ସମା କନ୍ୟା, ଦଶ ପୁତ୍ରାନ୍ ପ୍ରବର୍ଦ୍ଧୟନ୍...
ୟତ୍ ଫଳଂ ଲଭତେ, ମର୍ତ୍ତ୍ୟସ୍ତଲ୍ଲଭ୍ୟଂ କନ୍ୟୟେକୟା।’
ଏହାର ଅର୍ଥ ‘ଗୋଟିଏ କନ୍ୟା ଦଶଟି ପୁତ୍ର ସହ ସମାନ। ଦଶ ଗୋଟି ପୁତ୍ର ପାଳିବା ଦ୍ୱାରା ଯେଉଁ ଫଳ ପ୍ରାପ୍ତି ହୁଏ, କେବଳ ଗୋଟିଏ ପୁତ୍ରୀକୁ ଜନ୍ମ ଦେବା ଦ୍ୱାରା ହିଁ ସେତିକି ମିଳି ଯାଇଥାଏ।’
ଏହି ଶ୍ଳୋକକୁ ସ୍ପର୍ଦ୍ଧିତ କଣ୍ଠରେ ଉଚ୍ଚାରଣ କରୁଥିବା କେତେ ପ୍ରତିଶତ ବ୍ୟକ୍ତି ଏହାର ଅର୍ଥକୁ ମାନ୍ୟତା ଦିଅନ୍ତି?
ଚଳିତ ବର୍ଷ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୂର୍ତ୍ତିର ଆକାର ନେଇ ବିବାଦ ଜାତ ହେଲା। ସରକାରଙ୍କ ଆଦେଶରେ ଚାରି ଫୁଟ ଉଚ୍ଚତାର ମୂର୍ତ୍ତି ପୂଜାର ନିୟମକୁ ନିନ୍ଦା କରି ଅସଂଖ୍ୟ ସମାଲୋଚକ କହିଲେ- ଏହା ଆଦିଶକ୍ତିଙ୍କ ମର୍ଯ୍ୟାଦା ପ୍ରତି ଅପମାନ। କିନ୍ତୁ ଏଭଳି ବିଚାର କଲା ବେଳେ କାହିଁକି ମନରେ ଏହି ପ୍ରଶ୍ନ ଉଠିଲା କି ଯେ ଆମେମାନେ ଆମ ପରିବାରରେ ଦେବୀ ସ୍ବରୂପିଣୀ ନାରୀମାନଙ୍କୁ କିଭଳି ନୀଚ ଏବଂ ହେୟ ଦୃଷ୍ଟିରେ ଦେଖିଥାଉଁ। ଆମମାନଙ୍କ ଦୃଷ୍ଟିେର ନାରୀ ସତରେ କେତେ ଖର୍ବାକୃତିର?
ଏହି ପ୍ରଶ୍ନ ଯଦି ମା’ଙ୍କ ପୂଜାରେ ଏବଂ ଭକ୍ତିରେ ଲୀନ ଥିବା ପ୍ରତ୍ୟେକ ମନୁଷ୍ୟ ନିଜକୁ ପଚାରନ୍ତି, ତେବେ ଯେଉଁ ବିଚାର ଉଦୟ ହେବ; ତାହା ଆତ୍ମା-ଶୁଦ୍ଧିର କାରଣ ମଧ୍ୟ ହେବ; ଯାହା ପ୍ରକାରାନ୍ତରେ ସେମାନଙ୍କ ମନରେ ନାରୀମାନଙ୍କ ପ୍ରତି ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବ। ଆଜି ଆଦିଶକ୍ତି ମା’ ଦୁର୍ଗାଙ୍କ ସ୍ତୁତି ଗାନ କଲା ବେଳେ ଆମେ ଏହି କଥାକୁ ହୃଦୟରେ ଧାରଣ କଲେ ନାରୀ ଜାତି ପ୍ରତି ସମ୍ମାନ ବୃଦ୍ଧି ପାଇବା ଅନିବାର୍ଯ୍ୟ ହୋଇ ପଡ଼ିବ।