ସେଦିନ ନିଜ ଦଳର ଏକ ବୈଠକରେ ଓଡ଼ିଶାର ଜଣେ ମନ୍ତ୍ରୀ କହିପକାଇଲେ, “ନବୀନ ଲାତ ମାରିଲେ ବିଜେପି କୁଆଡ଼େ ଉଡ଼ିଯିବ।” ମନ୍ତ୍ରୀ ମହାଶୟ ରାଜ୍ୟରେ ନିଜ ଦଳର ମୁଖ୍ୟଙ୍କ ପତିଆରା ଦର୍ଶାଇବାକୁ ଯାଇ ତାଙ୍କ ପଦାଘାତର ସାଂଘାତିକତା ବିଷୟରେ ସୂଚନା ଦେଲେ ସିନା, ହେଲେ ନବୀନଙ୍କର ମାର୍ଜିତ, ବିନୟୀ ଓ ସୁରୁଚିସମ୍ପନ୍ନ ଛବି ସାଙ୍ଗକୁ ଜଣେ ଲାତ ମରା ନେତାଙ୍କ ତୁଳନା କାହିଁକି ଖାପଛଡ଼ା ଲାଗିଲା। ରାଜନୀତିଜ୍ଞମାନେ ବେଳେବେଳେ ଚିନ୍ତା ଓ ଯୁକ୍ତିର ପରିସରରୁ ବାହାରି ଆସି ଶାରୀରିକ ବଳକୁ ପ୍ରୋତ୍ସାହନ ଦେବାର ନଜିର ରହିଛି। ଏ ପ୍ରସଙ୍ଗରେ ମନକୁ ଆପଣାଛାଏଁ ଆସିଯାଏ ବିଜୁ ବାବୁଙ୍କ ‘ମାଡ଼ ତତ୍ତ୍ୱ’ର କଥା, ହେଲେ ନବୀନଙ୍କ ପକ୍ଷରେ ‘ଲାତ ତତ୍ତ୍ୱ’ ସମ୍ପୂର୍ଣ୍ଣ ଅକଳ୍ପନୀୟ। ତେଣୁ ମନ୍ତ୍ରୀଙ୍କର ବକ୍ତବ୍ୟଟିକୁ ଆକ୍ଷରିକ ଅର୍ଥରେ ନ ନେଇ ପ୍ରତୀକାତ୍ମକ ଅର୍ଥରେ ନେବା ଯଥାର୍ଥ ହେବ।
ଅବଶ୍ୟ ଗୋଇଠା ଗୋଟିଏ ଏମିତି ଜୋରଦାର ଶାରୀରିକ କ୍ରିୟା ଯେ ଏହାର ଚାକ୍ଷୁଷ ରୂପକୁ ଛୁପାଇ ରଖି ପ୍ରତୀକ ସ୍ତରକୁ ପହଞ୍ଚିବା କଷ୍ଟସାଧ୍ୟ। କେବଳ ମହାଋଷି ଭୃଗୁଙ୍କ ପଦାଘାତ ଖାଇ ଜାଗ୍ରତ ହେବା ପରେ ଭଗବାନ ବିଷ୍ଣୁ ଭୃଗୁଙ୍କ ପାଦ ଚିହ୍ନକୁ ନିଜ ବକ୍ଷରେ ପ୍ରତୀକ ରୂପେ ଧରି ରଖିବା ଏମିତି ଏକ ଦୃଷ୍ଟାନ୍ତ। ଏ ଉଦାହରଣଟିକୁ ଛାଡ଼ି ଦେଲେ ଗୋଇଠା ସବୁଠି କ୍ରୋଧ, ହିଂସା ଓ ଜଘନ୍ୟତାର ସମଷ୍ଟିଗତ ଏକ ନିର୍ଘାତ ସ୍ଥୂଳ ପ୍ରକ୍ରିୟା। ଏଥିରେ ନାହିଁ ଚାପୁଡ଼ାର ସୂକ୍ଷ୍ମ କଳାତ୍ମକ ଦିଗ କିମ୍ବା ମଲ୍ଲଯୁଦ୍ଧର ରଣକୌଶଳ। କଳି ଉଗ୍ର ରୂପ ନେଲା କ୍ଷଣି ମଣିଷର ଅଙ୍ଗ ପ୍ରତ୍ୟଙ୍ଗ ଉତ୍ତେଜିତ ହୋଇ ବିଧା ଗୋଇଠାରେ ପରିଣତ ହୋଇଯାଆନ୍ତି। ପିଲା ଦିନରୁ ସାହି ପଡ଼ିଶାରେ ଏହି ପ୍ରକ୍ରିୟାକୁ ସମସ୍ତେ ଦେଖି ଆସୁଛନ୍ତି। ତେଣୁ ପିଲାମାନଙ୍କୁ ଯେତେବେଳେ ଗୋଟିଏ ଢଗ ପଚରାଯାଇଥାଏ “ପବନ ଯାହାର ଆହାର, ଖାଏ ଗୋଇଠା ପାହାର” ତା’ର ଉତ୍ତର ଠଉରେଇବା ପାଇଁ ସେମାନଙ୍କୁ କଷ୍ଟ ହୁଏ ନାହିଁ। ଲାତ ମାରିବା ପ୍ରାଣୀ ଜଗତ୍ର ଏକ ସାଧାରଣ ପ୍ରକ୍ରିୟା। ଘୋଡ଼ାର ଲାତ ମାରାତ୍ମକ ହୋଇଥିବାରୁ କୁହାଯାଏ କେବେ ବି ସେହି ପ୍ରାଣୀର ପଛରେ ଛିଡ଼ା ହେବା ନିରାପଦ ନୁହେଁ। ଆଫ୍ରିକାର ଜଙ୍ଗଲରେ ହିଂସ୍ର ସିଂହ ପଲଙ୍କ ଆକ୍ରମଣରୁ ଜିରାଫ ନିଜକୁ ରକ୍ଷା କରେ ଏହି ଗୋଇଠା ମାଡ଼ ମାରି। ବେଳେ ବେଳେ ଓଲେଇ ଗାଈ ତା’ର ବାଛୁରୀ ମୁହଁରେ କ୍ଷୀର ଟିକିଏ ପଡ଼ିବ ବୋଲି ଏହି ଲାତ ମରାକୁ ଭରସା କରିଥାଏ।
ପ୍ରାଣୀ ଜଗତ୍ରୁ ଶିଖି ମଣିଷ ଗୋଇଠାର ପ୍ରୟୋଗ ମଝିରେ ମଝିରେ କରିବା ସ୍ୱାଭାବିକ କଥା। ହେଲେ ବେଳେବେଳେ ଏହା ସଙ୍ଗିନ ରୂପ ଧାରଣ କରିପକାଏ। ପାଣ୍ଡବମାନେ ଛଦ୍ମବେଶରେ ବିରାଟ ରାଜାଙ୍କ ଉଆସରେ ରହୁଥିବା ବେଳେ କିଚକର ଦ୍ରୌପଦୀଙ୍କ ପ୍ରତି ଦୁର୍ବ୍ୟବହାର (‘ଝିଙ୍କା ଝିଙ୍କି କରି ପକାଇ ମୋତେ ତଳେ/ ଗୋଇଠା ମାଇଲା ସେ ମୋର ବେକ ତଳେ’/ କୃଷ୍ଣସିଂହ ଭାରତ) ଭୀମଙ୍କ ଦ୍ୱାରା ତା’ର ନିଧନ ହେବାର କାରଣ ସାଜିଥିଲା। ସେମିତି ଗଧ ରୂପରେ ତାଳବନ ଜଗିଥିବା ଧେନୁକାସୁର ତାଳ ଖାଇବାକୁ ଆସିଥିବା କୃଷ୍ଣ ଓ ବଳରାମଙ୍କୁ ଲାତ ମାରି ଆକ୍ରମଣ କରିବାରୁ ବଳରାମଙ୍କ ଦ୍ୱାରା ନିର୍ମମ ଭାବରେ ବଧ ହୋଇଥିଲା। ଆମର ପ୍ରାଚୀନ ସାହିତ୍ୟ ଓ କିମ୍ବଦନ୍ତି ମାନଙ୍କରେ ଗୋଇଠା ଗୋଟିଏ ବହୁ ବ୍ୟବହୃତ ଅସ୍ତ୍ର ଥିଲା। ହେଲେ ଆକ୍ରମଣ ଓ ପ୍ରତି ଆକ୍ରମଣର ଏହି ଆୟୁଧଟି ଭିତରେ ଆଗରୁ ନ ଥିଲା ଛଳନାର ଲେଶ, ଯାହାକି ଆଜି ସାଧାରଣ ଭାବରେ ଦେଖା ଯାଇଥାଏ। ଗୋଇଠା ମାରି ବିଷ୍ଣୁ କହିବା ଆଜିର କପଟତାର ଏକ ଅଂଶବିଶେଷ। କାହା ଉପରେ ପ୍ରତିଶୋଧ ନେବାର ଅଛି, ମନ ଖୋଲି ଅପମାନିତ କରିପକାନ୍ତୁ ନା, ପରେ ‘ବିଷ୍ଣୁ’ କହିଲା ଭଳି ‘ଭୁଲ୍ ହେଇଗଲା’ କହି କ୍ଷମା ମାଗିନେବେ। ଏଣେ ଆପଣଙ୍କ ମନର ଓରମାନ ବି ପୂରଣ ହେଇଗଲା, ତେଣେ ସମ୍ପର୍କ ବି ଅବ୍ୟାହତ ରହିଲା।
ଭେଜାଲ ଗୋଇଠାର କିନ୍ତୁ ସବୁଠୁ ଦୁର୍ଭାଗ୍ୟଜନକ ଉଦାହରଣ ଛାଡ଼ି ଯାଇଛନ୍ତି ଭାରତବର୍ଷର ଗୋରା ଇଂରେଜ ଶାସକମାନେ। ଶଶୀ ଥରୁରଙ୍କ ଗବେଷଣା ପ୍ରସୂତ ‘ଇନ୍ଗ୍ଲୋରିଆସ୍ ଏମ୍ପାୟାର୍’ ପୁସ୍ତକରେ ଲେଖକ ଏମିତି କିଛି ଗୋଇଠାର ବର୍ଣ୍ଣନା କରିଛନ୍ତି ଯାହା କ୍ରୋଧ ଅପେକ୍ଷା କିଛି ଅଭାଗା ଭାରତୀୟମାନଙ୍କୁ ଲାଂଛିତ କରିବାର ଖିଆଲରୁ ଅଧିକ ଜାତ ହେଉଥିଲା। କଲିକତାରେ ଅବସ୍ଥାପିତ କିଛି ଗୋରା ସାମରିକ ଅଧିକାରୀ ବର୍ଣ୍ଣବୈଷମ୍ୟ ଯୋଗୁଁ ତାଙ୍କର ଭୃତ୍ୟମାନଙ୍କ ତଳିପେଟକୁ ଶୃଙ୍ଖଳା ଅଭାବର ଆଳ ଦେଖାଇ ଆର୍ମି ପ୍ରଦତ୍ତ ଭାରୀ ଜୋତାରେ ଗୋଇଠା କଷି ଯାଉଥିଲେ। ଯଦି ବିଚରା ଭୃତ୍ୟଟି ଗୋଇଠା ମାଡ଼ ଖାଇ ମରିଗଲା ତଥାପି ଗୋରା ଅଧିକାରୀକୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରି ଦେଉଥିଲା ବା ହାଲୁକା ଅପରାଧ ହିସାବରେ ମାମୁଲି ଦଣ୍ଡ ଦେଉଥିଲା। ଗୋରା ଅଭିଯୁକ୍ତ ଏହି ଯୁକ୍ତି ବାଢ଼ୁଥିଲା ଯେ ଭୃତ୍ୟଟି ବାରମ୍ବାର ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଥିବାରୁ ତା’ର ପ୍ଲିହା ବଢ଼ିଯାଇଥିଲା ଓ ତାକୁ ଶୃଙ୍ଖଳା ଶିକ୍ଷା ଦେଲାବେଳେ ତା’ର ପ୍ଲିହାରେ ହାଲୁକା ଧକ୍କା ବାଜିଯିବାରୁ ତାହା ଫାଟି ଯାଇଥିଲା। ଏଣୁ ଭୃତ୍ୟର ନିଜର ଶାରୀରିକ ଅକ୍ଷମତା ଜନିତ ମୃତ୍ୟୁ ପାଇଁ ଗୋରା ଅଧିକାରୀ କେମିତି ଦାୟୀ ହେବେ? ଥରୁରଙ୍କ ଯୁକ୍ତି ଅନୁସାରେ ଗୋରା ଔପନିବେଶିକମାନେ କେବଳ ଗୋଇଠା ମାରି ଭୃତ୍ୟମାନଙ୍କୁ ହତ୍ୟା କରୁ ନ ଥିଲେ, ସେମାନେ ତାଙ୍କ ଦୀର୍ଘ ଶୋଷଣ ଫଳରେ ଭାରତୀୟଙ୍କ ଭାତ ହାଣ୍ଡିକୁ ମଧ୍ୟ ଗୋଇଠା ମାରିଥିଲେ।
ରାଜନୀତିରୁ ଆରମ୍ଭ ଆଜିର ଗୋଇଠା ପ୍ରସଙ୍ଗଟିକୁ ରାଜନୀତିରେ ହିଁ ଶେଷ କରିବା। ଆଜି ରାଜନୀତିରେ ଅସଲି ଗୋଇଠା ବିରଳ ସିନା, ହେଲେ ‘କିକ୍-ବ୍ୟାକ୍’ ବା ଉତ୍କୋଚର ପ୍ରଭାବ ଆଜି ସାରା ବିଶ୍ୱର ନେତାମାନଙ୍କୁ ଊଣା ଅଧିକେ କବଳିତ କରିସାରିଛି। କୌଣସି ନା କୌଣସି ରୂପରେ ଆଧୁନିକ ଯୁଗରେ ଗୋଇଠା ତା’ର ଅବସ୍ଥିତି ବଜାୟ ରଖି ପାରିଛି।
ମୋ-୯୪୩୭୦୮୯୬୫୫